ସୂର୍ଯ୍ୟ, ସଂଜ୍ଞା ଓ ଛାୟା

Share it

    ଅଦିତି ଗର୍ଭ ଧାରଣ କାଳରେ ଗୋଟିଏ ସୁପୁତ୍ର ପ୍ରାପ୍ତି ପାଇଁ ନାନା ବ୍ରତ ଉପବାସ କରୁଥାନ୍ତି । କଶ୍ୟପ ଏହା ଦେଖି ଅଦିତିଙ୍କୁ କହିଲେ, ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅ । ଅତ୍ୟଧିକ ଉପବାସ, ବ୍ରତ ଆଦିର କୁ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ି ପାରେ ।

===============

ମାର୍କଣ୍ଡେୟ ପୁରାଣର କଥା । ବହୁଯୁଗ ପୂର୍ବେ ଥରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଘୋର ସଂଗ୍ରାମ ଲାଗିଲା । ସେହି ସଂଗ୍ରାମ ସହସ୍ର ସହସ୍ର ଦେବବର୍ଷ ଯାଏ ଲାଗି ରହିଲା । ଜଣା ପଡୁଥାଏ, ଯେପରି ଏହି ସଂଗ୍ରାମ ଅନ୍ତଃ ହେବନାହିଁ । ଦେବତାମାନେ ଯେତେ ଯେତେ ଅସୁରଙ୍କୁ ମାରି ପକାଉଥାନ୍ତି ଦୈତ୍ୟଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ସେମାନଙ୍କୁ ସଂଜୀବନୀ ବିଦ୍ୟା ବଳରେ ପୁନର୍ଜୀବିତ କରାଇ ଦେଉଥାନ୍ତି । ଶେଷକୁ ଦେବତା ମାନେ ପରାଜିତ ହେଲେ ଓ ସ୍ୱର୍ଗ ପୁରୀରୁ ବିତାଡ଼ିତ ହୋଇ ଏଣେ ତେଣେ ଆଶ୍ରୟ ଲୋଡ଼ିଲେ ।

ଦେବତା ମାନଙ୍କ ଦୁର୍ଗତି ଦେଖି ଦେବମାତା ଅଦିତି ଖୁବ୍ ଚିନ୍ତିତ ହୋଇ ପଡ଼ିଲେ । ଗୋଟିଏ ପୁତ୍ର ପ୍ରାପ୍ତି ପାଇଁ ସେ କଠୋର ତପସ୍ୟା ଆରମ୍ଭ କଲେ ଯିଏକି ଅସୁର ମାନଙ୍କ ଦାଉରୁ ଦେବତାମାନଙ୍କୁ ରକ୍ଷା କରି ପାରିବ । ତାଙ୍କ କଠିନ ତପସ୍ୟା ଫଳବତୀ ହେଲା । ଦିନେ ଜଣେ ତେଜୋମୟ ପୁରୁଷ ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ, କହିଲେ, ମାଆ ! ମୁଁ ତୁମର ପୁତ୍ର ହୋଇ ଜନ୍ମହେବି ଓ ଦେବତା ମାନଙ୍କ ଦୁର୍ଗତି ଦୂର କରିବି । ମୋତେ ତୁମ ଗର୍ଭରେ ସ୍ଥାନ ଦିଅ । ଏପରି କହି ଦିବ୍ୟ ପୁରୁଷ ଜଣକ ଅନ୍ତର୍ଦ୍ଧାନ ହୋଇଗଲେ । ସେହିଦିନ ଠାରୁ ଅଦିତି ଗର୍ଭଧାରଣ କଲେ ।

ଅଦିତି ଗର୍ଭ ଧାରଣ କାଳରେ ଗୋଟିଏ ସୁପୁତ୍ର ପ୍ରାପ୍ତି ପାଇଁ ନାନା ବ୍ରତ ଉପବାସ କରୁଥାନ୍ତି । କଶ୍ୟପ ଏହା ଦେଖି ଅଦିତିଙ୍କୁ କହିଲେ, ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅ । ଅତ୍ୟଧିକ ଉପବାସ, ବ୍ରତ ଆଦିର କୁ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ି ପାରେ ।

ଅଦିତି କହିଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଜାଣେ, ମୋ ଗର୍ଭରୁ ଏକ ତେଜସ୍ଵୀ ବାଳକ ଜନ୍ମହେବାକୁ ଯାଉଛି । ଯଥା କାଳେ ଅଦିତିଙ୍କ ଗର୍ଭରୁ ଏକ ତେଜମୟ ପ୍ରଭା ଯୁକ୍ତ ପୁତ୍ର ଜନ୍ମ ହେଲା । ମହର୍ଷି କଶ୍ୟପ ସେହି ପୁତ୍ରଟିର ନାମ ରଖିଲେ ମାର୍ତ୍ତଣ୍ଡ, ମାତା ଅଦିତିଙ୍କ ଯୋଗୁଁ ସେ ପରିଚିତ ହେଲେ, ଆଦିତ୍ୟ ନାମରେ ଏବଂ ପିତାଙ୍କ ନାମାନୁସାରେ ସେ ପରିଚିତ ହେଲେ, କାଶ୍ୟପେୟ ବା କଶ୍ୟପ କୁମାର ବୋଲି ।

ଜନ୍ମ ହେବାକ୍ଷଣି ଅଦିତିଙ୍କ ପୁତ୍ର ଚାହିଁଦେଲାରୁ ତାଙ୍କ ପ୍ରଚଣ୍ଡ ତେଜରେ ଅସୁରମାନେ ଜଳି ପାଉଁଶ ହୋଇ ଗଲେ । ଦେବତା ମାନେ ହର୍ଷ ଧ୍ଵନୀ କଲେ । ଅସୁର ମାନଙ୍କଦ୍ୱାରା କବଳିତ ସ୍ବର୍ଗପୁରକୁ ଦେବତା ମାନେ ଫେରି ପାଇଲେ । ଅସୁର ମାନେ ମାର୍ତ୍ତଣ୍ଡଙ୍କ ନୟନ ଜ୍ଵାଳାରେ ଭସ୍ମୀଭୂତ ହୋଇଥିବାରୁ ଦେବତା ମାନେ ତାଙ୍କ ନାମ ରଖିଲେ ‘ସୂର୍ଯ୍ୟ’ । ପ୍ରଚଣ୍ଡ ସୌର୍ଯ୍ୟବାନ୍ ସୂର୍ଯ୍ୟ ହେଲେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଅଧିପତି ।
ଦେବତାମାନେ ସୁର୍ଯ୍ୟଙ୍କୁ ଏକ ସପ୍ତାଶ୍ଵ ବାହନ ଯୁକ୍ତ ରଥ ପ୍ରଦାନକଲେ । ତାଙ୍କ ସାରଥିହେଲେ ଗରୁଡ଼ଙ୍କ ଭାଇ ଅରୁଣ । ସେହି ସପ୍ତାଶ୍ଵ ବାହନ ରଥରେ ସୂର୍ଯ୍ୟ ବିଶ୍ଵ ପରିଭ୍ରମଣ କରିବାକୁ ଲାଗିଲେ ।

କାଳକ୍ରମେ ସୂର୍ଯ୍ୟଙ୍କ ଵିଵାହ ବିଶ୍ଵବିନ୍ଧାଣୀ ଭଗବାନ୍ ବିଶ୍ଵକର୍ମାଙ୍କ ପୁତ୍ରୀ ସଂଜ୍ଞାଙ୍କ ସହ ହେଲା । ସଂଜ୍ଞାଙ୍କ ଗର୍ଭରୁ ଜନ୍ମ ହେଲେ ବୈବସ୍ୱତ ମନୁ ଯିଏ ଏବେକା ମନ୍ଵନ୍ତରର ଆଦି ପୁରୁଷ । ପୁନଶ୍ଚ ସୂର୍ଯ୍ୟ ଓ ସଂଜ୍ଞାଙ୍କ ଔରସରୁ ଜନ୍ମ ହେଲେ ମୃତ୍ୟୁଦେବତା ଯମ ଓ ଯମି ବା ଯମୁନା ଦେବୀ ।

କିନ୍ତୁ ଗୋଟିଏ ସମସ୍ୟା କ୍ରମେ ଉପସ୍ଥିତ ହେଲା । ସଂଜ୍ଞା ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ଓ ଉତ୍ତାପକୁ ଆଉ ସହ୍ୟକରି ପାରିଲେନାହିଁ । ସୂର୍ଯ୍ୟଙ୍କ ଅସହ୍ୟ ଉତ୍ତାପରେ ତାଙ୍କ ଦେହ କଳା ପଡ଼ି ଗଲା । କୋଳ ବିଦ୍ୟା ପାରଙ୍ଗମ ସଂଜ୍ଞା ନିଜ ଦେହରୁ ଏକ ଛାୟାମୂର୍ତ୍ତି ସୃଷ୍ଟିକରି ତାଙ୍କୁ ସଂଜ୍ଞା ବୋଲି ପରିଚୟ ଦେଇ ସୂର୍ଯ୍ୟଙ୍କ ସେବାକରିବା ପାଇଁ ନିର୍ଦ୍ଧେଶ ଦେଇ ନିଜ ପିତ୍ରାଳୟକୁ ଚାଲିଗଲେ । ବର୍ତ୍ତମାନ ସଂଜ୍ଞାଙ୍କ ରୂପରେ ସୂର୍ଯ୍ୟଙ୍କ ପତ୍ନୀ ହେଲେ ଛାୟା ।

ସୂର୍ଯ୍ୟ ସଂଜ୍ଞା ଓ ଛାୟାଙ୍କ ମଧ୍ୟରେ କୌଣସି ଅନ୍ତର ଜାଣି ପାରିଲେ ନାହିଁ । କାଳ କ୍ରମେ ଛାୟାଙ୍କ ଠାରୁ ଜନ୍ମ ହେଲେ, ପୁତ୍ର ସାବର୍ଣ୍ଣି ମନୁ, ଶନି ଓ ଗୋଟିଏ ଝିଅ ତପତି ।

ସଂଜ୍ଞା ପିତ୍ରାଳୟରେ ଥାନ୍ତି । ପିତା, ବିଶ୍ବକର୍ମା ତାଙ୍କୁ ବାରମ୍ବାର ସୂର୍ଯ୍ୟଙ୍କ ନିକଟକୁ ଫେରିଯାଅ କହିବାରୁ ସେ ପିତୃଗୃହ ପରିତ୍ୟାଗକରି ଏକ ଘୋଡ଼ି ରୂପରେ ଯାଇ ଉତ୍ତର କୁରୁ ଦେଶରେ ଗୁପ୍ତହୋଇ ରହିଲେ ।

ଏପଟେ ଛାୟା ନିଜ ସନ୍ତାନଙ୍କପ୍ରତି ଶ୍ରଦ୍ଧାବାନ ଥାଇ ସଂଜ୍ଞାଙ୍କ ସନ୍ତାନ ମାନଙ୍କ ପ୍ରତି କଟୁ ବ୍ୟବହାର କରୁ ଥାନ୍ତି । ଏ କଥାକୁ ଯମ ସହ୍ୟ କରି ପାରିଲେ ନାହିଁ । ଦିନେ ସେ ଛାୟାଙ୍କୁ ରାଗରେ ଗୋଇଠା ମାରିବାକୁ ଉଦ୍ୟତ ହେବାରୁ, ଛାୟା ତାଙ୍କୁ ଅଭିଶାପ ଦେଲେ, ତୋର ଗୋଡ଼ ଛିଣ୍ଡି ପଡ଼ୁ ।

ଅଭିଶପ୍ତ ଯମ ଓ ମନୁ ସୂର୍ଯ୍ୟଙ୍କ ପାଖରେ ସବୁକଥା କହିଲେ ଓ ମାତା ତାଙ୍କୁ କିପରି ହତାଦର କରୁଛନ୍ତି ତାହା ମଧ୍ୟ କହିଲେ । ସୂର୍ଯ୍ୟ ଯମଙ୍କୁ କହିଲେ, ତୁମ ମାତାଙ୍କ ଅଭିଶାପ, ଅନ୍ୟଥା ହେବ ନାହିଁ । ମୁଁ କିନ୍ତୁ ଏହାକୁ ଟିକିଏ ହ୍ରାସ କରି ଦେଉଛି । ତୁମର ଗୋଡ଼ ସମ୍ପୂର୍ଣ୍ଣ ଛିଣ୍ଡି ପଡ଼ିବନାହିଁ । ସେଥିରୁ କିଛିଅଂଶ କୀଟ ମାନେ ସର୍ବଦା କାଟିଖାଇବେ । ଏଣୁ ମାତା ଛାୟାଙ୍କ ଅଭିଶାପରୁ ଯମ ହେଲେ କୁଷ୍ଠବ୍ୟାଧି ଗ୍ରସ୍ତ ।

ଏହାପରେ ସୂର୍ଯ୍ୟ ଯାଇ ଛାୟାଙ୍କ ନିକଟରେ ପହଞ୍ଚି କହିଲେ, ତୁମେ ନିଜର ପିଲା ମାନଙ୍କ ପ୍ରତି ଏପରି ନିଷ୍ଠୁର ହେଉଛ କିପରି ? ଛାୟା କିଛି ନ କହି ଚୁପ୍ ରହିଲେ । ଛାୟାଙ୍କ ନୀରବତାରୁ ସୂର୍ଯ୍ୟଙ୍କୁ ବୁଝିବାକୁ ବାକି ରହିଲା ନାହିଁ, ଇଏ ସଂଜ୍ଞା ନୁହଁନ୍ତି, ଇଏ ତାଙ୍କ ଛାୟାରୁ ସୃଷ୍ଟ, ଛାୟା । ଛାୟା ସୂର୍ଯ୍ୟଙ୍କୁ କ୍ଷମା ମାଗି ସବୁ କଥା କହିଲେ ଓ ସଂଜ୍ଞା ପିତ୍ରାଳୟରେ ନିବାସ କରୁଛନ୍ତି ବୋଲି କହିଲେ ।

ସୂର୍ଯ୍ୟ ଯାଇ ବିଶ୍ୱକର୍ମାଙ୍କ ପାଖରେ ପହଞ୍ଚି ସଂଜ୍ଞାଙ୍କୁ ଫେରାଇ ଦେବାକୁ କହିଲେ । ବିଶ୍ଵକର୍ମା କହିଲେ, କନ୍ୟା ସଂଜ୍ଞା ତୁମର ଉଜ୍ଜ୍ବଳତାକୁ ସହ୍ୟ କରି ପାରୁ ନାହିଁ । ଏଣୁ ମୁଁ ତୁମ ଆକାରକୁ ହ୍ରାସ କରି ଦେଉଛି, ଯାହା ଫଳରେ ତୁମର ପ୍ରଖର ଉଜ୍ଜ୍ଵଳତା କମିଯିବ ।

ଏହାକହି, ବିଶ୍ଵକର୍ମା ସୁର୍ଯ୍ୟଙ୍କ ବର୍ତ୍ତମାନ ଆକାରକୁ କମାଇ ଦେଇ, ସଂଜ୍ଞା ବର୍ତ୍ତମାନ ଉତ୍ତରକୁରୁ ଦେଶ ଅରଣ୍ୟରେ ତପସ୍ୟାରତା ବୋଲି କହିଲେ ।

ଇଆଡ଼େ ସୂର୍ଯ୍ୟ ଆକାରରେ ଛୋଟ ହୋଇ ଯିବାରୁ, ସୌରଜଗତର ସମସ୍ତ ବ୍ୟବସ୍ଥା ବିଗିଡ଼ିଗଲା । ବିଶ୍ଵ ସଂସ୍ଥିତିପାଇଁ ସମସ୍ତ ଦେବତାମାନେ ଯାଇ ସୂର୍ଯ୍ୟଙ୍କୁ ଆକୁଳ ପ୍ରାର୍ଥନା କଲେ ।

    ସମସ୍ତଙ୍କ ସହମତି କ୍ରମେ ଶେଷରେ ସୂର୍ଯ୍ୟ ଦେବଙ୍କ ଆକାର, ମୂଳ ଆକାରର ଏକ ଷୋଡାଂଶରେ ରଖାଗଲା ଓ ସୃଷ୍ଟି ଠିକଭାବେ ଗତିଶୀଳହେଲା

। ସୂର୍ଯ୍ୟଙ୍କ ଶରୀର ବଳକା ଭାଗରୁ ବିଶ୍ୱକର୍ମା ଗଢ଼ିଲେ, ବିଷ୍ଣୁଙ୍କ ସୁଦର୍ଶନଚକ୍ର, ଶଙ୍କରଙ୍କ ତ୍ରିଶୂଳ, କାର୍ତ୍ତିକେୟଙ୍କ ବର୍ଚ୍ଛା ଓ ଯମଙ୍କ ଦଣ୍ଡ ।

ଏହାପରେ ସୂର୍ଯ୍ୟ ଏକ ଅଶ୍ଵ ରୂପ ଧରି ଯାଇ ଉତ୍ତର କୁରୁ ଦେଶରେ ପତ୍ନୀ ସଂଜ୍ଞାଙ୍କ ପାଖରେ ପହଞ୍ଚିଲେ । ସେଠାରେ ତାଙ୍କ ସଂସର୍ଗରୁ ଦୁଇଟି ପୁତ୍ର ଜନ୍ମ ଲାଭ କଲେ, ଯିଏ ଅଶ୍ଵିନୀ କୁମାର ଦ୍ୱୟ ବୋଲି ବିଖ୍ୟାତ ହେଲେ । ସୂର୍ଯ୍ୟ, ନିଜ ସ୍ୱରୂପ ଧରି ପ୍ରକଟ ହେଲେ ।

  • ସଂଜ୍ଞା ଦେଖିଲେ, ତାଙ୍କର ଆଗ ତେଜ ଆଉ ନାହିଁ । ସେ ମାନୁଷୀ ଶରୀର ଧାରଣ କଲେ । ସୂର୍ଯ୍ୟଙ୍କ ସହ ତାଙ୍କର ପୁନର୍ମିଳନ ହେଲା । ସଂଜ୍ଞାଙ୍କୁ ଘେନି ସୁର୍ଯ୍ୟ ଆନନ୍ଦରେ ସୂର୍ଯ୍ୟଲୋକକୁ ଫେରି ଆସିଲେ ।
  • ସୁର୍ଯ୍ୟଙ୍କ ପୁତ୍ରୀ ତପତି, ମର୍ତ୍ତ୍ୟରେ ରାଜା ସମ୍ବରଣଙ୍କୁ ଵିଵାହକରିଥଲେ । ତାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ କୁରୁ ବଂଶର ପ୍ରତିଷ୍ଠାତା ରାଜା କୁରୁ । ତପତି ଅନ୍ତଃ କାଳରେ ଏକ ନଦୀ ହୋଇ ବହିଗଲେ ଯାହା ଆଜି ତାପ୍ତୀ ନଦୀ ବୋଲି ପରିଚିତ ହୁଏ । ସୂର୍ଯ୍ୟଙ୍କ ଅନ୍ୟ ପୁତ୍ରୀ ଯମୀ ହେଲେ ଯମୁନା ନଦୀ । କାଳିନ୍ଦୀ କନ୍ୟା ନାମରେ ଦ୍ଵାପର ଯୁଗରେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଵିଵାହକରି ତାଙ୍କ ଅଷ୍ଟପାଟବଂଶୀ ମାନଙ୍କ ମଧ୍ୟରେ ଜଣେ ପାଟବଂଶୀ ହୋଇଥିଲେ ।

    ସୂର୍ଯ୍ୟ ସକଳ ସୃଷ୍ଟିର ଆଧାର । ସେ ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଲୟର କାରଣ । ଭୁବନଭାସ୍କର ସୂର୍ଯ୍ୟଙ୍କ କଥା ବହୁ ପୁରାଣ ଯଥା ମାର୍କଣ୍ଡେୟ ପୁରାଣ, ମତ୍ସ୍ୟ ପୁରାଣ, ଭବିଷ୍ୟପୂରାଣ, ଶାମ୍ବପୁରାଣ, ବ୍ରହ୍ମପୁରାଣ ଓ ସୂର୍ଯୋପନିଶଦ ଆଦିରେ ବର୍ଣ୍ଣିତ ହୋଇଛି । ସେ ଆଦ୍ୟ ପୂଜ୍ୟ । ଏଣୁ ମନ୍ତ୍ର ରହିଛି:-
    ଗଣେ ନାରାୟଣେ ଋଦ୍ରେ
    ଅମ୍ବିକେ ଭାସ୍କରେ ତଥା l
    ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ
    ପଞ୍ଚଦେବ ନମସ୍ତୁତେ ll
    !!! ଓଁ ସୂର୍ଯ୍ୟ ନାରାୟଣାୟ ନମଃ !!!

    🙏🙏🙏

    ଅର୍ଜୁନୀ ଚରଣ ବେହେରା
    ମୋ -7693091971


    Share it

    Leave a comment

    Your email address will not be published. Required fields are marked *

    Verified by MonsterInsights