ସୂର୍ଯ୍ୟଙ୍କର ଜନ୍ମ ସ୍ଥାନ କଳିଙ୍ଗ !

Share it

ମାଘ ସପ୍ତମୀ

ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ, ପୁରାଣ କାଳରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ମନ୍ଦିର ସ୍ଥାପନ କରିବା ସହ ଯମୁନା ନଦୀ କୂଳ କଳାପ୍ରିୟ ଓ ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ ମୁଲତାନର ଚେନାଵ ନଦୀ କୂଳରେ ମଧ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏବେ କୋଣାର୍କଠାରେ ଥିବା ସୂର୍ଯ୍ୟ ମନ୍ଦିରଟିକୁ ପରବର୍ତ୍ତୀ କାଳରେ ଉତ୍କଳର ରାଜା ଲାଙ୍ଗୁଳା ନରସିଂହଦେବ ସ୍ଥାପନକରି ଥିଲେ ।

ଉତ୍ତରରେ ମହୋଦଧି ଦକ୍ଷିଣରେ ଚନ୍ଦ୍ରଭାଗାନଦୀ, ମଧ୍ୟ ଭାଗରେ ରହିଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ କୃଷ୍ଣ ପାଗୋଡା, କୋଣାର୍କ ମନ୍ଦିର, ସୂର୍ଯ୍ୟ ଦେବତାଙ୍କ ପୂଜାସ୍ଥଳୀ । ଏହା ସୂର୍ଯ୍ୟ ମନ୍ଦିର ନାମରେ ଜଗତ ବିଖ୍ୟାତ । କୋଣାର୍କ ଏହି କଳାର ଦେଶ ଉତ୍କଳର ଶ୍ରେଷ୍ଠ କିର୍ତ୍ତୀ ।

ଏହିଠାରେ ଅନୁଷ୍ଠିତ ହୋଇ ଥାଏ ପବିତ୍ର ଚନ୍ଦ୍ରଭାଗ ବେଳାଭୂମିରେ ଚନ୍ଦ୍ରଭାଗା ବୁଡ଼ ବା ମାଘ ସପ୍ତମୀ ବୁଡ଼ । ମାଘ ମାସ ଶୁକ୍ଳ ସପ୍ତମୀ ବା ତିଳ ସପ୍ତମୀ ହେଉଛି ସେ ପବିତ୍ର ଦିନ । ଏହା ସୂର୍ଯ୍ୟଙ୍କର ଜନ୍ମଦିନ । ଅର୍କ ନାମକ ଏକ ଦୈତ୍ୟକୁ ସୂର୍ଯ୍ୟଦେବ ଏଠାରେ ବଧ କରିଥିବାରୁ ଏହା ଅର୍କ କ୍ଷେତ୍ର ନାମରେ ମଧ୍ୟ ପ୍ରସିଦ୍ଧ । ପୁଣି ଏହି କ୍ଷେତ୍ରର ନାମ ପଦ୍ମ କ୍ଷେତ୍ର । ଗ୍ରହ ଯାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ କଳିଙ୍ଗ ସୂର୍ଯ୍ୟଙ୍କର ଜନ୍ମ ସ୍ଥାନ ।


“ଦାଡ଼ିମି ପୁଷ୍ପା ସଂକାଶ କାଶ୍ୟପେୟ କଳିଙ୍ଗଜଃ
ଧନିଷ୍ଠା ତାରକଂ ଦେବଂ ମାର୍ତ୍ତଣ୍ଡ ପ୍ରଣମାମିହଂ । “

ଧନିଷ୍ଠା ନକ୍ଷତ୍ର, ମାଘ ଶୁକ୍ଳ ସପ୍ତମୀ ରବିବାରରେ ସୂର୍ଯ୍ୟଙ୍କର ଜନ୍ମ କାଶ୍ୟପ ଗୋତ୍ରରେ । ସୂର୍ଯ୍ୟଙ୍କର ପତ୍ନୀ ସଂଜ୍ଞା ପଦ୍ମିନୀ ରୂପ ଧାରଣ ପୂର୍ବକ ଯେଉଁ ସ୍ଥାନରେ ଆବିର୍ଭୁତା ହୋଇଥିଲେ ସେ ସ୍ଥାନ ପଦ୍ମ କ୍ଷେତ୍ର ରୂପେ ବିବେଚିତ । ତେଣୁ କୋଣାର୍କ ସୂର୍ଯ୍ୟ ଓ ପତ୍ନୀ ସଜ୍ଞା ଉଭୟଙ୍କ ଜନ୍ମସ୍ଥଳୀ । ଆହୁରିପୁଣି ଜୈମିନେୟ ଗ୍ରହ ସୂତ୍ରରେ କୁହା ଯାଇଛି, “ଜାତଂ ସୂର୍ଯ୍ୟଂ କଳିଙ୍ଗେଷୁ” । ପଦ୍ମ ପୁରାଣରେ କୋଣାର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି :-

ଲବଣସ୍ୟଧି ତୀରେ ପବିତ୍ର ସୁ ମନୋହର
ସର୍ବତ୍ର ବାଲୁକାକିର୍ଣ୍ଣେ ଦେଶେ ସର୍ବ ଗୁଣାନ୍ଵିତେ ।
ଆସ୍ତେ ଯତ୍ର ସ୍ୱୟଂଦେଵ ସହସ୍ରାଂଶୁ ଦିଵାକରଃ
କୋଣାଦିତ୍ୟଇତି କ୍ଷାତୋ ଭକ୍ତିମୁକ୍ତି ଫଳପ୍ରଦଃ ।

ପଦ୍ମପୁରାଣ ପ୍ରାଚୀ ମାହାତ୍ମ୍ୟରେ ସୂର୍ଯ୍ୟ, ଶିବଙ୍କୁ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି :-

ଅର୍କ ତୀର୍ଥରେ ଯେତେ ପୁଣ୍ୟ
ମୁଁ କହିବାକୁ ନୁହେଁ କ୍ଷମ ।
ମାଘ ମାସର ଶୁକ୍ଳ ପକ୍ଷ
ସପ୍ତମୀ ହୋଇଲେ ପ୍ରତ୍ୟକ୍ଷ ।
ତିଳ ଲଗାଇ କଲେ ସ୍ନାନ
ତିଳେ ଦେଲେ ଦାନ ଭୋଜନ ।
କୋଟି ଗୋଦାନ ଫଳ ପାଇ
ତା ଦେହେ ବ୍ୟାଧି ଯେ ନଥାଇ ।

ସ୍ୱୟଂ ଦେବଦେବ ମହାଦେବ ଅର୍କତୀର୍ଥରେ ସ୍ନାନ କରି ବ୍ରହ୍ମାଶିର ଛେଦନ ଜନିତ ମହା ପାପରୁ ମୁକ୍ତି ଲାଭ କରି ଶ୍ରୀ ଶୋଭନେଶ୍ୱର ମହାଦେବ ଭାବେ ପ୍ରତିଷ୍ଠିତ ହୋଇଥିଲେ ।

କୋଣାର୍କ,ଜମ୍ବୁଦ୍ବୀପର ଅଗ୍ନି କୋଣରେ ଅବସ୍ଥିତ । ଏହା ଏକ ପାବନ କ୍ଷେତ୍ର । ଏଠାରେ ସୁରେଶ୍ୱରୀ ଗଙ୍ଗା କୋଟି ତୀର୍ଥ ସଙ୍ଗେ ଧରି ଚନ୍ଦ୍ରଭାଗା ନାମ ଧାରଣ ପୂର୍ବକ ପ୍ରବାହିତ ହୁଅନ୍ତି । ଏଠାରେ ସ୍ନାନ କରି ସବିତାଙ୍କୁ ଦର୍ଶନ କଲେ ଅଶେଷ ଜନ୍ମାର୍ଜିତ କଳୁଷ ନାଶହୁଏ ବୋଲି ଲୋକ ବିଶ୍ୱାସ ରହିଛି । ଦେବୀ ସରସ୍ବତୀ, ପ୍ରାଚୀ ନଦୀ ରୂପେ ମର୍ତ୍ତ୍ୟରେ ପ୍ରବାହିତ ହୋଇ କୋଣାର୍କ ନିକଟରେ ଚିତ୍ରୋତ୍ପଳା ନାମ ଧାରଣ କରିଥିଲେ । ଏହି ନଦୀମୁହାଣ ଅର୍କ ତୀର୍ଥ ଭାବେ ଜଗତରେ ବିଖ୍ୟାତ । ମାଘ ସପ୍ତମୀ ଅବସରରେ ଏହି ପବିତ୍ର ତୀର୍ଥରେ ବୁଡ଼ ପକାଇ ଶ୍ରଦ୍ଧାଳୁମାନେ ମନ୍ତ୍ର ଉଚ୍ଚାରଣ କରିଥାନ୍ତି :-

ଯଦାଯତ୍ ଜନ୍ମକୃତଂ ପାପଂ ମାୟା ସପ୍ତସୁ ଜନ୍ମସୁ
ତନ୍ମେ ରୋଗଂଚ ଶୋକଂଚ ମକାରିହନ୍ତୁ ସପ୍ତମୀ ।

ବଡ଼ି ଭୋରରୁ ମହୋଦଧିରେ ବୁଡ଼ପକାଇ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟକୁ । ବାଳ ସୂର୍ଯ୍ୟ ଦର୍ଶନରେ ସେମାନେ ଗାଇ ଉଠିଥାନ୍ତି :-

ସପ୍ତ ସପ୍ତି ବହପ୍ରୀତ ସପ୍ତ ଦ୍ୱୀପ ପ୍ରଦୀପକ
ସପ୍ତମ୍ୟାଞ୍ଚନମସ୍ତୁଭ୍ୟମ୍ ନମୋନନ୍ତାୟ ଵେଧସେ ।

ଅର୍କ ତୀର୍ଥର ଉତ୍ପତ୍ତି ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାନ ରହିଛି । ସେଥିମଧ୍ୟରୁ କେଇ ଗୋଟି ହେଲେ :-

1 – ଚନ୍ଦ୍ର ଦେବଙ୍କ ସମକକ୍ଷ ନ ହୋଇ ପାରିବାରୁ ଜଳପତି ବରୁଣଙ୍କ ମନରେ ବହୁ କଷ୍ଟ ଥିଲା । ସେ ଏଠାରେ ଏକ ବଟ ବୃକ୍ଷ ମୂଳରେ ନଅ ଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନ ଦେଖି ତପସ୍ୟା କଲେ । ଅର୍କ ନାମକ ଏକ ଦୈତ୍ୟ ବୁଲୁବୁଲୁ ସେଠାରେ ପହଞ୍ଚିଲା ଏବଂ ବରୁଣଙ୍କୁ ଭକ୍ଷଣ କରିବାକୁ ଉଦ୍ୟତହେଲା । ତାକୁ ସୂର୍ଯ୍ୟ ବାରଣ କଲେ, ହେଲେ ଦୈତ୍ୟ ତାଙ୍କ କଥା ଶୁଣିଲା ନାହିଁ । ଦୁହିଁଙ୍କ ଭିତରେ ଘୋର ସଂଗ୍ରାମ ଚାଲିଲା । ଅର୍କ ଦୈତ୍ୟ ସେହି ବଟମୂଳେ ପରାସ୍ତ ଓ ନିହତ ହେଲା । ଅର୍କ ଦୈତ୍ୟ ଏଠାରେ ନିହତ ହୋଇଥିବାରୁ ଏହାର ନାମ ହୋଇଛି କୋଣାର୍କ । ଶାରଳା ମହାଭାରତର ଶାନ୍ତି ପର୍ବରେ ଉଲ୍ଲେଖ ଅଛି :-

ପୃଥ୍ଵୀ ଅଗ୍ନି କୋଣେ ଯହୁଁ ଦୈତ୍ୟ ହେଲା ହତ
ତେଣୁ ସେ କୋଣାର୍କନାମେ ହୋଇଛି ବିଖ୍ୟାତ ।

ଅର୍କ ଦୈତ୍ୟ ଯେଉଁଦିନ ବଧ ହୋଇଥିଲା ସେଦିନ ଥିଲା ମାଘ ଶୁକ୍ଳ ସପ୍ତମୀ ଗୁରୁବାର ।

2. ଶାରଳା ମହାଭାରତର ଆଉ ଏକ ଉପାଖ୍ୟାନ ଅନୁସାରେ ଚନ୍ଦ୍ରଭାଗାକୁ କିର୍ତ୍ତୀ ଏବଂ ବାସ ବୋଲି ଦୁଇ ଭାଈ ଭୋଗ କରୁଥିଲେ । ସେମାନେ ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ତୀର୍ଥ ଯାତ୍ରୀ ମାନଙ୍କୁ ବହୁତ ହଇରାଣ କରୁଥିଲେ । ଋଷିମାନେ ଏକଥା ହର ଗଉରୀଙ୍କୁ ଜଣାଇବାରୁ ମା’ ପାର୍ବତୀ ଜଣେ ଗୋପାଳୁଣୀ ବେଶରେ ଆସି ସେମାନଙ୍କୁ ଶୂଳ ବିଦ୍ଧ କରି ନିପାତ କରିଥିଲେ । ସେତେବେଳେ ଦୈତ୍ୟ ଦ୍ବୟ ଦେବୀ ପାର୍ବତୀଙ୍କୁ ପ୍ରାର୍ଥନାକରିଥିଲେ ସେହି ଯାଗାର ନାମ କିର୍ତ୍ତୀ ଏବଂ ବାସ ରଖିବାକୁ, ଏଣୁ ଏ କ୍ଷେତ୍ରର ଅନ୍ୟ ନାମ କୃତ୍ତିବାସ କ୍ଷେତ୍ର ।

3. ଦିନେ ପାଣ୍ଡଵ ଭାଈମାନେ ଚନ୍ଦ୍ରଭାଗା କୂଳରେ ଭ୍ରମଣ କଲାବେଳେ ଲୋମ ଋଷିଙ୍କ ସହ ତାଙ୍କର ସାକ୍ଷାତହେଲା । ଋଷିଙ୍କୁ ଜ୍ୟେଷ୍ଠପାଣ୍ଡଵ ଯୁଧିଷ୍ଠିର ଏ ସ୍ଥାନର ମାହାତ୍ମ୍ୟ ବିଷୟରେ ପଚାରିବାରୁ ସେ କହିଲେ, “ଏଠାରେ କନୟ ନାମରେ ଏକ ରାଜା ରାଜୁତି କରୁଥିଲେ । ସବୁବେଳେ ଲାଗି ରହିଥିଵା ପ୍ରାକୃତିକ ବିପର୍ଯ୍ୟୟରୁ ରାଜା ପ୍ରଜାମାନଙ୍କୁ ରକ୍ଷା କରିନପାରି ନିଜ ପୁତ୍ରକୁ ରାଜ୍ୟଭାର ଅର୍ପଣ କରି ସେ ଏହିଠାରେ ପଞ୍ଚଦଶ ବର୍ଷ ସୂର୍ଯ୍ୟଙ୍କୁ ତପସ୍ୟା କଲେ । ରାଜାଙ୍କୁ ଅର୍କାସୁର ନାମରେ ଏକ ଅସୁର ଉତ୍ପାତ କରି ବହୁକଷ୍ଟ ଦେଲା । ଏଣୁ ରାଜା ଯାଇ ସୂର୍ଯ୍ୟଦେବଙ୍କ ଶରଣାଗତ ହେଲେ । ସୂର୍ଯ୍ୟଦେବ ଅର୍କାସୁରକୁ ମହୋଦଧିରେ ନିମଜ୍ଜିତ କରି ହତ୍ୟା କଲେ । ଶାରଳା ମହାଭାରତରେ ଉଲ୍ଲେଖ ଅଛି :-

ସୂର୍ଯ୍ୟଙ୍କୁ ଦେଖିଣ ରାଜା ଶତ ବାର ନମି ।
ସ୍ତବେକହେ ଦୈତ୍ୟହାତୁ ରକ୍ଷାକର ସ୍ବାମୀ ।
ଚଳି ଗଲେ ବାରିଧିର ଅଗ୍ନି କୋଣ ଆଡ଼େ
ଅର୍କ ଦୈତ୍ୟକୁ ଚାପିଲେ ମହୋଦଧି ଜଳେ ।

ରାଜା କଣୟ ଏବଂ ଅର୍କାସୁରର ସମ୍ମିଳିତ ନାମରୁ କୋଣାର୍କ ନାମ ଆସିଛି ।

4. ଶାମ୍ବପୁରାଣରେ ବର୍ଣ୍ଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ,ଏଠାରେ ଶାପ ଜନିତ କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ବାର ବର୍ଷ ତପସ୍ୟା କରିଥିଲେ । ତପସ୍ୟାରେ ଏକୋଇଶି ଦିନ ବ୍ୟାପି କଠିନ ସୂର୍ଯ୍ୟ ଉପାସନା ପରେ ମାଘ ଶୁକ୍ଳସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ପକାଇ ଏ ରୋଗରୁ ମୁକ୍ତ ହୋଇଥିଲେ ।

ନାରଦ କହିଲେ ଶାମ୍ବ ଚାଲ ଏହି କ୍ଷଣ
ଚନ୍ଦ୍ରଭାଗା କୁଳେ ସେବ ସୂର୍ଯ୍ୟନାରାୟଣ ।
ଭକ୍ତିଛଳେ ଅର୍କ ଦୈତ୍ୟ ମାରି ନିରଞ୍ଜନ
ରଖିଲେ ସେହି ତୀର୍ଥର କୋଣାରକ ନାମ ।।

ଶ୍ରୀକୃଷ୍ଣ ପୁତ୍ର ଶାମ୍ବ ପରିକ୍ଷୀତ ମହାରାଜଙ୍କ ସମ ସାମୟିକ ଥିଲେ ଓ ଏହି ସମୟ ପ୍ରାୟ ଖ୍ରୀଷ୍ଟପୂର୍ବ ଉନବିଂଶ ଶତାବ୍ଦୀ ହେବ । ଏଥିରୁ ଅନୁମାନ କରା ଯାଏ କୋଣାର୍କର ସୂର୍ଯ୍ୟ ପୂଜାର ପରମ୍ପରା ପ୍ରାୟ ଚାରି ହଜାର ବର୍ଷ ପୁରୁଣା ହୋଇପାରେ ବୋଲି । ବହୁ କାଳରୁ ପ୍ରଚଳିତ ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟରେ ଏହିଠାରେ ରାଜା ଲାଙ୍ଗୁଳା ନରସିଂହଦେବ ବାର ଶହ ବଢ଼େଇଙ୍କ ଦ୍ୱାରା ବାରବର୍ଷକାଳ ଲାଗି ସୂର୍ଯ୍ୟ ମନ୍ଦିର, କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲେ । ଏହାର ପ୍ରତିଷ୍ଠା ଦିବସ ଥିଲା ମାଘ ଶୁକ୍ଳ ସପ୍ତମୀ । କୋଣାର୍କ ନିର୍ମାଣ କିମ୍ବଦନ୍ତୀକୁ ଆମର ବରେଣ୍ୟ କବି ଉତ୍କଳ ମଣି ଗୋପବନ୍ଧୁ ଅମର କରି ଦେଇ ଯାଇଛନ୍ତି ତାଙ୍କର ‘ଧର୍ମପଦ’ କବିତା ମାଧ୍ୟମରେ । ଚନ୍ଦ୍ରଭାଗା କୂଳରେ କୋଣାର୍କ ନିର୍ମାଣ ସମୟରେ ସେଠାକୁ ପଥ ବହୁତ ଦୁର୍ଗମ ଥିଲା । ଧର୍ମପଦରେ ଗୋଟିଏ ଲୋକ କଥାକୁ ନେଇ ଗୋପବନ୍ଧୁ ମାଆ ମୁଖରେ ଧରମାକୁ କହିଛନ୍ତି :-
ଦେଖି ନାହିଁ ତୀର୍ଥ ଶୁଣିଛି କେବଳ
ସାତ ଥର ଯିବ ଗଙ୍ଗା ।
ଥରେ କେହି ଯେବେ ଯିବ ଚନ୍ଦ୍ରଭାଗା
ମୁହଁ ପଡ଼ି ଯିବ ରଙ୍ଗା ।।

କୋଣାର୍କ ସୂର୍ଯ୍ୟ ଉପାସନାର ଏକ ପ୍ରସିଦ୍ଧ ଏବଂ ଶ୍ରେଷ୍ଠ ସ୍ଥାନ । ଓଡ଼ିଆ ଧର୍ମ ଧାରଣା ଓ ବିଶ୍ୱାସକୁ ନେଇ ବୋଧହୁଏ ମହାରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ସ୍ଥାପନକରି ଥିଲେ । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ, ପୁରାଣ କାଳରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ମନ୍ଦିର ସ୍ଥାପନ କରିବା ସହ ଯମୁନା ନଦୀ କୂଳ କଳାପ୍ରିୟ ଓ ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ ମୁଲତାନର ଚେନାଵ ନଦୀ କୂଳରେ ମଧ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ସୁପ୍ରାଚୀନ ସୂର୍ଯ୍ୟ ପୂଜା ଏବଂ ଏହି ଅର୍କ ତୀର୍ଥର ପବିତ୍ରତାର ସ୍ମୃତି ବହନ କରେ ଆମ ଏହି ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ।

ମାଘ ସପ୍ତମୀରେ କୋଣାର୍କ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଆଗ କାଳରେ ଗୋଟିଏ ରଥରେ ବିରାଜମାନ କରି ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁ ଥିଲେ । କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଏହି ରଥରେ ବିରାଜିତ ହୋଇ ଚନ୍ଦ୍ରଭାଗା ଯାତ୍ରା କରୁଥିଲେ । ସୂର୍ଯ୍ୟ ଦେବତାଙ୍କର ଏହି ରଥଯାତ୍ରା ଅତ୍ୟନ୍ତ ବିରଳ ଓ ବ୍ରହ୍ମ ପୁରାଣରେ ଏହା ସୌର ଗୁଣ୍ଡିଚା ଭାବେ କଥିତହୋଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିରର ପତନ ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ନିଆ ଯାଇ ଶ୍ରୀମନ୍ଦିର ବେଢାରେ ସ୍ଥାପନ କରାଯାଇଛି । ଚନ୍ଦ୍ରଭାଗା ନଦୀଟି ପୋତି ହୋଇ କ୍ରମେ ଲୁପ୍ତ ହୋଇ ଯାଇଛି । ହେଲେ ସେଠାରେ ସେହି ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରି ମାଘ ସପ୍ତମୀ ବୁଡ ପାଳିତ ହୋଇଆସୁଛି ।

ଏହି ମାଘ ସପ୍ତମୀ ତିଥିରେ ଭୁବନେଶ୍ୱରସ୍ଥ ଖଣ୍ଡଗିରିଠାରେ ମଧ୍ୟ ନବଦିନ ବ୍ୟାପୀ ଏକ ଯଜ୍ଞ ଓ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ପୌରାଣିକ ତଥ୍ୟ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ, ମାଘ ସପ୍ତମୀ ଦିନ ଏଠାରେ ସ୍ଥିତ କପିଳମୁନିଙ୍କ ଆଶ୍ରମଠାରେ ଅବସ୍ଥାନ କରିଥିଲେ । କପିଳ ମୁନି ଶାମ୍ବଙ୍କୁ ଖଣ୍ଡ ଖିରୀ ଖାଇବାକୁ ଦେଇଥିଲେ । ଏହି ଖଣ୍ଡ ଖିରୀ ଉପାଖ୍ୟାନରୁ ଖଣ୍ଡଗିରି ନାମର ଉଦ୍ଭବ ହୋଇଛି ବୋଲି ଜନଶ୍ରୁତି କହେ । ଖଣ୍ଡ ଖିରୀ କାଳ କ୍ରମେ ଅପଭ୍ରଂଶ ହୋଇ ଖଣ୍ଡଗିରି ହୋଇଛି । ଏହି ମାଘ ସପ୍ତମୀ ଦିନ ଯାଜପୁର ପୂଣ୍ୟତୋୟା ବୈତରଣୀ ଦଶାଶ୍ୱମେଧ ଘାଟ ଠାରେ, ବେଦବ୍ୟାସ ଶଙ୍ଖ ଓ କୋଏଲ (ରାଉରକେଲା) ନଦୀ ସଙ୍ଗମ ସ୍ଥଳରେ ମଧ୍ୟ ବୁଡ ପଡ଼ି ଥାଏ । ମାଘ ସପ୍ତମୀ ଆମ ପୂର୍ବ ପରମ୍ପରା ଓ ଐତିହ୍ୟର ପ୍ରତୀକ । ମାଘସପ୍ତମୀ ଚନ୍ଦ୍ରଭାଗା ସ୍ନାନ,ମାର୍ତ୍ତଣ୍ଡ ଦେବଙ୍କ ପୂଜା ଅଶେଷ ପୁଣ୍ୟଦାୟୀ ଏଣୁ ମହାଭାରତରେ କୁହାଯାଇଛି :-

ସପ୍ତମୀରେ ସ୍ନାନ, ଦାନ, ଧର୍ମ ଯେହୁ କରେ
ତାହାସମ ପୁଣ୍ୟାତ୍ମା କେ ନାହିଁ ଏ ସଂସାରେ ।
କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି
ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି ।

ସୂର୍ଯ୍ୟ ସକଳଶକ୍ତିର ଆଧାର । ସୂର୍ଯ୍ୟଙ୍କ ବିନା ଏ ସୃଷ୍ଟି ଅସମ୍ଭବ, ଏଣୁ ପ୍ରତ୍ୟହ ସବୁ ଦେବାଳୟ ମାନଙ୍କରେ ପ୍ରଥମ ପୂଜା, ସୂର୍ଯ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରତ୍ୟହ ପୂଜା କରିବା ବିଧେୟ । ଏଥିପାଇଁ କୁହାଯାଇଛି :-

ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେଦିନେ
ନ ବ୍ୟାଧି ଶୋକ ଦାରିଦ୍ର୍ୟମ୍ ସୂର୍ଯ୍ୟଲୋକଂ ସ ଗଛତି ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights