ବାଣୀପୁତ୍ର ମହାକବି କାଳିଦାସ ===============
ପାଣ୍ଡିତ୍ୟ ଲାଭ ପରେ ଦିନେ ଗୃହକୁ ପ୍ରତ୍ୟାବର୍ତ୍ତନ କରି କାଳିଦାସ ଦେଖିଲେ ଘରର କବାଟଟି ବନ୍ଦ ଅଛି । କବାଟରେ ଦାସେ ମୃଦୁ ଆଘାତ ଦେଇ କହିଲେ, ‘ଅନାବୃତ କପାଟଂ ଦ୍ଵାରଂ ଦେହି’, ଅର୍ଥାତ ଏ ବନ୍ଦ କବାଟ ଉନ୍ମୁକ୍ତ କରି ମୋତେ ଗୃହକୁ ବାଟ ଦିଅ ।
ଏହା ଶୁଣି ପତ୍ନୀ ଦିବ୍ୟୋତ୍ତମା ଭିତରୁ ଉତ୍ତରରେ କହିଲେ, ‘ଅସ୍ତି କଶ୍ଚିତ୍ ବାକ୍ ବିଶେଶଃ ‘ । ଅର୍ଥାତ କଣ କିଛି କହିବାର ଅଛି ?ପତ୍ନୀଙ୍କ ଏଇତକ କଥା ଶୁଣି ସେ ଖୁବ ଆମୋଦିତ ହୋଇପଡ଼ିଲେ ।
ସେ ତ ସେତେବେଳକୁ ପଣ୍ଡିତ ହୋଇ ସାରି ଥିଲେ । ପତ୍ନୀ ଦିବ୍ୟୋତ୍ତମାଙ୍କର ଏହି କେତୋଟି ଶବ୍ଦକୁ ନେଇ ସେ କାବ୍ୟ ରଚନା ଆରମ୍ଭ କରିଦେଲେ ।
ଅସ୍ତି ଶବ୍ଦକୁ ନେଇ ସେ କୁମାର ସମ୍ଭବମ୍ ମହା କାବ୍ୟର ପ୍ରଥମ ପଦ ଲେଖିଲେ । କଶ୍ଚିତ୍ ଶବ୍ଦକୁନେଇ ରଚନା କଲେ ସେ ମହା କାବ୍ୟ ମେଘଦୂତମ୍ କାବ୍ୟର ପ୍ରଥମ ପଦ । ସେହି ପରି ସେ ବାକ୍ ଶବ୍ଦକୁ ପ୍ରୟୋଗ କରି ରଘୁବଂଶମ୍ ମହାକାବ୍ୟ ଆରମ୍ଭ କରିଥିଲେ ।
ଭାରତୀୟ ସଂସ୍କୃତ କାବ୍ୟ ସାହିତ୍ୟରେ ମହାକବି କାଳିଦାସଙ୍କ ନାମ ଚିର ଭାସ୍ୱର । ମା’ବାଗ୍ଦେବୀଙ୍କ କରୁଣା କଟାକ୍ଷରେ ମହା ମୁର୍ଖରୁ ସେ ମହା ପଣ୍ଡିତ ବୋଲାଇଥିଲେ । ମହାକବିଙ୍କ ଜୀବନୀ ସହ ବହୁ କିମ୍ବଦନ୍ତୀ ବିଜଡ଼ିତ ଅଛି । କିମ୍ବଦନ୍ତୀରୁ ଜଣାଯାଏ ସେ ଏକ ବିଦୁଷୀ ଲଳନାଙ୍କୁ ବିବାହ କରି ଭର୍ଚ୍ଛନା ପାଇ ତାଙ୍କରି ପ୍ରେରଣାରେ ହିଁ ମାଆ ବୀଣାପାଣିଙ୍କୁ ଆରାଧନା କରି ପାଣ୍ଡିତ୍ୟ ଲାଭ କରିଥିଲେ ।
ସଦାନନ୍ଦ ନାମା ଜଣେ ରାଜାଙ୍କର ବିଦୁଷୀ କନ୍ୟା ଦିବ୍ୟୋତ୍ତମା ପଣ ରଖିଥିଲେ ଯେ, ଯେଉଁ ବିଦ୍ୱାନ ତାଙ୍କୁ ବିଦ୍ୟାରେ ପରାସ୍ତ କରିବ, ସେ ତାଙ୍କୁ ବିବାହ କରିବେ । ବହୁ ପଣ୍ଡିତ ଆସି ଶାସ୍ତ୍ର ଚର୍ଚ୍ଚାରେ ତାଙ୍କ ପାଖରେ ପରାଜିତ ଓ ଲଜ୍ଜିତ ହୋଇ ଫେରିଯାଇ ଥିଲେ ।
ପଣ୍ଡିତମାନେ କ୍ଷୁବ୍ଧ ହୋଇ ସୁଯୋଗ ଉଣ୍ଡୁ ଥାନ୍ତି ରାଜ କନ୍ୟାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ । ପଣ୍ଡିତ ମାନେ ଥରେ ବାଟରେ ଯାଉଥିଲା ବେଳେ ଦେଖିଲେ, ଜଣେ ମେଷ ଚରାଉଥିବା ଯୁବକ ଏକ ଗଛ ଡାଳରେ ବସିଛି ଓ ଯେଉଁ ଡାଳରେ ବସିଛି ସେହି ଡାଳକୁ ମୂଳରୁ କୁରାଢ଼ିରେ ହାଣୁଛି ।
ତାଙ୍କୁ ଦେଖି ପଣ୍ଡିତମାନେ ଭାବିଲେ ଇଏ ଗୋଟିଏ ମହା ମୁର୍ଖ । ଏ ଯୁବକ ହେଉଛି ଆମର ଉପଯୁକ୍ତ ପାତ୍ର । ସେହି ମହା ମୂର୍ଖଟିକୁ ଆମେ କୌଶଳ କରି ନେଇ ରାଜ କୁମାରୀଙ୍କୁ ବିବାହ କରାଇ ଦେବୁ । ପାଖକୁ ଡାକି ସେମାନେ ତାକୁ କହିଲେ ତତେ ଆମେ ଏକ ସୁନ୍ଦରୀ ଯୁବତୀ ସହ ବିବାହ କରାଇ ଦେବୁ । କିନ୍ତୁ ମନେରଖ, ସେ ତୋତେ କିଛି ପ୍ରଶ୍ନ ପଚାରିବ, କିଛି ନକହି କେବଳ ଅଙ୍ଗୁଳି ନିର୍ଦ୍ଧେଶ କରି ତୁ ତାର ଉତ୍ତର ଦେବୁ ।
କାଳିଦାସ ପଣ୍ଡିତଙ୍କ କଥାରେ ରାଜି ହେବାରୁ ସେମାନେ ତାଙ୍କୁ ପଣ୍ଡିତ ବେଶ କରି ରାଜ ଦରବାରକୁ ନେଇଗଲେ । ତାଙ୍କୁ ରାଜ ଦରବାରରେ ହାଜର କରାଇ, ସେମାନେ ରାଜାଙ୍କୁ କହିଲେ, ଏହି ଯୁବକଟି ଜଣେ ବିଶିଷ୍ଟ ପଣ୍ଡିତ, ମୌନ ବ୍ରତ ଧାରଣ କରିଥିବାରୁ ସେ କଥା ବାର୍ତ୍ତା କରୁ ନାହାଁନ୍ତି । ଯୁବକ ରାଜକୁମାରୀଙ୍କ ପାଇଁ ଉପଯୁକ୍ତ ପାତ୍ର । ରାଜକୁମାରୀ ତାଙ୍କୁ ପ୍ରଶ୍ନ ପଚାରି ପାରନ୍ତି । ଅଙ୍ଗୁଳି ସଙ୍କେତରେ ସେ ଉତ୍ତର ଦେଇ ଦେବେ ।
ରାଜକୁମାରୀ ଏଥିରେ ରାଜି ହେଲେ । କାଳିଦାସେ ଯାଇ ତାଙ୍କ ସମ୍ମୁଖରେ ବସିଲେ । ରାଜ କୁମାରୀ କଥା ଅନୁସାରେ ଦାସଙ୍କୁ କେବଳ ସଙ୍କେତରେ ପ୍ରଶ୍ନ କଲେ । ରାଜ କୁମାରୀ ପ୍ରଥମେ କାଳି ଦାସଙ୍କୁ ଗୋଟିଏ ଆଙ୍ଗୁଠି ଦେଖାଇ ଜାଣିବାକୁ ଚାହୁଁ ଥିଲେ, ବ୍ରହ୍ମ ଏକ ନା ପଣ୍ଡିତଙ୍କ ମତରେ ଆଉ କିଛି ?
ମାତ୍ର ମହାମୂର୍ଖ, କାଳି ଦାସ ବୁଝିଲେ ବୋଧହୁଏ ସେ ତାଙ୍କ ଗୋଟିଏ ଅଙ୍ଗୁଠିରେ ମୋ ଆଖି ଗୋଟେ ଫୁଟାଇଦେବେ ବୋଲି କହୁଛନ୍ତି । ରାଗି ଯାଇ କାଳିଦାସ ରାଜକୁମାରୀଙ୍କ ଆଡ଼କୁ ଦୁଇଟି ଅଙ୍ଗୁଳି ଦେଖାଇଲେ । ଅର୍ଥାତ ମୁଁ ତୁମ ଦୁଇ ଆଖି ଫୁଟାଇଦେବି । କିନ୍ତୁ ରାଜ ଜେମା ବୁଝିଲେ, ପଣ୍ଡିତ ମହାଶୟ କହୁଛନ୍ତି ଆତ୍ମା ଏକ ନୁହଁ, ଏହା ଦୁଇ, ଜୀବତ୍ମା ଓ ପରମାତ୍ମା । ଦିବ୍ୟୋତ୍ତମା ମୂର୍ଖ କାଳିଦାସଙ୍କୁ ଜଣେ ବଡ଼ ପଣ୍ଡିତ ବୋଲି ସ୍ଥିରକରି ବିବାହ କଲେ ।
ଦିନକର କଥା, କାଳି ଦାସଙ୍କ ସହ ଦିବ୍ୟୋତ୍ତମା ଗୃହରେ ଥାଆନ୍ତି ବାହାରେ ଗୋଟିଏ ଓଟ ଚିତ୍କାର ଛାଡ଼ିଲା । ଦିବ୍ୟୋତ୍ତମା କାଳି ଦାସଙ୍କୁ ପ୍ରଶ୍ନକଲେ, ‘କଃ ଶବ୍ଦାୟତେ’, କାଳିଦାସ ‘ଉଷ୍ଟ୍ରଙ୍ଗ ଶବ୍ଦାୟତେ’ କହି ନପାରି କହିଦେଲେ, ‘ଉଟ୍ରହଃ ଶବ୍ଦାୟତେ’ । ପତ୍ନୀଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ । ସେ ବୁଝିଗଲେ ଯେ ଈର୍ଷାଳୁ ପଣ୍ଡିତମାନଙ୍କ ଚକ୍ରାନ୍ତରେ ସେ ଗୋଟିଏ ମହା ମୁର୍ଖକୁ ବିବାହ କରିଛନ୍ତି । ସେ କ୍ଷୁବ୍ଧ ହୋଇ କାଳି ଦାସଙ୍କୁ ଭର୍ଚ୍ଛନା କରି କହିଲେ, ତୁମେ ଯେ ପର୍ଯ୍ୟନ୍ତ ଜଣେ ପଣ୍ଡିତ ନ ହୋଇଛ ମୁଁ ତୁମକୁ ସ୍ବାମୀ ରୂପେ ସ୍ୱୀକାର କରି ପାରିବି ନାହିଁ ।
ପତ୍ନୀଙ୍କ ସେହି କଥାରେ ଅତୀବ ମ୍ରିୟମାଣ ହୋଇ କାଳିଦାସ ଗୃହ ତ୍ୟାଗ କଲେ । ମନରେ ତାଙ୍କର ଥାଏ ପ୍ରବଳ ଉତ୍କଣ୍ଠା କେମିତି ବିଦ୍ୟା ଅର୍ଜନ କରି ପଣ୍ଡିତ ହେବେ । ତେଣୁ ବିଦ୍ୟା ପ୍ରାପ୍ତି ପାଇଁ ମାଆ ସରସ୍ୱତୀଙ୍କ ଶରଣାଗତ ହୋଇ ଦାସେ ସାଧନା ଆରମ୍ଭ କରିଦେଲେ । କିଛି କାଳ ପରେ ମାଆଙ୍କ କୃପାରୁ ବହୁ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରି ଅସାଧାରଣ କବିତ୍ଵ ଲାଭ କଲେ ।
ପାଣ୍ଡିତ୍ୟ ଲାଭ ପରେ ଦିନେ ଗୃହକୁ ପ୍ରତ୍ୟାବର୍ତ୍ତନ କରି କାଳିଦାସ ଦେଖିଲେ ଘରର କବାଟଟି ବନ୍ଦ ଅଛି । କବାଟରେ ଦାସେ ମୃଦୁ ଆଘାତ ଦେଇ କହିଲେ, ‘ଅନାବୃତ କପାଟଂ ଦ୍ଵାରଂ ଦେହି’, ଅର୍ଥାତ ଏ ବନ୍ଦ କବାଟ ଉନ୍ମୁକ୍ତ କରି ମୋତେ ଗୃହକୁ ବାଟ ଦିଅ ।
ଏହା ଶୁଣି ପତ୍ନୀ ଦିବ୍ୟୋତ୍ତମା ଭିତରୁ ଉତ୍ତରରେ କହିଲେ, ‘ଅସ୍ତି କଶ୍ଚିତ୍ ବାକ୍ ବିଶେଶଃ ‘ । ଅର୍ଥାତ କଣ କିଛି କହିବାର ଅଛି ?ପତ୍ନୀଙ୍କ ଏଇତକ କଥା ଶୁଣି ସେ ଖୁବ ଆମୋଦିତ ହୋଇପଡ଼ିଲେ ।
ସେ ତ ସେତେବେଳକୁ ପଣ୍ଡିତ ହୋଇ ସାରି ଥିଲେ । ପତ୍ନୀ ଦିବ୍ୟୋତ୍ତମାଙ୍କର ଏହି କେତୋଟି ଶବ୍ଦକୁ ନେଇ ସେ କାବ୍ୟ ରଚନା ଆରମ୍ଭ କରିଦେଲେ ।
1- ଅସ୍ତି ଶବ୍ଦକୁ ନେଇ ସେ କୁମାର ସମ୍ଭବମ୍ ମହା କାବ୍ୟର ପ୍ରଥମ ପଦ ଲେଖିଲେ :-
ଅସ୍ତି ଉତ୍ତରସ୍ୟାଙ ଦିଶି ଦେଵାତ୍ମା
ହିମାଲୟୋ ନାମଃ ନଗାଧିରାଜଃ ।
ପୂର୍ବାପରୋୖ ତୋୟୋନିଧି ବଗାହ୍ୟ
ସ୍ଥିତଃ ପୃଥୀବ୍ୟା ଇବ ମାନଦଣ୍ଡହଃ ।।
2 – କଶ୍ଚିତ୍ ଶବ୍ଦକୁନେଇ ରଚନା କଲେ ସେ ମହା କାବ୍ୟ ମେଘଦୂତମ୍ କାବ୍ୟର ପ୍ରଥମ ପଦ :-
କଶ୍ଚିତ୍ କାନ୍ତା ବିରହଗୁରୁଣା ସ୍ବାଧିକ ରାତ୍ ପ୍ରମତଃ
ଶାପେନାସ୍ତଂ ଗମିତ ମହିମା ବର୍ଷ ଭୋଗ୍ୟେଣ ଉର୍ତ୍ତୃନ୍ତହଃ ।।
3 – ସେହି ପରି ସେ ବାକ୍ ଶବ୍ଦକୁ ପ୍ରୟୋଗ କରି ରଘୁବଂଶମ୍ ମହାକାବ୍ୟ ଆରମ୍ଭ କରିଥିଲେ ନିମ୍ନ ଶ୍ଳୋକରେ –
ବାଗାର୍ଥବିବ ସମ୍ପୃକ୍ତଔ ବାଗର୍ଥପ୍ରତିତ୍ତୟେ ଜଗତଃ
ପିତରୋୖ ବନ୍ଦେ ପାର୍ବତୀ ପରମେଶ୍ୱରୈ ।
ମହାକବି କାଳିଦାସ ଏହିପରି ବହୁ ପାଣ୍ଡିତ୍ୟ ପୂର୍ଣ୍ଣ କାବ୍ୟ ରଚନାକରି ବିଦୁଷୀ ଦିବ୍ୟୋତ୍ତମାଙ୍କ ପ୍ରୀୟ ଭାଜନ ହୋଇ ଥିଲେ ଓ ଦୁହେଁ ପତି ପତ୍ନୀ ରୂପେ କାଳ ଯାପନ କରିଥିଲେ ।
ଇତିହାସରୁ ଜଣା ଯାଏ କାଳିଦାସ ଉଜ୍ଜୟିନୀର ବିଦ୍ୱାନରାଜା ବିକ୍ରମାଦିତ୍ୟଙ୍କ ସଭାପଣ୍ଡିତ ଥିଲେ । ବିକ୍ରମାଦିତ୍ୟଙ୍କ ରାଜଦରବାର ମଣ୍ଡନ କରୁଥିଲେ ‘ନବରତ୍ନ’ ନାମରେ ପରିଚିତ ନଅ ଜଣ ବିଖ୍ୟାତ ବିଦ୍ୱାନ । ମହାକବି କାଳିଦାସ ଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ।
ଅନ୍ୟ ଆଠ ଜଣ ପଣ୍ଡିତଙ୍କ ନାମ ଅମରସିଂହ, ଧନ୍ଵନ୍ତରୀ, ଶଙ୍କୁ, କ୍ଷପଣକ, ଘଟ କର୍ପର, ବରାହ ମିହିର, ବରରୁଚି ଓ ବେତାଳଭଟ୍ଟ ।
କାଳିଦାସଙ୍କ ଜନ୍ମ ସମୟ ଓ ସ୍ଥାନ ନିର୍ଦ୍ଦିଷ୍ଟ ଭାବେ ନିରୂପଣ ହୋଇ ପାରିନାହିଁ । ଅନୁମାନ କରାଯାଏ ଯେ କାଳିଦାସ ଖ୍ରୀଷ୍ଟୀୟ ଚତୁର୍ଥ/ପଞ୍ଚମ ଶତାବ୍ଦୀ ମଧ୍ୟରେ ଜୀବିତ ଥିଲେ ।
ଅଲୌକିକ ପ୍ରତିଭାଧର ମହାକବି କାଳିଦାସଙ୍କ ସମ୍ବନ୍ଧରେ ଏହି ଭଳି ବହୁ କିମ୍ବଦନ୍ତୀ, କାହାଣୀ ଓ ଜନଶ୍ରୁତି ରହିଛି । ତାଙ୍କ କାବ୍ୟରେ ପଦଲାଳିତ୍ୟ, ଶବ୍ଦଚୟନ ଏବଂ ପ୍ରୟୋଗରେ କୌଶଳ, କାବ୍ୟିକ ଆବେଗ, ସାବଲୀଳତା ଇତ୍ୟାଦିକୁ ଲକ୍ଷ୍ୟ କଲେ ବିଦ୍ୱାନ ଗଣ କ୍ଷଣେ ସ୍ତମ୍ଭିଭୂତ ହୋଇଥାନ୍ତି । ସେ ଭାଷା ଓ ଶବ୍ଦର ଅପୂର୍ଵ ବିନ୍ଧାଣି । ତାଙ୍କର କାବ୍ୟ ମାନଙ୍କରେ ଉପମା ଅଳଙ୍କାରର ଅତି ଚମତ୍କାର ପ୍ରୟୋଗ ରହିଛି । ଏଣୁ କୁହାଯାଏ :-
ଉପମା କାଳିଦାସସ୍ୟ, ଭାରବେର୍ଥ ଗୌରବମ୍,
ଦଣ୍ଡିନଃ ପଦ ଲାଳିତ୍ୟମ୍, ମାଘେ ସନ୍ତି ତ୍ରୟୋ ଗୁଣାହଃ ।
କାଳିଦାସଙ୍କ କବିତ୍ୱର ପଟାନ୍ତର ନାହିଁ । ସେ ବାଣୀ ପୁତ୍ର, ମହାକବି, ବିଶ୍ୱ ବନ୍ଦିତ କବି । ଅସାଧାରଣ କବିତ୍ୱ ବଳରେ ସେ ବିଶ୍ୱର ବାଣୀ ଭଣ୍ଡାରକୁ ସମୃଦ୍ଧ କରି ଯାଇଛନ୍ତି ତାଙ୍କ ଅମର ଓ ଅମୁଲ୍ୟ ସାହିତ୍ୟ କୃତି ମେଘଦୂତମ୍, ରଘୁବଂଶମ୍, କୁମାର ସମ୍ଭବମ୍, ଋତୁ ସଂହାରଂ, ମାଳବିକାଗ୍ନିମିତ୍ରମ୍, ବିକ୍ରମୋର୍ବଶୀୟମ୍, ଅଭିଜ୍ଞାନ ଶାକୁନ୍ତଳମ୍ ଇତ୍ୟାଦି ମହାନ ଓ ମହାର୍ଘ ଗ୍ରନ୍ଥଦ୍ୱାରା । ସେ ଭାରତବର୍ଷର ପ୍ରାତଃ ସ୍ମରଣୀୟ ମହାକବି । ତାଙ୍କର ସାହିତ୍ୟ କୃତି ସବୁ ପୃଥିବୀର ବହୁ ଭାଷାରେ ଅନୁବାଦିତ ହୋଇଛି ।
ଜର୍ମାନୀର ବିଦ୍ୱାନ କବି Goethe କାଳିଦାସଙ୍କ ସମ୍ବଧରେ କହିଛନ୍ତି :-
“Here the poet seems to be in the height of his talent in representation of the natural order, of the finest mode of life, of the purest moral endeavor, of the most worthy sovereign, and of the most sober divine meditation; still he remains in such a manner the lord and master of his creation.”
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971