Katha Sarita
17th August 2024
ସଂଯୋଗ…..
ଜିନାତମାମ ଦର୍ଜୀ
=========================
ସେ ଆଜି ଆସିନଥିଲା । ଗତ କାଲି, ପହର୍ ଦିନ ବି ସେ ଅନୁପସ୍ଥିତ ଥିଲା ସ୍କୁଲରେ । ଅନେକ ଦିନ ବିତିଗଲା ଏମିତି । ହେଲେ ସେ ଆଉ ସ୍କୁଲ ଆସିଲାନି । ମୁଁ ତାକୁ ପ୍ରଥମେ ଖୋଜୁଥିଲି ତା ରଫ୍ ଖାତା ଟି ଫେରାଇବା ପାଇଁ । ମୁଁ ସେଦିନ ସାହିତ୍ୟ ସାର୍ ଡ଼ାକିଥିବା ସରଳାର୍ଥ ଲେଖି ପାରି ନଥିଲି । ସେଇଥିପାଇଁ ତା’ଠୁ ମାଗିଥିଲି ଖାତାଟା । ମୋ ଲେଖିବା ସ୍ପିଡ଼ଟା କମ । ତାର ଭଲ । ପାଠରେ ବି ତା ଅପେକ୍ଷା ଦୁର୍ବଳ । ସେଇଠି ଯାହା ଲେଖି ନ ପାରିଲେ ତାଠୁ ତାର ରଫ୍ ଖାତାଟା ମାଗିନିଏ । ସେ ପ୍ରଥମେ ସବୁକିଛି ରଫ୍ ଖାତାରେ ଲେଖେ ତାପରେ ନୋଟ ଖାତାରେ ।
ସେ ସ୍କୁଲରେ ଅନୁପସ୍ଥିତ ରହିବାର ସପ୍ତାହେ ପୂରିବା ପରେ ମୁଁ ଭାବିଥିଲି ତାଙ୍କ ଘରକୁ ଯାଇ ତା ଖାତାଟି ଫେରାଇ ଆସିବି l ହେଲେ ସାହସ ହେଲାନି, କି ଇଚ୍ଛା ବି ହେଲାନି ତାଙ୍କ ଘର ଆଡ଼େ ଯିବା ପାଇଁ l ଆଗରୁ ଦୁଇ ତିନି ଥର ଯାଇଥିଲି ପଢ଼ା ବୁଝିବା ପାଇଁ l ହେଲେ କେଜାଣି କାହିଁକି ତା ସହ ମତେ ଦେଖିଲେ ତା ବାପା ମା ଏକ ଅଜବ ପ୍ରକାର ଅନାନ୍ତି ; ଯେମିତି ମୁଁ ଆଫ୍ରିକାରୁ ଆସିଥିବା କୌଣସି ଜିରାଫ୍l ସେ ମଧ୍ୟ ତା ବାପା ମାଆ ଆଗରେ କଥା ହେବା ପାଇଁ ସଙ୍କୋଚ କରୁଥିବା ମୁଁ ଅନୁଭବ କରିଛି l ହେଲେ ସ୍କୁଲରେ ସେ ମୋ ପାଖରେ କେବେବି କଥା ହେବା ପାଇଁ ସଙ୍କୋଚ କରେନା, ବେଧଡ଼କ ଗପେ l ବେଳେବେଳେ ମତେ ମିଠା ମିଠା ଧମକ ବି ଦିଏ l
ମୁଁ ପ୍ରଥମେ ତାକୁ ଖାତା ଫେରାଇବା ପାଇଁ ଖୋଜୁଥିଲି l ପରେ ପରେ ତାକୁ ବି ଖୁବ ଖୋଜିଲି l
ଜାଣିବାକୁ ପାଇଲି ଶେଷରେ, ସେ ସ୍କୁଲ ଛାଡି ସାରିଛି l ଅନ୍ୟ ଗାଁକୁ ତାର ବାପାଙ୍କ ବଦଳି ହୋଇଛି l ମୋର ଅଜାଣତେ ଏକ ଦୀର୍ଘଶ୍ୱାସ ବାହାରି ଗଲା ମୋ ଭିତରୁ l ତାର ରଫ୍ ଖାତାଟି ସବୁଦିନ ପାଇଁ ମୋ ରୁମ୍ ରେ ଆସ୍ଥାନ ଜମାଇ ପଡି ରହିଲା, ଆଉ ସେ ମୋ ହୃଦୟରେl
ମଝିରେ ଥରେ ଅଧେ ଖୋଲିଥିଲି ତାର ସେଇ ରଫ୍ ଖାତାକୁ l ପ୍ରଥମ ପୃଷ୍ଠାରେ ଅଙ୍କା ଥାଏ ୪୫° ର ଅଙ୍କନ l ମୋ ଆଖିରେ ଦିଶିଗଲା ସେ ମତେ ଅନାଉଥିବା ୪୫° ଚାହାଣୀ l ଆଗକୁ ପଲଟିଲି; ଭୂଗୋଳର ଅଂଶୁପା ହ୍ରଦ ଥିଲା ନୋଟରେ l ମୋ ଭିତରୁ କେହି ଜଣେ କହିଲା ଏ ହ୍ରଦ ଗୁଡିକ ତାର ହସକୁ ବାନ୍ଧି ରଖୁଥିବା ଡିମ୍ପଲ ଭଳି ହୋଇଥିବ ନିହାତି l ତା ପରେ ପରେ ଗଣିତ l ହଁ ଏ ଜଟିଳ ଓ ଅବୁଝା ଗଣିତ ପରି ତ ସବୁବେଳେ ତାର ମୁହଁର ଭାବ କିଛି ଠଉରେଇ ହୁଏନା l ତାର ଆଖି ଗୁଡିକ ପ୍ରଶ୍ନବାଚକ ଚିହ୍ନ ପରି ପ୍ରଶ୍ନିଳ l ଚାହାଣୀ ବିସ୍ମୟ ଚିହ୍ନ ପରି ବିସ୍ମୟପୂର୍ଣ୍ଣ l ଇତିହାସର ପ୍ରସିଦ୍ଧ ଚରିତ୍ର ପରି ଭୁଲି ହଉ ନଥିବା ତା ଓଠ l ବିଜ୍ଞାନର ସମୀକରଣ ସମତୁଲ କରିପାରିବି ମୁଁ; ହେଲେ ତାର କଥା ନିରଳସ ସାହିତ୍ୟିକ କବିତା କୁ? ତା ପ୍ରତି ମୋର ଆକର୍ଷଣର ନା ମୁଁ ବୈଜ୍ଞାନିକ କାରଣ ଦର୍ଶାଇ ପାରୁଥିଲି ନା ଭୌଗୋଳିକ କାରଣ ନା ସରଳାର୍ଥ କରି ବୁଝେଇ ପାରୁଥିଲି l ଆଗକୁ ପୃଷ୍ଠା ଓଲଟାଇବାର ସାହସ ହେଲାନି; ବନ୍ଦ କରିଦେଲି l
——————–
ପନ୍ଦର ବର୍ଷ ପରେ…..
ମୁଁ ଏବେ କଟକରେ ରହୁଛି ରେଣ୍ଟ ଘର ନେଇ l ବ୍ୟାଙ୍କ କ୍ଲର୍କ ପୋଷ୍ଟରେ ଛଅ ମାସ ହେଲାଣି l ଗାଁକୁ ଏ ଭିତରେ ଆଉ ଯାଇ ପାରିନି l ସବୁକିଛି ଗାଁ’ରେ ରହିଲା, ହେଲେ କେଉଁ ଏକ ଅଜଣା ଲୋଭ ଏଠିକୁ ଆସିଲା ବେଳେ ବି ବାଧ୍ୟ କରିଥିଲା ସେ ନବମ ଶ୍ରେଣୀର ମୁକ୍ତି ମିଶ୍ରର ରଫ୍ ଖାତାଟିକୁ ଆଣିବାକୁ l ମୁଁ ଯଉଠି ବି ରୁହେ, ତାର ରଫ୍ ଖାତା ବିନା ମୋ ରୁମ୍ ଅଧୁରା l
ମୁଁ ଗାଁକୁ ଯାଇ ପାରୁନି ବୋଲି ପରିବାରର ଅଭାବବୋଧ ମତେ ଘାରୁଥିଲା l ମୁଁ ଭଲ ଭାବେ ଜାଣେ ଅନ୍ୟମାନେ ଆସି ମୋ ସହ ରହିପାରିବେନି ନିଜର କାମ ଦାମ ଛାଡି l ସେଇଥିପାଇଁ ରଥକୁ ବଡ଼ ଭାଇର ପୁଅ ଟୁଟୁକୁ କିଛି ଦିନ ପାଇଁ ମୋ ପାଖରେ ଛାଡି ଯିବାକୁ କହିଥିଲି ଭାଇକୁ l ଭାଇ ନିରାଶ କଲାନି l
ଆଜି ରଥ ଯାତ୍ରା ଥିଲା l ବାହାରେ ଖୁବ ବର୍ଷା ହଉଥାଏ l ଏ ପାଗକୁ ଗରମ ଚା’ କପେ ନିହାତି ଆବଶ୍ୟକ l ମୁଁ ହାଲକା ଗୀତ ଗୁଣୁ ଗୁଣେଇ ଚା’ ତିଆରୁ ଥାଏ l ମୁଁ ଅନୁଭବ କଲି ଧୀରେ ଧୀରେ କାହା ପାଦର ପାଉଁଜି ଶବ୍ଦ ମୋର ନିକଟତର ହଉଥାଏ l ମୁଁ ସେତେ ସିରିୟସ ହେଲିନି l କିଛି ସମୟ ପରେ ଶବ୍ଦ ନିରବ ହେଲା, ମୋ କାନ୍ଧ ଉପରେ କାହା କୋମଳ ହାତର ପରଷ l ଭିତରୁ ଶିହରିଗଲି l ପଲଟି ଦେଖିଲି l ଆଖିକୁ ବିଶ୍ୱାସ ହଉ ନଥାଏ l ସାମ୍ନାରେ ଯେଉଁ ନାରୀ ମୂର୍ତ୍ତିଟି ଆବିର୍ଭୂତ ଥିଲେ ସେ ହିଁ ସେଇ ରଫ୍ ଖାତାର ନାକ-ନକ୍ସା ରଖିଥିବା ଝିଅଟି l ମୋର ଚିହ୍ନିବାକୁ ଟିକେ ବି ଭୁଲ ହେଲାନି l କିଛି ବୋଲି କିଛି ବି ବଦଳିନି ତାର ମୁହଁର ଗଢ଼ଣ l ଜାମୁ କୋଳିଆ ରଙ୍ଗ ସାଲୁଆର୍ ସୁଟ ଭିତରେ ଅପୂର୍ବ ପରୀଟିଏ l ‘ମୁକ୍ତି..’ ବୋଲି ଉଚ୍ଚାରଣ କରୁ କରୁ ମୁଁ ଖନେଇ ଗଲି l ତା ହାତରେ ଓଦା କାଗଜ ଡ଼ଙ୍ଗାଟିଏ l
ମୋ ମନରେ ଅନେକ ଜିଜ୍ଞାସା l ସେ ଏଠି କେମିତି? ମୁଁ ଏଠି ରହୁଛି ବୋଲି ସେ ଜାଣିଲା କେମିତି?? ଏମିତି ଅନେକ ପ୍ରଶ୍ନ l ସେ କିନ୍ତୁ ଆଉ ନିଜକୁ ରୋକି ପାରିଲାନି। ମତେ ଗଭୀର ଆଲିଙ୍ଗନରେ ଜାବୁଡି ଧରିଲା l ମୋର ସବୁ ଜିଜ୍ଞାସାର ଉତ୍ତର ବି ସିଏ ସେମିତି ଆଲିଙ୍ଗନରେ ମୋ ଛାତି ଉପରେ ମୁଣ୍ଡ ଆଉଜେଇ କରି ହିଁ ଦେଲା, –
“ମୁଁ ୱେବ ଡିଜାଇନର୍ ଭାବେ ଏଇଠି ହିଁ କାମ କରୁଛି l ମୁଁ ଓ ମୋ କଲିଗ୍ କାଲି ହିଁ ଏଇ ସାମ୍ନା ଘରକୁ ସିଫ୍ଟ କରିଛୁ l ତୁମେ ଏଠି ରୁହ ବୋଲି ମତେ ଜଣା ନଥିଲା l ତୁମ ଘର ସାମ୍ନାରେ ଛୋଟ ପୁଅଟେ ଗୋଟେ ଡ଼ଙ୍ଗା ଭସାଇବାର ଦେଖିଲି ଯେଉଟା ବର୍ଷା ଧାରରେ ଭାସି ଆସି ଆମ ଦୁଆରେ ଲାଗିଲା l ମୁଁ ଏମିତି ଖିଆଲି ଭାବେ ସେ ଡ଼ଙ୍ଗାକୁ ଉଠାଇ ନେଲି l ଦେଖିଲା ପରେ ମୁଁ ଠିକ ଜାଣି ପାରିଲି ସେଇଟା ମୋର ନବମ ଶ୍ରେଣୀ ରଫ୍ ଖାତାର ଶେଷ ପୃଷ୍ଠା। ମୁଁ ସେଥିରେ ମୋ ନାଁ ଆଉ ତୁମ ନାଁକୁ ପ୍ଲସ ମାରି ଲେଖିଥିଲି l ମୋ ହ୍ୟାଣ୍ଡ ରାଇଟିଂ ଆଉ ଆମର ସେଇ ପ୍ଲସ ମରା ନାଁରୁ ମୁଁ ଠିକ ଚିହ୍ନିନେଲି l ସେଇଥିପାଇଁ ତୁମେ ହିଁ ଏଇଠି ରହୁଛ ଜାଣିପାରି ଭିତରକୁ ଆସିଲି । ସେ ଏଥର ମୋ ଛାତିରୁ ଉଠିଯାଇ ମତେ ସେ ଡ଼ଙ୍ଗା ତିଆରି ହୋଇଥିବା କାଗଜଟି ଦେଖାଇବାରେ ଲାଗିଲା l
ମୁଁ ବି କେତେ ବୋକା, କେବେ ସେ ରଫ୍ ଖାତାର ଶେଷ ପୃଷ୍ଠା ଦେଖି ନଥିଲି ଆଜି ଯାଏଁ l ଶେଷ ଯାଏଁ ଯିବାର ତ ମୋର କେବେ ସାହସ ହିଁ ହେଇ ନଥିଲା, ସବୁ ଥର ଅଧାରୁ ବନ୍ଦ କରିଦିଏ l
ମୋର ଆଗରୁ ସଂଯୋଗ ଉପରେ ବିଶ୍ୱାସ ନଥିଲା କିନ୍ତୁ ସେଦିନ ଭାଇ ପୁଅର କେତେବେଳେ ମୋ ଅଜାଣତରେ ସେ ରଫ୍ ଖାତା ନେବା ଓ ସେଇ ଶେଷ ପୃଷ୍ଠାରେ ଡ଼ଙ୍ଗା ତିଆରି କରି ଭସାଇବା ଆଉ ମୁକ୍ତିର ସେଇଠି ରହିବା ଏବଂ ଡ଼ଙ୍ଗାଟି ତା ଘର ବାରଣ୍ଡାରେ ଲାଗିବା ସବୁକିଛି ସଂଯୋଗ ହିଁ ଥିଲା l ସେଇ ଦିନୁ ମୁଁ ବିଶ୍ୱାସ କରେ ଯେ ଅନେକ ସଂଯୋଗ ଜୀବନର କାହାଣୀରେ ନୂଆ ମୋଡ଼ ଆଣିଦିଏ l
ମୁଁ ପୁଣିଥରେ ତାକୁ ଗଭୀର ଆଲିଙ୍ଗନରେ ଜାବୁଡି ଧରିଲି l ଚା’ ଉତୁରି ତଳେ ପଡୁଥିଲା l ବୋଧେ ଆମ କାହାଣୀରେ ଆଗକୁ ଆହୁରି ଅନେକ କିଛି ହେବାର ଥିଲା l
*************************
– ଜିନାତମାମ ଦର୍ଜୀ,
ବରଗଡ