2024 ନୀର୍ବାଚନ କିଏ ଜିତିବ ?

Share it

    ଜୀବର କୌଣସି ନା କୌଣସି ଅଭାବ ବୋଧ ନରହିଲେ ଜୀବନ ଗତିଶୀଳ ହୁଏନି କି ସମାଜ ବୋଲି କୌଣସି ସଂରଚନାର ଅସ୍ତିତ୍ୱ ରହେନି ।

କଂଗ୍ରେସ କରିଥିବା ବିରାଡି ବୈଷ୍ଣବ ପାପର ଫଳ ଭୋଗୁଛି :

କଂଗ୍ରେସର ଶୀର୍ଷ ନେତୃତ୍ୱ ବହୁକାଳ ବିରାଡି ବୈଷ୍ଣବ ସାଜି ଭାରତୀୟ ଲୋକଙ୍କୁ ଅଗୁଆଁର ବୋକା ଜ୍ଞାନକରି ଓ ନିଜକୁ ସୁପର ଚାଲାକ୍ ଭାବି ମୁହଁରେ କେବଳ ନିଜକୁ ଧର୍ମନିରପେକ୍ଷ ବୋଲି କହି ସବୁ କାର୍ଯ୍ୟକ୍ରମରେ ଭାରତର ଲୋକମାନଙ୍କୁ ସଂଖ୍ୟାନ୍ୟୁନ ଓ ସଂଖ୍ୟା ଗରିଷ୍ଠ ଏପରି ଦୁଇ ଭାଗରେ ସ୍ପଷ୍ଟ ବିଭକ୍ତ କରି ରଖିଲା,

ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ଇତ୍ୟାଦି ସର୍ବେ ଯେ ଭାରତର ଲୋକ ଓ ସମସ୍ତେ କେବଳ ଭାରତୀୟ ଏ ଧାରାର ମୁଳଦୁଆରେ, ଗୋଟେ ଛଦ୍ମ ଭଦ୍ରଲୋକ ମୁଖା ପିନ୍ଧି ନିରନ୍ତର ଗୁପ୍ତ ଛୁରିକାଘାତ କରି ଚାଲିଲା ।

ଯାହା ଭାରତୀୟ ଜନ ସମୁଦାୟକୁ ହିନ୍ଦୁ ମୁସଲମାନ ଏପରି ଦୁଇ ଭାଗ କରି ରଖିଲା, ସଂଖ୍ୟା ଗରିଷ୍ଠ ହିନ୍ଦୁମାନଙ୍କୁ ଏହା ଏକ ମାନସିକ ନିର୍ଯାତନା ବୋଧ ହେଉଥିଲେ ହେଁ ଗରୀବିର ତାଡନା ଏ ନିର୍ଯାତିତ ଅନ୍ତସ୍ୱରକୁ କ୍ଷୀଣ ଅପ୍ରକଟ ଅପ୍ରଭାବି କରି ରଖିଥିଲା ।

ଯେତେବେଳେ ଭାରତୀୟ ଲୋକଙ୍କର ପେଟର ଭୋକ ମେଣ୍ଟିଯିବା ଅବସ୍ଥାରେ ଭାରତୀୟ ଅର୍ଥନୀତି ଉପସ୍ଥିତ ହୋଇଗଲା ସଂଖ୍ୟା ଗରିଷ୍ଠ ସମୁଦାୟର ସ୍ୱାଭିମାନ ଭୋକ ବା ଅଭାବ ବୋଧ ପ୍ରବଳତର ହେଲା, ଏହା ଏକ ସ୍ୱାଭାବିକ୍ କ୍ରିୟା ।

ଜୀବର କୌଣସି ନା କୌଣସି ଅଭାବ ବୋଧ ନରହିଲେ ଜୀବନ ଗତିଶୀଳ ହୁଏନି କି ସମାଜ ବୋଲି କୌଣସି ସଂରଚନାର ଅସ୍ତିତ୍ୱ ରହେନି ।

ଏ ସ୍ୱାଭିମାନ ଅଭାବବୋଧ ତଥା ଗୋଟେ ସାମାଜିକ ସମରସତାର ଅଭାବବୋଧ ପ୍ରତିକ୍ରିୟା, ଏକପାଖିଆ ବିଚାର ସର୍ବସ୍ୱ ଅନ୍ଧ ହାତୀ ଦେଖା ଭାରତୀୟ କମୁନିଜିମ ଢାଞ୍ଚାର ଛାତି ଉପରେ ଚଢି ମୋଦୀ ଅମାରରେ ଭୋଟ ରୁପରେ କୁଢେଇ ହୋଇ ପଡୁଛି,

ଏଥିରେ ମୋଦୀଙ୍କର ଦୁର୍ବଳ ବ୍ୟକ୍ତିତ୍ୱ ବିଷୟକ ବିଚାର ଲୋକମନସ୍ତତ୍ତ୍ବ ଅପରିପକ୍ୱ ରାଜନୈତିକ ପୋଥିବାଇଗଣମାନଙ୍କୁ ବିସ୍ମିତ କରିବ ହିଁ, ଯଦିଓ ଏହା ଅତି ସାଦା କଥା ଟେ ଓ ଏଥିରେ କିଛି ବିଶେଷ ବିସ୍ମୟକାରୀ ତତ୍ତ୍ୱ ହିଁ ନାହିଁ ।

ସବଳ ଗୁଣ ଓ ଦୁର୍ବଳ ଗୁଣ :

ଭାରତୀୟ ସଂଖ୍ୟା ଗରିଷ୍ଠ ସବଳ ପୂର୍ଣ୍ଣ ସନ୍ତୁଷ୍ଟ ହୋଇଯିବ ଯେତେବେଳେ ସେ ଅନୁଭବ କରିବ ଯେ ବାସ୍ତବରେ ହୃଦୟରୁ ଭାରତର ବିବିଧ ସଂସ୍କୃତି ବିବିଧ ଚଳଣି ବିବିଧ ବିବିଧ ପରମ୍ପରା, ତଥା କଥିତ ବିବିଧ ଧର୍ମ ବିଶ୍ୱାସର ଲୋକ, ସବୁ ବିଭିନ୍ନତା ଉପରେ “ଆମେ ଭାରତୀୟ” – ଏହି ସମରସତାର ଭାବକୁ ନିଜର ଅନ୍ତକରଣରେ ଗୋଟେ ସ୍ୱଚ୍ଛମନରେ ପ୍ରଥମ ପ୍ରାଥମିକତା ଦେଉଛି ।

ସବୁ ଭାରତବାସୀଙ୍କ ମନରେ ଏହି ଭାବନାଟି ସ୍ବତଃପ୍ରବୃତ୍ତ ଅନାବିଳଭାବରେ ଫୁଟି ଉଠି ପ୍ରତିଟି ଭାରତୀୟ ହୃଦୟରେ ଏଇ ସମରସ ଭାବଟି ପ୍ରତିଷ୍ଠିତ ହୋଇଯାଉ- ଭାରତୀୟ ସଂଖ୍ୟା ଗରିଷ୍ଠ ସମୁଦାୟ କେବଳ ଏତିକି କାମନା କରେ, ଏବଂ ଏତିକି ପ୍ରାପ୍ତିରେ ସେ ପୂର୍ଣ୍ଣ ସନ୍ତୁଷ୍ଟ ହୋଇଯିବ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ହିଁ ନାହିଁ ।

ଏ ହେଲା ସବଳ ସମୁଦାୟର ଗୁଣ ଆଶା ଓ ଅଭାବବୋଧ ।

ଦୁର୍ବଳ ବା ସଂଖ୍ୟାନ୍ୟୁନର ଗୁଣ ଭିନ୍ନ । ଅହେତୁକ କାରଣ ବଶତଃ ସେ ନିଜକୁ ସଦା ସର୍ବଦା ଗୋଟେ ଭୟାଳୁ ଭୁମିକାରେ ପ୍ରତିଷ୍ଠିତ କରେଇଦେଉଥିବା ହେତୁ ସେ ସମରସତା ସଂସ୍କୃତିର ସ୍ଥାୟିତ୍ୱକୁ ବିଶ୍ୱାସ କରିବା ସ୍ଥିତିରେ ରହି ନପାରି ସଦା ସର୍ବଦା ଏକରକମ ଗୋଟେ ସମର ବିଜୟୀ ଆକାଙ୍କ୍ଷା ପୋଷଣ କରିବ ।

କ୍ଷମତାବଳ ଓ ବିଜୟୀ ହେବା ହିଁ ତା ପାଇଁ ଏକମାତ୍ର ସୁଦୃଢ ସୁରକ୍ଷା ବଙ୍କର ବୋଲି ସେ ସଦା ବିଚାର କରିବ, ସବୁ ଭୟାଳୁ ଓ ଦୁର୍ବଳ ମାନଙ୍କର ଏହା ଗୋଟେ ଦୁର୍ବାର ଆକାଙ୍କ୍ଷା ହିଁ ହୋଇଥାଏ ।

ଦୁର୍ବଳର ଏହି ମନସ୍ତତ୍ତ୍ୱର ଫାଇଦା ନିଅନ୍ତି ସୁବିଧାବାଦୀ ଅମଣିଷମାନେ । ଏହି କାରଣୁ ବିବେକବାନ ମଣିଷମାନେ ସେପରି ଅମଣିଷପଣିଆ ତତ୍ତ୍ୱମାନଙ୍କୁ କୁତ୍ସିତ କଦାକାର ମାନସିକତାର ବ୍ୟକ୍ତିତ୍ୱ ଭାବେ ତଉଲି ଘୃଣିତ ଇତର ବିବେଚନା କରନ୍ତି, ସ୍ୱାଭାବିକ୍ ଭାବରେ ।

ଏଇ ମଣିଷପଣିଆ ମପା ତରାଜୁଟିର ବ୍ୟବହାର ଅବ୍ୟବହାରର ଫଳ ସ୍ୱରୂପ ହୁଏତ ମୋଦୀ ଶାହା ବି ନାନାଦି ବିଶେଷ ବିଶେଷ ବିଶେଷଣର ହିତାଧିକାରୀ ହୁଅନ୍ତି, ନ ହେବେ ବା କିପରି, ହେବା ତ ଏକ ସାଧାରଣ କ୍ରିୟା ଅଟେ, ଏପରିକି ଏହା ଏକ ବାଞ୍ଛିତ କ୍ରିୟା ହିଁ ଅଟେ ବୋଲି କୁହାଗଲେ ଅତି ଉକ୍ତି ମଧ୍ୟ ହେବ ନାହିଁ ।

ହଁ, ଭାରତୀୟ ଭୁଖଣ୍ଡରେ ଭାରତୀୟ ଜନମାନସରେ ଏପରି ଏକ ସମରସତା ଭାବ ପ୍ରତିଷ୍ଠିତ ହେବା ଏକାନ୍ତ ଜରୁରୀ ଏବଂ ଏପରି ଘଟିବ ତ ନିଶ୍ଚୟ, ହେଲେ କେଉଁ ଧାରାରେ ନଉକା ବାହିଲେ ସେ ବାଞ୍ଛିତ କୂଳରେ ପହଞ୍ଚି ହେବ ଦୟାକରି କୁହନ୍ତୁ ତ –

1. କମୁନିଷ୍ଟ ଧାରାରେ
2. ମୋଦୀ ଧାରାରେ ନା
3. ବାସ୍ତବ ଧାରାରେ ???

ଏ ତୃତୀୟ ଶ୍ରେଣୀୟ ନେତୃତ୍ୱ ଜନ୍ମ ହେଲେଣି ନା ହେବାକୁ ଆହୁରି ବାକି ଅଛି ?

ଏଇ ଅଳପ କଥାକୁ ଜ୍ଞାନୀଗୁଣିଜନେ ଗୋଟେ ବଡ ବ୍ଲାକବୋର୍ଡରେ ବିଭିନ୍ନ ଦିଗ ବିଦିଗ କୋଣ ଅନୁକୋଣରୁ ମିଶେଇ ଫେଡି ହରି ଗୁଣି ହିସାବ କିତାବ କରି ଏବେ ନିଶ୍ଚୟ କରନ୍ତୁ 2024 ନୀର୍ବାଚନ କିଏ ଜିତିବା ଉଚିତ ଏବଂ କିଏ ଜିତିବ ।

***** ****** ******

ଆପଣମାନେ ସିଲଟ ଖଡି କାଗଜ କଲମ ଧରି ହିସାବ କିତାବ କରୁଥାଆନ୍ତୁ, ମୁଁ ଯାଉଛି ଶୋଇବି, ନିଦ ଲାଗିଲାଣି। ଏମିତିରେ ମୁଁ ଆଜି କାଲି 9 ଟା ବାଜିଲେ ଶୋଇପଡୁଥିଲି, ଏବେ ରାତି ସାଢେ 11 ଟା ବାଜିଲାଣି, ଆଜି ତୁଚ୍ଛାଟାରେ ଝଡ଼େଇ ହେଇ ଏ ଆଲତୁ ଫାଲତୁ କଥା କାହିଁକି ଲେଖୁଥିଲି କେଜାଣି !

ଲକ୍ଷ୍ମୀଧର ନାୟକ

FB post : 22.02.2023


Share it

Join the Conversation

1 Comment

  1. ଭାଇ
    ସମରସତା କେବଳ ଏକାତ୍ମତା ରୁ ସମ୍ଭବ। ଏହା କେବଳ ଭାରତୀୟ ଦର୍ଶନ ମାଧ୍ଯମ ରେ ରହିଛି।
    ଆତ୍ମବତ୍ ସର୍ବ ଭୁତେଷୁ…

Leave a comment

Your email address will not be published. Required fields are marked *

Verified by MonsterInsights