ପୂଜାଷ୍ପଦ ହେଲା ଗୋଷ୍ପଦ ପୁଷ୍କର

Share it

==================

ଭଗବାନ୍ ବିଷ୍ଣୁଙ୍କ ବରାହ ଅବତାର ବେଳର କଥା । ନିଜ ବଡ଼ପଣକୁ ନେଇ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଭଗବାନ ବରାହଙ୍କ ମଧ୍ୟରେ କନ୍ଦଳ ଲାଗିଲା । ଏହି କଳହର ବିଚାରପାଇଁ ଉଭୟେ ଭଗବାନ୍ ଶଙ୍କରଙ୍କୁ ମଧ୍ୟସ୍ଥି ରଖିଲେ ।

ବିଚାରରେ ଶଙ୍କର ଗୋଟିଏ ସର୍ତ୍ତ ରଖି କହିଲେ, ମୋ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିଏ ଯାଇ ଆଗ ଫେରିଆସିବ ତାକୁହିଁ ମୁଁ ସବୁଠାରୁ ବଡ଼ ବୋଲି ମାନିବି । ଦୁହେଁ ଏଥି ନିମନ୍ତେ ଚେଷ୍ଟାକଲେ । ଭଗବାନ ବରାହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନ ଯାଇ ପାରି ଅଧ ବାଟରୁ ଫେରିଆସି ଶିବଙ୍କୁ କହିଲେ, ହେ ଦେବ ଦେବ ମହାଦେବ ! ଆପଣଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ମଧ୍ୟ ସମର୍ଥ ନୁହଁନ୍ତି । ଆପଣ ଅସୀମ ।

ବ୍ରହ୍ମା ବରାହ ଭଗବାନ ଯାଇଥିବା ବାଟର କିଛିବାଟ ମାତ୍ର ଆଗକୁ ଯାଇଛନ୍ତି ବାଟରେ ତାଙ୍କର କେତକୀ ଫୁଲ ସହ ଭେଟ ହେଲା । ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇ ଥିଲେ ବୋଲି, ସେ କେତକୀ ଫୁଲକୁ ମିଥ୍ୟା ସାକ୍ଷ ଦେବା ନିମନ୍ତେ ଅନୁରୋଧ କରି ଫେରି ଆସିଲେ ଓ ଆସି ଶିବଙ୍କୁ କହିଲେ, ହେ ଦେବେଶ ! ଆପଣଙ୍କ ମସ୍ତକ ପର୍ଯ୍ୟନ୍ତ ମୁଁ ଯାଇଥିଲି ଓ ଆପଣଙ୍କ ମସ୍ତକରୁ କେତକୀ ପୁଷ୍ପ ଖସି ପଡୁଥିବାର ଦେଖିଛି । ଏହା ଆପଣ କେତକୀ ଫୁଲକୁ ପଚାରି ପାରନ୍ତି ।

କେତକୀ ମହାଦେବଙ୍କୁ ସେହିପରି କହିଲା । ଶଙ୍କର କିନ୍ତୁ ଏହା ମିଥ୍ୟାବୋଲି ଜାଣି ପାରିଲେ । କ୍ରୋଧରେ ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି ଅଭିଶାପ ଦେଲେ ” ଏ ମିଥ୍ୟାଚରଣ ପାଇଁ ତୁମେ ସଂସାରରେ ସର୍ବଦା ଅପୂଜ୍ୟ ରହିବ । ତୁମର କେହିହେଲେ ପୂଜା କରିବ ନାହିଁ” ।

ପୁଣି ସେ କେତକୀକୁ ଅଭିଶାପ ଦେଲେ ତୁ କେବେ ହେଲେ ମୋ ପୂଜାରେ ଲାଗି ପାରିବୁ ନାହିଁ । ବ୍ୟଥିତହୋଇ କେତକୀ ଶିବଙ୍କୁ ଅନୁରୋଧ କଲାରୁ ସେ କେତକୀ ଫୁଲକୁ ବରଦେଲେ, ‘ମୋ ଅଭିଶାପ ନିଷ୍ଫଳ ଯିବନାହିଁ, କିନ୍ତୁ ତୋର ପ୍ରାର୍ଥନା ଅନୁଯାୟୀ ସ୍ୱୀକାର କରୁଛି, ଶିବରାତ୍ରି ଗୋଟିଏ ଦିନ ତୁ ମୋର ଶିର ମଣ୍ଡନ କରିବୁ” ।

ଭଗବାନ୍ ଶିବଙ୍କ ଠାରୁ ଅଭିଶପ୍ତ ହୋଇ ବେଦପତି ବ୍ରହ୍ମା ଯୁଗଯୁଗ ପାଇଁ ଅପୂଜ୍ୟରହିଲେ । ସେଥିପାଇଁ ତାଙ୍କର କେଉଁଠି ହେଲେ ପୂଜାହେବା ଦେଖା ଯାଏ ନାହିଁ କି କୁତ୍ରାପି ତାଙ୍କର ମନ୍ଦିର ଥିବା ପ୍ରାୟତଃ ଦେଖା ଯାଏ ନାହିଁ ।

କିନ୍ତୁ ରାଜସ୍ଥାନର ଆଜମିର ଠାରୁ ମାତ୍ର ୧୪ କି ମି ଦୂରରେ ଥିବା ପୁଷ୍କର ତୀର୍ଥରେ ରହିଛି ବ୍ରହ୍ମାଙ୍କର ଏକ ମନ୍ଦିର । ଆରାବଳୀ ପର୍ବତମାଳାର ନାଗ ପର୍ବତ ଉପରେ ରହିଛି ଏହି ମନ୍ଦିର ଓ ପବିତ୍ର ପୁଷ୍କର ହ୍ରଦ, ଯାହା ଭଗବାନ୍ ବ୍ରହ୍ମାଙ୍କ ନିବାସ ସ୍ଥଳୀ ଭାବେ ପରିଗଣିତ ହୋଇଥାଏ ।

ପୁଷ୍କର ହିନ୍ଦୁମାନଙ୍କ ପାଇଁ ଏକ ପରମ ପାବନ ତୀର୍ଥକ୍ଷେତ୍ର । ସ୍ନାନ ତର୍ପଣ ପାଇଁ ଏଠାରେ ପୁଣ୍ୟ କାର୍ତ୍ତିକ ମାସରେ ବହୁ ଧର୍ମାର୍ଥି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାନ୍ୟତା ରହିଛି, ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନ୍ତତଃ ଥରେ ହେଲେ ପୁଷ୍କରଯାତ୍ରା କରିବାଉଚିତ୍ । ପୁଷ୍କର ତୀର୍ଥର ମହତ୍ତ୍ଵ ପ୍ରୟାଗ, ବନାରସ ତୁଲ୍ୟ । କୁହାଯାଏ ପୁଷ୍କର ତୀର୍ଥ ଦର୍ଶନ ବିନା ଚତୁର୍ଦ୍ଧାମ ଯାତ୍ରା ଅପୂର୍ଣ୍ଣ ରହେ ।

ପୌରାଣିକ କାହାଣୀରୁ ଜ୍ଞାତହୁଏ ଏକଦା ବେଦପତି ବ୍ରହ୍ମା ଗୋଟିଏ ବୃହତ୍ ଯଜ୍ଞ କରିବା ପାଇଁ ଚାହିଁଲେ । ଯଜ୍ଞର ଶୁଭ ମୂହୁର୍ତ୍ତ ସ୍ଥିର ହୋଇ ଅୟୋଜନ ଆରମ୍ଭ ହେଲା । ଯଜ୍ଞ ବିଷୟରେ ବ୍ରହ୍ମା, ପତ୍ନୀ ସରସ୍ଵତୀଙ୍କୁ କହିଲେ । ସରସ୍ଵତୀ ଉପଯୁକ୍ତ ସମୟରେ ଉପସ୍ଥିତ ରହି ପାରିବେ ନାହିଁ କହି, ବ୍ରହ୍ମାଙ୍କୁ ଅପେକ୍ଷା କରିବା ପାଇଁ କହିଲେ ।

ଶୁଭମୁହୂର୍ତ୍ତ ତ ସ୍ଥିର ହୋଇସାରିଛି । ଏଣୁ ବ୍ରହ୍ମା ଅନନ୍ୟୋପାୟ ହୋଇ ତାଙ୍କର ଦ୍ୱିତୀୟା ପତ୍ନୀ ଗାୟତ୍ରୀଙ୍କୁ ଘେନି ଯଜ୍ଞ ସମାପ୍ତ କରିନେଲେ । ସରସ୍ୱତୀ ଏହାଜାଣି ଅତ୍ୟନ୍ତ କୁପିତାହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ, ଜାଣିଶୁଣି ତୁମେ ମୋତେ ଅବଜ୍ଞା କଲ, ତୁମକୁ ଆଜିଠାରୁ ଆଉ କେହି ପୂଜା କରିବେ ନାହିଁ ।

ସରସ୍ୱତୀଙ୍କୁ ଅନ୍ୟ ଦେଵତା ମାନେ ପ୍ରାର୍ଥନା କରିବାରୁ ସେ କହିଲେ, ବ୍ରହ୍ମା କେବଳ ପୁଷ୍କର ତୀର୍ଥ ଠାରେ ପୂଜା ପାଇବେ । ଅନ୍ୟ କେଉଁଠି ତାଙ୍କ ପୁଜା ହେବନାହିଁ । ବ୍ରହ୍ମା ଚାଲିଲେ ପୁଷ୍କର । ଏଥିରୁ ଉତ୍ପତ୍ତି ହେଲା ପୁଷ୍କର ତୀର୍ଥ ।

ପଦ୍ମ ପୁରାଣର ବର୍ଣ୍ଣନା ଅନୁସାରେ, ବେଦପତି ବ୍ରହ୍ମା ଯେତେବେଳେ ଯଜ୍ଞ ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନ ଖୋଜି ବୁଲୁ ଥିଲେ, ସେତେବେଳେ, ତାଙ୍କ ହାତରୁ ବ୍ରହ୍ମ କମଳର କେତୋଟି ପାଖୁଡ଼ା ପୃଥିବୀ ଉପରେ ଖସିପଡ଼ିଲା । ସେ ପାଖୁଡ଼ାରୁ ତିନିବୁନ୍ଦ ଜଳ ନିର୍ଗତ ହୋଇ ତିନୋଟି ଯାଗାରେ ପଡ଼ିଲା । ପୁଷ୍କର ଠାରେ ପଡ଼ିଥିବା ବୁନ୍ଦାରୁ ସୃଷ୍ଟି ହେଲା ପୁଷ୍କର ସରୋବର । ଏହି ପୁଷ୍କର ସରୋବର ତୀରରେ ସ୍ଥାପିତ ହୋଇଛି ଚତୁର୍ମୁଖ ବ୍ରହ୍ମାଙ୍କ ଭବ୍ୟ ମନ୍ଦିର ଓ ପାର୍ଶ୍ଵରେ ରହିଛି ମା’ ଗାୟତ୍ରୀଙ୍କ ଏକ କ୍ଷୁଦ୍ର ମନ୍ଦିର ।

କୁହାଯାଏ ରମଣୀୟ ପୁଷ୍କର ସରୋବର ସୃଷ୍ଟି ଆଦ୍ୟ କାଳରୁ ରହିଛି । ପୁଷ୍କର ତୀର୍ଥର ବର୍ଣ୍ଣନା ମହାକାବ୍ୟ ରାମାୟଣ ଓ ମହଭାରତରେ ମଧ୍ୟ ଦେଖିବାକୁ ମିଳି ଥାଏ । ଚତୁର୍ଥ ଶତାବ୍ଦୀରେ ଭାରତ ଭ୍ରମଣରେ ଆସି ଥିବା ଚୀନ ପରିବ୍ରାଜକ, ଫାହିୟାନ, ତାଙ୍କ ଭ୍ରମଣ ବୃତ୍ତାନ୍ତରେ ପୁଷ୍କର ତୀର୍ଥ କଥା ଉଲ୍ଲେଖ କରିଛନ୍ତି । ଏହା ପୁଷ୍କର ତୀର୍ଥର ପ୍ରାଚୀନତାକୁ ପ୍ରମାଣ କରେ । ସୁନ୍ଦର ପୁଷ୍କର ସରୋବରରେ ଶ୍ରଦ୍ଧାଳୁଙ୍କ ସ୍ନାନପାଇଁ ରହିଛି ବାଉନଟି ଘାଟ । ଏଠାରେ ଶ୍ରାଦ୍ଧ କର୍ମ ପାଇଁ ସୁନିୟନ୍ତ୍ରିତ ବ୍ୟବସ୍ଥା ରହିଛି ।

ଏଠାରେ କାର୍ତ୍ତିକମାସରେ ହେଉଥିବା ପୁଷ୍କର ମେଳା ବିଶ୍ୱରେ ଏକ ବୃହତ ମେଳାର ଖ୍ୟାତି ଲାଭ କରିଛି । ମେଳାର ବିଶେଷ ଆକର୍ଷଣ ହେଉଛି ଓଟ ବଜାର ।

ଏହି ମେଳା କାର୍ତ୍ତିକ ଶୁକ୍ଲ ଅଷ୍ଟମୀରୁ ଆରମ୍ଭ ହୋଇ ପୁର୍ଣିମା ଦିନ ଉଦଯାପିତ ହୋଇଥାଏ । ଏହି ମେଳା ପାଇଁ ଭାରତର ନନା ସ୍ଥାନରୁ ଯାତ୍ରୀ ଓ ସାଧୁମାନେ ଆସି ଏଠାରେ ରୁଣ୍ଡ ହୁଅନ୍ତି ଓ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ନିଜକୁ ଧନ୍ୟ ମଣନ୍ତି । ପୁଷ୍କର ତୀର୍ଥରେ ସ୍ନାନ ପରମ ମୋକ୍ଷଦାୟକ ବୋଲି ବିଶ୍ୱାସ ରହିଛି । ତେଣୁ ବର୍ଷ ସାରା ଏଠାକୁ ଧର୍ମାର୍ଥୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

କ୍ଷୁଦ୍ର ଅଥଚ ପ୍ରସିଦ୍ଧ ପୁଷ୍କର ତୀର୍ଥକୁ ଆମ ରମଣୀୟ ଅଂଶୁପା ହ୍ରଦ ସହିତ ତୁଳନା କରି, ଦିନେ କବିବର ରାଧାନାଥ ରାୟ ମା’ ସରସ୍ଵତୀଙ୍କୁ ସମ୍ବୋଧନ କରି କହିଥିଲେ :-

ସୁରୂପା ଅଂଶୁପା ଲୋକେ ଆଗୋଚର !
ପୂଜାସ୍ପଦ ହେଲା, ଗୋଷ୍ପଦ ପୁଷ୍କର ।।
ତୋର କୃପା ବଳେ କ୍ଷୁଦ୍ର ମହୀୟାନ
ତୋ କୃପା ବିହୁନେ ବଡ଼ ହୁଏ ସାନ ।।

ଓଁ ନମଃ ବିଶ୍ୱସୃଜ୍ୟେ ତୁଭ୍ୟଂ
ସତ୍ୟାୟ ପରମାତ୍ମନେ l
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights