ହେ ମୋର ଆଦ୍ଯ ଶିକ୍ଷା ଗୁରୁ ଲୋକନାଥ

Share it

ଆଜି ଶିକ୍ଷକ ଦିବସ । ସମସ୍ତେ କିଛି କିଛି ଲେଖୁଛନ୍ତି । ମୁଁ କଣ ଲେଖିବି ଯେ !

ପ୍ରଥମେ ମୋ ବାପା ମୋତେ ମୁଣ୍ଡୁଳା, ଅ ଆ ଇତ୍ଯାଦି ପଢେଇ ଦେଇଥିଲେ । ତା ପରେ ମୁଁ ଆମ ଗାଆଁରେ ଥିବା ଗୋଟେ ମଠ ଚାଟଶାଳୀରେ ଅଳପ କେଇଦିନ ପଢିଥିଲି, ଜଣେ ମହାରାଜ ( ବାବାଜୀ ) ଓ ମାତାଜୀ ସେ ଚାଟଶାଳୀ ଚଲୋଉଥିଲେ। ( ସେ ମଠ ଏବେ ନାହିଁ, ସେ ମଠ ଘର ଏବେ ବଟୁଆ ଦାଦାଙ୍କ ଘର )।

ପ୍ରଥମଦିନ ଆମ୍ଭ ବୁଢୀ ମା ମାଳତୀ ସାହାଣୀ ଆମ୍ଭଙ୍କୁ କାଖେଇକି ନେଲେ, ମଠ ଚାଟଶାଳୀର ଦକ୍ଷିଣ ପଟର ଉଚ୍ଚା ପିଣ୍ଢାରେ ପୂର୍ବ କଣକୁ ଗୋଟେ ଆସନ ପକେଇଲେ , ସେ ପିଣ୍ଢାରେ ଆଗରୁ ବସି ପାଠ ପଢୁଥିବା ପିତାମ୍ବର ସ୍ବାଇଁ ଟିକେ ଘୁଞ୍ଚି ଯାଇ ସେଠାରେ ମୋ ବୋଉ ଶୋଭାରାଣୀ ପ୍ରଧାନଙ୍କ ହାତବୁଣା ସୁନ୍ଦର ରଙ୍ଗୀନ ଫୁଲପକା ଆସନଟିକୁ ସଜାଡିକି ପକାଇଦେବା ବ୍ଯବସ୍ଥା କରିଦେଲେ , ବୁଢୀ ମାଆଙ୍କ ହାତରୁ ସିଲଟ ଖଡି ଥିବା ଝୋଟରେ ତିଆରୀ ନାଲି ନେଳି ଓ ଝୋଟ ରଙ୍ଗ ମିଶାମିଶି ସୁନ୍ଦର ବ୍ଯାଗ ଟା ନେଇ ଯତ୍ନରେ ରଖିଦେଲେ,

ମା ଆମ୍ଭଙ୍କୁ ସେହି ଆସନ ଉପରେ ଦକ୍ଷିଣ ମୁହାଁ କରି ବସାଇଦେଲେ, ମୋତେ ଗୋଟେ ବହୁତ ଖୁସି ଲାଗୁଥାଏ, ଯେମିତି ଦକ୍ଷିଣ ମୂରତୀ ହୋଇ ଯଦୁପତି ଦୋଳମଣ୍ଡପରେ ଉଭା ଗୋ … ସେ ପ୍ରଥମ ଦିନ କଥା ମୋର ସ୍ପଷ୍ଟ ମନେ ଅଛି ।

ଆମେ ସକାଳୁ ବଡି ଭୋର୍ ରୁ ଚାଟଶାଳୀକୁ ଯାଉ, ପ୍ରଥମେ ସବୁ ପିଲା ଧାଡି ହୋଇକି ବସନ୍ତି, ପ୍ରଫୁଲ୍ଲ ନାୟକ ( ଫକୀର ) ବଡ ଚାଟ ଥିଲେ । ସେ ସମସ୍ତଙ୍କୁ ଗୋଟେ ଲେଖା ଦାନ୍ତକାଠି ଦିଅନ୍ତି , କେମିତି ଚୋବେଇକି ନରମ ରୁଆ କରିବ, ତାପରେ କେମିତି ଧିରେ ଧିରେ ଦାନ୍ତ ଘଷିବ, ତା ପରେ କେମିତି ସେ ଦାନ୍ତକାଠିକୁ ଦାନ୍ତରେ ଫାଳକରି ପାତିଆକୁ ପାତିଆ ଘଷି ତାର ଅଂଶା ମାରିବ , ତାପରେ କେମିତି ଜିଭ ଛେଲିବ, ସବୁ ବୁଲିବୁଲି ବତେଇ ଦିଅନ୍ତି, ଜିଭ ଛେଲା ସରିବା ପରେ ପାଣି ନୋଟା ଦିଅନ୍ତି ମୁହଁ ଧୋଇବାକୁ ଓ ସେ ଜିଭଛେଲାକୁ ଧୋଇ ଗୋଟେ ନିର୍ଦ୍ଧିଷ୍ଟ ଜାଗାରେ ପକାଇବାକୁ କୁହନ୍ତି।

ତାପରେ ପ୍ରାର୍ଥନା ବୋଲାଯାଏ, ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର… ଇତ୍ଯାଦି।

ତାପରେ ମାତାଜୀ ମା ଆମକୁ ତାଙ୍କ ନଈକୂଳ ବାଡିରୁ ତୋଳି ରଖିଥିବା ପିଜୁଳି , ଖଇ, ମୁଆଁ, ମୁଢୀ ଏମିତି କେତେବେଳେ କଣ କଣ ସବୁ ଖାଇବାକୁ ଦିଅନ୍ତି।

ତାପରେ ସେ ଡେଙ୍ଗା ଧଳା ଲମ୍ବା ଦାଢୀବାଲା କଠୋଉ ପିନ୍ଧା ମହାରାଜ ପିଲାଙ୍କୁ କାହାକୁ ଅ ଆ, କାହାକୁ ଏକ ଦୁଇ କାହାକୁ ପଣକିଆ, ମିଶାଣ ଫେଡାଣ, କାହାକୁ ବର୍ଣ୍ଣବୋଧ ଏମିତି କଣ କଣ ସବୁ ପଢାନ୍ତି। ଘୋ ଘୋ ଗର୍ଜୁଥାଏ ଚାଟଶାଳୀ।

ମୁଁ ସେଠାରେ ଛ ମାସେ ଖଣ୍ଡ ପଢିଥିଲେ ପଢିଥିବି, ମୋର ଯାହା ଝାପସା ମନେ ପଡୁଚି।

ତା ପରେ ମୋ ଜାଣିବାରେ ଯାହା ପାଠ ଶାଠ ଘରେ ବାପା ପଢେଇ ଦେଇଥିଲେ । ପାଠ କଣ କେତେବେଳେ କେମିତି ସଞ୍ଜବେଳେ ଜଡାତେଲ ଦୀପ ଲଗେଇ, ଡିବିରି ଲଣ୍ଠନ ଲଗେଇ ଘରେ ପଢା ହେଲେ ହେଲା ନହେଲେ ନାହିଁ, ଖେଳାଖେଳି ଖାଇବା ବୁଲିବା ନଈରେ ସିଙ୍ଗିବୁଡା ମାରି ଗାଧେଇବା, ଜାମୁକୋଳି ଗଛ ଚଢିବା, ଶଗଡ ଗାଡିର ଖତ ବୋଝେଇ ଓଦରରେ ବସି ବାପା ବଡବାପାଙ୍କ ସାଙ୍ଗରେ ବିଲକୁ ଖତ ନେଇକି ଯିବା, ବଳଦଗାଡି ଦଣ୍ଡାରେ ବସି ବଳଦ ଅଡେଇବା ମଜା କଥା କି ବର୍ଣ୍ଣିବା ସେଇ କଥାକୁ, ସେ ତ ଅମୃତ ଭାବ, ଗୋଟେ ଦିବ୍ୟାନନ୍ଦର ଅନୁଭବ, ଛାଡ ହୋ, କି ଅଡି କାର୍ ତା ପାଖରେ, ଆଜିକା ଅଡି ଚଢିବାଠୁ ଆହୁରି ମଜାଦାର ଲାଗେ ସେ ଶଗଡ ଚଢା , ସୁନ୍ଦର ଗହୀର, କୁଳ, ପାଳ, ଭଅଁରପଦା। ଏଇ ଖେଳିବା ବୁଲିବା ଥିଲା ଆମର ମୁଖ୍ଯ ପାଠ ପଢା । ବ ଇ ସିଲଟ ପାଠ କାଁ ଭାଁ।

ସ୍କୁଲ କଥା :
ବାପା ମୋତେ କେବେ ଥରେ କୁଶବଟ ନି. ପ୍ରା. ସ୍କୁଲକୁ ନେଇକି ଗଲେ , ନାମ ଲେଖାଇବାକୁ।
ସେଠାରେ ତୃତୀୟ ପର୍ଯ୍ୟନ୍ତ ତିନିଟା ଶ୍ରେଣୀ ଥିଲା ଜଣେ ଶିକ୍ଷକ ଥିଲେ, ତାଙ୍କ ନାଁ ଲୋକନାଥ ସାର୍। ଲୋକନାଥ ମହାନ୍ତି, ଘର ନାଉଖିଆ।

ବାପା ପଚାରିଲେ ନଛ କୁ କୋଉ କ୍ଲାସରେ ନାଆଁ ଲେଖାଇଲେ ଠିକ୍ ହେବ ? ମୋ ନାଁ ଲକ୍ଷ୍ମଣ ଥିଲା , ମୋ ବଡବାପାଙ୍କ ପୁଅ ବଡ ଭାଇଙ୍କ ନାଆଁ ରାମ । ଯୌଥ ପରିବାର ହେତୁ ମୋ ନାଆଁ ଲକ୍ଷ୍ମଣ ହୋଇଥିଲା । ବାପା ସର୍ଟକଟରେ ଡାକନ୍ତି ନଛ ।

ଲୋକନାଥ ସାର୍ ମୋର ପାଠ ଶାଠ ମାପି ବାପାଙ୍କୁ କହିଲେ ତାର ସିଧା ଚତୁର୍ଥରେ ନାଆଁ ଲେଖେଇଦେଲେ ଚଳିବ, ହେଲେ ଏଠି ତ ତୃତୀୟ ପର୍ଯ୍ୟନ୍ତ ଅଛି, ଚତୁର୍ଥ ତ ଯାଇ ଯଁ ପଡାରେ, ପିଲା ଲୋକ ପାଣି କାଦୁଅରେ ଜୋର ପାରି ହେଇ ଯିବା କଷ୍ଟ, ସିଏ ଏଇଠି ଏବର୍ଷ ତୃତୀୟରେ ପଢୁ । ସେତେବେଳେ ଲୋକନାଥ ସାର୍ ଙ୍କ ପଢା ବି ସେଇ ତୃତୀୟ ପର୍ଯ୍ୟନ୍ତ ଥିଲା ବୋଲି କଥାଟା ଶୁଣିଲା ପରିକା ଲାଗୁଚି ।

ସେ ଯାହା ହେଉ ମୋର ଏକାଥରକେ ନାଆଁ ଲେଖା ହୋଇଥିଲା ତୃତୀୟ ଶ୍ରେଣୀରେ , ଆମ ଗାଁ ପାଖ କୁଶବଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ, ଛାତ୍ର ବତ୍ସଳ ବହୁତ ବହୁତ ବହୁତ ସ୍ନେହୀ ପିତୃପ୍ରତିମ ଲୋକନାଥ ସାର୍ ଙ୍କ ପାଖରେ । ଲୋକନାଥ ସାର୍ ମୋ ନାଆଁ କୁ ବଦଳେଇ ସେଦିନ ଲକ୍ଷ୍ମଣ ନାୟକ ରୁ ଲକ୍ଷ୍ମୀଧର ନାୟକ ଲେଖିଦେଲେ ,

ବାପାଙ୍କୁ କହିଲେ – ପରମାନନ୍ଦ, କାହିଁକି କେଜାଣି, ବାବୁର ନାଆଁ ଟା ଲକ୍ଷ୍ମୀଧର ରଖିବାକୁ ମୋର ଭାରି ଗୋଟେ ଇଚ୍ଛା ହେଉଛି, ତୁମେ ଯଦି କହିବ ଲକ୍ଷ୍ମଣ ନଲେଖି ଲକ୍ଷ୍ମୀଧର ଲେଖିବି ।

ବାପା କହିଲେ, ଆପଣ ହେଲେ ତାର ଗୁରୁ । ଗୁରୁପ୍ରଦତ୍ତ ନାମ ହିଁ ଜଗତେ ସାର । ମୁଁ କାହିଁକି ମନା କରିବି ? ଆପଣଙ୍କ ପ୍ରଦତ୍ତ ନାମ ଲକ୍ଷ୍ମୀଧର ହିଁ ଆଜିଠାରୁ ତାର ପରିଚୟ ହେଉ ।

ସେହି ଦିନଠୁ ମୋ ନାଁ ଲକ୍ଷ୍ମୀଧର ହେଲା ।
ମୋର ପ୍ରଥମ ସ୍କୁଲ ସାଙ୍ଗ ବୋଇଲେ ଲାବଣ୍ୟବତୀ, ଶଶୀରେଖା, ଶଶୀକଳା, ଜ୍ଯୋତ୍ସ୍ନା, ରେଣୁକା, ରତନା ପଣ୍ଡା, ହୃଷିଆ ମାମୁଁ ଇତ୍ଯାଦି ।

ଲୋକନାଥ ସାର୍ ପ୍ରବଳ ଗୁଣ୍ଡି ଖାଆନ୍ତି, ଗୁଣ୍ଡି ସରିଗଲେ ଆମେ ଦୋକାନକୁ ଯାଇ ସାର୍ ଙ୍କ ପାଇଁ ଗୁଣ୍ଡି ଆଣୁ । ସାର୍ ଗୋଟେ ଝରକା ପାଖକୁ ଚେୟାର ଟେବୁଲ ପକେଇ ବସି ଥାଆନ୍ତି , ସେ ଝରକାରେ କାଠ କଡି ଲାଗିଥାଏ, ସେଇ ଝରକାବାଟେ ପଦାକୁ ଗୁଣ୍ଡିମିଶା ଛାପ ପକେଇବାକୁ ସାର୍ ଙ୍କୁ ସୁବିଧା ହୁଏ, ଦଶ ପନ୍ଦର ଦିନ ଭିତରେ ସେ କାଠ କଡିଗୁଡା ଗୁଣ୍ଡି ଛାପ ଲାଗି ଲାଗି ମୋଟା ହୋଇଯାଏ, କାଳେ ବାହାର ଲୋକ ସ୍କୁଲକୁ ଆସିଲେ ଆମ ସାର୍ ଙ୍କୁ ଖରାପ ଭାବିବେ , ସେଥିପାଇଁ ପ୍ରତି ଦଶ ପନ୍ଦର ଦିନରେ ଥରେ ଆମେ ପିଲାମାନେ ଶୁଖିଲା ବାଉଁଶ ପାତିଆରେ ସେ ଝରକା କଡିଗୁଡିକୁ ରାମ୍ପି ସଫା କରିଦେଉ ।

ଟେବୁଲ ଉପରେ ସାର୍ ଙ୍କ ସାର୍ଟ, ଦୁଇ ଗୋଡ ଓ ବେତ ପାଖାପାଖି ଯୋଡି ହୋଇ ଅବସ୍ଥାନ କରନ୍ତି। ବେତ ଖାଲି ଥୁଆ ହେଇଥାଏ, କେବେ କାମରେ ଲାଗିବା କଥା ମୋର ସ୍ମରଣକୁ ଆସୁନି, କେବେ କାମରେ ଲାଗେନି ମଧ୍ଯ।

ଗଣେଶପୂଜା ସରସ୍ବତୀ ପୂଜା ହେଲେ ଆମେ ସବୁ ପିଲା ମିଶି ନିଜ ହାତରେ ସଜାସଜି କରୁ, ପୁଜା ପରଦିନ ଗୋଟେ ବଡ ପିତ୍ତଳ ଥାଳିରେ ସେ ଦଶ ପଇସିକିଆ ସୁନ୍ଦର ମୃଣ୍ମୟ ରଙ୍ଗଯୁକ୍ତ ଟିକି ଗଣେଶ ଅଥବା ସରସ୍ବତୀଙ୍କ ମାଟି ମୂର୍ତ୍ତୀକୁ ରଖି ଗାଁ ବୁଲି ସାର୍ ଙ୍କ ପାଇଁ ଦକ୍ଷିଣା ଭିକ୍ଷା କରୁ, ସାର୍ ଆମକୁ ଶିଖେଇ ଦେଇଥିବା ଗୀତ ଗାଇ ଗାଇ –
ବନ୍ଦଇ ହରି,
ଦେବ ମୁରାରୀ ,
ଲକ୍ଷ୍ମୀ ଦେବୀଙ୍କର କାନ୍ତ …

ଆଜି ଭଳି ଗୋଟ ସୁନ୍ଦର ଦିନରେ କାହିଁକି କେଜାଣି ଆପଣ ମନେ ପଡିଗଲେ ହେ ମୋର ଆଦ୍ଯ ଶିକ୍ଷା ଗୁରୁ ଲୋକନାଥ
ସାଦରେ ଘେନ ପ୍ରଣିପାତ
ନମେ ପରମାନନ୍ଦ ସୁତ

ଲକ୍ଷ୍ମୀଧର ନାୟକ
05 .09.2024

( ଫଟୋ : ସ୍ବର୍ଗତଃ ଲୋକନାଥ ସାର୍ ଙ୍କ ଫଟୋ ଓ ମୋ ସ୍କୁଲରେ ସେ ପ୍ରଥମ ଦିନର ଫଟୋ ମୋ ମନରେ ଅଛି, ମୋ ମୋବାଇଲରେ ନାହିଁ । ଏଇ ଫଟୋଟା ମୋର ଯେ, ହେଲେ ମୋର ସେତେବେଳକୁ ବାହାଘର ସରି ମୋର ପୁଅକୁ ସାତ ମାସ ହୋଇଥିଲା, ମୋ ପୁଅ ସହ ଖେଳୁଥିବା ସମୟର ଫଟୋ, ମୋତେ ଯେତେବେଳକୁ 34 ବର୍ଷ ହୋଇଥିଲା । ସମସ୍ତେ ତାଙ୍କ ସାର୍ ମାନଙ୍କର ତାଙ୍କ ପିଲାବେଳର ଫଟୋ ଦେଉଛନ୍ତି ଯେ , ହେଲେ ମୁଁ କଣ କରିବି, ଏବେ ମୋ ମୋବାଇଲରେ ତ ସେମିତିକା ଫଟୋ ନାହିଁ, ବହୁତ ଖୋଜିଲିଣି, ଯାହା ଗୋଟେ ମିଳିଲା ଦେଇ ଦେଇଛି, ଯଥା ତଥା ଚଳେଇନେବେ, ଆଉ କଣ କରିବା )


Share it

Leave a comment

Your email address will not be published. Required fields are marked *

Verified by MonsterInsights