ହେ ବିଧାତା !

Share it

25th July 2024

କୁହାଯାଏ ସରଗ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।

ମୁଁ କହୁଛି
ଯେଉଁ ଘରେ ଖେଳୁଥାଏ ଆନନ୍ଦ ଭଉଁରୀ
ସରଗ ତ ଛାର, କେଉଁ ବଇକୁଣ୍ଠେ ଥାଏ ଏତେ ସୁଖଶିରୀ !

ମୋ ମାଡାମ ତ ମୋତେ କୃଷ୍ଣ ସମ ପ୍ରିୟ କୃଷ୍ଣ ସମ ସୁନ୍ଦର, ସବୁଠୁ ସୁନ୍ଦର ଲାଗନ୍ତି ।

ସେହି ଭଳି ତାଙ୍କୁ ଯଦି କେହି ପ୍ରିୟ ଲାଗୁଥିବେ, ସେ ବ୍ୟକ୍ତି ଧବଳ କେଶେ ଅସୁନ୍ଦର ଦିଶିବା ତାଙ୍କେ ସହ୍ୟ ହୁଅନ୍ତା କି ?

ସେଥି ପାଇଁ ଏ ବ୍ୟବସ୍ଥା,  ପୁଣି ମଉକା ଦେଖି ବାନ୍ଧି ପକାଇବା ପରି ବ୍ୟବସ୍ଥା ।

ନହେଲେ ଗୋଟାଏ ବୁଲା ମାରଣା ଷଣ୍ଢକୁ କଣି ଛାଟିଆ ଖଣ୍ଡେ ଧରି ଆୟତ୍ତରେ ରଖିବା ଏତେ ସହଜ କି ? ମାଡାମଙ୍କୁ କିନ୍ତୁ ଏ କଳା ଟି ଜଣା ।

ଆମେ ତ ଖଟିଖିଆ ଲୋକ । ମୂଲ ଲାଗିଲେ ତ ମଜୁରୀ ମିଳିବ ନା।

କେତେବେଳେ ରାଜୀବ ଦ୍ୱାରା ପ୍ରତିଷ୍ଠିତ ଖଣ୍ଡେ ମୋକ୍ତା, କେତେବେଳେ କ୍ରାନ୍ତି ଦ୍ୱାରା ପ୍ରତିଷ୍ଠିତ ଖଣ୍ଡେ ସ୍ୱାଧୀନ, ନହେଲେ କେତେବେଳେ ଆମ ମାଡାମ ଜ୍ୟୋତ୍ସ୍ନାରାଣୀଙ୍କ ଦ୍ୱାରା ପ୍ରତିଷ୍ଠିତ ଖଣ୍ଡେ ସୁଲେଖା,
ଏହାର ମାଲିକ ଆମ୍ଭେ, ମୂଲିଆ ବି ଆମ୍ଭେ ।

ଛୋଟ କାଟିଆ ଓଡିଆ ଖବର କାଗଜ ପତ୍ର ପତ୍ରିକା କଲେ ନିଜେ ମାଲିକ,  ନିଜେ ସମ୍ପାଦକ,  ନିଜେ ପ୍ରକାଶକ,  ନିଜେ ଲେଖକ,  ନିଜେ ଡେସପାଚର,  ନିଜେ ପୃଷ୍ଠପୋଷକ,  ନିଜେ ହିସାବ ରକ୍ଷକ,  ମୋଟ ଉପରେ କହିଲେ ନିଜେ ମୂଲିଆ ନିଜେ ମାଲିକ ନହେଲେ, ଏ ଅତି ବେଶିରେ 3 ହଜାର ଛପା ପତ୍ରିକା କିମ୍ୱା ସମ୍ୱାଦ ପତ୍ର ନ ଚଳନ୍ତି ।

ସେହି ଧାରାରେ ମାସକୁ ଥରେ ମୋତେ ସୁଲେଖାର ସମ୍ପାଦକ,  ଲେଖକ କାମ ବାଦ୍,  ଦିନେ ଦୁଇ ଦିନ ଏହାର ଡେସପାଚର କାମ ମଧ୍ୟ କରିବାକୁ ପଡେ ।

ଡେସପାଚର କାମ ମାନେ,  ସବସ୍କ୍ରାଇବର ମାନଙ୍କ ଠିକଣା କାଟି ସଜେଇବ,  ତାକୁ ଅଠାରେ ଏନଭଲପ୍ ଉପରେ ଲଗେଇବ,  ତା ଭିତରେ ପତ୍ରିକା ପୁରେଇ ତାକୁ ଷ୍ଟାପଲର ମାରିବ,  ତା ପରେ ତାକୁ ଜିଲ୍ଲାୱାରୀ ବାଛି ବିଡା ବାନ୍ଧିବ,  ତା ପରେ ତାକୁ ଗାଡିରେ ବୋହିକି ନେଇ ପୋଷ୍ଟ ଅଫିସରେ ଦେବ ଇତ୍ୟାଦି କଥାକୁ ଡେସପାଚ୍ କର୍ମ କୁହାଯାଏ ।

ଏଇଟା ମାଡାମଙ୍କ ପାଇଁ ଗୋଟେ ମଉକା ,
ମୋ ମୁହଁଟା ତ ମୋତେ ଦିଶେନି,  ମୋ ମୁହଁର ଉପଭୋକ୍ତା ମାଡାମ ଓ ଅନ୍ୟମାନେ,  ମୋ ମୁହଁ ଟା ମୋ ମାଡାମଙ୍କୁ ଅସୁନ୍ଦର ଦିଶିବ ତାଙ୍କ ମନ ଦୁଃଖ ହେବ କି ନାହିଁ ?

ଅନ୍ୟ ସମୟରେ ମୁଣ୍ଡ ଚୁଳ କଳା କରିବାକୁ ଦାଢୀ କାଟିବାକୁ କହି କହି ଜିନିଷପତ୍ର ଯୋଗାଡ କରି ଥୋଇ ଥୋଇ ଥକିଲେ ବି ଆମ୍ଭେ ସେ କର୍ମରେ ସହଜରେ ବନ୍ଧା ହୋଇ ପାରୁନା,  କାରଣ ନିଜ ମୁହଁ ନିଜକୁ କୋଉ ଦିଶେ ଯେ ସୁନ୍ଦର ଅସୁନ୍ଦର ଜାଣିବ ।

ଅନ୍ୟ ପକ୍ଷରେ ଆମକୁ ଯେଉଁ ମୁହଁ ଟି ସଦା ସର୍ବଦା ଦୃଶ୍ୟମାନ ହୁଏ,  କହିଲି ନା,  ସିଏ ତ ସଂସାରର ସବୁଠୁ ସୁନ୍ଦର ମୁହଁ,  ସଦା ହସହସ,  ଅପୂର୍ବ ଆନନ୍ଦମୟ,  ଜ୍ୟୋତିର୍ମୟ,  ମାନେ ସଦା ହାସ୍ୟମୟୀ, ସଦା ଲାସ୍ୟମୟୀ,  ସିଏ ତ ଗୋଟେ ଆନନ୍ଦର ଲହରୀ ହିଁ ଅଟନ୍ତି,  ସିଏ ଆଖ ପାଖରେ ଚଳ ପ୍ରଚଳ ଦୃଶ୍ୟମାନ ହେଉଥିବା ପର୍ଯ୍ୟନ୍ତ ନିହାତି ଅପଦାର୍ଥ ମୁର୍ଖଟାଏ ନ ହେଇଥିଲେ କାହାକୁ ଆଜିକାଲିକା ଦୁଃଖର ପ୍ରତୀକ ରଙ୍ଗଛଡା କାନ୍ଥ କି କନ୍ଥା ଦିଶିବ କୁହନ୍ତୁ ତ ?

ଏଇ ସୁଲେଖା ଡେସପାଚ କାମ କରୁଥିବା ସମୟରେ ମାଡାମ ରଙ୍ଗ ତୁଳି ଧରି ଆମ ଚୁଳକୁ ରଙ୍ଗେଇ ଦେବାର କାର୍ଯ୍ୟଟିକୁ କରେଇ ନେବାକୁ ଗୋଟେ ମଉକା ଭାବରେ ଗଣନ୍ତି ବୋଧହୁଏ ।

ଥରେ ସେ ଯନ୍ତାରେ ପଶି ସେ ସ୍ନେହର ସ୍ପର୍ଶ ପାଇଲେ ସିଂହ ବି ତ ପୋଷା ଶୁଆ ପରି ରାଧେ ରାଧେ ଜପିବ ।

ଆଜ୍ଞା ଏଗୁଡା ଗପ ନୁହେଁ,  ନିଚ୍ଛକ ସଂସାର କଥା ।
ସେଥିପାଇଁ କୁହାଯାଏ ପ୍ରେମ ଠୁ ବଳି ଶକ୍ତି ହିଁ ନାହିଁ, ପ୍ରେମ ଅର୍ଥ କେବଳ କାମ ନୁହେଁ ମ,  ସେଥିପାଇଁ ଈଶ୍ୱର ପ୍ରେମମୟ,  କେବଳ ସେହି ପ୍ରେମ ଶକ୍ତି ବଳରେ ହିଁ ସେ ବଳିୟାନ ।

ଭଲ ପାଇବା କେଉଁଠି ହାଟ ବଜାରରେ ମିଳେନି କି ଏଥିପାଇଁ ପଇସା ଖର୍ଚ୍ଚ କରିବାକୁ ପଡେନି,  ତଥାପି ଘରେ ଘରେ ଏବେ ଏହାର ଘୋର ଅଭାବ,  କାହିଁକି କେଜାଣି !!

ଥରେ କେବେ ଏ ବିଷୟରେ ମୋତେ ଭାବିବାକୁ ପଡିବ, ଭାବିଲା ପରେ ଯାହା ମନକୁ ଆସିବ ସେ କଥା ଆଉ କେବେ ଲେଖିବି ।

ଆଜି ମାଡାମଙ୍କର ଏ ଫଟୋଟା ନଜରରେ ପଡିଗଲା ତ,
କେବଳ ତାଙ୍କ କଥା ମନେ ପଡୁଚି ।

ଆମ ପିଲାମାନେ ବି ସେମିତି,  ତାଙ୍କ ମମି ( ସେମାନେ ଅବଶ୍ୟ ବୋଉ,  ବଡବୋଉ ଏମିତି ଡାକନ୍ତି ) ର ସବୁ ଖୁସିକୁ କ୍ୟାମେରାରେ କଏଦ କରି ରଖିବା ସତେ ଯେମିତି ସେମାନଙ୍କ ପାଇଁ ଗୋଟାଏ ଅତି ଆନନ୍ଦମୟ କର୍ମ ଓ ଏକ ପବିତ୍ର କର୍ତ୍ତବ୍ୟ ବୋଲି ବୋଧହୁଏ ବିଚାରନ୍ତି ସେମାନେ।

ମୋ ମୋବାଇଲକୁ ସେ ଫଟୋ ପହଞ୍ଚିଲେ ମୋ ମନରେ ଯେଉଁ ପରିକା ଭାବନା ଉଦୟ ହୁଏ ମୁଁ ସେପରି ଲେଖି ଦିଏ,  ଲେଖୁ ଲେଖୁ ଯାହା ଲେଖି ହୋଇଗଲା, ଭାବନା ଯୁଆଡେ ଲମ୍ୱିଲା ତ ଲମ୍ୱିଲା ….

ହେ ବିଧାତା !
ମୋତେ ଲାଗେ
ତୁ ତ ସତ ଈର୍ଷାଳୁ ଟା
ମୋ ସ୍ନେହ ସାଗର ଦେଖ, ହେ ବିଧାତା
ତୋର ଈର୍ଷା ବୈଶାଖି ଖରାରେ
ଶୁଖି ଦିଶେ ଚେନା ଚେନା ଫଟା
ହେ ବିଧାତା ! ତୁ କି ସତେ ଏଡେ ଈର୍ଷାଳୁ ଟା

ଥରେ ଭାବି ଦେଖ
ମୋ ସଂସାର ସରଗ ସୁଷମାକୁ ନେଇ
ଯେଉଁ ସ୍ୱର୍ଗ ଅବା କେଉଁ ବଇକୁଣ୍ଠେ ରଖ
ହେଜି ତ ପାରିଲ ନାହିଁ, ହେ ସ୍ରଷ୍ଟା
ହସି କି ପାରଇ କେବେ ଚନ୍ଦ୍ର ବିନା ଜ୍ୟୋତ୍ସ୍ନା

ହେ ବିଧାତା,
ତୁ ସତରେ ଈର୍ଷାଳୁ ନା ପୁରା ପୁରା ଅବୋଧ ଟା ?

ତୋର ନିର୍ବୋଧତା ପାଇଁ, ଦେଖ ହେ ବିଧାତା
ଆନନ୍ଦ ସାଗର ଶୁଖି
ମୋ ମର୍ତ୍ତ୍ୟ ବୈକୁଣ୍ଠ ମାଟି
ଦିଶେ ଆଜି ଚେନା ଚେନା ଫଟା

କେଉଁ ନିକିତିରେ ମାପି
କେଉଁ ନ୍ୟାୟ କଲୁରେ ବିଧାତା
ଜୀବନରେ ଥରେ କେବେ
କରି ତ ନଥିଲୁ ଆମେ
ବିନା ପ୍ରେମ ବିନା କୃଷ୍ଣ ନାମେ କେଉଁ କଥା

ତଥାପି କିମ୍ପା ହୋଇବ
ପ୍ରେମାନନ୍ଦରୁ ବଞ୍ଚିତ
ମୋ ସଂସାର ପ୍ରେମ ନିର୍ଝରିଣୀ
ପ୍ରିୟତମା ଜ୍ୟୋତ୍ସ୍ନା
ତୁମ କେଉଁ ଅଲୋଡା ବୈକୁଣ୍ଠେ ଏକା ଏକା

ହେ ଅବୁଝା ବିଧାତା
ନେଲ ଯଦି ଦିଅ ତାଙ୍କୁ
ଆମ ପ୍ରେମ ଆହ୍ଲାଦିନୀ ରାଧାରାଣୀ ଜିମା
ମୋର ଯିବାଯାଏ
ହୋଇବାକୁ ଗୋଲୋକରେ ସଖୀବଟମୂଳେ ଦେଖା

ତୁମେ ତ ଜାଣ ବିଧାତା
ଆମେ କେବେ ବି ଇଚ୍ଛୁ ନା
ତୁମ ସୃଷ୍ଚ ସ୍ୱର୍ଗ ସବୁ
ଅବା ନଥାଏ ଆମ୍ଭର କେଉଁ ବଇକୁଣ୍ଠ ବାଞ୍ଛା
ଆମ କୃଷ୍ଣ
ଆମ ରାଧାରାଣୀ
ଆମ ଗୋପ ଗୋପୀ ଗୋ ବତ୍ସା
ଆମ ଯମୁନା କାଳିନ୍ଦୀ
ଆମ ଗୋଲୋକ ତ ଆମ
ଆଦି ଅନ୍ତ ସଞ୍ଚା

ହେ ବିଧାତା !


ଲକ୍ଷ୍ମୀଧର ନାୟକ
My Facebook Post: 25th July 2021


Share it

Leave a comment

Your email address will not be published. Required fields are marked *