ଆମ ପୁରାଣଶାସ୍ତ୍ର ମାନଙ୍କରେ ହରି ଓ ହରଙ୍କୁ ଏକ ଓ ଅଭିନ୍ନ ବୋଲି ଦର୍ଶା ଯାଇଛି । ମାତ୍ର ଆଶୁତୋଷ ଭୋଳାନାଥ ରାକ୍ଷସମାନଙ୍କୁ ବରଦାନ କରି ବେଳେ ବେଳେ ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ସେଥିପାଇଁ ହର ଓ ହରିଙ୍କ ମଧ୍ୟରେ ଘୋରଯୁଦ୍ଧ ମଧ୍ୟ ହୋଇଛି ।
ଏପରି ଥରେ ଭୋଳାନାଥ ଭସ୍ମାସୁରକୁ ବର ଦେଇ ରକ୍ଷା ପାଇଁ ତ୍ରିଭୁବନରେ ଦୋଉଡ଼ିବାକୁ ପଡ଼ି ଥିଲା । ସର୍ବଶେଷରେ ଭଗବାନ ବିଷ୍ଣୁହିଁ ତାଙ୍କୁ ରକ୍ଷାକଲେ । ସେହି ପରି ଦିନେ ଭୋଳାନାଥ ବାଣାସୁରକୁ ଏପରି ଗୋଟିଏ ବର ଦେଲେ, ଯାହା ଫଳରେ ମହାଦେବ ଓ ଶ୍ରୀହରିଙ୍କ ପୂର୍ଣ୍ଣାବତାର ଶ୍ରୀକୃଷ୍ଣଙ୍କ ମଧ୍ୟରେ ମହା ଯୁଦ୍ଧ ସଂଘଟିତ ହେଲା ।
ବାଣାସୁର ଦୈତ୍ୟରାଜ ବିଷ୍ଣୁଭକ୍ତ ବଳିଙ୍କ ଏକ ଶହ ପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଥିଲା । ବାଣା ବ୍ରହ୍ମାଙ୍କୁ ତପସ୍ୟା କରି ବର ପ୍ରାପ୍ତ ହୋଇଥିଲା, ତା’ର ମୃତ୍ୟୁ କେବଳ ଗୋଟିଏ କୁମାରୀ କନ୍ୟା ହାତରେ ହେବ । ବାଣାସୁର ଶୋଣିତପୁରରେ ରାଜତ୍ଵ କରୁଥିଲା । ସେ ଥରେ ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏକ ସହସ୍ର ଭୁଜ ପ୍ରାପ୍ତ ହେଲା । ଶିବଙ୍କ ତାଣ୍ଡବନୃତ୍ୟ ସମୟରେ ସେ ସେହି ଭୁଜ ମାନଙ୍କରେ ନାଗରା ବଜାଇ ଶିବଙ୍କୁ ସନ୍ତୁଷ୍ଟ କଲା । ଶିବ ତା’ ଉପରେ ପ୍ରୀତ ହୋଇ ପୁଣି ବର ଯାଚିବାରୁ ସେ ଶିବଙ୍କୁ କହିଲା, ଆପଣ ମୋର ଦ୍ଵାରପାଳ ହୋଇ ମୋ ନଗରକୁ ରକ୍ଷା କରନ୍ତୁ । ଶିବ ତାହାର ସେହି ଇଚ୍ଛା ମଧ୍ୟ ପୁର୍ଣ୍ଣ କରିଦେଲେ ।
ବଳିଷ୍ଠ ସହସ୍ର ବାହୁରେ ବାଣା ତିନି ପୁରରେ ତାଣ୍ଡବ ରଚିଲା । ତା ଅତ୍ୟାଚାରରେ ଦେବତାମାନେ ପ୍ରମାଦ ଗଣିଲେ । ରାକ୍ଷସ ସ୍ଵଭାବ ତ,ସମସ୍ତଙ୍କ ସହିତ ଯୁଦ୍ଧ କରି କରି ତାର ରଣତୃଷ୍ଣା ମେଣ୍ଟିଲା ନାହିଁ । ଶେଷକୁ ସେ ନିଜ ବରଦାତା ଦେବ ଦେବ ମହାଦେବଙ୍କୁ ଯୁଦ୍ଧ ପାଇଁ ଆହ୍ବାନ କଲା । ଭଗଵାନ ଶିବ କୁପିତ ହୋଇ କହିଲେ ରେ ରାକ୍ଷସ ! ଯେଉଁଦିନ ତୋ ପୁରର ଧ୍ଵଜା ଭାଙ୍ଗି ପଡ଼ିବ, ତୁ ସେହିଦିନ ଜାଣିବୁ, ତୋ ସହ ଯୁଦ୍ଧ ପାଇଁ ଉପଯୁକ୍ତ ପାତ୍ର ଆସିଗଲା । ଦିନେ ସତକୁ ସତ ଇନ୍ଦ୍ରଙ୍କ ବଜ୍ରରେ ତାର ଧ୍ଵଜା ଭାଙ୍ଗି ପଡ଼ିଲା ।
ବାଣାସୁରର ଆତଙ୍କରେ ଦେବତାମାନେ ଯାଇ ମାଆ ପାର୍ବତୀଙ୍କ ଶରଣପଶିଲେ । ଦେବତାଙ୍କ ପ୍ରାର୍ଥନାରେ ତୁଷ୍ଟହୋଇ ମାଆ କନ୍ୟାକୁମାରୀ ରୂପରେ ଆବିର୍ଭାବ ହେଲେ ଓ ଶିବଙ୍କୁ ବର ରୂପେ ପାଇବା ପାଇଁ ଘୋର ତପସ୍ୟା ଆରମ୍ଭ କଲେ । ଶିବ ସନ୍ତୁଷ୍ଟ ହୋଇ ମାଆ କନ୍ୟାକୁମାରୀଙ୍କୁ ଵିଵାହ କରିବାପାଇଁ ବାହାରିଲେ ।
ଦେବଗଣ ଦେଖିଲେ ଯଦି କନ୍ୟାକୁମାରୀଙ୍କ ଵିଵାହ ଶିବଙ୍କ ସହିତ ହୋଇ ଯାଉଛି, ତେବେ ବାଣାସୁରର ନିଧନ ତ ଅସମ୍ଭବ ହୋଇପଡ଼ିବ। ହିମାଳୟରୁ ଶିବ ବରଯାତ୍ରୀ ଧରି କନ୍ୟା କୁମାରୀଙ୍କୁ ବିବାହ କରିବାକୁ ବାହାରିଲେ । ରାତ୍ରୀରେ ଵିଵାହ ଶେଷହେବ ବୋଲି ତିଥି ଥାଏ । ଏହି ସମୟରେ ଦେବତାଗଣ ଏକ କୁଟ ରଚନା କଲେ । ରାତ୍ରି ପାହିବାକୁ କିଛି ସମୟ ବାକି ଅଛି, ସେମାନେ କୁକ୍କୁଟ ପରି ରାବଦେଲେ ।
ଏଥିରୁ ମହାଦେବଙ୍କୁ ପ୍ରତୀତ ହେଲା ଯେ ରାତି ପାହିଗଲା ଓ ବିବାହର ମୁହୂର୍ତ୍ତ ଗଡ଼ିଗଲା । ଶିବ ଆଉ ଆଗକୁ ନଯାଇ ଫେରିଆସିଲେ ଏବଂ ଶିବଙ୍କୁ ନପାଇ ମାତା କନ୍ୟା କୁମାରୀ ଆଜୀବନ କୁମାରୀ ହୋଇ ରହିବେ ବୋଲି ଶପଥ ଗ୍ରହଣ କଲେ ।
ବାଣାସୁରର ଉଷା ନାମରେ ଏକ ଅନିନ୍ଦ୍ୟ ରୂପବତୀ କନ୍ୟା ଥିଲା । ସେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ସମସ୍ତ ବିଦ୍ୟା ହାସଲ କରିଥିଲା । କନ୍ୟାର ବିବାହ ସମୟ ଆସିଲା । କିନ୍ତୁ ଝିଅର ସ୍ବାମୀ ତାର ନିଧନର କାରଣ ହେବ ନାହିଁ ତ ଚିନ୍ତାକରି,ବାଣା କନ୍ୟା ଉଷାର ପାଣି ପ୍ରତ୍ୟାସୀ ସମସ୍ତ ପ୍ରାର୍ଥୀଙ୍କୁ ଘୋଉଡ଼େଇ ଦେଲା ଏବଂ ଉଷାକୁ ଅଗ୍ନି ପରିବେଷ୍ଠିତ ଏକଗୃହ ମଧ୍ୟରେ ଲୁଚାଇ ରଖିଲା ।
ଏକଦା ଉଷା ସଖି ମାନଙ୍କ ଗହଣରେ ବନ ବିହାରକୁ ଯାଇ ଦେଖିଲା ସେ ବନରେ ଶିବପାର୍ବତୀ ବିହାର କରୁଛନ୍ତି । ଉଷା, ମାଆ ପାର୍ବତୀଙ୍କୁ ପ୍ରାର୍ଥନା କଲା, ହେ ମାଆ ! ମୋତେ ଆପଣଙ୍କଭଳି ଗୋଟିଏ ସୁନ୍ଦର ପତିଦିଅନ୍ତୁ, ମୁଁ ଆପଣଙ୍କ ଭଳି ମୋ ପତିସହ ଏହିପରି ବିହାରକରିବି। ମାଆ ପାର୍ବତୀ ଆଶୀର୍ବାଦ କରି କହିଲେ,ଆଜି ରାତିରେ ସ୍ବପ୍ନରେ ଜଣେ ସୁନ୍ଦର ପୁରୁଷକୁ ତୁ ଦେଖିବୁ,ସେହି ହେବ ତୋ ପତି ।
ସତକୁ ସତ ସେଦିନ ରାତିରେ ଉଷା ଜଣେ ସୁନ୍ଦର ପୁରୁଷଙ୍କୁ ସ୍ବପ୍ନରେ ଦେଖି, ବିଳି ବିଳେଇ ଉଠିଲେ । ପାଖରେ ଥିଲେ ଉଷାର ପ୍ରିୟତମା ସଖୀ ମନ୍ତ୍ରୀଝିଅ ଚିତ୍ରଲେଖା । ସେ ତନ୍ତ୍ର ବିଦ୍ୟାରେ ପାରଙ୍ଗମ ଥିଲା । ଉଷା, ଚିତ୍ରଲେଖାଙ୍କୁ ସ୍ଵପ୍ନରେ ଦେଖିଥିବା ପୁରୁଷଙ୍କ କଥା କହିବାରୁ ସେ କହିଲା, ମୁଁ ଆଣି ନିଶ୍ଚୟ ସେହି ପୁରୁଷଙ୍କୁ ତୋ ପାଖରେ ପହଞ୍ଚାଇଦେବି । ଏହାକହି ଚିତ୍ରଲେଖା କେତେ ଗୁଡ଼ିଏ ଚିତ୍ରପଟ ନିଜ ହାତରେ ଆଙ୍କି, ଉଷାକୁ ଦେଖାଇଲେ । ତା’ ମଧ୍ୟରୁ ଗୋଟିଏ ଚିତ୍ରପଟକୁ ଦେଖି ଉଷା ଚିହିଁକି ଉଠି କହିଲା, ଏହି ହେଉଛନ୍ତି ମୋ ମନକୁ ହରଣ କରିନେଇଥିବା ସେ ସୁନ୍ଦର ପୁରୁଷ ।
ସେହି ସୁନ୍ଦର ପୁରୁଷ ଜଣକ ଆଉ କେହି ନଥିଲେ । ସେ ଥିଲେ ସ୍ଵୟଂ ଦ୍ୱାରକାଧୀଶଙ୍କ ପୌତ୍ର,ପ୍ରଦ୍ୟୁମ୍ନଙ୍କ ପୁତ୍ର, ଅନିରୁଦ୍ଧ । ଉଷା କହିବାରୁ ମନ୍ତ୍ରୀ ଝିଅ, ଚିତ୍ରଲେଖା ମାୟା ବଳରେ ଅନିରୁଦ୍ଧଙ୍କୁ ଯାଇ ଦ୍ୱାରିକାରୁ ଘେନି ଆସିଲା । ଅନିରୁଦ୍ଧ ଉଷାଙ୍କ ପ୍ରଣୟ ପାଶରେ ଆବଦ୍ଧ ହୋଇ, ବାଣା ରାଜଧାନୀ ଶୋଣିତ ପୁରରେ ରହିଲେ ।
ଉଷାର ନିଷିଦ୍ଧ ପୁରରେ ଅନିରୁଦ୍ଧ ! ଏ ଖବର ଯାଇ ପହଁଚିଲା ବାଣାସୁର ପାଖରେ । ସେ ଆକ୍ରମଣ କରି ଅନିରୁଦ୍ଧକୁ ନାଗ ପାଶରେ ବନ୍ଧନ କଲା । ଇଆଡ଼େ ଦ୍ୱାରକାରେ ନିରୁଦ୍ଦିଷ୍ଠ ଅନିରୁଦ୍ଧକୁ ଖୋଜା ଚାଲିଛି । ଏହି ସମୟରେ ଦିନେ ଦେବର୍ଷି ନାରଦ ଦ୍ୱାରକାରେ ପହଞ୍ଚି ସମ୍ବାଦ ଦେଲେ, ଅନିରୁଦ୍ଧ ଶୋଣିତ ପୁରରେ ବାଣାସୁର ଦ୍ୱାରା ବନ୍ଦୀ ହୋଇଛି ।
ବାଣାସୁର କବଳରୁ ଅନିରୁଦ୍ଧଙ୍କ ଉଦ୍ଧାର ପାଇଁ ଯଦୁ ବଳ ସହିତ ଶ୍ରୀକୃଷ୍ଣ ବଳରାମ ଯାଇ ବାଣା ନଗରୀ ଶୋଣିତପୁର ଉପରେ ପ୍ରଚଣ୍ଡଆକ୍ରମଣ ଆରମ୍ଭ କରି ଦେଲେ । ଶ୍ରୀକୃଷ୍ଣ ବାଣାସୁରଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ସଂଘଟିତ ହେଲା । ଶ୍ରୀକୃଷ୍ଣ ଯେତେବେଳେ ବାଣାର ସହସ୍ର ଭୂଜକୁ କାଟିବା ଆରମ୍ଭ କଲେ, ଭକ୍ତର ରକ୍ଷା ପାଇଁ ସ୍ଵୟଂ ସଦାଶିବ ଆସି ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେଲେ । ଏପରିକି ଶିବଙ୍କ ଦୁଇପୁତ୍ର କାର୍ତ୍ତିକେୟ ଓ ଗଣପତି ମଧ୍ୟ ଆସି, ରଣ କ୍ଷେତ୍ରରେ ଛିଡ଼ା ହେଲେ । ଶିବସେନା ଓ ଯାଦବ ସେନାଙ୍କ ମଧ୍ୟରେ ଭୟଂକର ସମର ଲାଗି ପୃଥିବୀ ପ୍ରକମ୍ପିତ ହେଲା । କାର୍ତ୍ତିକେୟ ପ୍ରଦ୍ୟୁମ୍ନଙ୍କ ବାଣରେ ମୂର୍ଚ୍ଛିତ ହୋଇପଡ଼ିଲେ । ଶିବଙ୍କ ଶିବାସ୍ତ୍ର ଓ ଶ୍ରୀକୃଷ୍ଣଙ୍କ ନାରାୟଣାସ୍ତ୍ର, ସଂଘର୍ଷ ହୋଇ ପରସ୍ପର ନିଷ୍ଫଳ ହୋଇଗଲେ । ଏହା ପରେ ଶଙ୍କର କ୍ରୋଧିତ ହୋଇ ତ୍ରିପୁର ଦହନ କଲା ଭଳି ପାଶୁପତ ଅସ୍ତ୍ରକୁ ଛାଡ଼ିଦେଲେ । ଶ୍ରୀକୃଷ୍ଣ ସେହି ଅସ୍ତ୍ର ପ୍ରତିହତ କରି ଶିବଙ୍କ ଉପରେ ଜ୍ରୁମ୍ବାସ୍ତ୍ର ପ୍ରୟୋଗ କଲାରୁ ସେ ସଂଜ୍ଞା ହରାଇ ପଡ଼ିଲେ ।
। ଶ୍ରୀକୃଷ୍ଣ ପୁଣି ବାଣାସୁରର ଭୁଜଗୁଡ଼ିକୁ କର୍ତ୍ତିତକରିବାକୁ ଲାଗିଲେ । ଆଉ ମାତ୍ର ଚାରୋଟି ଭୁଜ ଅଛି ଶିବ ପୁଣି ଜାଗ୍ରତ ହୋଇ ଉଠି ଶ୍ରୀକୃଷ୍ଣଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଲାଗିଲେ ।
ଏଥର ଯୁଦ୍ଧ କିନ୍ତୁ ଥିଲା ନିଆରା । ଏଥର ଶିବ ତାଙ୍କ ଜ୍ୱରାସ୍ତ୍ର ପ୍ରୟୋଗ କଲେ । ଯାହା ଫଳରେ ସମସ୍ତଙ୍କୁ ଶିବ ଜ୍ୱର ବ୍ୟାପିଗଲା । ଏହାକୁ ପ୍ରତିହତ କରିବାକୁ ଶ୍ରୀକୃଷ୍ଣ ବୈଷ୍ଣବ ଶୀତ ଜ୍ଵର ପ୍ରୟୋଗ କଲେ। ଦୁଇ ଜ୍ଵର ପ୍ରଭାବରେ ସାରା ସଂସାରରେ ହାହାକାର ପଡ଼ି ଗଲା। ଜଣା ପଡୁଥିଲା ଯେପରି ହରି ଓ ହର କେହି କାହାରିକୁ କମ୍ ନୁହଁନ୍ତି ।
କଷ୍ଟରେ ପୀଡ଼ିତ ପୃଥିବୀ ମାତା କାନ୍ଦି କାନ୍ଦି ବ୍ରହ୍ମାଙ୍କ ପାଖରେ ପହଞ୍ଚି ଦୁଃଖଜଣାଇଲେ । ବ୍ରହ୍ମା ପରାଶକ୍ତି ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କଲେ, ସୃଷ୍ଟି ଧ୍ଵଂସ ହେବାକୁ ଯାଉଛି ଆପଣ ଯାଇ, ହରି ହରଙ୍କ ଏ ପ୍ରଳୟଙ୍କରୀ ଯୁଦ୍ଧକୁ ବନ୍ଦକରନ୍ତୁ । ମାଆ ଦୁର୍ଗା ରଣଭୂମିରେ ଆସି ପ୍ରକଟ ହୋଇ କହିଲେ, ଏ ଧରାପୃଷ୍ଠରେ ଭଗବାନ୍ ଶ୍ରୀ ହରିଙ୍କ ଲୀଳାବତାର ରୂପେ ଭଗବାନ୍ ଶ୍ରୀକୃଷ୍ଣ ପ୍ରକଟ ହୋଇଛନ୍ତି,ତୁମେ ଦୁହେଁ, ହରି ଓ ହର ଏକ ଓ ଅଭିନ୍ନ । ସାଂସର କଲ୍ୟାଣପାଇଁ ତୁମେ ପରସ୍ପର ମଧ୍ୟରେ ଏ ଯୁଦ୍ଧ ବନ୍ଦକର । ଶିବ କହିଲେ, ମୁଁ ମୋ ଭକ୍ତକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୁଁ ତାକୁ କେବେ ମରିବାପାଇଁ ଦେବିନାହିଁ ।
ଶ୍ରୀକୃଷ୍ଣ କହିଲେ, ମୁଁ ତ ବାଣାକୁ ପ୍ରାଣରେ ମାରିବାକୁ ଚାହୁଁ ନାହିଁ । ମୁଁ କେବଳ ଅନିରୁଦ୍ଧର ମୁକ୍ତି ଚାହେଁ ।
ମାଆ ପରାଶକ୍ତିଙ୍କ ପରାମର୍ଶରେ ହରି ହରଙ୍କ ମହା ସମର ଅନ୍ତଃ ହେଲା। ଭଗଵାନ ସଦାଶିବ ବୁଝାଇ ଦେବାରୁ ବାଣାସୁର ଝିଅ ଉଷାକୁ ବହୁ ଉପଢୌକନ ଓ ଜାନି ଯୌତୁକ ସହ, ଅନିରୁଦ୍ଧଙ୍କ ସଙ୍ଗେ ବିଦାୟ ଦେଲା । ଶ୍ରୀକୃଷ୍ଣ ବଳରାମ ସମସ୍ତ ଯଦୁବଳଙ୍କ ସହ ଉଷା ଓ ଅନିରୁଦ୍ଧଙ୍କୁ ଧରି ଦ୍ଵାରକା ଅଭିମୁଖେ ଯାତ୍ରା କଲେ । ଶିବ ଗଣମାନଙ୍କ ସାଥିରେ କୈଳାସପୁରକୁ ଫେରିଗଲେ । ଦ୍ୱାରକାରେ ମହା ଆଡ଼ମ୍ବରରେ ଉଷା ଓ ଅନିରୁଦ୍ଧଙ୍କ ଵିଵାହ ସମ୍ପନ୍ନ ହେଲା ।
ଦିନେ ବାଣାସୁର ଦକ୍ଷିଣ ସମୁଦ୍ର ତଟରେ ବୁଲୁଥିଲା ବେଳେ ଦେବୀ କନ୍ୟାକୁମାରୀଙ୍କ ସୋନ୍ଦର୍ଯ୍ୟ ଦେଖି ମୋହିତ ହୋଇ ପଡ଼ିଲା । ସେ ବିବାହକରିବା ପାଇଁ ଦେବୀଙ୍କୁ ପ୍ରସ୍ତାବ ଦେଲା । କନ୍ୟା କୁମାରୀ ଏଥିରେ ସମ୍ମତ ନ ହେବାରୁ ସେ ତାଙ୍କୁ ଅପହରଣ କରିବାକୁ ଉଦ୍ୟତ ହେଉଥିବା ବେଳେ, ଦେବୀ ତାକୁ ତ୍ରୀଶୂଳ ଘାତରେ ଭୂପତିତ କଲେ । ବେଦପତି ବ୍ରହ୍ମାଙ୍କ ବର ସତ୍ୟ ହେଲା । ମୃତ୍ୟୁକାଳରେ ବାଣାସୁର ଦେବୀଙ୍କୁ ପ୍ରାର୍ଥନା କରିବାରୁ ମାଆ ପରାଶକ୍ତି ନିଜ ସ୍ୱରୁପରେ ପ୍ରକଟହେଲେ ଓ ବାଣାସୁରକୁ ମୋକ୍ଷ ପ୍ରଦାନ କରି କୈଳାଶ ପୁରୀକୁ ଯାତ୍ରା କଲେ ।
ହରିହରଙ୍କ ଏହି ସମରଚରିତ ବିଷ୍ଣୁ ପୁରାଣ, ହରିବଂଶ ଓ ଭାଗବତରେ ବିଶଦ ଭାବେ ବର୍ଣ୍ଣିତ ହୋଇଛି । ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଅଣସ୍ତରି ଅଧ୍ୟାୟରେ ହରିହରଙ୍କ ଯୁଦ୍ଧବର୍ଣ୍ଣନା ଶେଷ କରି ଅତିବଡ଼ି ଜଗନ୍ନାଥ ଦାସ କହିଲେ :-
ଏମନ୍ତେ ହରିହର ରଣ
ଯେ କରେ ଶ୍ରବଶ କୀର୍ତ୍ତନ ।।
ପ୍ରଭାତ କାଳେ ପ୍ରତିଦିନେ ।
ଯେ ପ୍ରାଣୀ ଚିନ୍ତେ ଶୁଦ୍ଧମନେ ।।
ତାହାର ନାହିଁ ପରାଭବ
ନିରତେ ରଖନ୍ତି ମାଧବ ।।
🙏🙏🙏
ଅର୍ଜୁନୀ ଚରଣ ବେହରା
ମୋ -7693091971