ହିଜାବ

Share it

ଧର୍ମ ସମୁଦ୍ର ପରି ବିଶାଳ,ଶାନ୍ତ । ସମୁଦ୍ରର ଢେଉ ଯେପରି ସମୁଦ୍ର ହୋଇ ମଧ୍ୟ ସମୁଦ୍ର ନୁହେଁ, ତେଣୁ ତାର ନାଁ ଜୁଆର ବା ଢେଉ, ଠିକ୍ ସେହିପରି ଧର୍ମ ସମୁଦ୍ରର ଢେଉ ନୁହେଁ, ଏହା ଏକ ଶାନ୍ତ ସ୍ଥିର ରତ୍ନଗର୍ଭା ବିଶାଳ ସମୁଦ୍ର । ଅଳ୍ପ ଦୃଷ୍ଟି ସମ୍ପନ୍ନ ଅଳ୍ପ ଲୋକଙ୍କ ବୋଧଶକ୍ତିରେ ଏହା କେବଳ ଜୁଆର ।

ହେ ସଂଲ୍ଲାଂ !
ଇସ୍କୁଲ ଟେ ଅଛି କି କଲେଜ୍ ଟେ ଅଛି , ତାର ଗୋଟେ ଆଦବ କାଇଦା ଥିବ, ଡ୍ରେସ କୋଡ୍ ବି ଥିବ । ଯିଏ ସେଠିକି ଯିବ ସେ ଆଦବ କାଇଦା ମାନିବ, ଡ୍ରେସ କୋଡ୍ ମାନିବ ।

ଯୋଉଠି ଡ୍ରେସ କୋର୍ଡ ନାହିଁ ସେଠି ବାଳକ ବାଳିକା ମାନେ ନିଜ ନିଜର ଘରର ସଂସ୍କାର ଅନୁସାରେ ଡ୍ରେସ ପିନ୍ଧିକି ଯିବେ । ଯଥା, ପଦ୍ମଶ୍ରୀ କଙ୍ଗନା ସେଠିକି ପଢିବାକୁ ଗଲେ ସିଏ ତାଙ୍କ ସଂସ୍କାର ଅନୁସାରେ ଗୋଟାଏ ହାଇଫାଇ ମହା ସଂସ୍କାରୀ ଷ୍ଟାଇଲ ଡ୍ରେସ ପିନ୍ଧିକି ଯିବେ ।

ସାଧାରଣ ହିନ୍ଦୁ ପୁଅ ଗଲେ ରାମକୃଷ୍ଣଙ୍କ ଷ୍ଟାଇଲ ଧୋତି ଗାମୁଛା ଖାଲି ପାଦ, ନହେଲେ ବୁଦ୍ଧ କିମ୍ୱା ବିବେକାନନ୍ଦ ଷ୍ଟାଇଲ କଛା ଅମରା ଧୋତି କପଡା ଖଡମ ପିନ୍ଧିକି ଯିବ,

ହିନ୍ଦୁ ଝିଅ ଗଲେ ଶାରଦାଦେବୀ ଷ୍ଟାଇଲ ଓଢଣୀ ଦିଆ ବିନା ବ୍ଲାଉଜ୍ ଲୁଗା ସାଣ୍ଠଣାରେ ପିନ୍ଧିକି ଯିବ,

ଖ୍ରୀଷ୍ଟିଆନ ପିଲା ଗଲେ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଟାଇ ବାନ୍ଧି ଗାଈ ଗୋରୁ ଓଟ ଚମଡା ଜୋତା ପିନ୍ଧିକି ଯିବ,

ମୁସଲମାନ ଝିଅ ଗଲେ କୁର୍ତ୍ତା ପାଇଜାମା ସହ ପୂର୍ଣ୍ଣ ଲଜ୍ଜା ନିବାରଣ ବା କୁଦୃଷ୍ଟି ପ୍ରଶମନାର୍ଥେ ଓଢଣୀ ସହ ଗୋଟେ ମୁହଁ ଘୋଡଣୀ ବି ପକେଇକି ଯିବ, ଶରୀର ସମ୍ପୂର୍ଣ୍ଣ ଆଚ୍ଛାଦିତ ହେଇଥିବ କେବଳ ରାସ୍ତା ଚାଲିବା ପାଇଁ ଆଖି ଦି ଟା ଜୁଳୁଜୁଳୁ ପଦାକୁ ଦିଶୁଥିବ,ମୁୁସଲମାନ ଝିଅଋ ଏଇ ଡ୍ରେସ କୋଡ୍ ଟାକୁ ହିଜାବ କୁହାଯାଉଛି ବୋଧେ ।

ଏଗୁଡା ତ ତାଙ୍କ ସ୍ୱ ସ୍ୱ ସଂସ୍କାରର ଡ୍ରେସ କୋଡ୍ !

ଆମ ଅତି ସଂସ୍କାରୀ ଆର୍ ଏସ୍ ଏସ୍ ବିଜେପି ମାର୍ଗୀ ହିନ୍ଦୁ ପିଲା ମୁସଲମାନ ଝିଅ ମୁହଁରୁ ସେ ଆବରଣ ଖଣ୍ଡକ ହଟେଇବାକୁ ଏବେ ଅତି ତତ୍ପର ହେଇପଡିଚନ୍ତି, ତାଙ୍କ ମୁସଲମାନ ଭଉଣୀମାନଙ୍କ ମୁହଁ ନଦିଶିବାରୁ ତାଙ୍କୁ ଚିହ୍ନିପାରୁ ନାହାନ୍ତି- ସେଇ ଦୁଃଖରେ ବୋଧେ ଏମାନେ ତାଙ୍କ ମୁହଁରୁ ସେ ଲଜ୍ଜା ଓ ଲୋଲୁପ କାମଦୃଷ୍ଟି ଧୁଳି ଭାଇରସ ନିବାରକ ଓଢଣୀ ଖଣ୍ଡକ ଉତ୍ତାରି ପକେଇବାକୁ ଭାରି ବ୍ୟସ୍ତ ହୋଇପଡୁଛନ୍ତି ।

ସ୍କୁଲ କଲେଜ ଡ୍ରେସ କୋଡ୍ ଦାୟିତ୍ୱ ସମ୍ପୃକ୍ତ ଶିକ୍ଷା ଅନୁଷ୍ଠାନର ନହେଲେ ଶିକ୍ଷା ବିଭାଗର, ଏ ଦାମୁରି ବଳଦମାନେ କାହିଁକି ଚାରିଖୁରା ଟେକି ଉତପାତ କରୁଛନ୍ତି କେଜାଣି, ଏସବୁ ଡ୍ରେସ କୋଡ୍ ଦେଖିବାକୁ ସେଠାକାର ସ୍କୁଲ କଲେଜ କର୍ତ୍ତୃପକ୍ଷ ନାହାନ୍ତି କି ?

ଯଦି କଲେଜ୍ କର୍ତ୍ତୃପକ୍ଷ କଲେଜର ପ୍ରଚଳିତ ଡ୍ରେସ କୋଡ ଉଲ୍ଲଂଘନ ପ୍ରତି ଦୃଷ୍ଟି ଦେଉ ନାହାନ୍ତି ତାହେଲେ କଥାଟା ସେ କଲେଜ୍ ପ୍ରିନସିପାଲକୁ ନପଚାରି ମୁସଲମାନ ଝିଅଙ୍କ ଦେହ ମୁହଁରୁ କଲେଜ କାମ୍ପସଭିତରେ ଗୋଡେଇ ଗୋଡେଇ କପଡା ଉତ୍ତାରିବାପାଇଁ କହିବା କେଉଁପରିକା ମହାନ ହିନ୍ଦୁ ସଂସ୍କାର ଆଜ୍ଞା ?

ହିନ୍ଦୁ ସଂସ୍କୃତିରେ ଦୁର୍ଯ୍ୟୋଧନ ଇଙ୍ଗିତରେ ଦୁଃଶାସନ ଏପରି କରିଥିବା ଉଦାହରଣକୁ ଛାଡି ଦେଲେ କିମ୍ୱା ରାବଣର ସୀତା ଚୋରୀ ( ଅବଶ୍ୟ ରାବଣପରି ଦୁରାଚାରୀ ମଧ୍ୟ ଲୁଗାପଟା ଟଣା ଓଟରା କରିଥିଲା କି ନାହିଁ ସଠିକ କହି ହେବନି ) ଅଘଟଣା କୁ ଛାଡି ଦେଲେ ଆଉ ସେପରି ଉଦାହରଣ ଦେଖିବାକୁ ମିଳେ କି ? ଅବଶ୍ୟ ମୁଁ ପୁରାଣ କଥା ବେଶି ଶୁଣି ନାହିଁ |

ହିନ୍ଦୁ ହେଇକି ନିଜେ ଘରେ ପଠାଣ ଲୁଙ୍ଗି ପିନ୍ଧିବ, ବାହାରକୁ ଗଲେ ଧୋତି ଉତ୍ତରୀୟ ପଗଡି କଠୋଉ ଛାଡି ଖ୍ରିଷ୍ଟିଆନ ଡ୍ରେସ ଫୁଲ୍ ପେଣ୍ଟ ସାର୍ଟ ଟାଏ ଗୋରୁ ଚମଡା ଜୋତା ପିନ୍ଧିକି ଯିବ,

ମୁସଲମାନ ଝିଅ ତାର ଲଜ୍ଜା ନିବାରଣ ପାଇଁ ତା ନିଜ ଶରୀରକୁ ପବ୍ଲିକ୍ ରେ ଡିସପ୍ଲେ ନକରିବାକୁ ଚାହିଁଲେ କପଡା ଆବୃତ୍ତ କରି ରଖିବାକୁ ଚାହିଁଲେ, ସଲ୍ଲାଂ ୟାଙ୍କର କୋଉ ହିନ୍ଦୁ ସଂସ୍କାରର ବିରେଧାଚରଣ ହେଉଛି ବୁଝିବା କଷ୍ଟ ।

ଆଶଙ୍କା କରାଯାଉଛି ମୁସଲମାନ ପପୁଲେସନ ବଢିଗଲେ ସେମାନେ ଆମ ହିନ୍ଦୁ ରାଷ୍ଟ୍ରକୁ ବା ଧର୍ମ ନିରପେକ୍ଷ ରାଷ୍ଟ୍ରକୁ ମୁସଲମାନ ରାଷ୍ଟ୍ର କରିଦେବେ । ମୁସଲମାନ ରାଷ୍ଟ୍ର ହେଇଗଲେ ତାଲିବାନଙ୍କ ପରି ହଣା କଟା ଶାସନ ଚାଲିପାରେ । ଏ ଆଶଙ୍କା ଅମୁଳକ ନୁହେଁ ।

ତେଣୁ ଆମ ହିନ୍ଦୁ ଧର୍ମ ସୁରକ୍ଷା ବାହିନୀର ପ୍ରେସ୍କ୍ରିପସନ୍ ହେଲା ମୁସଲମାନମାନଙ୍କୁ ତାଙ୍କ ମୁସଲମାନ ଦେଶ ପାକିସ୍ତାନ, ବାଂଲାଦେଶ ଇତ୍ୟାଦିକୁ ତଡି ଦେଲେ ଯାଇ ଆମ ଦେଶ ହିନ୍ଦୁ ରାଷ୍ଟ୍ର ଭାବରେ ସୁରକ୍ଷିତ ରହି ଆମର କିଛି ଲୋକ ପାଟିରୁ, କିଛି ଲୋକ ହସ୍ତରୁ, କିଛି ଲୋକ ଜଂଘ ସନ୍ଧିରୁ, କିଛିଲୋକ ପଛଗୋଡରୁ ଜନ୍ମହେବା ସୁଗମ ହେବ, କେହି ଡାକ୍ତରଖାନା ଯିବେନି କି ଆମ ସରକାରଙ୍କର ଏତେ ଟଙ୍କା ବରବାଦ ହେବନି ।

ଆମେ କଣ୍ଡରା ପାଣ କନ୍ଧ ଚଷା ଖଣ୍ଡେଇତ ଓଡ ଗଉଡ ଗୋଁଡ୍ ତେଲି ତନ୍ତି ଡମ ହଂସୀ ଭୁଲିଆ ମାଳୀ କରଣ ବାହ୍ମୁଣ ଏମିତି ଲେୟାର୍ ଲେୟାର୍ ହେଇ ମନମର୍ଜିରେ ଚଳିବୁ ହିନ୍ଦୁ ରାଷ୍ଟ୍ର ହିସାବରେ ।

ହେଲେ ପ୍ରଶ୍ନ ହେଉଛି ଭାରତରେ ଏତେ ମୁସଲମାନ ସୃଷ୍ଟି ହେଲେ କେମିତି ? କିଏ ସୃଷ୍ଟି କଲା ? କାହା ପାଇଁ ସୃଷ୍ଟି ହେଲେ ? କାହା ସହାୟତାରେ ସୃଷ୍ଟି ହେଲେ ?

1500 ବର୍ଷ ପୂର୍ବରୁ ତ ଇସଲାମ ଧର୍ମ ନଥିବ । ପାକିସ୍ଥାନ ବାଂଲାଦେଶ ଆଫଗାନୀସ୍ଥାନ ସମେତ ସବୁ ତ ଭାରତ ଥିବ, ଏମାନେ ମୁସଲମାନ ଧର୍ମ ଗ୍ରହଣ କଲେ କାହିଁକି ? କେଉଁମାନେ ସେତେବେଳେ ଏ ଧର୍ମ ରକ୍ଷା ରାଷ୍ଟ୍ର ରକ୍ଷା ଦାୟିତ୍ୱରେ ଥିଲେ ? ହିନ୍ଦୁ ଧର୍ମର କେଉଁ ତ୍ରୁଟି ଅଥବା କୁସଂସ୍କାର ଅଥବା ଚଞ୍ଚକତା ଅଥବା ଅସୁରକ୍ଷା ପାଇଁ ଲୋକେ ହିନ୍ଦୁ ଧର୍ମ ଛାଡିଲେ ?

ଏଇ ମୁଳ ଦୋଷୀମାନଙ୍କୁ ଖୋଜି ସେଇମାନଙ୍କୁ ସାବାଡ୍ କରି ବାଟକୁ ନେଇ ଆସିଲେ ସିନା ହିନ୍ଦୁ ଧର୍ମ ସୁରକ୍ଷିତ ରହିବ, ଆମେ ମୁଳ କାରଣଗୁଡାକର ଟ୍ରିଟମେଣ୍ଟ କରିବାନି, କାରଣ ଆମ ଅହଙ୍କାର ଓ ପ୍ରତିପତ୍ତି କ୍ଷୁର୍ଣ୍ଣ ହେଇଯିବ ପରା !

ବରାବର ଗୋଟାଏ ବଡ ଜନ ସମୁଦାୟ ଗୋଟାଏ ଅତି ସମ୍ୱେଦନଶୀଳ ଅଭିଯୋଗ କରୁଛି, ଆମେ ସେ କଥାକୁ କେହି କର୍ଣ୍ଣପାତ କରୁ ନାହାନ୍ତି । ସେ ସମସ୍ୟାର ମୁଳୋତ୍ପାଟନ କଷ୍ଟସାଧ୍ୟ, ସମୟସାପେକ୍ଷ କିନ୍ତୁ କରଣୀୟ । ସେପରି ନକରି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାର ସ୍ୱପ୍ନ ଦେଖିବା ଅବାସ୍ତବ । ଯଦି ବି ଭାରତ ହିନ୍ଦୁରାଷ୍ଟ୍ର ଘୋଷିତ ହୁଏ ତାକୁ କାଳକାଳକୁ ହିନ୍ଦୁରାଷ୍ଟ୍ର ହିସାବରେ ସୁରକ୍ଷିତ ରଖିବା ଅସମ୍ଭବ ପ୍ରାୟ ।

ଅଭିଯୋଗଟି ଏହିପରି –
ପ୍ରଥମେ ଭାରତର ସିଂହଭାଗ ଜନସଂଖ୍ୟା ବିଶିଷ୍ଟ ଦୁର୍ବଳ ନାଚାର ଦଳିତ ନିଷ୍ପେଷିତ ଲୋକଗୁଡାଙ୍କ ୟୁନିଟି ଭାଙ୍ଗିବା ପାଇଁ ଆମେ ସେମାନଙ୍କୁ ଛଳେ ବଳେ କୌଶଳେ ଶାସନ, ଭୟ, ପରାକ୍ରମେ, ମୁସଲମାନ ଧର୍ମବିସ୍ତାରକ ଶାସକ ପ୍ରଶାସକ ମାନଙ୍କଠାରୁ ଲାଞ୍ଚ ଉତ୍କୋଚ ଜାଗିରୀ ସ୍ବର୍ଣ୍ଣମୋହର ନେଇ ମୁସଲମାନ କରିଦେଲେ ।

ଅର୍ଥାତ୍ ମୋଟ ଦଳିତଙ୍କ ଭିତରୁ ପ୍ରାୟ 30/40 % ଲୋକଙ୍କୁ ମୁସଲମାନ କରିଦେଲେ । ସେମାନଙ୍କୁ ପାକିସ୍ଥାନ, ବାଂଲାଦେଶ ନାମରେ ଦୁଇଟା ଭୁଖଣ୍ଡ ମଧ୍ୟ ଦେଇ ସେଠାକୁ ତଡିଲେ ।

ହୁଏତ ଏମିତି ତିରିଶି କୋଟି ନୁଆ ମୁସଲମାନ ବା ପୁରୁଣା ହିନ୍ଦୁ – ଯାହା ବି କୁହ, ପାକିସ୍ତାନ ବାଂଲାଦେଶ ପଳେଇଲେ । 15 କୋଟି ଗଲେ ନାହିଁ, ଭାରତରେ ରହିଗଲେ । ସେମାନଙ୍କୁ ଏବେ ତଡୁଚ, କହୁଚ ତମ ଦେଶ ପାକିସ୍ତାନକୁ ପଳା ।

ସେମାନେ ଭାବୁଥିବେ ପାକିସ୍ତାନ କେମିତି ଆମ ଦେଶ ହେଲା, ଆମ ଦେଶ ତ ଭାରତ, ଆମେ ତ ସବୁ ପୁରୁଣା ହିନ୍ଦୁ । କିଛି କ୍ଷମତା ଲୋଭୀ ସ୍ୱାର୍ଥବାଦୀ ସ୍ୱଘୋଷିତ ଉଚ୍ଚ ଜାତିର ଲୋକ ପ୍ରଥମେ ଆମକୁ ଅଛୁତ୍ ବନେଇ ଆମ ଉପରେ ନାନା ଅକଥନୀୟ ନିର୍ଯାତନା କଲେ । ଯେତେବେଳେ ବିଦେଶୀ ମୁସଲମାନମାନେ ଏ ଦେଶକୁ ଆସିଲେ ଏମାନେ ନାନାଦି ଚଞ୍ଚକତା କରି ଆମକୁ ଆମ ମୁଳ ହିନ୍ଦୁ ଧର୍ମରୁ ବିତାଡିତ କରି ବିଧର୍ମୀ ମୁସଲମାନ କହିଲେ ।

ଯଦି କାହାକୁ ପଠାଣ ଭୁଲରେ ଛୁଇଁ ଦେଲା ଆମ ଧର୍ମଧ୍ୱଜାଧାରୀ ଉଚ୍ଚ ଜାତିର ଲୋକେ ଆମକୁ ହିନ୍ଦୁ ଧର୍ମରୁ ବାହାର କରିଦେଲେ, ପୋଖରୀରେ ଲୁଚେଇକି ଖଣ୍ଡେ ଗୋମାଂସ ଟୁକୁଡା ପକେଇ ଦେଲେ, ଏ ଚଞ୍ଚକତା ନଜାଣିଥିବା ଅଧିକାଂଶ ଗାଁ ଲୋକେ ସେ ପାଣି ପିଇଲେ , ଧର୍ମ ସଭା ବସିଲା, ମୁସଲମାନମାନଙ୍କ ଠାରୁ ସୁନା ମୋହର ଲାଞ୍ଚ ନେଇ ଏପରି ଚଞ୍ଚକତା କରିଥିବା ଧର୍ମାବତାର ମାନେ ଆମକୁ ତୁଳସୀ ପାଣି ଛିଞ୍ଚି ପବିତ୍ର କରିଦେବା ପରିବର୍ତ୍ତେ ବିଧର୍ମୀ ମୁସଲମାନ ଘୋଷଣା କରିଦେଲେ । ଆଉ ହିନ୍ଦୁ ଧର୍ମରେ ପୁରେଇଲେ ନାହିଁ ।

ଆମ ରାଜା ମହାରାଜାମାନେ ନିଜ ଭାଇ ଭାଇ ଭିତରେ କ୍ଷମତା ଲୋଭରେ ଲଢେଇ କରିବାକୁ ପୃଥୀରାଜ ଜୟଚନ୍ଦ୍ର ହେଇ ବିଦେଶରୁ ମୁସଲମାନ ଶାସକମାନଙ୍କୁ ଡାକି ଆଣି ନିଜ ଭାଇକୁ ହାଣିଲେ ରାଜା ହେବା ଲୋଭରେ, ଶେଷରେ ମୁସଲମାନ ଉଭୟଙ୍କୁ ହାଣି ନିଜେ ରାଜା ହେଲା, ଅନେକ ଦୁର୍ବଳ ପ୍ରଜାଙ୍କ ଉପରେ ଅତ୍ୟାଚାର ଜୁଲମ କରି ସେମାନଙ୍କୁ ମୁସଲମାନ ଧର୍ମର ବି କରିଦେଲା ।

ଏକଥା ଦେଖୁଥିବା ସତ୍ତ୍ୱେ ଆମକୁ ଆମ ରାଷ୍ଟ୍ର ସୁରକ୍ଷା ଦାୟିତ୍ୱରେ ଥିବା ରାଜା ମହାରାଜାମାନେ ମୁସଲମାନ ଧର୍ମ କବଳରୁ ଉଦ୍ଧାର କଲେନି କି ମୁସଲମାନ ରାଜା ସାଙ୍ଗରେ ଲଢି ଆମକୁ ମୁଳ ହିନ୍ଦୁ ଧର୍ମକୁ ଫେରେଇ ଆଣିଲେନି, ବରଂ କେତେବେଳେ ମାନ ସିଂହ ଯାଇ ଆକବରର ସେନାପତି ହେଲା ତ କେତେବେଳେ ହିନ୍ଦୁ ରାଜାମାନେ ଆକବରକୁ ଜ୍ୱାଇଁ କରି ନିଜକୁ ପାୱାର କରିଡରରେ ସାମିଲକରିବାକୁ ଲାଇନ ଲଗେଇଲେ ।

ଏବେ ଆମେ ଏମାନଙ୍କୁ ପାକିସ୍ତାନ ତଡୁଛନ୍ତି । କିମ୍ୱା ସେତେବେଳେ ଏମାନଙ୍କୁ ଅଛୁତ ଦଳିତ କରି ଦ୍ୱିତୀୟ ଶ୍ରେଣୀ ନାଗରୀକ ପରି ରଖାଯାଇଥିଲା ଏବେ ବି ସେପରି ମସୁଧା କରୁଛନ୍ତି କିଛି ଧର୍ମାନ୍ଧ ଲୋକେ ।

ଗୋଟାଏ କଥା ଏ ଧର୍ମଅନ୍ଧ ମାନଙ୍କର ସ୍ମରଣ ରହୁନି ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ହିନ୍ଦୁ ବା ଭାରତୀୟ ଭୁଖଣ୍ଡର ବିଭିନ୍ନ ପୁରୁଣା ଧର୍ମସଂସ୍କୃତିର ଲୋକ । ଆମ ପୂର୍ବଜମାନଙ୍କ ଭୁଲ୍ ଯୋଗୁ କିଏ 500 ବର୍ଷ ହେଲା କିଏ ହଜାରେ ବର୍ଷ ହେଲା ମୁସଲମାନ ଖ୍ରୀଷ୍ଚିଆନ ହୋଇଛନ୍ତି ।

ଏବେ ଆମକୁ ଆମ ପୂର୍ବଜମାନଙ୍କର ଭୁଲ୍ ପାଇଁ କ୍ଷମା ମାଗି ସେମାନଙ୍କୁ ପୁଣି ଆମ ଭିତରକୁ ଆଣି ଆମମାନଙ୍କ ପରି ସମାନ ମର୍ଯ୍ୟାଦା, ସମାନ ସମ୍ମାନ, ସମାନ ଅଧିକାରର ଅଧିକାରୀ କରିବାକୁ ପଡିବ । ନିମତ ପରବରେ ପାଣ ଅଖାରେ ବସି ଖାଇବ, ଡମକୁ ବସିକି ଖାଇବା ମନା, ବଳିଲେ ମାଗିକି ନବ, ସିଆଡେ ତା ଘରେ ଖାଇବ, କଣ୍ଡରା ମନ୍ଦିରରେ ପୂଜା କରିପାରିବନି, କେବଳ ଗଉଡ ପୂଜା କରିବ, ଚଷା ଲଙ୍ଗଳ ଛୁଇଁ ପାରିବନି କେବଳ ବାହ୍ମୁଣ ହଳ କରିବ ଏମିତି ବହୁ ବିଭେଦ କୁସଂସ୍କାର ସବୁକୁ ହଟେଇବା ସହିତ, କୌଣସି କାରଣରୁ ଅନ୍ୟ ଧର୍ମସଂସ୍କାରକୁ ଆପଣେଇ ନେଇଥିବା ଲୋକଙ୍କୁ ନିଜ ଧର୍ମର ମହନୀୟତା ହୃଦବୋଧ କରାଇ ପାରିଲେ ସେମାନେ ମଧ୍ୟ ଏ ଧର୍ମର ମହନୀୟତାକୁ ସେମାନଙ୍କର ଆଚରଣରେ ପ୍ରତିଫଳିତ କରିବେ ଓ ଏହାର ମହନୀୟତାର ପ୍ରଶଂସା ତଥା ପ୍ରସାର କରିବାକୁ ମନବଳାଇ ପାରନ୍ତି ମଧ୍ୟ ।

ଧର୍ମ ସମୁଦ୍ର ପରି ବିଶାଳ,ଶାନ୍ତ । ସମୁଦ୍ରର ଢେଉ ଯେପରି ସମୁଦ୍ର ହୋଇ ମଧ୍ୟ ସମୁଦ୍ର ନୁହେଁ, ତେଣୁ ତାର ନାଁ ଜୁଆର ବା ଢେଉ, ଠିକ୍ ସେହିପରି ଧର୍ମ ସମୁଦ୍ରର ଢେଉ ନୁହେଁ, ଏହା ଏକ ଶାନ୍ତ ସ୍ଥିର ରତ୍ନଗର୍ଭା ବିଶାଳ ସମୁଦ୍ର । ଅଳ୍ପ ଦୃଷ୍ଟି ସମ୍ପନ୍ନ ଅଳ୍ପ ଲୋକଙ୍କ ବୋଧଶକ୍ତିରେ ଏହା କେବଳ ଜୁଆର ।

ତେଣୁ ସେମାନେ ନିର୍ବୁଦ୍ଧିଆ ନୋଳିଆ ହୋଇ ଢେଉ ଅତିକ୍ରମ କରି ସମୁଦ୍ର ବିହାର କରିବା କଳା ଅକ୍ତିଆର କରିବା କଥା ଚିନ୍ତା ନକରିପାରି, ବୁଦ୍ଧିଆ ଇଞ୍ଜିନିୟର ହୋଇ ପଥର ବନ୍ଧବାନ୍ଧି ସମୁଦ୍ର ଢେଉକୁ ଅଟକେଇ ଚୁପ୍ କରିଦେବା କାର୍ଯ୍ୟକୁ ଅଧିକ ବୁଦ୍ଧିମତ୍ତାର କାମ ବୋଲି ଭାବି ହାଫ୍ ପ୍ୟାଣ୍ଟ ପିନ୍ଧି ବର୍ଷ ବର୍ଷ ଧରି ଲଗାତର କାମରେ ଲାଗି ପଡିଥାଆନ୍ତି ।

ଲକ୍ଷ୍ମୀଧର ନାୟକ
FB post : 15th Feb 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights