ସିଂହ, କୁକୁର ଓ ମାଙ୍କଡ କଥା

Share it

ସିଂହ ପାଖକୁ ମାଙ୍କଡଟି ଯାଉଥିବାର ଦେଖି କୁକୁର ବୁଝିଗଲା ଯେ ଏଥିରେ କିଛି ଗୋଟେ ଲଫଡା ଅଛି…

ଦିନେ ଗୋଟିଏ କୁକୁର ଜଙ୍ଗଲରେ ରାସ୍ତା ଭୁଲିଗଲା… ସେତିକିବେଳେ ସେ ଦେଖିଲା ଗୋଟେ ସିଂହ ତା’ ଆଡକୁ ଆସୁଛି…

କୁକୁରର ହୋସ ଉଡିଗଲା… “ଆଜି ମୋ କାମ ସରିଗଲା…!” ତା’ପରେ ସେ ଦେଖିଲା କିଛି ଶୁଖିଲା ହାଡ ଆଗରେ ପଡ଼ିଛି..

ସେ ଆସି ସିଂହ ଆଡକୁ ପିଠିକରି ବସିଗଲା… ଏବଂ ଶୁଖିଲା ହାଡକୁ ଚୋବାଇ ଜୋରରେ କହିବାକୁ ଲାଗିଲା… “ବାଃ… ସିଂହ ଖାଇବାର ମଜା ହିଁ କିଛି ଅଲଗା… ଯଦି ଆଉ ଗୋଟିଏ ମିଳିଯା’ନ୍ତା, ତେବେ ପୁରା ପେଟ ଭର୍ତ୍ତି ହୋଇଯା’ନ୍ତା” ଏବଂ ଜୋରରେ ହାକୁଟି ଟିଏ ମାରିଲା…

ଏଥର ସିଂହ ଚିନ୍ତାରେ ପଡ଼ିଗଲା… ସେ ଭାବିଲା… “ଏ କୁକୁର ସିଂହକୁ ଶିକାର କରୁଛି! ଏଠୁ ଜୀବନ ବଞ୍ଚାଇ ଦୌଡ଼ି ପଳାଇବା ହିଁ ଭଲ!”

ଏବଂ ସିଂହ ସେଠାରୁ ଜୀବନ ନେଇ ଦୌଡ଼ି ପଳାଇଲା…

ଗଛ ଉପରେ ବସିଥିବା ଗୋଟିଏ ମାଙ୍କଡ଼ ଏହି ସବୁ ଦୃଶ୍ୟ ଦେଖୁଥିଲା…

ସେ ଭାବିଲା ଏଇଟା ଭଲ ସୁଯୋଗ… ସିଂହକୁ ପୁରା କାହାଣୀ କହିବି… ସିଂହ ସହିତ ବନ୍ଧୁ ହୋଇଯିବି ଏବଂ ମୋ ଜୀବନ ପ୍ରତି ବିପଦ ମଧ୍ୟ ସବୁଦିନ ପାଇଁ ଦୂରେଇ ଯିବ…

ସେ ସାଙ୍ଗେସାଙ୍ଗେ ସିଂହ ପଛରେ ଦୌଡ଼ିଲା…

ସିଂହ ପାଖକୁ ମାଙ୍କଡଟି ଯାଉଥିବାର ଦେଖି କୁକୁର ବୁଝିଗଲା ଯେ ଏଥିରେ କିଛି ଗୋଟେ ଲଫଡା ଅଛି…

ସେପଟେ, ମାଙ୍କଡ ସିଂହକୁ ସବୁ କାହାଣୀ କହିଦେଲା ଯେ କୁକୁର କିପରି ତାକୁ ବୋକା ବନେଇଥିଲା….

ସିଂହ ଜୋରରେ ଗର୍ଜନ କଲା… “ମୋ ସହିତ ଆସ, ମୁଁ ଏବେ ତା’ ଜୀବନ ଲୀଳା ଶେଷ କରୁଛି”…

ଏବଂ ସିଂହ ମାଙ୍କଡକୁ ପିଠିରେ ବସାଇ କୁକୁର ପାଖକୁ ଚାଲିଲା…

ଯେତେବେଳେ କୁକୁର ଟି ସିଂହ ଆସୁଥିବାର ଦେଖିଲା, ପୁଣି ଥରେ ଜୀବନ ସଙ୍କଟରେ ପଡ଼ିଥିଲା… କିନ୍ତୁ କୁକୁର ପୁଣି ଥରେ ସାହସ କରି ତା’ ଆଡକୁ ପିଠିକରି ବସି ଜୋରରେ କହିବାକୁ ଲାଗିଲା… “ଶାଲା, ଏ ମାଙ୍କଡ଼କୁ ପଠାଇବାର ଘଣ୍ଟାଏ ହୋଇଗଲା.. ମୂର୍ଖଟା, ଗୋଟେ ସିଂହକୁ ଏଯାଏଁ ଫସାଇ ଆଣି ପାରିଲା ନାହିଁ!”

ଏକଥା ଶୁଣିବା ମାତ୍ରେ ସିଂହ ମାଙ୍କଡ଼ଟିକୁ ସେଇଠି ଝୁଣି ଖୁବ୍ ଜୋରରେ ସେଠାରୁ ଦୌଡ଼ି ପଳାଇଲା…

ସେଥିପାଇଁ…….

କଠିନ ସମୟରେ କେବେବି ନିଜର ଆତ୍ମବିଶ୍ୱାସ ହରାନ୍ତୁ ନାହିଁ…

ହାର୍ଡ ୱାର୍କ ପରିବର୍ତ୍ତେ, ସ୍ମାର୍ଟ ୱାର୍କ କରନ୍ତୁ କାରଣ ଏହା ହିଁ ଆପଣଙ୍କୁ ଜୀବନରେ ପ୍ରକୃତ ସଫଳତା ଦେବ…

ଆପଣଙ୍କ ଚାରିପାଖରେ ଅନେକ ମାଙ୍କଡ଼ ଅଛନ୍ତି ଯେଉଁମାନେ ଆପଣଙ୍କର ଶକ୍ତି, ସମୟ ଏବଂ ଧ୍ୟାନକୁ ବିଭ୍ରାନ୍ତ କରନ୍ତି, ସେମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ….

ରଶ୍ମୀରଞ୍ଜନ ତ୍ରିପାଠୀ

*** **** ****

ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)

***** ***** ******


Share it

Leave a comment

Your email address will not be published. Required fields are marked *

Verified by MonsterInsights