ସମସ୍ତଙ୍କ ଭିତରେ ସୀତାରାମ ବିଦ୍ଯମାନ

Share it

ସିୟ ରାମ ମୟ ସବ ଜଗ ଜାନି
=================

ସେଦିନ ଥାଏ ସମ୍ବତ୍ ୧୬୩୧ର ରାମନବମୀ ତିଥି l ଭଗବାନ୍ ଶଙ୍କରଙ୍କ ଠାରୁ ଆଦିଷ୍ଟହୋଇ ଗୋସ୍ବାମୀ ତୁଳସୀ ଦାସ ଅଯୋଧ୍ୟାରେ ଶ୍ରୀରାମଚରିତମାନସର ବାଳକାଣ୍ଡ ଲେଖିବା ଆରମ୍ଭ କଲେ l ସେ ମାନସର ମଙ୍ଗଳାଚରଣରେ ଶଙ୍କର ପାର୍ବତୀ, ବିଦ୍ୟାଦାୟିନୀ ମାଆ ସରସ୍ୱତୀ,ଗଣେଶ, ଅନ୍ୟାନ୍ୟ ଦେବାଦେବୀ, ସନ୍ଥ ଓ ଖଳ ବନ୍ଦନା ଶେଷକରି ଲେଖିଲେ :-

ଆକର ଚାରି ଲାଖ ଚୌରାଶି l
ଜାତି ଜୀବ ଜଲ ଥଲ ନଭ ବାସୀ ll
ସୀୟ ରାମ ମୟ ସବ ଜଗ ଜାନି l
କରଉଁ ପ୍ରନାମ ଜୋରି ଯୁଗ ପାନି ll
ଜାନି କୃପାକର କିଙ୍କର ମୋହୁ l
ସବ ମିଲି କରହୁ ଛାଡ଼ି ଛଲ ଛୋହୁ ll
ନିଜ ବୁଦ୍ଧିବଲ ଭରସା ମୋହି ନାହାଁ l
ତାତେ ବିନୟ କରଉଁ ସବ ପାହାଁ ll

ଅର୍ଥାତ୍ ଚୌରାଶିଲକ୍ଷ ଯୋନିରୁ ଜାତ ଚାରିପ୍ରକାର ଜୀବଙ୍କ ଦ୍ଵାରା ଜଳ, ସ୍ଥଳ, ଆକାଶ ପୁରି ରହିଥିବା ଏହି ସମଗ୍ର ସଂସାରକୁ ସୀତାରାମ ମୟ ଜାଣି, ମୁଁ ଦୁଇକର ଯୋଡ଼ି ପ୍ରଣାମ କରୁଛି l ମୋର ବୁଦ୍ଧିବଳ ଉପରେ ଭରସା ନ ଥିବାରୁ ମୁଁ ଆପଣଙ୍କର କିଙ୍କର ସମସ୍ତଙ୍କୁ ବିନତିକରୁଛି l ଆପଣମାନେ ଛନ୍ଦକପଟ ଛାଡ଼ି ମୋତେ କୃପା କରନ୍ତୁ l

ଏତକ ଲେଖି ସେଦିନ ସେ ନିଜ ବାସସ୍ଥାନ ଆଡ଼କୁ ଚାଲିଲେ l ଏହିସମୟରେ କୁଆଡୁ ଗୋଟିଏ ବାଳକ ଆସି ତାଙ୍କ ପଛରୁ ଡାକପକାଇଲା, ଗୋସ୍ବାମୀଜୀ ! ତୁମେ ସିଆଡ଼େ ଯାଅନାହିଁ l ତୁମେ ଲାଲ ରଙ୍ଗ ବସ୍ତ୍ର ପରିଧାନ କରିଛ l ସେହିବାଟରେ ଗୋଟିଏ ମାରଣା ଷଣ୍ଢ ବୁଲୁଛି ତୁମକୁ ଭୂଷି ପକାଇବ l

ତୁଳସୀ ଦାସ ଭାବିଲେ, ଇଏ ଛୋଟିଆ ପିଲାଟିଏ l ଚପଳତା ବଶତଃ କଅଣ କହୁଛି l ହଉ, ତା କଥା ଯଦି ସତ ହୋଇଥାଏ, ତେବେ ଏ ଜଗତ ତ ସୀତା ରାମମୟ ବୋଲି ମୁଁ ଜାଣେ l ମୁଁ ସେହି ବୃଷଭଟିକୁ ପ୍ରଣାମ କରି ଚାଲିଯିବି l

ଏପରି ଭାବି ସେ ଆଗେଇ ଚାଲିଲେ l ସେ ଆଗକୁ କିଛି ବାଟ ଯାଇଛନ୍ତି, ସତକୁ ସତ ମାରଣା ଷଣ୍ଢଟା କେଉଁ ଆଡୁ ଦଉଡ଼ି ଆସି ତାଙ୍କୁ ଭୁଷି ତଳେ ପକାଇ ଦେଲା l

ଖଣ୍ଡିଆ ଖାବରା ଗୋସ୍ୱାମୀ ତୁଳସୀ ଦାସ, କୌଣସି ପ୍ରକାରେ ଉଠିକରି ଚାଲିଲେ ସେ ଯେଉଁଠି ବସି ମାନସ ଲେଖୁଥିଲେ l ମୁଁ ଭୁଲ୍ କଥା ଲେଖିଛି, ଏପରି ମନେ କରି ସେ ସୀୟାରାମମୟ ସାରା ଜଗ ଜାନି, ପାଦ୍ୟାଂଶଟିକୁ ଲିଭେଇ ଦେବାକୁ ଯାଉଛନ୍ତି, ସେଠାରେ ଆବିର୍ଭୁତ ହେଲେ ହନୁମାନ l ହନୁମାନ କହିଲେ, ବାବା ! ଆପଣ ଏ କଅଣ କରୁଛନ୍ତି l

ତୁଳସୀ ଦାସ କ୍ରୋଧରେ କହିଲେ, ଏ ଚୋଉପାଇଟି ମୁଁ ଭୁଲ ଲେଖିଛିl ସମସ୍ତ ଘଟଣା ବର୍ଣ୍ଣନାକରି ସେ କହିଲେ,ସେଇଟିକୁ ମୁଁ ଲିଭାଇ ଦେଉଛିl ହନୁମାନ ହସିଦେଇ କହିଲେ, ନାଆଁ ନାଆଁ ବାବା ! ଚୌପାଇ ଆପଣ ଏକବାର ଠିକ ଲେଖିଛନ୍ତି l କିନ୍ତୁ ଆପଣ ତ ବୃଷଭ ଭିତରେ ସୀତାରାମଙ୍କୁ ଦେଖିଲେ, ମାତ୍ର ସେ ବାଳକଟି ଭିତରେ କାହିଁକି ଦେଖିଲେନାହିଁ ? ସିଏ ତ ଭଲ ପାଇଁ ଆପଣଙ୍କୁ ସତର୍କ କରାଉ ଥିଲାl

!!! ଜୟ ବଜରଙ୍ଗବାଲୀ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights