ସମୁଦ୍ରର ଭୋକ

Share it

Katha Sarita
Laxmidhar Sahoo
13th August 2024

ସମୁଦ୍ରର ଭୋକ

ବସ୍ ବାହାରିଯିବାକୁ ଅପେକ୍ଷା କରିଥାଏ କେରଳ ଅଭିମୁଖେ ।ୱାଇନାଡ଼ରେ ଯେଉଁ ଭୁସ୍ଖଳନ ହେଲା ଯିବାକୁ ଡର ଲାଗୁଚି ତାକୁ ଖାଲି। ବୋଉ ବୁଝାଉଛି ତାକୁ, “ଧନରେ ବାବୁରେ କେମିତି ଘର ଚଳିବ ନା, ଲୁଣିବାଲି ଚରିଯାଇଥିବା ଏଇ ଭୁଇଁରେ ?” ସେ ବୋଉକୁ ବୁଝେଇ କୁହେ, “ମୁଁ ସମୁଦ୍ରକୁ ଯାଇଁ ମାଛ ଧରି ଚଳେଇଦେବି ମୋ ଘରକୁ, ତୁ ଚିନ୍ତା କରନା।” ବୋଉ ପୁଣି ଶଙ୍କାରେ କହେ, “ଆଜି ପଡିଶା ଘର ଟୁଲୁ ଫୋନରେ ଦେଖଉ ଥିଲା, ମହାକାଳପଡା ଆଡେ ହଟାତ ଘୋର ରାତିରେ ସମୁଦ୍ର ଅଶାନ୍ତ ହେଲା ବୋଲି, ସାତେ ମାଛଧରାଳି ନିଜ ବୋଟ୍ ସହ ଗୋଟେ ଦିନ ଅଧା ରାତି ଫସି ରହିଲେ ସେଠି । ମୋର ଭାରି ଭୟ ତୁ ଏ କାମ ପାରିବୁନି । ”

ସେ ଭାବିଥିଲା ତେଲ ଲଗେଇ ସମୁଦ୍ରରୁ ବୁଡ ପକେଇ ଆସି ଶାନ୍ତିରେ ପଖାଳ ଶୁଖୁଆ ଖାଇଥାନ୍ତା ହେଲେ ତାର ତେଲ ଲଗା ସମୟରେ ବୋଉର କଥାଗୁଡା ଫୁଟିଗଲା ତାକୁ । ତେଲ ନ ଲଗେଇ ଫୁଙ୍ଗୁଳା ଦେହରେ ବୁଲିବାକୁ ଚାଲିଗଲା ବେଳାଭୂଇଁକୁ ।

ସମୁଦ୍ରର ବେଳାଭୂଇଁ ବୁକୁରେ କିନ୍ତୁ ପ୍ରବଳ ନୀରବତା । କେତେଟା ଝାଉଁଗଛ ଖାଲି ଆକାଶକୁ ମୁହଁ କରି ହାତ ଧରାଧରି ହୋଇ ଟ୍ରାଇପଡ଼ ପରି ନିଜ ଚେର ଉପରେ ବଞ୍ଚି ରହିଛନ୍ତି ଖାଲି । ହାତ ଧରାଧରି ହେବାର ମାନେଟା ବୋଧେ ସେମାନେ ବି ଜାଣିଛନ୍ତି । ଆଉ କିଛି ଦିନରେ ଏ ସମୁଦ୍ର ୟାଙ୍କୁ ବି ଖାଇଯିବ । କେତେବା ବୟସ ୟାଙ୍କ ବଳିଲା ଆଉ ?

ଅଗଷ୍ଟ ମାସର ଶନିବାର । ବର୍ଷା ଆଜି ହେଇନି । ସମୁଦ୍ରବି ଶାନ୍ତ ଦେଖାଯାଉଛି । ନହେଲେ ଏ ସମୁଦ୍ରର ଭୋକକୁ ତାଠୁ ଅଧିକ ଆଉ ଅଧିକା ନିକଟରୁ ଆଉ କିଏ ଅବା ଦେଖିଚି ? କେଉଁଠି ଆକାଶ ସହ ମିଶିଛି ତାର ଠିକଣା ନାହିଁ ।

ବୁଡିଗଲା କି ତା ଭାବନା ସେଇ ସମୁଦ୍ରରେ ?

ଭାବୁ ଭାବୁ ସେ ଫେରିଗଲା ଅତୀତକୁ l ଯେଉଁଠି ସେ ଏବେ ଠିଆ ହୋଇଛି ସେଇଠି ପଚିଶି ବର୍ଷ ତଳେ ଥିଲା ବିଶାଳ ଗାଁଟା ଗୋଟେ l ମାଣେ ପାଞ୍ଚ ଗୁଣ୍ଠ ବିଲ ଥିଲା ତା ବାପାଙ୍କର l ଠିକ ଏଇ ସମୟକୁ ତା ବାପା ବିଲରେ ବନ୍ଧ ସାଜୁଡୁ ଥିବେ, ତଳି ସବୁକୁ ପାରା ଖାଇଯିବେ ବୋଲି ଜଗି ବସିଥିବେ ସେମିତି ହିଡ଼ ଉପରେ l ସେ ଖାଇବା ନେଇକି ଯାଏ ସୁକୁଆ ପୋଡା ପଖାଳ ଭାତ ପିଆଜ l ମହାନନ୍ଦରେ ବସି ଖାଆନ୍ତି ତା ବାପା l

ତା ସାଙ୍ଗ ଟୁଲୁ ଆଉ ସିଏ କେତେ ନଡ଼ିଆ କେତେ ତାଳ ସବୁ ଚୋରି କରି ଖାନ୍ତି l ସାତଭାୟାର ଭୁତ କଥା ଗପନ୍ତି l ଆକାଶ ଠେଇଁ ଯେଉଁଠି ସମୁଦ୍ର ମିଶିଛି ସେଇଠି କାଳେ ଦ୍ବୀପ ଗୋଟେ ଅଛି l ସୁନା ରୁପା ମୋତି ମାଣିକ୍ୟ ଭରି ରହିଛି ସେଠି l କିନ୍ତୁ ଭୁତକୁ ସାମ୍ନା କରିକି ଯିବାକୁ ପଡିବ l କେତେ ସୁନା ଅଛି ବୋଲି ବହସ ଛିଡେ ଦୁହିଁଙ୍କ ଭିତରେ l ଦୁହେଁ ବାଲିର ମହଲକରି ତାକୁ ସତ ବୋଲି କଳ୍ପନା କରନ୍ତି ତାକୁ ଫୁଲ୍ କରିବେ ଧନ ଧାନ୍ୟରେ l

କିନ୍ତୁ ସେଇ ଟୁଲୁ ଏବେ କେରଳରେ କାମ କରୁଛି l ଫେରିଲେ ଖାଲି କହୁଛି ମୋର୍ଚା କରିବାକୁ l ମୋର୍ଚା କରି ଯାଇଁ ଜିଲ୍ଲାପାଳଙ୍କୁ ଚିଠି ଦେଇ କହିବାକୁ l ତାଙ୍କୁ ଥଇଥାନ ଦରକାର l ଲୋକଙ୍କ ବିଲ ଘର ସବୁ ଯାଇଛି l ତାଙ୍କୁ ଥଇଥାନ କରନ୍ତୁ l କିନ୍ତୁ ସେ ଶୁଣେନା l

ଅତୀତରୁ ଫେରିବାକୁ ଜମାରୁ ଇଚ୍ଛା ହେଉନି l ତଥାପି ଫେରି ଦେଖିଲାରୁ ଜାଣିଲା ସେ ଅନେକ ଦୂର କୁ ଚାଲି ଆସିଲାଣି l ବାଲିରେ ତାର ପାଦ ଚି଼ହ୍ନ ଲମ୍ବିଛି ବହୁତ ଦୂର ଯାଏଁ l ଅଦୂରେ ମା ପଞ୍ଚବରାହୀଙ୍କ ଭଗ୍ନ ମନ୍ଦିର l ମୁଣ୍ଡିଆ ଟାଏ ମାରିଲା ସେ l ପୁଣି ଯେମିତି ସେଇ ନମସ୍କାର ମୁଦ୍ରାରେ ହୋଇଗଲା ଛ’ ବର୍ଷର ଶିଶୁ l ଚାରି ପଟେ ମେଳା ମହୋତ୍ସବ ଲାଗିଛି l ବାଜା ଶଙ୍ଖ ଘଣ୍ଟ ଘଣ୍ଟାରେ କମ୍ପୁଥିଲା ପରିବେଶ l ସେ, ତା ବାପା ତା ବୋଉ ସମସ୍ତେ ଆସିଥିଲେ l ଗାଁ ଟା ଯାଙ୍କର ଲୋକ ଚାହିଁ ରହିଥାନ୍ତି ଭାବରେ l ଦର୍ଶନ ସାରି ଫେରିଲା ବେଳକୁ ଚାରିପଟେ ବରା ସିଙ୍ଗଡ଼ା ଦୋକାନ l ବାପାଙ୍କ ଛ’ ଇଞ୍ଚିଆ ସାଇକେଲର ରଡ୍ ଉପରେ ବସିଥାଏ ସେ l ଖାଇବାକୁ ଜିଦି କରେ l ପଛରେ ମୁହଁ ଢାଙ୍କି ବସି ଥିବା ବୋଉ ଦାନ୍ତରେ ଓଢଣୀକୁ ଧରି ରଖି ଚାପୁଡ଼ା ଟାଏ ବସାଏ ତା’ ଉପରେ l ସେ କାନ୍ଦିବାକୁ ଆରମ୍ଭ କରେ l ବାପା ଆଣିକି ଦିଅନ୍ତି ଶ୍ରୀମତୀଙ୍କୁ ବୋଧ ଦେଇ l ସେ ବେଲୁନ ପାଇଁ ଜିଦି କରେ l ବୋଉ ରାଗେ l କିନ୍ତୁ ବାପା ମନ ବୁଝି ଦେଇକରି ତାକୁ ବୋଧ କରାନ୍ତି l କିନ୍ତୁ ଖେଳିଲା ବେଳେ, ଆକାଶରେ ଉଡାଇଲା ବେଳେ ଫାଟିଯାଏ ଆପେ ଆପେ l

ପୁଣି ଫେରିଲା ସେ ଅତୀତର ସଫରରୁ l ପଞ୍ଚବରାହୀ ମନ୍ଦିରର ଆଗ ଜମାରୁ ନାହିଁ, ମୁଖଶାଳା ଭାସିଯାଇଛି ସମୁଦ୍ରରେ l ବାଲି ଖାଇ ଗଲାଣି ତାକୁ l

ଆଗକୁ ବଢିଲା ସେ l ଟାଟୁନ କାକା ଡ଼ଙ୍ଗା ଧରି ଯାଉଥିଲେ ସମୁଦ୍ର ଭିତରକୁ l ସେ ବି ଦିନେ ଯାଇଥିଲା, ତା ବାପାଙ୍କ ସହ, ମାଛ ଧରିବା ପାଇଁ l ସମୁଦ୍ର କିନ୍ତୁ ସେଦିନ ଅଶାନ୍ତ l ତାକୁ ପ୍ରବଳ ଡର l କିନ୍ତୁ ବାପା ବୋଧ ଦେଲେ l କେତେ ବାତିଆ କେତେ ବନ୍ୟା ଦେଖିଛନ୍ତି ସେ l ଜାଲ ପକେଇ ମାଛ ଧରିବାର ତାଙ୍କ କୌଶଳ ଦେଖି ଭାବୁଥିଲା କାଳେ ସବୁ ବନ୍ୟା ବାତ୍ୟା ଅଧିଆ ପଡନ୍ତି ତାଙ୍କ ପାଦ ତଳେl ଆହୁଲା ଆହୁରି ଜୋରେ ଜୋରେ ଚାଲିଲା l ପବନ ଅଧିକା ଅଧିକା ବୋହିଲା l ମଝି ସମୁଦ୍ରରେ ଡ଼ଙ୍ଗା l ଉଠଳ ପୁଥଳ ସମୁଦ୍ରର ତରଙ୍ଗ l ଲିଭିଗଲା ଲଣ୍ଠଣଟା l ବାପାଙ୍କୁ ବାଟ ଦେଖା ଯାଉନି ଫେରିବାକୁ l ଚପୁ ଏକଡ଼ କୁ ଦେଲେ ପବନ ଠେଲି ଦଉଚି ସେକଡକୁ ଦେଲେ ଠେଲି ଦେଉଛି ପାଣି l କୁଆଡେ ଯିବ ? କାନ୍ଦି ଉଠିଲା ସେl ତାକୁ ବୋଧ ଦେବା ପାଇଁ ବାପା ତାକୁ ଜାବୁଡି ଧରିଲେ l ବର୍ଷା ପକେଇବା ଆରମ୍ଭ ହେଲା l ଆହୁରି ଅଧିକ, ଅଦୂରରେ ପଡିଲା ବୁଜୁଳି l ତା ବାପା କିଛି ଦେଖିବାକୁ ଦେଉ ନଥିଲେ ତାକୁ l ସେ ଡରିବାର ଜାଣି ତା କାନ ବି’ ବନ୍ଦ କରିଦେଲେ ତା ବାପା l କିନ୍ତୁ ଧୀରେ ଧୀରେ ତା ଚେତା ବୁଡି ଆସିଲା l ହୋସ ପାଇଲାରୁ ଜାଣିଲା ସେ ବଞ୍ଚିଯାଇଛି କିନ୍ତୁ ତା ବାପା ଭାସି ଯାଇଛି ସମୁଦ୍ରରେ l ଛୋଟ ବୋଲି ତା ବୋଉ ନାନା କଥା କହି ବୁଝେଇ ଦେଲା ତାକୁ l ସେଇଦିନୁ ସେ ସମୁଦ୍ରକୁ ଚିହ୍ନେ l

ସବୁ ବର୍ଷ ସମୁଦ୍ରର ଭୋକ ବଢୁଛି l ଗାଁ ଜନବସତୀ ବିଲ ବାଡ଼ି ନଡିଆ ଗଛକୁ ଖାଇ ଯାଉଛି l ନିୟୁଜ, ମିଡ଼ିଆ କେତେ ଆସି ଖାଲି ବାହୋସ୍ପଟ ମାରି କହୁଛନ୍ତି ଗ୍ଲାସିଆର ତରଳୁଛି ସେଥିପାଇଁ ଏତେ ଭୋକl କିନ୍ତୁ ମିଡ଼ିଆ ଆଙ୍ଗୁଠି ଉଠେଇବାକୁ ଡରେ ସେଇ ମାନଙ୍କ ବିପକ୍ଷରେ ଯିଏ ଏତେ କାର୍ବନ ଛାଡ଼ୁଛନ୍ତି ଆକାଶକୁ l

ଟାଟୁନ କାକା ଦେଖି ପଚାରିଲା, ” ଆରେ ତୁ ପରା କେନ୍ଦ୍ରାପଡ଼ାରେ ଥିଲୁ ? ତିରିଶ ବର୍ଷର ଭେଣ୍ଡିଆ ହେଲୁଣି ବା ? ପୁଣି ଚାଲି ଆସିଲୁ ? ”

କିଛି କହିଲାନି ସେ l ଆଗେଇ ଚାଲିଲା l ଅନୁଭବ କଲା ବହୁତ ବାଟ ଚାଲି ଆସିଛି ସେ l ପଛକୁ ଚାହିଁଲା l ତା ପାଦ ଚି଼ହ୍ନରେ ଭରିଯାଇଛି ପାଣି l ଦେଖିଲା ସମୁଦ୍ରଟା ଫେନୀଳ ହେଇ ଧାଇଁ ଆସୁଛି ତା ଆଡକୁ l ତା ପାଦ ଚି଼ହ୍ନକୁ ଖାଇ ତା ଗୋଡ଼କୁ ଧରିଲାଣି l

ସେ ଦୌଡ଼ିଲା l ପଞ୍ଚବରାହୀ ମନ୍ଦିର, ଝାଉଁବଣ, ବେଳା ଭୂଇଁ l ଟିକେ ଉଚ୍ଚ କୁ ଆସିଲା l କିନ୍ତୁ ସମୁଦ୍ର କାଇଁ ଏବେ ବି ଥମୁନି l ଦୌଡୁଛି ସମୁଦ୍ର l ସେ ଦେଖିଲା ତା ଆଗରେ ବିରାଟ ଗାଁ l ଚାଳ ଛପର ସବୁ l ସମୁଦ୍ର ସବୁ ଖାଇ ଦେଇଛି ବୋଲି ସବୁ ବର୍ଷ ଘର ଗଢୁଛନ୍ତି ଭାଙ୍ଗୁଛନ୍ତି l କେତେ ପୁଣି ବସ୍ ରେ ବସି ସୂତାକଳକୁ ଯିବେ ବୋଲି ବାହାରିଛନ୍ତି l ଇଆଡୁ ସମୁଦ୍ର ଟାଣୁଛି l ଇଆଡୁ ଲୋକ ତାକୁ ଟାଣୁଛନ୍ତି ତାଙ୍କ ସହ କେରଳ ଯିବା ପାଇଁ l

ତ୍ରିଶଙ୍କୁ ଅବସ୍ଥାରେ ସେ l କିନ୍ତୁ ଦୁଇଟା ଭିତରୁ କେଉଁଟା ସ୍ୱର୍ଗ କେଉଁଟା ନର୍କ ସେ ଜାଣିପାରୁନି l


ଲଷ୍ମୀଧର ସାହୁ


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights