ଲୋପାମୁଦ୍ରା ପରିଡା
**********
ସେ ସବୁଦିନେ ଆସନ୍ତି । ସେଏ ଦୂର ଷ୍ଟେନଲେସ ଷ୍ଟିଲ ବଙ୍କା ହାତିଆ ଚେୟାର ରେ ଆଉଜେଇ ବସନ୍ତି, ବସିରହନ୍ତି ସ୍ଥିର ଭାବେ ।ମୋ କେବିନ୍ ବେଡ୍ କୁ ଚାହିଁ ରହନ୍ତି ଅପଲକ ଭାବେ, ମତେ ଅସ୍ବସ୍ତି ଲାଗେ କିନ୍ତୁ ସେ ନିର୍ବିକାର । କିଛି ପରିବର୍ତ୍ତନ ଦିଶେନି । ମୁଁ ଆଶ୍ଚର୍ଯ୍ୟ ତ ହୁଏ କାହିଁକି ସେ ଆସନ୍ତି, ଯଦି ଆସନ୍ତି ତେବେ କଣ କେବଳ ଏମିତି ଏ ବେଞ୍ଚଟିରେ ବସିବାକୁ ଏ ଚାରିତାଲା ଚଢିକି ଆସନ୍ତି? ଅନ୍ଯ କୋଉଠି ବି ତ ବସିପାରନ୍ତେ । ଏତେ ପାର୍କ ଅଛି, ମନ୍ଦିର ଅଛି, କେତେ କଣ କୁଆଡେ ଅଛି । ଏ ଜାଗା ଟା ଏମିତି କଣ ମନକୁ ପାଇଯାଇଛି ଭଲା । ହଉ ହେଲା ତୁମ ମନ ତୁମ ନିଷ୍ପତ୍ତି କିନ୍ତୁ ମଝିରେ ମୁଁ କଣ କଲି ଭଲା । ମତେ ଏମିତି ଚାହିଁ ରହିବାକୁ କେମିତି ଭଲ ଲାଗୁଛି ଯେ । ଯଦି କିଛି କହିବାର ଅଛି ତ ଏଠି ଆସି ପାଖରେ ବସି ବି ତ କହି ହୁଅନ୍ତା । ନା ସେଇ ସେଇ ବେଞ୍ଚରୁ ହି ଦେଖିବେ ଦେଖିବେ ଆଉ ଚାଲିଯିବେ । ଅଜିବ ପୃଥିବୀ ର ଗଜିବ ଲୋକ ଜଣକ ।
ଏବେ ଏବେ ତ ମୁଁ ତାଙ୍କ ଆସିବାର ଆଭାସ ପାଇଲେ ହି ଶୋଇପଡିବାର ଛଳନା ବାହାନା କରେ ଛୋଟ ପିଲାଟିଏ ମା’ କୁ ଲୁଚେଇଲା ପରି ଯେବେକି ମୋର ଯେତିକି ମନେ ଅଛି ମୁଁ ବଡ ନିର୍ଭୀକ । କିନ୍ତୁ ଆହୁରି ଆଶ୍ଚର୍ଯ୍ୟ କରି ମୁଁ ଶୋଇପଡିଛି ଭାବି ସେ ପରଦା ଯାଏ ଆସନ୍ତି ଆଉ ଦେଖୁଥାନ୍ତି ଯେମିତି କିଛି ଗୋଟେ ପାଇଯାଉଛନ୍ତି ହଜିଲା ଅପୂର୍ବ କିଛି ତ ଗୋଟିଏ ।
ତାଙ୍କର ଏମିତି ଆସିବାଟା ମତେ ବିବ୍ରତ କରେନି, ଆଶ୍ଚର୍ଯ୍ୟ କରେ ନିଜର ବ୍ଯବହାର ଯୋଗୁଁ ଯେତେବେଳେ କି ମୁଁ ଭାରି ଚୁପଚାପିଆ, ଗମ୍ଭୀର, ଅତି କମ ହସୁଥିବା ବ୍ଯକ୍ତିତ୍ବ ….. ମୋର ଯେତିକି ମନେ ଅଛି କିନ୍ତୁ, ୟାଙ୍କୁ ଦେଖିଲେ ହି ମତେ ସେ ଟାଣନ୍ତି କେଉଁ ଏକ ଅଜଣା ଆକର୍ଷଣ ରେ …… ଆକର୍ଷିତ ତ ହୁଏ ମୁଁ ଆପେ ଆପେ । ଅଜଣା କାହା ସହ ସହଜ ହୋଇପାରେନି ନିଶ୍ଚେ । ଏବେ ଏବେ ଲାଗେ ଯେମିତି ମୁଁ ଜଣେ ନୁହେଁ, ଦି’ଜଣ । ମନମଷ୍ତିସ୍କ ଆଉ ହୃଦୟ ତାଳମେଳରେ ନ ପଡି ଛନ୍ଦି ଛନ୍ଦି ହେଉଛନ୍ତି । ମନେପଡୁଛି ଯାହା, ମା କହେ ଏ ହୃଦୟ ଟା କାଳେ ସବୁବେଳେ ସତ କହେ କିନ୍ତୁ ଧିରେ କହେ ଆଉ ଏ ମନ …….. ବାରମାସୀ, ମିଶାମିଶି ଶାଗ…. ଚିଲଉଥାଏ ‘ମୋ କଥା ଶୁଣ୍, ମୋ କଥା ଶୁଣ୍ ” । ମୁଁ ବଦଳା ବଦଳା ଲାଗେ ନିଜକୁ । ହସିବାକୁ, ଖେଳିବାକୁ, ଖୁସିହେବାକୁ, କାନଭାସ୍ କୁ ଖୋଜେ କିନ୍ତୁ ……..
ନର୍ସ ଙ୍କୁ ପଚାରେ ଜିଜ୍ଞାସା ଦବେଇ ନପାରି, ସେ ଠାରରେ କୁହନ୍ତି ଡକ୍ଟର ପରା କହିଛନ୍ତି ଆପଣ ଆରାମ କରିବେ ଆଉ ଅଳ୍ପ ମାନେ ପୁରା ଅଳ୍ପ କହିବେ । କିନ୍ତୁ …. । ଲାଗେ ସେ ଯେମିତି ଖାଲି ମୋତେ ହି ଦୃଶ୍ୟମାନ ….. ତାଙ୍କ ସ୍ବ ଇଛ୍ଛାରେ ।
ଆଛ୍ଛା ଏ ମେଡିକାଲରେ ତ ମୋ ଘର ଲୋକଙ୍କୁ ସୁଦ୍ଧା ମୋ ପାଖକୁ ଛାଡନ୍ତିନି ଇନଫେକସନ ଭୟରେ ।ତେବେ ୟାଙ୍କୁ ଅନୁମତି ମିଳେ କେମିତି? ଦିଏ କିଏ ? ପରିଚିତ କାହାର? କଥା କଣ ? କିଛି ତ ଅଛି । ଏମିତି ଏମିତି ଗୁଡେଇ ତୁଡେଇ ମୋର ସେଠା ରହଣୀ ସରିଗଲା ।
ପୁରା ମାସକରେ ମୁଁ ଡିସଚାର୍ଜ ହେଇ ଫେରିଲି ଘରକୁ ଥାକେ ଔଷଧ ଚିଠା, ଥାକେ ବାରଣ ଆଉ ଥୋଲାଏ ଡର ମିଶା ନିଶ୍ବାସ ବୋହି ।ଏଟା ଖାନି ସେଟା କରନି ତ ହୁଏ ପିଲା ଦିନୁ ଯେ ରୋଗୀ ହବା ଯାଏ ।ଏଇ ଯାହା ମଝିରେ ଚାରି ଆଠ ବର୍ଷ ନିଜ ମୁତାବକ ମଣିଷ ଡେଇଁ ପାରେ ସାତସମୁଦ୍ର ।
କୂଳରେ ଠିଆ ହୋଇ କେବେ କଣ ମାପିହୁଏ ଗଭୀରତା ସମୁଦ୍ର ର ,ନା ଗଣିହୁଏ ପାଦତଳ ଅଗଣିତ ବାଲି ରେଣୁ ନା ମୁଣ୍ଡ ଉପରର କଣିକା ପରି ବିଛ୍ଛୁଡି ପଡିଥିବା ମିଟିମିଟିଆ ତାରା ପୁଞାଏ ର ଲୁହ ଯାହା ପ୍ରତି ଦିନ ଜନ୍ମେ ଆଉ ଲିଭୁଥାଏ ଟିମ୍ କରି ।ମଝିଦରିଆ ରେ ଉବୁଟୁବୁ ହବାକଥା ଯାହା ।
ସେ ଆଉ ମନେ ନଥିଲେ ବେଶୀ ବୋଧେ , କିନ୍ତୁ କାହାକୁ ଖୋଜୁଥିଲି ଜାଣେନି ….. ଖୋଜୁଥିଲି ନିଶ୍ଚେ ।ହଠାତ୍ ଦିନେ କୁହୁଡିଆ ସକାଳଟାରେ ପରଦା ଆଡେଇ ରାସ୍ତା କୁ ଦେଖୁଛି, ଦିଶିଲେ ରାସ୍ତା ସେପାରେ ସେ ।ଲାଲ୍ ନାରଙ୍ଗୀ ମିଶା ଏକ ଲେଲିହାନ ଶିଖାପରି ଶାଢୀର ରଙ୍ଗ ରେ ଝଲସୁଥିଲେ ଏ ମଝି ଅପରାହ୍ନ ବୟସରେ ବି ।ବାସ୍ ଆଖି ଦିଓଟି ସ୍ତମିତ ଦୀପ ପରି ସ୍ଥିର ସ୍ଥିର ।ମୁଁ ଭାବିଲି କେଜାଣି ସେ କି ନା ।ଆଉ କେହି ବି ହେଇପାରନ୍ତି, ହୋଇପାରେ ମୋ ମନଛାଇ ତଳର କଳ୍ପନା, ଖୋଜିବାପଣ ।କିନ୍ତୁ ସେ ତ ଅଚିହ୍ନା, ତାଙ୍କୁ ଏତେ ଖୋଜା କାହିଁକି? ପବନରେ ଫେରି ଆସିଲା ପ୍ରଶ୍ନ ସବୁ ପୁଣି ମୋ ପ୍ଲେଟ୍ କୁ ସାଇଁ କରି ।
ମୁଁ ବହିଟିଏ ପଢିବାରେ ମନ ଦେଲି ।କିନ୍ତୁ ମନ ଛବି ରେ ରଙ୍ଗ ଭରିବାକୁ ଚାହିଁଲା ।କେବେ ଧରିନଥିବା ତୂଳୀ ମାନେ ଏବେ କାଇଁ ଏତେ ଆପଣାର ଲାଗନ୍ତି, ବୁଝିପାରେନା ।ଡକ୍ଟର ଦେଇଥିବା ହାର୍ଟ ଡୋନରଙ୍କ ନାଁ ଓ ସବିଶେଷ ବିବରଣୀ ଥିବା ଫାଇଲ୍ ଟିରେ ନଜର ବୁଲେଇଲି ।ଅଠର / ଏଗାର / ଏକସ୍ତରୀ ।ଜନ୍ମ ତାରିଖ ।ମୋ ଦେହରେ ଏବେ ଏଇ ମହାନ ମଣିଷ ଟିର ହୃଦୟ ।ସେ ଅଜଣା, ଠିକ୍ ଈଶ୍ବର ଙ୍କ ପରି । ସେ ଜୀବନଦାତା ଠିକ୍ ଈଶ୍ବର ଙ୍କ ପରି । ଅନନ୍ତ ଚିତ୍ରକରଙ୍କ ପରି ଚିତ୍ରଶିଳ୍ପୀ ଟିଏ ।ଆରେ ଆଜି ତ ଅଠର / ଏଗାର …… ଅନ୍ଯମନସ୍କତା ର ଚୁନା ଚୁନା ଜଳକଣା ଜମୁଛନ୍ତି ଆପେ ଆଖି ର କୋଣରେ …. ଅଜାଣତେ ।ସେମିମୋରି ଲସ୍ ।
ଟ୍ରଂ ଟ୍ରଂ, ଦୁଆର ବେଲ୍ ।ସମିତା, ମୋ ଝିଅ କବାଟ ଖୋଲିବାକୁ ଗଲା ଆଉ ଯାଉ ଯାଉ ମତେ ଖୁସିରେ ଚାହିଁଲା ।ବଦଳିଥିବା ମୁଁ ଭଲ ଲାଗୁଥିଲି ସମସ୍ତଙ୍କୁ ।
_ ବାବା, ଦେଖନ୍ତୁ ।କିଏ ଆସିଛନ୍ତି ଆପଣଙ୍କୁ ଭେଟିବାକୁ?
ପଛରେ ସେଇ ସ୍ଥିର ଆଖି ର ଅସ୍ତରାଗ ଅସ୍ମିତା ।ହାଲକା ମାଜେଣ୍ଟା ରଙ୍ଗର ଲିପ୍ କଲର ଟା ବେଶ୍ ମାନୁଥିଲା ସରୁଧାରେ ଓଠରେ ।କାନରେ ପର୍ଲ ହ୍ବାଇଟ୍ ଟପ୍ ଓ ବେକରେ ସେଇ ଏକା ମୋତିର ପେଣ୍ଡେନ୍ଟ ଟିଏ ।ହାଲକା ସୁନେଲୀ ବର୍ଣ୍ଣା ସେ ଅଭିଜାତ୍ଯ ସଂପନ୍ନ ଲାଗୁଥିଲେ ମେହେନ୍ଦୀ କରା କେଶବିନ୍ଯାଶ ସହ ,ବେଶୀ ସଜଢଜ ନୁହେଁ କିନ୍ତୁ ରୁଚିଶୀଳା ନିଶ୍ଚେ ।ହେଲେ ମୁଁ କେବେ ଠୁ ଏତେ ନିରିଖେଇ ଦେଖିଲିଣି ,ପୁଣି ଆଶ୍ଚର୍ଯ୍ୟ ଘେରୁଥିଲା ନିଜପାଇଁ ନିଜକୁ ନେଇ ।ସୌଜନ୍ୟତା ଦୃଷ୍ଟି ରୁ ସୋଫାକୁ ହାତ ବଢେଇ କହିଲି ,ବସନ୍ତୁ ।
_ ମୁଁ ଆପଣଙ୍କୁ ଦେଖିଆସୁଛି ମେଡିକାଲ ରୁ ।ଆମେ କଣ ଦିହେଁ ଦିହିଁଙ୍କି ଚିହ୍ନୁ ? ଭେଟିଛେ କି କେବେ ଆଗରୁ ।ମୋର କାଇଁ ସ୍ମୃତି ରେ ସ୍ମରଣ ଆସୁନି ।ସବୁକିଛି ଝାପ୍ସା ।ଆପଣ କିଛି କହିବେ?
ସେ ସେମିତି ଠିଆ ହୋଇ ଏକ ଲୟରେ ଚାହିଁଥାନ୍ତି ।ହଠାତ୍ ସମ୍ବିତ୍ ଫେରିପାଇ ଅଳ୍ପ ମୁଖନତ କରି କହିଲେ ,
_”ହାପି ବାର୍ଥ ଡେ ” ।
ତାଙ୍କ ଛଳଛଳ ଆଖି ଏକ ସ୍କୋୟାର କଟ୍ ସମୁଦ୍ର ପରି ଦିଶୁଥିଲା ବୋଧେ ।କେଜାଣି?
ମୋ ହାତରେ ପ୍ଯାକେଟ ଟିଏ ଧରେଇ ଦେଇ ଅପସରି ଗଲେ ଝଡ ବେଗରେ ଏମିତି ଯେମିତି କେବେ ଆସି ହି ନଥିଲେ ।ସ୍ତମ୍ଭୀଭୂତ ମୁଁ ,ମୋ ଜନ୍ମ ଦିନ ତ ଆଜି ନୁହେଁ ।
ଝିଅ ଚା’ନେଇ ଆସି ପଚାରିଲା ,ପାପା ସେ ଆଣ୍ଟି କୁଆଡେ ଗଲେ। ଚା’ପି ନଥାନ୍ତେ ।ସେ କବାଟ ବାହାରକୁ ଝାଙ୍କୁ ଥିଲା ।ମୁଁ ଛୋଟିଆ ଗୋଲାପ ଓ ପିଙ୍କ ରିବନ ଲାଗିଥିବା ଗିଫ୍ଟ ରାପର୍ କୁ ସଯତ୍ନେ ଖୋଲୁଥିଲି ।ଏକ ନୂଆ ସେଟ୍ ର ଅଏଲ୍ କଲର, ବିଭିନ୍ନ ସାଇଜ୍ ର ବ୍ରଶ୍ ।ଭିତରେ ଚଉତା କାଗଜ ଟିଏ ଯେଉଁ ଥିରେ ସୁନ୍ଦର ଭିଜା ଭିଜା ଅକ୍ଷରରେ ଲେଖିଥିଲା ,
“ହୃଦୟ ତ କେବେ ଭୁଲେନି । ତୁମେ ହି ତ କହିଥିଲ 💗
ସାଉଁଟି ନେଉଥାଏ ସ୍ମୃତିଫୁଲସବୁ କୁ ଅନୁଭୁତିରେ
କଥା ଥିଲା ପରା ସବୁ ଜନମକୁ …….।
ତୁମ ଅପେକ୍ଷାରେ ।”
Lopamudra parida
Panathur
Bangalore
ବହୁତ ସୁନ୍ଦର ଗପ। ଧନ୍ୟବାଦ ଲୋପା
ଅଜସ୍ର କୃତଜ୍ଞତା ଅପା । ଆପଣ ଏମିତି ଗୋଟିଏ ଗପ ମୋର ବାଛି ନେଇଛନ୍ତି ଯାହା ମୋ ହୃଦୟର ଖୁବ୍ ପାଖରେ ।
ଅଜସ୍ର କୃତଜ୍ଞତା ଅପା । ଆପଣ ଏମିତି ଗୋଟିଏ ଗପ ମୋର ବାଛି ନେଇଛନ୍ତି ଯାହା ମୋ ହୃଦୟର ଖୁବ୍ ପାଖରେ ।
ବହୁତ ଭଲ ଲାଗିଲା । ହୃଦୟସ୍ପର୍ଶୀ ଗପ ଟିଏ । କଲମ ପାଇଁ ଢେର ସାରା ଭଲ ପାଇବା ପଠାଇଲି ।