ସପତ ବରଷ ପୁତ୍ର ମନ୍ଦର ଧଇଲା

Share it

ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ

କୋଇଲି,
ସପତ ଦିନ ଇନ୍ଦ୍ର ବୃଷ୍ଟି କଲା
ସପତ ବରଷ ପୁତ୍ର ମନ୍ଦର ଧଇଲା

ଶ୍ରୀମଦ ଭାଗବତ ମହାପୁରାଣର କଥା । ବାଳକୃଷ୍ଣ ଦିନେ ଗୋପ ବାଳକ ମାନଙ୍କ ସହିତ ବ୍ରଜ ଦାଣ୍ଡରେ ଖେଳୁଥାନ୍ତି ଶୁଣିବାକୁ ପାଇଲେ ଯେ ଗୋପ ପୁରରେ ଇନ୍ଦ୍ରଙ୍କ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଗୋପର ମୁଖିଆ ଗୋପାଳ ମାନେ ବସି ଇନ୍ଦ୍ରପୂଜା ବିଷୟରେ ନନ୍ଦ ରାଜାଙ୍କ ସହିତ ଆଲୋଚନା କରୁଥାନ୍ତି । ଏହି ସମୟରେ ନଟ ଖଟିଆ କାହ୍ନା କୁଆଡ଼ୁ ଦୌଡ଼ି ଆସି ତାଙ୍କ ନିକଟରେ ବସି ପଡ଼ିଲା ।

ଆଲୋଚନା ପରେ ପୂଜାଦିନ ସ୍ଥିର ହେଲା । ଯାହା ଯାହା ସାମଗ୍ରୀ ମାନ ଦରକାର ସେସବୁ ସ୍ଥିରହେଲା । ଭିନ୍ନଭିନ୍ନ ପ୍ରକାରର ଭୋଗସାମଗ୍ରୀ ଓ ତାହାର ପ୍ରସ୍ତୁତି ନେଇ ସବିଶେଷ ଆଲୋଚନାହେଲା । ନନ୍ଦରାଜଙ୍କ କୋଳରେ ଚଗଲା କାହ୍ନା ବସି ଆଖି ମିଟିମିଟିକରି ସବୁ ଶୁଣୁଥାଏ ।

ସବୁ ସ୍ଥିର ହୋଇଯିବାରୁ ନନ୍ଦବାବାଙ୍କୁ କହ୍ନେଇ ଗେହ୍ଲେଇ ହୋଇ ପଚାରିଲା,” ବାବା, ଏ ପୂଜା, ପୁଣି ଏତେସବୁ ଆୟୋଜନ କେଉଁଥିପାଇଁ, ଏ ପୂଜା କାହାର ପୂଜା” ?

ନନ୍ଦ କହିଲେ,”ବାବୁରେ ପିଲା ଲୋକ । ଏସବୁ କଥା ତୁ ବୁଝି ପାରିବୁନାହିଁ । ତୁ ବଡ଼ହେଲେ ଜାଣିବୁ । ଏହା ହେଉଛି ଇନ୍ଦ୍ରପୂଜା । ଇନ୍ଦ୍ର ଜଣେ ବଡ଼ଦେବତା । ସେ ଦେବତାଙ୍କ ରାଜା । ସେ ଠିକ ସମୟରେ ଵର୍ଷା କରୁ ଥିବାରୁ ଆମ ପୃଥିବୀ ଶସ୍ୟଶ୍ୟାମଳା ହେଉଛି । ତରୁ ତୃଣ ସବୁ ଉତ୍ପନ୍ନ ହେଉଛନ୍ତି । ସେଇଥି ପାଇଁ ଆମେ ଖାଦ୍ୟ ଶସ୍ୟ ପାଉଛନ୍ତି ଓ ଆମ ଗାଈଗୋରୁ ମାନେ ଘାସ ପାଉଛନ୍ତି ।”

ଏହା ଶୁଣି ବାଳକ କୃଷ୍ଣ କହିଲେ, “ବାବା ! ଆମର ଗାଈମାନେ ତ ଗୋବର୍ଦ୍ଧନପର୍ବତରେ ଚରିବୁଲି ଘାସ ଖାଉଛନ୍ତି । ଆମେସବୁ ଗୋପାଳ ବାଳକମାନେ ମଧ୍ୟ ଗୋବର୍ଦ୍ଧନ ପର୍ବତରେ ଖେଳିବୁଲି ଆମୋଦ କରୁଛୁ । ତେଣୁ ଇନ୍ଦ୍ରପୂଜା କାହିଁକି, ଏହି ଗୋବର୍ଦ୍ଧନ ପର୍ବତ ହିଁ ଆମର ଦେବତା। ଗୋବର୍ଦ୍ଧନହିଁ ପୂଜ୍ୟ । ଏଣୁ ଯାହା ସ୍ଥିର କରା ଯାଇଛି ତାହା ଠିକନୁହେଁ। ତେଣୁ ଆମେ ଇନ୍ଦ୍ରପୂଜା ନକରି ସେହି ତିଥିରେ ଗିରି ଗୋବର୍ଦ୍ଧନଙ୍କୁ ପୂଜା କରିବା ।”

ବାଳକର ଏ କଥା ଶୁଣି ନନ୍ଦରାଜା କହିଲେ,”ଇନ୍ଦ୍ର ଦେବଙ୍କୁ ଆମେ ନୈବେଦ୍ୟ ଦେଉଛୁ ସେ ଏହାକୁ ଗ୍ରହଣ କରୁଛନ୍ତି, ଗୋଵର୍ଦ୍ଧନଗିରି କ’ଣ ତାହା ଗ୍ରହଣ କରିବ”?

କୃଷ୍ଣ କହିଲେ, ନିଶ୍ଚୟ, ହସ୍ତ ପ୍ରସାରି ଗୋଵର୍ଦ୍ଧନ ପର୍ବତ ନିଶ୍ଚୟ ଆମ ନୈବେଦ୍ୟ ଗ୍ରହଣ କରିବେ । ସେଠି ଉପସ୍ଥିତଥିବା ସବୁ ମୁଖିଆ ମାନେ ଏକ ସ୍ୱରରେ ପ୍ରତିବାଦ କରି ଉଠି କହିଲେ, ଏ କାହ୍ନା କଅଣ କହୁଛି ? ଇନ୍ଦ୍ରପୂଜା ବନ୍ଦକଲେ ସେ ଆମ ଅବସ୍ଥା ରଖିବେ ଟି ? ପ୍ରତିଶୋଧ ନେଇ ବୃଷ୍ଟି, ବଜ୍ରପାତ କରି ସେ ଗୋପ ପୁରକୁ ଛାର ଖାର କରି ଦେବେ ।

ଶ୍ରୀକୃଷ୍ଣ କହିଲେ ଯାହା ବି ହେଉ, ଆମେ ଗୋବର୍ଦ୍ଧନ ପୂଜାହିଁ କରିବା। ଇନ୍ଦ୍ର ରୁଷ୍ଟ ହୋଇ ଯଦି କୌଣସି କ୍ଷତି କରିବାକୁ ଚେଷ୍ଟା କରନ୍ତି ତାଙ୍କ କଥା ମୁଁ ଵୁଝିବି । ତାଙ୍କ ଗର୍ବ ନିଶ୍ଚୟ ଖର୍ବ ହେବ ।

ବାଳକ କୃଷ୍ଣଙ୍କର ଅଦ୍ଭୁତ କର୍ମସବୁକୁ ଦେଖି ଗୋପୀ ଗୋପାଳ ମାନଙ୍କ ତାଙ୍କ ଉପରେ ଭରସା ତ ଥିଲା । ସମସ୍ତେ ତେଣୁ ରାଜି ହୋଇ କହିଲେ,”ହଉ ! ଆମ କହ୍ନେଇ ଯାହା କହୁଛି ତାହାହିଁ ହେଉ”।

ଇନ୍ଦ୍ରଙ୍କ ପୂଜା ବନ୍ଦ ହୋଇ ଗୋବର୍ଦ୍ଧନ ପୂଜା ହେଲା । ଗିରିଗୋବର୍ଦ୍ଧନ ହସ୍ତପ୍ରସାରି ଗୋପାଳଙ୍କ ନୈବେଦ୍ୟ ଗ୍ରହଣ କଲେ । ଗୋପାଳ ମାନେ କୃଷ୍ଣଙ୍କ କଥା ମାନି ଇନ୍ଦ୍ରଙ୍କ ପୂଜା ବନ୍ଦ କରିଦେବାରୁ ଦେବରାଜ ଅତ୍ୟନ୍ତ କୋପଭର ହୋଇ ଚାରିମେଘ ଆବର୍ତ୍ତକ, ସମ୍ଵର୍ତ୍ତକ, ଦ୍ରୋଣ, ପୁଷ୍କର ଆଦିଙ୍କୁ ଆଦେଶ ଦେଲେ ଗୋପପୁର ଯାଇ ମୁଷଳ ଧାରାରେ ଵର୍ଷା କରିବା ପାଇଁ ।

ସବୁ ମେଘମାନେ ମିଶି ଐରାବତହସ୍ତୀ ଶୁଣ୍ଢରୁ ପାଣି ଢ଼ାଳିଲା ପରି ସାତଦିନ ଧରି ଵର୍ଷାକଲେ । ଇନ୍ଦ୍ର ଘନ ଘନ ବଜ୍ର ବୃଷ୍ଟି କରି, ବ୍ରଜ ଭୂମିକୁ ପ୍ରକମ୍ପିତ କଲେ । ସତେ ଯେମିତି ବ୍ରଜ ଭୂମିରେ ମହାପ୍ରଳୟ ସୃଷ୍ଟି ହୋଇଛି ।

ଆତଙ୍କିତ ବ୍ରଜବାସୀଙ୍କୁ ଅଭୟଦେଇ କୃଷ୍ଣ କହିଲେ, ତୁମେ ମାନେ ଭୟ କର ନାହିଁ । ମୁଁ ଏହାର ବ୍ୟବସ୍ଥା କରୁଛି । ଏପରି କହି ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଉପାଡ଼ି ଆଣି ନିଜ କାଣି ଆଙ୍ଗୁଠିରେ ଛତ୍ର ପରାୟେ ତୋଳିଧରି ସମସ୍ତ ବ୍ରଜବାସୀଙ୍କୁ ଏହା ତଳକୁ ଚାଲି ଆସିବାକୁ କହିଲେ । ଗୋପାଳ ମାନେ ଗୋରୁ ଗାଈ ମାନଙ୍କୁ ଧରି ଆସି ଗୋବର୍ଦ୍ଧନ ଗିରିର ଛାୟା ତଳେ ଆଶ୍ରୟନେଲେ । କୃଷ୍ଣ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ସାତ ଦିନ ଟେକି ଧରି ଗୋପ ପୁରକୁ ରକ୍ଷା କଲେ । କୃଷ୍ଣ ହେଲେ, ଗିରିଧାରୀ । ସେତେ ବେଳେ କୃଷ୍ଣ ଥିଲେ ମାତ୍ର ସପ୍ତବର୍ଷର ବାଳକ । ପ୍ରାଚୀନକବି ମାର୍କଣ୍ଡ ଦାସ ଏଣୁ କହିଲେ :-

    କୋଇଲି,
    ସପତ ଦିନ ଇନ୍ଦ୍ର ବୃଷ୍ଟି କଲା
    ସପତ ବରଷ ପୁତ୍ର ମନ୍ଦର ଧଇଲା ।।

ବ୍ରଜ ପୁରର ଗୋପୀ ଗୋପାଳଗଣ ଆଶ୍ୱସ୍ତ ହେଲେ । ଇନ୍ଦ୍ର ବଜ୍ର ମାରିମାରି ଥକିଗଲେ । ମେଘମାନେ ବର୍ଷି ବର୍ଷି ନିର୍ଜଳ ହୋଇଗଲେ । ସମସ୍ତ ଵର୍ଷାଜଳକୁ ଗର୍ଗ ଋଷି ପାନକରିଦେଲେ । ବତାସ, ମେଘ ଓ ବଜ୍ରପାତ ଆଦି ବିତ୍ପାତଦ୍ୱାରା ଦେବରାଜ ଇନ୍ଦ୍ରଙ୍କ ଗୋପପୁରକୁ ଉଜାଡ଼ି ଦେବା ସଂକଳ୍ପ ପଣ୍ଡ ହେଲା । ତାଙ୍କର ଗର୍ବ ଚୂର୍ଣ୍ଣ ହେଲା ।

ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ ଓ ସୁରଭିଗାଭୀଙ୍କୁ ଘେନି ଆସି ତାଙ୍କୁ ଗୋବିନ୍ଦ ବୋଲି ନାମ ଦେଇ ତାଙ୍କ ପଦ ବନ୍ଦନା କରିବାକୁ ଲାଗିଲେ, କୃଷ୍ଣ ହେଲେ ଗୋବିନ୍ଦ ।

ଭାଗବତରେ ଇନ୍ଦ୍ରଙ୍କ ପ୍ରାର୍ଥନାକୁ ଅତିବଡ଼ି ଜଗନ୍ନାଥ ଦାସ ସୁନ୍ଦର ଭାବେ ବର୍ଣ୍ଣନା କଲେ :-

ତୁ ନାଥ ଗୋକୁଳର ଇନ୍ଦ୍ର
ନାମ ମୁଁ ଦେବଇଁ ଗୋବିନ୍ଦ ।।
ସୁରଭି କ୍ଷୀର ବରଷିଲା
ଗୋବିନ୍ଦ ବୋଲି ନାମ ଦେଲା ।।

ଓଁ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights