ସପ୍ତ-ତାଳ-ଛେଦନ କରନ୍ତୁ ରାଜସ୍ବ ସଚିବ ….

Share it

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୁଆପଡା, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଏମିତି 14 ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟମାନଙ୍କ ସହ ସଂଲଗ୍ନ ଥିବାରୁ, ଯଦି ସୀମାଖୁଣ୍ଟି ଉପୁଡିପଡେ କିମ୍ୱା ସୀମାଖୁଣ୍ଟିମୂଳ ଦୋହଲିଯାଏ ଏବଂ ଏ ସବୁର ତୁରନ୍ତ ମରାମତି ନହୁଏ ସେଥିପାଇଁ ସମ୍ପୃକ୍ତ ତହସିଲଦାର ଦାୟୀ ରହିବେ ବୋଲି ଚିଠିରେ ତାଗିଦ୍ କରିଥିଲେ ରାଜସ୍ୱ ସଚିବ ।

ରାଜସ୍ୱ ସଚିବ 2021 ମସିହା ଫେବୃୟାରୀ 13 ତାରିଖରୁ ରାଜ୍ୟର ସୀମାନ୍ତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୀମା ଖୁଣ୍ଟି ତନଖି କରିବାକୁ । ସ୍ଥାନୀୟ ତହସିଲଦାରମାନଙ୍କ ମାଧ୍ୟମରେ, ଉପୁଡିଯାଇଥିବା ସୀମାଖୁଣ୍ଟିକୁ ପୁନର୍ବାର ପୋତିବା ଏବଂ ହୁଗୁଳି ଯାଇଥିବା ସୀମା ଖୁଣ୍ଚି ବା ପଥରକୁ ମଜବୁତ କରିବା ପାଇଁ ରାଜସ୍ୱ ସଚିବ ନିର୍ଦେଶ ଦେଇଥିଲେ ।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୁଆପଡା, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଏମିତି 14 ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟମାନଙ୍କ ସହ ସଂଲଗ୍ନ ଥିବାରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୀମାଖୁଣ୍ଟି ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସଜାଗ କରିଥିଲେ ଓଡିଶା ସରକାରଙ୍କ ତତ୍କାଳୀନ ରାଜସ୍ୱ ସଚିବ ।

ଯଦି ସୀମାଖୁଣ୍ଟି ଉପୁଡିପଡେ କିମ୍ୱା ସୀମାଖୁଣ୍ଟିମୂଳ ଦୋହଲିଯାଏ ଏବଂ ଏ ସବୁର ତୁରନ୍ତ ମରାମତି ନହୁଏ ସେଥିପାଇଁ ସମ୍ପୃକ୍ତ ତହସିଲଦାର ଦାୟୀ ରହିବେ ବୋଲି ଚିଠିରେ ତାଗିଦ୍ କରିଥିଲେ ରାଜସ୍ୱ ସଚିବ ।ଏଣିକି ପ୍ରତି 15 ଦିନରେ ଥରେ ଜିଲ୍ଲାପାଳମାନେ ରାଜସ୍ୱ ବିଭାଗକୁ ସୀମା ସୁରକ୍ଷା ସମ୍ପର୍କୀତ ଏକ ଗୁପ୍ତ ରିପୋର୍ଟ ପ୍ରଦାନ କରିବାକୁ କଡା ନିର୍ଦେଶ ବି ଜାରୀ କରିଥିଲେ ରାଜସ୍ୱ ସଚିବ ।

ମୋ ମତରେ କେବଳ ପଥର ଖୁଣ୍ଟି ସୀମା ଚୁହ୍ନଟ କରିବା ଓ ସମ୍ଭାଳିବା ପାଇଁ ପର୍ଯ୍ୟାପ୍ତ ହେବନାହିଁ, ବରଂ ସପ୍ତ ତାଳ ରୋପଣ ହିଁ ଏ ସୀମା ବିବାଦର ଏକ ମଜବୁତ୍ ସମାଧାନ ହେବ।

ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୁଲ୍ୟରେ ଏ ସପ୍ତ ତାଳ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଗଲେ ସୀମା ସୁରକ୍ଷା ସଚେତନତା ଅଧିକ ବ୍ୟାପକ ହେବାସହ ଏ ସପ୍ତ ତାଳ ସୀମାରେଖା ଭେଦ କରି, ସପ୍ତ ତାଳ ଛେଦନ କରି ପଡୋଶୀ ରାଜ୍ୟ ଆମ ରାଜ୍ୟ ସୀମା ଭିତରକୁ ମାଡି ଆସି ପାରିବ ନାହିଁ ।

ସ୍ଥାନୀୟ ପୁରୁଖା ଲୋକଙ୍କ ମତରେ କେବଳ ବିଷ୍ଣୁ ସ୍ୱରୂପ ପରାକ୍ରମୀ ମହାବୀରମାନେ ହିଁ ସପ୍ତ ତାଳ ଛେଦନ କରିବାକୁ ସମର୍ଥ, ବିଷ୍ଣୁ ଯେତେବେଳେ ବୀର ଭୁମିକାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରୁପରେ ଜନ୍ମ ଗ୍ରହଣ କରିଥିଲେ, ସେ ହିଁ ସେତେବେଳେ ଏକା ଶରରେ ସପ୍ତ ତାଳ ଛେଦନ କରି ପାରିଥିଲେ ।

ମହା ପରାକ୍ରମୀ ବାଳୀକୁ ଯେ ଶ୍ରୀରାମ ବଧ କରିପାରିବେ ଦୁର୍ବଳ ସୁଗ୍ରୀବର ଏ ବିଶ୍ୱାସ ହେଲା ନାହିଁ, ଆଗରୁ କିସ୍କିନ୍ଦ୍ୟାରେ ପ୍ରବାଦ ଥିଲା ଯେ ଏକା ଶରକେ ଯିଏ ସପ୍ତ ତାଳ ଭେଦ କରି ପାରିବ ସିଏ ହୁଏତ ମହାବଳୀ ବାଳୀକୁ ବଧ କରିପାରେ ।

ତେଣୁ ସୁଗ୍ରୀବ ବାଳୀକୁ ଯୁଦ୍ଧ କରିବାକୁ ଆହ୍ୱାନ କରିବା ପୂର୍ବରୁ ତାଙ୍କର ରକ୍ଷା କର୍ତ୍ତା ମିତ୍ର ବିଷ୍ଣୁରୂପି ଶ୍ରୀରାମଙ୍କ ବଳ ପରୀକ୍ଷା କରିବାକୁ ଚାହିଁଲେ ଏବଂ ଏକା ଶରକେ ସପ୍ତ ତାଳ ଛେଦନ କରିବାକୁ ଶ୍ରୀରାମଙ୍କୁ କହିଲେ।

ପ୍ରଭୁ ଶ୍ରୀରାମ ଏହା କରି ଦେଖାଇ ଦିଅନ୍ତେ ସୁଗ୍ରୀବଙ୍କର ଯାଇ ବିଶ୍ୱାସ ଜନ୍ମିଲା ଓ ସେ ବାଳିକୁ ଯୁଦ୍ଧପାଇଁ ଆହ୍ବାନ ଦେଲେ । ବାଳି ଯେତେବେଳେ ବଙ୍କରରୁ ବାହାରି ଆସି ଦୁର୍ବଳ ବୀର ଧର୍ମାତ୍ମା ସୁଗ୍ରୀବଙ୍କ ସହ ଲଢେଇ ଆରମ୍ଭ କରିଦେଲା, ବିଷ୍ଣୁ ସ୍ୱରୂପ ପ୍ରଭୁ ଶ୍ରୀରାମ ପଛରୁ ଲୁଚିକରି ବାଳି ଉପରକୁ ଶକ୍ତିଶାଳୀ ଶର ନିକ୍ଷେପ କରି ବାଳି ବଧ କରିଥିଲେ ।

ତେଣୁ ଆମ୍ଭ ପରି ସାଧାରଣ ଲୋକଙ୍କ ଅନୁରୋଧ ରକ୍ଷା କରନ୍ତୁ ରାଜସ୍ୱ ସଚିବ ।

ସପ୍ତ ତାଳ ରୋପଣ ମାଧ୍ୟମରେ ପ୍ରଥମେ ଅନ୍ତରାଜ୍ୟ ସୀମା ଛେଦନ କରି ଦେଖାନ୍ତୁ, ତାହେଲେ ଯାଇ ଓଡିଶା ଲୋକଙ୍କର ବିଶ୍ୱାସ ହେବ ଯେ ପଡୋଶୀ ରାଜ୍ୟ ସହ ସୀମା ଲଢେଇ ହେଲେ ଆମ ରାଜସ୍ୱ ସଚିବ ଆମ ରାଜ୍ୟକୁ ସୁରକ୍ଷା ଦେଇ ପାରିବେ ।

ସପ୍ତ ତାଳ ରୋପଣ ଅର୍ଥ ଆନ୍ତ ରାଜ୍ୟ ସୀମାରେ 12 ଫୁଟ ବ୍ୟବଧାନରେ ସମାନ୍ତରାଳ ଭାବରେ ସାତ ଧାଡି ତାଳ ଟାକୁଆ ପୋତିବ, ଲ୍ୟାଣ୍ଡମାଇନ୍ ବିଛେଇଲା ପରିକା ।

ବର୍ଷା ହେବାମାତ୍ରେ ଏ ଟାକୁଆମାନେ ମନକୁ ମନ ଗଜାଫୁଟି ଗଛମାନ ଉଠିବେ ଏବଂ ପ୍ରାୟ ଶହେ ବର୍ଷଯାଏ ଦିନ ପ୍ରତିଦିନ ବଢି ବଢି ଆକାଶଶ୍ଚୁମ୍ଭୀ ହୋଇ ଚାଲିବା ସହ ସୀମା ସୁରକ୍ଷାର ଜୈତ୍ର ବାନା ଉଡାଇ ଚାଲିବେ, ଏ ସପ୍ତ ତାଳ ମାଳ ଅନ୍ଧକୁ ବି ଅନୁଭବ କରାଇ ପାରିବ ଯେ କେଉଁ ସୀମା କାହାର ।

ଜଙ୍ଗଲ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ୱର ତଥା ସାଧାରଣ ଲୋକଙ୍କ ସହଯୋଗରେ
12 ” × 7 = 84 ଫୁଟ ଚଉଡାର ଏକ ଅନ୍ତ ରାଜ୍ୟ ସପ୍ତ ତାଳ ସୀମା କରିଡର ସୃଷ୍ଟି କରି ପାରିବେ କି ରାଜସ୍ୱ ସଚିବ ଓ ରାଜସ୍ୱ ମନ୍ତ୍ରୀ ?

ଯଦି ଆମ ରାଜସ୍ୱ ସଚିବ ଓ ରାଜସ୍ୱ ମନ୍ତ୍ରୀ ଉପର କଥିତ ସପ୍ତ ତାଳ ରୋପଣ ମାଧ୍ୟମରେ ପ୍ରଥମେ ଆମକୁ ଆମ ଆନ୍ତରାଜ୍ୟ ସୀମା ଛେଦନ କରି ଦେଖାଇ ଦେଇ ପାରିବେ ତାହେଲେ ଆମ୍ଭେ ପ୍ରଜାକୁଳ ବିଶ୍ୱାସ କରିବୁ ଯେ ଆମ୍ଭ ଧର୍ମାତ୍ମା ସରକାର ଆମ୍ଭ ରାଜ୍ୟର ସୀମା ମଧ୍ୟ ସୁରକ୍ଷା କରି ପାରିବେ ।

– ଲକ୍ଷ୍ମୀଧର ନାୟକ
Mo Lekha, FB post : 03.03.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights