ପୃଥିବୀ ବଦଳୁଛି ଓ ସୁନାବେଡ଼ା ସ୍ଥିର ଅଛି ଏହା ହିଁ ସୁନାବେଡ଼ାର ସବାଶେଷ ମୌଳିକତା
ଉପତ୍ୟକାର ସୀମାନ୍ତରେ ମିଳୁଥିବା ମାଣିକ ୟୁରୋପ ଦେଶରେ କୁରୁଣ୍ଡମ ନାମରେ ପରିଚିତ। ଅର୍ଥାତ କାରୁଣ୍ଡ କ୍ଷେତ୍ରରେ ମିଳୁଥିବା ରତ୍ନ ।
ଓଡ଼ିଶା ଓ ଛତିଶଗଡ଼ର ଯେତିକି ପୋଡ଼ାଇଟାର ପ୍ରାଚୀନ କୃତି ଆମେ ଦେଖିଥାଉ ସେ ସମସ୍ତ ଇଟା ମାରାଗୁଡ଼ାରେ ତିଆରି ।
ତାମ୍ରଯୁଗରୁ ବହୁ ପୂର୍ବ ସମୟର ପ୍ରସ୍ତର ଉପକରଣ, ପ୍ରସ୍ତର ଚିତ୍ର, ପ୍ରସ୍ତର ସ୍ତୁପ ଆଦି ସୁନାବେଡ଼ା ଉପତ୍ୟକାରେ ମିଳିଥାଏ।
ସୁନାବେଡ଼ା ଅଭୟାରଣ୍ୟରେ ବାଘ ନାହିଁ ଖବରଟି ସମସ୍ତଙ୍କୁ ବିଚଳିତ କରିବା କଥା। କାହିଁକି ବିଚଳିତ କରିବା କଥା ?
ଉତ୍ତର ଜାଣିବା ପୂର୍ବରୁ ସୁନାବେଡ଼ାକୁ ଜାଣିବା ଉଚିତ।
ସୁନାବେଡ଼ା ଉପତ୍ୟକା ପୂର୍ବଘାଟ ପର୍ବତମାଳାର ଗୋଟିଏ ଅଂଶ ଯାହା ମଧ୍ୟଦେଶ ସୀମାକୁ ଛୁଇଁଛି । ରଚନାର ପ୍ରଥମ ମଣିଷ ସୁନାବେଡ଼ାକୁ ଛୁଇଁଛି । ସେ ଆରମ୍ଭ କରିଛି ଗୋଟିଏ ସଂସ୍କୃତି। ଯାହା ସ୍ଥିର ଓ ସ୍ୱୟଂ ସମ୍ପୂର୍ଣ୍ଣ ।
ତାମ୍ରଯୁଗରୁ ବହୁ ପୂର୍ବ ସମୟର ପ୍ରସ୍ତର ଉପକରଣ, ପ୍ରସ୍ତର ଚିତ୍ର, ପ୍ରସ୍ତର ସ୍ତୁପ ଆଦି ସୁନାବେଡ଼ା ଉପତ୍ୟକାରେ ମିଳିଥାଏ। ଏହାଠାରୁ ମାରାଗୁଡ଼ା ଉପତ୍ୟକାରେ ମିଳିଥିବା ସମୟ ପର୍ଯ୍ୟନ୍ତ କ୍ରମବିକାଶ ହୋଇଛି।
ଏହି ଉପତ୍ୟକାରୁ ସାଂଖ୍ୟ ଭାରତ ଭୂଖଣ୍ଡର ସାଂସ୍କୃତିକ ଧାରାକୁ ପ୍ରଭାବିତ କରିଥାଏ। ପ୍ରଥମେ ବୁଦ୍ଧ ଓ ପରବର୍ତ୍ତ ସମୟରେ ହିନ୍ଦୁ ଧର୍ମଧାରାର କାୟାକଳ୍ପ କରି ପାରିଥିବା ଉପତ୍ୟକା ହେଉଛି ସୁନାବେଡ଼ା ଉପତ୍ୟକା । ଜଗନ୍ନାଥ ସଂସ୍କୃତିର ଏନ୍ତୁଡ଼ିଶାଳ । ଓଡ଼ିଶାର ଧରନୀଖୁଟା ଧାନର ଜନ୍ମଭୂମୀ । ପୃଥିବୀ ବଦଳୁଛି ଓ ସୁନାବେଡ଼ା ସ୍ଥିର ଅଛି ଏହା ହିଁ ସୁନାବେଡ଼ାର ସବାଶେଷ ମୌଳିକତା ।
କୋଟ ପାଟର ଗୌଡ଼ଗଡ ଗୁଡ଼ାରାଇଜ ଆଦି ନୈସର୍ଗୀକ ପରିଚୟ ପରେ ଆଗନ୍ତୁକ ଓ ରାଜାମାନେ ନିଜ ନିଜର ସୀମା ତିଆରି କରନ୍ତି। ଭାରତର ରାଜନୈତିକ ମାନଚିତ୍ର ତିଆରି ହୁଏ ଓ ସୁନାବେଡ଼ାକୁ ଦୁଇଟି ରାଜ୍ୟ ଭାଗ କରି ନିଅନ୍ତି, ଓଡ଼ିଶା ଓ ମଧ୍ୟପ୍ରଦେଶ। ବର୍ତ୍ତମାନ ଓଡ଼ିଶା ଓ ଛତିଶଗଡ଼ ଆବୋରି ଥିବା ରାଇଜ ସୁନାବେଡ଼ା, ପାଟଧରା ଓ ଉଦନ୍ତୀ ଅଞ୍ଚଳରେ ଭାଗ ହୋଇଛି।
ସ୍ଵାଧୀନତା ପରେ ସରକାର ଚିନ୍ତାକଲେ ସୁନାବେଡ଼ା ଉପତ୍ୟକାରେ ଅସଭ୍ୟ ମଣିଷ ରହନ୍ତି। ଗୋଟିଏ ସମ୍ବିଧାନ ତଳେ ଦୁଇଟି ରାଜ୍ୟ ସରକାର ପହରିଆକୁ ଦୁଇଟି ନାମରେ ଚିହ୍ନନ୍ତି ଆଦିବାସୀ ଓ ଓବିସି । ସରକାର ଉନ୍ନୟନ ଏଜେନ୍ସି ଥାପନା କରନ୍ତି। ଅଭୟାରଣ୍ୟ ଘୋଷଣା କରନ୍ତି। ଜଙ୍ଗଲ ଆଇନ ବି ତିଆରି କରନ୍ତି।
ଏନଜିଓ ଦେଖେ ସୁନାବେଡ଼ାର ଲୋକେ ଅନଗ୍ରସର ଅଛନ୍ତି। ସେମାନେ ଲୋକଙ୍କୁ ବୁଝାନ୍ତି ସରକାର ତୁମ ଜଙ୍ଗଲକୁ କିପରି ଦେଖେ ? ଏନଜିଓ ବୁଝନ୍ତି ନାହିଁ ପହରିଆ, ଭୁଞ୍ଜିଆ, ଗଣ୍ଡ, ଗଣା, ଗଉଡ଼ ତାଙ୍କ ଜଙ୍ଗଲକୁ କିପରି ଦେଖନ୍ତି?
ମାଓବାଦୀ ଆସନ୍ତି। ଉପତ୍ୟକାର ଲୋକଙ୍କୁ ନ୍ୟାୟ ଅନ୍ୟାୟ ବୁଝାନ୍ତି। ତାଙ୍କର ଦଣ୍ଡ ସଂହିତାରେ ଖ୍ରୀ ପୂ ଷଷ୍ଠ ଶତାବ୍ଦୀରୁ ଗୋରସ କିଣି ଆସୁଥିବା ବେପାରୀ ବି ଦୋଷୀ ଓ ସଭ୍ୟତାର ଆରମ୍ଭରୁ ସୁନାଦେଇଙ୍କ ପୂଜା କରୁଥିବା ପୂଜାରୀ ବି ଦୋଷୀ। ପ୍ରଜାକୋଟ ଦୁହିଙ୍କ ମୃତ୍ୟୁଦଣ୍ଡ ଘୋଷଣା କରେ।
ସରକାର ଚିନ୍ତାକରନ୍ତି ସୁନାବେଡ଼ାରେ ମାଓବାଦୀ ଅନ୍ୟାୟ କରୁଛନ୍ତି। ସେ ଉପତ୍ୟକା ଲୋକଙ୍କୁ ସୁରକ୍ଷା ଦେବାପାଇଁ ସୈନ୍ୟ ପଠାନ୍ତି। ସୈନ୍ୟମାନେ ଲାଲବଙ୍ଗଲାକୁ ପଶି ମାଓବାଦୀ ଖୋଜନ୍ତି। ଲୋକେ ଆଦି ସତ୍ୟକୁ ସମ୍ମାନ ଦେଇ ଲାଲବଙ୍ଗଲାକୁ ନିଆଁ ଲଗେଇ ଦିଅନ୍ତି। ସରକାର ଲୋକଙ୍କୁ କ୍ଷମା ମାଗନ୍ତି ନାହିଁ।
ସୈନ୍ୟମାନେ ମାଓବାଦୀ ମାରନ୍ତି ମାଓବାଦୀମାନେ ସୈନ୍ୟ ମାରନ୍ତି, ଉଭୟେ ମଣିଷ ମାରନ୍ତି।
ସରକାର କହନ୍ତି ସୁନାବେଡ଼ାକୁ ବ୍ୟାଘ୍ରପ୍ରକଳ୍ପ କରିବା। ଉପତ୍ୟାକା କହେ ବାଘ ଆମ ପରିବାରର ଲୋକ। ବାଘ ମରିବା ଖବର ଶୁଣିଲେ ଆମେ ଦଶ ଦିନର ଶୁଦ୍ଧି କାମ ସାରି ଲଣ୍ଡା ହେଉ। ତାକୁ ନେଇ ପ୍ରକଳ୍ପ କରନାହିଁ ସେ ଆମସହ ରହିବ।
ଅଠେଇଶ, ଆଠ, ଚାରି, କରି ସରକାର ବାଘ ଗଣେ। ବିଭାଗ କେମରା ଲଗାଏ। କେମରା ଖୋଲିଦିଏ। ଲଗାଏ ଓ ଖୋଳଲିଦିଏ। କାହାର ଫଟୋ ଆସେ କାହାର ଫଟୋ ଆସେନାହିଁ କେହି ଜାଣନ୍ତି ନାହିଁ। ଠେକୁଆ, ନୀଳଗାଈ, ଚିତା, ରାଜସ୍ଥାନୀ ଛେଳୀ ଓ ଓଟ, ଶିକାରୀ, ମାଓବାଦୀ, ସୈନ୍ୟ କି ବିଭାଗୀୟ ଲୋକ ନା ପହରିଆ, ଭୁଞ୍ଜିଆ, ଗଉଡ, ଗଣ, ଡମ, ବେପାରୀ କି ତସ୍କର କାହାର ଫଟୋ ଥିବ କେଜାଣି ସରକାର କହନ୍ତି ସୁନାବେଡ଼ାରେ ବାଘ ନାହିଁ।
ପଡ଼ୋଶୀ ରାଜ୍ୟ ଜଙ୍ଗଲ ତଷ୍କରଙ୍କୁ ଧରେ। ସବୁ ଓଡ଼ିଶାରୁ ବୋଲି ଜଣାପଡ଼େ। ଓଡ଼ିଶା ସରକାର ପାଟଧରାକୁ ଅଭୟାରଣ୍ୟ ସୀମାକୁ ନେବାପାଇଁ ସୈନ୍ୟ ପଠାନ୍ତି। ସରକାରୀ ଖାତାରେ ବାଘ ହଜିଯାଏ।
ସଭ୍ୟତାର ପ୍ରଥମ ଦିନରୁ ସୁନାଦେଈ, ଗୁରୁବୁଢ଼ା, ବୁଢ଼ାରଜା, ଦ୍ଵାରସେନୀ, ଠାକୁରଦେଓ, ଠାକୁରାଣୀଙ୍କ ପିଠରେ ସମଗ୍ର ଗୁଡ଼ାରାଇଜ ତାର ମୌଳିକ ସ୍ପନ୍ଦନରେ ସ୍ପନ୍ଦିତ ହେଉଥାଏ। ଶହେ କିମି ଦୂର ବଲାଙ୍ଗିର ଲାଠୋରରେ ବାଘଟିଏ ମରିଯାଏ। ବିଭାଗ ତୁରନ୍ତ କହେ ଏହା ସୁନାବେଡ଼ାର ବାଘ, ଯେମିତିକି ବାଘଟି ନିଜପାଖେ ଆଧାରକାର୍ଡ ରଖି ମରି ପଡ଼ିଥିଲା। ଏପଟେ ସୁନାବେଡ଼ାର ଲୋକେ ରେଡିଓରୁ ଶୁଣନ୍ତି ନନ୍ଦନକାନନରେ ବାଘ ମରିଗଲା। ଦଶଦିନ ଶୁଦ୍ଧି ହୁଅନ୍ତି।
ଶହଶହ କୋଟିର ଯୋଜନା, ବିକାଶ, ବନ୍ଧୁକ, ତସ୍କରି, ଆଇନ ଆଦିର ଭିଡରେ ବାଘ ହଜିଯାଏ। ଅଥବା ମାନକରି ଚାଲିଯାଏ। ଏ କଥାଟି ଯଦି ସତ ହୁଏ ସରକାର ଛଳନା କରୁଛନ୍ତି ଏ କଥା ମିଛ ହୋଇନ ଥିବ ବୋଲି କିଏ କହିବ ?
ସଭ୍ୟତାର ଆରମ୍ଭ ଦିନରୁ ଆଜିର ଇତିହାସ ପର୍ଯ୍ୟନ୍ତ ସୁନାବେଡ଼ାକୁ ସଭ୍ୟତା, ଧାରା, ବାଦ, ଧର୍ମ, ଶାସନ, ଗଣତନ୍ତ୍ର ବ୍ୟବସ୍ଥା କେହି କିଛି କରି ପାରିନାହାନ୍ତି। ଏହି ଦୃଷ୍ଟିକୋଣରେ ସେମାନେ ଆଜିବି ମୁର୍ଖ ତେଣୁ ଷ୍ଟ୍ରବେରୀ ଚାଷ ଶିକ୍ଷା ଦିଆହୁଏ।
ଏବେ ଭୟ ଏହା ଯେ ସରକାର ନ କୁହନ୍ତୁ ବାଘ ନାହିଁ ମଣିଷ ରହିବ କାହିଁକି ? ମଣିଷ ଘଉଡ଼େଇବା ସାମର୍ଥ୍ୟ ସରକାରଙ୍କ ଅଛି ଗୁଡ଼ାରାଇଜରେ ।
ଏବେ ସରକାର ଗୋଟିଏ କାମ କରନ୍ତୁ ଗୁଡ଼ାରାଇଜ ଓ ତାର ଭୂଗୋଳକୁ ସ୍ୱତନ୍ତ୍ର କରି ଦିଅନ୍ତୁ। ସିଡ୍ୟୁଲ ଏରିଆ ଘୋଷଣା କରି ଦିଅନ୍ତୁ। ସେମାନେ ନିଜର ଜ୍ଞାତି ବାଘମାନଙ୍କ ସହ ସୁଖରେ ରହିବେ।
ସରକାର ପାରିବେ କି ?
– ରାଜୀବ ସଗରିଆ