ସନିଆଁ ଡକାୟତ କଥା

Share it

ଭାଗବତ ମହିମା
ସନିଆଁ ଡକାୟତ କଥା
==============

ଭାଗବତ ମହିମାର ଏକ ସୁନ୍ଦର କଥା l ଗୋଟିଏ ଗାଁରେ ସନାତନ ନାମରେ ଲୋକଟିଏ ରହୁଥିଲା l ଚୋରି ଡକାୟତି କରି ସେ ତା ପରିବାର ପାଳେ l ଡାକନାମ ତାର ସନେଇ l ତାକୁ ସମସ୍ତେ ସନିଆ ଡାକୁ ବୋଲି ଜାଣନ୍ତି l

ଦିନକର କଥା ସନିଆର ଦେହ ବଡ଼ ଅସୁଖ ହୋଇ ପଡ଼ିଲା l ରାତିରେ ସେ ଆଉ ଡକାୟତି କରିବାକୁ ଗଲାନାହିଁ l ପର ଦିନ ସକାଳୁ ଶୁଣିବାକୁ ପାଇଲା, ପାଖ ଗ୍ରାମରେ ଭାଗବତ ସପ୍ତାହ ହେବ l ଭାଗବତ ଗାଦି ବସିବେ, ଭାଗବତ ପାଠ ହେବ l ପଣ୍ଡିତସବୁ ଆସି ଭାଗବତ ପାରାୟଣ ଓ ବ୍ୟାଖ୍ୟା କରିବେ l ଆଖ ପାଖ ସବୁ ଗାଆଁରୁ ଲୋକେ ଆସି ସେଠାରେ ରୁଣ୍ଡ ହୋଇ ଭାଗବତ ଶୁଣିବେ l ଖବରଟା ପାଇ ସନେଇ ବଡ଼ ଖୁସି ହୋଇ ଗଲା l ମନେମନେ ଭାବିଲା, ଆରେ ଏହାହିଁ ତ ଡକାୟତି କରିବା ପାଇଁ ସୁବର୍ଣ୍ଣ ସୁଯୋଗ l

ମାତ୍ର ଦେହଟା ତ ଭଲ ଲାଗୁ ନାହିଁ l କଅଣ କରିବ, ବହୁ ଗୋଳେଇ ଘାଣ୍ଟି ହୋଇ ଶେଷକୁ ସନିଆ ସ୍ଥିରକଲା ସେ ଆଜି ଆଉ ଚୋରି କରିବା ପାଇଁ ଯିବ ନାହିଁ ଏବଂ ସେହି ସମୟରେ ଯାଇ ଭାଗବତ ଶୁଣିବ l ଏହା ବିଚାରି ସେଦିନ ସନ୍ଧ୍ୟାକୁ ସନିଆ ଯାଇ ଭାଗବତ ଗାଦିରେ ପହଞ୍ଚିଲା l ଶୀତଦିନ ସନିଆ ଘୋଡ଼ିଘାଡ଼ି ହୋଇ ଗୋଟିଏ କଣରେ ବସିଲା l

ପୁରାଣ ପଣ୍ଡା ଭାଗବତ ବ୍ୟାଖ୍ୟା କରୁଥାନ୍ତି ଲୋକ ତଲ୍ଲୀନ ହୋଇ, ଶୁଣୁ ଥାନ୍ତି l ସେଦିନ ଭାଗବତର ଦଶମସ୍କନ୍ଧ ଗୋପଲୀଳା ଚର୍ଚ୍ଚା ହେଉଥାଏ l କଂସ କାରା ଗୃହରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ତାଙ୍କ ବାଲ୍ୟ ଲୀଳାକୁ ପୁରାଣ ପଣ୍ଡା ଅତି ସୁନ୍ଦର ଭାବେ ବର୍ଣ୍ଣନା କରୁଥାନ୍ତି, ଭଗବାନଙ୍କ ଲୀଳା ଶ୍ରବଣରେ ଶ୍ରୋତାଙ୍କ ଚକ୍ଷୁ ଅଶ୍ରୁପ୍ଲୁତ ହୋଇ ଯାଉଥାଏl

ପୁଣି ପୁରାଣପଣ୍ଡା ବଖାଣି ବସିଲେ ମା’ ଯଶୋଦା କିପରି କୃଷ୍ଣଙ୍କୁ ବେଶ କରୁଛନ୍ତି l କୃଷ୍ଣଙ୍କ ଶିରରେ ମୟୁର ଚୂଳ, ହାତରେ ସୁନା କଙ୍କଣ, ଆଙ୍ଗୁଠିରେ ସୁନା ମୁଦି, କାନ, ନାଶା, ଅଣ୍ଟା, ଗଳା ସବୁଥିରେ ସୁନା ଗହଣା l ସୁବର୍ଣ୍ଣର ମୁରଲୀ, ସୁବର୍ଣ୍ଣ ଝୁଣ୍ଟିଆ ପିନ୍ଧାଇ ପୁଅକୁ ମାଆ ଅପୂର୍ଵ ବେଶ କରିଦେଲେ l ପୁରାଣପଣ୍ଡାଙ୍କ ବାଳକୃଷ୍ଣଙ୍କ ରୂପର ସୁନ୍ଦରବର୍ଣ୍ଣନା ଶୁଣି ସମସ୍ତ ଶ୍ରୋତା ଭାବ ବିହ୍ଵଳ ଭାବ ଗଦଗଦ ହୋଇ କାନ୍ଦି ପକାଇଲେ l

ଆରେ ! ବାଳ ଗୋପାଳଙ୍କ ଦେହରେ ଏତେ ସବୁ ଅଳଙ୍କାର ଛାଇ ହୋଇ ଯାଇଛି ଏ କଥା ସନେଇ ଶୁଣିଲା l ମନେ ମନେ ଭାବିଲା ଆରେ ମୁଁ କେଡ଼େ ବୋକା ଟେ କିରେ !! ରାତି ସାରା ଏତେ ପରିଶ୍ରମ କରି ପୁଣି ବାରସିନ୍ଧି କରି, ମୁଁ ଯାହା ନପାଉଛି ଏ ବାଳ ଗୋପାଳ ଟୋକାଟା ପାଖକୁ ଚାଲିଗଲେ ତ ତାର ଢ଼େରଗୁଣ ମୋତେ ଏକାବେଳେ ମିଳିଯିବ l ଏତେ ଶ୍ରମକରି ଲାଭ କ’ଣ !

ସନିଆଁ ମନକୁ ଚିନ୍ତା ଘାରିଲା ଟୋକାଟା ପାଖକୁ ଯିବି ଓ ତାକୁ ଲଙ୍ଗଳାକରି ସବୁ ଅଳଙ୍କାର ଘେନି ଆସିବି l ହେଲେ, ସେ ବାଳ ଗୋପାଳ ସୁନ୍ଦୁରିଆ ଟୋକାଟା ରହୁଛି କେଉଁଠି l ବୋଧ ହୁଏ, ପୁରାଣ ପଣ୍ଡା ତା ଠିକଣା ଜାଣି ଥିବେ l ତାଙ୍କୁ ପଚାରିଲେ ସେ ନିଶ୍ଚୟ ବତାଇ ଦେବେ l

ସେ ଦିନ ଭାଗବତ ପାରାୟଣ ଶେଷ ହେଲାରୁ ଲୋକ ମାନେ ଯେଝା ଘରକୁ ଚାଲିଲେ l ସନିଆ ଜଗି ବସିଥାଏ ପୁରାଣ ପଣ୍ଡାଙ୍କୁ l ପୁରାଣ ପଣ୍ଡା ଆସ୍ଥାନ ଛାଡ଼ି ନିଜ ଘରକୁ ବାହାରିଲେ l ସନିଆ ଚୁପ ଚୁପ ଚାଲି ଥାଏ ତାଙ୍କ ପଛରେ l କିଛି ବାଟ ଗଲା ପରେ,ଏକ ନିଛାଟିଆ ଯାଗା ପଡ଼ିଲା l ସେଇଠି ସନିଆ ପଣ୍ଡାଙ୍କ ଆଗକୁ ଚାଲି ଆସି କହିଲା, ପଣ୍ଡା ଗୋସେଇଁ ! ମୁଁ ସନିଆ ଡକାଇତ l ଗୋସେଇଁଙ୍କ ପିଳେହି ପାଣି l ବରଡ଼ା ପତ୍ର ପରି ଥରିବାକୁ ଲାଗିଲେ l

ସନିଆ ପଣ୍ଡାଙ୍କୁ କହିଲା, ଆଜ୍ଞା ଭୟକରନ୍ତୁ ନାହିଁ, ମୁଁ ଆପଣଙ୍କର କିଛି କ୍ଷତି କରିବି ନାହିଁ l ଆପଣ ଆଜି ଯେଉଁ ବାଳ ଗୋପାଳର କଥା ଆଲୋଚନା କରୁଥିଲେ ତାଆରି ଠିକଣା ଟିକିଏ ମୋତେ କହି ଦିଅନ୍ତୁ, ମୁଁ ତା ପାଖକୁ ଯିବି l

ପଣ୍ଡାଙ୍କ ପାଟି ଖନି ବାଜି ଯାଉ ଥାଏ l ଥଙ୍ଗ ଥଙ୍ଗ ହୋଇ ଗୋସେଇଁ କହିଲେ,’ ଆରେ ! ସିଏ ତ ବୃନ୍ଦାବନରେ ରୁହେ l
ତାଆ ପାଖକୁ ସତରେ ତୁ କଅଣ ଯାଇ ପାରିବୁ l ହଉ ! ତୁ ମନକରିଛୁ ଯଦି ଚେଷ୍ଟା କର l’

ଗୋସେଇଁ ଚାଲିଗଲେ l ସନିଆ ଚାଲିଲା ଘରକୁ l
ସନିଆ ଘରେ ଯାଇ ନିଜ ସ୍ତ୍ରୀ,ପିଲା ଛୁଆଙ୍କୁ ବାଳ ଗୋପାଳ, ତା’ ଗହଣାକଥା କହି ବାହାରି ପଡ଼ିଲା ବୃନ୍ଦାବନକୁ l କେତେ ଦିନ ଚାଲି ଚାଲି ସେ ଯାଇ ପହଞ୍ଚିଲା, ବୃନ୍ଦାବନରେ l କାହାକୁ ପଚାରିବ ସେ ବାଳ ଗୋପାଳ କଥା l ସନ୍ଧ୍ୟା ହୋଇ ଆସୁ ଥାଏ, ଜଣେ ସାଧୁଙ୍କୁ ସନିଆ ଭେଟିଲା l

ସାଧୁଙ୍କୁ ସନିଆ ପଚାରିଲା,’ ବାବା, ମୁଁ ଅନେକ ଦୂରରୁ ଚାଲିଚାଲି ଆସିଛି,ଟିକିଏ ବାଳଗୋପାଳ ସହ ଭେଟକରନ୍ତି l ସେ ଏଇଠି ରୁହେ ବୋଲି ମୁଁ ଶୁଣି ଆସିଛି l ଦୟା କରି ଆପଣ ଟିକିଏ କୁହନ୍ତେ ନି, ଗୋପାଳ ସହିତ କେମିତି ଭେଟ ହୋଇ ପାରିବ’ l

ସନିଆର ନିର୍ମଳ ଭାବ ଓ ଉତ୍କଣ୍ଠା ଦେଖି ସାଧୁ ଗୋସେଇଁ କହିଲେ, ଏଇତ ଏବେ ଗୋଧୁଳି ବେଳା l ଗୋଧନ ବାହୁଡ଼ା ବେଳ l ବାଳଗୋପାଳ ଏବେ ଗୋଧନ ବାହୁଡ଼ାଇ ଏଇ ବାଟ ଦେଇ ଯିବ l

ସାଧୁଙ୍କ ଠାରୁ ଏହା ଶୁଣି ସନିଆ ସେଇଠି ସତୃଷ୍ଣ ନୟନରେ ବାଳ ଗୋପାଳଙ୍କୁ ଜଗି ରହିଲା l କିଛି ସମୟ ପରେ ସନିଆ ଦେଖିଲା ସଖାମାନଙ୍କ ସହ ବାଳ ଗୋପାଳ, ଖେଳି ଖେଳି ଆସୁଛି l ସେ ଆସି ସନିଆ ପାଖରେ ଅଟକି ଗଲେ l ସନିଆ ଦେଖୁଛି ଆଃ ! କି ଭୁବନ ମୋହନ ରୂପ ଟିକି ଟୋକାଟିର l ମୁଣ୍ଡରେ ମୟୁର ଚନ୍ଦ୍ରିକା,ହସ୍ତରେ ବଂଶୀ, ସର୍ବାଙ୍ଗ ନାନା ଅଳଙ୍କାର ବିଭୂଷିତ l ଠିକ ପଣ୍ଡା ଗୋସେଇଁ ଯେମିତି ବର୍ଣ୍ଣନା କରି ଥିଲେ ସେଇମିତି l ସନିଆ ଅପଲକ ନେତ୍ରରେ ଚାହିଁରହିଥାଏ ତା ଖୋଜୁଥିବା ବାଳ ଗୋପାଳକୁ l

ବାଳଗୋପାଳ ମୃଦୁମୃଦୁ ହସି ସନିଆ ପାଖେ ଆସି କହିଲେ,” ନେଏରେ ସନିଆ ମୋ ପାଦର ନୁପୁର ନେଇ ଯା” l ସନେଇ କହିଲା, ଏଁ,ଏ ନୁପୁର ତୋ ପାଦରେ କେଡ଼େ ସୁନ୍ଦର ଦିଶୁଛି l ମୁଁ ତାକୁ ନେଇ ଗଲେ ତୋ ପାଦ ଅସୁନ୍ଦର ହୋଇଯିବରେ l ନାଇଁ ନାଇଁ, ମୁଁ ତାକୁ ନେବି ନାହିଁ l ପୁଣି ବାଳ ଗୋପାଳ କହିଲେ, ନେଇ ଯାଆ ରେ ସନେଇ ମୋ’ ବଂଶୀ, ମୋର ହାର,ମୋର ଏ କଙ୍କଣ l ସନେଇର ସେହି ଗୋଟିଏ କଥା l ନାଇଁରେ ମୁଁ ଏହାକୁ ନେବିନାହିଁ l ତୋତେ ଏସବୁ କେଡ଼େ ମାନୁଛି l

ଗୋପାଳଙ୍କ ଭୁବନ ମୋହନ ରୂପ ସାଙ୍ଗକୁ ତାଙ୍କ ମିଠା ମିଠା ବଚନ ଶୁଣି, ସନିଆ ଡାକୁର ପାଷାଣ ହୃଦୟଟା ତରଳିବା ଆରମ୍ଭ କରିଥାଏ l ସେ ଆଉ ନିଜକୁ ସମ୍ଭାଳି ପାରିଲାନାହିଁ, ଭୋଭୋ କରି କାନ୍ଦି କାନ୍ଦି ଲୋଟି ପଡ଼ିଲା ପ୍ରଭୁଙ୍କ ପାଦତଳେ l ” ଥାଉ ପ୍ରଭୁ, ଏ ଅଳଙ୍କାର ସବୁ ତୁମରି ଅଙ୍ଗରେ ଶୋଭା ପାଉଥାଉ, ଆଉ ତୁମର ଏହି ଭୁବନମୋହନ ରୂପ ଯୁଗ ଯୁଗ ପାଇଁ ମୋ ନେତ୍ର ପଥରେ ରହିଥାଉ” l ଏମିତି କହି କାନ୍ଦି କାନ୍ଦି ତା’ ମନ ଉଶ୍ୱାସ ହୋଇ ଗଲା, ହୃଦରେ ଭରିଗଲା ଯୁଗପତ ଆନନ୍ଦ l

ସନିଆର ସେ ଦିନ ଜୀବନର ମୋଡ଼ ବଦଳିଗଲା ସାମାନ୍ୟ ଟିକେ ଭାଗବତ ସତସଙ୍ଗ କରିବାରେ l ଏହା ହିଁ ହେଉଛି ଇଶ୍ୱରାନୁଭୁତି ଓ ଈଶ୍ଵର ପ୍ରାପ୍ତି l

ପରମ ଶାସ୍ତ୍ର ଭାଗବତ, ଅଭ୍ୟାସକରୁଥିବ ନିତ୍ୟ l
ଶ୍ରୀମଦ୍ ଭାଗବତ ହେଉଛି ନିଗମ ବୃକ୍ଷର ଫଳ l ପ୍ରାଣୀର କଲ୍ୟାଣ ପାଇଁ, ସ୍ଵୟଂ ଭଗବାନ୍ ପରମ ଶାସ୍ତ୍ର ଭାଗବତ ସୃଷ୍ଟି କରିଛନ୍ତି l

ଭାଗବତକାର ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ତେଣୁ ଯଥାର୍ଥରେ କହିଲେ :-
ହରି ଚରିତ ଭାଗବତ l
ପ୍ରାଣୀଙ୍କ ନିସ୍ତାରଣ ପଥ ll
ପରମ ମଙ୍ଗଳ ଏ ବାଣୀ l
ଶୁଣି ସଂସାରୁ ତର ପ୍ରାଣୀ ll

!!! ଓଁ ନମଃ ଭଗବତେ ବାସୁଦେବାୟ !!!

🙏🙏🙏

ଅର୍ଜୁନୀ
—————

ମୋ -7693091971


Share it

Join the Conversation

2 Comments

  1. ହୃଦାନନ୍ଦ ବେହେରା ବାଂଶପାଳ କେନ୍ଦୁଝର ମୋ:-୯୪୩୮୧୫୯୪୨୬,୬୩୭୨୭୬୪୬୩୦ says:

    ଭାଗବତ ଶୁଣିବା ଦ୍ଵାରା ତା’ର ପ୍ରଭାବ ସନିଆ ଉପରେ ପଡ଼ିବାରୁ ଲୋଭରେ ପଡ଼ିଯାଇଥିଲା। କିନ୍ତୁ କୃଷ୍ଣଙ୍କ ରୂପ ଦେଖି ପରିବର୍ତ୍ତନ ହୋଇ ଆଉ ସୁନା ଗହଣା ଉପରୁ ନଜର ହଟି ଯାଇ ଭକ୍ତ ହୋଇଗଲା। ଆଜି ଯଦି ପ୍ରତ୍ୟେକ ଘର ଭାଗବତ ପାଠ ହେଲେ ସଂସ୍କାରିତ ହୋଇ ଦୁର୍ନୀତି ମୁକ୍ତ ଭାରତ ଗଠନରେ ଯଥେଷ୍ଟ ସହାୟକ ହୋଇ ପାରନ୍ତା।

  2. ହୃଦାନନ୍ଦ ବେହେରା ବାଂଶପାଳ କେନ୍ଦୁଝର ମୋ:-୯୪୩୮୧୫୯୪୨୬,୬୩୭୨୭୬୪୬୩୦ says:

    ଭାଗବତ ଶୁଣିବା ଦ୍ଵାରା ତା’ର ପ୍ରଭାବ ସନିଆ ଉପରେ ପଡ଼ିବାରୁ ଲୋଭରେ ପଡ଼ିଯାଇଥିଲା। କିନ୍ତୁ କୃଷ୍ଣଙ୍କ ରୂପ ଦେଖି ପରିବର୍ତ୍ତନ ହୋଇ ଆଉ ସୁନା ଗହଣା ଉପରୁ ନଜର ହଟି ଯାଇ ଭକ୍ତ ହୋଇଗଲା। ଆଜି ଯଦି ପ୍ରତ୍ୟେକ ଘରେ ଭାଗବତ ପାଠ ହେଲେ ସଂସ୍କାରିତ ହୋଇ ଦୁର୍ନୀତି ମୁକ୍ତ ଭାରତ ଗଠନରେ ଯଥେଷ୍ଟ ସହାୟକ ହୋଇ ପାରନ୍ତା।

Leave a comment

Your email address will not be published. Required fields are marked *

Verified by MonsterInsights