ସେଦିନୁ ଗୋପ ନରନାରୀ , ନିର୍ଭୟେ ତାଳ ଭୋଗ କରି

Share it

ରଥର ନାମ ତାଳଧ୍ଵଜ ===

ସେହି ତାଳ ବନରେ ଧେନୁକା ନାମରେ ଗୋଟିଏ ଭୟଂକର ଅସୁର ବାସ କରୁଛି । ସେ ଓ ତାର କୁଟୁମ୍ବମାନେ ସେଠାରେ ଗଧ ରୂପ ଧରି ବାସକରୁଛନ୍ତି ।

ଶ୍ରୀମଦ୍ଭାଗବତ ମହାପୁରାଣ କଥା । କୃଷ୍ଣ ବଳରାମ ବଢ଼ି ପ୍ରାୟ ଛ’ ବର୍ଷ ବୟସର ହୋଇଗଲେ । ସମସ୍ତ ବ୍ରଜବାସୀ ବୃଦ୍ଧ ଗୋପାଳମାନେ କହିଲେ ଏ ଦୁହେଁ ଏବେ ଗୋରୁ ଚରାଇବାକୁ ଉପଯୁକ୍ତ । ଏଣୁ ଶ୍ରୀକୃଷ୍ଣ ସାଥୀ ଗୋପାଳ ବାଳକମାନଙ୍କ ସହ ବୃନ୍ଦାବନରେ ଗୋରୁ ଚରାଇବାକୁ ଲାଗିଲେ ।

ଭାଗବତ କହିଲେ:-
ଷଡ଼ ବରଷେ ନରହରି ।
କାନନେ ଚରାନ୍ତି ବାଛୁରୀ ।।

ଶ୍ରୀକୃଷ୍ଣଙ୍କ ଉପସ୍ଥିତି ହେତୁ ବୃନ୍ଦାବନ ଅପୂର୍ବ ଶୋଭା ଧାରଣକଲା । ଦିନେ ବାଛୁରୀ ଚାରାଉଥିଲା ବେଳେ ଶ୍ରୀକୃଷ୍ଣ ହସିହସି ଭାଇ ବଳରାମଙ୍କୁ କହିଲେ, ଭାଇ ଦେଖ ! ପୂର୍ବଜନ୍ମରେ ଅଭିଶାପ ପାଇ ଏ ବୃକ୍ଷମାନେ କିପରି ଫଳପୁଷ୍ପ ଭାରରେ ମଥାନତକରି ଆପଣଙ୍କୁ ନମସ୍କାର କରିବାକୁ ଉଦ୍ୟତ ହେଉଛନ୍ତି । ଆପଣଙ୍କ ଭକ୍ତ ମୁନିମାନେ ଭ୍ରମର ହୋଇ ଆପଣଙ୍କ ଯଶଗାନ କରୁଛନ୍ତି । ଶ୍ରୀକୃଷ୍ଣଙ୍କ କଥାରେ, ବଳରାମ ଉଲ୍ଲସିତ ହେଲେ କିନ୍ତୁ ଏହାର ମର୍ମ ବୁଝିପାରିଲେ ନାହିଁ ।

ଆଉ ଦିନକର କଥା । କୃଷ୍ଣବଳରାମଙ୍କ ପ୍ରିୟ ସଖା ଶ୍ରୀଦାମ କହିଲେ, ଏଇ ଦେଖ, ଅଳ୍ପ ଦୂରରେ ଏକ ବିଶାଳ ତାଳବନ ଦେଖାଯାଉଛି । ସେହି ତାଳଗଛ ମାନଙ୍କରେ ପାଚିଲା ତାଳସବୁ ଭର୍ତ୍ତିହୋଇ ରହିଛି । ପକ୍ବ ତାଳ ସବୁ ଭୂମିରେ ପଡୁଛି । କିନ୍ତୁ ତାକୁ କେହି ଖାଇ ପାରୁ ନାହାଁନ୍ତି । କାରଣ, ସେହି ତାଳ ବନରେ ଧେନୁକା ନାମରେ ଗୋଟିଏ ଭୟଂକର ଅସୁର ବାସ କରୁଛି । ସେ ଓ ତାର କୁଟୁମ୍ବମାନେ ସେଠାରେ ଗଧ ରୂପ ଧରି ବାସକରୁଛନ୍ତି । ସେ ତାଳ ଭାରି ବଢ଼ିଆ । ଦେଖ, ସେହି ତାଳର ସୁଗନ୍ଧ ମଧ୍ୟ ଏଠାକୁ ଆସୁଛି । ଚାଲ ଆମେ ସେଠାକୁ ଯାଇ ତାଳ ଖାଇବା । ତୁମେ ତ କାହିଁ କେତେ ରାକ୍ଷସଙ୍କୁ ମାରି ସାରିଛ। ଧେନୁକା ତୁମର କଅଣ ବା କରିବ ।

ପ୍ରିୟ ସଖାଙ୍କ କଥା ଶୁଣି କୃଷ୍ଣ ବଳରାମ ଗୋପାଳ ବାଳକମାନଙ୍କ ସହ ଯାଇ ତାଳବନରେ ପଶିଲେ । ବଳରାମ ତ ଖୁବ୍ ବଳୁଆ । ସେ ତାଳ ଗଛକୁ ଧରି ଖୁବ୍ ଯୋରରେ ହଲାଇଲେ । ପାଚିଲାତାଳ ଗଛରୁ ସବୁ ଭୁସଭାସ ହୋଇ ଖସି ପଡ଼ିଲା ।

ତାଳ ପଡ଼ିବା ଶବ୍ଦ ଶୁଣି ଗଧରୂପୀ ରାକ୍ଷସ ଧେନୁକା ଭେଁଭେଁ ରଡ଼ି ଛାଡ଼ି ଦୋଉଡ଼ି ଆସି, ବଳରାମଙ୍କ ଛାତିକୁ ତା ପଛ ଗୋଡ଼ରେ ଏକ ଶକ୍ତ ଲାତ ମାରିଦେଲା । ବଳରାମ ରାଗି ଯାଇ ତା ପଛ ଗୋଡ଼କୁ ଧରି ବୁଲାଇ ବୁଲାଇ ତାଳ ଗଛରେ ପିଟିଦେଲେ । ସେହି ବିଶାଳ ଗଛଟା ମଡ଼ ମଡ଼ ହୋଇ ଭାଙ୍ଗିପଡ଼ିଲା । ତା ମାଡ଼ରେ ପାଖ ଗଛଗୁଡ଼ିକ ମଧ୍ୟ ତାଉପରେ ତାଉପରେ ପଡ଼ି ଭାଙ୍ଗି ପଡ଼ିଲେ । ସମ୍ପୂର୍ଣ୍ଣ ତାଳ ବନଟା ଧ୍ଵଂସ ହୋଇଗଲା । ଏଣେ ଧେନୁକା ମରିବା ଦେଖି ତା ଜ୍ଞାତି କୁଟୁମ୍ବ ସବୁ ଧାଇଁଆସି ଶ୍ରୀକୃଷ୍ଣ ବଳରାମଙ୍କୁ ଆକ୍ରମଣ କରିବାରୁ ଦୁଇଭାଇ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଦେଲେ । ସମ୍ପୂର୍ଣ୍ଣ ବନ ଭୂଇଁଟା ଭଙ୍ଗା ତାଳ ଗଛ ଓ ରାକ୍ଷସଙ୍କ ମୃତ ଦେହରେ ପୁରି ଉଠିଲା ।

ଧେନୁକା ନିଧନ, ଶ୍ରୀକୃଷ୍ଣ ବଳରାମଙ୍କ ଅଦ୍ଭୁତ କର୍ମ ଦେଖି ଦେବତାମାନେ ସ୍ଵର୍ଗରୁ ପୁଷ୍ପ ବୃଷ୍ଟି କରି ତାଙ୍କୁ ସ୍ତୁତି କରିବାକୁ ଲାଗିଲେ। ଧେନୁକା ଭୟ କଟିଯିବା ହେତୁ ଲୋକେ ନିର୍ଭୟରେ ପାଚିଲାତାଳ ଖାଇବାକୁ ଲାଗିଲେ ।

ଭାଗବତ ବର୍ଣ୍ଣନା କଲେ:-
ସେଦିନୁଁ ଗୋପ ନରନାରୀ ।
ନିର୍ଭୟେ ତାଳ ଭୋଗ କରି ।।
ସେ ବନେ ଚରାଇଲେ ଗାଈ ।
ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ ।।

ତାଳବନ ଭିତରେ ଧେନୁକା ନିଧନକରିଥିବା ହେତୁ ବଳରାମଙ୍କ ଏକ ନାମ ହେଲା ଧେନୁକାରୀ । ତାଙ୍କ ରଥର ନାମ ହେଲା ତାଳଧ୍ଵଜ ।
ଅନ୍ୟ ଏକ ମତାନୁଯାୟୀ ଶ୍ରୀ ବଳଦେବ ହେଉଛନ୍ତି ଅନନ୍ତଙ୍କ ଅବତାର। ସେ ସଦାସର୍ବଦା ନିର୍ମଳ ଜ୍ଞାନ ରୂପକ ଦର୍ପଣରେ ଏ ସଚରାଚର ସୃଷ୍ଟିକୁ ନିରୀକ୍ଷଣ କରୁଛନ୍ତି । ତାଙ୍କ ହସ୍ତ ତଳେ ନିର୍ମଳ ଦର୍ପଣ ସର୍ବଦା ବିରାଜମାନ କରିଥାଏ । ପ୍ରଭୁଙ୍କ ହସ୍ତ ତଳ ବା ତାଳ ଯୋଗୁଁ ସେ ଏହି ତାଳ ଚିହ୍ନରେହିଁ ପରିଚିତ ହୁଅନ୍ତି । ଏଣୁ ତାଙ୍କ ରଥ ତାଳଧ୍ଵଜ ବୋଲି ପ୍ରସିଦ୍ଧ ।

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ଶ୍ରୀବଳଦେବ ଆରୋହଣ କରନ୍ତି ଏହି ତାଳଧ୍ଵଜ ରଥ । ମହାପ୍ରଭୁ ଲାଙ୍ଗଳୀ । ହଳମୁଷଳ ତାଙ୍କର ଆୟୁଧ । ଏଣୁ ଏହି ତାଳଧ୍ଵଜ ରଥର ଅନ୍ୟ ନାମ ଲଙ୍ଗଳଧ୍ଵଜ ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

3 Comments

Leave a comment

Your email address will not be published. Required fields are marked *

Verified by MonsterInsights