ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ

Share it

ତାଙ୍କ ପିତାମାତାଙ୍କର ନଅ କନ୍ୟା ଓ ଗୋଟିଏ ପୁଅ ଥିଲା। ଦୁଇକନ୍ୟା ଓ ଏକ ମାତ୍ର ପୁଅର ଅକାଳ ମୃତ୍ୟୁ ହେଲାପରେ ସେମାନେ ରାମେଶ୍ୱର ବା ଚନ୍ଦ୍ର ଶେଖର ମହାଦେବଙ୍କ କୃପାରୁ ପଠାଣିଙ୍କୁ ପୁତ୍ର ଭାବେ ଲାଭ କରି ନାମ ରଖିଥିଲେ ଚନ୍ଦ୍ର ଶେଖର । ଅକାଳ ମୃତ୍ୟୁ ମୁଖରେ ପିଲା ମାନେ ପଡୁ ଥିବାରୁ ବାପାମାଆ ତାଙ୍କୁ ପଠାଣ ଘରକୁ ବିକ୍ରି କରି ଦେଇଥିଲେ । ସେପାଇଁ ତାଙ୍କ ନାମ ରଖାଯାଇ ଥିଲା ପଠାଣି

ଆମରି ଓଡ଼ିଶା ରାଇଜର ମଣିଷ । ଯେତେବେଳେ ସେ ଖୁବ୍ ଛୋଟଥିଲା ଓ ତାଙ୍କ ବୟସର ପିଲାମାନେ ଖେଳକୁଦରେ ମସଗୁଲ ରହୁଥିଲେ, ସେତେବେଳେ ଆକାଶକୁ ଚାହିଁ ସେ ଭାବୁଥିଲେ ରାତିର ଢ଼ଙ୍କା ଥିବା ସରଗର ତାରା ଚାନ୍ଦୁଆଟି, ଦିନ ହେଲେ, ଉଭେଇ ଯାଉଛି କିଆଁ ।

ସନ୍ଧ୍ୟା ହେଲା ମାତ୍ରେ ହିଁ ସେ ଯାଇ ଆକାଶରେ ଗ୍ରହ ନକ୍ଷତ୍ରାଦିଙ୍କ ଗତି ବିଧିକୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁ ରହୁଥିଲେ । ବାଉଁଶ ନଳୀ ଓ କାଠି ଦୁଇଖଣ୍ଡ ଧରି ନକ୍ଷତ୍ର ମାନଙ୍କ ଦୂରତା ମାପିବାପାଇଁ ପ୍ରୟାସ କରୁଥିଲେ। ସେ ଚାଳରେ କଣା କରି ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ଛାୟାକୁ ନୀରିକ୍ଷଣ କରୁଥିଲେ । କ୍ରମେ ଏହା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା। ଏ ସହଜାତ ଅଲୌକିକପ୍ରତିଭା ବ‌ଳରେ ଦିନେ ସେ ଜ୍ୟୋତିର୍ବିଜ୍ଞାନ ପାଣ୍ଡିତ୍ୟରେ, ସମଗ୍ର ବିଶ୍ବକୁ ଚକିତ କରିଦେଇ ଥିଲେ । ସେ ଆଉ କେହି ନୁହଁନ୍ତି । ତାଙ୍କୁ ଆମେ ଜାଣିଥାଉଁ ମହା ମହୋପାଧ୍ୟାୟ ସାମନ୍ତ ଚନ୍ଦ୍ର ଶେଖର ହରି ଚନ୍ଦନ ମହାପାତ୍ର ନାମରେ ।

ଏହି ମହା ମନିଷୀଙ୍କ ଜନ୍ମ ହୋଇଥିଲା, ଗଡଜାତ ରାଜ୍ୟ ଖଣ୍ଡପଡ଼ାରେ। ଅଧୁନା ମହାକାଶ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି, ମାତ୍ର ପଠାଣି ସାମନ୍ତ ଆଜି ବି ବିଜ୍ଞାନାକାଶରେ ଏକ ବିସ୍ମୟ ହୋଇ ରହିଛନ୍ତି ।

ପଠାଣି ସାମନ୍ତ ଖଣ୍ଡପଡ଼ାର ଖୁଂଟ ପଡ଼ାରେ ତେର ଡ଼ିସେମ୍ବର 1835, ପୌଷ କୃଷ୍ଣଅଷ୍ଟମୀରେ ଭୂମିଷ୍ଠ ହୋଇ ଥିଲେ । ମହା ମହୋପାଧ୍ୟାୟ, ତାଙ୍କର ନିଜ ଉପାଧି, ସାମନ୍ତହରିଚନ୍ଦନ ତାଙ୍କ ରାଜଦତ୍ତ ଉପାଧି । ତାଙ୍କ ପିତା ଥିଲେ ଶ୍ୟାମବନ୍ଧୁ ଓ ମାଆ ଧରାକୋଟ ରାଜଜେମା ବିଷ୍ଣୁମାଳି । ତାଙ୍କ ପିତାମାତାଙ୍କର ନଅ କନ୍ୟା ଓ ଗୋଟିଏ ପୁଅ ଥିଲା। ଦୁଇକନ୍ୟା ଓ ଏକ ମାତ୍ର ପୁଅର ଅକାଳ ମୃତ୍ୟୁ ହେଲାପରେ ସେମାନେ ରାମେଶ୍ୱର ବା ଚନ୍ଦ୍ର ଶେଖର ମହାଦେବଙ୍କ କୃପାରୁ ପଠାଣିଙ୍କୁ ପୁତ୍ର ଭାବେ ଲାଭ କରି ନାମ ରଖିଥିଲେ ଚନ୍ଦ୍ର ଶେଖର । ଅକାଳ ମୃତ୍ୟୁ ମୁଖରେ ପିଲା ମାନେ ପଡୁ ଥିବାରୁ ବାପାମାଆ ତାଙ୍କୁ ପଠାଣ ଘରକୁ ବିକ୍ରି କରି ଦେଇଥିଲେ । ସେପାଇଁ ତାଙ୍କ ନାମ ରଖାଯାଇ ଥିଲା ପଠାଣି।

ତାଙ୍କ ପିତା ଜ୍ୟୋତିଷ ଶାସ୍ତ୍ର ପଣ୍ଡିତ ଥିବାରୁ ପଠାଣି ପିଲାବେଳୁ ଏ ବିଦ୍ୟା ପ୍ରତି ଆକୃଷ୍ଟ ହୋଇ ଯାଇ ଥିଲେ । ସେ ସ୍ୱଭାବରେ ଥିଲେ, ନମ୍ର, ଭଦ୍ର ଏବଂ ମେଧାବୀ,ମାତ୍ର ଦଶବର୍ଷ ବୟସ ହେବା ବେଳକୁ ସେ ବିବାହ ମେଳକ, ରାଶି ଗଣନା, କର କପାଳ, କୋଷ୍ଠୀ ଦେଖି,ଭବିଷ୍ୟତ କଥାକୁ ଜାଣିବା ସବୁରେ ପାରଙ୍ଗମ ହୋଇଯାଇଥିଲେ।
ପନ୍ଦର ବର୍ଷ ବୟସ ହେଲାବେଳକୁ ସେ ନକ୍ଷତ୍ରପରିଚୟ ଜାତକ ଅଳଙ୍କାର ଜ୍ୟୋତିଷଚ ନ୍ଦ୍ରୋଦୟ ସର୍ବାର୍ଥ ଚିନ୍ତାମଣି ଜ୍ୟୋତିଷଅର୍ଣ୍ଣବ ଆଦି ଜ୍ୟୋତିଷଶାସ୍ତ୍ରରେ ପାଣ୍ଡିତ୍ୟ ହାସଲ କରି ସାରିଥିଲେ ।

    ଜ୍ୟୋତିଷ ଦୁଇ ପ୍ରକାର । ଗଣିତ ଜ୍ୟୋତିଷ ଏବଂ ଫଳିତ ଜ୍ୟୋତିଷ। ଗଣିତ ଜ୍ୟୋତିଷଶାସ୍ତ୍ରରେ ଗ୍ରହନକ୍ଷତ୍ରଙ୍କ ସ୍ଥିତି ଏବଂ ଚଳନ ବିଷୟରେ ଗଣନା କରାଯାଉଥିଲା ବେଳେ ଫଳିତ ଜ୍ୟୋତିଷରେ ରାଶି ଚକ୍ରର ଅବସ୍ଥାନ ଏବଂ ଏହାର ଫଳାଫଳ ନିରୂପଣ କରାଯାଏ ।

ପଠାଣିସାମନ୍ତଙ୍କ ଗଣିତ ଜ୍ୟୋତିଷରେ ଅସାଧାରଣ ପାଣ୍ଡିତ୍ୟ ଯୋଗୁଁ ଗଜପତି ମହାରାଜା, ତାଙ୍କୁ ହରି ଚନ୍ଦନ ମହାପାତ୍ର ଉପାଧି ପ୍ରଦାନ କରିଥିଲେ ।

ପଠାଣିସାମନ୍ତ ସ୍ବଶିକ୍ଷିତ ଜ୍ୟୋତିର୍ବିଜ୍ଞାନୀ । ଛୋଟ ବୟସରୁ ପଠାଣି ରାଜବାଟୀ ପାଠାଗାରରୁ ବିଭିନ୍ନ ପୁସ୍ତକମାନ ଆଣି ପଠନ କରୁଥିଲେ । ଏହା ପରେ ବିଭିନ୍ନ କାଠ ଓ ବାଉଁଶ ଆଣି ନିଜପାଇଁ ଯନ୍ତ୍ର ପାତି ତିଆରି କରୁ ଥିଲେ । ରାତି ରାତି ଅନିହ୍ରା ରହି ସେ ନିଜେ ତିଆରି କରିଥିବା ପାରମ୍ପରିକ ଯନ୍ତ୍ରଦ୍ବାରା ଆକାଶରେ ଗ୍ରହ ତାରାଙ୍କ ଗତିକୁ ଲକ୍ଷ୍ୟ କରୁଥିଲେ ।

ଗଣିତ ଓ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନ ପଢ଼ିବାପରେ ସେ ବିଭିନ୍ନ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଯଥା ଆର୍ଯ୍ୟଭଟ୍ଟ, ବରାହ ମିହିର, ବ୍ରହ୍ମଗୁପ୍ତ ଆଦିଙ୍କ ଗଣନା ସହିତ ନିଜ ଗଣନାକୁ ମିଶାଇବାକୁ ଚେଷ୍ଟା କରୁଥିଲେ ।

ଗୋଟିଏ ବାଉଁଶ ନଳୀ ଓ ଦୁଇଗୋଟି ବାଉଁଶ କାଠି ସାହାଯ୍ୟରେ, ସେ ଅନ୍ତରୀକ୍ଷର ଗ୍ରହ ନକ୍ଷତ୍ର ମାନଙ୍କ ଗତିବିଧି ଉପରେ ଗବେଷଣା କରି ଗଣନା, ଗବେଷଣା ଏବଂ ସିଦ୍ଧାନ୍ତକୁ ସେ “ସିଦ୍ଧାନ୍ତ ଦର୍ପଣ” ନାମକ ଗ୍ରନ୍ଥରେ ଲିପିବଦ୍ଧ କରିଯାଇଛନ୍ତି ।

ଏଥିରେ ରହିଛି, ତାଙ୍କ ଦୀର୍ଘ କୋଡ଼ିଏ ବର୍ଷ ବ୍ୟାପି ଜ୍ୟୋତିର୍ବିଦ୍ୟା ବିଷୟକ ଗବେଷଣାଲବ୍ଧ ତଥ୍ୟ ଓ ସିଦ୍ଧାନ୍ତ । ଏ ସିଦ୍ଧାନ୍ତକୁ ସେ 2500 ଟି ଶ୍ଳୋକରେ ସିଦ୍ଧାନ୍ତ ଦର୍ପଣରେ ଲିପିବଦ୍ଧ କରିଛନ୍ତି । ସେ ନିଜେ 2284 ଶ୍ଳୋକ ରଚନା କରିଛନ୍ତି ଏବଂ 216 ଟିକୁ ଅନ୍ୟ ଗ୍ରନ୍ଥରୁ ଉଦ୍ଧାର କରି ସନ୍ନିବେଶିତ କରିଛନ୍ତି ।

ସିଦ୍ଧାନ୍ତଦର୍ପଣକୁ ଛାଡ଼ି ସେ ଆହୁରି ଦୁଇଟି ଅମୁଲ୍ୟ ଜ୍ୟୋତିଷଗ୍ରନ୍ଥ ରଚନାକରିଛନ୍ତି ସଂସ୍କୃତରେ ଦର୍ପଣ ଦୀପିକା, ଓଡ଼ିଆରେ ଦର୍ପଣ ସାର।

    ସିଦ୍ଧାନ୍ତ ଦର୍ପଣ ଲେଖା ସରିଲା । ଏହା ଅପ୍ରକାଶିତ ହୋଇ ରହିଲା । ରେଭେନ୍ସା କଲେଜରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ପଠାଣି ସାମନ୍ତଙ୍କ ପ୍ରତିଭା ଏବଂ ତାଙ୍କର ଏହି ଅମୁଲ୍ୟ ଗ୍ରନ୍ଥର ସନ୍ଧାନ ପାଇ ଏହାକୁ ପ୍ରକାଶ କରାଇଥିଲେ ।

    ପଠାଣିଙ୍କ ପ୍ରତିଭା ଦେଖି, ପାଶ୍ଚାତ୍ୟର ଜ୍ୟୋତିର୍ବିତ ଥିବଟ ସାହେବ କହିଥିଲେ, ସେ ତାଙ୍କ ଜୀବନରେ କେଉଁଠାରେ ଏଭଳି ପ୍ରତିଭାଧାରୀ ଜ୍ୟୋତିର୍ବିଜ୍ଞାନୀ ଦେଖି ନାହାଁନ୍ତି ।

ସେ ୧୮୯୦ ମସିହାରେ ପୃଥିବୀ ସୂର୍ଯ୍ୟଙ୍କ ମଧ୍ୟ‌ରେ ଥିବା ଦୂରତା, ଗଣନା କରିଥିଲେ । ଭୁବନେଶ୍ୱରସ୍ଥ ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କୁହନ୍ତି, “ଆଧୁନିକ ବିଜ୍ଞାନ, ସୂର୍ଯ୍ୟ ଚାରିପାଖେ ପୃଥିବୀ ଘୂରିବା ଏଵଂ ଏହି ଦୁଇ ମହାଜାଗତୀୟ ବସ୍ତୁ ମଧ୍ୟରେ ଦୂରତା ମାପି ସାରି ଥିଲେ ମଧ୍ୟ ପଠାଣି ସାମନ୍ତ ନିଜ ପାରମ୍ପରିକ ଯନ୍ତ୍ର ପାତି ଓ ଖାଲି ଆଖିରେ ଯେଉଁ ଗଣନା କରି ଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ଦୁଇ ଶତାବ୍ଦୀ ତଳର ତାଙ୍କ ନିର୍ଭୁଲଗଣନା ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହାର ପ୍ରାସଙ୍ଗିକତାକୁ ଦୃଢ଼ ଭାବେ ବଜାୟ ରଖିଛି ।”

ପଠାଣିଙ୍କ ଖ୍ୟାତି ସମଗ୍ର ଦେଶ ଏବଂ ବିଦେଶରେ ବ୍ୟାପି ଯାଇଥିଲା। ସମ୍ମାନପ୍ରଦାନ ପାଇଁ ୧୮୯୩ ମସିହା ଅଗଷ୍ଟ ୮ତାରିଖରେ ବଙ୍ଗସରକାର ତାଙ୍କୁ ଚିଠି ଲେଖିଥିଲେ କଲିକତା ଦରବାରରେ ଯୋଗ ଦେବାପାଇଁ, କିନ୍ତୁ ନିଜ କାର୍ଯ୍ୟରେ କାଳେ ବ୍ୟାଘାତ ହେବ ଭାବି ସେ ସେଠାକୁ ଯାଇ ନଥିଲେ । ପରେ ବଙ୍ଗ ବଡ଼ ଲାଟଙ୍କ ନିର୍ଦ୍ଦେଶ କ୍ରମେ କଟକ ଠାରେ ଗୋଟିଏ ଦରବାର କରାଇ ତାଙ୍କୁ ସମ୍ମାନିତ କରା ଯାଇଥିଲା । ରାଜା ମହାରାଜା ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ, ତାଙ୍କୁ ମହା ମହୋପାଧ୍ୟାୟ ଉପାଧି ପ୍ରଦାନ କରା ଯାଇଥିଲା ।

ତାଙ୍କୁ କୌଣସି ରାଜ ଅନୁଗ୍ରହ ମିଳି ନଥିଲା । ରାଜା ମାନେ ତାଙ୍କୁ ଇର୍ଷା କରୁଥିଲେ । କିନ୍ତୁ ପ୍ରଚଣ୍ଡ ସ୍ୱାଭିମାନୀ ପଠାଣି କାହା ଆଗରେ ମଥାନତ କରି ନଥିଲେ ।

ଦିନକର ଘଟଣା,ସେ ଗୋଟିଏ ବିବାହ ଉତ୍ସବ‌ରେ ପାରିକୁଦ ଗଡ଼କୁ ଯାଇ ଥିଲେ । ସେଠି ମଞ୍ଜୁଷାର ରାଜା ଶ୍ରୀଜଗନ୍ନାଥ ରାଜମଣି ଦେଓଙ୍କ ସହ ତାଙ୍କ ସାକ୍ଷାତହେଲା । ରାଜା ପଠାଣିଙ୍କୁ ମଞ୍ଜୁଷାରେ ଥିବା ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କରିଦେବା ପାଇଁ କହିଲେ । ସେ ତାଙ୍କ ବାଉଁଶ ନଳୀ ଦ୍ଵାରା ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କରିଦେଲେ ଯାହା ପୂର୍ବେ ନିର୍ଦ୍ଧାରିତ ଉଚ୍ଚତା ସହ ସମାନ ଥିଲା । ସେଠାରେ ଥିବା ସମସ୍ତ ସଭାସଦ ଚକିତ ହୋଇ ଯାଇଥିଲେ । ଏଥିରେ ଖୁସୀ ହୋଇ ରାଜା ତାଙ୍କୁ ଦୁଇଶହ ଟଙ୍କା ଦେଇ ପୁରସ୍କୃତ କରିଥିଲେ ଯାହା ସେ ସମୟରେ ଏକ ବଡ଼ ରାଶି ଥିଲା ।

ପଠାଣି ଥରେ ଇଂଲଣ୍ଡରେ କେବେ ସୂର୍ଯ୍ୟ ପରାଗ ହେବ ଆଗୁଆ ସୂଚାଇ ଦେଇ ଥିଲେ । ମଞ୍ଜୁଷାର ରାଜା ଏକଥା ମାନ୍ଦ୍ରାଜର ଲାଟଙ୍କୁ ଜଣାଇଥିଲେ । ମାନ୍ଦ୍ରାଜର ତତ୍କାଳୀନ ଲାଟ୍‌, ଇଂଲଣ୍ଡକୁ ଏ ଖବର ଦେଇ ଦେଲେ । ସେଠାକାର ଜ୍ୟୋତିର୍ବିଦ ମାନେ ଉତ୍କଣ୍ଠାର ସହିତ ସେହି ସମୟକୁ ଅପେକ୍ଷା କରି ରହିଲେ । ପଠାଣିଙ୍କ କହିବା ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ସୂର୍ଯ୍ୟୋପରାଗ ହେଲା ।

ଠିକ୍‌ ସେମିତି ଥରେ ଆମେରିକାରେ ଚନ୍ଦ୍ର ଗ୍ରହଣ ନିର୍ଦ୍ଦିଷ୍ଟ ସମୟ ସୂଚାଇ ସେ ସେତେବେଳେ ରେଭେନ୍‌ସା କଲେଜ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କୁ ପତ୍ର ଦ୍ବାରା ଜଣାଇଥିଲେ । ତାଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟଠାରୁ ମାତ୍ର ଦୁଇ ସେକେଣ୍ଡ ବିଳମ୍ବରେ ଚନ୍ଦ୍ର ଗ୍ରହଣ ଦୃଶ୍ୟ ‌ହୋଇଥିଲା ଓ ଏହା ସେ ସମୟର ଜ୍ୟୋତିର୍ବିଜ୍ଞାନୀ ମାନଙ୍କୁ ଚକିତ କରିଦେଇଥିଲା ।

ଥରେ ତତ୍କାଳୀନ ଓଡ଼ିଶାର ଇଂରେଜ କମିଶନର ତାଙ୍କୁ ସପ୍ତଶଯ୍ୟା ପର୍ବତର ଉଚ୍ଚତା କେତେବୋଲି ନିରୂପଣ କରିବାକୁ କହିଲେ । ସେ ତାଙ୍କର ସେହି ବାଉଁଶ ନଳୀ ଓ ଦୁଇ ଗୋଟି କାଠି ସାହାଯ୍ୟରେ ଉଚ୍ଚତା ନିର୍ଭୁଲ ଭାବେ 1178 ହାତ 16 ଅଙ୍ଗୁଳ ବୋଲି କହିଥିଲେ । କମିଶନର ସାହେବ ତାଙ୍କର ଦେଶୀୟ ମାପ ଯନ୍ତ୍ରଟିକୁ ନେଇ ମୁଣ୍ଡରେ ଲଗାଇ ସମ୍ମାନ ଜଣାଇ ଥିଲେ ।

ଦୀର୍ଘ ଦୁଇ ଶହ ବର୍ଷରୁ ଅଧିକ ବର୍ଷ ସମୟ ଧରି ଓଡ଼ିଶାରେ ପଞ୍ଜିକା ପ୍ରସ୍ତୁତିରେ ପଠାଣି ସାମନ୍ତଙ୍କ ଅଭ୍ରାନ୍ତ ଗଣନା ବ୍ୟବହୃତ ହୋଇ ଆସୁଛି। ତାଙ୍କ ଗଣନା ଅତ୍ୟନ୍ତ ସଠିକ୍‌ ଥିବାରୁ ଆଗକୁ ମଧ୍ୟ ଏହି ଗଣନାକୁ ନେଇ ପାଞ୍ଜି ପ୍ରସ୍ତୁତ ହେଉଥିବ ବୋଲି ଜ୍ୟୋତିର୍ବିଜ୍ଞାନୀ ସୁଦର୍ଶନ ତ୍ରିପାଠୀ କହନ୍ତି । ଆମ ଓଡ଼ିଶାର କୋହିନୂରପ୍ରେସ, ଭାଗ୍ୟଜ୍ୟୋତି, ରାଧା ରମଣ, ଧର୍ମଗ୍ରନ୍ଥ ଷ୍ଟୋରର ପାଞ୍ଜି ଆଦି ସାମନ୍ତଙ୍କ ଗଣନା‌କୁ କେନ୍ଦ୍ର କରି ପ୍ରସ୍ତୁତ କରା ଯାଉଛି ।

ପଠାଣିଙ୍କ ଶେଷ ଜୀବନ ବହୁ ଦୁଃଖରେ କଟିଛି । ସେ ଶେଷ ଜୀବନରେ ଘୋର ଦାରିଦ୍ର୍ୟ ମଧ୍ୟରେ ଘରର ଗହଣା ବନ୍ଧା ପକାଇ, ଗୁଜରାଣ ମେଣ୍ଟାଉ ଥିଲେ । ରାତିରାତି ଅନିଦ୍ରା ରହି ଗ୍ରହନକ୍ଷତ୍ରଙ୍କ ଗତି ବିଧି ଦେଖିଦେଖି ସେ ରୋଗାକ୍ରାନ୍ତ ହୋଇପଡ଼ିଲେ । ତାଙ୍କର ଇଚ୍ଛା ଥିଲା, ଜଗନ୍ନାଥ ଧାମରେ ଦେହତ୍ୟାଗ କରିବେ । ସେ ନିଜର ଆୟୁଷ ଗଣନା କରି ମୃତ୍ୟୁ ସମୟ ଜାଣି ପାରିଥିଲେ । ମୃତ୍ୟୁ କିଛିଦିନ ଆଗରୁ ପୁତ୍ର ଗଦାଧରଙ୍କ ସହିତ ପୁରୀ ଯାତ୍ରା କଲେ । ପହଞ୍ଚି ଗରୁଡ଼ ସ୍ତମ୍ଭ ପାଖରେ ଜଗନ୍ନାଥଙ୍କୁ ଦର୍ଶନ ‌କଲେ ଓ ମନ୍ଦିର ବେଢ଼ାକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ସ୍ତୁତି ପାଠ କଲେ । ତା’ ପରେ ଯାଇ ପୁରୀ ମାର୍କଣ୍ଡ ସାହି ସ୍ଥିତ ପାରିକୁଦ ରାଜାଙ୍କ ଘରେ ରହିଲେ । ଦେହ ଅତି ଖରାପହେଲା । ଜ୍ବର ଛାଡ଼ିଲା ନାହିଁ, ୧୯୦୪ ମସିହା ଜୁନ୍‌ ୧୧ତାରିଖ ପୂର୍ବାହ୍ନରେ ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରୁ କରୁ ତାଙ୍କ ପ୍ରାଣ ବାୟୁ ଉଡ଼ିଗଲା ।

ପ୍ରଥିତ ଯଶା ଉତ୍କଳ ଭାସ୍କର ପଠାଣି ସାମନ୍ତଙ୍କର ସ୍ମୃତି ରକ୍ଷା ନିମନ୍ତେ ଖଣ୍ଡପଡ଼ାରେ ରହିଛି ପଠାଣି ସାମନ୍ତ ମ୍ୟୁଜିୟମ । ଏଠାରେ ତାଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା କ୍ରମକୁ ଓ ଅନ୍ୟାନ୍ୟ କଥା କଳାକୃତି ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ତାଙ୍କ ବିଜ୍ଞାନ ସମ୍ମତ ବିଭିନ୍ନ ସିଦ୍ଧାନ୍ତର ବର୍ଣ୍ଣନା ରହିଛି । ବ୍ୟବହାର କରୁଥିବା ତାଙ୍କ ମାନଯନ୍ତ୍ର, ଖେଳୁଥିବା କାର୍ଡ ଆଦି ସଂଗୃହିତ ହୋଇ ରହିଛି ।

ଖଣ୍ଡପଡ଼ା ଦାଣ୍ଡ ସାହି ଅବସ୍ଥିତ ପଠାଣି ସାମନ୍ତଙ୍କ ବାସଭବନ ଏବେ ବି ତାଙ୍କ ସ୍ମୃତି ବହନ କରୁଛି । ରାତିସାରା ଅନ୍ତରୀକ୍ଷକୁ ଅନୁଧ୍ୟାନକରି ବିଭିନ୍ନ କଥା ଘରର ମାଟିକାନ୍ଥରେ ଲେଖୁଥିଲେ ପଠାଣି । ସକାଳୁ ନିଜର ପର୍ଯ୍ୟବେକ୍ଷଣକୁ ସେ ତାଳ ପତ୍ରରେ ଲେଖି ଦେଉଥିଲେ । ପରଦିନ ସେ କାନ୍ଥକୁ ପୁଣି ଗୋବର ମାଟିରେ ଲିପି ଦେଉଥିଲେ । ସେ ପୁରୁଣା ଘରଟି ଭାଙ୍ଗିଯାଇଛି କିନ୍ତୁ ଏହି ମାଟି କାନ୍ଥଟିକୁ ସଂରକ୍ଷିତ କରି ରଖା ଯାଇଛି ।

    ପଠାଣୀ ସାମନ୍ତଙ୍କଦ୍ବାରା ନିର୍ମିତ ଏବଂ ବ୍ୟବହାର କରା ହେଉଥିବା ସୂର୍ଯ୍ୟ ଘଡ଼ି, ରାଜ୍ୟର ଚାରୋଟି ସ୍ଥାନରେ ରଖା ହୋଇଛି । ଖଣ୍ଡପଡ଼ାର ତହସିଲ ଛକ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଗଞ୍ଜାମର ବଡ଼ ଗଡ଼, କଟକର ବଡ଼ମ୍ବାରେ ଏହି ସୂର୍ଯ୍ୟଘଡ଼ି ଗୁଡିକୁ ଲଗା ଯାଇଛି ।

    ସେ ବ୍ୟବହାର କରୁଥିବା ତାଳପତ୍ର, ବାଉଁଶନଳୀ, ବାଉଁଶକାଠି, ଆକାଶ ନୀରିକ୍ଷଣ ପାଇଁ ଗୋଳ ଯନ୍ତ୍ର, ସମୟ ଜାଣିବା ପାଇଁ ଉଲ୍ଲମୀ ଯନ୍ତ୍ର ଇତ୍ୟାଦିକୁ ସଂଗ୍ରହାଳୟରେ ରଖାଯାଇଛି ।

    ଭୁବନେଶ୍ୱରରେ ତାଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଛି ପଠାଣିସାମନ୍ତ ପ୍ଲାନେଟୋରିଅମ । ପୁରୀରେ ସ୍ଥିତ ସରକାରି କଲେଜକୁ ତାଙ୍କ ନାମରେ ନାମିତ କରା ଯାଇଛି ।

    କବିବର ରାଧାନାଥ ରାୟ ଉତ୍କଳ ଜନନୀଙ୍କ ଏହି ଯୋଗ୍ୟ ପୁତ୍ରଙ୍କୁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖି ଥିଲେ :-
    ଉତ୍କଳ ଉଦୟ ଅଚଳେ ଭାସ୍କର ।
    ହେଲ ଭାରତର ଦ୍ୱିତୀୟଭାସ୍କର ।।
    ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ ।
    ନରଦେହେ ଥିବ ଯାବତ ହୃଦୟ ।।

    🙏🙏🙏

    ଅର୍ଜୁନୀ ଚରଣ ବେହେରା
    ମୋ – 7693091971

    *** **** ****

    ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
    ସରଳ ଲେଖା, ସରସ କଥା
    ସଂସାର ପଢୁ ଆମ “ସୁଲେଖା”

    (ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

    https://play.google.com/store/apps/details?id=com.esulekha.magazine)

    ***** ***** ******


    Share it

Leave a comment

Your email address will not be published. Required fields are marked *

Verified by MonsterInsights