ସତୀ ଗାଡ଼

Share it

ସତୀ ଗାଡ଼
ଆରତୀ ସାହୁ

ବଡ଼ଭାଇ ଶୁଣେଇଥିଲେ ଏଇ କଥା ଓ ମୋତେ ଲେଖିବାକୁ କହିଥିଲେ। ପଢ଼ିବା ପାଇଁ ସେ ତ ନାହାଁନ୍ତି। କିନ୍ତୁ ସେ ବି ଏହା ଶୁଣିଥିଲେ ଅନ୍ୟ କାହାଠାରୁ। ବାପାଙ୍କ ସମୟରେ ମଧ୍ୟ ଏହି କୁପ୍ରଥା ନଥିଲା।

ହୁଏତ ମୋ ଜେଜେବାପାଙ୍କ ଶୈଶବରେ ଏହି ଘଟଣା ଘଟିଥିଲା ଶେଷଥର ପାଇଁ। ତା ପୂର୍ବରୁ କେତେ ହେଉଥିଲା ବା ହେଉଥିଲା ନା ନାହିଁ ଏକଥା ଗବେଷଣା ସାପେକ୍ଷ ।

“ବାନ୍ଧିନେବ କଞ୍ଚା ରଖିବ ପାଚିଲା” ସବୁବେଳେ ସତ ନହେଲେ ମଧ୍ୟ ଯେତେବେଳେ ସତ ହେଇଯାଏ ସେତେବେଳେ ଦୁନିଆଁ ଭାଙ୍ଗିଯାଏ। ପରିବାର ଉପରେ ବଜ୍ରପାତ ହୁଏ।

ସେମିତି ଏକ ଦୁଃସମୟ ଆସେ ଏକ ପରିବାରରେ, ଆମରି ଷଢ଼େଇକଳାରେ ସେ ଯୁଗରେ। ଯୁବତୀ ନବବଧୂକୁ ଛାଡ଼ି ଲୋକଟିଏ ମରିଯାଏ ଅକାଳରେ।

ଘରର ବଡ଼ମାନେ ଓ ସାହିର ମୁରବୀ ମାନେ ନିର୍ଣ୍ଣୟ ନିଅନ୍ତି। ବିଧବା ବୋହୂ ସତୀ ହେବ। ସ୍ଵାମୀ ବିନା ତାର ଗତି ନାହିଁ କି ମୁକ୍ତି ନାହିଁ।

ଆମେ ସେହି ନବବଧୂର ନାମକରଣ କରିବା। ଧରି ନିଆଯାଉ ତା ନାଁ ରୂପ କୁମାରୀ। ସୁନ୍ଦରୀ, ଗୋଟିଏ ଚାଉଳରେ ଗଢ଼ା। ସଂସାର ଗଢ଼ିବା ଆଗରୁ ଭାଙ୍ଗି ଯାଇଥିଲା ତାର ସ୍ଵପ୍ନ। ସ୍ଵାମୀ ସୋହାଗିନୀ ହେବା ପୂର୍ବରୁ ହେଇ ଯାଇଥିଲା ସେ ବିଧବା। ହେଲେ , ପରମ ଦୁଃଖରେ ଥାଇ ସୁଦ୍ଧା ସେ ଜୀବନ ଦେବାକୁ କେବେହେଲେ ରାଜି ନଥିଲା। ସ୍ଵାମୀର ସ୍ମୁତିକୁ ଜାବୁଡ଼ିଧରି ସେ ବିତେଇଦେବ ସାରା ଜୀବନ କିନ୍ତୁ ସତୀ, ନା ନା, ସେ ସତୀ ହେବନାହିଁ । ଆଙ୍ଗୁଠିରେ ସାମାନ୍ୟ ଚେଙ୍କ ଲାଗିଗଲେ ଯେତେକ ଯନ୍ତ୍ରଣା, ହେ ଭଗବାନ୍ ଜୀଅନ୍ତା ଜଳିବା ? ସେ କଳ୍ପନା କରି ପାରୁନଥିଲା। ସେ ପାଟିକରି କାନ୍ଦିଲା, ଅମାନିଆଁ ହେଲା, ଗର୍ଜନ ତର୍ଜନ କଲା , ବିରୋଧ କଲା। କିନ୍ତୁ ସେ ସମୟର ଅସୂର୍ଯ୍ୟପଶ୍ୟା ନାରୀ ପକ୍ଷରେ କି ପ୍ରଥା ଓ ଚଳଣିର ଲକ୍ଷ୍ମଣରେଖା ଲିଭେଇବା ସହଜ?

ରୂପ କୁମାରୀକୁ ଭାଙ୍ଗ, ଅଫିମ ଇତ୍ୟାଦି ନିଶା ଦେଇ ଅବଶ କରେଇ ଦିଆଯାଏ। ଘଣ୍ଟ , ଘଣ୍ଟା, ଜଞ୍ଜାଳ , ଶଙ୍ଖ ଇତ୍ୟାଦି ବାଦ୍ୟର ତୁମୁଳ ନାଦ ଭିତରେ ରୂପକୁମାରୀକୁ ନବବଧୂ ବେଶରେ ସଜାଇ ଆଗେଇ ଚାଲେ ମୃତ୍ୟୁର ପଟୁଆର। ହରିବୋଲ, ରାମନାମ ସତ୍ୟ ଧ୍ବନିରେ କମ୍ପିଉଠେ ଷଢ଼େଇକଳାର ବଡ଼ଦାଣ୍ଡ। ନିଥର ଶବ ସହିତ ଚଳଚଞ୍ଚଳ ଜୀବନଟିଏ ମଧ୍ୟ ଆଗେଇ ଚାଲେ ଶ୍ମଶାନର ଚିତା ଆଡ଼କୁ। ନିଶାରେ ଥାଇ ମଧ୍ୟ ସେ ବିକଳରେ କାନ୍ଦୁଥାଏ , କିନ୍ତୁ ଦେଖଣାହାରୀ ମାନେ ମନରେ ଭାବୁଥାନ୍ତି ଯେ ଆହା, କି ପତିବ୍ରତା , ସ୍ଵାମୀ ବିୟୋଗକୁ ସହି ପାରୁନି ଜମା ! ଠାକୁରେ ତାକୁ ସତୀନାରୀର ସ୍ଥାନ ଦିଅନ୍ତୁ। ସାତ ସତୀଙ୍କ ପାଖରେ ରଖନ୍ତୁ।

ଶ୍ମଶାନରେ ଥିଲା ଏକ ସତୀ ଗାଡ଼ ଅର୍ଥାତ୍ ମରଣଯନ୍ତା। ସେଇଟା ଖୋଳି ଏମିତି ବାଗରେ ତିଆରି ହେଇଥିଲା ଯେ ସେଥରୁ ଜଣେ ଚଢ଼ି ବାହାରି ପାରିବ ନାହିଁ। ଗୁଣ୍ଡୁରି ପୋକର ଗାତରେ ଯେମିତି ପିମ୍ପୁଡ଼ି ପଡ଼ିଗଲେ ଆଉ ବାହାରି ପାରେନାହିଁ , ଠିକ୍ ସେମିତି ।

ସେଥିରେ ଚିତା ସଜେଇ ଶବ ସହିତ ରୂପ କୁମାରୀକୁ ବସେଇ ଦିଆଯାଏ। ତା ଉପରେ କଞ୍ଚା ବାଉଁଶର ଛାଉଣୀ କରି ପ୍ରଚୁର ମାତ୍ରାରେ ଘିଅ , ଝୁଣା ଇତ୍ୟାଦି ଦେଇ ଅଗ୍ନି ସଂଯୋଗ କରି ଦିଆଯାଏ। ନିଆଁର ଚିଆଁ ଲାଗିଲା ମାତ୍ରକେ ରୂପ କୁମାରୀର ହୋଶ୍ ଫେରିଆସେ। ସେ ଛଟପଟ ହୁଏ, ଚିତ୍କାର କରେ ସେଥିରୁ ଉଠି ଆସିବାକୁ ଚେଷ୍ଟା କରେ କିନ୍ତୁ ମଡ଼ାଚଣ୍ଡିଆ ମାନେ ରଳାରେ ତାକୁ ଚାପି ଦିଅନ୍ତି। ଏହିପରି ଭାବେ ଦୁନିଆଁକୁ ଦେଖେଇ ଦିଆଯାଏ ସତୀତ୍ଵର ପରାକାଷ୍ଠା। ଗୋଟେ ଜୀବନକୁ କଲବଲ କରି ମାରି ଦିଆଯାଏ । ସମଗ୍ର ଭାରତବର୍ଷରେ ଏହିଭଳି ଘଟଣା କେତେ ଯେ ଘଟୁଥିଲା ତାହାର ଇୟତ୍ତା ନାହିଁ।

ଏହି କୁପ୍ରଥା କେବେ ଆରମ୍ଭ ହେଇଥିଲା ଜଣାନାହିଁ। କିନ୍ତୁ ଏହାକୁ କେହି କେହି ଯୋଡ଼ି ଦିଅନ୍ତି ଦକ୍ଷ ଯଜ୍ଞର ସତୀ ଦହନ ସହିତ। କିନ୍ତୁ ତାହା ତ ପତି ବିୟୋଗରେ ନୁହେଁ , ପତି ଅପମାନ ସହି ନପାରି ଅଗ୍ନିପ୍ରବେଶ କରିଥିଲେ ମାଆ ସତୀ।

କୋଉଠି କୋଉଠି କୁହାଯାଏ ରାମାୟଣ କାଳରେ, ମହାଭାରତ କାଳରେ ମଧ୍ୟ ସତୀପ୍ରଥା ଥିଲା। ପାଣ୍ଡୁଙ୍କ ପତ୍ନୀ ମାଦ୍ରୀ, ବସୁଦେବଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀମାନେ , ଧୃତରାଷ୍ଟ୍ରଙ୍କ ମୃତ୍ୟୁ ପରେ ଗାନ୍ଧାରୀ ପ୍ରଭୃତି ସତୀ ହେଇଥିଲେ ବୋଲି। କିନ୍ତୁ ସେସବୁ ପ୍ରଶ୍ନର ଘେରରେ। ମାତ୍ର ବେଦରେ ସତୀପ୍ରଥାର ଉଲ୍ଲେଖ ନାହିଁ।

ମିସର୍ ଦେଶ ଓ ଅନ୍ୟାନ୍ୟ କିଛି ଦେଶରେ ଲୋକଟିଏ ସହିତ ତାର ପତ୍ନୀ, ବିପତ୍ନୀ ଓ ଚାକର ବାକରଙ୍କୁ ଜୀଅନ୍ତା ମମି କରି ଦେଉଥିଲେ।

କିନ୍ତୁ ଏହା ନିଶ୍ଚିତ ଭାବେ କୁହାଯାଇପାରେ ଯେ ପୁରୁଷଙ୍କ ଭୟରେ ହିଁ ନାରୀଟିଏ କିମ୍ବା ତାର ପରିବାରବର୍ଗ ଏହି କୁପ୍ରଥାର ଆଶ୍ରୟ ନେବାକୁ ବାଧ୍ୟ ହେଉଥିଲା।

ବାଲ୍ୟବିବାହ ତଥା ସ୍ଵାମୀର ବୟସାଧିକ୍ୟ ପାଇଁ ଖୁବ୍ ଅଳ୍ପ ବୟସରେ ନାରୀଟିଏ ବିଧବା ହେଇ ଯାଉଥିଲା। ତା ଉପରେ ନଜର ପଡ଼ୁଥିଲା ସେ ସମୟର ସୁଲ୍‌ତାନ୍ , ରାଜା ଓ ଜମିଦାର ମାନଙ୍କର । ସେହି ଅତ୍ୟାଚାରରୁ ବର୍ତ୍ତିବା ପାଇଁ ଏହି ପଥ ବାଛି ନେଉଥିଲେ ବିଧବାମାନେ। କ୍ରମେ ଘରେ ଘରେ ତାହା ଏକ ପ୍ରଥାରେ ପରିଣତ ହେଲା। ଯୋଉଠି ଆବଶ୍ୟକ ନାହିଁ ସେଠାରେ ମଧ୍ୟ ନାରୀ ମାନଙ୍କୁ ବଳାତ୍ ସତୀ ଗାଡ଼ରେ ପୂରେଇ ଜୀଅନ୍ତା ଜଳେଇ ମାରି ଦିଆ ଯାଉଥିଲା। ଆଜିକା ଭାଷାରେ କହିଲେ ତାହା ଏକ ଟ୍ରେଣ୍ଡ ପାଲଟିଥିଲା। ଯାହାକୁ ଉତ୍ପାଟିତ କରିବା ସହଜସାଧ୍ୟ ନଥିଲା। ଯେଉଁମାନେ ଏହାର ବିରୋଧ କରୁଥିଲେ ସେମାନେ ସମାଜ ଆଖିରେ ପାପୀର ଆଖ୍ୟା ପାଉଥିଲେ ଓ ଦଣ୍ଡିତ ମଧ୍ୟ ହେଉଥିଲେ।

ଏହାର ମୂଳୋଚ୍ଛେଦନ କରିବାକୁ କିଛି ପେଶଓ୍ଵା , ଆକବର, ପୁର୍ତଗାଲୀ ଶାସକ ପ୍ରଭୃତି ଚେଷ୍ଟା କରିଥିଲେ। ତାପରେ ରାଜା ରାମମୋହନ ରାୟଙ୍କ ଆପ୍ରାଣ ଉଦ୍ୟମ ଏହାକୁ ଏକ ଆନ୍ଦୋଳନର ରୂପ ଦେଲା। ବିରୋଧକୁ ଖାତିର ନକରି ସେ ଏହାକୁ ସମୂଳେ ଉତ୍ପାଟିତ କରିବାରେ ନିଜକୁ ଉତ୍ସର୍ଗୀକୃତ କରି ଦେଇଥିଲେ। ଶେଷରେ ପ୍ରଥମେ ଲର୍ଡ କର୍ନଓ୍ଵାଲିସ୍ , ଲର୍ଡ ହେଷ୍ଟିଂସ୍ ଓ ପରିଶେଷରେ ଲର୍ଡ ବେଣ୍ଟିକଙ୍କ ସହାୟତାରେ ଏହି ପ୍ରଥାକୁ ବନ୍ଦ କରେଇବାରେ ସଫଳ ହୋଇଥିଲେ।

ଆଧୁନିକ ସମୟରେ ମଧ୍ୟ ଅଶୀ ଦଶକରେ ରାଜସ୍ଥାନର ରୂପକୁଓଁର୍ ସତୀ ହେବା କଥା ଅତ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ସତୀ ପ୍ରଥା ସିନା ସରିଗଲା। କିନ୍ତୁ ଆଜି ମଧ୍ୟ ଏପରି ଅନେକ କୁସଂସ୍କାର, କୁପ୍ରଥା ରହିଛି ଯାହାକୁ ଧର୍ମ ସହିତ ଯୋଡ଼ି ତାକୁ ଆମେ ଆଦରି ନେଉଛୁ।

ତେବେ ଯାହା ଘୃଣ୍ୟ ବା ସମାଜ ପାଇଁ କ୍ଷତିକାରକ ତାକୁ ଆମେ ବିରୋଧ କରିବା ଉଚିତ୍ ନୁହେଁ କି ?


ଆରତୀ ସାହୁ


Share it

Leave a comment

Your email address will not be published. Required fields are marked *

Verified by MonsterInsights