ସ୍ତ୍ରୀ ପଦବୀ …

Laxmidhar Nayak
Share it

ସାଲା ସାକ୍ଷାତ୍ IAS ପରୀକ୍ଷା ତ, ପାଇବା ଭାରି ଡିଫିକଲ୍ଟ, କିନ୍ତୁ ଥରେ ପାଇଗଲେ ନା ସାରା ଜୀବନଟା ଖାଲି ପାଣ୍ଡିଆନ୍ ପାଣ୍ଡିଆନ୍

IAS ପଦବୀ ଟାକୁ ସବୁଠୁ ସମ୍ମାନ ଜନକ ପଦବି ବା ଚାକିରୀ ବିବେଚନା କରାଯାଏ, ନୁହେଁ କି ? ଭଲ ଦରମା, ଭଲ ସୁବିଧା ସୁଯୋଗ , ଅଖଣ୍ଡ କ୍ଷମତା, ଏମିତି କେତେ କଣ ।

ସେଥି ପାଇଁ ତ IAS ପଦବୀଟିଏ ପାଇବା ପାଇଁ ନନାଦି ଯେଗ୍ୟତାମୂଳକ ପରୀକ୍ଷା ନିରୀକ୍ଷାରେ ପାସ୍ କରିବାକୁ ହୁଏ ।

ନାରୀର ପଦବୀ : –

ମା ପଦବୀ –
ସୁଇପର ଚାକିରୀ ପରିକା , ମିଳିବା ସହଜ, ପାଳିବା ଟିକେ କଷ୍ଟ , କିନ୍ତୁ ସଂସାର ପାଇଁ ଆନନ୍ଦ ଦାୟକ, ତେଣୁ No objection, ସବୁଠୁ ବଢିଆ, ସାରା ସଂସାର ଭାରି ଖୁସି ।

ଭଉଣୀ ପଦବୀ –
କିରାଣୀ ପରିକା, ପ୍ରତି ବର୍ଷ ଦୁର୍ଗାପୂଜା ବେଳକୁ ବୋନସଟା ମିଳିଯାଉଥିବ, ମଝିରେ ମଝିରେ DA ଟା ବଢୁଥିବ, ଏ ପଦବୀ ଟା ବି ବଢିଆ, No objection, ଇଏ ବି ଗୋଟେ ଖୁସିବାସିଆ ପଦବୀ ।

ଝିଅ ପଦବୀ –
ମତେ ଲାଗେ ଏଇ ପଦବୀଟା ଅନେରାରୀ ଚିଫ୍ ୱାଇଲଡ ଲାଇଫ୍ ୱାର୍ଡେନ୍ ପରିକା , ଦରମା ନାଇଁ କି ପତର ନାଇଁ , କିନ୍ତୁ ସକାଳୁ ସଞ୍ଜ ଅର୍ଡର ଚାଲିଥିବ ସାଇଁ ସାଇଁ ।

ବାପା ଯେଡେବଡ ପଦୁଆର ହେଇ Principal Chief Conservator of Forest ହେଇଥାଉ ପଛେ, ହେଲେ କୋଉ PCCF ତା କଥା ନମାନିବ ଏମିତି ବାପା ଆଜିଯାଏ ଜନମ ହେଇଥିବା ମୁଁ ଦେଖି ନାହିଁ ।

କଥାରେ କୁହନ୍ତିନି କି – ଅଖା ନାହିଁ କି ଗଉଣି ନାହିଁ, ନାଁ ଟା କିନ୍ତୁ ନିଧିରାମ ସରକାର ।

ଏଇଟା ବିଶ୍ୱର ସବୁଠୁ ଆଦରଣୀୟ, ସବୁଠୁ ସୁନ୍ଦର, ସବୁଠୁ ବଢିଆ, ବହୁତ ମିଠା ପଦବୀ, No objection ।

ସ୍ତ୍ରୀ ପଦବୀ –

ସାଲା ସାକ୍ଷାତ୍ IAS ପରୀକ୍ଷା ତ, ପାଇବା ଭାରି ଡିଫିକଲ୍ଟ, କିନ୍ତୁ ଥରେ ପାଇଗଲେ ନା ସାରା ଜୀବନଟା ଖାଲି ପାଣ୍ଡିଆନ୍ ପାଣ୍ଡିଆନ୍ ।

କାରଣ ବରଟା ତ ମନ୍ତ୍ରୀ ପଦବୀ ମଣ୍ଡନ କରିବା ପାଇଁ, ମୂଳରୁ ବଛାବଛି ହେଇ ଭକୁଆ ଶିରୋମଣି ଦିବ୍ୟ ସୁନ୍ଦର ଟିଏ ହିଁ ହେଇଥିବ;

ଶଶୁରକୁ ଦିଥର ମୁହଁମୋଡି ଦେଲେ ତ ସିଏ ବଞ୍ଚିଥିବା ପର୍ଯ୍ୟନ୍ତ ହାଇସ୍କୁଲ ଗଣିତ କ୍ଲାସର ଛେଳି ଭଳିଆ ଟାଇମ ପାସ୍ କରିବ;

ଶାଶୁ ନାଁରେ ଦି ପଦ ଫୋଡିଦେଲେ ଦିବ୍ୟସୁନ୍ଦର ଠୁ ଦେବଲୋକ ପର୍ଯ୍ୟନ୍ତ ତ ସମସ୍ତେ ଝାଞ୍ଜ କରତାଳ ଧରି ମାଡି ଆସିବେ ଶିରୀପାଳିଆ ହବାକୁ ଆଉ ସ୍ୱରରେ ସ୍ୱର ମିଶେଇ ଗାଇବେ – ଏ ବୁଢୀଟା ସବୁ ନାଟର ଗୋବର୍ଦ୍ଧନ, ଡାହାଣିଠୁ ବଳିକି;

ହାଣ୍ଡିକି ପାହାରେ ପକେଇଲେ ତ କୁକୁର ଛେଲୁଆ;

କୋଉ ଶାଲା ମା ପେଟର ଭାଇ ଆଜି ଯାଏ ଏଡେ ବାହାଣିଆ ହେଇ ଜନମ ହେଇଥିବା ମୁଁ ଦେଖିନି ଯିଏ ଛେଲୁଆକୁ ଫେବିକଲ ଲଗେଇ ଯୋଡି ପୁଣି ହାଣ୍ଡି କରିଦେବ ଆଉ ସେଥିରେ ମହାପ୍ରସାଦ ରୋଷେଇ ହେବ ।

ମାନେ ପୁରା ପୁରା ଆଇଏଏସ୍ କ୍ଷମତା ତ ! ମନ ଇଚ୍ଛା ଉପଭୋଗ କରିହେବ ଇଚ୍ଛା କଲେ ।

IAS ର ଯେମିତି ଦୋଷ ଧରିବା ମନା, ରିଟିନ୍ ଆଇନ କାନୁନ ଦ୍ୱାରା ପ୍ରୋଟେକ୍ଟେଡ୍, ସେମିତି ଏ ସ୍ତ୍ରୀ ପଦବୀଟିର ଦଶ ଖୁଣ ବା ଦଶ ଦୋଷ ମାଫ୍ କରିବାକୁ ଅଗ୍ନି ସାକ୍ଷୀ ଏଗ୍ରିମେଣ୍ଟ ଟିଏ ଥାଏ ।

ସେ ଦଶଟି ଦୋଷ ବାଦ୍ ଯେ ସଂସାରରେ ଆଉ କିଛି ଦୋଷ ବଳିଥାଏ କରିବାକୁ , ସେକଥା ଆଜିଯାଏ କେହି ଭାବି ହିଁ ପାରି ନାହାନ୍ତି, ସେଥିପାଇଁ ଏ ପଦବୀଟା ସବୁଠୁ ପାବାରଫୁଲ୍ ବୋଧେ ।

ସେ ଦଶ ଦୋଷ କ୍ଷମା ସଂସ୍କୃତ ଶ୍ଳୋକଟା ହେଲା –

ନିର୍ଲଜ୍ଜା ଚୌରବୃତ୍ତିଶ୍ଚ ଡାକିନୀ ବ୍ଯଭିଚାରିଣୀ
ମୁଖରା ହିଂସକା ଦୁଷ୍ଟା ମିଥ୍ଯାବାଦିନୀ ଅନ୍ଯତୋଷିଣୀ ।।
ପଳାୟନପରାଭୂୟୋ ଦଶଦୋଷା ଇତି ସ୍ମୃତା ।।

ଅବଶ୍ୟ ଏଇ ପଦବୀଟା ମନେ ମନେ ଭାରି ସୁନ୍ଦର, କେବଳ ସ୍ତ୍ରୀ ପଦବୀରୁ ରିଟାୟାର ହେଇ ଶାଶୁ ହବା ପର୍ଯ୍ୟନ୍ତ । ତା ପରେ ତ ଅତୀତ ସୁମରି, କାନ୍ଦି କାନ୍ଦି, ଆଖି ମଳି ମଳି, ଲୁହ ପୋଛି ପୋଛି ବୋଲିବାକୁ ହୁଏ –

କିଛି ଲୁହ ପୋଛା ହୁଏ ପଣତ କାନିରେ,
କିଛି ଲୁହ ପିଇ… ଯାଏ ଓଠ …

କିମ୍ୱା

ଏଇ ଯେ ବନ ଲତା ପାହାଡ,
ଆହା ରେ ଦିଶେ କେଡେ ସୁନ୍ଦର, ଏଠି ଦିନ ସରେ ନା , ଏଠି ରାତି ସରେ ନା ….

ମାନେ ପୁରା ଅଖା ଧୋଉଥିବା, ଗୁଣ ଗାଉଥିବା ଅବସ୍ଥା ।

ସମସ୍ତଙ୍କୁ ବିଶ୍ୱ ମହିଳା ଦିବସର ଅଭିନନ୍ଦନ !

Laxmidhar Nayak
ଲକ୍ଷ୍ମୀଧର ନାୟକ

– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights