23rd July 2024
ପୂର୍ବ ପ୍ରକାଶିତ ଉତ୍ତାରୁ …
( ସତ୍ଯବାଣୀ : ଛତିଆବଟ କଥା – ୨ : ବଡମଣିମା ରାମଚନ୍ଦ୍ର ଦେବଙ୍କ ଶ୍ରୀମୁଖରୁ .. )
ସେ ଯେମିତି ମତେ ଦେଖିଚି ଗର୍ଜନ କରି ଉଠିଲା । କହିଲା, ଠାକୁର ଆସିଚି ନା ଠାକୁର । ଆଜି ଠାକୁରକୁ ପିଟି ସାରା କରିଦେବି।
ତା ଦେହରେ ଏତେ ବଳ କେଉଁଠୁ ଆସିଲା କେଜାଣି ? ଗୋଟାଏ ହୁଙ୍କାରରେ ଲଙ୍ଗଳ ଦଉଡି ଛିଣ୍ଡାଇ ପକାଇଲା । ଠେଙ୍ଗାଟିଏ ଧରି ଦଉଡି ଆସିଲା ମୋତେ ପିଟିବାକୁ । ଲୋକେ କଣ ତାକୁ ଧରି ପାରନ୍ତି! ଗୋଟାଏ ତ ଯେମିତି କାଳ ଭୈରବ ।
ମୁଁ ଇଆଡେ ଲୋକଙ୍କୁ ଡାକୁଥାଏ । କେହି ଆଉ ଭୟରେ ମୋ ପାଖକୁ ଆସୁ ନଥାନ୍ତି। ତା ପରେ ମୁଁ ଦମ୍ଭ ଧରି ବସିଲି । ଦେଖାଯାଉ, ଲୋକଟା କଣ କରୁଛି ।
ମୋ ପିଲା ଦିନର ଗୋଟେ କଥା କହୁଛି ଶୁଣ । ମୋର ବୟସ ସେତେବେଳେ ଚଉଦ ପନ୍ଦର । ମୋର କାହିଁକି ଇଚ୍ଛା ହେଲା କଲିକତା ବୁଲିଯିବାକୁ । ବାପାଙ୍କୁ ନଜଣେଇ କଲିକତା ଯିବାକୁ ମୁଁ ବ୍ଯବସ୍ଥା କରିଥାଏ ।
ସେତିକିବେଳେ ବାଲେଶ୍ବର ଆଶ୍ରମକୁ ବାପା ମୋତେ ପଠେଇଲେ । ମୁଁ ଗଲି ବାଲେଶ୍ବର। ସେଇଠୁ ମୁଁ ଟିକମ ସହିତ କଲିକତା ଗଲି ।
କଲିକତା ଆଶ୍ରମରେ ଆମେ ଥାଉ । ଏଣେ ବାପା ଭାବିଲେ ମୁଁ ଯଦି ବାଲେଶ୍ବରରୁ କଲିକତା ଚାଲିଯାଏ ତେବେ ଅଡୁଆ ହୋଇଯିବ। କଲିକତା ଆଶ୍ରମର ପଇସାପତ୍ର ମୁଁ ଖର୍ଚ୍ଚ କରିଦେବି। ଏଣେ ମନ୍ଦିର ହେବ କେମିତି?
ସଙ୍ଗେ ସଙ୍ଗେ ବାପା ଅନନ୍ତ ପୂଜାରୀକୁ ପଠେଇଦେଲେ କଲିକତା । ତାଙ୍କର ତାଗିଦା ଥିଲା ମୁଁ କଲିକତାରେ ପହଞ୍ଚିବା ପୂର୍ବରୁ ସେ ପହଞ୍ଚି ସବୁ ପଇସାପତ୍ର ନେଇ ଆସିବ ।
ସେ କଲିକତା ଆଶ୍ରମରେ ପହଞ୍ଚି ମତେ ଦେଖି ତଟସ୍ଥ । ତାର ଭାବନା ମୁଁ କେମିତି ଆଗ ପହଞ୍ଚିଗଲି? କଣ ସବୁ ପଇସା ପତ୍ର ଖର୍ଚ୍ଚ କରିଦେଇ ସାରିଲିଣି କି? ସେ ଆନନ୍ଦ ମଲ୍ଲିକକୁ ଡାକି ନେଇଗଲା ବାହାରକୁ । ବାପା ଯାହା ବତେଇଥିଲେ ସେ ସବୁ ତାକୁ କହିଲା ।
ତା ପରେ ସେମାନେ ଆଶ୍ରମ ଘରକୁ ଆସି ବାକ୍ସ ଖୋଲି ପଇସା ପତ୍ର ସବୁ ଗଣିଲେ । ସେତେବେଳେ ତମ୍ବା ପଇସା ଲୋକେ ଦେଉଥିଲେ । ସମସ୍ତଙ୍କ ଆଗରେ ଗଣା ହେଲା । ମୋଟ୍ ହେଲା ଏକାଅଶୀ ଟଙ୍କା ।
ମୁଁ ସବୁ ଦେଖୁଥାଏ । ମୁଁ କହିଲି ବାପା ଏତେ ବାଟରୁ ପଠାଇଛନ୍ତି ଅନନ୍ତକୁ । ମୁଁ ପୁଣି ଏଇଠି ଅଛି । ସେ ଏଇ ଏକାଅଶୀ ଟଙ୍କା ନେଇକରି ଯିବା କଣ ଉଚିତ ହେବ ? ତାକୁ ଯୋଗାଡକରି ଶହେ ଟଙ୍କା ପୁରେଇ ଦିଅ । ମୋ କଥାରେ ସମସ୍ତେ ଏକମତ ହୋଇଗଲେ । ସଙ୍ଗେ ସଙ୍ଗେ ଆଉ ଉଣେଇଶି ଟଙ୍କା ଯୋଗାଡ ହେଇଗଲା ।
ଅନନ୍ତ ଏ ସବୁ ଘଟଣା ଦେଖି ବିସ୍ମିତ ହେଲା । ସେ ମୋ ଗୋଡକୁ ଧରି କହିଲା, ଆଜ୍ଞା ଆପଣ ବାପପୁଅଙ୍କ କଥା ମୁଁ କିଛି ବୁଝିପାରୁନି। ବାପା ପଠେଇଥିଲେ ମୋତେ ଆପଣଙ୍କ ଆସିବା ଆଗରୁ ପହଞ୍ଚି ଟଙ୍କା ନେଇଯିବା ପାଇଁ । ଅଥଚ ଆପଣ ପୁଣି ସେଥିରେ ଟଙ୍କା ଭରଣା କରି ଦେଉଛନ୍ତି ।
ମୁଁ କହିଲି ତମେ ସେଥିରୁ କଣ ପାଇବ ? ଯାଅ ତମେ ବାପାଙ୍କୁ ଦେଇଦେବ ।
ଅନନ୍ତ ବଟକୁ ଫେରି ଆସିବା ପରେ ମୁଁ କଲିକତା ବୁଲି ଦେଖିଲି । ତାପରେ ଆମେ ଗଲୁ କାଶୀ, ଗୟା ।
ଆମେ କାଶୀରୁ ଆସି ଗୟା ଷ୍ଟେସନରେ ଥାଉ । ସେଦିନ ଟ୍ରେନ୍ ବାତିଲ ହୋଇଗଲା । ବରାଦ ହେଲା ଆମେ ସେଦିନ ସେଠାରେ ରହିବୁ। ଆନନ୍ଦ ମଲ୍ଲିକ ଓ ଆଉ ଜଣେ ଲୋକ ଗଲେ ସଉଦା କିଣିବାକୁ। ମୁଁ ସେଇଠି ଛିଡା ହୋଇଥାଏ ।
ପାଖରେ କଣ ନିଲାମ ଡକା ହେଉଥାଏ । ମୁଁ ତ ସେତେବେଳକୁ ନିଲାମ କଣ ଜାଣିନଥାଏ । ପ୍ରଥମେ କିଏ ଜଣେ କହିଲା ଏକ । ତା ପରେ ଆଉଜଣେ କହିଲା ଦୋ । ତା ପରେ ଡାକ ହେଲା ତିନ୍, ଚାର୍, ପାଞ୍ଚ୍, ଛେ ।
ଡାକୁଥିବା ଲୋକଟି ଛେ ଛେ ହେଉଥାଏ । ଆଉ କେହି ଡାକିଲେ ନାହିଁ। ମୁଁ କଣ ଭାବିଲି କେଜାଣି ମୋ ପାଟିରୁ ବାହାରି ଆସିଲା ସାତ୍।
ଆଉ ତା ପରେ କେହି ଡାକିଲେ ନାହିଁ । ମୋତେ ସମସ୍ତେ ଘେରିଗଲେ। ମୁଁ ତ ଆବା କାବା ହେଇ ଖାଲି ଚାହିଁ ରହିଥାଏ ସମସ୍ତଙ୍କ ମୁହଁକୁ । ମୁଁ କୋଉ ସେମାନଙ୍କ କଥା ବୁଝୁଛି ନା ସେମାନେ ମୋ କଥା ବୁଝୁଛନ୍ତି ?
ଏତିକିବେଳେ ଆନନ୍ଦ ମଲ୍ଲିକ ଓ ମୂଷିବାବୁ ଚାଲି ଆସିଲେ ମୋ ପାଖକୁ। ସେମାନେ ମୋତେ ପଚାରିଲେ କଥା କଣ ? ମୁଁ କହିଲି କଣ କେଜାଣି ? ସେମାନେ କଣ ଛ ଛ ହେଉଥିଲେ, ମୁଁ କହିଦେଲି ସାତ। ଏଇଥିରେ ତ ଏମାନେ ମତେ ଘେରିଯାଇଛନ୍ତି।
ଆମ ଲୋକ ବ୍ଯସ୍ତ ହୋଇପଡିଲେ । ମୋତେ କହିଲେ, ଆପଣ ଆଜ୍ଞା କଣ କଲେ ? ଏଠାରେ ରେଳବାଇ ବିଭାଗର ଲୁହା ଧାରଣା ନିଲାମ ହେଉଥିଲା । ଏବେ ଆମେ କରିବା କଣ?
ମୁଁ କହିଲି, ହଉ, ଯାହା ହବାର ତ ହେଲାଣି । ସେମାନଙ୍କୁ କୁହ ଆମ ନାମରେ କଲିକତା ଠିକଣାରେ ପାର୍ସଲ କରିଦେବେ । ଆମେ ସେଇଠୁ ଟଙ୍କା ଦେଇ ଛଡେଇ ନେବା । ସେଇଆ ହେଲା।
ଆମେ କଲିକତାରେ ପହଞ୍ଚିଲୁ । ମୋ ମୁଣ୍ଡରେ ଟଙ୍କା ଚିନ୍ତା ପଶିଥାଏ । ମୁଁ ଆନନ୍ଦ ମଲ୍ଲିକ ଓ ମୂଷିବାବୁଙ୍କୁ ଧରି ଓଡିଆ ସର୍ଦ୍ଦାର ମାନଙ୍କ ଘରକୁ ଗଲି।
ସବୁଠି ମୋତେ ଆଦର ଅଭ୍ଯର୍ଥନା କଲେ । ସାତ ଶହ ବାଉନ ଜଣ ସର୍ଦ୍ଦାର । ଜଣେ ଅଧେ ନୁହେଁ ସମସ୍ତଙ୍କ ଘରକୁ ଗଲି । ସମସ୍ତଙ୍କୁ କହିଲି ମୁଁ ବନ୍ଧାପଡିଥିବା କଥା । ସମସ୍ତେ କିଛି କିଛି ସାହାଯ୍ଯ କଲେ। ଆମର ଟଙ୍କା ହୋଇଗଲା । ଠିକ୍ ସମୟରେ ପାର୍ସଲ ଛଡାଇ ଦେଲୁ ଏବଂ ତାକୁ ପୁଣି ବୈରୀ ଷ୍ଟେସନକୁ ରେଳରେ ପଠାଇ ଦେଲୁ । ବାପାଙ୍କ ପାଖକୁ ଚିଠି ଗଲା । ବାପା ଜିନିଷ ଛାଡାଇଲେ। ମୋ ଉପରେ କିନ୍ତୁ ସେ ମନେ ମନେ ରାଗି ଖୁଣ୍ ।
ମୁଁ କଲିକତାରୁ ଫେରି ବଟକୁ ଆସିଲି । ଘରେ ପହଞ୍ଚି ବାପାଙ୍କ ପାଖକୁ ଗଲି ଦଣ୍ଡବତ ହେବାକୁ । ବାପା ବସିଥାନ୍ତି ସିଂହାସନରେ । ତାଙ୍କର ତ ସହଜେ ସିଂହଠାଣି । ସେଦିନ ସେ ରାଗରେ ଚୁର୍ ।
ମୁଁ ଯେତେବେଳେ ତାଙ୍କ ଡାହାଣ ପାଖକୁ ଗଲି ସେ ବୁଲିପଡିଲେ ବାମ ପାଖକୁ । ବାମ ପାଖକୁ ଗଲାରୁ ସେ ବୁଲି ପଡିଲେ ଡାହାଣ ପାଖକୁ । ମୁହଁରେ କଥା ନାହିଁ । ମୁଁ ଶେଷରେ ତାଙ୍କ ଆଗକୁ ଯାଇ ଦଣ୍ଡବତ ହେଲି । ସେ ରାଗରେ ଥରି ଉଠିଲେ।
ମୋତେ କହିଲେ, ହଇଓ ଭଦ୍ରଲୋକ କେଉଁଠୁ ଏ ବୁଦ୍ଧି ଶିଖିଲ? ତମେ ଏ ସବୁ ଜିନିଷ ପଠାଇ ଦେଲ। ଟଙ୍କା କେଉଁଠୁ ଆସେ? ବଟରେ କଣ ଟଙ୍କା ପୋତା ହୋଇଛି ? ଷାଠିଏ ଟଙ୍କା ଆମେ ବନ୍ଧାପଡି ଆଣି ଜିନିଷ ଆଣିଲୁ। କିଏ ଦେବ ଏ ଟଙ୍କା?
ମୁଁ ସେତେବେଳକୁ ବ୍ଯସ୍ତ ହୋଇପଡିଲିଣି । ବାପାଙ୍କ ଆଗରୁ ଯିବି କୁଆଡକୁ ?
ଏଇ ସମୟରେ ଚେମ ପଣ୍ଡା ସେଇଠି ଥାଏ । ସେ ମୋ କାନରେ ଚୁପ୍ କରି କହିଦେଲା କୁହନ୍ତୁ ଆମେ ଦେଇଦେବୁ।
ମୁଁ କହିଲି ଆମକୁ ଚାରିଦିନ ସମୟ ଦେଲେ ଆମେ ଦେଇଦେବୁ। ବାପା କହିଲେ ହଉ।
ଏଥର ମୁଁ ଚେମ ପଣ୍ଡାଙ୍କ ସହିତ ତାଙ୍କ ଗାଁ କୁ ଗଲି । ସେଇଠି ଭିକ୍ଷା କରି ବାପାଙ୍କ ପାଖକୁ ଟଙ୍କା ପଠାଇଦେଲି।
ଏତେ ଘଟଣା ଘଟିଲା କଣ ଟଙ୍କା ପାଇଁ ? ଅସଲ କଥାଟା ହେଲା ମତେ ବାପା ଇମିତି କାଇଦା କରି ପଠେଇଦେଲେ କୁଳୁଗାଁକୁ ।
ସେଠି ଆଉ ଦି ଟା କଉତୁକିଆ ଘଟଣା ଘଟିଥିଲା । ମୁଁ ଜଣକ ଘରକୁ ଯାଇଥାଏ। ତାଙ୍କ ଘରେ ବସିଛି । ହଠାତ୍ ତାଙ୍କ ଘରେ ଜଣକୁ ଘଣ୍ଟିକା ରୋଗ ଧରିଲା । ସେ ଉପରକୁ ଡେଇଁ ପଡି ଗୋଟିଏ ଚାଳ ବାଉଁଶକୁ ଧରି ଓହଳି ପଡିଲା । ଲୋକେ ତ ଏ ଘଟଣାରେ ଛାନିଆ ।
ମୁଁ ସେଇ ଲୋକଙ୍କୁ ଲକ୍ଷ୍ଯ କରି କହିଲି, ତୁ ଇମିତି କାହିଁକି ହେଉଛୁ? ଏଠୁ ଯିବୁ ନା ନାଇଁ ?
ସେ କହିଲା ମତେ ପଣା ଦେଲେ ଯିବି । ସଙ୍ଗେ ସଙ୍ଗେ ପଣା ତିଆରି ହେଲା । ସେ ପଣା ପିଇ ଖୁସି ହେଲା । ତାପରେ ସେ ବାହାରିଲା ଯିବାପାଇଁ। କିଛି ବାଟ ଯାଇ ସେ ପଡିଗଲା । ତା ଉପରେ ପାଣି ଢାଳିବାରୁ ସେ ଚେତା ପାଇ ଉଠିଲା । ଏଥର ସେ ପୁରାପୁରି ଭଲ ହେଇଗଲା । ସେ ଗାଁ ରେ ଆଉ ଘଣ୍ଟିକା ରୋଗ ରହିଲା ନାହିଁ ।
ଆଉ ଜଣକ ଘରକୁ ଯାଇଥାଏ । ତାଙ୍କର ଗୋଟିଏ ଘରେ ବସିଥାଏ । ଦୁଆର ବନ୍ଧଟା ନୀଚା । ଘରେ ଜଣେ ଯୁବକ ପାଗଳ ହୋଇଯାଇଥାଏ। ତାକୁ ଗୋଟେ ଲଙ୍ଗଳ ଦଉଡିରେ ଲୋକେ ବାନ୍ଧି ଦେଇ ଥାଆନ୍ତି।
ସେ ଯେମିତି ମତେ ଦେଖିଚି ଗର୍ଜନ କରି ଉଠିଲା । କହିଲା, ଠାକୁର ଆସିଚି ନା ଠାକୁର । ଆଜି ଠାକୁରକୁ ପିଟି ସାରା କରିଦେବି।
ତା ଦେହରେ ଏତେ ବଳ କେଉଁଠୁ ଆସିଲା କେଜାଣି ? ଗୋଟାଏ ହୁଙ୍କାରରେ ଲଙ୍ଗଳ ଦଉଡି ଛିଣ୍ଡାଇ ପକାଇଲା । ଠେଙ୍ଗାଟିଏ ଧରି ଦଉଡି ଆସିଲା ମୋତେ ପିଟିବାକୁ । ଲୋକେ କଣ ତାକୁ ଧରି ପାରନ୍ତି! ଗୋଟାଏ ତ ଯେମିତି କାଳ ଭୈରବ ।
ମୁଁ ଇଆଡେ ଲୋକଙ୍କୁ ଡାକୁଥାଏ । କେହି ଆଉ ଭୟରେ ମୋ ପାଖକୁ ଆସୁ ନଥାନ୍ତି। ତା ପରେ ମୁଁ ଦମ୍ଭ ଧରି ବସିଲି । ଦେଖାଯାଉ, ଲୋକଟା କଣ କରୁଛି ।
ସେ ଦଉଡି ଦଉଡି ଘର ଭିତରକୁ ପଶି ଆସିଲା ବେଳେ ଦୁଆର ବନ୍ଧରେ ତା ମୁଣ୍ଡ ଠାଏ କରି ବାଜିଗଲା । ସେ ସେଇଠି ତଳେ ପଡିଗଲା। ଅଚେତ ହୋଇଗଲା ।
ତା ଉପରେ ପାଣି ଢାଳିଲେ । ସେ ଉଠି ବସିଲା । ଯେମିତି ତାର କିଛି ହୋଇନାହିଁ। କଣ ଭାବିଲା କେଜାଣି, ମୋ ଗୋଡ ଦି’ ଟାକୁ ଧରି କାନ୍ଦି ଉଠିଲା ଭୋ ଭୋ ହେଇ । ମୋ ଠାକୁର, ମୋ ଠାକୁର କହି ମତେ ଆଉ ନଛାଡେ।
ଲୋକଟା ସେଇ ଦିନ ଭଲ ହୋଇଗଲା । ଲୋକେ କହିଲେ ମୁଁ ଠାକୁର। ମୁହଁରୁ ମୁହଁକୁ ଏହି କଥାଟା ବ୍ୟାପିଗଲା ।
ଯେତେ କହିଲେ କଣ ଲୋକ ମାନନ୍ତି ! ଗୋଟାଏ କଣ ଅଲୌକିକ କଥା ଘଟିଗଲେ ଲୋକେ ଖାତିର୍ କରନ୍ତି । ଲୋକଙ୍କ ପ୍ରକୃତି ଏଇଆ । ତେବେ ସବୁବେଳେ କଣ ସବୁ କଥା ଘଟେ ? ବେଳକାଳ ନେଇ ଘଟେ। ଯେତେବେଳେ ଯାହା ଦରକାର ସେଇଆ କରିବାକୁ ହୁଏ ।
( କ୍ରମଶଃ )
“ସତ୍ଯବାଣୀ”
ସଂକଳକ : ପ୍ରଫେସର ବୈଷ୍ଣବ ଚରଣ ସାମଲ
ବିଶ୍ବଭାରତୀ, ଶାନ୍ତିନିକେତନ, ପଶ୍ଚିମବଙ୍ଗ
Jay shree Ananta gopal varasha