ଆଜି ପଖାଳ ଦିବସ । ଆସନ୍ତୁ ଆମ ସଂସ୍କୃତିରେ ଥିବା ପଖାଳ କଥାକୁ ମନେ ପକାଇବା ।
ଆମ ଲୋକଗୀତରେ ପଖାଳ:-
ଝିଅ ଶାଶୁ ଘରକୁ ଯିବା ବେଳେ, ଶାଶୁଘରେ ପଖାଳଖିଆ ବନ୍ଦ ହୋଇଯିବ କହି ବାହୁନି କାନ୍ଦି ଥାଏ :-
ପାହାନ୍ତା ପଖାଳ ସପନ ହେବ ଲୋ
ମୋ’ ମାଆ ରାଣୀ ।
ବାଳ ବାନ୍ଧିବାକୁ ତେଲ ନଥିବ ଲୋ
ମୋ’ ମାଆ ରାଣୀ ।।
ଶାଶୁ ଘର ଯିବାଆଗରୁ ଝିଅକୁ ବନ୍ଧୁ ବାନ୍ଧବ ଓ ସାଇପଡ଼ିଶା କନିଆଁଡାକରାରେ ତୋରାଣି ପିଆ ପାଇଁ ଡାକି ନେଇ ଥାନ୍ତି । ଝିଅଟି ସେତେବେଳେ ବାହୁନି ଥାଏ :–
ଦେଠେଇ ତୋହର ଥିଲେ,
ତୋରାଣି ପିଆକୁ ଡକାଇ ନେଲେ,
ହାତକୁ ବନ୍ଧେଇ ଦେଲେ ।
ସାଇ ପଡ଼ିଶାଏ ଥିଲେ,
ତୋରାଣି ପିଆକୁ ଡକାଇ ନେଲେ ,
ଫରୁଆ ପାନିଆଁ ଦେଲେ ।
ଆମ ଓଡ଼ିଆ ଢଗଢମାଳିରେ ମଧ୍ୟ ପଖାଳ ଅଛି ଯଥା :-
“ମଦରଙ୍ଗା ଶାଗ ରାଇ, ପଖାଳ ଭାତକୁ
ଚିଲିକା ଶୁଖୁଆ ମାଣିକପାଟଣା ଦହି ।”
“ଦି ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ
ବେଳ ଥାଉ ଥାଉ କହିଥା ।”
“ଖରାକୁ ପଖାଳପାଗ ଖାଇବାରେ ଓଡ଼ିଆ ଆଗ”
ପଶ୍ଚିମ ଓଡ଼ିଶାରେ ଢଗଟିଏ ଚଳେ :-
ଲାଲ ଟହଟହ ପାତଲ ଘଣ୍ଟା,
ଧାନ ମିରଚା ନୁନେ
ଚିଟକି ଚିଟକି ଖାଏମା ପୁତା,
ବାସି ପଖାଳର ସୁନେ ।।
ଆଉ ପଖାଳକୁ ପୁଣି ପ୍ରସିଦ୍ଧ କରି ଦେଇଛନ୍ତି ଆମ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ କବିଚନ୍ଦ୍ର କାଳି ଚରଣ ପଟ୍ଟନାୟକଙ୍କ ରଚିତ ଗୀତଟିକୁ ଗାଇ :-
ଆସ ! ଜୀଵନଧନ ମୋର ପଖାଳ କଂସା,
ସଜନୀରେ ତୋ ବିହୁନେ ବୁଡି଼ଲା ହଂସା
ବହିଲାଣି ଅନା ସଖୀ ଝାଞ୍ଜି ପଵନ,
ଅଠା ମାରିଗଲା ତୁଣ୍ଡୁ ଯାଏ ଜୀବନ,
ତୋ ବିନେ ପଖାଳ ଗୋ,ଫାଟିଲା କପାଳଗୋ,
ତୋରାଣୀ ସହିତେ ମିଶି ହର ମୋ ତୃଷା,
ଆସ ! ଜୀଵନ ଧନ ମୋର ପଖାଳ କଂସା ।।
ସଙ୍ଘା ଠାକୁରାଣୀ ପିତା ଶୁଖୁଆ ରାଣୀ,
ତୋ ଲାଗି ନିଆଁରେ ସତୀ ଝାସ ଦେଲାଣି,
ପିଆଜ ଥରି ଡରେ, ଛାଲ ଛଡାଇ ମରେ,
ମରିଚ କହୁଛି ମୋତେ ତୋ ତୁଲେ ମିଶା,
ଆସ ! ଜୀଵନଧନ ମୋର ପଖାଳ କଂସା ।।
ସଜଘୋଳ ଦହି ଆମ୍ଵଛେଚା ସହିତେ,
ଝୁରି ହେଉଥିବେ ସତେ ଦେଵତା ଯେତେ,
ବଡି଼ ଚଟଣୀ ଥାଇ, ଗୁମାନେ ରହେ ଚାହିଁ,
ଆନ ମନା ଶାଗ କହେ ଚୂଲିରେ ବସା,
ଆସ ! ଜୀଵନଧନ ମୋର ପଖାଳ କଂସା ।।
ଓଡ଼ିଆ ଜୀବନ ଧୁଆ ଶାଗ ପଖାଳ,
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ,
ଚାଖିନାହିଁ ଯେ ଥରେ, ଧିକ ତା ଜନମରେ,
ମଣିଷ ଯାକରେ ସେ ତ ଅଣ ପୁରୁଷା,
ଆସ ! ଜୀଵନଧନ ମୋର ପଖାଳ କଂସା ।।
ଗଣକବି ବୈଷ୍ଣବ ପାଣିଙ୍କ ପଖାଳ ସେବା :-
ଥରେ ଗଣକବି କନିକା ରାଜ ଉଆସରେ ଯାତ୍ରା ପରିବେଷଣପାଇଁ ଯାଇଥାନ୍ତି । ସେ ଚାହା ପିଇବା ପାଇଁ କ୍ଷୀର ମଗାଇଲେ । ଜଣେ ତନ୍ତୀଠାରୁ ନିମ୍ନ ମାନର କ୍ଷୀର ପାଇ ଚାହା ପିଇବାରେ ହଟ ହଟା ହୋଇ, ସେ ପଖାଳ ଖାଇ ସନ୍ତୁଷ୍ଟ ରହିଲେ ଏବଂ ରାଜାଙ୍କୁ ଏ କଥା ଜଣାଇ ଲେଖିଲେ :-
ଗୋଡ଼ ଯାହାଙ୍କର ଗାଡ଼ରେ ରହେ,
ଛିଡି଼ଲେ ଯେ ସୂତା ଯୋଡ଼ନ୍ତି ଖିଏ,
ସେ କଲେ ଦୁଧ ଘୋଳ କାରବାର,
କପାଳ ଫାଟିଲା ଗୋପାଳଙ୍କର
ଏ କନିକା ଗଡ଼ ଭିତରେ,
ଚା ଅଭାବରୁ ଠା କଲେ ପାଣି
ପୁଣି ପଖାଳ ଭାତରେ ।।
ଅର୍ଜୁନୀ ଚରଣ ବେହେରା
ମୋ -7693091971