ସକଳ ଘଟେ ନାରାୟଣ ମାନେ କୁମ୍ଭାର ଘଟେ ବି ନାରାୟଣ

Share it

ମହାପୁରୁଷ ହାଡି ଦାସ କହନ୍ତି –
ଦୁଃଖଧନ୍ଦା କରି ବାବୁରେ ପରିବାର ପୋଷିବୁ
ସମୟ ପାଇଲେ ଧନରେ ମୋତେ ଥରେ ଡାକିବୁ

ଜଣେ ସନ୍ଥ ଥିଲେ । ଦିନେ ସେ କୌଣସି ଚାଷୀ ଘରକୁ ଗଲେ। ଚାଷୀ ତାଙ୍କର ଖୁବ୍ ସେବା କଲା । ସନ୍ଥ ତାକୁ କହିଲେ, ପ୍ରତିଦିନ କିଛି ନାମଜପ କରିବା ପାଇଁ ତୁ ନିୟମ ଗ୍ରହଣ କର ।

ସେ କହିଲା—ବାବା, ମୋତେ ବେଳ ମିଳୁନି। ସନ୍ଥ କହିଲେ—ଠିକ୍ ଅଛି, ପ୍ରତିଦିନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆସିବୁ। ସେ କହିଲା–ମୁଁ ବିଲରେ ରହୁଛି, ଠାକୁର ତ ଗାଁଆ ମନ୍ଦିରରେ ଅଛନ୍ତି, ମୁଁ ପୁଣି କେମିତି ଦର୍ଶନ କରିବି?

ସନ୍ଥ ଜଣକ ତାକୁ କୌଣସି ଗୋଟାଏ ନିୟମ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରେ କହିଲେ, କିନ୍ତୁ ସେ କହୁଥାଏ–ମୋ ଦ୍ଵାରା ଏସବୁ ହେବ ନାହିଁ । ମୁଁ ବିଲରେ କାମ କରିବି ନା ମାଳା ଜପ କରିବି ? ଏତେ ବେଳ ମୋ ପାଖରେ କାଇଁ ? ପିଲାଛୁଆଙ୍କ ପାଳନପୋଷଣର ଦାୟିତ୍ଵ ଅଛି; ତୁ ତୁମ ଭଳି ମୁଁ କ’ଣ ବାବାଜୀ ହୋଇଛି ଯେ, ବସି ରହି ଭଜନ କରିବି ।

ସନ୍ଥ କହିଲେ—ହଉ, ତୁ ନିଜେ କହ ତୁ କ’ଣ କରି ପାରିବୁ ?

ଚାଷୀ ଦେଖିଲା ଏ ବାବା ମୋତେ ଭଗବାନ ଦର୍ଶନ ନକରେଇ ଛାଡିବା ମୁଡ୍ ରେ ନାହାନ୍ତି, ଅବଶ୍ଯ ସେଇଟା ତୃଙ୍କ କାମ, ସିଏ ତାଙ୍କ କାମ କରୁଛନ୍ତି, ହେଲେ ମୁଁ ମୋ କାମ ଛାଡି ମନ୍ଦିର ଗଲେ ମୋ ପରିବାର ଚଳିବ କେମିତି ?

ଚାଷୀ ଗୋଟେ ଉପାୟ ପାଞ୍ଚି କହିଲା— ମହାରାଜ, ଆପଣ ତ କହୁଛନ୍ତି ସକଳ ଘଟେ ନାରାୟଣ। ମହାରାଜ କହିଲେ ହଁ, ତାହା ତ ଠିକ୍ ।

ଚାଷୀ କହିଲା ଜଣେ କୁମ୍ଭାର ମୋର ପଡ଼ୋଶୀ, ସେ ମୋର ମିତ୍ର; ଆମ ଦୁହିଁଙ୍କ ବିଲ ମଧ୍ୟ ପାଖକୁ ପାଖ ଲାଗିଛି ଏବଂ ଘର ମଧ୍ୟ ପାଖକୁ ପାଖ ଲାଗିଛି। ମୁଁ ବରଂ ନାରାୟଣ ଦର୍ଶନ ନିୟମ ପାଳନ କରିବାକୁ ପ୍ରତିଦିନ ଯାଇ ତାକୁ ଥରେ ଦର୍ଶନ କରିଦେଇ ପାରିବି।

ସନ୍ଥ କହିଲେ— ଠିକ୍ ଅଛି, କିନ୍ତୁ ତାଙ୍କୁ ଦର୍ଶନ ନକରିବା ପର୍ଯ୍ୟନ୍ତ ଭୋଜନ କରିବୁ ନାହିଁ। ଚାଷୀ ଲୋକଟି ଏହା ସ୍ଵୀକାର କଲା ।

ତା ସ୍ତ୍ରୀ ରୋଷେଇ କରି ସାରି ଖାଇବାକୁ ଡାକିଲେ ସେ ପାଚେରୀ ଚଢ଼ି କୁମ୍ଭାରକୁ ଟିକେ ଦେଖିନିଏ ଓ ଖାଇବା ପାଇଁ ଯାଏ। କିନ୍ତୁ ସାଧୁଙ୍କ କଥାମାନି ଏହି ନିୟମଟିକୁ ସେ ଦୃଢ଼ଭାବରେ ପାଳନ କରେ ।

ଦିନେ ଚାଷୀକୁ ଶୀଘ୍ର ବିଲକୁ ଯିବାର ଥିଲା, ତେଣୁ ଭୋଜନ ଶୀଘ୍ର ପ୍ରସ୍ତୁତ ହୋଇଗଲା । ପାଚେରୀ ଉପରେ ଚଢ଼ି ଦେଖିଲା ବେଳକୁ କୁମ୍ଭାର ନାହିଁ । ପଚାରି ବୁଝିବାରୁ ଜଣା ପଡ଼ିଲା ଯେ ସେ କୁଆଡ଼େ ମାଟି ହାଣିବାକୁ ଯାଇଛି। ଚାଷୀ କହିଲା – ଏଟା କୁଆଡ଼େ ମରିଗଲା ମ, ଟିକେ ଦେଖି ନେଇ ଥାଆନ୍ତି ଭଲା । ଚାଷୀ ତାକୁ ଶୀଘ୍ର ଦେଖିଦେଇ ଆସି ବିଲକୁ ଯିବା ପାଇଁ ଖୁବ୍ ଜୋରରେ ନଈ କୁଳ ଆଡକୁ ଦୌଡ଼ିଲା।

ଏପଟେ ମାଟି ଖୋଳୁ ଖୋଳୁ କୁମ୍ଭାରକୁ ଧନରତ୍ନ ପୂର୍ଣ୍ଣ ଗୋଟିଏ ହାଣ୍ଡି ମିଳିଗଲା । ସେ ଭାବିଲା, କେହି ଦେଖିନେଲେ ବଡ଼ ଅସୁବିଧା ହେବ। ସେଥିପାଇଁ ସେ ଆଖପାଖରେ କେହି ଅଛନ୍ତି କି ବୋଲି ଦେଖିବାକୁ ଗୋଟିଏ ଗଛ ଉପରକୁ ଚଢ଼ିଗଲା।

ହଠାତ୍‌ ସେ ଚାଷୀକୁ ଦେଖିବାକୁ ପାଇଲା। ଏପଟେ ଚାଷୀର ଦୃଷ୍ଟି ମଧ୍ୟ କୁମ୍ଭାର ଉପରେ ପଡ଼ିଗଲା। କୁମ୍ଭାରକୁ ଦେଖିବାମାତ୍ରେ ଚାଷୀ ଜଣକ ଓଲଟା ଘରକୁ ଫେରିଯିବା ପାଇଁ ଦୌଡ଼ିଲା । କୁମ୍ଭାର ଭାବିଲା ଯେ ବୋଧହୁଏ ଇଏ ହାଣ୍ଡି ଦେଖିଦେଲା, ଏବେ ଅସୁବିଧା ହୋଇଯିବ ।

କୁମ୍ଭାର ଡାକ ପକାଇଲା— ଆରେ, ରହ ରହ ! ଚାଷୀ କହିଲା– ବାସ୍, ଦେଖିଦେଲି, ଦେଖିଦେଲି ! କୁମ୍ଭାର କହିଲା—ହଉ, ଦେଖିଦେଲୁ ଯଦି ଅଧା ତୋର ଓ ଅଧା ମୋର, କିନ୍ତୁ କାହାକୁ କହିବୁନି !

ଏହା ଶୁଣି ଚାଷୀ ତା’ପାଖକୁ ଆସିବାରୁ ତାକୁ ଧନ ମିଳିଲା। ସେ ଭାବିଲା, ସାଧୁ କହିବାରୁ ନିଜ ଇଚ୍ଛାରେ ନିୟମ ରଖି କାମ କରିବାରେ ତ ଏତେ ଲାଭ ମିଳିଲା, ଯଦି ସର୍ବଦା ଗୋଟେ ନୀତିନିୟମ ଆଧାରିତ ଦୃଢ ମନୋବଳ ନେଇ କାମ କରାଯାଏ ତେବେ କେତେ ଲାଭ ନ ହେବ ! ଏପରି ବିଚାର କରି ସେହି ଚାଷୀ ଓ ତା’ ମିତ୍ର କୁମ୍ଭାର ଉଭୟେ ସାଧୁଙ୍କ ପ୍ରଦର୍ଶିତ ନୀତି ନିୟମ ସଂଯମ ଶୃଙ୍ଖଳା ସଦାଚାର ଓ ସୁକର୍ମ ପଥର ପଥିକ ହୋଇଗଲେ।

ତାତ୍ପର୍ଯ୍ୟ ହେଲା, ଆମେ ଦୃଢ଼ଭାବରେ ନିଜପାଇଁ ଏକ ସତ୍ ଉଦ୍ଦେଶ୍ୟ ସ୍ଥିର କରିନେବା ଉଚିତ। ଥରେ ଏହି ଉଦ୍ଦେଶ୍ୟ ହାସଲ ପଥ ସହିତ ପରିଚିତ ହୋଇଗଲେ ଓ ଏହାକୁ ନିଷ୍ଠାର ସହ ନିଃସନ୍ଦେହରେ ସ୍ଵୀକାର କରି ତଦନୁରୂପ କର୍ମ କରି ଚାଲିଲେ, ଆପେ ଆପେ କେବେ ଉଦ୍ଦେଶ୍ଯ ସିଦ୍ଧି ହୋଇଯାଏ ତାହା ଜଣା ବି ପଡେନି ।

ଦିଲ୍ଲୀପ କୁମାର ସାହୁ
କନ୍ଧମାଳ


Share it

Join the Conversation

2 Comments

Leave a comment

Your email address will not be published. Required fields are marked *

Verified by MonsterInsights