ସୁଇଫ୍ଟ ବାର୍ଡ (ବତାସି ପକ୍ଷୀ)

Share it


ଏହି ପକ୍ଷୀଟି ଅନବରତ ଆକାଶରେ,ଦଶମାସ ଧରି ଉଡ଼ୁଥାଏ

ଦେଖିବାକୁ ଗାଢ଼ ଖଇରିଆ ଓ କଳାରଙ୍ଗର ବତାସି ଚଢ଼େଇ, ପକ୍ଷୀ-ଜଗତର ବିସ୍ମୟ । ଏରୋଡାଇନମିକ ଆକୃତିର ଏହି ମଧ୍ୟମ ଧରଣର ପକ୍ଷୀଟି ଅନବରତ ଆକାଶରେ,ଦଶମାସ ଧରି ଉଡ଼ୁଥାଏ। ଏଭଳି ଅଦ୍ଭୁତ କ୍ଷମତା ଆଉ ଅନ୍ୟ କୌଣସି ପକ୍ଷୀ ପାଖରେ ନଥାଏ । ଖାଇବା, ପିଇବା, ଗାଧୋଇବା, ଏପରିକି ମିଳନ ପ୍ରକ୍ରିୟା ମଧ୍ୟ , ଖୋଲା ଆକାଶରେ ଉଡୁଥିବା ଅବସ୍ଥାରେ ସମାପନ ହୋଇଥାଏ। କେବଳ ଅଣ୍ଡାଦାନ ଓ ଶାବକକୁ ଉଡାଣକ୍ଷମ କରିବା ପାଇଁ ଏମାନେ ତଳକୁ ଆସିଥାନ୍ତି ।

Apodidae ପରିବାରର ସଦସ୍ୟ ସୁଇଫ୍ଟ ପକ୍ଷୀର ପାଖାପାଖି ୧୦୦ ପ୍ରଜାତି ରହିଛି । ପ୍ରଜାତିଭେଦରେ ଏମାନଙ୍କ ଶାରୀରିକ ଗଠନ ଓ ଜୀବନକାଳ ଭିନ୍ନ ଭିନ୍ନ ହୋଇଥାଏ । ଏମାନଙ୍କ ପରମାୟୁ ପାଖାପାଖି ୨୦ ବର୍ଷ । ଅଦ୍ଭୁତ ଉଡାଣ କ୍ଷମତା ଥିବା ଏହି ପକ୍ଷୀଟି, ସିଙ୍ଗିଲ ଫ୍ଲାଇଟରେ ୨,୦୦,୦୦୦ କିଲୋମିଟର ଅତିକ୍ରମ କରିଥାଏ । ସମଗ୍ର ଜୀବନକାଳ ଭିତରେ ସୁଇଫ୍ଟ ପ୍ରାୟ ୩୦,୦୦,୦୦୦ କିଲୋମିଟର ଉଡ଼ିଥାଏ । ୧୮୭୦୦ ଫୁଟ ଉଚ୍ଚତାରେ ଉଡୁଥିବା ଏହି ପକ୍ଷୀଟିର,ଘଣ୍ଟା ପ୍ରତି ବେଗ ୧୧୦ ରୁ ୧୭୦ କିଲୋମିଟର।*kart.

ସୁଇଫ୍ଟ ପକ୍ଷୀ,ଏସିଆ, ୟୁରୋପ, ନର୍ଥ ଆମେରିକା ଓ ଆଫ୍ରିକା ମହାଦେଶରେ ଦୃଶ୍ୟମାନ ହୁଅନ୍ତି । ଆମ ଦେଶରେ କେବଳ ଗୋଟିଏ ପ୍ରଜାତି (କମନ ସୁଇଫ୍ଟ୍) ବହୁଳ ପରିମାଣରେ ଦେଖା ଯାଆନ୍ତି। ଏମାନଙ୍କର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଲମ୍ବ ୬-୭ ଇଞ୍ଚ ହୋଇଥିଲା ବେଳେ ଡେଣା ୧୫ ଇଞ୍ଚ ପର୍ଯ୍ୟନ୍ତ ଲମ୍ବିଥାଏ । ଏମାନଙ୍କ ଗୋଡ ଅତ୍ୟନ୍ତ କ୍ଷୁଦ୍ର ଓ ପାଦ ନାମକୁ ମାତ୍ର। ସମ୍ଭବତଃ ଆକାଶକୁ ନିଜର ଘର କରିଥିବା ଏହି କ୍ଷୁଦ୍ର ପକ୍ଷୀଟିର, ଗୋଡର ଆବଶ୍ୟକତା କିଛି ନାହିଁ । ତେବେ ଆବଶ୍ୟକ ହେଲେ ଏହା ବାଲୁକାସ୍ତୁପ ଉପରେ ଧୀର ଉଡାଣ ଭରି crash landing କରନ୍ତି । Apodidae ଶବ୍ଦଟି ଗ୍ରୀକ ଶବ୍ଦରୁ ଆନିତ। ଏହାର ଅର୍ଥ ପାଦ ନଥିବା ଜୀବ।

ଉଡୁଥିବା ଅବସ୍ଥାରେ ସୁଇଫ୍ଟ ତାର ଥଣ୍ଟକୁ ପ୍ରାୟ ମେଲା ରଖିଥାଏ । ଶହଶହ କୀଟପତଙ୍ଗ ଯଥା-ମଶା, ମାଛି, ଓ ଅନ୍ୟ କୀଟମାନଙ୍କୁ ଖୋଲା ଆକାଶରେ ଉଦରସ୍ଥ କରେ । ଏହାର ଖାଦ୍ୟାଭାବ ପ୍ରାୟ ନଥାଏ । ଉଡ୍ଡୀୟମାନ ଅବସ୍ଥାରେ ଜଳଭାଗକୁ ଆସି ପାଣି ପିଇସାରିବା ପରେ ପୁନଶ୍ଚ ଉପରକୁ ଉଠିଯାଏ । ବର୍ଷାଜଳରେ ସ୍ନାନ ସମାପନ ହୁଏ । ୩୬୦ ଡିଗ୍ରୀ ଦିଗ ପର୍ଯ୍ୟନ୍ତ କ୍ଷୀପ୍ର ଉଡାଣ ଦକ୍ଷତା ଥିବାରୁ ଏମାନେ ସମସ୍ତ ଶିକାରୀ ପକ୍ଷୀଙ୍କୁ ଚକମା ଦେବାରେ ସିଦ୍ଧହସ୍ତ ।

ସକାଳ ଓ ସନ୍ଧ୍ୟା ସମୟରେ ସୁଇଫ୍ଟ ବେଶ ସକ୍ରିୟ ଥାଏ। ଦଳଦଳ ହୋଇ ଖୁବ୍ କମ୍ ଉଚ୍ଚତାରେ କିଚିରି ମିଚିରି ଶବ୍ଦ କରି, ଏମାନଙ୍କୁ ଉଡୁଥିବାର ଦେଖିବାକୁ ମିଳେ ‌। ରାତି ହେଲେ ଏମାନେ ପ୍ରାୟ ୨୦୦୦ ଫୁଟ ଉପରକୁ ଉଠିଯାଆନ୍ତି ଓ ଆରାମରେ ଶୋଇଯାଆନ୍ତି ‌। ଦଳବଦ୍ଧ ଆକାରରେ ଉଡୁଥିଲେ ମଧ୍ୟ ସହଜାତ ଗୁଣସୂତ୍ର ଆଧାରରେ କେହି କାହା ସହିତ ଧକ୍କା ହୁଅନ୍ତି ନାହିଁ ।

ଉଚ୍ଚ ଅଟ୍ଟାଳିକା, ବୃକ୍ଷ ଆଦିରେ ଏମାନେ ବସା ବାନ୍ଧନ୍ତି । ବସା ଉପକରଣକୁ ମଧ୍ଯ ଉଡୁଥିବା ଅବସ୍ଥାରେ ଏମାନେ ଆକାଶରୁ ସଂଗ୍ରହ କରନ୍ତି । ୨ଟିରୁ ୩ଟି ଅଣ୍ଡା ଫୁଟିବା ପାଇଁ ୮ ସପ୍ତାହ ଲାଗେ। ଶାବକ ୧୨-୧୬ ସପ୍ତାହ ହୋଇଗଲେ ଉଡାଣକ୍ଷମ ହୁଅନ୍ତି ଓ ଆକାଶକୁ ଉଠି ଯାଆନ୍ତି । ଥରେ ଉଡିଗଲେ ପିତାମାତାଙ୍କ ପାଖକୁ ଆଉ ଫେରନ୍ତି ନାହିଁ।

୧୯୫୦ ମସିହାରୁ ସୁଇଫ୍ଟ ପକ୍ଷୀ ବିଷୟରେ ପ୍ରାଣୀ-ବିଜ୍ଞାନୀ ମାନେ ଗବେଷଣା ଜାରି ରଖିଛନ୍ତି ତେବେ ନିରବଚ୍ଛିନ୍ନ ଭାବେ ୧୦ ମାସ ଧରି ଆକାଶରେ ଉଡିବା ତଥ୍ୟ ୨୦୧୬ ମସିହାରେ ଜଣାପଡ଼ିଲା ।

କାର୍ତ୍ତିକ ଚନ୍ଦ୍ର ପଣ୍ଡା

କାର୍ତ୍ତିକ ଚନ୍ଦ୍ର ପଣ୍ଡା
ଭୁବନେଶ୍ୱର
୧୦-୦୩-୨୦୨୪


Share it

Leave a comment

Your email address will not be published. Required fields are marked *

Verified by MonsterInsights