ଓଡ଼ିଆ ଭାଷାର ଅପମୃତ୍ୟୁ
( ମୋ ଗାଁରେ )
– ଆରତୀ ସାହୁ
ବିଦ୍ୟାଳୟଟି ଏପର୍ଯ୍ୟନ୍ତ ଅଛି । ଏକମାତ୍ର ଓଡ଼ିଆ ମାଷ୍ଟ୍ରାଣୀ ପାରୁ ପର୍ଯ୍ୟନ୍ତେ ଟାଣୁଛି ମୁମୂର୍ଷୁ ଓଡ଼ିଆ ଭାଷାକୁ ହାତ ଗଣତି କେତେକ ଛାତ୍ର ଛାତ୍ରୀଙ୍କ ସାହାଯ୍ୟ ନେଇ । ହୁଏତ ଏହି ପିଢ଼ି ଶେଷ ପିଢ଼ି ଓଡ଼ିଆ ଶିକ୍ଷାର । ତାପରେ??
ମୁନିସିପାଲିଟି ସ୍କୁଲ । ସ୍କୁଲରେ ସର୍ବମୋଟ ଦୁଇଟି କୋଠରୀ ଓ ତାଙ୍କ ସାମନାରେ ବାରଣ୍ଡାଟିଏ । ବାରଣ୍ଡାରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲେ ବସନ୍ତି । ଏ ତିନୋଟି ଶ୍ରେଣୀ ଜଣେ ମାତ୍ର ଶିକ୍ଷକଙ୍କ ଦାୟିତ୍ୱରେ , ମନୀନ୍ଦ୍ର ମାଷ୍ଟର ।
ପିଲାଏ ରଡି଼ ଛାଡୁଥାନ୍ତି ,
ଏକରେ ଏକ ଏଗାର, ଏକରେ ଦୁଇ ବାର ,
ମେଣ୍ଢା ମୁଣ୍ଡ ଟି ବଡ଼ ଟାଣ
ଷୁହୁଳ ପାଞ୍ଚେ ଅଶି
ଷୁହୁଳ ଛଏ ଛିଆନବେ
ତୁମପରି ଛୋଟ ପିଲାଟିଏ
କୋଠରୀ ଭିତରେ ପୁଣି କୋଉ ଝିଅଟିଏ ସ୍ଵର ଲମ୍ବେଇଥାଏ
କାତ ଧରି ଧୀରେ ନାଉରି ….. ( କାଳିଜାଇରେ ସନ୍ଧ୍ୟା )
ଭାତ ଡାଲି ତରକାରୀ ଆମର ପ୍ରତିଦିନର ଖାଦ୍ୟ …. (ଫଳଚାଷ)
କଥା ହେଲା, ବଡ଼ କୋଠରୀଟିରେ ଚତୁର୍ଥ ପଞ୍ଚମ ଆଉ ଛୋଟଟିରେ ଷଷ୍ଠ ଶ୍ରେଣୀ । ଜଣେ ମାତ୍ର ଶିକ୍ଷକ ନିର୍ମଲ୍ ମାଷ୍ଟର । ବାରଣ୍ଡାରେ ପିଲାଙ୍କୁ ଆଡ଼େଇ ଆଡ଼େଇ ଏ କୋଠରୀ ସେ କୋଠରୀ ହେଉଥାନ୍ତି ( କାନ କୁନ୍ କୁନ୍ କାନେର ପାକା, ଓଇ ପାଡ଼ାକେ ଯା ପାକା ( ଏକ ଖେଳ ) । ସପ୍ତମ ଶ୍ରେଣୀ ପାଇଁ ପ୍ରାୟ ଶହେ କଦମ ଦୂରରେ ପ୍ରକୋଷ୍ଠଟିଏ କୋଉଠୁ ଯୋଗାଡ଼ ହୋଇଥାଏ କେଜାଣି ? ସପ୍ତମ ଶ୍ରେଣୀକୁ ପଢ଼ାଇବା ପାଇଁ କେତେବେଳେ ମନୀନ୍ଦ୍ର ମାଷ୍ଟର ତ କେତେବେଳେ ନିର୍ମଲ୍ ମାଷ୍ଟର କଦମ୍ ତାଲ୍ କରୁଥାନ୍ତି । ସେତେବେଳେ ପିଲାମାନେ ଅନୁଶାସନ ପାଳନ କରୁଥିଲେ । ପାଠ ଦେଇ ଗଲେ ନିଜେ ନିଜେ ପଢ଼ି ପାରୁଥିଲେ । ଖିଅ ଧରେଇ ଦେଲେ ହେଲା ।
ଇଏ ହେଉଛି ମୋ ଜନ୍ମଭୂମି ଷଢ଼େଇକଳାର ଏକମାତ୍ର ଓଡ଼ିଆ ସ୍କୁଲର ଚିତ୍ର । ସେହି ବିଦ୍ୟାଳୟରେ ଶିକ୍ଷାରମ୍ଭ ହୋଇଥିଲା ମୋ ଭଳି ଅନେକ ଓଡ଼ିଆ ପ୍ରେମୀଙ୍କର । ଓଡ଼ିଆ ହିନ୍ଦୀ ଓ ବଙ୍ଗଳା ମିଶାମିଶି ଭାଷା ବୋଲୁଥିବା ଷଢ଼େଇକଳିଆ ଓଡ଼ିଆ ସଂସ୍କୃତି ସହ ଏପରି ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଦଶହରା ପରେ ପରେ ଓଡ଼ିଆ ନାଟକ ପରିବେଷଣର ପ୍ରତିଯୋଗିତା ଚାଲୁଥିଲା ନଅ ଦଶ ଦିନ ଧରି, ଗୋପବନ୍ଧୁ ପାଠାଗାର ପ୍ରାଙ୍ଗଣରେ । ଓଡ଼ିଶାରୁ ମଧ୍ୟ ପାର୍ଟି ଆସୁଥିଲେ ଓ ବିଶିଷ୍ଟ ଅତିଥିଗଣ ଆସୁଥିଲେ । ନୀଳ ଯମୁନା, ଅମର ବିଳାସ, ନାରୀ ସମ୍ରାଟ, କଳା ପାହାଡ଼ ଇତ୍ୟାଦି ନାଟକ ମଞ୍ଚସ୍ଥ ହେଉଥିଲା । ରାତିସାରା ଚେଇଁ ଷଢ଼େଇକଳାର ଆବାଳବୃଦ୍ଧବନିତା ନାଟକରେ ନିଜକୁ ହଜେଇ ଦେଉଥିଲେ। ଷଢ଼େଇକଳିଆ ଦେଖୁଥିଲା ନିଜର ସୁନେଲି ଭବିଷ୍ୟତ, ଦିନେ ନା ଦିନେ ତାକୁ ଓଡ଼ିଶା ଆଦରି ନେବ । କିନ୍ତୁ ଦୁଃସ୍ଵପ୍ନ !!
ନିର୍ମଲ୍ ମାଷ୍ଟର ଏପରି ଅନର୍ଗଳ ଭାବରେ ସାହିତ୍ୟ ବହିର ବିଷୟ ମାନଙ୍କୁ ତର୍ଜମା କରୁଥିଲେ ଯେ ମୁଁ ଏକଲୟରେ ଅନେଇ ରହୁଥିଲି । ମୋତେ ଲାଗୁଥିଲା ସେ ଚଳନ୍ତା ଅଭିଧାନଟିଏ । ଶବ୍ଦ ମାନେ ସତେ ଯେମିତି ତାଙ୍କର ପୋଷା ମାନିଥିଲେ । ଏମିତି କୋଉ ଓଡ଼ିଆ ଶବ୍ଦ ନାହିଁ ଯାହାର ଅର୍ଥ ତାଙ୍କୁ କ୍ଷଣମାତ୍ର ଚିନ୍ତା କରିବାକୁ ପଡୁଥିଲା । ପାଠ ଛାଡ଼ି ସେ ଆମକୁ ବେଳେବେଳେ ସାହିତ୍ୟର ମହାମନିଷୀ ମାନଙ୍କର କୃତି ସମ୍ବନ୍ଧରେ ବକ୍ତୃତା ଦେଉଥିଲେ । ଚର୍ଚ୍ଚା କରୁଥିଲେ ତପସ୍ଵିନୀ, ବୈଦେହୀଶ ବିଳାସ, କାରା କବିତା, ଛମାଣ ଆଠଗୁଣ୍ଠ , ଅଦେଖା ହାତ ଇତ୍ୟାଦି ଇତ୍ୟାଦି ବିଷୟରେ । ରେବତୀ ଗଳ୍ପର ପ୍ରତ୍ୟେକଟି ବାକ୍ୟର ଭାବାର୍ଥ ଲେଖି ଆଣିବାକୁ କହୁଥିଲେ । ମୁଁ ଟିକେ ମାଡ଼କାତର ଥିଲି, ତେଣୁ ମରିପଡି଼ ସବୁ କାମ କରି ଆସୁଥିଲି । ହେଲେ କେହି କେହି ଭେଟରା ମୋଟା ଚମଡ଼ାବାଲା ପିଲା ଥିଲେ ଧରମୁ ଭଳି, ଯାହାଙ୍କୁ ଯେତେ କହିଲେ ବି, ତୁ ଯେତେ ମାଠିବୁ ମାଠ୍ ……….।
ତା ପରଦିନ ଯିଏ ଲେଖି ଆଣୁନଥିଲା ତାର ଆଣ୍ଠୁ ତଳେ ଗୋଡି଼ ରଖି ତାକୁ ଆଣ୍ଠେଇ ଦେଉଥିଲେ , ନହେଲେ ପାଞ୍ଚ ଆଙ୍ଗୁଠି ଫାଙ୍କ ମାନଙ୍କରେ ଛଅ ଧାରିଆ ପେନ୍ସିଲ ରଖି ତାକୁ ମୋଡୁଥିଲେ ସ୍କୃ ଡ୍ରାଇଭର ପରି । ଏମିତି ହେଉଥିଲା ଓଡ଼ିଆ ଶିକ୍ଷା । ଆମେ ମାନେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଷୟ ଓଡ଼ିଆରେ ପଢୁଥିଲୁ । ଅଷ୍ଟମ ଦଶମ ପରେ ଓଡ଼ିଆ ସଂକ୍ଷିପ୍ତ ହୋଇ କେବଳ ସାହିତ୍ୟରେ ରହିଲା । ଆମେ ସେତେବେଳେ ଉଚ୍ଚ ଶିକ୍ଷା ନିମନ୍ତେ ରାଉରକେଲାରେ ।
କ୍ରମଶଃ ଓଡ଼ିଆ ଭାଷାର ସ୍ଥାନ ହିନ୍ଦୀ ଆବୋରି ବସିଲା । ପିଲାଏ ସାହିତ୍ୟ ମଧ୍ୟ ରାଷ୍ଟ୍ରଭାଷାରେ ପଢ଼ିଲେ । ଓଡ଼ିଆ ପ୍ରତି ଆଗ୍ରହ କମି ଆସିଲା ବିହାରୀ ମାରୁଆଡି଼ଙ୍କ ପ୍ରାଦୁର୍ଭାବରେ । ଓଡ଼ିଆଙ୍କ ସଂଖ୍ୟା ହ୍ରାସ ହେଲା । ବର୍ତ୍ତମାନର ସ୍ଥିତି ଏଇଆ ଯେ ଓଡ଼ିଆ ପିଲାଏ ବେଶିଭାଗ ହିନ୍ଦୀ କହିଲେଣି ।
ବିଦ୍ୟାଳୟଟି ଏପର୍ଯ୍ୟନ୍ତ ଅଛି । ଏକମାତ୍ର ଓଡ଼ିଆ ମାଷ୍ଟ୍ରାଣୀ ପାରୁ ପର୍ଯ୍ୟନ୍ତେ ଟାଣୁଛି ମୁମୂର୍ଷୁ ଓଡ଼ିଆ ଭାଷାକୁ ହାତ ଗଣତି କେତେକ ଛାତ୍ର ଛାତ୍ରୀଙ୍କ ସାହାଯ୍ୟ ନେଇ । ହୁଏତ ଏହି ପିଢ଼ି ଶେଷ ପିଢ଼ି ଓଡ଼ିଆ ଶିକ୍ଷାର । ତାପରେ ?????
ଆରତୀ ସାହୁ ( ଆଶା )
ବସନ୍ତ ବିହାର, ନୂଆଦିଲ୍ଲୀ
ମୋ : 98684 63458
ଶୂନ୍ଯ ଶୂନ୍ଯ ମହାଶୂନ୍ୟ
ହା ହା ହା
ନମସ୍କାର