ଷଢେଇକଳାର ଚୈତ୍ର ମଙ୍ଗଳବାର ପୂଜା …

Share it

ଚୈତ୍ର ମଙ୍ଗଳବାର । ଏହା ଏକ ସଧବା ତାନ୍ତ୍ରିକ ପୂଜା। ଘଟ ଉଠାନ୍ତି ଘାସି ( ମେହେନ୍ତର ) ଘରର ସଧବା ନାରୀ ମାନେ । ତାଙ୍କୁ ଘଟୁଆଳୀ କୁହାଯାଏ । ମାସକ ଧର୍ମ ଶୁଦ୍ଧପୂତ ଭାବେ ପାଳି ଦେବୀର ମନ ପାଇ ସାରିଥାନ୍ତି ସେମାନେ । ସ୍ନାନ, ପୂଜନ, ଉପବାସ, ସଂଯମ ଏହାହିଁ ତ ଦେବତ୍ଵର ଚିହ୍ନ ।

ଷଢେଇକଳା ଏକ ତନ୍ତ୍ର ଦେବୀ ପୀଠ । ମାଆ ପାଉଡୀ଼ ଅଧିଷ୍ଠାତ୍ରୀ ଦେବୀ । ଈଷ୍ଟ ଦେବୀ । ପଛପଟରୁ ପୂଜା ପାଆନ୍ତି । ରାଜବଂଶ ଓ ଦେହୂରୀ ବ୍ୟତୀତ ଅନ୍ୟ କେହି ସେହି ରାଜଉଆସ ଅନ୍ତସ୍ଥ ମନ୍ଦିରକୁ ଯିବା ସର୍ବଥା ବର୍ଜିତ।

– ଆରତୀ ସାହୁ

ମଙ୍ଗଳା ଭିକ ଦିଅ ଗୋ ମାଆ । ସକାଳ ଛଅଟାରୁ ଆରମ୍ଭ ହୋଇଯାଏ ମଙ୍ଗଳା ଭିକ ମାଗିବା ପିଲା ମାନଙ୍କର । ଦଳ ଦଳ ଛୁଆ, ତିନିରୁ ତେର ବରଷ ଯାଏ ଅବୋଧ ନାବାଳକ ନାବାଳିକା ମାନଙ୍କର ଧାଡ଼ି ଲମ୍ବେ ସାହି ମାନଙ୍କର ମୁରୁମ ସଡ଼କରେ । ଖାଞ୍ଚିରେ ଖାଞ୍ଚିଏ ଚାଉଳ ଥୁଆ ହେଇଥାଏ ଆମ ବାଡ଼ି ପିଣ୍ଡାରେ । ସମସ୍ତଙ୍କୁ ଦିଆ ଯାଏ ମୁଠେ ମୁଠେ । ବେଳେବେଳେ ଘମ, ବଟଲେଇ, ହଣ୍ଡା, ହାଣ୍ଡିରୁ ଆହୁରି ଚାଉଳ ବାହାର କରିବାକୁ ପଡେ । ମୋତେ ବଡ଼ ମଜା ଲାଗେ ଭିକ ଦେବାକୁ ।

ଆମେ ମିଶି ଗୀତ ଗାଉଥିଲୁ ,

ଏ ମଉସା, ଦିଅ ପଇସା
ମାଉସୀ କରବେ ମଙ୍ଗଳା ଓଷା ।

ଚୈତ୍ର ମାସର ଆଦ୍ୟ ମଙ୍ଗଳବାର । ମାଆ ମଙ୍ଗଳା ପୂଜା, ଭିକ୍ଷା ଦାନ କରିବ ବୋଲି ମାଆର ଉତ୍ସାହର ସୀମା ନଥାଏ । ଏମିତି ଭି ମୋ ମାଆକୁ ଲକ୍ଷ୍ମୀ ଠାକୁରାଣୀ ବୋଲି କହୁଥିଲେ ସମସ୍ତେ । ମାଆ କହୁଥିଲା ,

” ହାତ ସବୁବେଳେ ଦେବା ପାଇଁ ସେହି ସ୍ଥିତିରେ ତଳ ଆଡ଼କୁ ମୁହେଁଇ ରହିବା ଉଚିତ । ମାଗିବା ଅର୍ଥରେ କେବେ ହାତ ପାତିବ ନାହିଁ । ”

“ନେବାନନ୍ଦ ଠାରୁ ଦେବାନନ୍ଦ ଶ୍ରେୟସ୍କର । ”

ଚୈତ୍ର ମଙ୍ଗଳବାର ମାନଙ୍କରେ ମାଆ ସକାଳୁ ଆମ ତଳମାଳିଆ ଚାରି ଭାଇ ଭଉଣୀଙ୍କୁ ଗାଧେଇ ପାଧେଇ କଜ୍ଵଳ ଲଗେଇ ତିଆର କରିଦିଏ ମଙ୍ଗଳା ଭିକ ମାଗି ଯିବା ଲାଗି । ଆମ ଦୁଇ ଭଉଣୀଙ୍କ ବେଣୀରେ ମାଳେ ମାଳେ କୂଅମୂଳେ ହେଇଥିବା ବାରମାସୀ ଜୁଇଫୁଲ ମଧ୍ୟ ଝୁଲେଇଦିଏ । ନାନୀର ମହା ଉଷତ୍ । ତାର ସାଙ୍ଗ ସରିସା ମାନଙ୍କ ସହିତ ଦେଖାହେବ ଯେ ।

ମୁଁ କିନ୍ତୁ ରାଜି ହୁଏ ନାହିଁ । ଏକରେ ମୁଁ ଲାଜକୁଳି ଥିଲି । ତାଛଡ଼। ଏଇ ପ୍ରଥାଟା ମୋତେ କେମିତି ନିକୁଛିଆ, ଅଲାଜୁକିଆ , ଅବୈଜ୍ଞାନିକ ଲାଗେ ।

ମାଆ ବୁଝାଏ ,

– ମୋର ବୁଝାର ଛୁଆ ପରା ତୁଇ । ଏମତି ହେଲେ ଚଳବ ? ସବୁ କଥାରେ ବିଜ୍ଞାନ ଥାଏ ନାଇଁ । ପାଞ୍ଚ୍ ଘର୍ ନେହିଲେ ସାତ୍ ଘର୍ ବୁଲିକରି ପଳେଇ ଆସବ । ମଙ୍ଗଳା ମାଆ ଦେହ ନିରୋଗା ରଖବେ । ବଡ଼ ମାନେ ଭିକ ସାଙ୍ଗରେ ଆଶୀର୍ବାଦ କରବେ । ଯାଆ , ମୋର ମାଆଟା ଯେ ।

ମୁଁ ବଡ଼ ବେମନରେ ଯାଏ ।

ପ୍ରଥା ସବୁ କଣ ,

ମାନିଲେ ଖୁସି ,
ନମାନିଲେ ରୀତି ,
ଯୁଗ ବଦଳି ଯିବ ,
ଏମାନେ ଛାଡ଼ି ଯିବେ କେବଳ ଟିକେ ନିଆରା ସ୍ମୃତି ,
କିଛି ଅପୂର୍ବ ଅନୁଭୂତି ।

ଏଇଟା ଭି ଏକ ଅପୂର୍ବ ପ୍ରଥା ଷଢେଇକଳାର । ଚୈତ୍ର ମାସରେ , ଚୂତ, ଲିମ୍ବ, ମହୁଲର ମତୁଆଲା ବାସ୍ନାୟିତ ମଙ୍ଗଳବାର ସକାଳ ମାନଙ୍କରେ ମାଆ ମଙ୍ଗଳାଙ୍କୁ ଆବାହନ କରନ୍ତି ଜେଜେମା, ମାଆ , ଖୁଡ଼ୀ, ଜେଠି, ଭାଉଜ ନାମକ ମଣିଷ ମାନେ । ଛୁଆଙ୍କର ଉତ୍ତମ ସ୍ଵାସ୍ଥ୍ୟ ଓ ରୋଗବ୍ୟାଧିରୁ ଦୂରେଇ ରଖିବା ନିମନ୍ତେ ମାଆଙ୍କୁ ପ୍ରାର୍ଥନା କରନ୍ତି । ଛୁଆ ମାନଙ୍କୁ ଭିକ ମାଗିବାକୁ ପଠାନ୍ତି । ଚାଉଳ ସହିତ ଗାଁର ଖୁଡ଼ୀ ଦେଠେଇ ମାନେ ଅଣ୍ଟିରେ ଅଜାଡି଼ ଦିଅନ୍ତି ଅଜସ୍ର ଆଶୀର୍ବାଦ।

ଦି ପହରେ ମଙ୍ଗଳା ଘଟ ଉଠେ । ସେଇଟା ଦେଖିବା ପାଇଁ ମୋତେ ବହୁତ ଭଲ ଲାଗୁଥିଲା । ଯେଉଁ ଖଣ୍ଡେ ଅଧେ ଭଲ ଜାମା ଥିବ ତାକୁ ପିନ୍ଧି ଆମେ ଯାଉ ଘଟ ଦେଖିବାକୁ । ସେଇ ଅପୂର୍ବ ମୁହୂର୍ତ୍ତ ମାନଙ୍କୁ ସଶରୀରେ ନ ଦେଖିଲେ କେହି ଅନୁଭବି ପାରିବ ନାହିଁ । ବିଶ୍ୱାସ ବି ହେବ ନାହିଁ ,

ଏମିତି ବି ହୁଏ !!

ମଲ୍ଲିକ ବନ୍ଧ ( ବଡ଼ ପୋଖରୀ )ରୁ ଘଟ ଉଠେ । ଆମେ ସବୁ ଚାତକ ପରି ଚାହିଁ ଥାଉ । ତେନ୍ତୁଳି, କଇଥ, ଓ ଜଡି଼ ଗଛର ଛାଇରେ ବସି ।

ଘଟ ଉଠାନ୍ତି ଘାସି ( ମେହେନ୍ତର ) ଘରର ସଧବା ନାରୀ ମାନେ । ତାଙ୍କୁ ଘଟୁଆଳୀ କୁହାଯାଏ । ମାସକ ଧର୍ମ ଶୁଦ୍ଧପୂତ ଭାବେ ପାଳି ଦେବୀର ମନ ପାଇ ସାରିଥାନ୍ତି ସେମାନେ । ସ୍ନାନ, ପୂଜନ, ଉପବାସ, ସଂଯମ ଏହାହିଁ ତ ଦେବତ୍ଵର ଚିହ୍ନ ।

ଚୈତ୍ର ମଙ୍ଗଳବାର ମାନଙ୍କରେ କାଷ୍ଠା, ନିର୍ଜଳା ଉପାସ ସେମାନଙ୍କର । ଛେପ ଢୋକିବାର ନୁହେଁ ।

ଏହା ଏକ ସଧବା ତାନ୍ତ୍ରିକ ପୂଜା । ଷଢେଇକଳା ଏକ ତନ୍ତ୍ର ଦେବୀ ପୀଠ । ମାଆ ପାଉଡୀ଼ ଅଧିଷ୍ଠାତ୍ରୀ ଦେବୀ । ଈଷ୍ଟ ଦେବୀ । ପଛପଟରୁ ପୂଜା ପାଆନ୍ତି । ରାଜବଂଶ ଓ ଦେହୂରୀ ବ୍ୟତୀତ ଅନ୍ୟ କେହି ସେହି ରାଜଉଆସ ଅନ୍ତସ୍ଥ ମନ୍ଦିରକୁ ଯିବା ସର୍ବଥା ବର୍ଜିତ ।

ସଂଯମ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା, ନିମ୍ନ ସମାଧି, ଓ ସମାଧି ଦେଇ ଗତି କରନ୍ତି ଘଟୁଆଳୀ ମାନେ ।

ନାଲ ତହଁରିଆ ପୀତବର୍ଣ୍ଣୀ ବାସନ୍ତୀ ଶାଢ଼ୀ ପିନ୍ଧି, ନାସିକାଗ୍ରରୁ ସୁନ୍ଥାଣୀ ପର୍ଯ୍ୟନ୍ତ ନାଲ୍ ଟହଟହ ସିନ୍ଦୁରର ପ୍ରଶସ୍ତ ରେଖା ସହିତ ଘଟୁଆଳୀ ମାନେ ସାକ୍ଷାତ ଦେବୀ ପ୍ରତିମା ପ୍ରତୀତ ହୁଅନ୍ତି । ସତେ କି ମାଆ ମଙ୍ଗଳା ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଓହ୍ଲାଇ ଆସିଛନ୍ତି ସ୍ଵର୍ଗଧାମରୁ ।

ଶାଢ଼ୀ ଖୁବ୍ ଶକ୍ତକରି ଭିଡ଼ି ବନ୍ଧା ହୋଇଥାଏ ତାଙ୍କ ଦେହରେ । ମଥାରେ ଘଟ ସହିତ ଘଟୁଆଳୀ ମାନେ ବୁଡ଼ ପକାନ୍ତି ମଲ୍ଲିକ ବନ୍ଧରେ। ଘଟରେ ଛାଁକୁ ପାଣି ପଶିଯାଏ । ପାଣିରେ ବୁଡ଼ିବା ପୂର୍ବର ଘଟୁଆଳୀ ଓ ପାଣିରୁ ଦେବୀ ଭଳି ଆବିର୍ଭୂତ ହେବା ଘଟୁଆଳୀ ମଧ୍ୟରେ ଆକାଶ ପାତାଳ ପରିବର୍ତ୍ତନ । ଆଜାନୁ ଲମ୍ବିତ ଉନ୍ମୁକ୍ତ ସିକ୍ତକେଶ , ଶୀର୍ଷ ଦେଶରେ ଜଳପୂର୍ଣ୍ଣ ମାଟି ଘଟ , ମୁଣ୍ଡରୁ ଦେହରୁ ବୋହି ଯାଉଥିବା ପବିତ୍ର ଜଳରାଶି ଦର୍ଶକଙ୍କୁ ଆକର୍ଷି ନିଏ ଏକ ଉଦାତ୍ତ ଭକ୍ତିମୟ ମାନସୀକ ସ୍ଥିତିକୁ ।

ଦେହୂରୀ ପୂଜା କରେ ଦେବୀ ମାନଙ୍କର । ପଳାଶ ଫୁଲ , ମହୁଲ ଫୁଲ , ସରଗୀ ଫୁଲ , ଆମ୍ବ ବଉଳ , ମନ୍ଦାର ଫୁଲ ଓ କଷି ଆମ୍ବ ରେ ପୂଜାର୍ଚ୍ଚନା କରାଯାଏ ।

ନୈବେଦ୍ୟ ମୁଖ୍ୟତଃ କେନ୍ଦୁ, ଚାହାଁର କୋଳି, ଖଇମୁହାଁ ଇତ୍ୟାଦି ।

କିଛି ବୋଦା ବଳୀ ଓ ପାରା କୁକୁଡ଼ା ବହୁଳ ଭାବେ ବଳୀ ଦିଆ ହୁଏ।

ତନ୍ତ୍ର ମନ୍ତ୍ର ଦ୍ଵାରା ପୂଜା ସମ୍ପନ୍ନ ହୁଏ ।

ଘଟୁଆଳୀ ମାନେ ଏପରି ଭାବରେ କମ୍ପି କମ୍ପି ଝୁମ୍ପନ୍ତି ଯେ ଦେଖିବା ଲୋକ ଦେଖି ଦେଖି କମ୍ପି ଉଠିବ । ହୋଶରେ ନଥାନ୍ତି ସେମାନେ । ଏହାର ମନସ୍ତାତ୍ତ୍ଵିକ କାରଣ ଅଛି । ଉପାସ , ଧ୍ୟାନ ଦ୍ଵାରା ମନକୁ ଆତ୍ମକୈନ୍ଦ୍ରିକ କରି ଅର୍ଦ୍ଧ ସମାଧିକୁ ପ୍ରାପ୍ତ ହୋଇ ଯାଇ ଥାଆନ୍ତି । ସୁପ୍ତ, ଜାଗରଣର ମଧ୍ୟାବସ୍ଥା । କୁକୁଡ଼ା ପାରା ମାନଙ୍କର କଞ୍ଚା ରକ୍ତ ପିଇ ଯିବାର ମୁଁ ସ୍ଵଚକ୍ଷୁରେ ଦେଖିଛି ।

ସେଥର ମୋ ସାଙ୍ଗ ବାଣୀର ଭାଉଜ ଉପାସ କରିଥାନ୍ତି । ଯେମିତି ମୋ ମାଆ କରେ । ଉପାସ କରିଥିଲେ ସେ ସ୍ଥାନକୁ ଯିବା କଥା ନୁହେଁ ବୋଲି ବଡ଼ ମାନେ କହନ୍ତି । ମୁଁ ମାନେ ନାହିଁ ଏସବୁ । ସେ ଯାହାହେଉ ଭାଉଜ ସୁନ୍ଦରୀ । ଚାରିମାସର ପୁଅ ଟାଏ କୋଳରେ ଧରି ସେ ବି ଯାଇଥାନ୍ତି ଆମ ସହିତ ।

ଘଟୁଆଳୀ ମାନେ ଡମ ବାଜାର ତାଳେ ତାଳେ ଝୁମ୍ପି ଚାଲିଥାନ୍ତି । ତାହା କ୍ରମେ ତୀବ୍ରତର ହୁଏ । ଆମର ଦେହ ଭି ଥରଥର ହେଉଥାଏ ତାହା ଦେଖି । ଦେଖଣାହାରୀ ମହିଳା ମାନଙ୍କ ଭିତରୁ ବି କିଛି ଝୁମ୍ପୁଥାନ୍ତି । ମୋ ମନରେ ସେ ପର୍ଯ୍ୟନ୍ତ ଆଧୁନିକ ବିଜ୍ଞାନର ତର୍କ ଚାଲୁଥାଏ ଯେ ଏସବୁ ତୁଚ୍ଛା ଅଭିନୟ ।

କିନ୍ତୁ !!!

ମୋ ବିଜ୍ଞାନ ଫେଲ୍ ହୋଇଯାଇଥିଲା !

ହଠାତ୍, ବାଣୀର ଭାଉଜଙ୍କ ଶରୀର ଅସମ୍ଭବ ଭାବରେ ଥରି ଉଠିଲା । ଓଢ଼ଣା ଖସିଗଲା ମୁଣ୍ଡରୁ । ପିଲାକୁ କୋଳରୁ ଫୋପାଡ଼ି ଦେଲେ ସେ । କେହିଜଣେ ଜାଣିଲା ଶୁଣିଲା ବୟସ୍କ ସ୍ତ୍ରୀ ଲୋକ ପୂର୍ବାନୁମାନ କରିଥିଲେ ନିଶ୍ଚୟ, ଧାଇଁ ଆସି ପିଲାକୁ ଛିଣିନେଲେ ଶୂନ୍ୟରୁ । ତା ପରେ ତ ଭାଉଜଙ୍କୁ କେହି ସମ୍ଭାଳି ପାରିଲେ ନାହିଁ । ଆଣ୍ଠୁ ମାଡ଼ି ଦୁଇ ହାତ ମଥା ଉପରକୁ ଟେକି ଅସମ୍ଭବ ଭାବରେ ଅଦ୍ଭୁତ ଭଙ୍ଗିରେ ବୁଲି ବୁଲି , ଝୁଲି ଝୁଲି ଝୁମ୍ପିବାକୁ ଲାଗିଲେ । ଖୋସା ଖୋଲି କେରି କେରି କେଶ ମୁକୁଳି ଗଲା । ଅଷ୍ଟାଙ୍ଗରୁ ଝାଳ ପାଣି ପରି ବୋହି ମାଉଥିଲା । ଆଖି ବନ୍ଦ । ଲୁଗାପଟାର ହୋଶ୍ ନାହିଁ । କେତେକ ସ୍ତ୍ରୀ ଲୋକ ତାଙ୍କୁ ଧରି ସାଷ୍ଟମ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦେହୂରୀ ମାନେ କହିଲେ ବଳେ ସେ ଶାନ୍ତ ପଡ଼ିଯିବେ ।

ଘଟ ବୋହି ଝୁମ୍ପି ଝୁମ୍ପି ଘଟୁଆଳୀ ମାନେ ଚାଲିଗଲେ । ଆମେ ଆଉ ତାଙ୍କ ପଛରେ ଯାଇ ପାରିଲୁ ନାହିଁ । ଭାଉଜଙ୍କ ଅବସ୍ଥା ଦେଖି , କାହିଲା ହେଇ ଠିଆ ହେଇଥିଲୁ । କିଛି କରିବାର ଯୁ ନଥିଲା ।

କିଛି ସମୟ ପରେ , ସମୁଦ୍ରରେ ଭଟ୍ଟା ପଡ଼ିଲା ପରି ଆସ୍ତେ ଆସ୍ତେ ଭାଉଜ ଓ ଅନ୍ୟ ମାନେ ଶାନ୍ତ ପଡ଼ି ଅଚେତ ହୋଇ ପଡ଼ିଲେ । ପାଣି ଫାଣି ଦେଇ ତାଙ୍କୁ ଠିକ୍ କରାଗଲା ।

ନିଦରୁ ଉଠିଲା ପରି ଭାଉଜ ଉଠି ପଡ଼ି ପୁଅକୁ ଖୋଜିଲେ । କହିଲେ, କାଷ୍ଠା ଉପାସ କରେ ନାହିଁ ତ କେବେ । ମୁଣ୍ଢଟା ଟିକେ ବୁଲେଇଦେଲା । ପୁଅ ଠିକ୍ ଅଛି ତ ?

ଗପ ଆରମ୍ଭିଥିଲି ଭିକ ମଗାରୁ । ତେବେ ଆଜିକାଲି ଆଉ କେହି ସେ ପ୍ରଥା ରଖି ନାହାନ୍ତି ବୋଧେ ।

କିନ୍ତୁ ମୋ ମତରେ, ସୁପ୍ରଥା କୁପ୍ରଥାର ଦ୍ଵନ୍ଦରେ ନ ପଡ଼ି କିଛି ପ୍ରଥା କେବଳ ପ୍ରଥା ହୋଇ ବିକାଶ ସହିତ ଚାଲିବା ଉଚିତ ନୁହେଁ କି ? ଆମେ ଯଦି ସମୟ ସାଥିରେ ଯୁଗ ସାଥିରେ ସବୁ ପ୍ରଥାକୁ କୁପ୍ରଥା ବୋଲି କହି ଛାଡ଼ିଦେବା ତେବେ ଜୀବନରେ ବଞ୍ଚିବ ଆଉ କଣ ? ??

ଆରତୀ ସାହୁ ( ଆଶା )
ବସନ୍ତ ବିହାର, ନୂଆଦିଲ୍ଲୀ
30 – 3 – 2021


Share it

Join the Conversation

1 Comment

  1. ପୁରା କାଳରୁ ଚାଲି ଆସୁଥିବା ଏକ ପ୍ରଥା ର ସୁନ୍ଦର ଗାଳ୍ପିକ ରୂପାୟନ👌👏

Leave a comment

Your email address will not be published. Required fields are marked *

Verified by MonsterInsights