କାହିଁ କେତେ ଦୂରେ ଥାଏ
ଲାଗେ ପାଶେ ଥିଲା ପ୍ରାୟେ
ସ୍ମୃତି ଏକ ରୂପାଜହ୍ନ
ନାଟୁଆ ମନମୋହନ
ଶୈଳବାଳା ମହାନଦୀ …
ବଇଶାଖ ଖରାବେଳେ
ଦିନେ ଶୈଳବାଳା କୋଳେ
ନିଛାଟିଆ ନିରିଜନ
ଏକାନ୍ତରେ ଆଳାପନ
ସୁନ୍ଦରୀ ଶଇଳବାଳା
ତା କୋଳେ ନନ୍ଦର ବଳା
ଝଙ୍କା ବରଗଛ ଛାଇ
କୁଞ୍ଜବନ ପରି ହୋଇ
ଲୋଟେ ଶଇଳ ସୁନ୍ଦରୀ
ପ୍ରେମମୁର୍ତ୍ତୀ ମନୋହାରୀ
ଆଦ୍ୟ ଯଉବନ ଢେଉ
ପୂଲକ ତା କେ ବା କହୁ
ସ୍ମୃତିରେ ଖେଳେ ସେ ସ୍ପର୍ଶ
ବିଗତ ଯୁଗେ ବରଷ
ସ୍ମରନ୍ତେ ଶୈଳ ନନ୍ଦିନୀ
ଉଲ୍ଲାସ ରସ ତଟିନୀ
ରୂପସୀ ଶୈଳ ସୁନ୍ଦରୀ
ଶୁଦ୍ଧ ପ୍ରେମ ସୁଧାବାରି
ପ୍ରତିକ୍ଷଣେ ଝୁରେ ମନ
ତା’ ପ୍ରେମ ଧୀର ପବନ
କାହିଁ କେତେ ଦୂରେ ଥାଏ
ଲାଗେ ପାଶେ ଥିଲା ପ୍ରାୟେ
ସ୍ମୃତି ଏକ ରୂପାଜହ୍ନ
ନାଟୁଆ ମନମୋହନ
– ଲକ୍ଷ୍ମୀଧର ନାୟକ
( 28.04.2018 )
ଗତ 25 .04. 2018 ରେ ଧୂ ଧୂ ଖରାବେଳେ ଥରେ କଟକ ଗଲି, ଛତିଶଗଡ ବ୍ୟାରେଜ କଲା ପରେ ମହାନଦୀରେ ଖରାଦିନେ କେତେ ପାଣି ଅଛି ଦେଖିବାକୁ, ସ୍ଥିତିଟିକୁ ନିଜ ଦୃଷ୍ଟି କୋଣରୁ ଆକଳନ କରିବାକୁ ।
ମହାନଦୀ ପାଣି କୁଳେ ଚହଟା ଘାଟ ବରଗଛ ଛାଇ ତଳେ ଅନେକ ସମୟ ବସି ସ୍ଥାନୀୟ ନାଉରୀଆଙ୍କ ସହ ଅନେକ ଦୁଃଖସୁଖ ଅତୀତ ବର୍ତ୍ତମାନ ଆଲୋଚନା ପରେ ସେଠାରୁ ଫେରି ମୋ ସହ ଯାଇଥିବା ସରୋଜ ତା ଫଟା କ୍ୟାମେରାରେ ଉଠାଇଥିବା କିଛି ଫଟୋ ଫେସବୁକରେ ପୋଷ୍ଚ କରିଦେଇଥିଲି ।
ସେ ଫଟୋକୁ ଦେଖି ଫେସବୁକ୍ ବନ୍ଧୁ ଦାଶରଥୀ କହିଲେ ସାର୍ ଏ ଫଟୋକୁ ନେଇ ଗୋଟେ କବିତା ଲେଖନ୍ତୁ ।
ସତକୁ ସତ ଏ ଫଟୋକୁ ଦେଖି ମୋ କୈଶୋର ସମୟର କିଛି ସ୍ମୃତି ମନରେ ପଡିଗଲା , ମୋତେ କବିତା ଲେଖି ଆସେନି, ମୁଁ ଯାହା ମନକୁ ଆସିଲା ସିଧା ସିଧା ମୋବାଇଲରେ ଲେଖିଦିଏ, ସେତେବେଳେ ମୋବାଇଲରେ ଚାର୍ଜ ସରିଯାଇଥିଲା, ସାମନାରେ ଖଣ୍ଡେ କାଗଜ ପଡିଥିଲା, ସେଇଥିରେ ସେ ସ୍ମୃତିସବୁ ଯେମିତିଭାବେ ମନକୁ ଛୁଇଁଲା, ସେମିତି ଗାରେଇ ଦେଲି ।
ଲେଖା ସରିବାବେଳକୁ ମୋବାଇଲ ଚାର୍ଜ ହେଇଯାଇଥିଲା, ସେଇ କାଗଜଟାକୁ ଫଟୋ ଉଠେଇ ଅପଲୋଡ୍ କରିଦେଇଥିଲି ।
ଆଜି କଣ ଗୋଟେ ଫଟୋ ଖୋଜୁ ଖୋଜୁ ସେଇଟା ଦିଶିଗଲା, ପଢି ଦେଲାରୁ ଭଲ ଲାଗିଲା, ଭାବିଲି ସେ କବିତାଟାକୁ ଡାଇରେକ୍ଟ ଉତାରି ଦେବା, ଭାରି ଭଲ ତ ଲାଗୁଚି ପଢିବାକୁ ।
ତେଣୁ ଏହା ଦାଶରଥୀଙ୍କ ଅନୁରୋଧରେ ରଚିତ କବିତା !
ଆଜକୁ 40 ବର୍ଷ ତଳେ ରେଭେନସାରେ ପଢୁଥିବାବେଳେ କଟକ ମେରିଆବଜାରର ମୋର ସହପାଠୀ ଓ ଅତିପ୍ରିୟ ବନ୍ଧୁ ପ୍ରକାଶଙ୍କ ସହ ଥରେ ମହାନଦୀରେ ସଖାଳୁ ରାତିଯାଏ, ଚହଟାରୁ ଚଉଦ୍ୱାର ଯାଏ କରିଥିବା ନୌକା ବିହାର ସ୍ମୃତିରେ ରଚିତ କବିତା !