ଅନେକଦିନ ତଳର କଥା । ବର୍ସାନା ରାଧାରାଣୀଙ୍କ ମନ୍ଦିର ନିକଟ ଏକ ବସ୍ତିରେ ରାଧା ରାଣୀଙ୍କ ଜଣେ ମୁସଲମାନ ଭକ୍ତ ରହୁଥିଲେ। ତାଙ୍କ ନାମ ଗୁଲାବ। ସେ ପ୍ରତ୍ୟହ ଶ୍ରୀରାଧାଙ୍କ ମନ୍ଦିରରେ ଯାଇ ସାରଙ୍ଗୀ ବାଦନ କରୁଥିଲେ। ଗୁଲାବଙ୍କ ଚମତ୍କାର ସାରଙ୍ଗୀ ବାଦନକୁ ଲୋକେ ମନ୍ତ୍ର ମୁଗ୍ଧ ହୋଇ ଶୁଣନ୍ତି। କୁହା ଯାଉଥିଲା ଶ୍ରୀରାଧାରାଣୀ ମଧ୍ୟ ଗୁଲାବଙ୍କ ସାରଙ୍ଗୀ ରାଗିଣୀକୁ କାନଡେରି ଶୁଣୁଥିଲେ। ତାଙ୍କ ସଂଗୀତ ଶୁଣି ଭକ୍ତ ମାନେ ଖୁସିରେ ଯାହା ଦିଅନ୍ତି ସେଥିରେ ଗରିବ ଗୁଲାବଙ୍କ ଗୁଜରାମ ଚଳି ଯାଉଥିଲା।
ଗୁଲାବଙ୍କର ଛୋଟ ଝିଅଟିଏ ଥିଲା। ରାଧାଙ୍କ ଭକ୍ତ ଗୁଲାବ ଶ୍ରଦ୍ଧାରେ ଝିଅର ନାମ ରଖି ଥିଲେ ରାଧା। ଗୁଲାବ ସାରଙ୍ଗୀ ବଜାଇବା ପାଇଁ ଯେତେ ବେଳେ ମନ୍ଦିର ଯାଆନ୍ତି ସାଙ୍ଗରେ ଝିଅକୁ ନେଇଯାନ୍ତି । ସେ ସାରଙ୍ଗୀ ବଜାଇଲା ବେଳେ ଝିଅଟି ଭାବ ବିଭୋର ହୋଇ ସାରଙ୍ଗୀ ସୁରେ ସୁରେ ଶ୍ରୀରାଧାଙ୍କ ଆଗରେ ନୃତ୍ୟ କରେ l ଏହି ପରି ବାପ ଝିଅ ଦୁହେଁ ରାଧାଙ୍କୁ ନିଜ ଭକ୍ତି ଡୋରିରେ ବାନ୍ଧିଥାନ୍ତି l
ଦିନ ଗଡ଼ିଚାଲିଲା l କ୍ରମେ ଝିଅଟିର ବିବାହ ବୟସ ଆସି ପହଁଚିଲା l ଗୁଲାବଙ୍କୁ ଲୋକେ କହିଲେ, ତୋ ଝିଅ ଏବେ ବଡ଼ ହୋଇଗଲାଣି ଗୋଟିଏ ଭଲପିଲା ଦେଖି ତା ବିବାହ କରିଦେ l ଗରିବ ଗୁଲାବ ଲୋକ ମାନଙ୍କୁ କହେ, ମୋର ଝିଅ ବାହାଘର ପାଇଁ ସମ୍ବଳ କାହିଁ l ଦେଖାଯାଉ ରାଧାରାଣୀ କେବେ ତାକୁ ଦୟା କରୁଛନ୍ତି l ଗୁଲାବଙ୍କୁ ତ ବହୁତ ଭକ୍ତ ଜାଣି ଥିଲେ l ସେମାନେ କହିଲେ, ଆଗ ପିଲାଟିଏ ଦେଖ l ଖର୍ଚ୍ଚ ପାଇଁ ଆମେ ଅଛୁ l ଏପରି ବଦାନ୍ୟ ଲୋକମାନଙ୍କ ସାହାଯ୍ୟରେ ଗୁଲାବ ଝିଅର ବିବାହ କରି ଦେଲେ l ଝିଅ ଶାଶୁଘର ଚାଲିଗଲା l
ଝିଅ ଚାଲିଗଲା ପରେ, ଗୁଲାବଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ l ଝିଅକୁ ଝୁରି ଝୁରି ଖିଆ ପିଆ ଛାଡ଼ି ସେ କତରା ଲଗା ହୋଇଗଲେ l ସାରଙ୍ଗୀ ବାଦନ ନଶୁଣି ଲୋକେ ଗୁଲାବ କୁଆଡ଼େ ଗଲେ, କୁଆଡ଼େ ଗଲେ ବୋଲି ଖୋଜି ହେଲେ l ତିନିଦିନ ବିତିଗଲା ଗୁଲାବ ଆଉ ସମ୍ଭାଳି ନ ପାରି ରାତିରେ ଶ୍ରୀରାଧାଙ୍କ ମନ୍ଦିର ସାମ୍ନାରେ ଯାଇ ବସି ରହିଲେ, ମନେ ମନେ ଭାବୁଥାନ୍ତି,ମୁଁ ତ ଆଉ ମାତାଙ୍କ ସେବା କରିପାରିବା ସ୍ଥିତିରେ ରହିଲିନାହିଁ l ଆଉ ଏ ଜୀବନ ରଖି ଲାଭ କଅଣ l ଗୁଲାବ ଏପରି ଭାବୁଥାନ୍ତି ଠିକ୍ ଅର୍ଦ୍ଧରାତ୍ରି ବେଳକୁ କାହା ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଣି ଚମକିପଡ଼ିଲେ l କିଛିସମୟ ପରେ ସେ ଦେଖିଲେ ଛୋଟିଆ ଝିଅଟିଏ ଆସି ତାଙ୍କ ପାଖରେ ପହଁଚିଲା ଓ ତାଙ୍କୁ କହିଲା,ବାବା, ଟିକିଏ ସାରଙ୍ଗୀ ବଜାଅ l ମୁଁ ନାଚ କରିବି l ଝିଅକଥା ଶୁଣି ଗୁଲାବ ପାଖରେ ରଖିଥିବା ସାରଙ୍ଗିରେ ଧୂନ୍ ତୋଳିଦେଲେ l ଝିଅଟି ଧୁନର ତାଳେ ତାଳେ ନାଚିବାକୁ ଲାଗିଲା l ଏପରି ନୃତ୍ୟ କରୁକରୁ ଝିଅଟି ଧିରେଧିରେ ମନ୍ଦିରର ସିଢ଼ୀ ଚଢ଼ି କୁଆଡ଼େ ଅଦୃଶ୍ୟ ହୋଇ ଗଲା l ଗୁଲାବ ମଧ୍ୟ ତା ପଛରେ ରାଧା ରାଧା ଡାକି ଦୌଡ଼ି ଦୌଡ଼ି ଆଉ କାହାକୁ ନପାଇ ପଡ଼ିଗଲେ l
ସେହିଦିନ ଠାରୁ ଗୁଲାବଙ୍କ ଆଉ କୌଣସି ଖବର ମିଳିଲାନାହିଁ l ଲୋକେ ଭାବିଲେ, ବୋଧହୁଏ ସେ ଝିଅକୁ ଝୁରି ଝୁରି କୁଆଡ଼େ ପାଗଳ ହୋଇ ପଳାଇ ଯାଇଛି l କେହି କେହି କହିଲେ,ଗୁଲାବ ଆଉ ଇହ ଜଗତରେ ନାହିଁ l
ଧିରେଧିରେ ଲୋକେ ଗୁଲାବକୁ ଭୁଲିଗଲେ l ଦିନେ ଏକ ଚମତ୍କାର ଘଟଣା ଘଟିଲା l ସେଦିନ ରାତିରେ ମନ୍ଦିର ପୂଜକ ରାତ୍ରୀପୂଜା ଶେଷକରି, ଶ୍ରୀରାଧାଙ୍କୁ ଶୋଇଦେଇ ମନ୍ଦିର ମୁଦକଲେ l ଘରକୁ ଫେରିବା ପୂର୍ବରୁ ସେ ମନ୍ଦିର ପରିକ୍ରମା କରୁଥାନ୍ତି ପାଖ ଫୁଲ ବଗିଚାରୁ ଗୋଟିଏ ଛାୟାମୂର୍ତ୍ତି ବାହାରି ଆସି ତାଙ୍କ ଆଗରେ ଠିଆହେଲା l
ପୂଜାରୀ ତାକୁ କିଏ ବୋଲି ପଚାରିବାରୁ ଛାୟାମୂର୍ତ୍ତି କହିଲା ମୁଁ ହେଉଛି ସେହି ଗୁଲାବ l ପୂଜାରୀ କହିଲେ, ଗୁଲାବ ! ତୁ ଗୁଲାବ ! ଗୁଲାବ ତ କେବେଠାରୁ ମରିସାରିଛି l ସେ କହିଲା, ନାଆଁ ବାବା ମୁଁ ମରି ନାହିଁ, ମୁଁ ଏଇଠି ଅଛି l ଏବେ ମୁଁ ଶ୍ରୀରାଧାଙ୍କୁ ସାରଙ୍ଗୀ ଶୁଣାଇ ଆସିଲି l ଦେଖୁନ ମୋ ହାତରେ ଏହି ପ୍ରସାଦ l ଏହାକହି ପୁଜାରୀଙ୍କ ହାତରେ ବିଡ଼ିଆପାନ ଖଣ୍ଡିଏ ଗୁଞ୍ଜିଦେଇ କୁଆଡ଼େ ଅଦୃଶ୍ୟ ହୋଇଗଲାl ପୂଜାରୀ ଦେଖନ୍ତି ତ ସେହି ବିଡ଼ିଆ ପାନ ଖଣ୍ଡିକ ଥିଲା, ସେ ଶ୍ରୀରାଧାଙ୍କୁ ଏବେ ଏବେ ରାତ୍ରିପହୁଡ଼ରେ ଦେଇ ଆସିଥିବା ମୁଖବାସ l ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l
ସକାଳୁ ସକାଳୁ କଥା ଚାରି ଆଡ଼େ ପ୍ରଘଟ ହେଲା l ଲୋକେ ପ୍ରେମିଭକ୍ତ ଗୁଲାବକୁ ଧନ୍ୟ ଧନ୍ୟ କଲେ l ପ୍ରକୃତରେ ସେ ଦିନ ଗୁଲାବ ଶ୍ରୀରାଧାଙ୍କ ପାପାଦପଦ୍ମରେ ଲୀନ ହୋଇଯାଇଥିଲେ l ଭକ୍ତଙ୍କ ସ୍ମୃତି ବହନ କରି ଆଜି ବର୍ସାନା ରାଧାରାଣୀଙ୍କ ଜନ୍ମସ୍ଥାନରେ ଶୋଭା ପାଉଛି ତାଙ୍କର ସମାଧିମନ୍ଦିର l ପ୍ରେମ ସରୋବର ମାର୍ଗରେ ଏହା ଗୁଲାବସଖୀ କେ ଚବୁତ୍ରା ନାମରେ ଲୋକ ମୁଖରେ ପ୍ରସିଦ୍ଧ l
!!! ଜୟ ଶ୍ରୀରାଧେ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971
ଭଲ ପ୍ରସଙ୍ଗଟିଏ