ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ
===============
ଶୁକ ବୋଲେ, ଆମ କୃଷ୍ଣ, ଜଗତ ଜୀବନ l ଶାରୀ ବୋଲେ, ଆମ ରାଧା ଜୀବନ ସ୍ପନ୍ଧନ l ଗୋଲୋକ ବାସିନୀ ଶ୍ରୀମତୀ ରାଧାରାଣୀ, ସିଏ ପରମ ରହସ୍ୟ ମୟୀ l ରହସ୍ୟର ରହସ୍ୟ l ଶ୍ରୀରାଧାଙ୍କ ବିନା କୃଷ୍ଣ ନାହାଁନ୍ତି l ସିଏ ଯେପରି ରହସ୍ୟମୟୀ ତାଙ୍କର ଜନ୍ମ କାହାଣୀ ମଧ୍ୟ ସେହିପରି ରହସ୍ୟାବୃତ୍ତ l ତାଙ୍କ ଜନ୍ମ ବୃତ୍ତାନ୍ତ ଭିନ୍ନ ଭିନ୍ନ ଭାବେ, ଆମର ପୁରାଣ ଓ ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ l ସେହି କାହାଣୀମାନଙ୍କ ମଧ୍ୟରୁ ଗୋଟିଏ l
ଦିନେ ପ୍ରଭୁ ସୂର୍ଯ୍ୟନାରାୟଣ ବ୍ରହ୍ମାଣ୍ଡ ପରିକ୍ରମା କରୁ ଥାନ୍ତି ସେ ଧରା ବକ୍ଷରେ ନାନା ଐଶ୍ୱର୍ଯ୍ୟ ଦେଖିବାକୁ ପାଇଲେ l ଏଣୁ ସେ ଧରାପୃଷ୍ଠରେ ତପସ୍ୟା କରିବା ପାଇଁ ମନ ବଳାଇଲେ l ଏପରି ଚିନ୍ତାକରି ସେ ଯାଇ ମନ୍ଦର ପର୍ବତର ଏକ ଗୁହାରେ କଠିନ ତପସ୍ୟାରେ ବସିଲେ l ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା l ଦେବତା ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା, ସୃଷ୍ଟି ରହିବ କିପରି ? ଦେବରାଜ ଇନ୍ଦ୍ର ଦେବଗଣଙ୍କ ସହ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ I ବିଷ୍ଣୁ ଦେବତାଙ୍କୁ ଆଶ୍ୱାସନା ଦେଲେ ଓ ସୂର୍ଯ୍ୟଙ୍କୁ ଯାଇ କହିଲେ, ହେ ଦିବାକର ! ତୁମ ତପସ୍ୟାରେ ମୁଁ ସନ୍ତୁଷ୍ଟ, ତୁମେ କି ବର ମାଗୁଛ ମାଗ l ସୂର୍ଯ୍ୟ ଦେବ କହିଲେ, ପ୍ରଭୁ ! ମୋତେ ଏକ ଗୁଣବତୀ କନ୍ୟା ଦିଅନ୍ତୁ, ଯାହାକୁ ଆପଣ ଚିରଦିନ ବଶହୋଇ ରହିବେ l ପ୍ରଭୁ କହିଲେ, ତଥାସ୍ତୁ l
କାଳକ୍ରମେ ସୂର୍ଯ୍ୟ ବୃଷଭାନୁ ଗୋପ ରୂପେ ଧରାରେ ଅବତୀର୍ଣ୍ଣ ହେଲେ,ଯଥାକାଳେ ତାଙ୍କ ବିବାହ ଗୋପ କନ୍ୟା କୀର୍ତ୍ତୀଦାଙ୍କ ସହିତ ହେଲା l ଭଗବାନ୍ ବିଷ୍ଣୁ କୃଷ୍ଣାବତାର ଧରି ଧରାକୁ ଆସିଲେ l ଭାଦ୍ରବ ମାସ ଶୁକ୍ଳଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ ଶ୍ରୀରାଧା ଜନ୍ମ ହେଲେ ବୃଷଭାନୁ ନନ୍ଦିନୀ ଭାବେ l
କୃଷ୍ଣତୁ ଭଗବାନ୍ ସ୍ଵୟଂ l ଶ୍ରୀକୃଷ୍ଣ ସ୍ଵୟଂ ଭଗବାନ୍ l ତାଙ୍କ ପରମ ଆହ୍ଲାଦିନୀ ଶକ୍ତି ହେଉଛନ୍ତି ଶ୍ରୀରାଧା l
ଶ୍ରୀରାଧା ସ୍ୱୟଂ ଲକ୍ଷ୍ମୀ ସ୍ୱରୁପିଣୀ l ବୃଷଭାନୁ କନ୍ୟା ଥିଲେ ସିନା, କିନ୍ତୁ ସେ ଥିଲେ, ଆଯୋନୀ ସମ୍ଭୂତା l ତାଙ୍କର ଜନ୍ମ କାହାଣୀ ଅତ୍ୟନ୍ତ ରହସ୍ୟମୟ l ଦୁରାଚାରୀ କଂସର ଅତ୍ୟାଚାରରେ ସେତେବେଳେ ପୃଥିବୀ ଥରହର ହେଲା l ସାଧୁ ସନ୍ଥ ମାନେ ପୀଡ଼ା ପାଇଲେ l ପୃଥିବୀ ମାତାଙ୍କ ସହ ସମସ୍ତ ଦେବଗଣ ଯାଇ, ବିଷ୍ଣୁଙ୍କ ଶରଣ ପଶିଲେ l ଶ୍ରୀବିଷ୍ଣୁ ସମସ୍ତଙ୍କୁ କହିଲେ ତୁମେ ଆଶ୍ଵସ୍ତ ରୁହ, ମୁଁ ଧରାଭାର ଉଶ୍ୱାସ ପାଇଁ ଖୁବ୍ ଶୀଘ୍ର ଅବତାର ଗ୍ରହଣ କରୁଛି l
ଦେବଗଣ ଆଶ୍ବସ୍ତ ହୋଇ ଫେରି ଆସିଲେ l ମାଆ ଲକ୍ଷ୍ମୀଙ୍କୁ ଭଗବାନ୍ ବିଷ୍ଣୁ କହିଲେ, ଏବେ ମର୍ତ୍ତ୍ୟରେ ମୁଁ ଅବତାର ନେବି l ତୁମେ ମଧ୍ୟ ଚାଲ, ମୋ ଲୀଳା ସଙ୍ଗିନୀ ହୋଇ ରହିବ l କିନ୍ତୁ ମାଆ ଲକ୍ଷ୍ମୀ ଏଥିରେ ରାଜି ହେଲେନାହିଁ l ବିଷ୍ଣୁ ତାଙ୍କୁ ବହୁତ ବୁଝାଇଲେ l ସର୍ଵ ଶେଷରେ ସେ କହିଲେ, ଗୋଟିଏ ସର୍ତ୍ତରେ ମୁଁ ମର୍ତ୍ତ୍ୟକୁ ଯିବାକୁ ରାଜିଅଛି l ତାହା ହେଉଛି ମୁଁ ଜନ୍ମ ନେବି ସତ l କିନ୍ତୁ ମୁଁ ମୋ ଚକ୍ଷୁ ଖୋଲିଲେ ପ୍ରଥମେ ଯେପରି ଆପଣଙ୍କୁ ଦେଖିବି l ମହାଲକ୍ଷ୍ମୀଙ୍କ ସର୍ତ୍ତକୁ ଭଗବାନ୍ ଗ୍ରହଣ କଲେ l
ସେତେ ବେଳେ ଗୋକୁଳ ନିକଟବର୍ତ୍ତୀ ବର୍ସାନାରେ ରହୁଥିଲେ ଗୋପଙ୍କ ମୁଖିଆ ମହାରାଜ ବୃଷଭାନୁ l
ଦିନେ ମହାରାଜ ବୃଷଭାନୁ ମଧ୍ୟାହ୍ନ ସମୟରେ ସ୍ନାନ ପାଇଁ ଯମୁନାକୁ ଯାଇଥାନ୍ତି l ସେ ଦେଖିଲେ ଯମୁନା ଜଳରେ ଗୋଟିଏ ଦିବ୍ୟ ପଦ୍ମଫୁଲ ଭାସି ଯାଉଛି ଓ ପଦ୍ମଫୁଳର ସ୍ବର୍ଣ୍ଣାଭ ଜ୍ୟୋତିରେ ଚତୁର୍ଦ୍ଦିଗ ଉଦ୍ଭାସିତ ହେଉଛି l କୌତୁହଳ ବଶତଃ ବୃଷଭାନୁ ପଦ୍ମଫୁଲ ନିକଟକୁ ଯାଇ ଦେଖନ୍ତି ତ ତା ଭିତରେ ଏକ ଦିବ୍ୟ ସୁନ୍ଦରୀ କନ୍ୟା ଶିଶୁଟିଏ ଶୋଇଛି।
ସନ୍ତାନହୀନ ବୃଷଭାନୁ ଅତି ଆନନ୍ଦରେ କନ୍ୟାଟିକୁ ଘରକୁ ଘେନିଆସିଲେ। ପତ୍ନୀ କିର୍ତ୍ତିଦା ସେହି କନ୍ୟା ରତ୍ନଟିକୁ ଦେଖି ଅତ୍ୟନ୍ତ ଖୁସିହୋଇ କହିଲେ, ଯାହା ହେଉ ଏତେଦିନେ ଭଗବାନ୍ ଆମର ପ୍ରାର୍ଥନା ଘେନା କଲେ l ବୃଷଭାନୁ ଖୁସି ହୋଇ ବ୍ରାହ୍ମଣ ମାନଙ୍କୁ ବହୁ ଧେନୁ ଦାନକଲେ ଓ କନ୍ୟାର ନାମ ରଖିଲେ ରାଧା l କିନ୍ତୁ ତିନିଦିନ ଗଲା କନ୍ୟାଟି ଚକ୍ଷୁ ଖୋଲିଲା ନାହିଁ l ବୃଷଭାନୁ ଏବଂ ପତ୍ନୀ କୀର୍ତ୍ତିଦାଙ୍କ ଆଶଙ୍କା ବଢ଼ିଗଲା ବୋଧହୁଏ କନ୍ୟାଟି ଜନ୍ମରୁ ଅନ୍ଧ l
ଏହି ସମୟରେ ଦିନେ ଦେବର୍ଷି ନାରଦ ବୃଷଭାନୁଙ୍କ ଗୃହରେ ଆସି ପାଦ ପକାଇଲେl ପତି ପତ୍ନୀ ଦୁହେଁ ମୁନିଙ୍କ ପାଦ ପୂଜା କରି ଯଥା ବିଧି ସତ୍କାର କଲେ। ମୁନିଙ୍କୁ କନ୍ୟା କଥା କହିବାରୁ ସେ କହିଲେ, ତୁମେ ଚିନ୍ତା ନ କରି କନ୍ୟାର ଜନ୍ମୋତ୍ସବ ପାଳନ କର ଓ ଜ୍ଞାତି କୁଟୁମ୍ବ ମାନଙ୍କୁ ନିମନ୍ତ୍ରଣ କରl
ସେତେବେଳକୁ ଭଗବାନ୍ କୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇ ଆସି ଗୋପପୁର ନନ୍ଦ ଗୃହରେ ପହଞ୍ଚି ସାରିଥାନ୍ତି l ବୃଷଭାନୁ କନ୍ୟାର ଜନ୍ମୋତ୍ସବ ପାଳନ ପାଇଁ, ବିରାଟ ଅୟୋଜନ କଲେ l ସେହି ଉତ୍ସବକୁ ସେ ବର୍ସାନା ଓ ଗୋକୁଳର ସମସ୍ତ ଗୋପାଳଙ୍କୁ ଓ ଅନ୍ୟ ମାନଙ୍କୁ ନିମନ୍ତ୍ରଣ କଲେ l
ଗୋପ ପତି ନନ୍ଦ ଥିଲେ ବୃଷଭାନୁଙ୍କ ପରମ ମିତ୍ର l ଯଶୋଦା ଥିଲେ, କୀର୍ତ୍ତିଦାଙ୍କ ସହେଲୀ l ନିମନ୍ତ୍ରଣ ପାଇ ରୋହିଣୀଙ୍କ ସହିତ ସେମାନେ ବଳରାମ ଓ କୃଷ୍ଣଙ୍କୁ ଧରି ଆସି ବୃଷଭାନୁଙ୍କ ଘରେ ପହଞ୍ଚିଲେ l ଆନନ୍ଦ ଉତ୍ସବ ଲାଗିଥାଏ l ସମସ୍ତେ ହସ ଖୁସିରେ ମାତି ଯାଇଥାନ୍ତି, ସମସ୍ତଙ୍କ ଅଲକ୍ଷରେ କୃଷ୍ଣ ଗୁରୁଣ୍ଡି ଗୁରୁଣ୍ଡି ଯାଇ ପହଞ୍ଚିଗଲେ ରାଧା ଶୋଇଥିବା ଦୋଳି ନିକଟରେ l ସେ ଦୋଳିକୁ ଟିକିଏ ହଲାଇ ଦେଲେl ରାଧିକା ନିଦ୍ରାରୁ ଉଠିଲା ଭଳି ଚାହିଁ ଦେଇ ଦେଖନ୍ତି ତ ପାଖରେ କୃଷ୍ଣ l ବୃଷଭାନୁ, କୀର୍ତ୍ତିଦା ଓ ଉପସ୍ଥିତ ସମସ୍ତେ ଖୁସି ହେଲେ l ରାଧିକା ଜନ୍ମରୁ ଅନ୍ଧ ବୋଲି ଥିବା ସମସ୍ତଙ୍କ ଧାରଣା ଦୂର ହେଲା l
ଦିନ ଗଡ଼ି ଚାଲିଲା l ଯଶୋଦା ଦେବୀଙ୍କର ଜଣେ ଦାଦା ପୁଅ ଭାଇ ଥିଲା, ଅଭିମନ୍ୟୁ (ଚନ୍ଦ୍ରସେଣା) l ଗୋକୁଳ ନିକଟରେ ତା’ର ଘରl ଗାଆଁ ଜରାତ l ଯଶୋଦାଙ୍କ ଭାଇ ହୋଇ ଥିବାରୁ ନନ୍ଦ ରାଜାଙ୍କର ସେ ଥିଲେ ଶଳା l ତା’ର ବାହାଘର ହୋଇପାରୁ ନ ଥିଲା l ଦିନେ ନନ୍ଦ, ଯଶୋଦାଙ୍କ ପାଖରୁ ଶ୍ରୀମତୀ ରାଧାଙ୍କ ଚନ୍ଦ୍ରସେନା ସହ ଵିଵାହ ପ୍ରସ୍ତାବ ପଡ଼ିଲା l ପରମମିତ୍ର ନନ୍ଦଙ୍କ ପ୍ରସ୍ତାବକୁ ବୃଷଭାନୁ ଅସ୍ବୀକାର କରନ୍ତେ ବା କିପରି ? ରାଧାଙ୍କ ସହ ଚନ୍ଦ୍ରସେଣାଙ୍କ ବିବାହ ହୋଇଗଲା l ରାଧାରାଣୀଙ୍କ ଘରେ ଥିଲେ ଶାଶୁ ଜଟିଳା ଓ ନଣନ୍ଦ କୁଟିଳା l
ଚନ୍ଦ୍ରସେଣା ଥିଲେ, ମାଆ କାଳିଙ୍କ ଭକ୍ତ ଓ ସଂସାର ପ୍ରତି ବୀତସ୍ପୃହ l ଲୋକକଥାରୁ ଶୁଣାଯାଏ ଯେ ସେ ଥିଲେ, ନପୁଂସକ l ଚନ୍ଦ୍ରସେଣା ନପୁଂସକ ହେବାର ବହୁ କିମ୍ୱଦନ୍ତୀ ଓ ଉପାଖ୍ୟାନ ଶୁଣାଯାଏ l ତନ୍ମଧ୍ୟରୁ ଗୋଟିଏ ହେଲା, ଗୋଟିଏ ଜନ୍ମରେ ଥରେ ଲକ୍ଷ୍ମୀଙ୍କୁ ପତ୍ନୀ ରୁପେ ପାଇବାପାଇଁ ଚନ୍ଦ୍ରସେଣା ନାରାୟଣଙ୍କୁ କଠୋର ତପସ୍ୟା କଲେ l ତାଙ୍କ ତପସ୍ୟାରେ ପ୍ରଭୁ ସନ୍ତୁଷ୍ଟ ହୋଇ ବର ଦେଲେ, ମହାଲକ୍ଷ୍ମୀ ମୋ ଠାରୁ କେବେ ଅଲଗା ହୋଇ ପାରିବେ ନାହିଁ l ତୋର ଏ ଅଭିଳାଷ ପୂରଣ ହେବ, ମୋ’ର କୃଷ୍ଣାବତାରରେ l ତୁ ସେତେବେଳେ ଲକ୍ଷ୍ମୀଙ୍କୁ ଭାର୍ଯ୍ୟା ରୂପେ ପାଇବୁ l କିନ୍ତୁ କୌଣସି ଦୈହିକ ଶୁଖ ପାଇବୁ ନାହିଁ l
ଶ୍ରୀମତୀ ରାଧାରାଣୀ ଚନ୍ଦ୍ରସେଣାଙ୍କ ପତ୍ନୀ ହେଲେ କିନ୍ତୁ ଭଗବାନ୍ କୃଷ୍ଣଙ୍କ ପରମ ହ୍ଲାଦିନୀ ଶକ୍ତି ଲୀଳା ସଙ୍ଗିନୀ ହୋଇ ସେ ବୋଲାଇଲେ ବୃନ୍ଦାବନେଶ୍ୱରୀ ରାସେଶ୍ୱରୀ ଶ୍ରୀରାଧା l
ଶ୍ରୀକୃଷ୍ଣ ଲୀଳାମୟ ପରମପୁରୁଷ ସ୍ୱୟଂ ଭଗବାନ l ଶ୍ରୀରାଧା ତାଙ୍କର ଶକ୍ତି ସ୍ୱରୂପିଣୀ ପରମ ଆହ୍ଲାଦିନୀ ଶକ୍ତି ସ୍ୱରୂପେ ପ୍ରେମମୟ ପୁରୁଷ ଶ୍ରୀକୃଷ୍ଣଙ୍କୁ ଆହ୍ଲାଦ ପ୍ରଦାନ କରିଥାନ୍ତି l ଶ୍ରୀକୃଷ୍ଣଙ୍କ ଆରାଧନାହିଁ ରାଧା l ଏଣୁ କୁହା ଯାଇଛି,”ଆରାଧ୍ୟୟେତ୍ ଇତି ରାଧା” l ଶ୍ରୀମତୀ ରାଧିକା ପରମେଶ୍ବରୀ,ପରମ ପ୍ରେମମୟୀ ମହାଭାବର ଠାକୁରାଣୀ l ରାଧାଭାବରେ ହିଁ ପରମ ପୁରୁଷ କୃଷ୍ଣଙ୍କ ପ୍ରାପ୍ତି ହୋଇଥାଏ l
ଏଣୁ ଚୈତନ୍ୟ ଚରିତାମୃତରେ କୁହାଗଲା :-
ହ୍ଲାଦିନୀର ସାର ଅଂଶ ତାର ପ୍ରେମ ନାମ
ଆନନ୍ଦ ଚିନ୍ମୟଅଂଶ ପ୍ରେମେର ଆଖ୍ୟାନ ।।
ପ୍ରେମେର ପରମ ସାର ମହା ଭାବ ଜାନି
ସେହି ମହାଭାବରୁପା ରାଧା ଠାକୁରାନୀ ।।
ଶ୍ରୀରାଧା ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ l ଗୋଟିଏ ବୀଜ, ଦୁଇଟି ଫାଳ ମାତ୍ର l ତାଙ୍କ ପ୍ରେମଲୀଳା ଅପାର୍ଥିବ, ଅପ୍ରାକୃତ l ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ତେଣୁ କହିଲେ:-
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧାହରି l
ଅବ୍ୟକ୍ତଲୀଳାକୁ ବ୍ୟକ୍ତକର ଅବତରୀ ll
!!! ଜୟ ଶ୍ରୀରାଧେ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧