ଶର୍ମିଷ୍ଠା, ଦେବଯାନୀ ଏବଂ କୁରୁ ଓ ଯଦୁବଂଶ ଉପାଖ୍ୟାନ …

Share it

ଶର୍ମିଷ୍ଠାଙ୍କ ପୁତ୍ର ଥିଲେ ପୁରୁ ଓ ତାହାଙ୍କ ବଂଶ ପୁରୁ ବଂଶ ନାମରେ ପରିଚିତ । ପରେ ଏହି ବଂଶରେ କୁରୁ ନାମରେ ଜଣେ ପୁତ୍ର ଜନ୍ମ ହୋଇ ରାଜା ହେଲେ । ତାଙ୍କରିଠାରୁ କୁରୁ ବଂଶ ପ୍ରସିଦ୍ଧ ହେଲା ।

ଦେବଯାନୀଙ୍କ ଔରସରୁ ଜନ୍ମିତ ପୁତ୍ରର ନାମ ଯଦୁ, ଯାହାଙ୍କ ନାମରେ ଯଦୁ ବଂଶ ପ୍ରସିଦ୍ଧ ହେଲା ।

ମହାଭାରତରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଚରିତ୍ର ମାନେ ମୁଖ୍ୟତଃ ଦୁଇଟି ବଂଶରୁ ସମ୍ଭୁତ । ଗୋଟିଏ ଯଦୁ ବଂଶ ଓ ଅନ୍ୟଟି କୁରୁବଂଶ ।

ପୂର୍ବ କାଳରେ ଆମ ଆର୍ଯ୍ୟାବର୍ତ୍ତରେ ଯଯାତି ନାମରେ ଜଣେ ରାଜା ଥିଲେ । ବିଶ୍ୱବନ୍ଦିତ ରାଜା ନହୁଷଙ୍କ ପୁତ୍ର ଥିଲେ ଯଯାତି । ଯଯାତିଙ୍କ ଦୁଇରାଣୀ ଥିଲେ ଦେବଯାନୀ ଓ ଶର୍ମିଷ୍ଠା । ଦେବଯାନୀଙ୍କ ଔରସରୁ ଜନ୍ମିତ ପୁତ୍ରର ନାମ ଯଦୁ, ଯାହାଙ୍କ ନାମରେ ଯଦୁ ବଂଶ ପ୍ରସିଦ୍ଧ ହେଲା । ଯଦୁଙ୍କ ପୁତ୍ର ବୃଷ୍ଣି । ବୃଷ୍ଣିଙ୍କ ବଂଶରେ ଶୁର ନାମକ ଜଣେ ରାଜା ଥିଲେ, ତାଙ୍କର ପୁତ୍ର ବସୁଦେବ ଓ କନ୍ଯା କୁନ୍ତୀ । କୁନ୍ତୀ ହେଲେ, ପାଣ୍ଡଵ ଜନନୀ ଏବଂ ବସୁଦେବଙ୍କ ପୁତ୍ରହେଲେ ଭଗବାନ ଶ୍ରୀକୃଷ୍ଣ ।

ଶର୍ମିଷ୍ଠାଙ୍କ ପୁତ୍ର ଥିଲେ ପୁରୁ ଓ ତାହାଙ୍କ ବଂଶ ପୁରୁ ବଂଶ ନାମରେ ପରିଚିତ । ପରେ ଏହି ବଂଶରେ କୁରୁ ନାମରେ ଜଣେ ପୁତ୍ର ଜନ୍ମ ହୋଇ ରାଜା ହେଲେ । ତାଙ୍କରିଠାରୁ କୁରୁ ବଂଶ ପ୍ରସିଦ୍ଧ ହେଲା ।

ମହାଭାରତରେ ଏ ଦୁଇ ବଂଶର ଉତ୍ପତ୍ତି ବିଷୟରେ ଏକ ସୁନ୍ଦର ଉପାଖ୍ୟାନ ରହିଛି ।

ଦୈତ୍ୟ ମାନଙ୍କ ଗୁରୁ ଥିଲେ ଶୁକ୍ରାଚାର୍ଯ୍ୟ । ଦୈତ୍ୟ ରାଜ ବୃଷପର୍ବାଙ୍କ ରାଜଧାନୀରେ ସେ ବାସ କରୁଥିଲେ କନ୍ୟା ଦେବଯାନୀ ସହ । ତାଙ୍କ ପାଖରେ ଅମୋଘ ସଞ୍ଜିବନୀ ମନ୍ତ୍ର ଥିଲା । ଦେବତାମାନେ କୂଟକରି ଏହି ମନ୍ତ୍ରକୁ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚ ସାହାଯ୍ୟରେ ହରଣ କରି ନେଲେ । ଶୁକ୍ରଙ୍କ ଆଶ୍ରମରେ କଚ ରହୁଥିବା ବେଳେ ଶୁକ୍ରାଚାର୍ଯ୍ୟଙ୍କୁ ସେବାରେ ସନ୍ତୁଷ୍ଟ କରି ଥିଲେ ଏବଂ କୌଶଳକ୍ରମେ ସେ ଏ ମନ୍ତ୍ର ହରଣ କରିନେଇଥିଲେ ।

ଏକଦା ଦେବଯାନୀ, ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠାଙ୍କ ସହ ସଖିମାନଙ୍କ ଗହଣରେ ଏକ ବନ୍ୟ ପୁଷ୍କରିଣୀରେ ସ୍ନାନ କରୁଥାନ୍ତି । ଏହି ସମୟରେ ହଠାତ କୁଆଡ଼ୁ ଘୁର୍ଣ୍ଣିଝଡ଼ ମାଡ଼ିଆସି ସେମାନଙ୍କ ପାଲଟା ବସ୍ତ୍ରସବୁ ଉଡ଼ାଇ ନେଇ ଏକାଠି କରିଦେଲା । ପୁଷ୍କରିଣୀରୁ ସ୍ନାନସାରି ଆସି ତରବରରେ ନିଜ ବସ୍ତ୍ର ପିନ୍ଧୁଥିଲା ବେଳେ ଭୁଲବଶତଃ ଶର୍ମିଷ୍ଠା ଦେବଯାନୀଙ୍କ ଲୁଗା ପିନ୍ଧି ପକାଇଲେ ।

ଦେବଯାନୀ ବହୁତ ରାଗିଯାଇ କହିଲେ, ତୁ କିପରି ମୋର ବସ୍ତ୍ର ପିନ୍ଧି ପକାଇଲୁ ? ତୁ ଜାଣିଛୁ, ମୁଁ ତୋ ପିତାଙ୍କ ଗୁରୁକନ୍ୟା ? ତୋତେ ଏହି ଅନାଚାରର ଫଳ ଭୋଗିବାକୁ ପଡ଼ିବ ।

ଶର୍ମିଷ୍ଠା ଏଥିରେ ଅତି କ୍ରୁଦ୍ଧହୋଇ କହିଲେ, ତୋର ଏତେ ସାହସ ତୁ ମୋତେ ପୁଣି ଦୋଷ ଦେଉଛୁ ? ତୁ ଜଣେ ସାମାନ୍ୟ ଭିକ୍ଷୁକ ବ୍ରାହ୍ମଣର କନ୍ୟା । ମୁଁ ରାଜକନ୍ୟା । ମୋ ପିତାଙ୍କ ଆଶ୍ରୟରେ ତୋ ପିତା ରହିଛନ୍ତି । ତୁମେ ଦୁହେଁ ମୋ ପିତୃଦତ୍ତ ଅନ୍ନରେ ପ୍ରତିପାଳିତ । ତୁ ଜଣେ ଭିକାରୁଣୀ ।

ଦେବଯାନୀ ରାଗିଯାଇ ଶର୍ମିଷ୍ଠାଙ୍କଠାରୁ ନିଜ ବସ୍ତ୍ର ଛଡ଼ାଇ ଆଣିବାକୁ ଚେଷ୍ଟା କରୁଛନ୍ତି ଶର୍ମିଷ୍ଠା ତାଙ୍କୁ ଏକ କୂଅ ଭିତରକୁ ଠେଲି ଦେଲେ ଏବଂ ଦେବଯାନୀ ମୃତ ଭାବି ରାଜ ପ୍ରାସାଦକୁ ଲେଉଟି ଆସିଲେ ।

ଶୁକ୍ର ନନ୍ଦିନୀ ଦେବଯାନୀ ସେହି ଗୁଳ୍ମ ଲତା ପୂର୍ଣ୍ଣ ଅନ୍ଧକାର କୂପ ମଧ୍ୟରେ ପଡ଼ିରହିଲେ । ସେହି ସମୟରେ ହସ୍ତୀନାନରେଶ ଯଯାତି ସେହି ବନ ମଧ୍ୟରେ ମୃଗୟା ଭ୍ରମଣ କରୁ ଥାନ୍ତି । ତୃଷିତ ହୋଇ ସେ ଜଳ ଉଦ୍ଦେଶ୍ୟରେ ଯାଇ, ସେହି କୂପ ପାଖରେ ପହଞ୍ଚି ଦେଖିଲେ, ଜଣେ ତେଜୋମୟ ଦିବ୍ୟସୁନ୍ଦରୀ ଯୁବତୀ କୂପ ମଧ୍ୟରେ ପଡ଼ିରହିଛି ।

ଯଯାତି ତାଙ୍କୁ କହିଲେ, ହେ ସୁନ୍ଦରୀ ତୁମେ କିଏ, କାହାର କନ୍ୟା,ଏ କୂପ ଭିତରେ କିପରି ପଡ଼ିଲ ? ଦୟାକରି ମୋତେ ତୁମର ପରିଚୟ ଦିଅ ।

କୂପମଧ୍ୟରୁ ଦେବଯାନୀ କହିଲେ, ମୁଁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀ, ମୁଁ ଏଠାରେ ପଡ଼ି ରହିଛି ଏହା ମୋର ପିତାଙ୍କୁ ଜଣାନାହିଁ । ଆପଣ ମୋତେ ଦୟା କରି ଉଦ୍ଧାର କରନ୍ତୁ ।

ଦେବଯାନୀଙ୍କ ଦକ୍ଷିଣ ହସ୍ତ ଧରି ରାଜା ଯଯାତି ତାଙ୍କୁ ଉଠାଇ ଆଣିଲେ ଏବଂ ନିଜ ଗନ୍ତବ୍ୟ ପଥରେ ଚାଲିଗଲେ ।

ଯଯାତି ଚାଲିଯିବାପରେ ଦେବଯାନୀ ସେହି କୂପ ନିକଟରେ ବସି ରହିଲେ । ଇଆଡ଼େ ଶୁକ୍ରାଚାର୍ଯ୍ୟ କନ୍ୟାର ବିଳମ୍ବ ଦେଖି ଖୋଜିଖୋଜି ଯାଇ ସେହିଠାରେ ପହଞ୍ଚି ଦେଖନ୍ତି ତ ଦେବଯାନୀ ଶୋକାର୍ତ୍ତ ହୋଇ ବସି ରହିଛନ୍ତି । ଶୁକ୍ରାଚାର୍ଯ୍ୟ ପଚାରିବାରୁ ସେ ମୂଳରୁ ଚୂଳଯାଏ ସବୁ ଘଟଣା କହିଲେ । ପୁଣି କହିଲେ, ଶର୍ମିଷ୍ଠା ମୋତେ ଯେପରି ଅପମାନ ଦେଇଛି, ମୁଁ ପଣକରିଛି ଆଉ କେବେ ବୃଷପର୍ବାଙ୍କ ରାଜଧାନୀରେ ପାଦ ରଖିବି ନାହିଁ ।

ଶୁକ୍ରାଚାର୍ଯ୍ୟ କହିଲେ, ମାଆ ତୁ ଭିକ୍ଷୁକ ବ୍ରାହ୍ମଣର ଝିଅ ନୁହେଁ, ଜାଣି ରଖ ତୁ ଶୁକ୍ରାଚାର୍ଯ୍ୟର କନ୍ୟା ଯାହାଙ୍କୁ ରାଜ ଚକ୍ରବର୍ତ୍ତୀ ଯଯାତି, ଦୈତ୍ୟରାଜ ବୃଷପର୍ବା, ସ୍ୱୟଂ ଦେବରାଜ ଇନ୍ଦ୍ର ମଥାନତ କରିଥାନ୍ତି । ବୃଷପର୍ବା ନନ୍ଦିନୀ ସେ ଉଦ୍ଧତ ବାଳିକାକୁ ତୁ କ୍ଷମାକରି ଦେ ଏବଂ ଘରକୁ ଫେରି ଚାଲ । କ୍ଷମାକୁ ପଣ୍ଡିତମାନେ ସର୍ବଦା ଉଚ୍ଚ ସ୍ଥାନ ଦେଇଛନ୍ତି । କ୍ଷମା ଦାତା ଓ କ୍ଷମା ଗ୍ରହୀତା ଉଭୟ ଏ ସଂସାରରେ ଭାଗ୍ୟବାନ ।

କ୍ଷମା କଲେ ଝିଅ କ୍ଷମା ତ ମିଳଇ
କ୍ଷମାର ତ ନାହିଁ ଅନ୍ତ ।।
କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ
ତ୍ରିଭୂବନେ ଭାଗ୍ୟବନ୍ତ ।।

ଦେବଯାନୀ କହିଲେ, ପିତା ! ଆପଣ ଯେଉଁ ଧର୍ମର ମାର୍ଗ କହିଲେ ତାହା ଠିକ୍ । କିନ୍ତୁ ଶର୍ମିଷ୍ଠାର ସେହି ଅପମାନ ମୋର ହୃଦୟକୁ ବିଦୀର୍ଣ୍ଣ କରୁଛି । ଏଣୁ ବୃଷପର୍ବାଙ୍କ ରାଜଧାନୀକୁ ଫେରି ଯିବା ଅପେକ୍ଷା ମୁଁ ମରଣକୁ ଶ୍ରେୟ ମଣୁଛି ।

କନ୍ୟାର ଏ ଦୁଃଖ ଦେଖି, ବିବ୍ରତ ଶୁକ୍ରାଚାର୍ଯ୍ୟ ସିଧା ଯାଇ ବୃଷପର୍ବାଙ୍କ ରାଜସଭାରେ ପହଞ୍ଚି କହିଲେ, ହେ ଦୈତ୍ୟରାଜ, ମୋର ନିରପରାଧ ଶିଷ୍ୟ କଚକୁ ତୁମେମାନେ ହତ୍ୟା କରିଥିଲ । ଏବେ ମୋ କନ୍ୟା ଦେବଯାନୀକୁ ଶର୍ମିଷ୍ଠା ଅପମାନିତ କରି ପ୍ରାଣରେ ମାରିଦେବାର ଅପଚେଷ୍ଟା କରିଛି । ଆଉ ମୁହୂର୍ତ୍ତେ ମାତ୍ର ମୁଁ ଏଠାରେ ରହିବାକୁ ଚାହୁଁ ନାହିଁ । ତୁମକୁ ମୁଁ ଏହିକ୍ଷଣି ପରିତ୍ୟାଗ କରି ଚାଲି ଯାଉଛି ।

ବୃଷପର୍ବା ଅତି ବିନୟହୋଇ କହିଲେ, ହେ ମୋର ପୂଜ୍ୟ ଗୁରୁ ! ହେ ମହାତ୍ମନ୍ ! ଆପଣଙ୍କ ବିହୁନେ ମୋ ବଞ୍ଚି ରହିବା ନିରର୍ଥକ । ଆପଣ ଚାଲିଗଲେ ମୁଁ ସମୁଦ୍ରରେ ମୋର ସ୍ୱଜନଙ୍କ ସହ ଝାସ ଦେଇ ଆତ୍ମୋତ୍ସର୍ଗ କରିବି ।

ଶୁକ୍ରାଚାର୍ଯ୍ୟ ସାମାନ୍ୟ ଶାନ୍ତ ହୋଇ କହିଲେ, ମୁଁ ମୋ ଦେବଯାନୀକୁ ପ୍ରାଣାଧିକ ଭଲପାଏ । ତା’ର ଲାଞ୍ଛନା ମୋ ପାଇଁ ଅସହ୍ୟ । ତୁମେ ଯଦି ତାକୁ ବୁଝାଇ ପାରିବ, ତେବେ ମୋର ଏଠାରେ ରହିବାରେ କୌଣସି ଆପତ୍ତି ନାହିଁ ।

ବୃଷପର୍ବା ସଙ୍ଗେସଙ୍ଗେ ଦେବଯାନୀଙ୍କ ନିକଟରେ ପହଞ୍ଚି କହିଲେ, ତୁମକୁ ସନ୍ତୁଷ୍ଟ କରିବା ପାଇଁ ମୁଁ ମୋର ସର୍ବସ୍ବ ଦେବା ପାଇଁ ପ୍ରସ୍ତୁତ ଅଛି । ତୁମକୁ ମୁଁ କେମିତି ସନ୍ତୁଷ୍ଟ କରି ପାରିବି ନିର୍ଦ୍ବନ୍ଦ୍ବରେ ତାହା ପ୍ରକାଶ କର ।

ଦେବଯାନୀ କହିଲେ, ହେ ରାଜା ! ତୁମେ ଯଦି ମୋର ସନ୍ତୋଷ ଚାହଁ, ତେବେ ପ୍ରତିଜ୍ଞା କର ତୁମର କନ୍ୟା ଶର୍ମିଷ୍ଠା ମୋର ଦାସୀ ହୋଇ ରହିବ ଓ ମୋର ବିବାହହେଲେ ସେ ଦାସୀରୁପେ ମୋ ସହିତ ଯିବ ।

ଏହା ହିଁ ହେବ କହି ବୃଷପର୍ବା ଫେରି ଆସି ଶର୍ମିଷ୍ଠାଙ୍କୁ ବୁଝାଇବାରୁ ସେ ଏହାକୁ ସ୍ବୀକୃତି ଦେଲେ ।

ଦେବଯାନୀଙ୍କ ସର୍ତ୍ତକୁ ଗ୍ରହଣ କରୁଛନ୍ତି ବୋଲି ଶର୍ମିଷ୍ଠା କହିବାରୁ ରାଜଧାନୀକୁ ଫେରି ଆସିଲେ ଦେବଯାନୀ ।

ଅନେକ ଦିନ ବିତି ଗଲା । ଦିନେ ଦେବଯାନୀ ଓ ଶର୍ମିଷ୍ଠା ସଖିମାନଙ୍କ ସହିତ ବିହାର ପାଇଁ ବନକୁ ଗଲେ । ଯୋଗକୁ ରାଜା ଯଯାତି ସେଦିନ ସେହି ବଣକୁ ମୃଗୟାରେ ଆସି ଥାନ୍ତି । ସେ ଦେଖିବାକୁ ପାଇଲେ, ଜଣେ ସୁନ୍ଦରୀଯୁବତୀ ଏକ ଆସନରେ ବସିଛନ୍ତି, ଆଉ ଜଣେ ସୁନ୍ଦରୀ ତାଙ୍କ ପଦସେବା କରୁଛନ୍ତି । ଆଗ ପରିଚିତିରୁ, ସେ ପ୍ରଥମ ଯୁବତୀ ଦେବଯାନୀଙ୍କୁ ଚିହ୍ନିପାରିଲେ ଏବଂ ତାଙ୍କ ନିକଟକୁ ଯାଇ ପଚାରିଲେ, ସେହି ସୁନ୍ଦରୀ ଜଣକ କିଏ ? ସେ କେମିତି ତୁମର ଦାସୀ ହେଲେ ?

ଯଯାତିଙ୍କୁ ଦେବଯାନୀ ସେ ଦୈତ୍ୟରାଜ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠା ବୋଲି କହିଲେ । ପୁଣି କହିଲେ, ସବୁକିଛି ବିଧିର ବିଧାନ, ଆଉ ଅଧିକା ଜାଣିବାର ଦରକାର ନାହିଁ । ମୁଁ ଆପଣଙ୍କୁ ବରଣ କରୁଛି ଆପଣ ଦାସୀ ଶର୍ମିଷ୍ଠା ସହ ମୋତେ ଗ୍ରହଣ କରନ୍ତୁ ।

ଯଯାତି କହିଲେ ଏହା କିପରି ହେବ ? ମୁଁ ତୁମର ଯୋଗ୍ୟ ନୁହେଁ । ମୁଁ ଯଦୁବଂଶୀ କ୍ଷତ୍ରୀୟ ଏବଂ ତୁମେ ବ୍ରାହ୍ମଣ କନ୍ୟା । ଏଥିରେ ତୁମ ପିତା ସମ୍ମତ ହେବେ ତ ?

ଦେବଯାନୀ କହିଲେ, ” ବ୍ରାହ୍ମଣ କ୍ଷତ୍ରୀୟ ସମସ୍ତେ ସେହି ସୃଷ୍ଟି କର୍ତ୍ତାଙ୍କ ସନ୍ତାନ, ଏଥିରେ ବା ଅସୁବିଧା କେଉଁଠି ? ମନେ ଥିବ, ଏକଦା, ମୋତେ ଆପଣ କୂପ ମଧ୍ୟରୁ ହାତ ଧରି ଉଦ୍ଧାର କରିଥିଲେ । ମୋ ହସ୍ତ ଧାରଣ କରିଥିବା ହେତୁ ଆପଣ ଯଥାର୍ଥରେ ମୋର ପତି । ମୁଁ ସେହି ଦିନରୁ ଆପଣଙ୍କୁ ବରଣ କରି ସାରିଛି । ମୋତେ ଆପଣ ଦୟାକରି ଗ୍ରହଣ କରନ୍ତୁ, ଏଥିରେ ପିତାଙ୍କ କୌଣସି ଆପତ୍ତି ରହିବ ନାହିଁ”।

କନ୍ୟାଙ୍କଦ୍ୱାରା ଆହୁତହୋଇ ଶୁକ୍ରାଚାର୍ଯ୍ୟ ସେଠାରେ ପହଞ୍ଚି ସମସ୍ତ କଥା ଅବଗତ ହେଲେ ଏବଂ ସେହି ବିବାହକୁ ସ୍ୱୀକୃତିଦେଲେ ।

ସେ ପୁଣି ରାଜା ଯଯାତିଙ୍କୁ କହିଲେ, ତୁମେ ଶର୍ମିଷ୍ଠାଙ୍କୁ ତୁମ ସାଙ୍ଗରେ ନେଇ ଯାଅ । ତାଙ୍କୁ କେବେ ହତାଦର କରିବ ନାହିଁ ଏବଂ ତାଙ୍କୁ କେବେ ଶଯ୍ୟାଶାୟୀନି କରିବନାହିଁ ।

ଯଯାତି ଦେବଯାନୀ, ଶର୍ମିଷ୍ଠା ଏବଂ ଦାସୀ ମାନଙ୍କୁ ଧରି ରାଜଧାନୀକୁ ଫେରି ଗଲେ ।

ଦେବଯାନୀଙ୍କ ଅନୁମତି ନେଇ ଯଯାତି ହସ୍ତୀନା ରାଜୋଦ୍ୟାନ ନିକଟରେ ଶର୍ମିଷ୍ଠାଙ୍କ ବାସନିମନ୍ତେ ଏକ ସୁରମ୍ୟ ପ୍ରାସାଦ ତୋଳାଇ ଦେଲେ ଓ ତାଙ୍କ ରହିବାର ସମସ୍ତ ବ୍ୟବସ୍ଥା କରାଇଦେଲେ ।

କିଛିକାଳ ପରେ ଦେବଯାନୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେଲା । ଏ ଖବର ଶର୍ମିଷ୍ଠା ପାଇଲା ପରେ ଭାବିଲେ, ମୋର ରୂପ ଯୌବନ ଏହି ପରି ଅତିବାହିତ ହୋଇଯିବ । ମୁଁ ଆଉ ପତି କିମ୍ବା ପୁତ୍ର ସୁଖ ପାଇ ପାରିବି ନାହିଁ ।

ଦିନେ ରାଜୋଦ୍ୟାନ ଭ୍ରମଣରେ ଆସିଥାନ୍ତି ରାଜା ଯଯାତି । ଉଦ୍ୟାନକୁ ଶର୍ମିଷ୍ଠା ତାଙ୍କୁ ସ୍ୱାଗତ କରି କହିଲେ, ‘ମହାରାଜ, ଆପଣ ମୋର ବଂଶ ମର୍ଯ୍ୟାଦା, ରୂପ, ଗୁଣ, ସ୍ଵଭାଵ ବିଷୟରେ ଅବଗତ ଅଛନ୍ତି । ମୋତେ ପତ୍ନୀରୂପେ ଗ୍ରହଣ କରି ମୋର ନାରୀ ଜନ୍ମ ସାର୍ଥକ କରାନ୍ତୁ । ମୋତେ ପତି ଓ ପୁତ୍ର ସୁଖ ପ୍ରଦାନ କରନ୍ତୁ । ସନ୍ତାନହୀନା ମନସ୍ତାପରୁ ମୋତେ ଉଦ୍ଧାର କରନ୍ତୁ’ ।

ଯଯାତି କହିଲେ, ମୁଁ ଜାଣେ, ତୁମେ ଅନିନ୍ଦ୍ୟ ରୂପବତୀ ଓ ଉଚ୍ଚକୂଳ ସମ୍ଭୁତା । କିନ୍ତୁ ଶୁକ୍ରାଚାର୍ଯ୍ୟ ତୁମ୍ଭଙ୍କୁ ଅଙ୍କ ଶାୟୀନୀ କରିବା ପାଇଁ ବାରଣ କରିଛନ୍ତି ଯେ !!

ଶର୍ମିଷ୍ଠା କହିଲେ,ଶାସ୍ତ୍ର ସିଦ୍ଧାନ୍ତ ମତେ ପରିହାସ ସମୟରେ, ରମଣୀମାନଙ୍କ ମନୋରଞ୍ଜନ ବେଳେ, ବିବାହ ସମୟରେ, ଜୀବନ ପ୍ରତି ସଙ୍କଟ କାଳରେ ମିଥ୍ୟାଚରଣ କରାଯାଇ ପାରେ, ଏଥିରେ କୌଣସି ପାପ ହେବ ନାହିଁ ।

ଯଯାତି କହିଲେ, କିନ୍ତୁ ରାଜାହୋଇ ମୁଁ ଯଦି ମିଥ୍ୟା ଆଚରଣ କରେ ତେବେ ମୋର ପ୍ରଜାମାନେ ଭ୍ରଷ୍ଟ ହୋଇଯିବେ, ମୋର ରାଜ୍ୟ ନଷ୍ଟଭ୍ରଷ୍ଟ ହୋଇଯିବ ।

ଶର୍ମିଷ୍ଠା କହିଲେ ଆପଣ ମୋ ସଖି ଦେବଯାନୀକୁ ବିବାହ କରି, ମୋତେ ସାଙ୍ଗରେ ଆଣିଛନ୍ତି । ଏଣୁ ନ୍ଯାୟ ଦୃଷ୍ଟିରୁ ଯୁକ୍ତିଯୁକ୍ତ ଭାବେ ଆପଣ ମୋର ମଧ୍ୟ ପତି, ତେଣୁ ଆପଣ ମୋତେ ଗ୍ରହଣ କରନ୍ତୁ ।

ଶର୍ମିଷ୍ଠାଙ୍କ ଯୁକ୍ତିଯୁକ୍ତ କଥାରେ ଯଯାତି ସମ୍ମତହେଲେ । କିଛି ଦିନ ଉତ୍ତାରେ ଶର୍ମିଷ୍ଠାଙ୍କ ଗର୍ଭରୁ ଗୋଟିଏ ସୁନ୍ଦର ପୁତ୍ର ଜନ୍ମହେଲା । କ୍ରମେ ଦେବଯାନୀଙ୍କର ଦୁଇପୁତ୍ର ଯଦୁ ଓ ତୁର୍ବସୁ ତଥା ଶର୍ମିଷ୍ଠାଙ୍କର ତିନି ପୁତ୍ର ଦୁହ୍ୟୁ, ଅନୁ ଓ ପୁରୁ ଜନ୍ମ ହେଲେ ।

ଯଯାତି ଶର୍ମିଷ୍ଠାଙ୍କୁ ଗୋପନରେ ବିବାହ କରିଛନ୍ତି, ଏହା ଜାଣି ଦେବଯାନୀଙ୍କ ଦୁଃଖର ସୀମା ରହିଲା ନାହିଁ । ସେ ଯଯାତିଙ୍କୁ କହିଲେ, ତୁମେ ମୋତେ ଓ ମୋ ପିତାଙ୍କୁ ଦେଇଥିବା ବଚନ ଉଲଙ୍ଘନ କରିଛ, ତୁମେ ଆମ ସହ ପ୍ରବଞ୍ଚନା କରିଛ । ମୁଁ ଏଠାରେ ଆଉ ରହି ପାରିବି ନାହିଁ, ମୋର ପିତ୍ରାଳୟକୁ ଚାଲି ଯାଉଛି ।

ଦେବଯାନୀ ଯାଇ ପିତାଙ୍କୁ ସମସ୍ତ କଥା ଅବଗତ କରାଇଲେ । ସବୁକଥା ଶୁଣି ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ଅଭିଶାପ ଦେଲେ, ‘ଯୌବନ ମୋହରେ ତୁମେ କାମବଶ ହୋଇ, ସତ୍ୟ ଭଗ୍ନ କରିଛ, ଏଣୁ ତୁମକୁ ଘୋର ଜରା ଗ୍ରାସ କରୁ’।

ଶାପଗ୍ରସ୍ତ ଯଯାତିଙ୍କୁ ଜରା ଗ୍ରାସ କଲା । ଶାପରୁ ମୁକ୍ତି ପାଇଁ ସେ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିବାରୁ ସେ କହିଲେ, ଯଦି ତୁମର ଜରା ବଦଳରେ କେହି ତୁମକୁ ଯୌବନ ଦାନକରି ପାରିବ ତେବେ ତୁମେ ତୁମ ଯୌବନ ଫେରି ପାଇବ ।

ଯଯାତି କହିଲେ, ତେବେ ମୋର ପୁତ୍ରମାନଙ୍କୁ ଏହା ମାଗୁଛି, ମୋତେ ଆପଣ ଅନୁମତି ଦିଅନ୍ତୁ, ମୋର ଯେଉଁ ପୁତ୍ର ତାର ଯୌବନ ଦାନକରିବ, ସେ ମୋର ଉତ୍ତରାଧିକାରୀ ରାଜା ହେବ ।

ଶୁକ୍ରାଚାର୍ଯ୍ୟ କହିଲେ ତାହା ହିଁ ହେଉ ।

ଯଯାତି ପ୍ରଥମେ ତାଙ୍କ ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ ଡାକି କହିଲେ, ମୁଁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପରୁ ଯୌବନ ଶେଷ ପୂର୍ବରୁ ଜରାଗ୍ରସ୍ତ ହୋଇ ଯାଇଛି । ସମ୍ପୂର୍ଣ୍ଣ ଯୌବନକୁ ଉପଭୋଗ ନ କରିପାରି ମୁଁ ଅତୃପ୍ତ । ତୁମେ ତୁମର ଯୌବନ ପ୍ରଦାନ କରି ମୋର ଏହି ଜରା ଗ୍ରହଣ କର । ମୁଁ ତୃପ୍ତ ହେଲା ପରେ ପୁଣି ଏହା ଫେରାଇ ଦେବି ଏବଂ ମୋ ଉତ୍ତରାଧିକାରୀ ହୋଇ ତୁମେ ରାଜା ହେବ ।

ଯଦୁ କହିଲେ, ପିତା ! କୌଣସି ମହତ୍ ଉଦ୍ଦେଶ୍ଯ ପାଇଁ ନୁହେଁ ବରଂ ନିଜର ବ୍ଯକ୍ତିଗତ ବିଷୟଭୋଗ ଲାଳସା ଚରିତାର୍ଥ କରିବାକୁ ଆପଣ ଅନ୍ଯ ଜଣଙ୍କର ଯୌବନ ମାଗୁଛନ୍ତି ଏବଂ ବ୍ଯକ୍ତିଗତ ସ୍ବାର୍ଥ ପାଇଁ ଅକାରଣରେ ଜଣେ ଯୁବକଙ୍କୁ ବାର୍ଦ୍ଧକ୍ଯ ଭୋଗ କରିବାକୁ ବାଧ୍ଯ କରୁଛନ୍ତି, ଏହା ନ୍ଯାୟସଙ୍ଗତ ନୁହେଁ। ବୃଦ୍ଧାବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ, ଏହା ଜଣେ ଯୁବକଙ୍କୁ କୁରୂପ, କୁତ୍ସିତ କରିଦେବ, ସମସ୍ତେ ତାଙ୍କୁ ଘୃଣା କରିବେ । ଏହା ନ୍ଯାଯୋଚିତ କାର୍ଯ୍ଯ ନୁହେଁ, ତେଣୁ ମୁଁ ରାଜ ସିଂହାସନର ଉତ୍ତରାଧିକାରୀ ହେବା ଲୋଭରେ ଆପଣଙ୍କୁ ମୋର ଯୌବନ ଦାନ କରି ପାରିବି ନାହିଁ । ମୁଁ କଦାଚିତ ଏପରି କରି ପାରିବି ନାହିଁ ।

ଏହିପରି ରାଜା ଯଯାତି ତାଙ୍କର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପୁତ୍ରକୁ ଯୌବନ ଭିକ୍ଷାକଲେ । ସମସ୍ତେ ସେହି ଗୋଟିଏ ନାସ୍ତି ବାଣୀ ଶୁଣାଇ କହିଲେ, ଏ ଦୁଃଖପୂର୍ଣ୍ଣ ବୃଦ୍ଧାବସ୍ଥା ଆମେ ଗ୍ରହଣ କରି ପାରିବୁ ନାହିଁ ।

ଯଯାତି ନିରାଶ ହୋଇ ଶେଷକୁ ସର୍ବକନିଷ୍ଠ ତଥା ପଞ୍ଚମ ପୁତ୍ର ପୁରୁଙ୍କୁ ଅନୁରୋଧ କଲେ । ପୁରୁ ଏହା ଦେବାକୁ ପ୍ରସ୍ତୁତ ହୋଇଗଲେ । ରାଜା ଯଯାତି ଆନନ୍ଦରେ ତାଙ୍କୁ ଆଶୀର୍ବାଦ କଲେ ।

ପୁତ୍ର ପୁରୁଙ୍କଠାରୁ ଯୌବନ ଲାଭ କରି ଯଯାତି ବହୁବର୍ଷ ପର୍ଯ୍ୟନ୍ତ ବିଷୟ ଭୋଗରେ ବୁଡ଼ି ରହିବା ସହ ଦାନ, ଧର୍ମକର୍ମ, ସୁଶାସନ, ପ୍ରଜାପାଳନ କରି ଅତ୍ୟନ୍ତ ସନ୍ତୋଷ ଲାଭକଲେ । କିନ୍ତୁ ସେ ଯେତେ ଭୋଗ କଲେ ମଧ୍ୟ ତୃପ୍ତ ହେଲେ ନାହିଁ । ଅଗ୍ନିରେ ଘୃତ ସମ, ତାଙ୍କର ବାସନା ଆହୁରି ପ୍ରବଳ ହେଉ ଥିଲା । ଦିନେ ତାଙ୍କର ଏସବୁ ପ୍ରତି ବିତୃଷ୍ଣା ଆସି ଗଲା । ସେ ଯାଇ ପୁତ୍ର ପୁରୁଙ୍କୁ କହିଲେ, ପୁତ୍ର ଏ କାମନା ଅସରନ୍ତି । ମୁଁ, ତୁମର ଯୌବନକୁ ଏବେ ଫେରାଇଦେଉଛି । ତୁମେ ପୁତ୍ରର କର୍ତ୍ତବ୍ୟ ପାଳନ କରିଛ । ତୁମକୁ ରାଜ ପଦରେ ଅଭିଷିକ୍ତ କରି ମୁଁ ଏବେ ଅରଣ୍ୟ ବାସରେ ବାହାରି ଯାଉଛି । ଏପରି କହି ମହାରାଜ ଯଯାତି ବିଳାସମୟ ରାଜ ନବର ପରିତ୍ୟାଗ ପୂର୍ବକ ବନ ଗମନ କଲେ ।

ମହାଭାରତକାର ଏହି କାହାଣୀ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି,”ଏ ଭୋଗ ଲାଳସା ଓ କାମନାର ପରିବ୍ୟାପ୍ତି, ଅପରିସୀମ । ପୃଥିବୀରେ ଯେତେ ଧନ, ସୁନ୍ଦରୀ ସ୍ତ୍ରୀ, ସ୍ବର୍ଣ୍ଣ, ମଣି, ମାଣିକ୍ୟ ଓ ଗୋ ମହିଷାଦି ପଶୁ ଅଛନ୍ତି, ସେସବୁ କାମନାରେ ବଶବର୍ତ୍ତୀ ଜଣକପାଇଁ ମଧ୍ୟ ପର୍ଯ୍ୟାପ୍ତ ନୁହେଁ, ଏଣୁ ଏ ବିଷୟ ତୃଷ୍ଣା ସର୍ବଥା ବର୍ଜନୀୟ । ମହାଭାରତ ଶ୍ଲୋକାନୁସାରେ :-

ନ ଜାତୁ କାମଃ କାମାନାମୁପଭୋଗେନ ଶାମ୍ୟତି,
ହବିଷା କୃଷ୍ଣବତ୍ମେବ ଭୂୟଃ ଏବାଭିବର୍ଦ୍ଧତେ ।।

ଏହି ଶ୍ଲୋକର ଭାବାର୍ଥକୁ ପଲ୍ଲୀକବି ନନ୍ଦକିଶୋର ବଳ ଶର୍ମିଷ୍ଠା କାବ୍ୟରେ ରାଜା ଯଯାତିଙ୍କ ମୁଖରେ ଶିକ୍ଷା ଦେଇ କହିଛନ୍ତି :-
ନିରାଶ ମାନବ ଦୁଃସହ ଦୁଃଖରେ
ପଡ଼ି ମୋ କାହାଣୀ ଶୁଣି ।
କାଳସିନ୍ଧୁ ନୀରେ ଜୀବନ ତରଣୀ
ଚଳାଇବ ଧୀରେ ପୁଣି ।।

🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

2 Comments

  1. ଏଭଳି ଯାଦବ ସମାଜ ର ଉତ୍ପତ୍ତି ବିଷୟର ଲେଖା ଗୁଡିକ କ୍ରମଶଃ ପ୍ରକାଶିତ କଲେ ସମାଜ ଉପକୃତ ହୁଅନ୍ତା ।

Leave a comment

Your email address will not be published. Required fields are marked *

Verified by MonsterInsights