Srikrushna Janmastami
26th August 2024
ଶ୍ରୀମନ୍ଦିରେ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ନୀତି : ବହୁପ୍ରଚାରିତ ଭ୍ରାନ୍ତ ବ୍ଯାଖ୍ଯା
© ବାବାଜୀ ସନତ୍ସୁଜାତାନନ୍ଦ ଦାସ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧେ ଅନେକ ଭ୍ରାନ୍ତ ଧାରଣା ଅତିପ୍ରଚାରିତ। ଅନ୍ଯତମ ପ୍ରଚାରଟି ହେଉଛି, ଜଗନ୍ନାଥେ ନିଜେ ଦେବକୀ ହୋଇ ଶ୍ରୀକୃଷ୍ଣଙ୍କୁ ପ୍ରସବ କରନ୍ତି। ଏ’ ପ୍ରଚାର ବିଶୁଦ୍ଧ ମିଥ୍ଯା।
ତେବେ କାହିଁକି ଏ’ ପ୍ରଚାର ?
ଏହାର ଗହନ କାରଣ ବା ଉଦ୍ଦେଶ୍ଯ କଅଣ ?
ଏହାର କାରଣ ହେଉଛି,
ନିଜ ଜୀବନରେ ମହାପ୍ରଭୁଙ୍କୁ କେତେ ଭଲ ପାଆନ୍ତି, ତାଙ୍କ ଲାଗି କେତେ ଅଣା ଜୀବନ ସମର୍ପିତ ବା ସେମାନଙ୍କ ଆଚରଣରେ ମହାପ୍ରଭୁ କେତେ ସୁଖୀ, ସେ’କଥା ମାଆ ଗଙ୍ଗେ ଜାଣନ୍ତି, କିନ୍ତୁ ଥୋକାଏ ଖୁରିଖିଆ ପ୍ରକୃତିର ଓଡ଼ିଆ ପ୍ରବଚକ ବଙ୍ଗାଳୀମାନଙ୍କ ସହିତ କୁକୁର-ମାଙ୍କଡ଼ ପରି ଅହେତୁକ ପ୍ରାକୃତ ବିଦ୍ବେଷ ପୋଷଣ କରି ସେମାନଙ୍କୁ ଚିଡ଼ାଇବା ଅଥବା ନୀଚ ଦେଖାଇବା ଲାଗି ଉପାୟଟି ମାନ ପାଞ୍ଚୁଥାଆନ୍ତି। ସେହିପରି କିଛି ଗର୍ଦ୍ଧେଶକ ଏ’ ଅପପ୍ରଚାରର ଆଦ୍ଯସୂତ୍ରଧର।
ପରେ ଆମେମାନେ ସରଳ ବିଶ୍ବାସରେ ଏହାକୁ ସତ୍ଯ ମଣି ମାନି ଆସିଛୁ ମାତ୍ର। ସେ ବାରବାଟୀ-ଚାଷକାରୀ ଗାଲୁଆମାନେ, ବଙ୍ଗାଳୀମାନଙ୍କୁ ଶ୍ରୀକୃଷ୍ଣଙ୍କ ପଟ୍ଟାଦାର ଆଉ ନିଜକୁ ନିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଟ୍ଟାଦାର ମନେକରି ବୈଶାଖନନ୍ଦନ ସ୍ବରରେ, ” ଜଗନ୍ନାଥ ଯେ ଷୋଳକଳା, ତହୁଁ କଳାଏ ନନ୍ଦବଳା ॥ ” – ଭକ୍ତକବି ଦିବାକର ଦାସଙ୍କ ପଦଟି ଗାନ କରିଦେଇ ବଡ଼ ଉତ୍’ଫୁଲ୍ଲତାର ସହିତ ଦରହସିତ ବଦନରେ ତାହାର ବ୍ଯାଖ୍ଯା କରି ବସନ୍ତି :
” ବୁଝିଲେ ! ଆମ ମା’ପ୍ରୁ ( ଥୋକାଏ ହୋମୋ ସାପିଏନ୍ସ ଡହରା “ମୋ’ ମହାପ୍ରଭୁ” କହିବାକୁ ଲାଗିଲେଣି ! ) ସର୍ବତନ୍ତ୍ର-ସୋତନ୍ତ୍ର। ଆମ ମାହାପ୍ରୁ ଅବତାର ନୁହଁନ୍ତି, ସେ ନୀଳା-ଞ୍ଚଳ-ବାସୀ ଅବତାରୀ ଜଗର୍’ଣ୍ଣାଥ। ହ୍ଯେ, ଶ୍ରୀକୃଷ୍ଣ ତାଙ୍କର ଗୋଟାଏ ଅବତାର ! କଳାଏ ମାତ୍ର ! ହେଇଟି ଦେଖୁନା, ସ୍ଯେ କିମିତି ଫି ସନ ଦେବକୀ ହେଇକି ସେ କହ୍ନେଇଟାକୁ ପ୍ରସବ କରୁଉଁନ୍ତି !! ସ୍ଯେ ଯଦି ‘କୁଷ୍ଟଁ’ ହେଇଥାଆନ୍ତେ, ତା’ହେଲେ ‘କୁଷ୍ଟଁ ‘କୁ ପସବ କରୁଁ’ନ୍ତି କିମିତି ? ଦେଉଳେରେ ଗର୍ଭୋଦକ ବନ୍ଦାପନା ନୀତି କାଇଁ ହଉଚି ? ଜେଉଟଫଳ ଭୋଗ କାୟଁ ନାଗୁଚି ? ଆଏ ଶାହାସ୍ତ୍ର ପା’ କଇଚି, ସ୍ଯେ ଯେ ଅପୂର୍ବ ରୂପ 😄ଯ୍ବୋଗେଶ୍ବର, ଦ୍ଯେବେ ମାନବେ ଅଗୋଚର॥ ବ୍ରହ୍ମା ଇନ୍ଦ୍ର ଶିବ କେହି ଜାଣି ପାଇଲେନି, ମଣି ତେମେ ଖାଲି ମାହାଳିଆରେ ଜାଣିଦବ ! ପଡିଚ୍’ଚି ଆଉ !! ”
ଅକାଟ୍ଯ ଯୁକ୍ତି 😄ଗାଧୁବାଣୀ !
ଚୁପ୍ ସୁଜନେ ତାହା ଶୁଣି ॥
କେଜାଣେ ! ହେଇଥିବ ବା ! ଆମେ କଣ ସବୁ ପଢ଼ିଛୁ ନା ଜାଣିଛୁ। ଜଗନ୍ନାଥେ ତ ସର୍ବତନ୍ତ୍ରସ୍ବତନ୍ତ୍ର। ତାଙ୍କ ମହିମା କିଏ ବା କଳି ପାରିବ !
ଶ୍ରୀଜଗନ୍ନାଥ ମହାପ୍ରଭୁ ଯଦି ଶ୍ରୀକୃଷ୍ଣ ନୁହଁନ୍ତି,
ତେବେ ସେ ନିତ୍ଯପ୍ରତି ଅଷ୍ଟାଦଶାକ୍ଷର ଗୋପାଳମନ୍ତ୍ରରେ ପୂଜିତ ହୁଅନ୍ତି କିପରି ? ତାଙ୍କର ଚଳନ୍ତି ପ୍ରତିମା ଛୋଟ ଜଗନ୍ନାଥ ମାଧବ ପ୍ରତିମା ନହୋଇ ମଦନମୋହନ ହୋଇଛନ୍ତି କାହିଁକି ? ସେ ରୁକ୍ମିଣୀବିବାହ କରନ୍ତି କିପରି ? ରୋହିଣୀ ନକ୍ଷତ୍ରରେ ତାଙ୍କର ନକ୍ଷତ୍ର ବନ୍ଦାପନା ହୁଏ କାହିଁକି ? ଏ’ସବୁ ବିଧିବିଧାନ ତ ଶ୍ରୀଚୈତନ୍ଯ ମହାପ୍ରଭୁ କି ତାଙ୍କ ଅନୁଗାମୀ ଗୌଡ଼ୀୟ/ଉତ୍କଳୀୟ ବୈଷ୍ଣବ କରାଇ ନଥିଲେ ! ଏ’ସବୁ ବିଧିବିଧାନ ଆଦ୍ଯ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃକ ପ୍ରଚଳିତ। ଶିବାବତାର ଆଦିଶଙ୍କରାଚାର୍ଯ୍ଯ ତାଙ୍କୁ କଦାଚିତ୍ କାଳିନ୍ଦୀତଟବିପିନେ… ଭୁଜେ ସବ୍ଯେ ବେଣୁ ଶିରସି ଶିଖିପୁଚ୍ଛଂ… … ରସାନନ୍ଦୋ ରାଧାସରସବପୁରାଲିଙ୍ଗନସୁଖଃ … ଇତ୍ୟାଦି କହି ସ୍ତୁତି କଲେ କାହିଁକି ?
ମହାପ୍ରଭୁ ଯେ ନିଜେ ଶ୍ରୀକୃଷ୍ଣ – ଏ’କଥା ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟ, ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଙ୍କ୍ରାନ୍ତ ତିନୋଟି ଯାକ ଶାସ୍ତ୍ରରେ ଭୁରିଶଃ ପ୍ରତିପାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକୃଷ୍ଣ ଏକ ହିଁ ପରବ୍ରହ୍ମ ପରମେଶ୍ଵର। ଅବତାର ହୋଇଥିବା ସତ୍ତ୍ବେ ସେ ଅବତାରୀ, ଅବତାରୀ ହୋଇ ମଧ୍ଯ ସେ ଅବତାର। ସତରେ ତାଙ୍କ ଲୀଳା ଦେବେ ମାନବେ ଅଗୋଚର। ତେବେ ତାହାର ଅନୁଶୀଳନ ଶାସ୍ତ୍ର ଗୁରୁ ଓ ଅନୁଭବୀ ସାଧୁସନ୍ଥଙ୍କ ଆନୁକୂଲ୍ଯରେ ହେବା ପରମ ଆବଶ୍ୟକ। ସବିସ୍ତାର ଆଲୋଚନା ଅନ୍ଯ ଏକ ପ୍ରବନ୍ଧର ଅପେକ୍ଷା ରଖେ।
ତେବେ ସେ ଯଦି ନିଜେ ଶ୍ରୀକୃଷ୍ଣ ,
ତେବେ ଶ୍ରୀକୃଷ୍ଣଙ୍କୁ କିପରି ଜନ୍ମ ଦିଅନ୍ତି ?
– ନା ସେ ଜନ୍ମ ଦିଅନ୍ତି ନାହିଁ। ଏହା ସେହି ପ୍ରାଚୀନ “ହାଣ୍ଡି ଉପରେ ହାଣ୍ଡି ଏବଂ ସବା ଉପର ହାଣ୍ଡି ଅନ୍ନ ଆଗେ ସିଦ୍ଧ ହୋଇଯାଏ ” – ଧରଣର ଗାଲୁ ପ୍ରଚାରିତ ବାଣୀ।
ତେବେ ଗର୍ଭୋଦକ ବନ୍ଦାପନା କାହିଁକି ହୁଏ ?
କାହାର ଗର୍ଭକଷ୍ଟ ନିବାରଣ ଲାଗି ଜେଉଟଫଳ ଭୋଗ ହୁଏ ?
– ଶାସ୍ତ୍ର ଅନୁସାରେ ଦେବକୀଙ୍କର ଗର୍ଭକଷ୍ଟ ନିବାରଣ ଲାଗି ଗର୍ଭୋଦକ ଓ ସତ୍ତ୍ବଲିପି ଅନୁସାରେ ଯେଉଡ଼ ଭୋଗ ଇତ୍ୟାଦି ଯାହା ସବୁ ଦେବକୀଙ୍କୁ ସମର୍ପଣ ହୁଏ, ତା’ ପୂର୍ବରୁ ସେ’ସବୁ ମାତା ଦେବକୀଙ୍କ ଇଷ୍ଟଦେବ ମହାପ୍ରଭୁଙ୍କୁ ଭୋଗ ଲାଗିବ। ସେ ତାଙ୍କର ଇଷ୍ଟଦେବଙ୍କୁ ହିଁ ପୁତ୍ର ରୂପରେ କାମନା କରି ପୂର୍ବଜନ୍ମରେ ତପସ୍ଯା କରିଥିଲେ।
ଯଜ୍ଞଶିଷ୍ଟାଶୀନୋ ସନ୍ତୋ ମୁଚ୍ଯନ୍ତେ ସର୍ବକିଳ୍ବିଷୈଃ।
ଭୁଞ୍ଜତେ ତେ ତ୍ବଘଂ ପାପା ଯେ ପଚନ୍ତ୍ଯାତ୍ମକାରଣାତ୍॥ – ଶ୍ରୀମଦ୍ଭଗବଦ୍ଗୀତା/୩/୧୩
– ଏହି ନ୍ଯାୟରେ ଇଷ୍ଟଦେବଙ୍କ ପ୍ରସାଦ ବ୍ଯତୀତ ଦେବୀ ଦେବତାମାନେ ବା ଋଷିମୁନି ଦେବାତ୍ମାମାନେ କୌଣସି ପ୍ରକାର ଅମଣିହା( ଅନିବେଦିତ/ଭୋଗ ଲାଗି ନଥିବା ) ବସ୍ତୁ ଗ୍ରହଣ କରନ୍ତି ନାହିଁ।
ପୁରୀରେ ଚା’ ଦୋକାନରେ ସୁଦ୍ଧା ଦେଖିବେ, ଦୋକାନୀ ସକାଳର ପ୍ରଥମ ଚା’ କପଟି ତା’ ଦିଅଁଙ୍କ ପାଖରେ ଥୋଇ ଦେଇଥିବ ! ଏହା ଭାରତବର୍ଷର ଆବହମାନ ଆଚାର। ବାମଦେବ ସଂହିତାଙ୍କ ଶବ୍ଦ ଦେଖନ୍ତୁ, ” ଦେବକୀଶାନ୍ତୟେ ” !
ଶ୍ରୀବାମଦେବ ଉବାଚ
କୃଷ୍ଣଜନ୍ମୋତ୍ସବାର୍ଥଂ ବୈ ସପ୍ତମ୍ଯାଂ ଯଜନଂ ଚରେତ୍।
ସାୟଂପୂଜାନନ୍ତରତୋ ଦେବକୀଶାନ୍ତୟେ ତଦା॥
ନାନାବିଧଂ ଚ ନୈବେଦ୍ଯଂ କ୍ଷାଳିତାନ୍ନଂ ଚ ପୂପକମ୍।
ଦତ୍ତ୍ବା ତତ୍ରାପି ହ୍ଯଷ୍ଟମ୍ଯାଂ ସାୟଂକାଳେଽପି ଯଦ୍-ବିଧିଃ॥
– ବାମଦେବ ସଂହିତା/୨୫/୫୮-୫୯
ପୂଜାପଣ୍ଡା ସେବକ ମାନଙ୍କୁ ପଚାରି ବୁଝିବେ,
“ଦେବକ୍ଯୈ ଦେବକପୁତ୍ର୍ଯୈ ନମୋଽସ୍ତୁ କୃଷ୍ଣମାତରେ।” ଦେବକୀସ୍ବରୂପ ମହାପ୍ରଭୁଙ୍କୁ ଦିଆଯାଉଛି ବୋଲି ଏପରି କିଛି ବି ମନ୍ତ୍ରରେ ଗର୍ଭୋଦକ ବା ଯେଉଡ଼ ଭୋଗ ଲାଗି ହୁଏନାହିଁ।
ତେବେ ସେ ଯେଉଡ଼ ଭୋଗ କଣ ଆଉ ଲାଗେ କାହିଁକି ?
– ତାହା ପ୍ରଚାରିତ ଜେଉଟଫଳ ଅର୍ଥାତ୍ ଆୟୁର୍ବେଦୋକ୍ତ ଅମ୍ଳସ୍କନ୍ଧ ଲକୁଚ ଫଳ ନୁହେଁ !
ତାହା ଗର୍ଭରକ୍ଷା ଲାଗି ଘରର ଇଷ୍ଟଦେବତା ବା କୁଳଦେବତାଙ୍କ ପାଖରେ କରା ଯାଉଥିବା ଗର୍ଭବତୀଙ୍କ ଉପଯୋଗୀ ଶାଗ, ତରକାରୀ, ପିଠା, ଝିଲି, ଓରିଆ, କ୍ଷୀରି ଆଦି ସମ୍ବଳିତ ସ୍ବତନ୍ତ୍ର ଏକ ‘ସାତମାସିଆ ଭୋଗ’ ଯାହାକୁ ଗର୍ଭଚର୍ଯ୍ଯାର ଅଙ୍ଗବିଶେଷ ଭାବରେ ଓଡ଼ିଶାର ଅନ୍ଯାନ୍ଯ ଅଞ୍ଚଳରେ ସା(ସ୍ବା)ଦଖିଆ, ସଦଖିଆ ମହାଦେବପୂଜା ଇତ୍ୟାଦି ଶବ୍ଦରେ ଲୋକେ ଜାଣନ୍ତି। ଏହି ଲୋକାଚାରଟି ଶାସ୍ତ୍ରବିହିତ।
ଆଚ୍ଛା, ତେବେ ମଦନମୋହନଙ୍କୁ କୃଷ୍ଣଜନ୍ମ ନୀତି ଲାଗି ଆଜ୍ଞାମାଳ ଦିଅନ୍ତି କିପରି ?
ମୂଳ ( ସ୍ଥିର/ଅଚଳ/ସ୍ଥାଣୁ) ବିଗ୍ରହଙ୍କ ଆଜ୍ଞାମାଳ ନେଇ ଚଳନ୍ତି ବିଗ୍ରହଙ୍କ ମାଧ୍ୟମରେ ଉତ୍ସବ ଆରମ୍ଭ ହୋଇଥାଏ। – ଏହା ମନ୍ଦିରର ନିୟମ। ମଦନମୋହନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ଅର୍ଥାତ୍ ମହାପ୍ରଭୁ ନିଜେ ହିଁ ମଦନମୋହନ ସ୍ବରୂପରେ ଚାପକୁ ବା ଦୋଳକୁ ବିଜେ କରିଥାନ୍ତି। ଠିକ୍ ସେହିପରି କୃଷ୍ଣଜନ୍ମ ନୀତି ଲାଗି ବିଜେ କରନ୍ତି। ଯଦି ମଦନମୋହନ (ଶ୍ରୀକୃଷ୍ଣ) ନିଜେ ଶ୍ରୀଜଗନ୍ନାଥ ମହାପ୍ରଭୁ ହୋଇନଥାନ୍ତେ ତେବେ ଜନ୍ମାଷ୍ଟମୀ ପରଠୁ କାଳୀୟଦଳନ ବଣଭୋଜି ପ୍ରଳମ୍ବାସୁରବଧ ଆଦି ବେଶ ମହାପ୍ରଭୁ ନିଜେ ହେଉନଥାନ୍ତେ !
ତା’ହେଲେ ଯଦି ମହାପ୍ରଭୁଙ୍କୁ ଦେବକୀ ରୂପରେ ପୂଜା କରାଯାଏ ନାହିଁ , ତେବେ ଦେବକୀଙ୍କୁ କେଉଁଠି ପୂଜା କରାଯାଏ ?
– ଭଣ୍ଡାର ଘର ଦୁଆରେ ପୋଛା ଲାଗି ଜନ୍ମ ଚକଡ଼ା ହୁଏ। ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତୋଭଦ୍ର ମଣ୍ଡଳ ଲେଖାଯାଏ। ତା’ ପାଖରେ ଗମ୍ଭାରୀ ବା ଶାଳକାଠରେ ନିର୍ମିତ ଭଦ୍ରାସନ ଉପରେ ଚିତ୍ରକର ସେବକଙ୍କ ଦ୍ବାରା ଅଙ୍କିତ ଜନ୍ମାଷ୍ଟମୀ ପଟି ରଖାଯାଏ। ସେହି ପଟି ବା ପଟ୍ଟଚିତ୍ରରେ ଗୋଟିଏ ଅଷ୍ଟଦଳ ପଦ୍ମର କର୍ଣ୍ଣିକାରେ ସଦ୍ଯପ୍ରସୂତି ଦେବକୀ ଓ ନବଜାତ ଶ୍ରୀକୃଷ୍ଣ ଏବଂ ସେହି ପଦ୍ମର ଅଷ୍ଟ ଦଳରେ ଯଥାକ୍ରମେ ପୂର୍ବ ଦିଗରୁ ଆରମ୍ଭ କରି ମହର୍ଷି ଗର୍ଗ, ମାଆ ରୋହିଣୀ, ମାଆ ଯଶୋଦା, ନନ୍ଦରାୟ ଜୀ, ବସୁଦେବ, ଉଗ୍ରସେନ, ଲକ୍ଷ୍ମୀ ଓ ବଳରାମ ଆଠ ଦିଗରେ ଆଠ ଦେବତା ଶାସ୍ତ୍ରମତେ ଅଙ୍କିତ ହୋଇଥିବେ ! ସେହି ପଟିଦିଅଁ ମାନଙ୍କ ଗହଣରେ ସେ ସମସ୍ତଙ୍କ ସହିତ ଦେବକୀଙ୍କର ପୂଜା ହୋଇଥାଏ ଓ ତାଙ୍କୁ ପ୍ରସାଦୀ ଗର୍ଭୋଦକ ସମର୍ପଣ କରାଯାଏ। ଦେବକୀଙ୍କୁ ପୂଜାପଣ୍ଡା ପୁଷ୍ପାଞ୍ଜଳି ନିବେଦନ କରନ୍ତି :
ଇମାଂ ପୁଷ୍ପାଞ୍ଜଳିଂ ମାତଃ ସ୍ବୀକୁରୁ ସ୍ମେରଧାରିଣି !
ତ୍ରାହି ମାଂ ଭବସନ୍ତପ୍ତଂ ଜଗନ୍ମଙ୍ଗଳଦାୟିନି ॥
– ନୀଳାଦ୍ରି ମହୋଦୟ/୨୨/୫୦
ମହାପ୍ରଭୁ ରତ୍ନବେଦୀ ଉପରେ ଦେବକୀ ରୂପ ଧାରଣ କରିବାର କଥା କୌଣସି ଶାସ୍ତ୍ରରେ କି ସତ୍ତ୍ବଲିପିରେ ନାହିଁ କି ଏବର ଆଚାରରେ ଦେଖାଯାଏ ନାହିଁ। ସୁତରାଂ ଏ’ ‘ଭ୍ରମ’ର ଅପନୋଦନ ହେଉ।
——————-
ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ହୁଅନ୍ତି ନାହିଁ କି ମହାପ୍ରଭୁଙ୍କ ବାଡ଼ରେ ଦେବକୀଙ୍କ ପୂଜାର୍ଚ୍ଚନା ହୁଏନାହିଁ।
ଭଣ୍ଡାର ଘର ଦୁଆରେ ଜନ୍ମ ଚକଡ଼ାରେ ସର୍ବତୋଭଦ୍ର ମଣ୍ଡଳ ଲେଖାଯାଏ। ତା’ ପାଖରେ ଗମ୍ଭାରୀ ବା ଶାଳକାଠରେ ନିର୍ମିତ ଭଦ୍ରାସନ ଉପରେ ଚିତ୍ରକର ସେବକଙ୍କ ଦ୍ବାରା ଅଙ୍କିତ ଜନ୍ମାଷ୍ଟମୀ ପଟି ରଖାଯାଏ। ସେହି ପଟି ବା ପଟ୍ଟଚିତ୍ରରେ ଥିବା ଅଷ୍ଟଦଳ ପଦ୍ମର କର୍ଣ୍ଣିକାରେ ସଦ୍ଯପ୍ରସୂତି ଦେବକୀ ଓ ନବଜାତ ଶ୍ରୀକୃଷ୍ଣ ଏବଂ ସେହି ପଦ୍ମର ଅଷ୍ଟ ଦଳରେ ଯଥାକ୍ରମେ ପୂର୍ବ ଦିଗରୁ ଆରମ୍ଭ କରି ମହର୍ଷି ଗର୍ଗ, ମାଆ ରୋହିଣୀ, ମାଆ ଯଶୋଦା, ନନ୍ଦରାୟ ଜୀ, ବସୁଦେବ, ଉଗ୍ରସେନ, ଲକ୍ଷ୍ମୀ ଓ ବଳରାମ ଆଠ ଦିଗରେ ଆଠ ଦେବତାଙ୍କର ପୂଜା ହୋଇଥାଏ । ଦେବକୀଙ୍କୁ ପୂଜାପଣ୍ଡା ପୁଷ୍ପାଞ୍ଜଳି ନିବେଦନ କରନ୍ତି :
ଇମାଂ ପୁଷ୍ପାଞ୍ଜଳିଂ ମାତଃ ସ୍ବୀକୁରୁ ସ୍ମେରଧାରିଣି !
ତ୍ରାହି ମାଂ ଭବସନ୍ତପ୍ତଂ ଜଗନ୍ମଙ୍ଗଳଦାୟିନି ॥
– ନୀଳାଦ୍ରି ମହୋଦୟ/୨୨/୫୦
ମାତ୍ର ମହାପ୍ରଭୁ ରତ୍ନବେଦୀ ଉପରେ ଦେବକୀ ରୂପ ଧାରଣ କରିବାର କଥା କୌଣସି ଶାସ୍ତ୍ରରେ କି ସତ୍ତ୍ବଲିପିରେ ନାହିଁ କି ଏବର ଆଚାରରେ ଦେଖାଯାଏ ନାହିଁ।
ମହାପ୍ରଭୁ ଦେବକୀ ହେଉଥିବା କଥା ଶ୍ରୀମନ୍ଦିର ସେବା ନୀତି ସହିତ ସଂଶ୍ଳିଷ୍ଟ ନଥିବା ଲୋକଙ୍କର ଭୁଲ ଧାରଣା। ପୂର୍ବରୁ କେହି ପ୍ରଗଳ୍ଭ ଏ’ ଧାରଣାଟି ସୃଷ୍ଟି କରାଇଛନ୍ତି, ଯାହାକୁ ଆଜି ବହୁ ଲୋକ ସତ୍ଯ ମନେ କରୁଛନ୍ତି।
ତଳେ ଚିତ୍ରରେ ଶ୍ରୀମନ୍ଦିରର ଜନ୍ମାଷ୍ଟମୀ ପଟି ଓ ବିଷ୍ଣୁପୁର ଶ୍ରୀଜଗନ୍ନାଥ ମନ୍ଦିରର ଜନ୍ମାଷ୍ଟମୀ ପଟି ସ୍ଥାନିତ। ଆପଣମାନେ ଦେଖିବେ।
……………………….
ବାବାଜୀ ସନତ୍ସୁଜାତାନନ୍ଦ ଦାସ
ଗୌରାଙ୍ଗ ମଠ, ବାଲିଘାଟ, ପୁରୀ