ଶ୍ରୀମନ୍ଦିରକୁ ଓମଫେଡର ଅପମିଶ୍ରିତ ଘିଅ ଯୋଗାଣ ସନ୍ଦେହ ସମ୍ପର୍କିତ ଗପଟିଏ …

Share it

My Facebook Post:
25th September 2024

ଶ୍ରୀମନ୍ଦିରକୁ ଓମଫେଡର ଅପମିଶ୍ରିତ ଘିଅ ଯୋଗାଣ ସନ୍ଦେହ ସମ୍ପର୍କିତ ଗପଟିଏ …

ଶ୍ରୀମନ୍ଦିରରେ ଏକଦା ଗୋଟେ ପଶୁପାଳକ ସେବା ଥିଲା ବୋଧହୁଏ। ଏହାର ଅର୍ଥ ଶ୍ରୀମନ୍ଦିରର ନିଜସ୍ବ ଗୋଶାଳା ଥିବ । ଏବେ ସେ ବ୍ଯବସ୍ଥା ଥିବାପରି ଲାଗୁନି ।

ପୁରୁଣା ପୁରୀ ଗେଜେଟିଅରରୁ କେବେ ଗୋଟେ ଲଖାଟିଏ ପଢିଥିଲି, ଝାପସା ମନେ ପଡୁଛି, ସେଥିରେ ଲେଖା ଥିଲା ଯେ ପୁରୀର କିଛି ଗୋପାଳକ ସମ୍ପ୍ରଦାୟର ଲୋକ ଶ୍ରୀମନ୍ଦିରକୁ ଦୁଗ୍ଧ ଓ ଦୁଗ୍ଧ ଜାତ ପଦାର୍ଥ ଯଥା ସର ଲବଣୀ ଘିଅ ଇତ୍ଯାଦି ଯୋଗାଉଥିଲେ । ସେମାନେ ନିଜକୁ ଉଭୟ ଶ୍ରୀକୃଷ୍ଣରୂପି ଶ୍ରୀଜଗନ୍ନାଥ ଓ ଗଜପତିଙ୍କ ଆତ୍ମୀୟ ସ୍ବଜନ ବିଚାରୁଥିଲେ । ସେମାନେ ଶ୍ରୀକୃଷ୍ଣଙ୍କ ନାତି ଅନିରୁଦ୍ଧ-ଉଷାଙ୍କ ଗର୍ଭ ସମ୍ଭୁତ ଦୁଇ ପୁତ୍ର ବଜ୍ରନାଭ ଓ ଦ୍ରୁମିଳଙ୍କ ମଧ୍ଯରୁ ସାନ ପୁଅ ଦ୍ରୁମିଳଙ୍କ ବଂଶଧର ବା ପ୍ରକାରାନ୍ତରେ ନିଜକୁ ସିଧାସଳଖ ଶ୍ରୀକୃଷ୍ଣଙ୍କ ବଂଶଧର ବିଚାରୁଥିଲେ।

ସେହି କାରଣରୁ ଗଜପତିମାନେ ସେମାନଙ୍କୁ ବହୁତ ଭଲ ପାଉଥିଲେ । ଗଜପତିମାନଙ୍କ ସହ ସେମାନଙ୍କର ଏପରି ଆତ୍ମୀୟତାକୁ ଶ୍ରୀମନ୍ଦିରର କିଛି ଖଳ ପ୍ରକୃତିର ଅନ୍ଯ ସେବାୟତ ମାନେ ସହ୍ଯ କରି ପାରୁ ନଥାନ୍ତି।

ଥରେ କେବେ ଶ୍ରୀମନ୍ଦିର ଉପରେ ଶାଗୁଣା ବସିଥିଲା ବୋଲି ଗୋଟେ ପ୍ରଚାର ହେଲା, ଏହା ରାଜପଦ ପ୍ରତି ସଙ୍କଟର ସୂଚନା ବୋଲି ପ୍ରଚାର କରାଗଲା । ଏବଂ ଏହାକୁ ଏକ ମଉକା ହିସାବରେ ବ୍ଯବହାର କରି ସେ ଗୋପାଳକମାନେ ଅଶୁଦ୍ଧ ଦ୍ରବ୍ଯ ଯୋଗାଇଥିବାରୁ ଏପରି ଅପଶକୁନ ଉପୁଜିଲା ଏବଂ ପୀଠଦେବୀ ବିମଳା/ସୁଭଦ୍ରା କ୍ରୋଧିତ ହୋଇ ଏପରି ଅପଶକୁନ ସୂଚନା ଦେଇଛନ୍ତି ବୋଲି ରାଜାଙ୍କୁ ବୁଝାଇ ଦିଆଗଲା।

ଗଜପତି ଯଦିଓ ଏକଥାକୁ ବିଶ୍ବାସ କଲେନି ତଥାପି ବିସ୍ମିତ ହେଲେ ଏବଂ ପରଦିନ ଏ ସମ୍ପର୍କରେ ରାଜଦରବାରରେ ଆଲୋଚନା କରାଯିବ ବୋଲି କହିଲେ।

ସେ ଖଳ ଲୋକମାନେ ପ୍ରଚାର କରିଦେଲେ ଯେ ଆସନ୍ତା କାଲି ରାଜଦରବାରରେ ବିଚାର ହୋଇ ସେ ଗୋପାଳକ ମାନଙ୍କ ମୁଣ୍ଡ କାଟ କରାଯିବ ବୋଲି ଗଜପତି ଘୋଷଣା କରିଛନ୍ତି।

ସେ ଗୋପାଳକମାନେ ଭୟରେ ରାତାରାତି ନିଜ ପିଲା ପରିବାର ଘରଦ୍ବାର ଜମିବାଡି ଛାଡି ଲୁଚି ଲୁଚି ପଳାୟନ କଲେ, ସେମାନେ ବୌଦ ଆଠମଲ୍ଲିକ ଇତ୍ଯାଦି ଅଞ୍ଚଳରେ ଛଦ୍ମ ପରିଚୟରେ କୃଷି ମୂଲିଆ ହିସାବରେ ଜୀବିକା ନିର୍ବାହ କଲେ । ସେମାନେ ଆଜି ସେ ଅଞ୍ଚଳରେ ଡୁମାଳ ଜାତି ଭାବେ ନିଜକୁ ପରିଚିତ କରାଉଛନ୍ତି ଏବଂ ମା ବିମଳା/ସୁଭଦ୍ରାଙ୍କ କ୍ରୋଧ ଶାନ୍ତି କରାଇବାକୁ ସେମାନେ ମାଆଙ୍କୁ ମାହେଶ୍ବରୀ ନାମରେ ନିଜର ଇଷ୍ଟଦେବୀ ଭାବରେ ପୂଜାଅର୍ଚ୍ଚନା କରୁଛନ୍ତି।

ସେମାନେ ଯେ ଶ୍ରୀକୃଷ୍ଣଙ୍କ ଅଣନାତି ( ଅନିରୁଦ୍ଧଙ୍କ ପୁତ୍ର ବଜ୍ରନାଭଙ୍କ ସାନ ଭାଇ) ଦ୍ରୁମିଳଙ୍କ ବଂଶଧର ସେକଥା କାଳକ୍ରମେ ପାଶୋର ଯାଇ ସେମାନେ ନିଜକୁ ଡୁମାଳବଂଶ ( ଦ୍ରୁମିଳ ବଂଶ କୁ ଉଚ୍ଚାରଣ ବକ୍ରତାରେ ଡୁମାଳ ବଂଶ ) ବୋଲି କହୁଛନ୍ତି ସତ ହେଲେ ସେମାନେ ଆଜି ବି ସେମାନଙ୍କର ମୂଳ ବଂଶ ପରିଚୟ ଖୋଜିପାଇବାରେ ଏକ ସଂଶୟାତ୍ମକ ସ୍ଥିତିରେ ଅଛନ୍ତି ।

ଆଜି ବି ଡୁମାଳମାନେ ଏକ ଶୃଙ୍ଖଳିତ ଶୁଦ୍ଧ ପବିତ୍ର ନୀତିବାନ ଓ ନିଷ୍ଠାବାନ ଜାତି ଭାବରେ ଲୋକମୁଖରେ ବହୁ ଚର୍ଚ୍ଚିତ।

ମୋର ମତ ଓମଫେଡ ମାଧ୍ୟମରେ ଗୋଆରୁ ଅଶୁଦ୍ଧ ଘିଅ ମଗାଇ ଶ୍ରୀମନ୍ଦିରରେ ବ୍ଯବହାର କରାଯିବା ପରିବର୍ତ୍ତେ ପୁନର୍ବାର ସେହି ମହାନ ପବିତ୍ର ଡୁମାଳ ବା ଦ୍ରୁମିଳଙ୍କ ବଂଶଧର ମାନଙ୍କୁ ଏହି ସେବାର ଦାୟିତ୍ବ ଦିଆଯିବା ଉଚିତ ହେବ ।

ଅବଶ୍ଯ ଏ ବିଷୟରେ ଜଗନ୍ନାଥ ସଂସ୍କୃତି ଗବେଷକମାନେ ପ୍ରାମାଣିକ ତଥ୍ଯସମ୍ବଳିତ ଆଲୋଚନା କରିପାରିବେ । ମୁଁ ଏଠାରେ କେବଳ ମୋର ଅନ୍ତକରଣରେ ଜାଗୁଥିବା ଗୋଟେ ଭାବନାକୁ ବ୍ଯକ୍ତ କରିଛି ମାତ୍ର ।

ଶ୍ରୀକୃଷ୍ଣଙ୍କ ନାତି ଅନିରୁଦ୍ଧ କାହିଁକି ଓଡିଶା ଆସିଥିଲେ, ସୋନପୁର ମହାନଦୀକୂଳରେ ତାଙ୍କର ବାଣପୁର ରାଜଜେମା ଋଷାଙ୍କ ସହ କେମିତି ସାକ୍ଷାତ ଓ ପ୍ରେମ ହେଲା, ବାଣପୁରର ରାଜା ବାଣା କେମିତି ଋଷାଙ୍କୁ ଚଳୌକା ( ଚିଲିକା ) ହ୍ରଦର ହନିମୁନ ଆଇଲାଣ୍ଡରେ ବନ୍ଦୀ କରି ରଖିଲା , ଅନିରୁଦ୍ଧ କେମିତି ତାଙ୍କ ସହ ମିଶିଲେ, ଶ୍ରୀକୃଷ୍ଣ ବଳରାମ କେମିତି ବାଣପୁର ଆସି ବାଣାଙ୍କୁ ( ବାଣାସୁର ) ପରାସ୍ତ କଲେ, ଅନିରୁଦ୍ଧ ଊଷାଦେବୀ ବିବାହ କରି ବାଣପୁରରେ ରାଜା ହେଲେ, ଶାମ୍ବ କୋଣାର୍କରୁ ରୋଗମୁକ୍ତ ହେଲା ପରେ ଅନିରୁଦ୍ଧଙ୍କୁ କେମିତି କିଛିଦିନ ପାଇଁ ସାଥିରେ ନେଇ ଦ୍ବାରକା ଯାଇଥିବାବେଳେ ସେଠାରେ ଟେରରିଷ୍ଟ ( କୋକୁଆ ) ମାନଙ୍କ ସହ ଲଢି କିଭଳି କୋକୁଆ ନିପାତ କଲେ ଏବଂ ଏହି ପ୍ରକ୍ରିୟାରେ ନିୟୋଜିତ ଯାଦବ ବାହିନୀର ବଛା ବଛା ଯୋଦ୍ଧାମାନଙ୍କ ( ବ୍ଲାକ କମାଣ୍ଡୋ ) ସହ କିପରି ଅନିରୁଦ୍ଧ ନିହତ ହେଲେ, କୃଷ୍ଣଙ୍କ ମହାପ୍ରାୟାଣ ପରେ ଅର୍ଜୁନ କିପରି ଓଡିଶା ଆସି ଅନିରୁଦ୍ଧଙ୍କ ବଡପୁଅ ବଜ୍ରନାଭଙ୍କୁ ନେଇ ଇନ୍ଦ୍ରପ୍ରସ୍ଥର ସମ୍ରାଟ କଲେ, ସେ ସବୁ ବହୁତ ଲମ୍ବା କଥା, ପରେ କେବେ ମୁଡ୍ ହେଲେ ବରଂ ଲେଖିବା।

ଏବେ ମୋର କହିବା କଥା ହେଲା – ଶ୍ରୀମନ୍ଦିରର ଘିଅ ଯୋଗାଇବା ଦାୟିତ୍ବ ସେ ପୁରାଣ କଥିତ ପବିତ୍ର ଡୁମାଳ ଜାତିର ଲୋକଙ୍କ ଉପରେ ପୁନଃ ନ୍ଯସ୍ତ କରାଯାଇ ଅତୀତରେ ସେମାନଙ୍କ ପ୍ରତି କରାଯାଇଥିବା ଅନ୍ଯାୟର ପ୍ରାୟଶ୍ଚିତ କରାଯାଉ।

ଆବଶ୍ୟକ ହେଲେ ଶ୍ରୀମନ୍ଦିର ପ୍ରଶାସନ ବଜେଟରୁ ଅର୍ଥ ବରାଦ କରାଯାଇ ସେ ଡୁମାଳ ଅଧ୍ଯୁଷିତ ବୌଦ ଆଠମଲ୍ଲିକ ଇତ୍ଯାଦି ଅଞ୍ଚଳରେ ଡୁମାଳ ବଂଶର ମାଲିକାନା ଓ ହେପାଜତରେ ବଡ ବଡ ଗୋଶାଳା ମାନ ସ୍ଥାପିତ କରାଯାଇ ଶ୍ରୀମନ୍ଦିରକୁ ଘିଅ ଯୋଗାଇବାର ଦାୟିତ୍ବ ସେମାନଙ୍କ ଉପରେ ନ୍ଯସ୍ତ କରାଯାଉ।

ଏହା କେବଳ ଏକ ଧାର୍ମିକ ବ୍ଯାପାର ନୁହଁ, ଏହା ଏକ ସୁସ୍ଥ ଅର୍ଥନୀତି ମଧ୍ଯ, ଧର୍ମନିରପେକ୍ଷ ତଥା ହେତୁବାଦୀ ମହାତ୍ମାମାନେ କଥାଟାକୁ ଅର୍ଥନୀତି ଦୃଷ୍ଟିକୋଣରୁ ଦେଖିଲେ ଏ ଘୃତ ସମ୍ଭାର ପରିଯୋଜନାଟି ଶୁଦ୍ଧ ଆନନ୍ଦମୟ ପ୍ରତିଭାତ ହେବ ବୋଲି ଆମ୍ଭର ବିଶ୍ବାସ।

ଇତିଶ୍ରୀ ଅପମିଶ୍ରିତ ଘୃତ ଉପାଖ୍ଯାନ ସଦାଜୟେ ଯଥା ତଥା ସମ୍ପୂର୍ଣ୍ଣଃ।

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights