ଶ୍ରୀମଦ୍ ଭାଗବତ ଜନ୍ମ

Share it

ଶ୍ରୀମଦ୍ ଭାଗବତ ଜନ୍ମ
============

ପରମ ଶାସ୍ତ୍ର ଭାଗବତ l
ଅଭ୍ୟାସ କରୁଥିବ ନିତ୍ୟ ll

ଶ୍ରୀମଦ୍ଭାଗବତ ସ୍ୱୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ l ଭାଗବତ ପାଠରେ ସବୁ ପାପତାପ ଦୂର ହୋଇଥାଏ l ଏହି ପବିତ୍ର ଗ୍ରନ୍ଥରେ ଭଗବାନଙ୍କର ନାମ, ଧାମ, ଲୀଳା, ରୂପ ଏବଂ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି l ଏହା ନୈତିକତା, ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ଗୁଡ଼ିକର ଉଚିତ ମାର୍ଗରେ ପରିଚାଳିତ କରିବାପାଇଁ ଏକ ମାର୍ଗଦର୍ଶିକା l ଏହି ନଶ୍ୱର ସଂସାରରେ ଜୀବ ମାତ୍ରେ ମରଣ ଶୀଳ l କେତେ ବେଳେ କାହାର ମୃତ୍ୟୁ ସମୟ ଉପସ୍ଥିତ ହେବ ତାହା କାହାକୁ ଜଣା ନାହିଁ l ବଡ଼ ରହସ୍ୟ ମୟ ଏ ଜନ୍ମମୃତ୍ୟୁର ଖେଳ l ଅତି କ୍ଷୀପ୍ର ଗତିରେ ପ୍ରବହମାନ ଜୀବନ ସ୍ରୋତର ପ୍ରତି ପଦକ୍ଷେପରେ ଅଛି ମରଣର ଭୟ l ଆମେ ଯେତେ ବେଳେ ସେ ମୁହୂର୍ତ୍ତ ବିଷୟରେ ଅଜ୍ଞ, ବେଳ ଥାଉଥାଉ କର୍ତ୍ତବ୍ୟ କରିନେବାହିଁ ବିଜ୍ଞତା l

ଏହି କର୍ତ୍ତବ୍ୟ ସଚେତନତା ହିଁ ଭାଗବତର ପୃଷ୍ଠଭୂମି l ଏ ସଂସାରରେ ମଣିଷ ନିଜର ଅଳ୍ପତା ସମ୍ପର୍କରେ ଅବହିତ ହୁଏ ନାହିଁ l ଶୋଇବାରେ ଯାଏ ଜୀବନର ଅର୍ଦ୍ଧେକ ସମୟ l ଆଉଅର୍ଦ୍ଧେକ ଯାଏ ବ୍ୟର୍ଥକର୍ମରେ l ମୃତ୍ୟୁଲୀଳାକୁ ଆଖିଆଗରେ ଦେଖୁଥିଲେ ମଧ୍ୟ ସୁଖ ସମ୍ଭୋଗରେ ବୁଡ଼ି ରହି, ମନୁଷ୍ୟ ଏହାକୁ ଅବଜ୍ଞା କରି ଚାଲେ l ଏହି ଅପ୍ରସ୍ତୁତ ଅବସ୍ଥାରେ ଆସି ଧରିନିଏ ମୃତ୍ୟୁ l ଯେଉଁମାନେ ଆତ୍ମଜ୍ଞାନୀ ସେମାନେ ହରି କଥାରେ ମନ ଦେଇଥାନ୍ତି l ଯେଉଁମାନେ ଶୁଦ୍ଧ ଏବଂ ଦିବ୍ୟ ମନରେ ଭାଗବତ ଶୁଣିଥାନ୍ତି ସେମାନଙ୍କର ଚିତ୍ତ ନିର୍ଭୟ ରହେ l ମୃତ୍ୟୁ ଭୟ ସେମାନଙ୍କୁ ବିବ୍ରତ କରିପାରେ ନାହିଁ l ଭଗବାନଙ୍କ ସହିତ ଯାହାର ସମ୍ପର୍କ ରହିଛି ସେ ହିଁ ଭାଗବତ l ଭଗବାନ ସର୍ବ ବ୍ୟାପି l “କାଷ୍ଠ ପାଷାଣ ତରୁ ତୃଣ l ସକଳ ଘଟେ ନାରାୟଣ l” ଏ ତତ୍ଵକୁ ଯିଏ ବୁଝିଥାନ୍ତି, ତାଙ୍କୁ ହିଁ କୁହାଯାଏ ଆତ୍ମଜ୍ଞାନୀ l

ଭାଗବତର ଚାରିଗୋଟି ଅକ୍ଷରକୁ ବ୍ୟାଖ୍ୟା କଲେ ବୁଝାଯାଏ :-
ଭା – ଭାବ – ଭାବରୁ ଯାହାଙ୍କ ସମ୍ଭୁତ l
ନାମ ତାହାର ଭାଗବତ ll
ଗ -ଜ୍ଞାନ – ଜ୍ଞାନ ଅନଳ ହେଲେ ଜାତ l
ଦହଇ ପାତକ ସମସ୍ତ ll
ବ- ବୈରାଗ୍ୟ- ବ୍ରହ୍ମକୁ ବ୍ରହ୍ମରେ ପରଖ l
ଜଗତ ବ୍ରହ୍ମମୟ ଦେଖ ll
ତ – ତତ୍ତ୍ୱ – ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି l
ଭଵ ସାଗରୁ ତରି ଯାନ୍ତି ll

ବୟାକରଣୀୟ ବ୍ୟାଖ୍ୟାରେ ବୁଝା ଯାଏ ଭଗବତ କୃତଂ ଭାଗବତଂ ଅର୍ଥାତ ଭଗବାନଙ୍କ କୃତ ଯାହା ତାହା ଭାଗବତ l ପୁଣି କୁହାଯାଇ ଥାଏ ଭଗବତ ଗୀୟତେ, ଇତି ଭାଗବତ l ଅର୍ଥାତ ଯେଉଁ ଶାସ୍ତ୍ର ଶ୍ରୀମନ ଭଗବାନଙ୍କର ଗୁଣ,ସ୍ୱରୂପ, ଲୀଳା, ତତ୍ତ୍ୱ ଇତ୍ୟାଦିକୁ କୀର୍ତ୍ତନ କରେ ତାହା ଭାଗବତ l ଭାଗବତ ସ୍ୱୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ ରୂପେ ମାନ୍ୟତା ପାଇଛି l ଏଣୁ ଏହି ମହା ଗ୍ରନ୍ଥକୁ ଭଗବାନଙ୍କ ସ୍ୱରୂପ ରୂପେ ପୂଜାର୍ଚ୍ଚନା କରାଯାଏ l ଜୀବ ମଧ୍ୟେ ଶ୍ରେଷ୍ଠ ଜୀବ, ମନୁଷ୍ୟ l ଆମେ ଏହି ଦିବ୍ୟ ମାନବଜନ୍ମ ପାଇ ଭାଗବତ ମନନ, ଚିନ୍ତନ ଅନୁଶୀଳନ ତଥା ଆମର ପ୍ରତି କର୍ମ, କାର୍ଯ୍ୟରେ ଏହାର ବାଣୀକୁ ଅନୁସରଣ କରିବା ସର୍ବାଦୌ ବିଧେୟ କାରଣ –

ଅନେକ ଜନ୍ମ ତପ ଫଳେ l
ମାନବ ଜନ୍ମ ମହୀ ତଳେ ll
ଦୁର୍ଲଭ ମନୁଷ୍ୟ ଜନମ l
ପାଇ କିମ୍ପାଇଁ ହେଉ ଭ୍ରମ ll
ସର୍ବ ଶରୀର ମଧ୍ୟେ ସାର l
ଦୁର୍ଲଭ ନର କଳେବର ll
ଦୁର୍ଲଭ ମନୁଷ୍ୟ ଶରୀର l
ନରକ ନିସ୍ତାରଣ ଦ୍ଵାର ll

ଭାଗବତ ଶାସ୍ତ୍ର ଯେମିତି ପବିତ୍ର ଏବଂ ଅମୃତମୟ ଏହାର ସୃଷ୍ଟିକାହାଣୀ ବା ଜନ୍ମରହସ୍ୟ ମଧ୍ୟ ସେହି ପରି ରୋମାଞ୍ଚକର l

ବେଦକୁ ଚାରି ଭାଗ,ଉପନିଷଦ, ସମସ୍ତ ପୁରାଣ, ଉପପୁରାଣ, ମହାଭାରତ ଇତ୍ୟାଦି ସମସ୍ତ ଶାସ୍ତ୍ର ରଚନା କଲା ପରେ ମହର୍ଷି ବେଦ ବ୍ୟାସଙ୍କ ମନ ଶାନ୍ତ ହେଉନଥାଏ l ସେ ବ୍ୟାକୁଳ ହୋଇ ବଦ୍ରିକା ଆଶ୍ରମରେ ଏହାର କାରଣ ଜାଣିବାକୁ ଭଗବତ ସ୍ମରଣ କରିବାରେ ଲାଗିଲେ l ଏହି ସମୟରେ ବ୍ରହ୍ମାଙ୍କ ଦ୍ୱାରା ପ୍ରେରିତ ଦେବର୍ଷି ନାରଦ ଉପସ୍ଥିତ ହେଲେ l ବ୍ୟାସ,ମହର୍ଷି ନାରଦଙ୍କୁ ଏହାର କାରଣ ପଚାରିବାରୁ ନାରଦ କହିଲେ,ବତ୍ସ !ତୁମେ ମାନବ କଲ୍ୟାଣ ନିମନ୍ତେ ସମସ୍ତ ଶାସ୍ତ୍ର ରଚନାକଲ ସତ, କିନ୍ତୁ ସେ ଗୁଡିକ ତୁମର ଅପୂର୍ଣ୍ଣ ରହିଗଲା କାରଣ କେଉଁଥିରେ ତୁମେ ଗୋଲୋକ ବିହାରୀ ତ୍ରିଲୋକ ବନ୍ଦନ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଠିକ ଭାବରେ ବର୍ଣ୍ଣନା କରି ନାହଁ l ଏଣୁ, ମାନସିକ ଶାନ୍ତି ପାଇଁ କୃଷ୍ଣ ମହିମା ବର୍ଣ୍ଣନାକରି ଭାଗବତ ଲେଖ l ଏହା ବ୍ରହ୍ମାଙ୍କର ଆଦେଶ l ଆପଣ ଶାନ୍ତି ପାଇବେ ଏବଂ କଳିଯୁଗରେ ମାନବର ଅଶେଷ କଲ୍ୟାଣ ହେବ l

ନାରଦଙ୍କଦ୍ୱାରା ଆଦିଷ୍ଟହୋଇ ମହର୍ଷି ବ୍ୟାସଦେବ ସମାଧିସ୍ଥ ହେଲେ ଏବଂ ଦେଖିଲେ ପାଞ୍ଚୋଟି କଥା ପରମାତ୍ମା, ଜୀବ,ଜୀବର ଜୀବନଚର୍ଯ୍ୟା,ଜୀବ ଓ ପରମ ମଧ୍ୟରେ ଭେଦ ସୃଷ୍ଟି କାରୀ ମାୟା l ଏବଂ ଏଥିରୁ ଉଦ୍ଧାର ପାଇବା ପାଇଁ ଭକ୍ତି l ଏହି ସମସ୍ତ ତତ୍ତ୍ୱକୁ ଦର୍ଶନକରି ଓ ଅବବୋଧରେ ଆଣି ବ୍ୟାସ ରଚନାକଲେ ପରମଶାସ୍ତ୍ର ଭାଗବତ l ସେ ବେଦ, ବ୍ରହ୍ମସୁତ୍ର,ସର୍ବ ଉପନିଷଦ, ଗାୟତ୍ରୀଭାଷ୍ୟ, ପୁରାଣ ଉପ ପୁରାଣରୁ ସାର ସଂଗ୍ରହକରି ଆତ୍ମତୃପ୍ତି ତଥା ଜନ କଲ୍ୟାଣ ପାଇଁ ଯେଉଁ ଗ୍ରନ୍ଥକୁ ରଚନା କଲେ ତାହା ଶ୍ରୀମଦ ଭାଗବତ l ତେଣୁ ଅନ୍ୟ ସବୁ ଶାସ୍ତ୍ର କେବଳ ପୁରାଣ l କିନ୍ତୁ ଶ୍ରୀମଦଭାଗବତ ହେଉଛି ମହା ପୁରାଣ l

ଏହି ମହାପୁରାଣ ରଚନା ମହର୍ଷି ବ୍ୟାସ ଭାଦ୍ରବ ଶୁକ୍ଳ ନବମୀ ଠାରୁ ଆରମ୍ଭ କରି ଭାଦ୍ରବ ପୂର୍ଣ୍ଣିମାରେ ବା ଇନ୍ଦୁ ପୁର୍ଣ୍ଣିମା ଦିନ ଶେଷ କରିଥିଲେ l

ବ୍ୟାସସୂତ ବ୍ରହ୍ମଜ୍ଞାନୀ ଶ୍ରୀଶୁକଦେବ ଯୋଗ ବଳରେ ଭାଗବତ ଅଧ୍ୟୟନ କରି, ଗଙ୍ଗା କୂଳରେ ବ୍ରହ୍ମଶାପ ଗ୍ରସ୍ତ ଓ ମରଣୋନ୍ମୁଖୀ ରାଜା ପରିକ୍ଷିତଙ୍କୁ ସାତଦିନ ମଧ୍ୟରେ ଭାଗବତ ଶୁଣାଇ ଥିଲେ l ମହାରାଜ ପରୀକ୍ଷିତ ଶ୍ରୀସମୀକ ମୁନିଙ୍କ ପୁତ୍ର ଶୃଂଗି ମୁନିଙ୍କ ଅଭିଶାପରୁ ସାତଦିନ ଭିତରେ ତକ୍ଷକ ନାଗ ଦଂଶନରେ ମୃତ୍ୟୁ ମୁଖରେ ପଡ଼ିବେ ଜାଣି ବ୍ରହ୍ମଜ୍ଞାନୀ ଶୁକଙ୍କୁ ପ୍ରଶ୍ନ କରିଥିଲେ :-
କହ ଜୀବନ ଯିବା କାଳେ l
କିବା ସାଧିବି ମହୀତଳେ ll
କିବା ଶୁଣିବି କର୍ଣ୍ଣ ପଥେ l
ସ୍ମରଣ କି କରିବି ଚିତ୍ତେ ll
କିବା ବଚନ ଉଚ୍ଚାରଣ l
ଭଜିବି କାହାର ଚରଣ ll

ଭାଗବତ ଶ୍ରବଣ, ମୁକ୍ତିର ଦ୍ଵାର l ଏଣୁ ମହା ମୁନି ଶୁକ ପରିକ୍ଷିତଙ୍କୁ ଏହି ହରି ରସାମୃତ ଭାଗବତ ଶୁଣାଇଥିଲେ l

ଏଣୁ ଭାଗବତର ଆଦ୍ୟଭାଗରେ ଶ୍ଲୋକଟିଏ ଅଛି –
ନିଗମ କଳ୍ପ ତରୋର୍ଗଳିତଂଫଳମ୍ ଶୁକମୁଖାଦମୃତଦ୍ରଵସଞ୍ଜୁତମ୍ l
ପିବତ ଭାଗବତଂ ରସମାଳୟଂମୁହୁରହୋ ରସିକା ଭୁବିଭାବୁକାଃ l

ଏହି ଶ୍ଲୋକଟିର ଭାବାର୍ଥ ଆମର ଓଡ଼ିଆ ଶ୍ରୀମଦ ଭାଗବତରେ ଭକ୍ତକବି ଜଗନ୍ନାଥ ଦାସ ସାବଲୀଳ ସରଳ,ତରଳ ଭାବରେ ବୁଝେଇ ଦେଇଛନ୍ତି ନିମ୍ନ ପଦାବଳୀ ମାଧ୍ୟମରେ :-

ସକଳ ବେଦ ହୋଇ ବୃକ୍ଷେ l
ଫଳ ଫଳିଲେ ଅନ୍ତରୀକ୍ଷେ ll
କେତେହେଁ ଦିନେ ପାଚିତଳେ l
ବୃକ୍ଷୁ ପଡିଲେ ବାୟୁ ବଳେ ll
ଶୁକ ଧାଇଁଲେ ତାହା ଦେଖି l
ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ll
ତୋଷେ ଅଧର କ୍ଷତ ଦେଲା l
ଭିତରେ ସୁରଙ୍ଗ ଦିଶିଲା ll
ତହୁଁ ଗଳିଲା ରସ ସାର l
କି ଅବା ଦେବା ପଟାନ୍ତର ll
ଅମୃତ ନିନ୍ଦେ ସ୍ବାଦୁପଣେ l
ସୁଜନେ ପିବ ଅନୁକ୍ଷଣେ ll
ଆନନ୍ଦେ କର ସୂଧାପାନ l
ଯେବେ ପାଇବ ଦିବ୍ୟଜ୍ଞାନ ll
ଏ ରସ ଚାରିବେଦ ମୂଳ l
ନିଗମ ବୃକ୍ଷର ଏ ଫଳ ll

ଶ୍ରୀମଦ ଭାଗବତ କ୍ରମାନ୍ୱୟରେ ଶ୍ରୀବିଷ୍ଣୁଙ୍କ ଠାରୁ ବ୍ରହ୍ମା ତାଙ୍କଠାରୁ ନାରଦ,ବ୍ୟାସ, ଶୁକଦେବ, ସୁତ ଆଦି ନୈମିଶେୟ ମୁନିମାନଙ୍କ ଠାରୁ ଜନମାନସ ଭିତରେ ପ୍ରସାରଲାଭ କରିଛି l ମୁନୀ ମୈତ୍ରେୟଙ୍କ ଠାରୁ ଭାଗବତ ଶୁଣି ମହାତ୍ମା ବିଦୁର ମଧ୍ୟ ଏହାର ପ୍ରଚାର ପ୍ରସାର କରାଇ ଥିଲେ l କିନ୍ତୁ ବ୍ୟାସକୃତ ସଂସ୍କୃତ ଶ୍ରୀମଦ ଭାଗବତ,ଦର୍ଶନ ଏବଂ ସଂସ୍କୃତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିବା ସଂସ୍କୃତଜ୍ଞ ପଣ୍ଡିତ ମାନଙ୍କ ନିକଟରେ ସୀମିତ ହୋଇ ରହି ଥିଲା l ସାଧାରଣ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ନିମନ୍ତେ ପରବର୍ତ୍ତୀ କାଳରେ ତେଣୁ ଲେଖା ହୋଇଛି ଅସଂଖ୍ୟ ଭାଷ୍ୟ ଓ ଟୀକାମାନ l ଏହାକୁ ଆହୁରି ବୋଧଗମ୍ୟ କରିବା ପାଇଁ ପୁଣି ଅନୁବାଦିତ ହୋଇଛି ପ୍ରାଦେଶିକ,ଜାତୀୟ ତଥା ଅନ୍ତର୍ଜାତୀୟ ଭାଷାରେ lଏ ଦିଗରେ ଆମ ଓଡ଼ିଆ ଭାଗବତର ସ୍ରଷ୍ଟା ତଥା ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଜଗନ୍ନାଥ ଦାସଙ୍କ ଭୂମିକା ଅବିସ୍ମରଣୀୟ l ମାଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜଗନ୍ନାଥ ଦାସ ଓଡ଼ିଆ ଶ୍ରୀମଦ ଭାଗବତ ରଚନାକରିଥିଲେ ଏହା ପ୍ରବାଦ ରହିଛି l ଜନଶୃତିରୁ ଶୁଣିବାକୁ ମିଳେ ଯେ ପ୍ରଥମେ ଶ୍ରୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତକୁ ସାମାନ୍ୟ କ୍ଲୀଷ୍ଟ ଚଉଦ ଅକ୍ଷରୀ ଛନ୍ଦରେ ରଚନା କରି ଥିଲେ l ଏହାକୁ ଆହୁରି ସାବଲୀଳ, ସରଳ କରିବା ଉଦ୍ଦେଶ୍ୟରେ ସେ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଲେ l ତାଙ୍କୁ ସ୍ୱପ୍ନାଦେଶ ହେଲା ପୁରୀ ଠାରୁ ଅନତି ଦୂରରେ ଅବସ୍ଥିତ ଗାଆଁଟିଏ କାଣ୍ଡଗୋଦା ଗ୍ରାମର ଅନନ୍ୟ ଭକ୍ତ ମନେଇ ସାହୁଙ୍କ ପରାମର୍ଶ ନେବା ପାଇଁ l ତାପରେ ମନେଇଙ୍କ ପରାମର୍ଶରେ ଜଗନ୍ନାଥ ଦାସ ଭାଗବତକୁ ସହଜ,ସରଳ ଏବଂ ଶ୍ରୁତି ମଧୁର ନବାକ୍ଷରୀ ବୃତ୍ତକୁ ପରିବର୍ତ୍ତନ କରି ଥିଲେ l ଏହାର ସ୍ମୃତି ବହନକରେ ଚଉଦଅକ୍ଷରୀ ବୃତ୍ତରେ ଥିବା ଚତୁର୍ଥ ସ୍କନ୍ଧର ପ୍ରହଲ୍ଲାଦ ଚରିତ l ଶ୍ରୀ ଜଗନ୍ନାଥ ଦାସ କୃତ କଳିମଳ ବିନାଶକାରୀ ଶ୍ରୀମଦ ଭାଗବତ ଓଡ଼ିଆ ଜନମାନସରେ କିଭଳି ପ୍ରଭାବ ବିସ୍ତାର କରିଛି ତାହା ସର୍ବଜନ ବିଦିତ l ଏଥିପାଇଁ ଭାଗବତ ଗ୍ରନ୍ଥକୁ ଓଡ଼ିଶାରେ ଲୋକେ ଭଗବାନଙ୍କର ସ୍ୱରୂପ ମଣି, ପୂଜା କରନ୍ତି l ଅନ୍ୟ କୌଣସି ଜାଗାରେ ପାଳନ ହୂଏ କି ନାହିଁ ଜଣା ନାହିଁ, କିନ୍ତୁ ଓଡ଼ିଆ ଲୋକେ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣମୀକୁ ଭାଗବତ ଜନ୍ମ ଭାବେ ପାଳନ କରନ୍ତି l ଆଜି ସେହି ମହାଗ୍ରନ୍ଥ ଭାଗବତର ଜନ୍ମ ଦିନରେ କାମନା ଏହାର ପୂତ ଏବଂ ପବିତ୍ର ବାଣୀ ଆମକୁ ଦିବ୍ୟ ଜୀବନ ପ୍ରଦାନ କରୁ l

ଆସନ୍ତୁ ଆଜିର ଦିନରେ ସ୍ମରଣ କରିବା ଓଡ଼ିଆ ଜାତିର ଜୀବନ ବେଦ ଓଡ଼ିଆ ଭାଗବତର ସ୍ରଷ୍ଟା ଏବଂ ଏ ଜାତିର ପ୍ରାତଃ ସ୍ମରଣୀୟ ସେହି ନମସ୍ୟ ପ୍ରତିଭା ଜଗନ୍ନାଥ ଦାସଙ୍କୁ ଯିଏ ଆମକୁ ଏହି ଗୁଢ ଜ୍ଞାନ ରୂପୀ ଅମୃତମୟ ଶାସ୍ତ୍ରକୁ ପରସି ଦେଇଛନ୍ତି ଆମ ମାତୃଭାଷାରେ l
ଗୋପବନ୍ଧୁଙ୍କ ଭାଷାରେ –
ସଂକ୍ଷିପ୍ତ ସଂସ୍କୃତ ଅମୁଲ୍ୟ ଆଧାରେ
ଥିଲା ସେ ଅମୀୟ ରସ
ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ ll
ତେଣୁ ବାରସ୍କନ୍ଧ ପ୍ରାକୃତ ପ୍ରବନ୍ଧ
ଗୀତେ କଲ ପରକାଶ
ଥିବାଯାଏ ଭାଷା ଗାଇବ ଉତ୍କଳ
କହେ ଜଗନ୍ନାଥ ଦାସ ll
ଓଁ ନମଃ ଭଗବତେ ଵାସୁଦେବାୟଃ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights