ଶ୍ରୀକ୍ଷେତ୍ରରୁ ପୂର୍ବେ ହରଚଣ୍ଡୀ ମୁହାଁଣ ଦେଇ ଡଙ୍ଗା କିମ୍ବା ବୋଇତରେ ଗଲେ, ଅନତି ଦୂରରେ ପଡ଼େ ଚିଲିକା କୂଳରେ ବନ୍ଦର ଗୋଟିଏ । ନାଁ, ସୁନାମୁହିଁ । ସୁନାମୁହିଁ ବନ୍ଦରରୁ ଡଙ୍ଗାରେ ଚିଲିକା ପାର କଲେ ପଡ଼େ, ଦକ୍ଷିଣୀ ରାଇଜକୁ ରାସ୍ତା । ଆଗରୁ ପୁରୀରୁ ଦକ୍ଷିଣ ରାଇଜକୁ ଯିବାପାଇଁ ଏହା ହିଁ ଥିଲା ରାସ୍ତା ।
ରାସ୍ତା କଡ଼ରେ ବଜାରଟିଏ ପଡ଼େ । ସେ ବଜାରକୁ ଦହି ବିକି ଆସେ ଜଣେ ଗରିବ ଗୋପାଳୁଣୀ । ନାଁ ତା’ର ମାଣିକ । ତା’ର ସୁଆଦିଆ କାଠ ଭଳି ବସା ଦହି ଯିଏ ଥରେ ଖାଇଛିନା ସେ ଜୀବନସାରା ତାର ସ୍ୱାଦ ପାସୋରି ପାରିବ ନାହିଁ ।
ଶ୍ରୀକ୍ଷେତ୍ରକୁ ଯାଇଥିବା ମୁଖ୍ୟ ପଥ କଡ଼ରେ ଦହି ବିକୁଥିବାରୁ ଯାତ୍ରୀମାନଙ୍କ ଠାରୁ ପୁରସ୍ତମ, ପୁରୀ, ଶ୍ରୀକ୍ଷେତ୍ର ଓ ଜଗନ୍ନାଥଙ୍କ କଥା ଶୁଣି କେତେ ଥର ମନ କଲାଣି ସେ ପୁରୀ ଯାଇ ଟିକିଏ ଜଗନ୍ନାଥଙ୍କୁ ଦର୍ଶନ କରିଆସନ୍ତା । ହେଲେ ଗାଈ ଗୋରୁମାନଙ୍କ ସେବା, କ୍ଷୀରଦୁହାଁ, ଦହିମୁହାଁ ଆଦି କାମରେ ଦିନ ରାତି ପେଷି ହୋଇ ସେ ଆଉ ସେ ସୁଯୋଗ ପାଇ ନାହିଁ ।
ସଞ୍ଜ ହେଲେ ଡ଼ିବିରି ଜଳେଇ ମାଣିକର ଶ୍ୱଶୁର ପୁରାଣ ପଢ଼ନ୍ତି । ମାଣିକ ବସି ଧ୍ୟାନରସହ ପୁରାଣ ଶୁଣେ । ଭାଗବତର ଦଶମ ସ୍କନ୍ଧ ଗୋପ ଲୀଳାରେ ସେ ବାଳ କୃଷ୍ଣଙ୍କ ଗୋପୀଙ୍କ ଗୃହରେ ଦହିଚୋରି, ଲବଣି ଚୋରି ଇତ୍ୟାଦି ପ୍ରସଙ୍ଗ ଶୁଣି ବଡ଼ ଭାବବିହ୍ଵଳ ହୋଇ ପଡ଼େ । ସେ ମନେ ମନେ ଭାବେ କାହ୍ନାଟା ଯଦି ମୋ ପାଖକୁ ଆସନ୍ତା ନା ମୁଁ ତାକୁ ମନ ଭରି ଦହି, ସର, ଲବଣି ଖୁଆନ୍ତି । ପ୍ରତି ଦିନ ଗ୍ରାମରେ ଥିବା ଗୋପିନାଥ ମନ୍ଦିରରେ ପ୍ରଭୁଙ୍କୁ ମୁଣ୍ଡିଆମାରି ସେ ସେହିକଥା ଜଣାଏ। ପ୍ରଭୁଙ୍କପାଇଁ କି ଶ୍ରଦ୍ଧା !
ଭାବରେ ବନ୍ଧା ଭାବଗ୍ରାହୀ, ମାଣିକର ମନ କଥା ଜାଣିଲେ । ଭକ୍ତ ଯେମିତି ବ୍ୟାକୁଳ ପ୍ରଭୁ ମଧ୍ୟ ସେହି ଭଳି ଆକୁଳ ହେଉଥାନ୍ତି ଭକ୍ତର ମନ ବାଞ୍ଛା ପୂରଣ କରିବାକୁ । ସିଏ ପା ବଞ୍ଚ୍ଛା କଳ୍ପତରୁ ।
ଏହି ସମୟରେ ଗୋଟେ ଅଘଟଣ ଘଟିଲା । ଉତ୍କଳ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ ଦକ୍ଷିଣଦେଶ କାଞ୍ଚି ନରେଶଙ୍କ ରାଜ ଜେମା ରୁପାମ୍ବିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି, ବିବାହ ପ୍ରସ୍ତାବରେ ପରିଣତ ହୋଇଥାଏ । କାଞ୍ଚିରାଜାଙ୍କ ଅମାତ୍ୟ ଔପଚାରିକ ବିବାହ ପ୍ରସ୍ତାବ ଧରି ଉତ୍କଳ ଆସିଥାନ୍ତି । ପୁରୀରେ ସେତେବେଳେ ଘୋଷଯାତ୍ରା ସମୟ । ରାଜ ଅତିଥି ଭାବେ ସେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ଗଲେ। ପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଛେରାପହଁରା କରୁଥାନ୍ତି । ଏହା ଦର୍ଶନ କରି ତାଙ୍କ ମନରେ ସଂଶୟ ହେଲା । ସେ ଫେରି ଯାଇ କାଞ୍ଚି ରାଜାଙ୍କୁ ଏକଥା କହିବାରୁ କାଞ୍ଚି ରାଜା ସିଧା ମନା କରିଦେଲେ ଏ ହୀନକାର୍ଯ୍ୟ କରୁଥିବା ଏକ ଚଣ୍ଡାଳ ସହ ମୋ ଝିଅର ବିବାହ ଦେଇପାରିବି ନାହିଁ ।
ଗଜପତି ଏଥିରେ କ୍ଷୁବ୍ଧହୋଇ ଓ ଏହା ଏ ଜାତି ଓ ମହାପ୍ରଭୁଙ୍କ ଅପମାନ ଭାବି କାଞ୍ଚି ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଉତ୍କଳ ବାହିନୀର ଯୁଦ୍ଧରେ ପରାଜୟ ହେଲା । ପରାଜୟ ଗ୍ଳାନିରେ ମ୍ରିୟମାଣହୋଇ ଗଜପତି ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କ ଶରଣ ଯାଇ ଦୁଃଖ ଜଣାଇ କହିଲେ,”ପ୍ରଭୁ ! ଏ ଯୁଦ୍ଧରେ ପରାଜୟ ଉତ୍କଳର ପରାଜୟ ନୁହେଁ । ଏହା ଆପଣଙ୍କର ପରାଜୟ । ପ୍ରଭୁ ! ମାନ ଉଦ୍ଧାରଣ, ଆପଣ କ’ଣ ନିଜ ମାନ ରକ୍ଷା କରିବେନାହିଁ ? ଏ ଦୀନ ସେବକର ଗୁହାରି ଘେନା କରନ୍ତୁ ମହାବାହୁ !”
ମହାପ୍ରଭୁ ସେବକର ନିବେଦନ ଶୁଣିଲେ । ସ୍ୱପ୍ନରେ ରାଜାଙ୍କୁ କହିଲେ, “ବତ୍ସ ପୁରୁଷୋତ୍ତମ ! ଧୈର୍ଯ୍ୟ ଧର ! ତୁମେ କାଞ୍ଚି ବିରୁଦ୍ଧରେ ପୁନର୍ବାର ଯୁଦ୍ଧ ଘୋଷଣାକର । ଆମେ ତୁମକୁ ସହାୟ ହେବୁ “।
ରାଜା ମହାପ୍ରଭୁଙ୍କର ଏ ଆଶ୍ୱାସନା ପାଇ ଅତ୍ୟନ୍ତ ଉତ୍ଫୁଲିତ ହୋଇ, କାଞ୍ଚି ବିରୁଦ୍ଧରେ ଦ୍ୱିତୀୟ ବାର ଯୁଦ୍ଧ ଘୋଷଣା କଲେ । ପାଇକମାନେ ସଜ ହୋଇଗଲେ । ଗଜପତି ଶ୍ରୀମନ୍ଦିର ଦକ୍ଷିଣପଶ୍ଚିମ କୋଣରେ ଥିବା ଦୁର୍ଗାମାଧବଙ୍କୁ ପୂଜାକରି ଯୁଦ୍ଧକୁ ବାହାରିପଡ଼ିଲେ । ଉତ୍କଳର ଚତୁରଙ୍ଗ ସେନା ଚାଲିଲେ, କାଞ୍ଚି ସମର ପ୍ରାଙ୍ଗଣ ଅଭିମୁଖେ ।
ସେମାନେ ସେହି ରାସ୍ତାରେ ଚାଲିଥାନ୍ତି । ସବୁଦିନ ପରି ମାଣିକ ମଧ୍ୟ ତା’ର ଦହି ପସରା ମେଲାଇ ରାସ୍ତା କଡ଼ରେ ବସିଥାଏ । ଗରାଖପାଇଁ ଅପେକ୍ଷାରେ ସେ ବସିଥାଏ, ହଠାତ ଘୋଡ଼ା ଟାପୁ ଶବ୍ଦ ଶୁଭିଲା ।
କିଛି ସମୟପରେ ତା’ ପାଖରେ ଆସି ଦୁଇଜଣ ସୈନିକ ଘୋଡା ଉପରୁ ଓଲ୍ହାଇଲେ । ଜଣକର କଳା ଘୋଡ଼ା ଓ ଜଣକର ଧଳା ଘୋଡ଼ା। ଶରୀରରେ ଅପୂର୍ଵ କାନ୍ତି, ତାଙ୍କର ମନଲୋଭା ଚାହାଣି। ଚନ୍ଦନ ଅଗୁରୁର ମହ ମହ ବାସ୍ନା ବହି ଆସୁଥାଏ । ମାଣିକ ସେମାନଙ୍କୁ ଦେଖି ଟିକିଏ ଥମି ଗଲା । ତାକୁ ଲାଗୁଥାଏ ଯେପରି ସେ ତାଙ୍କୁ ବହୁ ଦିନରୁ ଜାଣିଛି । ତା’ ଭାବନାର ଅନ୍ତ ହେଲା, ଯେତେ ବେଳେ ସୈନିକ ଦୁଇଜଣ ତାକୁ କହିଲେ, ଆମେ ବଡ଼ ତୃଷିତ ! ଆମକୁ ଦହିପିଆଇବ ନାହିଁ ?
ମାଣିକ କହିଲା ମୋ ନାଆଁ ମାଣିକ । ମାଣିକର କଥା ଶୁଣି ଶ୍ୟାମଳବର୍ଣ୍ଣର ସୈନିକଟି କହିଲା, ଆଃ କି ସୁନ୍ଦର ନାଁ ଟିଏ ତୁମର, ମୋ ନାଆଁ କଳା ମାଣିକ । ମାଣିକ ସେମାନଙ୍କୁ ମନ ଭରି ଦହି ପିଆଇଲା ।
ଦହି ପିଇସାରି ପରିତୃପ୍ତ ହେବାପରେ ସେମାନେ କୁହାକୁହି ହେଉଥାନ୍ତି ଆଃ! ଏଭଳି ଦହି ଆମେ କୋଉ ଯୁଗରେ ପିଇବାକୁ ପାଇଥିଲେ ।ମାଣିକ ମଧ୍ୟ ତାଙ୍କୁ ଦହି ପିଆଇ ସାରି ଶରୀରରେ ଏକ ଅପୂର୍ଵ ପୁଲକ ଅନୁଭବ କରୁଥାଏ । ସଂଶୟ ଭରା ଦୃଷ୍ଟିରେ ସେ ସୈନିକଦ୍ବୟଙ୍କୁ ଚାହିଁରହିଥାଏ । ମାଣିକ ଭୁଲିଯାଇ ଥାଏ ତାର ପାଉଣା କଥା ।
ସିପାହୀମାନେ କହିଲେ,’ମା ! ଏଥର ତୁମର ଦଧି ମୂଲ ନିଅ, ଆମେ ଚାଲିଲୁ, ବହୁଦୂର ଯିବାକୁ ଅଛି’ । ଏହା କହି କଳା ସିପାହୀ ଜଣକ ନିଜ ଆଙ୍ଗୁଠିରୁ ମୁଦିଟିଏ କାଢ଼ି ବଢ଼ାଇ ଦେଲେ ।
ମୁଦିଟାକୁ ଦେଖି ମାଣିକ କହିଲା,”ମୋର ତ ଦହିମୂଲ ଏତେ ହେବ ନାହିଁ, ମୁଁ ଏ ମୁଦି କାହିଁକି ନେବି ? ମାଣିକର ଏଭଳି ବ୍ୟସ୍ତତା ଦେଖି ଗୋରା ସିପାହୀ ଜଣକ କହିଲେ,”ହଉ ମା’ ! ତୁମେ ବ୍ୟସ୍ତ ହୁଅନା।ଆମେ ଗଜପତିଙ୍କ ସୈନିକ । କାଞ୍ଚିଯୁଦ୍ଧକୁ ଯାଉଛୁ । ପଛରେ ଗଜପତି ଆସୁଛନ୍ତି । ତାଙ୍କୁ ଏ ମୁଦ୍ରିକାଟି ଦେଇ, ତୁମେ ତୁମର ପାଉଣା ନେଇ ଯିବ ” ।
ମାଣିକ ଦୋଦୋପାଞ୍ଚ ହୋଇ ମୁଦ୍ରିକାଟି ରଖିଲା । ସୈନିକ ଦୁଇ ଜଣ ଟପ୍ ଟପ୍ ଘୋଡ଼ା ଝପଟେଇ, କୁଆଡ଼େ ପବନ ବେଗରେ ଚାଲିଗଲେ।
କିଛି ସମୟପରେ ସେ ଦେଖିଲା ପୁରୀ ଆଡ଼ୁ ଏକ ବିରାଟ ପଟୁଆର ଛତ୍ର ଉଡ଼ାଇ ତା ଆଡ଼େ ଆସୁଛନ୍ତି । ସେ ଭାବିଲା ଏଥର ବୋଧହୁଏ ରାଜା ଆସିଗଲେ । ରାଜାଙ୍କ ପାଟ ପଟୁଆର ପାଖେଇ ଅସିଲାରୁ, ମାଣିକ ରାଜାଙ୍କ ବାଟ ଓଗାଳିଲା ।
ରାଜା ଘୋଡାରୁ ଓହ୍ଲାଇପଡ଼ି ପଚାରିଲେ, ମାଆ ତୁମର କ’ଣ କିଛି କହିବାର ଅଛି କି ?
ମାଣିକ କହିଲା, ମଣିମା ! ଟିକେ ଆଗରୁ ଜଣେ କଳାଘୋଡ଼ା, ଆଉ ଜଣେ ଧଳା ଘୋଡ଼ା ଚଢ଼ି, ଦୁଇ ଜଣ ସିପାହୀ ଏହି ବାଟେ ଗଲେ, ସେ ମୋଠାରୁ ଦହି ପିଇଲେ । ମୁଲ ବାବଦରେ ମୁଦିଟିଏ ଦେଇ ପୁଣି ଘୋଡ଼ା ଝପଟାଇ ପଳାଇଗଲେ । ଦେଖିବାକୁ ଭାରି ସୁନ୍ଦର । ମତେ ଲାଗୁ ଥିଲା, ମୁଁ ତାଙ୍କୁ ବୋଧ ହୁଏ ଆଗରୁ କେଉଁଠି ଦେଖିଛି । କହି ଯାଇଛନ୍ତି, ଏହି ମୁଦିଟା ଦେଖେଇ ଆପଣଙ୍କ ଠାରୁ ଦଧି ମୁଲ ନେଇଯିବା ପାଇଁ ।”
ଗଜପତି ଆଶ୍ଚର୍ଯ୍ୟ ହୋଇଗଲ । ମାଣିକ ହାତରେ ମହାପ୍ରଭୁଙ୍କ ରତ୍ନମୁଦୀ! ଏଁ ମୁଁ ସ୍ବପ୍ନ ଦେଖୁନାହିଁ ତ ! ତାହେଲେ କଣ ମହାପ୍ରଭୁ ସତରେ ମୋପାଇଁ ଯୁଦ୍ଧ ଯାତ୍ରା କରିଛନ୍ତି ? ଧନ୍ୟ ମହାପ୍ରଭୁ ! ଧନ୍ୟ ଆପଣ ! ଆପଣ ସତରେ ମାନ ଉଦ୍ଧାରଣ ।
ମହାରାଜା ବାତୁଳ ପ୍ରାୟ ହୋଇ କାନ୍ଦକାନ୍ଦ ହୋଇ ପଡ଼ିଲେ । ସେ ମାଣିକକୁ କହିଲେ,” ଧନ୍ୟ ତୁମେ ମାଣିକ । ତୁମର ଏ ଜନ୍ମ ସଫଳ ହୋଇଗଲା ମା । ଭାବ ଡୋରିରେ ତୁମେ ପ୍ରଭୁଙ୍କୁ ବାନ୍ଧି ପାରିଛ ଗୋ ମା । ଯାହାଙ୍କ ଦର୍ଶନ ପାଇଁ ଯୁଗଯୁଗ ଧରି ମୁନିଋଷି ମାନେ ତପସ୍ୟା କରିଥାନ୍ତି, ତୁମେ ତାଙ୍କୁ ଆଜି ତୁମ ଚର୍ମ ଚକ୍ଷୁରେ ଦେଖି ପାରିଛ ।”
ମାଣିକ କିଛି ବୁଝି ପାରୁ ନ ଥାଏ । ଏତିକି ବେଳେ ଚତୁଃର୍ଦିଗ “ଜୟ ଜଗନ୍ନାଥ “, “ଜୟ ଜଗନ୍ନାଥ” ଧ୍ୱନୀରେ ପ୍ରକମ୍ପିତ ହେବାକୁ ଲାଗିଲା। ମହାରାଜା ଘୋଷଣା କଲେ ଆଜିଠାରୁ ଏ ସ୍ଥାନର ନାମ ହେଲା ମାଣିକ ପାଟଣା । ଏତେକ କହି, ରାଜା ମାଣିକର ପାଉଣା ଦେଲେ ଓ ସୈନ୍ୟ ସାମନ୍ତଙ୍କ ସହ, କାଞ୍ଚି ଅଭିମୁଖେ ଘୋଡ଼ା ଝପଟେଇ ଦେଲେ ।
ମାଣିକ ଏବେ ବୁଝି ପାରିଲା, ସେ ଯାହାଙ୍କୁ ଦହି ପିଆଇଛି ସେ ଆଉ କେହି ନୁହଁନ୍ତି, ସେ ତାହାରି କଳାମାଣିକ, ଯାହାଙ୍କୁ ସେ ଦହି ପିଆଇବା ପାଇଁ ମନାସି ଥିଲା ।
ମାଣିକର ନାଆଁ ସମସ୍ତେ ଜାଣିଲେ । ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲେ ମାଣିକ, ମାଣିକପାଟଣା ତଥା ମାଣିକର କଳାମାଣିକ ପ୍ରଭୂ ଶ୍ରୀଜଗନ୍ନାଥ ।
କବିବର ରାଧାନାଥ ରାୟ ଚିଲିକା କାବ୍ୟରେ ଲେଖିଲେ :-
ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା
ତୋର ତୀରେ ପରା ଶ୍ରୀମତୀ ମାଣିକା ।।
ହସ୍ତୁ ଭୁଞ୍ଜିଥିଲେ ସାଦରେ ଲବଣି
ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି ।।
ମହାପ୍ରଭୁ ଭକ୍ତ ବତ୍ସଳ, ଭାବଗ୍ରାହୀ । ଯୁଗେ ଯୁଗେ ସେ ଭକ୍ତ ଭାବଡୋରିରେ ବନ୍ଧା ପଡ଼ିଛନ୍ତି । ଶ୍ରୀମଦ ଭାଗବତରେ ଭଗବାନ ପା ନିଜେ କହିଛନ୍ତି :-
ଭକତ ଜନେ ବଶ ମୁହିଁ
ତା’ର ରକ୍ଷଣେ ମୋର ଦେହି ।।
ମୁଁ ଏ ସଂସାର ଅଛି ଛନ୍ଦି
ଭକତ ପାରେ ମୋତେ ବାନ୍ଧି ।।
ଜୟ ଜଗନ୍ନାଥ
ଅର୍ଜୁନୀ ଚରଣ ବେହେରା
ମୋ – 7693091971
( କେତେକଙ୍କ ମତରେ ମାଣିକ ଗୋପାଳୁଣୀ ତତ୍କାଳୀନ ଗଜପତିଙ୍କ ମହିଳା ଗୁପ୍ତଚର ବାହିନୀର ମୁଖ୍ଯା ଥିଲେ । ସେଦିନ ସେ ଓଡିଆର ଆରାଧ୍ଯ ଓ ଓଡିଆ ଜନମାନସର ସକଳ ଶକ୍ତିର ଉତ୍ସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ମୁଦ୍ରିକା ଦେଖାଇ ଗଜପତିଙ୍କ ସୈନ୍ଯ ବାହିନୀର ମନୋବଳ ବଢାଇ ନଥିଲେ ତତ୍କାଳୀନ ଗଜପତିଙ୍କ ସେନାବାହିନୀ ହୁଏତ ଦ୍ବିତୀୟବାର ମଧ୍ଯ ପରାଜୟ ବରଣ କରିଥାଆନ୍ତେ ।
ସେ ଯାହାହେଉ ଅନେକ ପୌରାଣିକ ଆଖ୍ଯାନ ମଧ୍ଯରେ ବହୁ ମହତ୍ତ୍ବପୂର୍ଣ୍ଣ ଇତିହାସର ଝଲକ ଦେଖିବାକୁ ମିଳେ, ଅନ୍ଯଭାବେ କହିଲେ ବହୁ ଐତିହାସିକ ଘଟଣାବଳୀର ପୃଷ୍ଠଭୂମି ଆଧାରରେ କେତେ କେତେ ସାହିତ୍ଯ ଯେ ରଚନା ହୋଇଥାଏ ତାର ଇୟତ୍ତା ନାହିିଁ ।
ଆଜି ଦିନରେ କେନ୍ଦ୍ର ସରକାରଙ୍କ ମୁଖ୍ଯ କୂଟନୈତିକ ତଥା ଯୁଦ୍ଧ ପରାମର୍ଶଦାତା ଥିବା ଶ୍ରୀଯୁକ୍ତ ଅଜିତ୍ ଡୋଭାଲ ମହାଶୟ ଏକଦା ଭାରତ ପାଇଁ ଗୁପ୍ତଚର ଦାୟିତ୍ବ ନୀର୍ବାହ କରିବାକୁ ପାକିସ୍ତାନରେ ଦୀର୍ଘ ପନ୍ଦର ବର୍ଷ କାଳ ରିକ୍ସା ଚଳାଇ ଜୀବନ ଅତିବାହିତ କରିବା ଏକ ସୁନ୍ଦର ଉଦାହରଣ ମଧ୍ଯ ହୋଇପାରେ – ସମ୍ପାଦକ )