ଶ୍ରୀବଳଦେବ ଜନ୍ମ

Share it

PURAN KATHA
18th August 2024

ଶ୍ରୀବଳଦେବ ଜନ୍ମ
=============

ଦେବକୀ ବାସୁଦେବଙ୍କ ବିବାହ ସମାପନ ପରେ ରଥରେ ବସାଇ, କଂସ ସେମାନଙ୍କୁ ବାହି ନେଇ ଯାଉଥିବା ବେଳେ ଶୂନ୍ୟବାଣୀ ହେଲା,’ରେ ମୂର୍ଖ କଂସ, ତୁ ଯେଉଁ ଦେବକୀର ରଥ ଚଳାଇ ନେଉଛୁ ତାହାରି ଅଷ୍ଟମଗର୍ଭ ଜନ୍ମିତ ସନ୍ତାନ ତୋ ମୃତ୍ୟୁର କାରଣ ହେବ’l ଶୂନ୍ୟବାଣୀ ଶୁଣି କଂସ ଦେବକୀ ବସୁଦେବଙ୍କୁ କାରାରୁଦ୍ଧ କରି ରଖି ଗୋଟି ଗୋଟି କରି ତାଙ୍କର ଛଅଟି ସନ୍ତାନଙ୍କୁ ମାରି ପକାଇଲା l ଅଷ୍ଟମ ଗର୍ଭରେ ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ l କିନ୍ତୁ ଶ୍ରୀବିଷ୍ଣୁ ଦେବତା ମାନଙ୍କୁ ଦେଇଥିବା କଥା ଅନୁସାରେ ଶ୍ରୀବିଷ୍ଣୁଙ୍କ କଳା ନେଇ ପ୍ରଥମେ ଜନ୍ମ ନେବେ ପ୍ରଭୁ ଅନନ୍ତ l ଛଅଗୋଟି ପୁତ୍ରଙ୍କୁ ହରାଇ ଦେବକୀ ବହୁ ବିକଳ ହେଉଥାନ୍ତି l

ଦେବକୀଙ୍କ ବିକଳ ଦେଖି ଦୟାସାଗର ଭଗବାନ ଅନନ୍ତ ରୂପ ଧରି ମାଆ ଦେବକୀଙ୍କ ଉଦରରେ ବିଜେ କଲେ l ଏହି ପରି ଦେବକୀଙ୍କ ସପ୍ତମ ଗର୍ଭରେ ସଞ୍ଚରିତ ହୋଇ ଭଗବାନ ଆଦିଶେଷ, ଅନନ୍ତ, ଦିନକୁ ଦିନ ବଢ଼ିବାକୁ ଲାଗିଲେ l ଧରଣୀ ଭାର ଉଶ୍ୱାସ ପାଇଁ ସେ ଜନ୍ମ ନେବେ ବଳରାମ ରୂପରେ l ଆଠମାସ ବିତି ଗଲା l ମାତା ଦେବକୀ ନିଜ ଦେହକୁ ଚାହିଁ ବିକଳ ହେଉଥାନ୍ତି, ଆଉ କେତେ କଷ୍ଟ ସହିବି ହେ ଭଗବାନ ! କେତେ ପାତକ ମୁଁ କରିଛି, ଛଅ ପୁତ୍ର ଜନ୍ମ କରି ସୁଦ୍ଧା ତାଙ୍କର ମୁଖ ଦର୍ଶନ କରିବାର ସୌଭାଗ୍ୟ ମୋର ହେଲାନାହିଁ।
ଦେବକୀ ନିଜ ଦେହ ଚାହିଁ
ବିକଳେ ନିଶ୍ୱାସ ଛାଡ଼ଇ ।।
କେତେ ପାତକ କଲି ପୂର୍ବେ
ପୁଣି ହୋଇଲା ଆସି ଗର୍ଭେ ।।

ଦାସବତ୍ସଳ ଲୀଳାମୟ ମାଆ ଦେଵକୀଙ୍କ ମନ କଥା ଜାଣିଲେ l ପ୍ରଭୁ ଚିନ୍ତାକଲେ ଏହି ସନ୍ତାନକୁ କଂସ ପ୍ରତାପରୁ ନିଶ୍ଚୟ ରକ୍ଷା କରିବାକୁ ପଡ଼ିବ l ଗୋଲୋକ ବିହାରୀ, ମାଆ ଯୋଗମାୟାଙ୍କୁ ଅନୁରୋଧ କଲେ ତୁମ୍ଭେ ମାୟା ବିସ୍ତାର କରି ଏହି ଗର୍ଭକୁ ହରଣ କରି ନିଅ ଓ ତାହାକୁ ଗୋକୁଳରେ ନନ୍ଦଗୃହରେ ଥିବା ବସୁଦେବଙ୍କ ଅନ୍ୟତମା ପତ୍ନୀ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କର l ପୁଣି କହିଲେ ତୁମେ ମାଆ ଯଶୋଦାଙ୍କ ଗର୍ଭରେ ଜନ୍ମନିଅ l ମୁଁ ତୁମ ପଛରେ ଯାଉଛି :-

ଦେବକୀ ଦେବୀ ନିଦ୍ରା କାଳେ
ଗର୍ଭ ହରିବୁ ଯୋଗ ବଳେ ।।
ମିଳିବୁ ନନ୍ଦ ଘରେ ଯାଇ
ରୋହିଣୀ ଗର୍ଭେ ତାହା ଥୋଇ ।।
ଜନ୍ମିବୁ ଯଶୋଦା ଉଦରେ
ମୁଁ ପୁଣି ଯିବି ମଞ୍ଚ ପୁରେ ।।

ଭଗବାନଙ୍କ ଏହି ବ୍ୟବସ୍ଥା ଅନୁଯାୟୀ ଦେବକୀଙ୍କ ସପ୍ତମ ଗର୍ଭରୁ ଶ୍ରୀବଳରାମ ଯୋଗମାୟାଙ୍କ ମାୟା ବଳରେ ଶୂନ୍ୟରେ ଆକର୍ଷିତ ହୋଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ ହେଲେ,ଦୈବୀମାୟା ଯୋଗୁଁ ଏହାର ରହସ୍ୟ କାହାରିକୁ ଗୋଚର ହେଲାନାହିଁ l

କଂସ, ଦେବକୀ, ବସୁଦେବ ସମସ୍ତେ ଜାଣିଲେ ଏ ଗର୍ଭ ଶୂନ୍ୟ ବା ନଷ୍ଟ ହୋଇ ଗଲା l ରୋହିଣୀଙ୍କ ଗର୍ଭରେ ଆଦିଶେଷ, ବଳରାମ ଚନ୍ଦ୍ର କଳା ସଦୃଶ ବଢ଼ିବାରେ ଲାଗିଲେ l ସିଂହ ପୂର୍ଣ୍ଣମୀ ବା ଶ୍ରାବଣ ପୂର୍ଣ୍ଣମୀ ଦିନ ରୋହିଣୀ ଦେବୀଙ୍କ ଗର୍ଭରୁ ଧବଳ ଜ୍ୟୋତିରୂପ, ଶିରରେ ସପ୍ତଫଣୀ ଶୋଭିତ ହୋଇ ଭୂମିଷ୍ଠ ହେଲେ ଶ୍ରୀବଳଦେବ l

ସେ ଦେବକୀଙ୍କ ଗର୍ଭରୁ ଆକର୍ଷିତ ହୋଇ ଜନ୍ମ ହୋଇଥିଲେ l ଏଣୁ ତାଙ୍କର ଅନ୍ୟ ନାମ ସଙ୍କର୍ଷଣ l ନନ୍ଦବାବା ଥିଲେ ଅପୁତ୍ରିକ l ତାଙ୍କ ଅପୁଆ ଘରେ ଏଭଳି ତେଜସ୍ବୀ ପୁତ୍ର ଜନ୍ମରେ ସେ ଅତି ଉଲ୍ଲସିତ ହୋଇଗଲେ l ଆମ ଓଡ଼ିଆ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ଏହାକୁ ବର୍ଣ୍ଣନା କରି ଲେଖିଲେ :-

ସିଂହ ପୁର୍ଣ୍ଣମୀ ଦିନ ସାର
ରୋହିଣୀ ପ୍ରସବେ କୁମର ।।
ଧବଳ ଜ୍ୟୋତି ରୂପ ପୁଣି
ଶିରେ ଶୋଭଇ ସପ୍ତଫଣୀ ।।
ଅପୁଆ ଘରେ ପୁଅ ଜାତ
ଆନନ୍ଦ ହୋଏ ନନ୍ଦ ଚିତ୍ତ ।।

ଶ୍ରୀବଳଦେବଙ୍କ ଜନ୍ମ ଯେମିତି ରହସ୍ୟମୟ ତାଙ୍କ କର୍ମ ମଧ୍ୟ ସେମିତି ଅଦ୍ଭୁତ l ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାରେ ସେ ପଦେ ପଦେ ଶ୍ରୀକୃଷ୍ଣଙ୍କୁ ସହାୟତା କରିଛନ୍ତି l କୃଷ୍ଣ ମଧ୍ୟ ତାଙ୍କୁ ଅଗ୍ରଜ ମାନ୍ୟରେ ସବୁ ସମୟରେ ସମ୍ମାନ କରିଛନ୍ତି l

ବଳଦେବଙ୍କ ଜନ୍ମ ଏବଂ କର୍ମ ବିଷୟରେ ମୁଖ୍ୟତଃ ଶ୍ରୀମଦ୍ଭାଗବତ ଓ ମହାଭାରତରେ ବର୍ଣ୍ଣନା ରହିଥିଲେ ହେଁ ଅନ୍ୟ ବହୁ ଶାସ୍ତ୍ରରେ ତାଙ୍କର ବର୍ଣ୍ଣନା ରହିଛି l ଓଡ଼ିଆ ଶାରଳା ମହାଭାରତର ବର୍ଣ୍ଣନା ଅନୁସାରେ ଶ୍ରୀବଳଦେବ ରୋହିଣୀ ନାମକ ଗାଭୀ ଗର୍ଭରେ ସଞ୍ଚାର ହୋଇ ଭୂମିଷ୍ଠ ହୋଇଥିଲେ l ତାହା ଗୋଟିଏ ଚମତ୍କାର ପ୍ରସଙ୍ଗ ଯାହା ଏକ ଅଲଗା ଆଲୋଚନା ଅପେକ୍ଷା ରଖେ l ଆଦିକବି ଶାରଳା ଦାସ ଶ୍ରୀବଳଦେବଙ୍କୁ ବନ୍ଦନା କରି ଲେଖିଛନ୍ତି :-

ଜୟ ରୁଦ୍ର ଅବତାର ଜୟ ଦେବ ହଳି
ଅନନ୍ତକୋଟି ବ୍ରହ୍ମାଣ୍ଡେ ତୁମ୍ଭେ ଏକା ବଳି ।।
କୁରୁ ବିବାଦେ ଲଙ୍ଗଳେ ତାଡ଼ିଲ ହସ୍ତିନା
ବଳଭାବେ ରଖି ଭବେ ଉଡ଼ାଉଛ ବାନା ।।
ରତନର ଆବରଣ ଶିରେ ସପ୍ତଫଣୀ
ଲଲାଟେ ଶୋହେ ତିମିର ବିଦାରିଣ ମଣି ।।
ଅନନ୍ତ ଯୋଗ ଆସନ ଅଟଇ ତୁମ୍ଭର
ତୁମ୍ଭର ଚରଣେ ଦେବ ଶତ ନମସ୍କାର ।।

ଉତ୍କଳର ମହାକବି ଶ୍ରୀ ଜୟଦେବ ବଳଦେବଙ୍କୁ ଭଗବାନଙ୍କ ଅଷ୍ଟମ ଅବତାର ଭାବେ ବର୍ଣ୍ଣନାକରି ଲେଖିଛନ୍ତି :-

ବହସି ବପୁସି ବିଷାଦେ ବସନମ୍ ଜଲଦାଭମ୍,
ହଲହତି ଭିତ୍ତି ମିଳିତ ଯମୁନାଭମ୍,
କେଶବ ଧୃତ ହଳଧର ରୂପ,
ଜୟ ଜଗଦୀଶ ହରେ ll

କେନ୍ଦ୍ରାପଡ଼ା ଶ୍ରୀ ବଳଦେବ କ୍ଷେତ୍ର, ତୁଳସୀ କ୍ଷେତ୍ର ଭାବେ ପ୍ରସିଦ୍ଧ l ଏଠାରେ ଇଚ୍ଛାମୟ ମହାପ୍ରଭୁଙ୍କ ନିବାସକୁ ବର୍ଣ୍ଣନା କରି କବିବର ରାଧାନାଥ ରାୟ ଲେଖିଛନ୍ତି :-
ପ୍ରସିଦ୍ଧ ତୁଳସୀ କ୍ଷେତ୍ରେ ଇଛାବହି ମୋଦ
ବିରାଜନ୍ତି ଯହିଁ ପ୍ରଭୁ ବ୍ରହ୍ମ ହଳାୟୁଧ ll

ଅମରସିଂହ କୃତ ଅମର କୋଷରେ ବଳଦେବଙ୍କ ବିଭିନ୍ନ ନାମର ବର୍ଣ୍ଣନା ରହିଛି :-
ବଳଭଦ୍ର ପ୍ରଳମ୍ୱଘ୍ନୋ ବଳଦେବଚ୍ୟୁତାତ୍ମଯଃ
ରେବତୀରମଣୋ ରାମ କାମପାଳ ହଳାୟୁଧଃ l
ନୀଳାମ୍ବର ରୋହିଣେୟସ୍ଥାଲାଙ୍କୋ ମୁଷଳୀ ହଳି
ସଙ୍କର୍ଷଣ ଶିରପାଣିଃ କାଳିନ୍ଦୀ ଭେଦନୋ ବଲଃ l

ବ୍ୟାସଦେବ କୃତ ସଂସ୍କୃତ ଭାଗବତମ୍ ଶ୍ଳୋକରେ ଶ୍ରୀବଳଦେବଙ୍କୁ ବନ୍ଦନା କରାଯାଇଛି :-
ନମସ୍ତେ ବାସୁଦେବାୟ ନମଃ ସଙ୍କର୍ଷଣାୟା ଚ
ପ୍ରଦ୍ୟୁମ୍ନାନିରୁଦ୍ଧାୟ ତୁଲ୍ୟ ଭଗବତେ ନମଃ ll
(11-05-29)

ଶ୍ରୀତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବ ମଣି ବିଗ୍ରହ ଧାରଣ କରି ବିଜେ କରିଛନ୍ତି l ଶ୍ରୀବ୍ରହ୍ମାଣ୍ଡ ପୁରାଣରେ ତାଙ୍କର ବନ୍ଦନା କରାଯାଇଛି :-
ଧ୍ୟାୟେ ବ୍ରହ୍ମାଣ୍ଡ ନାଥଂ
ଶୁଭ୍ର ଧବଳ ତନୁ ରତ୍ନ ସିଂହାସନସ୍ଥମ୍ ।
ବାମେ ରୁଦ୍ରଦାତ୍ରୀ ରୁଚିରୁଚିରତରା
ଭାଗ୍ୟଦାତ୍ରୀ ସୁଭଦ୍ରା ।।
ତଦ୍ ବାମେ ଜଗନ୍ନାଥ ନୀଳ
ନୀରଦତନୁ ଶଙ୍ଖଶୋଭିତ ପାଶୈ ।
ତୁଳସୀ ରେବତୀ ଦ୍ଵେ ଚିରବଶତୁଃ
ମଣିବିଗ୍ରହ ନମାମି ।।

!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights