ଶ୍ରୀନିତ୍ୟାନନ୍ଦ ମହାପ୍ରଭୁ

Share it

ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ସହ ଧରାରେ ଦ୍ୱାପର ଯୁଗ ଶେଷ ହୋଇ କଳି ଯୁଗର ପ୍ରବେଶ ହୋଇ ଥିଲା । ଭଗବାନ ମନୁଷ୍ୟ ଶରୀର ଧାରଣ କରି ଦ୍ୱାପର ଯୁଗରେ ଏକଶ ପଚିଶ ବର୍ଷ ଲୀଳା କରି ଥିଲେ । ଏହା ପ୍ରମାଣ କରେ ମହାପୁରାଣ ଶ୍ରୀମଦ ଭାଗବତ :-

ବୟସ ଶତ ପଞ୍ଚ ବିଂଶ ।
କୃଷ୍ଣ ଚଳିଲେ ନିଜ ବାସ ।।

ଭଗବାନ ଶ୍ରୀକୃଷ୍ଣଙ୍କ ମହା ପ୍ରୟାଣର କିଛି ଦିନ ଉତ୍ତାରେ ଯୁଧିଷ୍ଠିର କର୍ତ୍ତୃକ ପାଣ୍ଡଵ ଭାଈ ମାନେ ଦ୍ରୌପଦୀଙ୍କ ସହିତ ଅଭିମନ୍ୟୁ ସୁତ ପୁଣ୍ୟଶ୍ଳୋକ ପରିକ୍ଷିତଙ୍କୁ ରାଜ୍ୟ ଭାର ଅର୍ପଣ କରି ହିମାଳୟ ପଥରେ ସ୍ୱର୍ଗ ଯାତ୍ରା କରିଥିଲେ ।

ଏ ଆର୍ଯ୍ୟାବର୍ତ୍ତରେ ଧର୍ମାତ୍ମା ପରୀକ୍ଷିତଙ୍କ ରାଜତ୍ୱ ଚାଲିଥାଏ । ଏକଦା ସେ ଅରଣ୍ୟମଧ୍ୟରେ ଭ୍ରମଣ କରୁଥିବା ଅବସରରେ ଦେଖିଲେ ଜଣେ ବିକଟାଳ ପୁରୁଷ ଖଡ୍ଗ ମୁଷ୍ଟି ହୋଇ ଗୋଟିଏ ଗାଭୀ ପଛରେ ମାରିବାକୁ ଗୋଡାଇଛି । ପରିକ୍ଷୀତ ତତ୍କ୍ଷଣାତ ନିଜ ଧନୁର୍ବାଣ ଉତ୍ତୋଳନ କରି,ଦୁରାତ୍ମାକୁ କ୍ଷାନ୍ତ କରି ପଚାରିଲେ,”ତୁ କିଏରେ ! ମୋ ରାଜ୍ୟରେ ଏମିତି ଅନୀତି କରୁଛୁ ।” ସେହି କାଳପୁରୁଷ ରୂପୀ କଳି କାଳ କହିଲା,” ମହାରାଜ ମୁଁ ଯୁଗ ପୁରୁଷ କଳି । ବର୍ତ୍ତମାନ ମୋର ମର୍ତ୍ତ୍ୟରେ ରାଜତ୍ୱ ଚାଲିବ ।

ମୋ ରାଜତ୍ୱରେ ହିଂସା, ଦ୍ୱେଷ, କ୍ଳେଶ, ଅହଙ୍କାର, ନାରୀ, ଚୋରି ଏ ସବୁ ବ୍ୟଭିଚାର ଵ୍ୟାପୃତି ହେବ । କିନ୍ତୁ ହେ ରାଜା ! ଏ ସବୁ ଦୁର୍ଗୁଣ ସତ୍ତ୍ୱେ ମୋ ପାଖରେ ଗୋଟିଏ ସଦଗୁଣ ଅଛି । ତାହା ହେଲା ମୋର ଏ ରାଜତ୍ୱ ସମୟରେ ଭଗବାନଙ୍କୁ ଲାଭକରିବା ଅତି ସୁଲଭ । କୌଣସି ଯାଗ, ଯଜ୍ଞ, ଜପ, ତପ କିମ୍ବା କଠୋରସାଧନାର କୌଣସି ଆବଶ୍ୟକତା ନାହିଁ । ସହଜ ସରଳ ଭାବେ ଖାଲି ଭଗବାନଙ୍କର ନାମ ସଂକୀର୍ତ୍ତନ ଦ୍ଵାରାହିଁ ଜୀବ ମୋ ରାଜତ୍ୱରେ ମୋକ୍ଷ ଲାଭ କରି ପାରିବ ।”

ନାମ ଯଜ୍ଞ ବା ନାମ ସଂକୀର୍ତ୍ତନ ହିଁ କଳିକାଳରେ ଜୀବର ଏକ ମାତ୍ର ମୋକ୍ଷର ମାର୍ଗ । ଏହି ମାର୍ଗକୁ ପ୍ରଚାର କରିବା ପାଇଁ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଆବିର୍ଭୁତ ହୋଇଥିଲେ ଶ୍ରୀ ଚୈତନ୍ୟ । ଚୈତନ୍ୟ ମହାପ୍ରଭୁ ବାଣୀ ପ୍ରଚାର କଲେ :-

କଳି ଯୁଗେ କର ଭାଈ ନାମ ସଂକୀର୍ତ୍ତନ ।
ଅନ୍ନ ଦାନ ବସ୍ତ୍ର ଦାନ ବଇକୁଣ୍ଠେ ସ୍ଥାନ ।।
ଭାଈ ବୋଲ ବନ୍ଧୁ ବୋଲ ସମ୍ପତ୍ତିର ସାଥି ।
ଜୀବଯିବାବେଳେ ଏକା ଗୋବିନ୍ଦ ସାରଥୀ ।।

ନାମ ମହିମା ପ୍ରଚାର କରିବାକୁ ଶ୍ରୀ ଚୈତନ୍ୟଙ୍କ ସହଯୋଗୀ ଭାବେ ଆବିର୍ଭୁତ ହୋଇଥିଲେ ମହା ପ୍ରଭୁ ନିତ୍ୟାନନ୍ଦ । ଶ୍ରୀ ଚୈତନ୍ୟଙ୍କ ସହ ଉତ୍କଳର ପଞ୍ଚସଖା ମାନେ ଓଡ଼ିଶା ମାଟିରେ ବୈଷ୍ଣବ ଭକ୍ତି ଧାରାର ପ୍ଲାବନ ସୃଷ୍ଟି କରିଥିଲେ । ଆମ ଓଡିଆ ସଂକୀର୍ତ୍ତନର ଲୋକପ୍ରୀୟ ପଂକ୍ତି ମାନଙ୍କ ଭିତରେ ଶ୍ରୀଚୈତନ୍ୟଙ୍କ ସହିତ ପ୍ରଭୁ ନିତ୍ୟାନନ୍ଦଙ୍କ ନାମ କୀର୍ତ୍ତନ ଦେଖାଯାଏ ଯଥା :-
“ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ,
ହରେକୃଷ୍ଣ ହରେ ରାମ ଶ୍ରୀରାଧେଗୋବିନ୍ଦ ”

“ଭଜ ନିତାଇ ଗୌର ରାଧେ ଶ୍ୟାମ,
ଜପ ହରେ କୃଷ୍ଣ ହରେ ରାମ”

ଶ୍ରୀଚୈତନ୍ୟ ଅତ୍ୟନ୍ତ ଗୌର ବର୍ଣ୍ଣର ଥିବାରୁ ତାଙ୍କୁ ସଂକୀର୍ତ୍ତନ ପଦାବଳୀ ଗୁଡ଼ିକରେ ଗୌର,ଗୋଉର ଗୌରାଙ୍କ ଆଦି ନାମରେ ଅଭିହିତ କରା ଯାଇଛି ଓ ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁଙ୍କୁ ନିତାଇ ନାମରେ ଅଭିହିତ କରାଯାଇଛି । ସଂକୀର୍ତ୍ତନ ପଦରେ ଥିବା ଶ୍ରୀନିତ୍ୟାନନ୍ଦ ବା ନିତାଇଙ୍କ ସମ୍ପର୍କରେ ସାଧାରଣ ଜନ ମାନସରେ ଏତେ ସ୍ପଷ୍ଟ ଧାରଣା ନାହିଁ । ସେ ହେଉଛନ୍ତି ଶ୍ରୀ ଚୈତନ୍ୟଙ୍କର ପ୍ରଧାନ ଭକ୍ତ ତଥା ସଖା । ଶ୍ରୀଚୈତନ୍ୟ ଷୋଡ଼ଶ ଶତାବ୍ଦୀର ଆଦ୍ୟ ପାଦରେ ଉତ୍କଳ ଆଗମନ ସମୟରେ ତାଙ୍କ ସହ ଛଅଜଣ ଗୋସ୍ବାମୀ ବା ବୈଷ୍ଣବ ସନ୍ନ୍ୟାସୀ ଆସି ଥିଲେ ।
ସେମାନେ ହେଲେ ରୂପଗୋସ୍ବାମୀ, ଜୀବ ଗୋସ୍ବାମୀ, ଶ୍ରୀ ସନାତନ ଗୋସ୍ବାମୀ, ଶ୍ରୀ ଗୋବିନ୍ଦ ଗୋସ୍ବାମୀ, ଗୋପାଳ ଗୋସ୍ବାମୀ ଓ ଶ୍ରୀରଘୁନାଥ ଗୋସ୍ବାମୀ । ପ୍ରଭୁ ନିତ୍ୟାନନ୍ଦଙ୍କ ନାମ ଏହି ଷଡ଼ ଗୋସ୍ବାମୀଙ୍କ ଅନ୍ତର୍ଭୁକ୍ତ ନୁହେଁ ।

ମାଘ ଶୁକ୍ଳ ଚତୁର୍ଦ୍ଦଶୀ ବା ଶିବଚତୁର୍ଦ୍ଦଶୀ ମହାପ୍ରଭୁ ନିତ୍ୟାନନ୍ଦ ବା ନିତାଇଙ୍କ ଜନ୍ମଦିବସ ବୋଲି ଜଣା ଯାଏ । ଶ୍ରୀ କୃଷ୍ଣଦାସ କବିରାଜ ରଚିତ ବଙ୍ଗଳା ଚୈତନ୍ୟ ଚରିତାମୃତରେ ନିତ୍ୟାନନ୍ଦ ମହାପ୍ରଭୁଙ୍କ ବର୍ଣ୍ଣନା ରହିଛି ।

ଏହି ବର୍ଣ୍ଣନା ଅନୁସାରେ ଶ୍ରୀଚୈତନ୍ୟ ହେଉଛନ୍ତି ରସର ସଦନ । ତାଙ୍କ ପ୍ରଚାରିତ ଧର୍ମ କଳିଯୁଗ ଧର୍ମ । ଚୈତନ୍ୟ ମହାପ୍ରଭୁଙ୍କ ଅନୁଗତ ଦାସମାନେ ସେହି ଧର୍ମ ଜାଣନ୍ତି ଏବଂ ତାହା ଆସ୍ବାଦନ କରିଥାନ୍ତି । ଏହି ରସ ଆସ୍ଵାଦନ କାରୀ ମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଅଦ୍ବୈତ,ନିତ୍ୟାନନ୍ଦ, ଶ୍ରୀନିବାସ, ଗଦାଧର,ଦାମୋଦର,ମୁରାରି ଓ ଶ୍ରୀହରିଦାସ ।

ଶ୍ରୀଚୈତନ୍ୟ ଚରିତାମୃତର ପଞ୍ଚମ ପରିଚ୍ଛେଦରେ ଶ୍ରୀ ଚୈତନ୍ୟ ଓ ଶ୍ରୀ ନିତ୍ୟାନନ୍ଦଙ୍କୁ ‘ପ୍ରଭୁ’ ବୋଲି କୁହା ଯାଇଛି । ସେହି ପରିଚ୍ଛେଦଟି ଅନନ୍ତ, ଅଦ୍ଭୁତ, ଐଶ୍ବର୍ଯ୍ୟବାନ୍‌ ଈଶ୍ବର ମହାପ୍ରଭୁ ନିତ୍ୟାନନ୍ଦଙ୍କର ବନ୍ଦନା। ସେଥିରେ ମହାପ୍ରଭୁ ଶ୍ରୀଚୈତନ୍ୟ ଓ ଶ୍ରୀ ନିତ୍ୟାନନ୍ଦଙ୍କୁ ଦୁଇଟି ଚନ୍ଦ୍ର ବୋଲି କୁହା ଯାଇଛି । ପଦଟି ହେଉଛି :-

‘‘ଜୟଜୟ ଶ୍ରୀଚୈତନ୍ୟ ଜୟ ନିତ୍ୟାନନ୍ଦ,
ଜୟ ଦ୍ବୈତଚନ୍ଦ୍ର ଜୟ ଗୌର ଭକ୍ତବୃନ୍ଦ।’’

ଶ୍ରୀଚୈତନ୍ୟଙ୍କ ବୈଷ୍ଣବ ଅନୁଗାମୀ ଭକ୍ତ ମାନଙ୍କ ବିଶ୍ବାସ, ଶ୍ରୀଚୈତନ୍ୟ ହେଉଛନ୍ତି କୃଷ୍ଣ ଏବଂ ଶ୍ରୀ ନିତ୍ୟାନନ୍ଦ ବଳରାମ । ବର୍ଣ୍ଣନା ଅଛି :-

‘‘ସେଇ କୃଷ୍ଣ ନବଦ୍ବୀପେ ଶ୍ରୀଚୈତନ୍ୟ ଚନ୍ଦ୍ର,
ସେଇ ବଳରାମ ସଙ୍ଗେ ଶ୍ରୀ ନିତ୍ୟାନନ୍ଦ।’’

ପୁଣି ଗୌଡ଼ୀୟ ବୈଷ୍ଣବଧର୍ମ ଅନୁଗାମୀ ମାନଙ୍କ ବିଶ୍ବାସ,ଏ ଦୁହେଁ ଭିନ୍ନ ସ୍ବରୂପ ହେଲେ ମଧ୍ୟ ଏକ କାୟା । ଏଣୁକରି ଶ୍ରୀଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମରେ ଶ୍ରୀନିତ୍ୟାନନ୍ଦଙ୍କର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ।

ନିତ୍ୟାନନ୍ଦ ମହାପ୍ରଭୁ 1474 ଖ୍ରୀଷ୍ଟାବ୍ଦରେ ପଶ୍ଚିମ ବଙ୍ଗ ବୀରଭୂମ ଜିଲ୍ଲାର ଏକଚକ୍ର ଗ୍ରାମରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଭୂମିଷ୍ଠ ହୋଇ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପଣ୍ଡିତ ହାଦାଇ ଏବଂ ମାଆ ଥିଲେ ପଦ୍ମାବତୀ । ବାଲେଶ୍ୱରର ରେମୁଣା ଠାରେ ଥିବା ପ୍ରଭୁ ଶ୍ରୀ କ୍ଷୀରଚୋରା ଗୋପୀନାଥ ଯେଉଁ ମାଧବେନ୍ଦ୍ର ପୁରୀଙ୍କ ପାଇଁ କ୍ଷୀରା ଚୋରି କରିଥିଲେ ସେ ଥିଲେ ତାଙ୍କର ଗୁରୁ । ନିତ୍ୟାନନ୍ଦ ସଂକୀର୍ତ୍ତନ ପ୍ରଚାର କରୁଥିଲା ବେଳେ ଏକଦା ଜଗାଇ ମାଧାଇ ନାମକ ଦୁଇ ଜଣ ଡାକୁ ତାଙ୍କୁ ଆକ୍ରମଣ କଲେ । ପ୍ରଭୁ ସେମାନଙ୍କୁ ହରି ନାମ ଶ୍ରବଣ କରାଇ ବଶୀ ଭୂତ କରିଥିଲେ ଏବଂ ଦୁହେଁ ପରବର୍ତ୍ତୀ କାଳରେ ଶ୍ରୀ ହରିଙ୍କ ପରମ ଭକ୍ତରେ ରୂପାନ୍ତରିତ ହୋଇଥିଲେ । ଏଣୁ କୁହା ଯାଇଛି :-

” ହରିବୋଲ ବୋଲ ଭାଈ, ହରିବୋଲ ଭାଈ
ହରିନାମେ ତରିଗଲେ ଜଗାଇ ମାଧାଇ ”

ଶ୍ରୀ ନରୋତ୍ତମ ଦାସ ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କ ଗୁଣ କୀର୍ତ୍ତନ କରି ଗାଇଛନ୍ତି :-
ପତିତ-ପାବନ-ହେତୁ ତବ ଅବତାର ।
ମୋ ସମ ପତିତ ପ୍ରଭୁ ନା ପାଇବେ ଆର ।।
ହା ହା ପ୍ରଭୁ ନିତ୍ୟାନନ୍ଦ, ପ୍ରେମାନନ୍ଦ ସୁଖୀ ।
କୃପାବଲୋକନ କର ଆମି ବୋରୋ ଦୁଃଖୀ ।।

ଜୟ ପ୍ରଭୁ ନିତ୍ୟାନନ୍ଦ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights