====================
ଆଷାଢ଼ମାସ ଆସିଗଲେ ମହାପ୍ରଭୁ ଜଗନ୍ନାଥଙ୍କର କି ଖୁସି । ଘୋଷ ଯାତ୍ରା,କେତେକେତେ ଭକ୍ତ ଚାହିଁ ବସିଥିବେ,ତାଙ୍କ ସହ ମିଶିବେ,ଛେଚା,କୁଟା,ଟଣା ଓଟରା ଖାଇ ରଥରେ ବସିବେ,ଆଉ ଭକ୍ତମାନଙ୍କ ହରିବୋଲ,ଘଣ୍ଟ, ଘଣ୍ଟା, ଖୋଳ,କୀର୍ତ୍ତନ ମଧ୍ୟରେ ନାଚିନାଚି ରଥ ସବୁ ବଡ଼ଦାଣ୍ଡ ଦେଇ ଯାତ୍ରାକରିବ ଗୁଣ୍ଡିଚା ବାଡ଼ି,ଏମିତି କେତେ କଥା ।
ତା’ ଭିତରେ ସବୁଠାରୁ ବଡ଼ କଥା ହେଲା, ତାଙ୍କ ମାଉସୀ ମାଆ ପୋଡ଼ ପିଠା କରି ଚାହିଁ ବସି ଥିବେ, ତାଙ୍କ ଘରେ ସୁଆଦିଆ ପୋଡ଼ ପିଠା ଖିଆ ହେବ । ମହାପ୍ରଭୁଙ୍କ ମାଉସୀ ମାଆ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡ ମଧ୍ୟ ସ୍ଥଳରେ ବିରାଜମାନ କରିଛନ୍ତି । ମାଉସୀ ମାଆ ରଥଯାତ୍ରା ଆସିଲେ ଚର୍ଚ୍ଚାର ପରିସରକୁ ଆସି ଯାଆନ୍ତି ।
ମହାପ୍ରଭୁ ବାହୁଡ଼ାରେ ଶ୍ରୀମନ୍ଦିରକୁ ଫେରିଆସିଲା ବେଳେ ଏହି ମାଉସୀ ମା’ ମନ୍ଦିରଠାରେ ମାଉସୀ ପୋଡ଼ପିଠା ଖାଇଥାନ୍ତି । ବଳଗଣ୍ଡିଠାରୁ ଶ୍ରୀମନ୍ଦିର ରାସ୍ତା ବାମ ପାର୍ଶ୍ଵରେ ରହିଛି ମାଉସୀ ମାଆଙ୍କର କ୍ଷୁଦ୍ର ମନ୍ଦିର।
ମାଉସୀ ମା’ କୁହାଯାଉଥିବା ଏହି ଦେବୀଙ୍କ ନାମ କିନ୍ତୁ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶନି । ମାଆ ପ୍ରଳୟ କାଳରେ ପ୍ରଳୟ ଜଳକୁ ଅର୍ଦ୍ଧାଧିକ ଶୋଷଣ କରି ନାମ ବୋଲାଇଛନ୍ତି ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶିନୀ । ପ୍ରଳୟ ଜଳକୁ ଶୋଷଣ କରି, ମାଆ ଶ୍ରୀକ୍ଷେତ୍ରକୁ ରକ୍ଷା କରିଥାନ୍ତି।ମାଆଙ୍କ ମାହାତ୍ମ୍ୟ ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ,ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି ।
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶବର ଦେବତା । ଦେବୀ ଆଗରୁ ଏଠାରେ ଥିବା ଶବର ପଲ୍ଲୀକୁ ମଧ୍ୟ ସୁରକ୍ଷା ପ୍ରଦାନ କରୁ ଥିଲେ । ଏଣୁ ଶବରରାଜ ବିଶ୍ୱାବସୁଙ୍କ ବଂଶଧର ଦଇତାପତିଙ୍କର ମାଆ ହେଉଛନ୍ତି ଇଷ୍ଟଦେବୀ ।
ମାଆଙ୍କ ବର୍ତ୍ତମାନ ଦୃଶ୍ୟମାନ କ୍ଷୁଦ୍ର ମନ୍ଦିରଟିକୁ, ଅନୁମାନ କରାଯାଏ କେଶରୀ ବଂଶର ରାଜା ନିର୍ମାଣ କରିଥିଲେ । ଦେବୀ ଅର୍ଦ୍ଧାଶିନୀଙ୍କ ବିଗ୍ରହ କୃଷ୍ଣ ପ୍ରସ୍ତରର ନିର୍ମିତ ଦ୍ଵିଭୁଜା ମୂର୍ତ୍ତି । ମାଆ ଗୋଟିଏ ହସ୍ତରେ ଜପମାଳା ଧାରଣ କରିଛନ୍ତି ଓ ଅନ୍ୟ ହସ୍ତଟି ଅଭୟମୁଦ୍ରାରେ ରହିଛି । ଦୁଇ ପାର୍ଶ୍ଵରେ ଛାୟା ମାୟା ପାର୍ଶ୍ଵ ଦେବୀ ଭାବେ ବିଦ୍ୟମାନ । ବିଗ୍ରହର କଟିଦେଶରୁ ମସ୍ତକ ପର୍ଯ୍ୟନ୍ତ ମା’ ଶୁଭଦ୍ରାଙ୍କ ମୁଖ ଆକୃତି ଦାରୁ ନିର୍ମିତ ମୁଖାଟିଏ ପ୍ରତିରୋପଣ କରା ଯାଇଛି । ଦେବୀଙ୍କ ଏଭଳି ମୁଖ ଧାରଣ କରିବାର କାରଣ ଜଣାପଡ଼େ ନାହିଁ ।
ଦେବୀଙ୍କ ଧ୍ୟାନମନ୍ତ୍ରରେ ତାଙ୍କ ସୁନ୍ଦର ରୂପ ବର୍ଣ୍ଣନା ରହିଛି :-
ଦ୍ୱିଭୁଜା ସୌମ୍ୟ ଵଦନାଂ ଅଭୟ ଅକ୍ଷ ଧାରିଣୀ ।
ବିଷ୍ଣୁ ପ୍ରିୟାଂ ସମ୍ଭୁତା ପ୍ରଳୟ ବାରି ଶୋଷିକାଃ ।।
ନାନା ବସନ ଭୁସିତାଂ ଆର୍ତ୍ତତ୍ରାଣ ପରାୟଣୀ ।
ଅର୍ଦ୍ଧାଶନୀ ନମସ୍ତୁତେ ଭକ୍ତାନାଂ ଅଭୟ ପ୍ରଦାମ୍ ।।
ମନ୍ଦିର ଦ୍ୱାରରେ ଦୁଇଟି ସିଂହ ବଡ଼ ଦାଣ୍ଡକୁ ମୁଖ କରି ବସିଛନ୍ତି । ଦେବୀ ଦକ୍ଷିଣ ମୁଖୀ ହୋଇ ଏହି ମନ୍ଦିରରେ ବିଜେ କରିଛନ୍ତି । ତାଙ୍କ ସମ୍ମୁଖର କ୍ଷୁଦ୍ର ମନ୍ଦିରରେ ଗଜ ପୃଷ୍ଠାରୁଢ଼ ସିଂହ ବସିଛନ୍ତି । ମୁଖ୍ୟ ମନ୍ଦିର,ଭିତର ଜଗମୋହନ,ବାହାରଜଗମୋହନ ଓ ଗର୍ଭଗୃହ ହୋଇ ତିନି ଭାଗରେ ବିଭକ୍ତ ।
ମାଆଙ୍କ ଦୈନନ୍ଦିନ ନୀତି ସହ ସକାଳ, ସଞ୍ଜରେ ବାଳ ଭୋଗ ବ୍ୟବସ୍ଥା ରହିଛି । ଏଠାରେ ପାକାନ୍ନ ବା ଅନ୍ନଭୋଗ ନିଷିଦ୍ଧ । ଦେବୀଙ୍କ ପୂଜା ବନଦୁର୍ଗା ମନ୍ତ୍ରରେ ହୋଇଥାଏ । ଆଶ୍ୱିନର ଶାରଦୀୟ ଦୁର୍ଗା ପୂଜା ସମୟରେ ଗଜପତି ଦେବୀଙ୍କ ପୂଜା ପାଇଁ ବ୍ରାହ୍ମଣ ବରଣ କରିଥାନ୍ତି । ଦେବୀଙ୍କର ଅତି ପ୍ରିୟ ଭୋଗ ଛେନା ତାଡି଼ଆ ।
ଶ୍ରୀଜଗନ୍ନାଥ ବାହୁଡା ଯାତ୍ରାରେ ଫେରିବା ବେଳେ ଏଠାରେ ପୋଡ଼ ପିଠା ଲାଗି ହୋଇ ମହାପ୍ରଭୁଙ୍କୁ ସର୍ପମଣୋହି କରାଯାଏ । ମହାପ୍ରଭୁଙ୍କ ନିକଟରେ କୌଣସି ପୋଡ଼ାଭୋଗ ଲାଗି ହୁଏନାହିଁ । ଏ ପିଠା ନାମ ପୋଡ଼ପିଠା, ମାତ୍ର ସାଧାରଣ ପୋଡ଼ ପିଠାକୁ ପୋଡ଼ କରି ପ୍ରସ୍ତୁତ କରା ଯାଉଥିଲା ବେଳେ ଏହି ପୀଠାକୁ ବାମ୍ଫ ଦ୍ୱାରା ସିଝାଇ ପ୍ରସ୍ତୁତ କରା ଯାଇ ଥାଏ । ଏହି ପୀଠାର ପ୍ରସ୍ତୁତି ହେରାପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ । ଏହାକୁ ଅଟା, ଛେନା, ଚିନି, ଘିଅ ପ୍ରଭୃତି ସାମଗ୍ରୀ ଦ୍ୱାରା ମାଟି ହାଣ୍ଡିକୁ ଚୁଲିରେ ବସାଇ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇ ଥାଏ ।
ମାଉସୀ ମାଆଙ୍କର ବିଶେଷ ଉତ୍ସବ, ଜଳ ଶାୟୀ ଉତ୍ସବ ବୈଶାଖ ନୃସିଂହ ଚତୁର୍ଦଶୀ ଦିନ ପାଳନ କରାଯାଏ । କୂପ ଜଳରେ ଚନ୍ଦନ, ଅଗୁରୁ, ଚୁଆ, ଯାଇଫଳ ମିଶା ଯାଇ ମାଆଙ୍କୁ ନାଶାଗ୍ର ପର୍ଯ୍ୟନ୍ତ ଜଳଶାୟୀ କରି ରଖାଯାଏ । ଉକ୍ତ ଜଳର ଅର୍ଦ୍ଧେକ ଜଳକୁ ମାଆ ଶୋଷଣ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ ।
ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ମହାଲକ୍ଷ୍ମୀ ତିରସ୍କୃତ ହୋଇ ମହାପ୍ରଭୁଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇଥିଲେ । ମାଆ ଲକ୍ଷ୍ମୀଙ୍କ ଅଭିଶାପ ଫଳରେ ଶ୍ରୀଜଗନ୍ନାଥ ଓ ଜ୍ୟେଷ୍ଠ ଭାଈ ବଳରାମ ବାର ବର୍ଷ କାଳ ଲକ୍ଷ୍ମୀ ଛଡ଼ା ଭିକ୍ଷୁକ ହୋଇ ଭିକ୍ଷା ମାଗି ଦ୍ୱାରେଦ୍ୱାରେ ବୁଲିଥିଲେ। ମହାପ୍ରଭୁ ସେତେ ବେଳେ ଗେହ୍ଲାଭଉଣୀ ସୁଭଦ୍ରାଙ୍କୁ ମାଉସୀମାଆଙ୍କ ଘରେ ଛାଡ଼ିଦେଇ ଯାଇଥିଲେ ବୋଲି କୁହାଯାଏ ।
ମାଆଙ୍କ ନାମ ଅର୍ଦ୍ଧଶୋଷଣୀ ଓ ସେ ମହାପ୍ରଭୁଙ୍କ ମାଉସୀ ଏନେଇ କେତେକ ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ ରହିଛି ।
ଗୋଟିଏ ପୌରାଣିକ କିମ୍ବଦନ୍ତୀରୁ ଜଣାଯାଇଥାଏ ଯେ ପ୍ରଳୟକାଳରେ ରୋହିଣୀକୁଣ୍ଡରୁ ପ୍ରଳୟବାରି ବିସ୍ତାରିତ ହୋଇଥାଏ ଏବଂ ପ୍ରଳୟ ଶେଷ ହେଲା ପରେଏହି ଜଳ ପୁଣି ସଂକୁଚିତ ହୋଇ ରୋହିଣୀ କୁଣ୍ଡରେ ଲୀନ ହୋଇ ଯାଏ । ଥରେ ଏହି ପ୍ରଳୟ ଜଳ ଲୀନ ନହେବାରୁ ଶ୍ରୀକ୍ଷେତ୍ର ମହାପ୍ଲାବନରେ ଧ୍ବଂସ ହେବାକୁ ବସିଲା । ମାଆ ଲକ୍ଷ୍ମୀ ସୁଭଦ୍ରାଙ୍କୁ ଏକଥା କହିବାରୁ ସେ ତାଙ୍କ ଯୋଗମାୟା ଶକ୍ତିରୁ ଏକ ଶକ୍ତି ସୃଷ୍ଟି କଲେ । ସେ ଶକ୍ତି ପ୍ରଳୟ ବାରିକୁ ଅର୍ଦ୍ଧେକ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କଲେ । ସେହି ଅର୍ଦ୍ଧ ଶୋଷଣକାରୀଣୀ ଦେବୀ ହେଉଛନ୍ତି ମା’ ଅର୍ଦ୍ଧଶୋଷଣୀ ।
ଏହା ଇନ୍ଦ୍ରନୀଳମଣି ପୁରାଣ, ନିମ୍ନ ଶ୍ଳୋକରୁ ଜଣା ପଡ଼ିଥାଏ :-
ଯୋଗମାୟାମ୍ ସମ୍ଭୁତାଂ ପ୍ରଳୟୋଦକ ଶୋଷିଣୀ
ଅର୍ଦ୍ଧାଶନୀ ମହାଦେବୀ କ୍ଷେତ୍ର ରକ୍ଷା ବିଧାୟିନୀ ll
ସ୍କନ୍ଧପୁରାଣରେ ମଧ୍ୟ ସେ ଅର୍ଦ୍ଧେକ ଜଳକୁ ଅଶନ ବା ଭକ୍ଷଣ କରି ଥିବାରୁ ତାଙ୍କର ନାମ ଅର୍ଦ୍ଧାଶିନୀ ହୋଇଛି ବୋଲି ଉଲ୍ଲେଖ ଅଛି । ଆଦିଶକ୍ତି ମାଆ ଯୋଗମାୟାଙ୍କଠାରୁ ଏହି ଦେବୀଙ୍କ ସୃଷ୍ଟି, ତେଣୁ ସେ ମହାପ୍ରଭୁଙ୍କ ମାଉସୀ ।
ଅର୍ଦ୍ଧଶୋଷଣୀ ଦେବୀ ପ୍ରଳୟ ଜଳ ଶୋଷଣ ସହ ନିକଟର ଶବର ପଲ୍ଲୀକୁ ମଧ୍ୟ ରକ୍ଷା କରୁଥିଲେ । ତେଣୁ ସେ ଦଇତାପତି ମାନଙ୍କ ଇଷ୍ଟଦେବୀ । ସେ ଯୋଗମାୟାଙ୍କ ଭଗ୍ନୀ ସ୍ୱରୂପା ହୋଇଥିବାରୁ ତାଙ୍କ ବିଗ୍ରହକୁ ସୁଭଦ୍ରାଙ୍କ ମୁଖା ଦ୍ୱାରା ଆବୃତକରି ରଖା ଯାଇଥାଏ । ତାଙ୍କୁ ଦଇତାପତିମାନେ ଗୁହ୍ୟଦେବୀ ଭାବେ ପୂଜା କରନ୍ତି । ସେମାନେ ଇନ୍ଦ୍ର ନୀଳମଣୀ ବିଗ୍ରହକୁ ଲୁଚାଇ ରଖିଲା ସଦୃଶ ଏହି ବିଗ୍ରହକୁ ଲୁଚାଇ ରଖିଛନ୍ତି ।
ଆହୁରି କୁହାଯାଏ ପ୍ରଭୁ ଶ୍ରୀରାମ ବନବାସ ଯିବା ସମୟରେ କାକି ମାଆ କୈକେୟୀଙ୍କୁ କହିଥିଲେ, ମାଆ ତୁମର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ରହିବ । କଳିକାଳରେ ଶ୍ରୀକ୍ଷେତ୍ରରେ ମୁଁ ଦାରୁବ୍ରହ୍ମ ରୂପେ ଲୀଳା କରିବି । ତୁମେ ହେବ ମୋର ମାଉସୀ ମାଆ । ତୁମେ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ଅବସ୍ଥାନ କରିଥିବ । ମୁଁ ଘୋଷ ଯାତ୍ରାରୁ ଫେରିବା ପଥରେ ତୁମେ ମୋତେ ଅତି ଶ୍ରଦ୍ଧାରେ ପୋଡ଼ପିଠା ଖୁଆଇ ଦେବ। ପ୍ରଭୁଙ୍କର ଏହି କଥା ଅନୁସାରେ ବଡ଼ ଦାଣ୍ଡରେ ଆବିର୍ଭୁତା ହୋଇଛନ୍ତି ମାଆ ଅର୍ଦ୍ଧାଶିନୀ ଓ ମାଉସୀ ରୂପରେ ଶ୍ରଦ୍ଧାରେ ମହାପ୍ରଭୁଙ୍କୁ ଭୁଞ୍ଜାଇ ଦେଉଛନ୍ତି ପୋଡ଼ ପିଠା ।
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ ପୂର୍ବେ ଶରଧା ବାଲିଦେଇ ପ୍ରବାହିତ ହେଉଥିଲା ମାଳିନୀ ନଦୀ । ରଥଯାତ୍ରା ବେଳେ ନଦୀ ଦୁଇ ପାର୍ଶ୍ୱରେ ତିନୋଟି କରି ଛଅଗୋଟି ରଥରେ ସମ୍ପାଦିତ ହେଉଥିଲା ରଥଯାତ୍ରା । ବହୁ ଅସୁବିଧା ହେଉଥିଲା । ଅଦଳ ବଦଳ ପ୍ରକ୍ରିୟାରେ 6/7ଦିନ ଚାଲି ଯାଉ ଥିଲା । କାର୍ଯ୍ୟକୁ ସହଜ କରିବା ପାଇଁ ମାଳିନୀ ନଦୀର ଜଳକୁ ମାଆ ଅର୍ଦ୍ଧଶୋଷଣୀ ଅର୍ଦ୍ଧେକରୁ ଅଧିକ ଶୋଷି ନେଇ ଏ ନଦୀକୁ ଶୁଖାଇ ଦେଉ ଥିଲେ । ତେଣୁ ତାଙ୍କ ନାମ ହୋଇଛି ଅର୍ଦ୍ଧଶୋଷଣୀ ।
ଶ୍ରୀଜଗନ୍ନାଥ ସଂସ୍କୃତିରେ ମାଆ ଅର୍ଦ୍ଧଶୋଷଣୀଙ୍କ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି, କଥାରେ ଅଛି ମାଉସୀ ହେଉଛନ୍ତି ମାଆର ଅଧା । ମାତୃ ସ୍ନେହର ନିଦର୍ଶନ ହେଉଛି ମାଉସୀ ମାଆଙ୍କ ପୋଡ଼ ପିଠା ଓ କାଳିଆ ସାଆନ୍ତଙ୍କର ଏହି ପୋଡ଼ ପିଠା ଖିଆ ଲୀଳା ।
ଏଣୁ ଏକ ଲୋକଗୀତ ରହିଛି :-
ଫୁଲ ଫୁଟିଗଲା ନବ ନାଗରିଲୋ
କଷି ଧରିଗଲା ବେଲ ।
ମାଆର ଅଧା ସେ ମାଉସୀ ବୋଲିଲୋ
କାଳିଆ ହେଉଛି ଗେଲ ।।
!!! ଜୟ ମା’ ଅର୍ଦ୍ଧଶୋଷଣୀ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971