ଶ୍ରୀଗୋବର୍ଦ୍ଧନ ପୀଠର ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ

Share it

ଶ୍ରୀଧର ହେଉଛନ୍ତି ଶ୍ରୀଗୋବର୍ଦ୍ଧନ ପୀଠର ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ। ଗୁରୁଙ୍କପରେ ଶ୍ରୀଧର ଶ୍ରୀଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଏହି ମଠର ଦଶମ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ।

ଶ୍ରୀଧରସ୍ଵାମୀଙ୍କ ଜନ୍ମ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ମରେଇ ଗ୍ରାମରେ ହୋଇଥିଲା । ଭାଗବତର ସମସ୍ତ ପ୍ରବକ୍ତା ଶ୍ରୀଧର ସ୍ୱାମୀଙ୍କୁ ଉଚ୍ଚ ଆସନ ଦେଇଛନ୍ତି

ଶ୍ରୀମଦ୍ ଭାଗବତ ମହାପୁରାଣର ବହୁ ଟୀକାକାର ଅଛନ୍ତି । ସେମାନେ ନିଜ ନିଜ ଦୃଷ୍ଟି କୋଣରୁ ଏହି ଟୀକା ପ୍ରସ୍ତୁତ କରିଛନ୍ତି । ତା ମଧ୍ୟରେ ଶ୍ରୀ ସୁଦର୍ଶନ ସୁରୀଙ୍କ ଶୁକ ପରୀକ୍ଷା, ବୀର ରାଘବଙ୍କ ଭାଗବତ ଚନ୍ଦ୍ରିକା, ବିଜୟଧ୍ଵଜଙ୍କ ପଦ ରତ୍ନାବଳୀ, ଶୁକଦେବ ଆଚାର୍ଯ୍ୟଙ୍କ ସିଦ୍ଧାନ୍ତ ପ୍ରଦୀପ, ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କ ସୁବୋଧିନୀ ଟୀକା, ସନାତନ ଗୋସ୍ବାମୀଙ୍କ ବୃହତ୍ ବୈଷ୍ଣବତୋଷଣୀ, ଜୀବଗୋସ୍ବାମୀଙ୍କ କ୍ରମ ସନ୍ଦର୍ଭ, ବିଶ୍ଵନାଥ ଚକ୍ରବର୍ତ୍ତୀଙ୍କ ସାରାର୍ଥଦର୍ଶିନୀ, ଶ୍ରୀହରିଙ୍କ ହରିଭକ୍ତି ରସାୟନ, ଆଦି ବହୁ ପ୍ରସିଦ୍ଧ । କିନ୍ତୁ ସବୁ ଟୀକା ମଧ୍ୟରେ ଶ୍ରୀଧର ସ୍ବାମୀଙ୍କ ଭାବାର୍ଥ ଦୀପିକା ଟୀକାକୁ ଶ୍ରେଷ୍ଟ ବୋଲି ଗଣ୍ୟ କରାଯାଏ ।

ଶ୍ରୀଧରସ୍ଵାମୀଙ୍କ ଜନ୍ମ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ମରେଇ ଗ୍ରାମରେ ହୋଇଥିଲା । ଭାଗବତର ସମସ୍ତ ପ୍ରବକ୍ତା ଶ୍ରୀଧର ସ୍ୱାମୀଙ୍କୁ ଉଚ୍ଚ ଆସନ ଦେଇଛନ୍ତି ।

ନାଭାଦାସ ଭକ୍ତମାଳା ଗ୍ରନ୍ଥରେ ଲେଖିଛନ୍ତି, ଶ୍ରୀଧର ଶ୍ରୀ ଭଗୌତ ମେଁ, ପରମ ଧରମ ନିରାନୈ କିୟୋ । ହିନ୍ଦୀରେ ପ୍ରସିଦ୍ଧ ଟୀକାକାର ସ୍ବାମୀ ଅଖଣ୍ଡାନନ୍ଦଜୀ ମହାରାଜ ମଧ୍ୟ ଏହି କଥା କହିଛନ୍ତି ।

ଶ୍ରୀକ୍ଷେତ୍ର ଗମନକାଳରେ ଶ୍ରୀଚୈତନ୍ୟ ରେମୁଣାର କ୍ଷୀରଚୋରା ଗୋପୀନାଥ ପୀଠରେ ଏକଦା ରାତ୍ରୀ ଯାପନ କରିଥଲେ । ସେଠାରେ ଚୈତନ୍ୟ ମହାପ୍ରଭୁ ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ଭାଗବତ ଟୀକା ପାଠ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ସେ ସଙ୍ଗେ ସଙ୍ଗେ ଶ୍ରୀଧରଙ୍କ ଗ୍ରାମ ମୟୁର ଗାଁ ବା ମରେଈ ଗାଁକୁ ତାଙ୍କ ଦର୍ଶନ ପାଇଁ ଯାତ୍ରାକଲେ । ମରେଇ ଗାଁରେ ଶ୍ରୀଧର ସ୍ୱାମୀଙ୍କୁ ଦର୍ଶନକରି ଶ୍ରୀଚୈତନ୍ୟ ତାଙ୍କୁ ଗୁରୁବୋଲି ଗ୍ରହଣକଲେ । ଦେହରେ ତାଙ୍କ ଗ୍ରାମର ଧୂଳି ବୋଳି ହୋଇ, ଶ୍ରୀକ୍ଷେତ୍ର ଯାତ୍ରା ଆରମ୍ଭ କଲେ । ଚୈତନ୍ୟ ଚରିତାମୃତର ବର୍ଣ୍ଣନା ଅନୁସାରେ :-

ଶ୍ରୀଧର ସ୍ୱାମୀର ସ୍ଥାନେ ଗମନ କରିଲ ।
ଦର୍ଶନ ମାତ୍ରତେ ଧୁଲାୟ ଗଡ଼ାଗଡ଼ି ଦିଲ ।।

ଶ୍ରୀଚୈତନ୍ୟ ଶ୍ରୀଧର ସ୍ଵାମୀଙ୍କ ଭାଗବତଟୀକା ପଢ଼ି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଥିଲେ ଓ ତାଙ୍କୁ ଗୁରୁବୋଲି ମାନି ଲେଖିଛନ୍ତି :-

ଶ୍ରୀଧର ସ୍ବାମୀ ପ୍ରସାଦେ ଭାଗବତ ଜାନି ।
ଜଗଦ୍ଗୁରୁ ଶ୍ରୀଧର ସ୍ବାମୀ ଗୁରୁ କରି ମାନି ।।

ଖ୍ରୀଷ୍ଟାବ୍ଦ ୧୩୦୦ ରୁ ୧୪୦୦ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଶ୍ରୀଧର ସ୍ଵାମୀଙ୍କ ଗୁରୁ ଥିଲେ ପ୍ରସିଦ୍ଧ ଶୈବ ପୀଠ କପିଳାସର ଅଧ୍ୟକ୍ଷ ଶ୍ରୀରାମକୃଷ୍ଣାନନ୍ଦ ସ୍ଵାମୀ । ତାଙ୍କ ଠାରୁ ସେ ନୃସିଂହ ମନ୍ତ୍ରରେ ଦୀକ୍ଷିତ ହୋଇ ଥିଲେ । କିଛିଦିନ ପରେ, ଶ୍ରୀରାମକୃଷ୍ଣାନନ୍ଦ ସ୍ଵାମୀ ପୁରୀ ଶ୍ରୀଗୋବର୍ଦ୍ଧନ ମଠର ଅଧ୍ୟକ୍ଷହେଲେ । ଗୁରୁଙ୍କପରେ ଶ୍ରୀଧର ଶ୍ରୀଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଏହି ମଠର ଦଶମ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ । ଶ୍ରୀଧର ହେଉଛନ୍ତି ଶ୍ରୀଗୋବର୍ଦ୍ଧନ ପୀଠର ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ।

ନୃସିଂହ ମନ୍ତ୍ର ଜପ କରି, ଶ୍ରୀଧର ଶ୍ରୀମଦ୍ ଦ୍ଭାଗବତ ଓ ଶ୍ରୀମଦ୍ଭଗବତ୍ ଗୀତାର ଟୀକା ଲେଖିବାକୁ ସମର୍ଥ ହୋଇ ଥିଲେ । ସେ ଭଗବାନଙ୍କ କୃପାରୁ ଟୀକା ଲେଖିବାକୁ ସମର୍ଥ ହୋଇଛନ୍ତି ବୋଲି ସ୍ବୀକାର କରି ଶ୍ରୀମଦ୍ ଭାଗବତ ମଙ୍ଗଳାଚରଣରେ ଲେଖିଛନ୍ତି :-

ମୁକଂ କରୋତି ବାଚାଳଂ ପଙ୍ଗୁଲଙ୍ଘୟତେ ଗିରିଂ l
ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍ ॥

ସେତେବେଳେ ଭାଗବତ ସଂସ୍କୃତ ପଣ୍ଡିତମାନଙ୍କ ସର୍ବସ୍ବ ହୋଇ ରହି ଥିଲା । ଏବଂ କୁହାଯାଉ ଥିଲା, ବିଦ୍ୟା ଭାଗବତେ ପରୀକ୍ଷା, ଅର୍ଥାତ୍ ତୁମେ କେତେ ବିଦ୍ୟା ଜାଣିଛ ତାହା ଭାଗବତରେ ପରୀକ୍ଷା ହୋଇ ଥାଏ। ଏପରି ସ୍ଥଳେ ପଣ୍ଡିତ ମାନେ ଶ୍ରୀଧରଙ୍କ କୃତ ଭାଗବତର ଟୀକାକୁ ଗ୍ରହଣ କଲେନାହିଁ । ପରୀକ୍ଷା ପାଇଁ, ଦିନେ ବଡ଼ ସିଂହାର ବେଶ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଅନ୍ୟାନ୍ୟ ଗ୍ରନ୍ଥ ମାନଙ୍କ ତଳେ ଶ୍ରୀଧରଙ୍କ ଟୀକା ଗ୍ରନ୍ଥକୁ ରଖି ରାତ୍ରୀ ପହଡ଼ ପଡ଼ିଲା । ପର ଦିନ ପ୍ରଭାତରେ ମହାପ୍ରଭୁ ଅପହୁଡ଼ ହୁଅନ୍ତେ ଦେଖାଗଲା, ଶ୍ରୀଧରଙ୍କ ଗ୍ରନ୍ଥ, ସବୁ ଗ୍ରନ୍ଥଙ୍କ ଉପରେ ରହିଛି ।

ଥରେ ଶ୍ରୀବଲ୍ଲଭାଚାର୍ଯ୍ୟ ତାଙ୍କ ଟିକା ଉତ୍କୃଷ୍ଟ ବୋଲି ମନରେ ଆଣି ଶ୍ରୀଚୈତନ୍ୟଙ୍କୁ ପଢ଼ିବାକୁ କହିଲେ । ତାଙ୍କ ଗର୍ବ ଭାବକୁ ଜାଣିପାରି, ଚୈତନ୍ୟ ମହାପ୍ରଭୁ କହିଲେ, ତୁମେ ଶ୍ରୀଧରଙ୍କୁ ନିନ୍ଦାକରି ଯେଉଁ ଟୀକା ପ୍ରସ୍ତୁତ କରିଛ, ତାହା ଗର୍ବର ପରିଚାୟକ । ଶ୍ରୀଧର ତ ସେପରି ଆସ୍ପର୍ଦ୍ଧା କରି ନାହାଁନ୍ତି । ତାଙ୍କ ପ୍ରସାଦରୁ ମୁଁ ଭାଗବତ ଜାଣି ପାରିଛି । ତୁମେ ଗର୍ବ ପରିହାର କରି ତାଙ୍କୁ ଗୁରୁ ମାନ୍ୟ କରି ଅନ୍ୟ ଗୋଟିଏ ଟୀକା ପ୍ରସ୍ତୁତିରୁ ନିବୃତ୍ତ ହୁଅ । ତାଙ୍କ ଟୀକା ଅପୂର୍ଣ୍ଣରହିଲା । ପରେ ତାଙ୍କ ପୁଅ ଏହାକୁ ସମ୍ପୂର୍ଣ୍ଣ କଲେ ।

ବିଦ୍ୟା ନଗରୀ ବନାରସରେ ମଧ୍ୟ ଶ୍ରୀଧରଙ୍କୁ ଥରେ ପରୀକ୍ଷା ଦେବାକୁ ପଡ଼ି ଥିଲା । ତାଙ୍କ ଟୀକାର ସର୍ଵ ମାନ୍ୟତା ପରୀକ୍ଷା ପାଇଁ ଥରେ ଅନ୍ୟ ଟୀକା ସହିତ ତାଙ୍କ ଟୀକାକୁ କାଶୀ ବିଶ୍ଵନାଥଙ୍କ ମନ୍ଦିରରେ ରଖି ଦିଆଗଲା । ପ୍ରଭାତରେ ମନ୍ଦିର ଖୋଲିବାରୁ ଦେଖା ଗଲା ଶ୍ରୀଧରଙ୍କ ଟୀକା ସବୁ ଟୀକା ଉପରେ ରହିଛି ଏବଂ ତା’ ଉପରେ ଲେଖା ଯାଇଛି :-

‘ଅହଂ ବେତ୍ତି, ଶୁକୋ ବେତ୍ତି, ବ୍ୟାସୋ ବେତ୍ତି, ନ ବେତ୍ତି ବା ।ଶ୍ରୀଧରଃ ସକଳଂ ବେତ୍ତି, ଶ୍ରୀ ନୃସିଂହ ପ୍ରସାଦତଃ’।

ଅର୍ଥାତ୍ ମୁଁ ଶୁକଦେବ ଓ ବ୍ୟାସଦେବ ଏହି ଭାଗବତ ବିଷୟରେ ଯାହା ଜାଣୁ ବା ନଜାଣୁ, ଶ୍ରୀଧର ଶ୍ରୀନୃସିଂହଙ୍କ ପ୍ରସାଦରୁ ସବୁ କିଛି ଜାଣନ୍ତି । ଏହିପରି ଭାବେ ସ୍ଵୟଂ ଭଗବାନ ଶଙ୍କର ଶ୍ରୀଧରଙ୍କ ଟୀକାକୁ ସ୍ଵୀକୃତି ଦେଲେ ।

ଶ୍ରୀଧର ସ୍ବାମୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ମହାପ୍ରଭୁଙ୍କ ଆଦ୍ୟରୂପ ଶ୍ରୀନୃସିଂହଙ୍କ ପ୍ରସାଦରୁ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ହୋଇ ସେ ଶ୍ରୀମଦ୍ ଭାଗବତର ସରଳ ସାବଲୀଳ ଭାବାର୍ଥ ଦୀପିକା ଟୀକା ପ୍ରସ୍ତୁତ କରିଥିଲେ । ଯାହା ଫଳରେ ଭାଗବତର ଜଟିଳ ତତ୍ତ୍ଵ ସାଧାରଣରେ ବୋଧଗମ୍ୟ ହେଲା । ଏଣୁ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ତୁତି କରି ଲେଖି ଥିଲେ,

“ତତ୍ କୁରୁଷ୍ଟ ଜଗନ୍ନାଥ ସହଜାନନ୍ଦ ରୂପ ଧୃକ୍
ତ୍ଵୟୀ ପ୍ରସନ୍ନେ କିଂ ନାଥ, ଦୁର୍ଲ୍ଲଭଂ ମମ ବିଦ୍ୟତେ”

ଭାବାର୍ଥଦୀପିକା ଟୀକା ଆଦ୍ୟରେ ସେ ଭଗବାନ୍ ନୃସିଂହଙ୍କ ବନ୍ଦନାକରି ଲେଖିଲେ :-

ବାଗୀଶା ଯସ୍ୟ ବଦନେ, ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେହୃଦୟେସମ୍ବିତ ଓଁନୃସିଂହମହଂ ଭଜେ ।।

ପରବର୍ତ୍ତୀ ସମୟରେ, ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଶ୍ରୀଧର ସ୍ବାମୀଙ୍କ ଭାବଧାରାରେ ଅନୁପ୍ରାଣିତ ହୋଇ ରଚନା କଲେ, ଓଡ଼ିଆ ଭାଗବତ ଏବଂ ପ୍ରାରମ୍ଭରେ ଭଗବାନ୍ ନୃସିଂହଙ୍କୁ ବନ୍ଦନା କଲେ :-

ନମଇଁ ନୃସିଂହ ଚରଣ ।
ଅନାଦି ପରମ କାରଣ ।।

🙏ଓଁ ନମଃ ଭଗବତେ ବାସୁଦେବାୟ 🙏

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights