ଶ୍ରୀକ୍ଷେତ୍ରରେ ପାକିସ୍ଥାନ ମଠ

Share it

ଶ୍ରୀକ୍ଷେତ୍ରରେ ବର୍ତ୍ତମାନ ଅବସ୍ଥିତ ପ୍ରାୟ ଦୁଇ ଶହ ପଞ୍ଚସ୍ତରୀ ମଠ ତଥା ଆଶ୍ରମ ମଧ୍ୟରୁ ବାଳକରାମ ଦାସ ମଠ ଅନ୍ୟତମ

ଦେଶ ବିଭାଜନ ପୂର୍ବରୁ ଅଖଣ୍ଡ ଭାରତ ବର୍ଷରେ ମନୋହର ନଗର ଥିଲା ଲାହୋର । ଲାହୋରର ଗୋଟିଏ ବ୍ରାହ୍ମଣ ପରିବାରେ ଜନ୍ମଗ୍ରହଣ କରିଥିଲେ ବାଳକ ରାମ ଦାସ । ତାଙ୍କ ଜନ୍ମ ସ୍ଥାନ ବିଷୟରେ ଦାଢ୍ୟତା ଭକ୍ତି କହେ :-
ଶୁଦ୍ଧ ପଶ୍ଚିମ ସେ ଲାହୋର ।
ଦେଶରେ ଅଟେ ତାର ଘର ।।

ମାତା, ପିତା ଓ ପାଞ୍ଚ ଭାଇଙ୍କ ସହ ବାଳକ ରାମ ଲାହୋରରେ ନିବାସ କରୁଥାଏ । ପିଲାବେଳୁ ସେ କାହିଁକି କେମିତି ଘରକାମ ପ୍ରତି ବୀତସ୍ପୃହ ଥାଏ । ସେ ପିତାମାତା, ଭାଇମାନଙ୍କ କଥାକୁ କାନ ଦିଏ ନାହିଁ l କେଉଁ ଚିନ୍ତାରେ ଦିନରାତି ବୁଡ଼ି ରହିଥାଏ । ଫୁଲ,ଚନ୍ଦନ,ମାଳା ପିନ୍ଧି ଲେଙ୍ଗୁଟି ମାରି ଇଆଡ଼େ ସିଆଡ଼େ ଘୁରିବୁଲେ ।

ଥରେ ପିତା ବାଳକରାମକୁ ଡାକି କହିଲେ,ବାବା ତୁ କାହାରି କଥା ଶୁଣୁନାହୁଁ, କୌଣସି ଗୃହ କାର୍ଯ୍ୟରେ ମନ ଦେଉ ନାହୁଁ, ବସି ଖାଇଲେ ନଈବାଲି ସରେ । ଜୀବନରେ ଅଶେଷ ଦୁଃଖ ପାଇବୁ ବାବୁ ।

ମାତ୍ର ବାଳକ ରାମ କାହାରି କଥା ଶୁଣିଲା ନାହିଁ । ଶେଷକୁ ଭାଇମାନେ ବିଚାର କଲେ ଏ ବସି ଖିଆଟାକୁ ଘରୁ ତଡ଼ିଦେବା । ଭାଇ ମାନଙ୍କ ଠାରୁ ବହେ ମାଡ଼ଖାଇ ବାଳକରାମ ଘର ଛାଡ଼ି ଜଙ୍ଗଲକୁ ପଳାଇଲା ।

ସଂସାରର ସବୁ ମାୟା ମୋହ ଛିନ୍ନ କରି, ବାଳକ ଜଙ୍ଗଲରେ ଗୋଟିଏ ବୃକ୍ଷ ମୂଳେ ବସି ଶ୍ରୀ ହରିଙ୍କ ନାମ ଜପ କରିବାରେ ଲାଗିଲେ l ପାନ, ଆହାର ତେଜ୍ୟାକରି କେବଳ ହରି ନାମ ଅମୃତ ପାନରେ ଦିନ କଟି ଚାଲିଥାଏ । ଦିନେ ମଣିଷର ଗନ୍ଧ ପାଇ ଦଳେ ବ୍ୟାଘ୍ର ଆସି ତାକୁ ଘେରି ଗଲେ । ଲାଙ୍ଗୁଡ଼ ବାଡ଼େଇ ଘୋର ଗର୍ଜନ କରି ଖାଇବାକୁ ଉଦ୍ୟତ ହେଲେ । ବାଳକରାମ ଆଖି ବୁଝି ନିଶ୍ଚଳ ହୋଇ ବସିଥାଏ । ମନେମନେ ପ୍ରଭୁଙ୍କୁ କହୁଥାଏ,ଯାହା ତୁମର ଇଚ୍ଛା କର ।

କାଣ୍ଡ କୋଦଣ୍ଡ ହସ୍ତରେ ଏକ କିରାତ ଆସି ବାଘ ପଲକୁ ଘଉଡ଼ାଇ ଦେଲେ । ସେ ବାଳକ ରାମ ପାଖରେ ପହଞ୍ଚି କହିଲେ, ଆରେ ହେ ବାଳକ, ତୁ ଏ ହିଂସ୍ର ଜନ୍ତୁ ଭରା ଜଙ୍ଗଲଟାରେ କାହିଁକି ବସିଛୁ, ଶୀଘ୍ର ତୋ ନିଜ ଘରକୁ ପଳା ନୋହିଲେ ବାଘ, ଭାଲୁଙ୍କ କବଳରେ ତୋର ପ୍ରାଣ ଚାଲିଯିବ ।

ବାଳକରାମ କହିଲା, ଯାହା କହିଲ ଶଵର ଭାଇ ତାହା ଠିକ, କିନ୍ତୁ ଏ ସଂସାରରେ ମୋର କେହି ନାହିଁ, ମୁଁ ଘର ଦ୍ୱାର ଛାଡ଼ି ଏ ଅରଣ୍ୟକୁ ଚାଲି ଆସିଛି, କେବଳ ଶ୍ରୀହରିଙ୍କ ଦର୍ଶନ ପାଇଁ । ତାଙ୍କରି ପାଦ ପଦ୍ମରେ ଧ୍ୟାନ ଲଗାଇଛି ।

ଏ କଥା ଶୁଣି ଶଵର କହିଲେ, ତୁ ପାଗଳ ହେଲୁ କିରେ ! ଯାହାଙ୍କ ଦର୍ଶନ ପାଇଁ ମୁନି ଋଷିମାନେ ଯୁଗ ଯୁଗ ଧରି ତପସ୍ୟା କରନ୍ତି, ତୁ ତାଙ୍କ ଦର୍ଶନପାଇବୁ କିପରି ? ଏ ବୃଥା ପ୍ରୟାସ ଛାଡ଼ି ପୈତୃକ ପ୍ରାଣଟା ବଞ୍ଚାଇ ଏଠୁ ଚାଲିଯାଆ ।

ବାଳକ କହିଲା, ନାଁ ନାଁ ପ୍ରଭୁ ପରମ ଦୟାଳୁ ସେ ନିଶ୍ଚୟ ମୋ ଡାକ ଶୁଣିବେ । ତାହାର ଏପରି ଦୃଢ଼ ବିଶ୍ୱାସ ଦେଖି ଶଙ୍ଖ, ଚକ୍ରଧାରୀ ଭଗବାନ ପ୍ରକଟ ହୋଇଗଲେ ।

ବାଳକ ପ୍ରଭୁଙ୍କ ପାଦତଳେ ପଡ଼ିଗଲା । ତା ଚକ୍ଷୁରୁ ବହି ଯାଉ ଥାଏ ଆନନ୍ଦାଶ୍ରୁ । କାନ୍ଦି କାନ୍ଦି କହିଲା, ହେ ପ୍ରଭୁ ଆପଣ କେଡ଼େ ଦୟାଳୁ । ଅନୁଗ୍ରହ କରି ଆଜି ଏହି ଅକିଞ୍ଚନକୁ ଦର୍ଶନ ଦେଲେ ।

ଚତୁର୍ଭୁଜ ଭଗବାନ କହିଲେ ବାଳକ ତୋ ନିଷ୍ଠାରେ ମୁଁ ବଡ଼ ପ୍ରୀତ ହୋଇଛି, ଏବେ ତୁ କି ବର ମାଗୁଛୁ ମାଗ ।

ବାଳକ କହିଲା, ପ୍ରଭୁ ମୋତେ ଏହି ବର ଦିଅନ୍ତୁ, ମୋର ଆଉ ପୁନର୍ଜନ୍ମ ନ ହେଉ, ଆପଣଙ୍କ ପାଦ ତଳେ ମୋତେ ସ୍ଥାନଦିଅନ୍ତୁ । ଆଉ ଗୋଟିଏ ବର ଦିଅନ୍ତୁ ମୁଁ ପଥର ସ୍ପର୍ଶ କଲେ ତାହା ସୁନା ହୋଇ ଯାଉ ।

ଭଗବାନ ତଥାସ୍ତୁ, କହି ଅନ୍ତର୍ଧ୍ୟାନ ହୋଇ ଗଲେ । ଢେର୍ କିଛି ଦିନ ବିତିଗଲା । ସେତେ ବେଳକୁ ତାର କେତେକ ଚେଲା ମଧ୍ୟ ହୋଇ ଗଲେଣି ।

ବାଳକ ରାମ ପଥର ଖଣ୍ଡେ ଆଣି ସ୍ପର୍ଶ କରିବାରୁ ତାହା ସୁନା ହୋଇଗଲା । ଚେଲା ମାନଙ୍କୁ ବାଳକ ଡାକି କହିଲା, ନିଅ ଏ ସୁନା ବିକି ଅର୍ଥ ଯୋଗାଡ଼ କର ଗୋଟିଏ ଆଶ୍ରମ କରିବା ।

ସେଇଆ ହେଲା, ସୁନା ବିକ୍ରି ଲବ୍ଧ ଅର୍ଥରେ ସେଠାରେ ଏକ ମନ୍ଦିର ନିର୍ମାଣ ହେଲା । ମଠଟିଏ ହେବାରୁ ବହୁ ବୈଷ୍ଣବ ଆସି ବାସ କଲେ । ବାଳକ ରାମ ମଠରେ ନିଜେ ମହନ୍ତ ହୋଇ ରହିଲେ । ସଦାବ୍ରତ ଖଞ୍ଜା ହୋଇ ମଠରେ ଦୁଃଖୀ ଦରିଦ୍ର ମାନଙ୍କ ସେବା ଚାଲିଲା ।

କିଛିଦିନ ଭିତରେ ବାଳକରାମଙ୍କ ମଠର ପ୍ରସିଦ୍ଧି ଦିଗ ବିଦିଗ ବ୍ୟାପି ଗଲା । କିଛି ଦିନ ପରେ ସାଧୁ ବାଳକ ରାମ ବୈଷ୍ଣବ ଭକ୍ତମାନଙ୍କୁ ସଙ୍ଗରେ ଧରି ତୀର୍ଥାଟନରେ ବାହାରିଲେ । ଯାତ୍ରାପଥ ଗଜ ବାଜି ଓ ଭେରୀ ତୁରୀ ନାଦରେ ପ୍ରକମ୍ପିତ ହେଉଥାଏ । ବାଟରେ ପଡ଼ିଲା ଦିଲ୍ଲୀ । ଆମ ଦେଶରେ ସେତେ ବେଳେ ମୁସଲମାନ ଶାସନ ଥାଏ । ଦିଲ୍ଲୀ ସହର ଭିତରେ ବାଜା ବଜାଇ ଯିବା ମନା ହୋଇଥାଏ । ଦିଲ୍ଲୀଶ୍ୱରଙ୍କ ନିକଟରେ ଖବର ପହଞ୍ଚିଲା, ଜଣେ ବୈଷ୍ଣବ ସାଧୁ ବାଜା ରୋଷଣୀ କରି ସହର ମଧ୍ୟ ଦେଇ ଯାଉଛନ୍ତି । ସମ୍ରାଟ ସୈନ୍ୟ ପଠାଇ ତାଙ୍କୁ ବାରଣ କଲେ ।

ରାମ ଦାସ କହିଲେ,’ ଏହା ଯଦି ରାଜ ଆଜ୍ଞା ତେବେ ମୁଁ କହୁଛି, ତୁମ ନୌବତରେ ମଧ୍ୟ ବାଦ୍ୟ ବନ୍ଦ ହୋଇଯିବ ‘ ।

ସେଇଆ ହେଲା । ନୌବତରେ ଯେତେ ବାଜା ପିଟିଲେ ମଧ୍ୟ ଆବାଜ ବାହାରିଲା ନାହିଁ । ବାଦ୍ୟକାରମାନେ ଏ ଆଶ୍ଚର୍ଯ୍ୟ ଖବର ବାଦସାଙ୍କୁ ଜଣାଇଲେ । ସମ୍ରାଟ ଆଦେଶ ଦେଲେ ଅବିଳମ୍ବେ ସେ ବୈଷ୍ଣବଟାକୁ ଯାଇ ବନ୍ଦୀ କରି ଘେନି ଆସ, ଦେଖିବା ଫକୀରର କରାମତି ।

ସୈନ୍ୟମାନେ ତୁରନ୍ତ ଯାଇ ବାଳକରାମଙ୍କୁ ବନ୍ଦୀ କରି ଆଣି ଜେଲରେ ଠୁଙ୍କି ଦେଲେ ।
ଏମିତି ତିନିଦିନ ଚାଲିଗଲା । ଜେଲ କର୍ମଚାରୀଙ୍କୁ ସେ ଡାକି କହିଲେ, ମୋତେ ବିନା ଦୋଷରେ ତୁମ ବାଦସା ବନ୍ଦୀ କରିଛି । ତାକୁ ବୋଧ ହୁଏ ଦଇବ ଛାଡ଼ିଲାଣି । ତାକୁ ଯାଇ କୁହ, ମୋତେ ଶୀଘ୍ର ମୁକ୍ତ କରୁ ନୋହିଲେ ମୁଁ ଏହି ସାରା ଦିଲ୍ଲୀ ସହରଟାକୁ ଜଳାର୍ଣ୍ଣବ କରି ବୁଡ଼େଇ ଦେବି ।

ବାଦସାଙ୍କୁ ଏହା ଜଣାଇବାରୁ ସେ କହିଲେ,” ହଉ ସିଏ ଦେଖାଉ ତାର କରାମତ ।”

ରାମ ଦାସଙ୍କ ପାଖରେ ତାଙ୍କ ବାର୍ତ୍ତା ପହଞ୍ଚିଲାରୁ ସେ ନିଜର ଲେଙ୍ଗୁଟିଟି ଖୋଲି ଦେଇ ପରିସ୍ରା କରିଦେଇ କହିଲେ, “ସମ୍ପୂର୍ଣ୍ଣ ଦିଲ୍ଲୀ ସହର ଭାସିଯାଉ” ।

ଆଶ୍ଚର୍ଯ୍ୟଜନକ ଭାବେ ବିନା ବୃଷ୍ଟିପାତରେ ଦିନ ଦ୍ବିପ୍ରହରରେ ଦିଲ୍ଲୀରେ କୁଆଡ଼ୁ ପ୍ରବଳ ବନ୍ୟା ମାଡ଼ି ଆସି ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଠିଆ ହୋଇଗଲା ।

ବେନି ପ୍ରହର ମଧ୍ୟେ ପାଣି ।
ଦିଲ୍ଲୀ ହୋଇଲା ଆଣ୍ଠୁଆଣି ।।

ସମ୍ରାଟ ଏ କାଣ୍ଡ ଦେଖି ତାଜୁବ । ସୈନ୍ୟ ସାମନ୍ତ ଧରି ତୁରନ୍ତ ଯାଇ ତାଙ୍କ ପାଦ ତଳେ ପଡ଼ି କ୍ଷମା ମାଗି କହିଲେ, ହେ ସାଧୁ ମହାତ୍ମା ! ଅଜାଣତରେ ବହୁ ଅପରାଧ କରିଛି, ଏବେ ବୁଝିଗଲି ଆପଣଙ୍କ ମହିମା । ଏତକ କହି ବାଦସାହା ତାଙ୍କୁ ବହୁ ଧନ ପ୍ରଦାନ ପୂର୍ବକ କାରାମୁକ୍ତ କଲେ, ଅଚାନକ ମାଡ଼ି ଆସିଥିବା ବଢ଼ିପାଣି ଚାହୁଁ ଚାହୁଁ କୁଆଡ଼େ ଉଭାନ ହୋଇ ଗଲା ।

ବାଳକ ରାମ ଦାସ ତା ପରେ ଦିଲ୍ଲୀ ଛାଡ଼ି ବାହାରି ଗଲେ ତାଙ୍କର ଗନ୍ତବ୍ୟ ପଥରେ । ମଥୁରା,କାଶୀ, ବୃନ୍ଦାବନ, ରାମେଶ୍ୱର ଆଦି ଭାରତର ସବୁ ତୀର୍ଥ ଭ୍ରମଣ କଲେ । ଯାତ୍ରାପଥ ତାଙ୍କର ହରି ଧ୍ୱନୀରେ ହରିମୟ ହୋଇ ଯାଉଥାଏ । ଶେଷରେ ସେ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଅଭିଳାଷରେ ପହଞ୍ଚିଲେ ନୀଳାଚଳ ଧାମରେ ।

ଶ୍ରୀନିଳାଚଳେ ଭଗବାନ ।
କେବଳ କରିବା ଦର୍ଶନ ।।
ଏମନ୍ତେ କରିଣ ବିଚାର ।
ପ୍ରବେଶ ହେଲେ କ୍ଷେତ୍ରବର ।।

ଶ୍ରୀକ୍ଷେତ୍ର ଆସିବା ପଥରେ ସେ ଶ୍ରୀମଦନଭାରତୀ ବୋଲି ଜଣେ ଶାକ୍ତ ସନ୍ୟାସୀଙ୍କ କଥା ଶୁଣି ତାଙ୍କ ପାଖରେ ଯାଇ ପହଞ୍ଚି ଦେଖନ୍ତି ତ ତାଙ୍କର ଚେଲା ସବୁ ମଦ, ମାଂସ ଭକ୍ଷଣ କରି ଚଣ୍ଡୀଙ୍କ ଉପାସନା କରୁଛନ୍ତି । ସେ ସମସ୍ତଙ୍କୁ ଏ ମାର୍ଗରୁ ନିବୃତ୍ତ କରି ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ କଲେ ।

କେତେ ଜଣ ଶିଷ୍ୟ ଯାଇ ମଦନ ଭାରତୀଙ୍କୁ କହିଲେ, ଗୁରୁଜୀ ଆପଣଙ୍କ ମହତ ସରିଲା, କେଉଁଠୁ ଏକ ବୈଷ୍ଣବ ସାଧୁ ବାଳକରାମ ଦାସ ଆସି ଆପଣଙ୍କ ମାର୍ଗରେ ବିଘ୍ନ ଘଟାଇଛି ।

ମଦନ ଭାରତୀ କହିଲେ,’ କିଏ ସେହି ସାଧୁ ତାକୁ ଧରିଆଣ, ପରୀକ୍ଷା କରିନେବା, କେତେବଡ଼ ସାଧୁ ଜଣାପଡ଼ିଯିବ’ ।

ମଦନ ଭାରତୀଙ୍କ ଶିଷ୍ୟ ଗଣ ଯାଇ ରାମଦାସଙ୍କୁ ପରୀକ୍ଷାପାଇଁ ଆହ୍ୱାନ କଲେ । ସର୍ତ୍ତ ରହିଲା ଶବ ଦେହରେ ଯଦି ପ୍ରାଣସଞ୍ଚାର କରିପାରିବେ ତେବେ ତାଙ୍କୁ ବଡ଼ ବୋଲି ସ୍ୱୀକାର କରା ହେବ ।

ବାଳକ ଆହ୍ୱାନକୁ ଗ୍ରହଣ କରି କହିଲେ, ସମସ୍ତଙ୍କ ପ୍ରାଣ ଦାତା ପ୍ରଭୁ ଭଗବାନ । ସେ ଚାହିଁଲେ ନିଶ୍ଚୟ ଶବ ପିଣ୍ଡରେ ପ୍ରାଣ ସଞ୍ଚାର ହେବ’ ।

ପରୀକ୍ଷା ନିମନ୍ତେ ତାଙ୍କ ସମ୍ମୁଖରେ ଶବଟିଏ ରଖାଗଲା । ରାମଦାସ ସେ ଶବର କାନରେ ଫୁସଫୁସ କରି କଣ କହିଦେବାରୁ ଶବଟି ଆଶ୍ଚର୍ଯ୍ୟଜନକ ଭାବେ ଜୀଇଁ ଉଠିଲା । ସମସ୍ତେ ଆଶ୍ଚର୍ଯ୍ୟ !!

ବାବା ମଦନ ଭାରତୀ ବାଳକ ରାମଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ । ବାଳକ ରାମ ସମସ୍ତଙ୍କୁ ବୈଷ୍ଣବଦୀକ୍ଷା ଦେଇ ସେଠାରେ ମଠଟିଏ ସ୍ଥାପନ କରି ଅଗ୍ରସର ହେଲେ ଶ୍ରୀମନ୍ଦିରକୁ ।

ସେ ଆସି ସିଂହଦ୍ୱାରରେ ପହଞ୍ଚି ପତିତପାବନଙ୍କୁ ଦର୍ଶନକରି ଯାଇ ଭିତର ବେଢ଼ାରେ ପ୍ରବେଶ କରି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କଲେ । ଭିତର ବେଢା ସବୁ ଦେବା ଦେବୀଙ୍କୁ ଦର୍ଶନ ସାରି ଯାଇ ଗରୁଡ଼ ପଛରେ ମହାପ୍ରଭୁଙ୍କୁ ଦର୍ଶନ କଲେ । ରତ୍ନବେଦୀ ପରିକ୍ରମା କରି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନରେ ପରମ ତୃପ୍ତି ଲାଭ କରି ଗାଇଲେ :-

ନମସ୍ତେ ଶଙ୍ଖ ଚକ୍ର ଭୁଜ ।
ନମୋ ଦେବାଧି ଦେବରାଜ ।।
ଦେଖି ତୋହର ପଦ୍ମମୁଖ ।
ଛାଡ଼ିଲା କୋଟି ଜନ୍ମ ଦୁଃଖ ।।
ଏ ଜୀବ ଅଭିମାନ ଯେତେ ।
ସବୁ ଲାଗିଲା ପ୍ରଭୁ ତୋତେ ।।

ମହାପ୍ରଭୁଙ୍କ ଦର୍ଶନସାରି ସେ ଚାଲିଲେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟକୁ । ସାଙ୍ଗରେ ଯାହା ଧନ ରତ୍ନ ଆଣିଥିଲେ ତାହା ସବୁ ଲଗାଇ ସେଠାରେ ମଠ ଗୋଟିଏ ସ୍ଥାପନକଲେ ।।

ଏବେ ନୀଳାଚଳ ଧାମ ହୋଇଗଲା ତାଙ୍କର ବାସ ସ୍ଥାନ । ସେହିଠାରେ ରହି ସେ ସାଧୁସନ୍ଥ ମେଳରେ ବିଭୁ ପଦରେ ଲୟ ଲଗାଇ ନିଜକୁ ଦୀନ ଦୁଖୀଙ୍କ ସେବାରେ ସମର୍ପିତ କରିଦେଲେ ।।

କିଛି ଦିନ କଟି ଗଲା ପରେ ତାଙ୍କ ଜୀବନର ଅନ୍ତିମ ସମୟ ଆସି ପହଞ୍ଚିଲା । ସେ ହରି ନାମ ଜପ କରି ସ୍ଵଇଚ୍ଛାରେ ଶରୀର ଛାଡ଼ିଲେ । ଶିଷ୍ୟମାନେ ତାଙ୍କୁ ସେଠାରେ ସମାଧି ଦେଲେ ।

ସେହି ମଠ ଏବେ ମଧ୍ୟ ବାଳକ ରାମ ଦାସ ମଠ ଭାବରେ ବିଦ୍ୟମାନ ।

ଶ୍ରୀକ୍ଷେତ୍ରରେ ବର୍ତ୍ତମାନ ଅବସ୍ଥିତ ପ୍ରାୟ ଦୁଇ ଶହ ପଞ୍ଚସ୍ତରୀ ମଠ ତଥା ଆଶ୍ରମ ମଧ୍ୟରୁ ବାଳକରାମ ଦାସ ମଠ ଅନ୍ୟତମ ।

ଲାହୋର ନଗରୀ ଦେଶ ବିଭାଜନପରେ ଏବେ ପାକିସ୍ତାନକୁ ଚାଲିଯାଇଛି । ସେହି ମଠ ଲୋକ ମୁଖରେ ଆଜି ପାକିସ୍ତାନ ମଠ ନାମରେ କଥିତ ହେଉଛି ଏବଂ ଲାହୋର ସାଧୁଙ୍କ ସ୍ମାରକୀ ହୋଇ ରହିଛି ।

ସେ ମଠକୁ ବାଳକରାମ ଦାସ ସ୍ଥାପନ କରିବା ପରେ ଲାହୋର ତଥା ଆଖ ପାଖ ଅଞ୍ଚଳରୁ ହଜାରହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଆଗମନ କରି ଥିଲେ ।

ଭକ୍ତ କବି ରାମଦାସ କୃତ ଦ୍ରାର୍ଢ୍ୟତା ଭକ୍ତି ରସାମୃତରେ ସନ୍ଥ ବାଳକରାମଙ୍କ ଏବଂ ତାଙ୍କ ସଂସ୍ଥାପିତ ଏହି ବାଳକ ରାମ ମଠର ବିଶଦ ବର୍ଣ୍ଣନା ରହିଛି ।

🙏🙏🙏
ଅର୍ଜୁନୀ
——————-
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights