ଶ୍ରୀକୃଷ୍ଣଙ୍କ ଦାବାନଳ ପାନ …

Share it


ଏମନ୍ତେ ରବି ଅସ୍ତକାଳେ
ଗୋବିନ୍ଦ ଘେନି ଗୋପବାଳେ ।।
ଗୋପେ ହୋଇଲେ ପରବେଶ
ବେଣୁ ଶବଦେ ଗୀତ ରସ ।।

===============
ବୃନ୍ଦାବନରେ ଦିନେ କୃଷ୍ଣ ବଳରାମ ଗୋପ ବାଳକ ମାନଙ୍କ ସହିତ ଗୋରୁ ଚରାଉ ଥାନ୍ତି । ଗୋରୁମାନେ ଇଆଡ଼େ ସିଆଡ଼େ ବୁଲି ଚରୁଥାନ୍ତି । କୃଷ୍ଣ ବଳରାମ ଓ ସମସ୍ତ ଗୋପାଳ ବାଳକ ମାନେ ଖେଳ କୁଦରେ ମାତିଯାଇଥାନ୍ତି । ଗୋରୁମାନେ ଏ ବଣରୁ ସେ ବଣ ଚରି ଚରି ଯାଇ ଏକ ଶର ବଣ ଭିତରେ ପଶିଯାଇ ଗ୍ରୀଷ୍ମ ତାପରେ ରଡ଼ି ଛାଡ଼ିଵାରେ ଲାଗିଲେ । ଗୋରୁ ପଲକୁ ନଦେଖି କୃଷ୍ଣ, ବଳରାମ ଓ ଗୋପ ବାଳକ ମାନେ ବ୍ୟସ୍ତ ହୋଇପଡ଼ିଲେ । ସେମାନେ ଗୋରୁଙ୍କ ଖୁରା ଚିହ୍ନକୁ ଅନୁସରଣ କରି ଯାଇ ଦେଖିଲେ ବାଟ ବଣା ହୋଇ ଗୋରୁ ମାନେ ଶରବଣ ଭିତରେ ପଶି ଯାଇଛନ୍ତି ଓ ଗ୍ରୀଷ୍ମ ତାପରେ, ଆର୍ତ୍ତନାଦ କରୁଛନ୍ତି । ସେମାନଂକୁ ଧରି ଗୋପାଳ ବାଳକ ମାନେ କୃଷ୍ଣଙ୍କ ନିକଟକୁ ଫେରାଇ ଆଣିଲେ ।

ଏହି ସମୟରେ ବନମଧ୍ୟରେ ଏକ ପ୍ରଚଣ୍ଡ ଦାବାନଳ ଦେଖାଗଲା ।ଦାବାନଳ ବାୟୁ ସାହାଯ୍ୟରେ ପ୍ରବଳ ବେଗରେ ତା ଲେଲିହାନ ଜିହ୍ୱା ବିସ୍ତାରକରି ସ୍ଥାବର ଜଙ୍ଗମ ସକଳ ପ୍ରାଣୀଙ୍କୁ ଗ୍ରାସ କରିବାକୁ ଲାଗିଲା । ଦାବାଗ୍ନି ମାଡ଼ିଆସୁଥିବା ଦେଖି ଗୋରୁ ଓ ଗୋପାଳ ବାଳକ ମାନେ କୃଷ୍ଣ ବଳରାମଙ୍କ ଶରଣ ପଶିଲେ ।

କୃଷ୍ଣ ଅଭୟଦେଇ କହିଲେ,ତୁମେମାନେ ଭୟ କର ନାହିଁ । ତୁମେ ମାନେ ଆଖି ବନ୍ଦ କରିଦିଅ । କୃଷ୍ଣଙ୍କ କଥା ଶୁଣି, ସମସ୍ତେ ଆଖି ବନ୍ଦ କରିଦେଲେ । ଏହି ସମୟରେ କୃଷ୍ଣ ଆଁକରି ମାଡ଼ିଆସୁଥିବା ବନାଗ୍ନୀକୁ ପାନ କରି ଦେଲେ । ସମସ୍ତ ଗୋଧନ ଓ ଗୋପାଳ ବାଳକ ମାନେ ଦାବାନଳ ଗ୍ରାସରୁ ରକ୍ଷା ପାଇଲେ ।

କିଛି ସମୟ ପରେ, ସମସ୍ତେ ଆଖି ଖୋଲି ଦେଖନ୍ତି ତ ସେମାନେ ଯାଇ ଭାଣ୍ଡିର ବରଗଛ ମୂଳେ ପହଞ୍ଚି ଯାଇଛନ୍ତି । ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସନ୍ଧ୍ୟା ହୋଇଗଲା, କୃଷ୍ଣ ଧେନୁମାନଙ୍କୁ ଲେଉଟାଇ ବଳରାମଙ୍କ ସହ ବେଣୁ ବଜାଇ ବଜାଇ ବାଳକଙ୍କ ସହ ବ୍ରଜ ପୁରରେ ପ୍ରବେଶ କଲେ । କୃଷ୍ଣଙ୍କୁ ଦେଖି ସମସ୍ତ ଗୋପୀ ଗୋପାଳମାନେ ଆନନ୍ଦିତ ହେଲେ । କୃଷ୍ଣଙ୍କ ଗୋଧୂଳି ବେଳର ଲେଉଟାଣିକୁ ଲକ୍ଷ୍ୟ କରି ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଲେ :-
ଏମନ୍ତେ ରବି ଅସ୍ତକାଳେ
ଗୋବିନ୍ଦ ଘେନି ଗୋପବାଳେ ।।
ଗୋପେ ହୋଇଲେ ପରବେଶ
ବେଣୁ ଶବଦେ ଗୀତ ରସ ।।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights