୫. ଗୋପାଳଂକ ଆଦି ବିଧି ଓ ପସରା ବିଧାନ
ପ୍ରଶ୍ନ
ଶ୍ରୀକୃଷ୍ଣ ବୋଇଲେ ଗୋପୀ ସବୁକଥା ଛାଡ
କେ ତୁମ୍ଭଂକୁ ଗାଈ ଦେଲା କାହିଁର ଗଉଡ ।
ପସରାର ଆଦ୍ଯସ୍ଥାନ କହିବ ଆମ୍ଭଂକୁ
ତେବେ ମାହାସୁଲ ଯେତେ ଛାଡିବି ତୁମ୍ଭଂକୁ ।
ରାଧିକା ବୋଲନ୍ତି ତୁମେ ଶୁଣ ଭଗବାନ
ତୁମକୁ କିସ ନଜଣା ଅଟ ନାରାୟଣ ।
ଶ୍ରୀକୃଷ୍ଣ ବୋଇଲେ ଗୋପୀ ସ୍ଥିର ହୋଇ ବସ
ଗୁପ୍ତ କଥା ଶୁଣି ମୁଁ ଯେ ହୋଇବି ସନ୍ତୋଷ ।
ନିଗମ କଦମ୍ୱ ମୂଳେ ସମସ୍ତେ ବସିଲେ
ରାଧୀକାଂକୁ ଶ୍ରୀକୃଷ୍ଣ ଯେ ପୁଣି ପଚାରିଲେ ।
କହ ସଖୀ ଗୋପାଳଂକ ଆଦି ବିଧିମାନ
ଦଧି ଦୁଧ ଖୁଆ ପାଂଚ ପସରା ବିଧାନ ।
ଶ୍ରୀକୃଷ୍ଣଂକ ପ୍ରଶ୍ନର ଉତ୍ତର ଦେବେ ରାଧା
ଶୁଣିବାକୁ ଅଚ୍ଯୁତାନନ୍ଦର ଶରଧା ।।
ଉତ୍ତର
ରାଧିକା ବୋଇଲେ ଯାହା ପଚାରିଲ ହରି
କେ କହି ପାରିବ ତାହା ଆଦି ଅନ୍ତ କରି ।
ତୁମେ ତ ଅନାଦି ନାଥ ପଚାରିଲ ମୋତେ
ତୁମ୍ଭରି ଆଜ୍ଞାରେ ମୁହିଁ ଜାଣିଅଛି ଯେତେ ।
ଯେତେବେଳେ ନଥିଲା ପୃଥୀବି ଆପ ବାହି
ଶୂନ୍ଯରେ ଅନାଦି ଥିଲେ ଡିମ୍ୱକୋଷ ହୋଇ ।
ଅନାଦିଂକ ମନରୁ ଯେ ଆଦି ଜାତ କଲେ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦିରୁ ଜନ୍ମିଲେ ।
ଆଦି ପୁରୁଷ ଯେ ସ୍ୱୟଂ କୃଷ୍ଣ ନାମ କହି
କୃଷ୍ଣ ବାମ ଭାଗ ନାରୀ ଶ୍ରୀରାଧା ବୋଲାଇ ।
ରାଧା ଅଂଗୁ ଲକ୍ଷ୍ମୀ ସରସ୍ୱତୀ ଯେ ପାର୍ବତି
ବ୍ରହ୍ମା ସ୍ରଷ୍ଟା ଯେଣୁ ରାଧା ଲେଖାରେ ଦୁହିତୀ ।
ଓଁକାର ତ୍ରିଗୁଣ ରୂପ ହୋଇଲେ କୁମର
ନିରେଖି ଚାହିଁଲେ ପିତା କାହିଁ ନାହିଁ କ୍ଷୀର ।
ଅଧୋମୁଖ ହୋଇଣ ଅନାଦି ଚିନ୍ତା କଲେ
କଳ୍ପନାରୁ କପିଳା ଯେ ବାହାର ହୋଇଲେ ।
କ୍ଷୀର ଲାଗି ହୁଅନ୍ତେ ଯେ ଅନାଦି ଜାଣିଲେ
ସାତ ଭାଗ କରି ଡିମ୍ୱ କୋଷ ଫୁଟାଇଲେ ।
ଭୂତଳ ମହାତଳ ରସାତଳ ତଳାତଳ
ସ୍ୱର୍ଗ ମର୍ତ୍ଯ ପାତାଳ ଯେ ରଚିଲେ ସକଳ ।
ଅଂଗୁ ଜାତ କରିଥିଲେ ଆଦି ଗୋପାଳଂକୁ
ଶ୍ରାମୁଖରେ ଆଜ୍ଞା ଦେଲେ ସେବ କପିଳାକୁ ।
ଶ୍ରୀମୁଖ ବଚନ ଶୁଣି ଗୋପାଳ ଚଳିଲେ
କପିଳା ସେବା କରନ୍ତେ କ୍ଷୀର ଯେ ପାଇଲେ ।
କପିଳାଂକୁ ବୋଇଲେ ସେବଇ ମୁହିଁ ତୋତେ
ସେବା ଛାଡି ଅମୃତ ମୁଁ ରାନ୍ଧିବି କେମନ୍ତେ ।
କପିଳାଂକୁ କହନ୍ତେ ଅନାଦି ସୁମରନ୍ତି
କପିଳାଂକ ସ୍ତୁତି ଜାଣି ଅନାଦି ଆସନ୍ତି ।
କପିଳା ବୋଲେ ଅନାଦି ବ୍ରହ୍ମା ସୁମରିଲେ
ବ୍ରହ୍ମା ଆସନ୍ତେ ତାହାଂକୁ ସକଳ କହିଲେ ।
ଆମ୍ଭ ପୁତ୍ରକୁ ତୋହର ଦୁହିତା ଆଣି ଦିଅ
ଆମ୍ଭର ବାକ୍ଯ ଏବେ ହୋ ପାଳନ କରାଅ ।
ବ୍ରହ୍ମା ବୋଇଲେ ଆମ୍ଭର ପରମବ୍ରହ୍ମ ଗୋତ୍ରୀ
ଗୋପାଳଂକୁ କେହ୍ନେ ଦେବୁ ଆମ୍ଭର ଦୁହିତୀ ।
ଅନାଦି ବୋଇଲେ ଆମ୍ଭେ ରଚିଲୁ ସର୍ବ ଜାତି
ଆମ୍ଭ ଆଗେ ବର୍ଣ୍ଣଭେଦ କହୁ ବେଦପତି ।
ଏମନ୍ତ ବଚନ ଶୁଣି ବ୍ରହ୍ମା ଚଳିଗଲେ
ଶୁଭେ ଗୋପାଳଂକୁ ଶ୍ରଦ୍ଧା କନ୍ଯା ବିଭା ଦେଲେ ।
ବିଭାବେଳେ ଶ୍ରଦ୍ଧା ଦେଈ ବୋଲଇ ବଚନ
ପିତା ମୋତେ ଆଜ୍ଞାକର ପସରା ବିଧାନ ।
ସମସ୍ତ ଦେବତାମାନେ ମେଳି ହୋଇଥିଲେ
ମହଣ କୁଣ୍ଢାଇ ଆଦି ମାତାଂକୁ ଯେ ଦେଲେ ।
ଦୁହଁଣୀ ଗୋରସ ଦହି ପତୁଲି ବିଧିମତେ
ମାତା ଦେଲେ ଅମୃତ ରଖିବା ଜାଗା ଯେତେ ।
ଗିରିବର ରାଜା ଦଧି ମନ୍ଥନ ଖମ୍ୱ ଦେଲେ
ଖୁଆ ଫୁଲ କୁଁଚି ଯେ ବରୁଣ ରାଜା ଦେଲେ ।
ପବନ ଦେଲେ ଚାଂଗୁଡି ଶିବ ଦେଲେ ମହି
ଚଂଦ୍ର ସୂର୍ଯ୍ଯ ମିଶି ବସାଇଲେ ଶ୍ରଦ୍ଧା ହୋଇ ।
ମନ୍ଥିଲେ ଲବଣୀ ଯେ ହୋଇଲା ତହୁଁ ଜାତ
ଅନାଦି ଭିଆଣ ହେତୁ ଅମୃତ ସମସ୍ତ ।
ଗୋଲୋକ ଗୋପାଳ ଜାତି ପାଳନ୍ତି ଯେ ଗାଈ
ଗାଈ ଯେ ପାଳିବା ଲୋକ ଗୋପାଳ ବୋଲାଇ ।
ଗୋପାଳ ନାମଟି ଯେଣୁ ଗୋଲୋକରୁ ଜାତ
ଯୁଗେ ଯୁଗେ ଅମୃତ ମୂଳେ ହୋଇଛି ଅମୃତ ।
ବ୍ରହ୍ମା ଶ୍ରଦ୍ଧା ଝିଅ ଅଟେ ଆମ୍ଭ ନିଜ ମାତ
ପିତା ଆମ୍ଭର ଗୋପାଳ ଅନାଦିଂକ ସୁତ ।
ଚାରିବେଦ ଚଉରାଶୀ ଯୁଗେ ଟି କପିଳା
ସଂସାରକୁ ହୋଇଅଛି ସତ୍ଯ ସିନ୍ଧୁ ଭେଳା ।
ଶିଂଘ ତାର ଶିଶୁ ବେଦ ପିଠି ବସୁନ୍ଧରୀ
ଲାଂଜ ତା ଅନନ୍ତ ବେଦ ବେଦ ପଦଚାରି ।
ସ୍ତନ ତା ଛପନ ଜୀବ ଗର୍ଭ ତାର ସିନ୍ଧୁ
ମନ ତା ପର୍ବତ ଅଟେ ଦେବତାର ବନ୍ଧୁ ।
ନଖ ମୁଖ ନାସିକା ଦିଶନ୍ତି ବ୍ରହ୍ମମୟ
ରୋମେ ବସନ୍ତି ତେତିଶ କୋଟି ଦେବରାୟ ।
ଗୋଲୋକୁ ଗୋପାଳ ଜାତ ଜନ୍ମେ ଜନ୍ମେ ସେବା
କପିଳା ମହିମା କେତେ ସଂକ୍ଷେପି କହିବା ।
ତୁମ୍ଭେ ଦେବ ନାରାୟଣ ଆମ୍ଭେ ସ୍ତୀରି ଜନ
କି ଅବା ନଜାଣ ତୁମ୍ଭେ ପ୍ରଭୁ ଭଗବାନ ।
ଶ୍ରୀକୃଷ୍ଣ ବୋଲନ୍ତି ଯାହା କହିଲ ଗୋ ତୁମ୍ଭେ
ଯେତେ ଲେଖିଛୁ ଦସ୍ତୁରୀ ଛାଡି ଦେଲୁ ଆମ୍ଭେ ।
ଶ୍ରୀକୃଷ୍ଣଂକ ପାଦତଳେ ପ୍ରଣମିଲେ ବାଳୀ
ଉଛୁର ହୋଇଲା ପ୍ରଭୁ ବେଗେ ଯିବୁ ଚଳି ।
ଗୋପୀଏ ବୋଲନ୍ତି ଦିନ ଗଲାଣି ଏଠାଇଁ
ଘରକୁ କି ରୁପେ ସବୁ ଯିବୁ ହେ ମାଧୋଇ ।
ତତକ୍ଷଣି ଗୋପୀଂକୁ କୃଷ୍ଣ ମେଲାଣି କରିଲେ
କରେ ବେଣୁ ଧରି ଗୋଗୋଷ୍ଠକୁ ବିଜେ କଲେ ।
ହରଷ ହୋଇଣ ଗୋପୀ ଗଲେ ନିଜ ଘର
ଶ୍ରୀକୃଷ୍ଣଂକ ନାମ ଗୋଟି ଜପନ୍ତି ହୃଦର ।
ସର୍ବ ସାଧୁଜନମାନେ ନ ଘେନ ମୋ ଦୋଷ
ତୁମ୍ଭମାନଂକ ଆଜ୍ଞାରେ କଲି ଗୀତ ରସ ।
ମୁହିଁ ଚିର ପାମର ଯେ ନଜାଣଇ କିଛି
ପ୍ରଭୁପାଦ ରେଣୁକୁ ଯେ ଭରସା କରିଛି ।
ପସରା ବିଧାନ ଗୀତେ କହିଲେ ରାଧୋଇ
ଅଚ୍ଯୁତାନନ୍ଦ ବୋଲନ୍ତି ଦୋଷ ଦେବ ନାହିଁ ।।
( ଦୋଳପୂର୍ଣ୍ଣିମା ବା ବସନ୍ତ ଉତ୍ସବ ଅବସରରେ ପ୍ରକୃତିପ୍ରେମୀ ଗୋପାଳମାନେ ଅତିଆନନ୍ଦ ଓ ଉଲ୍ଲାସରେ ଗାଉଥିବା ଓଗାଳ ।ଗୋଟିଏ ଦଳ ପ୍ରଶ୍ନ ପଚାରନ୍ତି, ଆଉ ଗୋଟିଏ ଦଳ ଉତ୍ତର ରଖନ୍ତି । ଏପରିକି ଆଦୌ ପାଠ ପଢି ନଥିବା ଗୋପାଳମାନେ ବି ପିଢୀ ପରେ ପିଢୀ କେବଳ ଶୁଣି ଶୁଣି ବେଦ, ପୁରାଣ, ଇତିହାସ, ଯାଦବ ବଂଶାବଳୀ, ଶରୀର ତତ୍ୱ, ଜୀବନ ଚର୍ଯ୍ଯା, ଆଧ୍ଯାତ୍ମିକତା ଇତ୍ଯାଦିକୁ ଅତି ସରଳ ସୁନ୍ଦର ଭାବରେ ଗାଆନ୍ତି )