ଶ୍ରୀଅନନ୍ତ ବାସୁଦେବ ମନ୍ଦିର

Share it

ଶ୍ରୀଅନନ୍ତ ବାସୁଦେବ ମନ୍ଦିର
=================

ଭାରତର ମନ୍ଦିରମାଳିନୀ ନଗର ଭାବେ ପରିଚିତ ଆମ ରାଜଧାନୀ ଭୁବନେଶ୍ୱର l ଏଠାରେ ଏକଦା ସାତ ଶହରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ଥିଲା l ଧୀରେ ଧୀରେ ସହର ଏହାର କାୟା ବିସ୍ତାର କରି ଚାଲି ଥିବାରୁ ବହୁ ପ୍ରାଚୀନ କିର୍ତ୍ତୀ ଏବେ ଏହାର ସତ୍ତା ହରାଇ ବସିଛି l ଏବେ ଅସଂଖ୍ୟ ମନ୍ଦିର ମାନଙ୍କ ମଧ୍ୟରୁ ମାତ୍ର ତିନିଶଟି ବଞ୍ଚି ରହିଥିବା ହିସାବକରା ଯାଇଛି l ଚକ୍ରକ୍ଷେତ୍ର ଭାବେ ଜଣା ଏକାମ୍ର କ୍ଷେତ୍ର ବା ପୁରୁଣା ଭୁବନେଶ୍ୱରରେ ଅଧିକାଂଶ ପ୍ରାୟତଃ ଶିବ ମନ୍ଦିର ରହିଥିବା ବେଳେ ଏକ ସୁପରିଚିତ ପ୍ରାଚୀନ ବିଷ୍ଣୁ ମନ୍ଦିର ରହିଛି ଅନନ୍ତ ବାସୁଦେବ ମନ୍ଦିର l

ପ୍ରତ୍ନତତ୍ତ୍ଵବିତ ମାନେ ମତ ବ୍ୟକ୍ତ କରନ୍ତି ଖ୍ରୀଷ୍ଟିୟ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଅନନ୍ତ ବାସୁଦେବ ମନ୍ଦିର ଭୁବନେଶ୍ୱରର ଏକ ମାତ୍ର ପୁରାତନ ତଥା ପ୍ରମୁଖ ବିଷ୍ଣୁ ମନ୍ଦିର l ଏହା କଳିଙ୍ଗ ମନ୍ଦିରନିର୍ମାଣ ସ୍ଥାପତ୍ୟର ପରିପକ୍ୱ ସମୟର ସୃଷ୍ଟି l ବିନ୍ଦୁସାଗର କୂଳରେ ପଞ୍ଚାୟତନ ଶୈଳୀରେ ନିର୍ମିତ ପଶ୍ଚିମ ମୁହାଁ ଏହି ମନ୍ଦିର ଏକ ସମ ଉଚ୍ଚତା ବିଶିଷ୍ଟ ପିଣ୍ଡି ଉପରେ ଅବସ୍ଥିତ l

ଏକ ଶିଳାଲେଖରୁ ପ୍ରାପ୍ତ ବିବରଣୀ ଅନୁଯାୟୀ ଏ ମନ୍ଦିର ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବଙ୍କ ତନୟା ଚନ୍ଦ୍ରିକା ଦେବୀଙ୍କ ଦ୍ୱାରା ନିର୍ମିତl ମନ୍ଦିର କାନ୍ଥରେ ଏ ଶିଳାଲେଖର ଏକ ପ୍ରତିରୂପ ରହିଛି l ଏକାମ୍ର ଚନ୍ଦ୍ରିକା ଗ୍ରନ୍ଥ ଅନୁଯାୟୀ ଶିବଙ୍କ ନିର୍ଦ୍ଦେଶରେ ଭଗବାନ ବିଷ୍ଣୁ ନିଜକୁ ଏକାମ୍ରକ୍ଷେତ୍ରର ଦ୍ୱାରପାଳ ଭାବେ ଅବସ୍ଥାପିତ କରିଥିଲେ l ପରମ୍ପରା ଅନୁଯାୟୀ ଅନନ୍ତ ବାସୁଦେବଙ୍କ ଦର୍ଶନ ପରେ ଭକ୍ତ ମାନେ ବିନ୍ଦୁସାଗରରେ ବୁଡ଼ ପକାଇ ଥାନ୍ତି l ଏହା ଦ୍ୱାରା ଆତ୍ମା ଶୁଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି l

ଏହି ମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ଓ ଦଣ୍ଡାୟମାନ ମୁଦ୍ରାରେ ସ୍ଥିତ ଅନନ୍ତ, ବାସୁଦେବ ଓ ଦେବୀ ସୁଭଦ୍ରା ପୂଜା ପାଇଥାନ୍ତି l ଅନନ୍ତ ବିଗ୍ରହର ମୁଣ୍ଡ ଉପରେ ସପ୍ତଫେଣି ଅନନ୍ତ ନାଗ ରହିଛନ୍ତି l ମାଆ ସୁଭଦ୍ରା ହାତରେ କଳସ ଏବଂ ପଦ୍ମ ଧାରଣ କରିଛନ୍ତି l

ଭାରତରେ ରହିଥିବା ଭଗବାନ ବିଷ୍ଣୁଙ୍କ ପ୍ରାୟ ସମସ୍ତ ପୂର୍ଣ୍ଣାଙ୍ଗ ମୁର୍ତ୍ତିର ଉପରଦୁଇ ହସ୍ତରେ ଶଙ୍ଖ ଓ ଚକ୍ର ଏବଂ ତଳ ଦୁଇହସ୍ତରେ ଗଦା,ପଦ୍ମ ରହିଥିବା ବେଳେ ଅନନ୍ତ ବାସୁଦେବ ମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଯାଏ l ଏଠାରେ ଭଗବାନ ବାସୁଦେବଙ୍କ ଉପର ଦକ୍ଷିଣ ହସ୍ତରେ ଗଦା ଓ ବାମ ହସ୍ତରେ ତଳ ମୁହାଁ ହୋଇ ଚକ୍ର ରହିଛି l

ପୌରାଣିକ କଥା,ମହାଭାରତ ଯୁଦ୍ଧରେ ବାସୁଦେବ ଅସ୍ତ୍ର ଧାରଣ ନକରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ସେହି କଥା ଅନୁସାରେ ଏପରି ମୂର୍ତ୍ତି ହୋଇ ଥାଇପାରେ ବୋଲି ଅନୁମାନ କରାଯାଏ l ବାସୁଦେବ ଅନ୍ୟ ଦୁଇ ହସ୍ତରେ ଶଙ୍ଖ ଏବଂ ପଦ୍ମ ଧାରଣ କରିଛନ୍ତି l

କଳିଙ୍ଗ ସ୍ଥାପତ୍ୟ କଳାର ଓ ଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ ଏହି ମନ୍ଦିର ଗାତ୍ରରେ ଉତ୍କଳୀୟ ସମର କଳା,ନୃତ୍ୟ ଇତ୍ୟାଦିର ଚିତ୍ର ରହିଛି l ଏହି ମନ୍ଦିର ନିର୍ମିତ ହେବା ପୂର୍ବରୁ ଏଠାରେ ଶ୍ରୀବିଷ୍ଣୁଙ୍କ ପୂଜା ହେଉଥିବା ବିଶ୍ୱାସ କରାଯାଏ l ସପ୍ତଦଶ ଶତାବ୍ଦୀ ବେଳେ ମରାଠା ଶାସନ କାଳରେ ମୂଳ ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା l

ଅନନ୍ତ ବାସୁଦେବ ମନ୍ଦିରର ରୋଷଘରରେ ମାଟି କୁଡୁଆ ପ୍ରସ୍ତୁତ ବିବିଧ ବ୍ୟଞ୍ଜନ, ଡାଲି ଏବଂ ଅନ୍ନ ପ୍ରସାଦ ଏକାମ୍ରକ୍ଷେତ୍ରରେ ମହାପ୍ରସାଦର ମାନ୍ୟତା ଲାଭ କରିଛି l ମହାପ୍ରଭୁ ଶ୍ରୀଅନନ୍ତ ବାସୁଦେବଙ୍କୁ ଅର୍ପିତ ଏହି ପ୍ରସାଦର ସ୍ୱାଦ ସ୍ୱତନ୍ତ୍ର l ପ୍ରତିଦିନ ଶହ ଶହ ଭକ୍ତ ଏହି ପ୍ରସାଦ ସେବନ କରିଥାନ୍ତି l ଵିଵାହ, ବ୍ରତ, ଶ୍ରାଦ୍ଧ ଆଦି ମାଙ୍ଗଳିକ କାର୍ଯ୍ୟରେ ଅନନ୍ତ ବାସୁଦେବ ମନ୍ଦିର ପ୍ରାସାଦର ବହୁ ଚାହିଦା ଥିବା ପରିଲକ୍ଷିତ ହୁଏ l ଭାଦ୍ର ଶୁକ୍ଳ ଅନନ୍ତ ଚତୁର୍ଦଶୀ ଓ ଅନନ୍ତବ୍ରତ ଦିନ ମହାପ୍ରଭୁଙ୍କ ପୂଜା ଓ ଦର୍ଶନପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ହୋଇଥାଏ l
ଓଁ ନମଃ ଭଗବତେ ବାସୁଦେବାୟଃ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights