ପବିତ୍ର ପୌଷ ଶୁକ୍ଳଦଶମୀ ଯାହା ଆମ ହିନ୍ଦୁ ପରମ୍ପରାରେ,ଶାମ୍ବ ଦଶମୀ ଭାବେ ସର୍ବତ୍ର ପାଳିତ ହୋଇଥାଏ । ଆସନ୍ତୁ ଜାଣିବା ପବିତ୍ର ଶାମ୍ବଦଶମୀ ପଛରେ ଥିବା କଥା ।
ଭଗବାନ୍ ଶ୍ରୀକୃଷ୍ଣଙ୍କ ପୁତ୍ର ଥିଲେ ଶାମ୍ବ ସେ ତାଙ୍କ ଅଷ୍ଟ ପାଟବଂଶୀଙ୍କ ମଧ୍ୟରୁ ଅନ୍ୟତମା ଜାମ୍ବବତୀଙ୍କ ପୁତ୍ର ଥିଲେ । ଶାମ୍ବ ଥିଲେ ଅତ୍ୟନ୍ତ ରୂପବାନ । କିନ୍ତୁ ଆଚରଣରେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ଓ କାମୁକ ।
ଦିନକର କଥା, ଶାମ୍ବଙ୍କ ଚରିତ୍ର ସୁଧାର ପାଇଁ ତାଙ୍କୁ ଦେବର୍ଷି ନାରଦ ବହୁ ଉପଦେଶଦେଲେ । ତା ସତ୍ତ୍ୱେ ମଧ୍ୟ ତାଙ୍କ ଚରିତ୍ରର କିଛି ପରିବର୍ତ୍ତନ ହେଲାନାହିଁ ।
ତାଙ୍କୁ ଶିକ୍ଷା ଦେବା ପାଇଁ ଦେବର୍ଷି ନାରଦ ଗୋଟିଏ ଉପାୟ ଚିନ୍ତା କଲେ ବିହାର ପାଇଁ ଦିନେ ଶ୍ରୀକୃଷ୍ଣ ରୈବତକ ପର୍ବତକୁ ଯାଇଥାନ୍ତି। ସେଠାକୁ ଦେବର୍ଷି ଶାମ୍ବଙ୍କୁ ଡାକିନେଲେ । ପର୍ବତ ନିକଟରେ ଥିବା ଏକ ପୁଷ୍କରିଣୀରେ ଗୋପାଙ୍ଗନା ମାନେ ଜଳକ୍ରୀଡା କରୁ ଥାନ୍ତି । ଶାମ୍ବ ସେହି ରମଣୀମାନଙ୍କ ଆଡ଼କୁ କାମୁକ ଦୃଷ୍ଟିରେ ଚାହିଁରହି ପ୍ରେମାଳାପ କରିବାକୁ ଲାଗିଲେ ।
ଶାମ୍ବଙ୍କ ଏପରି ଆଚରଣ ଦେଖି ନାରଦ ଯାଇ ଏହା କୃଷ୍ଣଙ୍କୁ ଜଣାଇଦେଲେ । ଶ୍ରୀକୃଷ୍ଣ ସେଠାରେ ପହଞ୍ଚି ପୂତ୍ରର ଏ ଆପତ୍ତିଜନକ ଆଚରଣ ଦେଖି କ୍ଷୁବ୍ଧହୋଇ ଶାପଦେଲେ ତୁ ଯେଉଁ ରୂପ ପାଇଁ ଏତେ ଗର୍ବିତ, ତାହା କୁଷ୍ଠ ରୋଗରେ କୁ ରୂପ ହୋଇଯାଉ । ଶାମ୍ବ କୁଷ୍ଠ ପୀଡ଼ିତ ହୋଇ, ମୁକ୍ତି ନିମନ୍ତେ ନାରଦଙ୍କୁ ପ୍ରାର୍ଥନାକଲେ ।
ଦେବର୍ଷି ନାରଦ ତାଙ୍କୁ ପରାମର୍ଶ ଦେଲେ, ଭାରତ ପୂର୍ବ ଉପ କୂଳରେ ଅବସ୍ଥିତ ମୈତ୍ରେୟ ବନରେ ସୂର୍ଯ୍ୟଉପାସନା କଲେ ଏ ବ୍ୟାଧିରୁ ମୁକ୍ତି ମିଳିବ । ଶାମ୍ବ ଆସି କୋଣାର୍କରେ ବାରବର୍ଷ ତପସ୍ୟାରେ ମଗ୍ନ ରହି, ସୂର୍ଯ୍ୟ ଉପାସନା କଲେ ସୂର୍ଯ୍ୟ, ଶାମ୍ବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ଏହି ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ ଏବଂ ସେ ତାଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଲେ ।
ଶାକ ଦ୍ଵୀପରୁ ବ୍ରାହ୍ମଣମାନଙ୍କୁ ଆଣି ଶାମ୍ବ ମୈତ୍ରେୟ ବନରେ ସୂର୍ଯ୍ୟଦେବଙ୍କ ପୂଜାବେଦୀ ସ୍ଥାପନକଲେ । ଯେଉଁଦିନ ସେ ସୂର୍ଯ୍ୟଙ୍କୁ ସ୍ଥାପନା କରିଥିଲେ ସେହି ଦିନ ଥିଲା ପୌଷ ଶୁକ୍ଳଦଶମୀ ଯାହା ଶାମ୍ବ ଦଶମୀ ଭାବେ ଅଦ୍ୟାବଧି ପାଳିତ ହୋଇ ଆସୁଛି ।
ଅନ୍ୟ ଏକ ପୌରାଣିକ ଗାଥାରୁ ଜ୍ଞାତ ହୋଇ ଥାଏ ଦିନେ ସତ୍ୟଭାମାଙ୍କ ସହିତ ଶ୍ରୀକୃଷ୍ଣ ଏକାନ୍ତ ଥିଲା ବେଳେ, ଶାମ୍ବ ସେଠାରେ ଉପସ୍ଥିତ ହୋଇ, ଏହାକୁ ଅଵଲୋକନ କଲେ । ପୁତ୍ରର ଏ ଅନୁଚିତ ଆଚରଣ ଦେଖି ଶ୍ରୀକୃଷ୍ଣ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗ ଗ୍ରସ୍ତ ହୁଅ ବୋଲି ଅଭିଶାପଦେଲେ । ପରେ ଅନୁତପ୍ତ ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କ ପରାମର୍ଶରେ ଶାମ୍ବଙ୍କୁ କୋଣାର୍କ ମୈତ୍ରେୟ ବନକୁ ଯାଇ ସୂର୍ଯ୍ୟଦେବତାଙ୍କ ପୂଜାକର ବୋଲି ଉପଦେଶଦେଲେ ।
କୋଣାର୍କକୁ ଆସି ଶାମ୍ବ ଚନ୍ଦ୍ରଭାଗାନଦୀର ବାଲୁକା ରାଶିରେ ରବିନାରାୟଣ ପ୍ରତିମା ପୂଜାକରି, ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତି ଲାଭ କଲେ । ସେଦିନ ଥିଲା ପୌଷ ଶୁକ୍ଳ ଦଶମୀ ଯାହା ଶାମ୍ବ ଦଶମୀ ରୂପେ ପାଳିତ ହେଉଛି ।
ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁଯାୟୀ ଏକଦା ଅର୍କ କ୍ଷେତ୍ର, କୋଣାର୍କରେ ଗୌତମ ନାମକ ଜଣେ ବିପ୍ର ବାସ କରୁଥିଲେ । ସେହି ବିପ୍ର ପତ୍ନୀଙ୍କ ନାମ ଥିଲା ପଦ୍ମମୁଖୀ ତାଙ୍କର ଯେତେ ଗୁଡ଼ିଏ ସନ୍ତାନ ଜାତ ହେଉଥିଲେ, ସମସ୍ତେ ମରି ଯାଉ ଥିଲେ । ତାଙ୍କର ଏମିତି ତିନି ପୁତ୍ର ଜନ୍ମ ହୋଇ, ମରି ଗଲେ । ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଲେ । ବିପ୍ର ଗୌତମ ପତ୍ନୀଙ୍କୁ ସୂର୍ଯ୍ୟ ପୂଜା କରିବାକୁ ପରାମର୍ଶ ଦେଲେ । ତେଣୁ ପଦ୍ମମୁଖୀ ନିତ୍ୟ ସୂର୍ଯ୍ୟପୂଜା କରିବାକୁ ଲାଗିଲେ ।
ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ, ଦିନେ ସୂର୍ଯ୍ୟ ଦେବ ଆବିର୍ଭାବ ହୋଇ ତାଙ୍କୁ କହିଲେ ପୌଷମାସ ଶୁକ୍ଳ ଦଶମୀ ତିଥିରେ, ଆମ୍ଭର ବ୍ରତ ଆଚରଣ କର । ଏ ବ୍ରତର ସମସ୍ତ ଵିଧି ବିଧାନ ମଧ୍ୟ ସେ ତାଙ୍କୁ ବତାଇ ଦେଲେ । ସୂର୍ଯ୍ୟ ପୁଣି କହିଲେ, ଏ ବ୍ରତ ଆଚରଣ କଲେ ପରିବାରର ମଙ୍ଗଳହେବ, ନିଃସନ୍ତାନ ବ୍ୟକ୍ତି ସନ୍ତାନ ଲାଭ କରିବ, କୌଣସି ସନ୍ତାନର ଅକାଳ ମୃତ୍ୟୁ ହେବ ନାହିଁ ବିପ୍ର ପତ୍ନୀ ଏ ବ୍ରତ ଆଚରଣ କରି ପୁନଃ ଦୀର୍ଘାୟୁ ସନ୍ତାନ ପ୍ରାପ୍ତ ହେଲେ ।
ଏହି କଥା ନାରଦ ରୁକ୍ମିଣୀଙ୍କୁ କହିଥିଲେ । ଦେବୀ ଏହି ବ୍ରତ କରିବା ଦ୍ୱାରା ସମ୍ବରାସୁର ସହିତ ବାରମ୍ବାର ତୁମୁଳ ସଂଗ୍ରାମ କରି ପରାସ୍ତ, ତ୍ରସ୍ତ, ପୁତ୍ର ପ୍ରଦ୍ୟୁମ୍ନ ସମ୍ବରାସୁରକୁ ବଧକରିବାକୁ ସମର୍ଥ ହୋଇଥିଲେ । ସମ୍ବର ଅସୁର ପୌଷ ଶୁକ୍ଳ ଦଶମୀ ତିଥିରେ ନିଧନ ହୋଇଥିଲା । ଏଣୁ ପୌଷମାସ ଶୁକ୍ଳଦଶମୀ ସମ୍ବର ଦଶମୀ ଭାବେ ମଧ୍ୟ ପାଳିତ ହୁଏ ।
ଗଣେ ନାରାୟଣେ ରୁଦ୍ରେ, ଅମ୍ବିକେ ଭାସ୍କରେ ଯଥା, ଭିନ୍ନାଭିନ୍ନ ନ କର୍ତ୍ତବ୍ୟ, ପଞ୍ଚଦେବ ନମସ୍ତୁତେ । ଏହି ମନ୍ତ୍ର ଅନୁଯାୟୀ ଆମ ହିନ୍ଦୁସମାଜରେ ପଞ୍ଚଦେବଙ୍କ ଉପାସନାଵିଧି ପ୍ରଚଳିତ । ଏହି ପଞ୍ଚଦେବତା ମାନେ ହେଉଛନ୍ତି ଆଦିଦେବ । ଏଣୁ ରବିନାରାୟଣଙ୍କୁ ଆଦି ଦେବତା ଭାବେ ଷୋଡଶ ଉପଚାରରେ ପୂଜା କରା ଯାଏ ।
ବହୁ ପ୍ରାଚୀନକାଳରୁ ଆମ ମହା ଭାରତୀୟ ଦର୍ଶନରେ, ସୂର୍ଯ୍ୟ ଉପାସନାର ପ୍ରଚଳନ ହୋଇଛି । ସୂର୍ଯ୍ୟ ସୃଷ୍ଟିସ୍ଥିତି ପ୍ରଳୟର ନିୟନ୍ତା ଓ ସମଗ୍ର ବିଶ୍ୱର ଚକ୍ଷୁ ସ୍ୱରୂପ । ତେଣୁ ସୂର୍ଯ୍ୟ ତର୍ପଣରେ ମନ୍ତ୍ର ବୋଲା ଯାଇଥାଏ:-
ନମଃ ସବିତ୍ରେ ଜଗଦ୍ଧେକ ଚକ୍ଷୁସେ
ଜଗତ ପ୍ରସୂତି ସ୍ଥିତି ନାଶ ହେତବେ ।।
ତ୍ରୟୀ ମୟାୟ ତ୍ରିଗୁଣାତ୍ମ ଧାରୀଣେ
ବିରଞ୍ଚିନାରାୟଣ ଶଙ୍କରାତ୍ମନେ ନମଃ ।।
ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ଶ୍ରୀବିଷ୍ଣୁ ହେଉଛି ଏକ ଆଦିତ୍ୟଙ୍କ ନାମ, ଆଦିତ୍ୟହୃଦୟ ସ୍ତୋତ୍ରରେ ପ୍ରାତ କାଳୀନ ସୂର୍ଯ୍ୟଙ୍କୁ ବ୍ରହ୍ମା । ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ଶଙ୍କର । ଏବଂ ସାୟଂ କାଳୀନ ସୂର୍ଯ୍ୟଙ୍କୁ ବିଷ୍ଣୁ ରୂପେ ପୂଜା କରାଯାଏ ।
ଉଦୟେ ବ୍ରହ୍ମଣୋପେତଂ,ମଧ୍ୟାହ୍ନେ ତୁ ମହେଶ୍ୱରଂ
ଅସ୍ତକାଳେ ଭଵେତ ବିଷ୍ଣୁ ତ୍ରିମୂର୍ତିଶ୍ଚ ଦିଵାକରଃ ।।
ଶ୍ରୀମଦ୍ଭଗତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତି ଆଦିତ୍ୟ ମାନଙ୍କ ଭିତରେ ମୁଁ ବିଷ୍ଣୁ ଓ ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ମୁଁ ଅଂଶୁମାନ,ରବି :-
” ଆଦିତ୍ୟାନାହମ୍ ବିଷ୍ଣୁ
ଜ୍ୟୋତିଷାମ୍ ରବିରଂଶୁମାନ ।”
ସେ ତେଜୀୟାନ, ନୟନ ଦେବ, ସର୍ବ ପାପହାରୀ, ସର୍ବ ଦେଵାତ୍ମା,ଏଣୁ କୁହାଯାଇଛି :-
” ତ୍ଵଂ ଭାନୋ ଜଗତଶ୍ଚକ୍ଷୁସ୍ତମାତ୍ମା
ସର୍ବ ଦେହିନାମ୍” ।
ସୂର୍ଯ୍ୟ ପୂଜା ଵିଧି ଏବଂ ଶାମ୍ବ ଦଶମୀ ଉପାଖ୍ୟାନ ସୂର୍ଯ୍ୟ ପୁରାଣ ଓ ଏହା ଅନ୍ତର୍ଗତ ଶାମ୍ବ ପୁରାଣରେ ବର୍ଣ୍ଣିତ ହୋଇଛି । ଏଥିସହ ଏହା ଭବିଷ୍ୟ ପୁରାଣ, ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ମହାଭାରତ, କପିଳ ସଂହିତା ଆଦି ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ ହୋଇଛି । ରାମାୟଣରେ ବର୍ଣ୍ଣିତ ହୋଇଛି, ଶ୍ରୀରାମ ଆଦିତ୍ୟ ହୃଦୟ ସ୍ତବ ପାଠରେ ସିଦ୍ଧିପ୍ରାପ୍ତ ହୋଇ ଲଙ୍କପତି ରାବଣକୁ ନିଧନ କରିବାକୁ ସମର୍ଥ ହୋଇ ଥିଲେ ।
ମହାଭାରତ ବନପର୍ବରେ ଉଲ୍ଲେଖ ରହିଛି ଯୁଧିଷ୍ଠିର ବନ ଗମନ କାଳରେ, ପୁରୋହିତ ମୁନୀ ଧୌମ୍ୟଙ୍କ ଉପଦେଶରେ ସୂର୍ଯ୍ୟଙ୍କ ଅଷ୍ଟୋତ୍ତର ଶତନାମ ପାଠ ପୂର୍ବକ ତାଙ୍କୁ ପ୍ରସନ୍ନ କରି, ତାଙ୍କଠାରୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲେ ।
ଶାମ୍ବ ଦଶମୀ, ରବି ନାରାୟଣ ଉପାସନାର ପ୍ରକୃଷ୍ଠ ଅବସର । ସୌରଶକ୍ତି ଏ ସମସ୍ତ ଜୀବଜଗତ ପାଇଁ ଅପରିହାର୍ଯ୍ୟ । ସମସ୍ତ ସୃଷ୍ଟିକୁ ସୂର୍ଯ୍ୟ ହିଁ ଚଳ ଚଞ୍ଚଳ କରିଥାନ୍ତି, ସେ ସମସ୍ତ ଜୀବଜଗତର ପ୍ରାଣ, ସକଳ ଶକ୍ତିର ଆଧାର । ଆମର ଜ୍ୟୋତିଷ ଶାସ୍ତ୍ର ସୂର୍ଯ୍ୟଙ୍କୁ ହିଁ କେନ୍ଦ୍ର କରି ଗଢ଼ି ଉଠିଛି । ବାଳ ସୂର୍ଯ୍ୟଙ୍କ କିରଣ ଚିକିତ୍ସା ଶାସ୍ତ୍ର ମତେ ସ୍ୱାସ୍ଥ୍ୟପ୍ରଦ ।
ସୂର୍ଯ୍ୟଙ୍କ ରଶ୍ମିରେ ରହିଛି ବହୁ ଉପକାରୀ ତତ୍ତ୍ୱସମୂହ । ବାଳସୂର୍ଯ୍ୟଙ୍କୁ ଚାହିଁଲେ ଦୃଷ୍ଟିଶକ୍ତି ବଢ଼େ । ଅକ୍ଷୟ ଶକ୍ତିର ଭଣ୍ଡାର ହେଉଛନ୍ତି ସୁର୍ଯ୍ୟ। ସୂର୍ଯ୍ୟଙ୍କ ବିନା ଏ ଜଗତର ସ୍ଥିତି ଅସମ୍ଭବ । ଏଣୁ ସର୍ବ ଶକ୍ତିମାନ ସୂର୍ଯ୍ୟଙ୍କୁ ଆମ ପୂର୍ବ ସୁରୀମାନେ ପୌରାଣିକ ଗାଥା, କିମ୍ବଦନ୍ତୀ, ଧର୍ମୀୟ ଭାବନା ସହ ଯୋଡ଼ି ଦେଇ ଆମକୁ ସୃଷ୍ଟିର ମହାନ ଦାନର ମହତ୍ୱ ବୁଝିବା ନିମନ୍ତେ ସୂଚାଇ ଦେଇଛନ୍ତି । ଜୀବଶ୍ରେଷ୍ଠ ମନୁଷ୍ୟ, ଏହି ସୂର୍ଯ୍ୟପୂଜା ପାଇଁ ପ୍ରକୃଷ୍ଠ ଅବସର ଶାମ୍ବ ଦଶମୀକୁ ବାଛି ନେଇଛି ।
ନିତ୍ୟ ସୂର୍ଯ୍ୟ ଉପାସନା କଲେ, ମନୁଷ୍ୟର କୌଣସି ଆଧି ବ୍ୟାଧି ଶୋକ ସନ୍ତାପ ଓ ଦାରିଦ୍ର୍ୟ ରହେ ନାହିଁ ଓ ଅନ୍ତଃ କାଳରେ ମନୁଷ୍ୟକୁ ଆଦିତ୍ୟଲୋକ ପ୍ରାପ୍ତ ହୋଇଥାଏ । ଏଣୁ ଶାସ୍ତ୍ରରେ କୁହା ଯାଇଛି :-
ଆଦିତ୍ୟସ୍ୟ ନମସ୍କାରଂ
ଯେ କୁର୍ବନ୍ତି ଦିନେ ଦିନେ
ନ ବ୍ୟାଧି ଶୋକ ଦାରିଦ୍ର୍ୟମ୍
ସୂର୍ଯ୍ୟ ଲୋକଂ ସ ଗଛତି
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971