ଶିବ କହିଲେ ଊମା ! ମୁଁ ତୁମ ପାଇଁ ଗୋକୁଳରୁ ଆଣିଥିବା ମିଠା ଦହି, ଛେନା, ସରପୁଳି, ଗୋଟିକା, ଅଧାମ ସବୁ ଖାଇ ଦେଇଛି

Share it

ନନ୍ଦର ଘରେ ପୁତ୍ର ଜାତ !
==============

କଂସ ବନ୍ଦୀଘରେ ଜନ୍ମ ହୋଇ ଭଗବାନ୍ ଶ୍ରୀକୃଷ୍ଣ ରାତାରାତି ଯାଇ ଗୋପପୁର ନନ୍ଦଗୃହରେ ପହଞ୍ଚି ଗଲେ l ରାତି ପାହିଗଲାରୁ ଗୋପପୁରରେ ଚହଳ ପଡ଼ିଗଲା ଅପୁଆ ନନ୍ଦ ରାଜାଙ୍କ ଘରେ ପୁଅ ଜନ୍ମ
ହୋଇଛି l ଭାଗବତ କହିଲେ,’ନନ୍ଦର ଘରେ ପୁତ୍ର ଜାତ l ଚହଳ ଶୁଭେ ଅପ୍ରମିତ’l ନନ୍ଦ ଗୃହ ଉତ୍ସବ ମୁଖର ହୋଇ ଉଠିଲା l ଗୋପୀ ଗୋପାଳ ମାନେ କୃଷ୍ଣଜନ୍ମ ଖବରପାଇ ନନ୍ଦଗୃହକୁ ଧାଡ଼ି ବାନ୍ଧିଲେ l ସାତଦିନ ଧରି ବ୍ରଜପୁର ଖିରୀ ପୁରିରେ ଭାସିଲା l ନନ୍ଦ ରାଜା ବ୍ରାହ୍ମଣ ମାନଙ୍କୁ ଅଜସ୍ର ଧେନୁ ଦକ୍ଷିଣା ଆଦି ଦାନକରି ପୁତ୍ରର ଆଶିର୍ବାଦ କାମନାକଲେ l ମା’ ଯଶୋଦା ପୁତ୍ରର ମଙ୍ଗଳ ବାଞ୍ଛା କରି କେତେ ଦେବତାଙ୍କ ପାଖରେ ମାନସିକ ରଖିଲେ l

କୃଷ୍ଣ ଜନ୍ମ ହୋଇସାରିଲେଣି ଏକଥା ତାଙ୍କ ପରମ ଭକ୍ତ ମହାଦେବ କୈଳାଶରେ ତପସ୍ୟା ରତ ଥାଇ ଜାଣିଗଲେ l ଦ୍ଵାଦଶଦିବସରେ ସେ ମହାଯୋଗୀ ବେଶରେ ବାହାରି ପଡ଼ିଲେ ଗୋକୁଳ ବାଳକୃଷ୍ଣଙ୍କ ଦର୍ଶନ ପାଇଁ l କଣ୍ଠ ଏଵଂ ଜଟାରେ ଶୋଭା ପାଉ ଥାଏ ସର୍ପ,ସର୍ବାଙ୍ଗ ଶରୀର ଭସ୍ମବିଭୂଷିତ, ବସନ ମୃଗଚର୍ମ,ହସ୍ତରେ ଶୋଭିତ ତ୍ରିଶୂଳ ଏବଂ ଡମ୍ବରୁ l ମାଆ ପାର୍ବତୀ ମଧ୍ୟ ତାଙ୍କ ସହ ବାହାରିଲେ, କିନ୍ତୁ ଶିବ ତାଙ୍କୁ ବୁଝାଇ ଦେଲେ, ଗୋକୁଳ କୈଳାଶରୁ ବହୁଦୂର, ତୁମେ ସେଠାକୁ ଯିବା ବହୁ କ୍ଳେଶଦାୟୀ ହେବ l ପାର୍ବତୀ କହିଲେ, ମୁଁ ଶୁଣିଛି ଗୋକୁଳର ସର ଲବଣୀ ସବୁ ଖୁବ୍ ମିଠା l ଆପଣ ଫେରିଲା ବେଳକୁ,ସେଥିରୁ ମୋପାଇଁ କିଛି ଘେନିଆସିବେ l ପାର୍ବତୀଙ୍କ କଥାରେ ରାଜି ହୋଇ, ଶିବ ଗୋକୁଳ ଅଭିମୁଖେ ଯାତ୍ରା କଲେ l

ପବିତ୍ର ବ୍ରଜ ଭୂମିରେ ପହଞ୍ଚିବା ମାତ୍ରେ ପୁଲକିତ ହୋଇଉଠିଲେ ସଦାଶିବ l ପ୍ରେମାବେଶରେ ସେ ବ୍ରଜଦାଣ୍ଡଧୂଳି ସର୍ବାଙ୍ଗ ଶରୀରରେ ବୋଳି ହୋଇ ପଡ଼ିଲେ l ନନ୍ଦ ଦ୍ଵାରରେ ପହଞ୍ଚି ସେ ଭିକ୍ଷା ଥାଳ ପାତି ଡମଡମ ଡମ୍ବରୁ ବଜାଇ ଡାକ ପକାଇଲେ, “ଭିକ୍ଷାମ୍ ଦେହି, ଭିକ୍ଷାମ୍ ଦେହି” l କୃଷ୍ଣ ମାଆଙ୍କ କୋଳରେ ଥାଇ ଜାଣିନେଲେ ଏବେ ମୋର ଭକ୍ତ ଆସିଗଲେ l ଉଭୟ ଉଭୟଙ୍କ ଭକ୍ତ, ଶିବ ଆଉ କିପରି କୃଷ୍ଣଙ୍କ କଥା ବା ଜାଣି ନ ପାରିବେ l ସେ ମଧ୍ୟ ଜାଣିନେଲେ ପ୍ରଭୁ ନିଜ ଭକ୍ତର ଦର୍ଶନ ପାଇଁ ଅପେକ୍ଷା ରତ l

ଯଶୋଦା ଦେଖିନେଲେ ଜଣେ କେହି ସାଧୁ ଭିକ୍ଷା ପାଇଁ ଆସିଛି l ଚେହେରାରୁ ଜଣା ଯାଉଛି ଜଣେ କାପାଳିକ ପରି l ‘ଅପେକ୍ଷା କର l ଭିକ୍ଷା ଆଣୁଛି’ କହି ଯଶୋଦା ଘରଭିତରକୁ ଯାଉଛନ୍ତି ଭଗବାନ୍ ଶଙ୍କର କହିଲେ,ହଉ ମାଆ ଭିକ୍ଷା ତ ଦେବୁ l କିନ୍ତୁ ତା ପୂର୍ବରୁ ତୋ ପୁଅକୁ ଟିକିଏ ଆଣେ l ମୁଁ ପରା ତାକୁ ଦେଖିବାକୁ ଆସିଛି l ଯଶୋଦାଙ୍କ ମନରେ ଛନକା ପଶିଲା l ଯେଉଁ କଥା ଭାବୁଥିଲେ ସେହି ଭାବନା ତାଙ୍କ ମନରେ ଦୃଢ଼ ହୋଇଗଲା l ମନେ ମନେ ସେ ସ୍ଥିର କଲେ, ଯାହା ବି ହେଉ, ପୁଅକୁ ମୁଁ ଏ କାପାଳିକଟାକୁ ଦେଖାଇବି ନାହିଁ l କଅଣ ଯେ ତନ୍ତ୍ରମନ୍ତ୍ର କରିଦେବ ! ଯଶୋଦା ଶିବଙ୍କୁ କହିଲେ, ବାବା ତୁମେ ଧନରତ୍ନ, ଅନ୍ନବସ୍ତ୍ର, ଯାହା ବି ନେବ ନେଇ ଯାଅ, କିନ୍ତୁ ପୁଅକୁ ଦେଖିବା କଥା କୁହନା l ପୁଅଟା ମୋର ଭାରି ଡରୁଆ ହୋଇଛି l ଆପଣଙ୍କୁ ଦେଖିଲେ ସେ ଶଙ୍କିଯିବ l

ଶିବ କହିଲେ ମାଆ ମୁଁ ଯୋଗୀଟିଏ ମୋର ସେ ଧନରତ୍ନ କ’ଣ ହବ, ମୋ ସ୍ତ୍ରୀ ପରା ସ୍ଵୟଂ ଅନ୍ନପୂର୍ଣ୍ଣା l ମୁଁ ଏଇଠି ବସି ରହିଲି l ମୁଁ ଏଠାରେ ପଛକେ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ବସିରହିବି, କିନ୍ତୁ ତୋ ପୁଅକୁ ନ ଦେଖିଲା ପର୍ଯ୍ୟନ୍ତ ମୁଁ ଯିବି ନାହିଁ l

ଯଶୋଦା କହିଲେ ତୁମେ ଯେତେ ବର୍ଷ ବସୁଛ ବସ କିନ୍ତୁ ତୁମେ ମୋ ପୁଅକୁ ଦେଖି ପାରିବନାହିଁ l ତୁମେ ଏଠାରେ ଦଶ ହଜାର ବର୍ଷ ବସିବ ତ ମୁଁ କୋଡ଼ିଏହଜାର ବର୍ଷ ପର୍ଯ୍ୟନ୍ତ ମୋର ଦ୍ଵାର ବନ୍ଦକରି ରଖିବି l

ଯଶୋଦାଙ୍କ ଜିଦ୍ ପାଖରେ ଶେଷରେ ସଦାଶିବ ହାରମାନି କହିଲେ ହଉ ମାଆ, ତୋ ପୁଅକୁ ତୁ ରଖି ଥା ମୁଁ ଚାଲିଲି l ନିରାଶ ଶିବ ଚାଲିଲେ ଯମୁନା ତୀରକୁ l ସେଇଠାରେ ବସି ସେ ପ୍ରଭୁଙ୍କୁ ଜଣାଇଲେ,କେତେ ଆଶା ନେଇ ଆସିଥିଲି, ସତରେ କଅଣ ମୋତେ ଆପଣ ଦର୍ଶନ ଦେବେ ନାହିଁ l ଏଇଆ, ତେବେ କଅଣ ଆପଣଙ୍କ ଇଛା l ହଉ ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣହେଉ l

ଶିବ ଯମୁନା କୂଳରେ ବସିଛନ୍ତି l ଭକ୍ତର ବେଦନା ଜାଣି ଗଲେ ପ୍ରଭୁ l ମନରେ ଚିନ୍ତା କଲେ, ଟିକିଏ ଲୀଳା ଦେଖାଇବା ପାଇଁ l ଖୁବ୍ ଜୋରରେ କ୍ରନ୍ଦନ କରିବାକୁ ଲାଗିଲେ ପ୍ରଭୁ l ସବୁ ଗୋପୀ ଗୋପାଳ ମାନେ ଥକିଗଲେ, ମାତ୍ର ବାଳକର କାନ୍ଦଣା ବନ୍ଦ୍ ହେଲା ନାହିଁ l ଯଶୋଦା ମୁଣ୍ଡ କୋଡ଼ି କାନ୍ଦୁ ଥାନ୍ତି, ଏବେ ମୁଁ କି ବୁଦ୍ଧି କରିବି !!! ଏ ଅପତ ମଙ୍ଗୁଳିଆ ଗୁଣିଆଁଟା କେଉଁଆଡ଼ୁ ଆସି କି ଗୁଣିଗାରେଡ଼ି କରି ଦେଇଗଲା, କି ମନ୍ତ୍ର ଫୁଙ୍କି ଦେଲାଲୋ !!!

ଏହି ସମୟରେ ଲଳିତା ଆସି ପହଞ୍ଚିଲେ l ମାଆ ଯଶୋଦାଙ୍କୁ ସେ ଶାନ୍ତ୍ବନା ଦେଇ କହିଲେ, ତୁମେ କେହି ସାଧୁ ମହାତ୍ମାଙ୍କୁ ଫେରାଇ ଦେଇନାହଁ ତ? ମାଆ ଯଶୋଦା ସବୁ ଘଟଣା ଗୋଟି ଗୋଟି କରି କହିଗଲେ l ଗୋପାଳମାନେ ଖୋଜି ଖୋଜି ଯାଇ ଯମୁନା କୁଳରୁ ଶିବଙ୍କୁ ଘେନି ଆସିଲେ l ଗୋପୀ ମାନେ ଅତି ଶ୍ରଦ୍ଧାରେ ବାଳ କୃଷ୍ଣଙ୍କୁ ନେଇ ତାଙ୍କ କୋଳରେ ଶୁଆଇ ଦେଲେ l ତତ୍କ୍ଷଣାତ କହ୍ନାଇର କାନ୍ଦଣା ବନ୍ଦ ହୋଇ ଗଲା l ବାବାଙ୍କ କୋଳରେ ଶିଶୁକୃଷ୍ଣ ଖିଲି ଖିଲି ହୋଇ ହସିବାକୁ ଲାଗିଲେ l ଭକ୍ତ ଆଉ ଭଗବାନଙ୍କ ସେହି ଲୀଳାକୁ ଦେଵତା ମାନେ ସ୍ଵର୍ଗରୁ ଅବଲୋକନ କରୁଥିଲେ l

ଶିବଙ୍କ ଅଭିଳାଷ ପୂର୍ଣ୍ଣହେଲା l ସେ କୃଷ୍ଣଙ୍କୁ ମାଆ ଯଶୋଦାଙ୍କ କୋଳରେ ସମର୍ପି ଦେଇ ବାହାରିଲେ କୈଳାଶକୁ l ଯଶୋଦା ପୁଅ ଶିରରେ ଗୋରଚନା ଲଗାଇ କହିଲେ, ହେ କରୁଣାମୟ ପ୍ରଭୁ ! ତୁମରି କରୁଣାରୁ ମୋ ପୁଅର ଆଜି ରିଷ୍ଟ ଖଣ୍ଡନ ହେଲା l

ନନ୍ଦରାଜା ଖଣ୍ଡ ବସାଦହି, ଛେନା, ଲବଣୀ, ସର ଆଦିରେ ଶିବଙ୍କ ଥାଳ ପୂର୍ଣ୍ଣ କରି ଦେଲେ l ଭାବ ଗଦ୍ଗଦ ହୋଇ,ମହାଦେବ କୈଳାଶ ପ୍ରତ୍ୟାବର୍ତ୍ତନ ପଥରେ ଗୋକୁଳର ସେ ପ୍ରସାଦ ସବୁ ତକ ଖାଇ ଦେଇ ଶୁନ୍ୟ ହସ୍ତରେ ପହଞ୍ଚି ପାର୍ବତୀଙ୍କୁ କହିଲେ, ଊମା ! ମୁଁ ତୁମ ପାଇଁ ଆଣିଥିବା ଗୋକୁଳରୁ ମିଠା ଦହି, ଘୋଳ,ଛେନା,ସରପୁଳି, ଗୋଟିକା, ଅଧାମ ସବୁ କ୍ଳାନ୍ତ ଯାତ୍ରା ପଥରେ ଖାଇ ଦେଇଛି l

ଏହି ପୌରାଣିକ କିମ୍ବଦନ୍ତୀର ସ୍ମୃତିକୁ ବହନ କରି ଦେବ ଦେବ ମହାଦେବ ଗୋକୁଳ ନନ୍ଦଗାଓଁ ନନ୍ଦ ଭବନ ସମ୍ମୂଖରେ ବିରାଜିତ ଅଛନ୍ତି ଶ୍ରୀନନ୍ଦେଶ୍ୱର ମହାଦେବ ରୂପେ l ମନ୍ଦିରରେ ସେହି ଶିବଲିଙ୍ଗକୁ ଦେଖିଲେ ମନେ ହୁଏ ଯେପରି ମହାଯୋଗୀ ଶିବ କୃଷ୍ଣଙ୍କ ଦର୍ଶନ ପାଇଁ ଯୁଗ ଯୁଗ ଧରି ସେହିଠାରେ ଅପେକ୍ଷା କରି ରହିଛନ୍ତି l

!!! ଜୟ କହ୍ନେୟା ଲାଲ କି !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights