ଶିବଭକ୍ତ ମୁନି ମାର୍କଣ୍ଡେୟ

Share it

PURAN KATHA
12th August 2024

ଶିବଭକ୍ତ ମୁନି ମାର୍କଣ୍ଡେୟ
==============

ପୂର୍ବକାଳରେ ଆମ ଆର୍ଯ୍ୟାବର୍ତ୍ତରେ ମୄକଣ୍ଡ ବୋଲି ଜଣେ ମହାନ୍ ଋଷି ବାସକରୁଥିଲେ l ତାଙ୍କ ପତ୍ନୀ ଥିଲେ ମରୁଦ୍ଵତୀ l ସୁଖରେ ସେମାନଙ୍କ ଦାମ୍ପତ୍ୟ ଜୀବନ କଟୁଥିଲା, ମାତ୍ର ତାଙ୍କର ଗୋଟିଏ ଦୁଃଖ ଥିଲା ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ l

ମହର୍ଷି ମୄକଣ୍ଡ ଥିଲେ ଶିବ ଭକ୍ତ l ତେଣୁ ଭଗବାନ ଶଙ୍କରଙ୍କୁ ସେ ପୁତ୍ର ପ୍ରାପ୍ତି ପାଇଁ ତପସ୍ୟା କରନ୍ତି l ଦିନେ ତାଙ୍କ ପ୍ରାର୍ଥନାରେ ପ୍ରସନ୍ନହୋଇ ମହାଦେବ ଆସି ଉଭା ହୋଇ କହିଲେ,ବତ୍ସ ! ମୁଁ ତୁମକୁ ପୁତ୍ର ବର ଦେବାକୁ ଆସିଛି l ତୁମେ କୁହ, ଦୀର୍ଘ ଜୀବୀ ଅଥଚ ମୂର୍ଖ ଏକଶହ ପୁତ୍ର ନେବ,ନା ଜଣେ ମାତ୍ର ମହାଜ୍ଞାନୀ ପୁତ୍ର ନେବ l ତୁମର ସେହି ମହାଜ୍ଞାନୀ ପୁତ୍ରର ଆୟୁ ମାତ୍ର ଷୋଳ ବର୍ଷ ରହିବ l ଶାସ୍ତ୍ରରେ କୁହାଯାଇଛି :-
ବରମେକ ଗୁଣିପୁତ୍ରଃ ନ ଚ ମୂର୍ଖା ଶତାନ୍ୟପି l ଏକଶ୍ଚନ୍ଦ୍ର ନମୋହନ୍ତି ନ ଚ ତାରା ଗନୈରପି ll

ଅର୍ଥାତ୍, “ଶହେ ମୁରୁଖରୁ ଭଲ ଏକ ଗୁଣି ପୁଅ l
ଏକ ଚନ୍ଦ୍ର କରେ ଦେଖ ଆକାଶ ଆଲୁଅ l”ତେଣୁ ମୄକଣ୍ଡ ଭଗବାନ ଶଙ୍କରଙ୍କୁ ସେହି ସ୍ୱଳ୍ପାୟୁ ପୁଅଟି ଦେବା ପାଇଁ କହିଲେ l କିଛିଦିନ ଗତେ ଭଗବାନ ଭୋଳାନାଥଙ୍କ ପ୍ରାସାଦରୁ,ଋଷିପତ୍ନୀ ମରୁଦ୍ଵତୀଙ୍କ ଗର୍ଭରୁ ଏକ ତେଜୋବନ୍ତ ସନ୍ତାନ ଭୂମିଷ୍ଠ ହେଲା l ମହର୍ଷି ମୄକଣ୍ଡଙ୍କ ପୁତ୍ର ହୋଇଥିବାରୁ ପୁତ୍ରର ନାମ ରଖା ଗଲା ମାର୍କଣ୍ଡେୟ l ମାର୍କଣ୍ଡେୟ କାଳ କ୍ରମେ ପିତାଙ୍କଠାରୁ ଶିକ୍ଷା ଗ୍ରହଣକରି ସର୍ବଶାସ୍ତ୍ର ଜ୍ଞାତା ଓ ସର୍ବ ବିଦ୍ୟା ପାରଙ୍ଗମ ହେଲେ l

କ୍ରମେ ମାର୍କଣ୍ଡେୟଙ୍କ ଷୋଳବର୍ଷ ବୟସ ପାଖେଇ ଆସିବାରୁ ମୄକଣ୍ଡ ଚିନ୍ତିତ ହୋଇପଡ଼ିଲେ l ବିଷର୍ଣ୍ଣ ପିତାଙ୍କୁ ଲକ୍ଷ୍ୟ କରି ମାର୍କଣ୍ଡେୟ କହିଲେ, କୁହନ୍ତୁ ପିତା ଆପଣଙ୍କର ଦୁଃଖର କାରଣ କଅଣ ? ଖୁବ ମନସ୍ତାପରେ ମୄକଣ୍ଡ କହିଲେ, ଶିବଙ୍କୁ ଆରାଧନା କରି ମୁଁ ତୋତେ ପାଇଥିଲି,ମାତ୍ର ସେହି ଶିବ ବର ଅନୁଯାୟୀ, ତୋ ଆୟୁ ସମାପ୍ତ ହେବାକୁ ଯାଉଛି l ମାର୍କଣ୍ଡେୟ କହିଲେ, ଶିବ ତ ମଙ୍ଗଳମୟ, ତାଙ୍କୁ ଭଜନ କଲେ ଅକାଳ ମୃତ୍ୟୁ ଭୟ ଅପସରି ଯାଏ l ମୁଁ ତାଙ୍କର ପୂଜାର୍ଚ୍ଚନା କରିବି,ସେ ନିଶ୍ଚୟ ମୋତେ ରକ୍ଷା କରିବେ l ପୁଅର କଥା ଶୁଣି ମହର୍ଷି ମୄକଣ୍ଡ ଅତ୍ୟନ୍ତ ପ୍ରୀତ ହୋଇ ପୁଅର ପୂଜାପାଇଁ ଗୋଟିଏ ଶିବଲିଙ୍ଗ ଗଢ଼ିଦେଲେ l ମାର୍କଣ୍ଡେୟ ଶିବଲିଙ୍ଗଙ୍କୁ ପୂଜା କରିବାରେ ଲାଗିଲେ l

ଯେଉଁଦିନ ତାଙ୍କ ଆୟୁ ସମାପ୍ତ ହୋଇଗଲା ସେହି ଦିନ ତାଙ୍କ ନିକଟରେ ଯମ ରାଜ ପହଞ୍ଚି କହିଲେ, ତୁମର ଆୟୁ ସମାପ୍ତ ହୋଇଯାଇଛି l ତୁମକୁ ମୋ ସହିତ ସଂଜମନୀପୁରକୁ ଯିବାକୁହେବ ଯେଉଁଠିକି ସମସ୍ତ ପ୍ରାଣୀ ମାନେ ଯାଇ ଥାନ୍ତି l ମୃତ୍ୟୁ ଦେବତା ମୁଁ ଧର୍ମରାଜ ଯମ l
ମାର୍କଣ୍ଡେୟ ଯମଙ୍କୁ ଭୟ ନ କରି, ପୂଜା କରୁଥିବା ଶିବ ଲିଙ୍ଗକୁ ଜାବୁଡ଼ିଧରିଲେ l ଯମ ବିରକ୍ତହୋଇ ତାଙ୍କର ଦଣ୍ଡଟିକୁ ପକାଇ ମାର୍କଣ୍ଡେୟଙ୍କୁ ଆକର୍ଷଣ କରିବାରୁ ଶିବ ଲିଙ୍ଗ ମଧ୍ୟରୁ ମହାଦେବ ଆବିର୍ଭୁତ ହୋଇ ଯମଙ୍କୁ ପଦାଘାତ କଲେ ଏବଂ ସେ ସ୍ଥାନ ଛାଡ଼ି ଚାଲିଯିବାକୁ କହିଲେ l ମାର୍କଣ୍ଡେୟ ଶିବଙ୍କୁ ପରେ କଠୋର ତପସ୍ୟା କରି, କଳ୍ପଜୀବି ରହିବା ବର ପ୍ରାପ୍ତ ହେଲେ l

ଏକଦା ଏକ କଳ୍ପଅନ୍ତେ ପ୍ରଳୟ ଉପସ୍ଥିତ ହେଲା l ସମଗ୍ର ସଂସାର ପ୍ରଳୟ ଜଳରେ ବିଲୀନ ହେବାକୁ ଲାଗିଲା l ସମସ୍ତ ସଂସାର ପ୍ରଳୟ ବାରି ମଧ୍ୟରେ ବୁଡ଼ି ରହିଥାଏ, ମାତ୍ର କଳ୍ପଜୀବି ମାର୍କଣ୍ଡେୟ ମୁନି ପ୍ରଳୟ ବାରିରେ ଭାସି ବୁଲୁ ଥାନ୍ତି l କେଉଁ ଠାରେ ହେଲେ ଆଶ୍ରୟ ନ ପାଇ ସେ ଦକ୍ଷିଣ ଦିଗକୁ ଭାସି ଯାଇ ଏକ ସ୍ଥାନରେ ଏକ ବଟ ବୃକ୍ଷକୁ ଦେଖିଲେ l ପ୍ରଳୟ ବାରିରେ ସବୁ କିଛି ନିମଜ୍ଜିତ ହୋଇଯାଇ ଥିଲାବେଳେ ସେହି ବଟବୃକ୍ଷଟି ଅକ୍ଷତ ଅବସ୍ଥାରେ ବିଦ୍ୟମାନ ଥିଲା l କ୍ଲାନ୍ତ ଶ୍ରାନ୍ତ ମହର୍ଷି ମାର୍କଣ୍ଡେୟ ଖୁବ ଆଶ୍ଚର୍ଯ୍ୟ ହେଲେ ଏବଂ ସେହି ବଟ ବୃକ୍ଷରେ ଆଶ୍ରୟ ନେବା ନିମନ୍ତେ ପାଖକୁ ଆସି ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚକିତ ହୋଇଗଲେ l ସେ ଦେଖିଲେ ସେହି ବଟବୃକ୍ଷର ଏକ ପତ୍ର ଉପରେ ବାଳକଟିଏ ଶୟନ କରିଛି l ବାଳକର ଦେହରୁ ଦିବ୍ୟ ଜ୍ୟୋତି ବାହାରୁଛି l ତା’ମୁଖ ଚତୁର୍ଦ୍ଧିଗକୁ ବିସ୍ତାରିତ ହୋଇ ରହିଛି l ପ୍ରଳୟ ବିପଦରେ ତ୍ରସ୍ତ ମୁନି ମାର୍କଣ୍ଡେୟ ଆଶ୍ରୟ ନିମନ୍ତେ ସେହି ବାଳକର ମୁଖ ଗହ୍ୱରରେ ପ୍ରବେଶକରି ତାଙ୍କ ଗର୍ଭମଧ୍ୟରେ ପହଞ୍ଚି ଦେଖିଲେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ତା’ ଉଦରରେ ପୁରି ରହିଛି l ସେ ତାହା ମଧ୍ୟରେ ଭ୍ରମିଭ୍ରମି କୌଣସି ଆଦି ଅନ୍ତ ପାଇଲେ ନାହିଁ l

ଜଗନ୍ନାଥ ପୁରାଣ ଅନୁସାରେ :-
ସେହି ଉଦର ଅଟଇ ଅତି ଯେ ବିସ୍ତାର l
କଳି ନ ହୁଇ ଆଦି ଅନ୍ତଃ ନାହିଁ ତା’ର ll
ଚାରିଆଡ଼େ ଭ୍ରମି ମୁନି ଆଶ୍ଚର୍ଯ୍ୟ ହୋଇଲେ l
ସେ ଉଦର ମଧ୍ୟେ କିଛି ଅନ୍ତ ନପାଇଲେ ll

କ୍ଷୁଦ୍ର ବାଳକର ଅନନ୍ତ ଗର୍ଭରେ ଥଳକୂଳ ନ ପାଇ ସେ ବାହାରକୁ ବାହାରିଆସି ସେହି ବାଳକକୁ ସ୍ତୁତି କରି କହିଲେ,”ହେ ଅନନ୍ତ,ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତୁମକୁ ଜାଣି ପାରୁ ନାହିଁ l ସଦୟ ହୋଇ ମୋତେ ଆପଣଙ୍କ ପରିଚୟ ଦିଅନ୍ତୁ l ମୋର ମନ ପ୍ରାଣକୁ ଶାନ୍ତ କରାନ୍ତୁ”l

ମାର୍କଣ୍ଡେୟମୁନିଙ୍କ କାତର ପ୍ରାର୍ଥନା ଶୁଣି ବଟପତ୍ର ଶାୟୀ ବାଳକ କହିଲେ,ମୁଁ ହେଉଛି ପୁରୁଷୋତ୍ତମ ଜଗନ୍ନାଥ l ଏହି କ୍ଷେତ୍ର ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନୀଳାଚଳଧାମ l ବର୍ତ୍ତମାନ ମୁଁ ବାଳମୁକୁନ୍ଦ ରୂପରେ ବଟ ପତ୍ର ଉପରେ ଶୟନ କରୁଛି l ଏହି ବଟବୃକ୍ଷ କଳ୍ପବଟ l ପ୍ରଳୟ କାଳରେ ସମସ୍ତ ବସ୍ତୁ ଧ୍ବଂସ ହେଲେ ମଧ୍ୟ ଏହା ଅକ୍ଷୟରହେ l ଏ କ୍ଷେତ୍ର ମୋର ନିତ୍ୟ ଲୀଳାସ୍ଥଳୀ ହୋଇ ଥିବାରୁ ଏହାକୁ ମୁଁ କେବେ ପରିତ୍ୟାଗ କରେ ନାହିଁ l ପ୍ରଳୟ ଜଳ ମଧ୍ୟରେ ସମସ୍ତ ବସ୍ତୁ ଲୀନହୋଇଛି l ତେଣୁ ଏହି ଅକ୍ଷୟ ବଟର ପତ୍ରରେ ମୁଁ ଶୟନ କରୁଛି l ପୁନଃ ସୃଷ୍ଟି ସଂରଚନା ହେଲେ ମୁଁ ମୋର ସିଂହାସନରେ ବିଜେ କରିବି l”

ମହର୍ଷି ମାର୍କଣ୍ଡେୟ ବାଳ ମୁକୁନ୍ଦଙ୍କ ଠାରୁ କ୍ଷେତ୍ରର ମାହାତ୍ମ୍ୟ ଶ୍ରବଣ କରି କହିଲେ, ହେ ପ୍ରଭୁ ମୁଁ ଏହି ପରମ ପାବନ କ୍ଷେତ୍ରରେ ରହିବାକୁ ଇଚ୍ଛାକରୁଛି l ଦୟାକରି ମୋତେ ଆପଣ ଏହି ଅନୁଗ୍ରହ କରନ୍ତୁ l
ମହାପ୍ରଭୁ କହିଲେ,ହେ ମାର୍କଣ୍ଡେୟ, ତୁମର ଇଚ୍ଛା ମୁଁ ଅବଶ୍ୟ ପୂରଣକରିବି l ପ୍ରଳୟ ଶେଷରେ ସୃଷ୍ଟି ରଚନାହେଲେ ତୁମ ନିମନ୍ତେ ଏହି କ୍ଷେତ୍ରରେ ଏକ ବାସ ସ୍ଥାନ ରହିବ l ସେହି ସ୍ଥାନରେ ତୁମେ ବାସ କରି, ମୋର ଦ୍ୱିତୀୟ ତନୁ ମୃତ୍ୟୁଞ୍ଜୟ ଶଙ୍କରଙ୍କୁ ପୂଜା ଆରାଧନା କରି ମୃତ୍ୟୁଞ୍ଜୟୀ ହୋଇ ମୋର ପରମ ଭକ୍ତ ବୋଲାଇବ l

ପ୍ରଳୟପରେ ସୃଷ୍ଟିରଚନା ହେଲା l ମହାପ୍ରଭୁ ମୁନି ମାର୍କଣ୍ଡେୟଙ୍କୁ ପ୍ରଦତ୍ତ ପ୍ରତିଶୃତି ଅନୁଯାୟୀ ଅକ୍ଷୟ ବଟର ବାୟୁ କୋଣରେ ଚକ୍ରାଘାତ କରି ଗୋଟିଏ ଗର୍ତ୍ତ ସୃଷ୍ଟି କଲେ ଓ ସେହି ଗର୍ତ୍ତ ପାର୍ଶ୍ୱରେ ମହର୍ଷି ମାର୍କଣ୍ଡେୟଙ୍କ ପାଇଁ ବାସ ସ୍ଥାନ ନିରୂପଣ କଲେ l ସେହିଠାରେ ରହି ମାର୍କଣ୍ଡେୟ ଶିବଙ୍କୁ ଆରାଧନା କରି ମୃତ୍ୟଞ୍ଜୟୀ ହେଲେ l

ଏବେ ଶ୍ରୀକ୍ଷେତ୍ରରେ ଶ୍ରୀବିଷ୍ଣୁଙ୍କ ଚକ୍ରାଘାତରୁ ସୃଷ୍ଟ ଗର୍ତ୍ତ ମାର୍କଣ୍ଡେୟ ପୁଷ୍କରିଣୀ ନାମରେ ବିଦ୍ୟମାନ ଅଛି ଓ ମହର୍ଷି ମାର୍କଣ୍ଡେୟଙ୍କ ସ୍ଥାପିତ ଶିବ ଲିଙ୍ଗ ଶ୍ରୀମାର୍କଣ୍ଡେଶ୍ୱର ନାମରେ ବିଦିତ l ବିଶ୍ୱାସ କରା ଯାଏ,ମାର୍କଣ୍ଡେଶ୍ୱର ପୁଷ୍କରିଣୀରେ ସ୍ନାନକରି ପ୍ରଭୁ ମାର୍କଣ୍ଡଶ୍ୱରଙ୍କୁ ଦର୍ଶନ କଲେ ଅଶ୍ୱମେଧ ଯଜ୍ଞଫଳ ପ୍ରାପ୍ତ ହୋଇଥାଏ l

ଶ୍ରୀଜଗନ୍ନାଥଙ୍କ ପ୍ରଳୟ ଜଳରୁ ମାର୍କଣ୍ଡେୟ ମୁନୀଙ୍କ ଉଦ୍ଧାରକୁ ବର୍ଣ୍ଣନା କରି କବି ସମ୍ରାଟ ଗାଇଛନ୍ତି :-
ମାରକଣ୍ଡ ଋଷି ଯାଉଥିଲେ ଭାସି
ଉଦ୍ଧରି ଧରିଲ ବାହୁବଳେ l
କିଷ୍କିନ୍ଧ୍ୟାକୁ ଗଲ ବାଳି ବିନାଶିଲ
ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ ll
!!! ଜୟ ଜଗନ୍ନାଥ !!!
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights