ଜଣେ ଅତ୍ୟନ୍ତ ସଦାଚାରୀ ବିଦ୍ଵାନ୍ ବ୍ରାହ୍ମଣ ଥିଲେ । ତାଙ୍କ ଘରେ ପ୍ରାୟ ଖାଇବା-ପିନ୍ଧିବାର ଅସୁବିଧା ଲାଗି ରହୁଥୁଲା । ସେ ସାଧାରଣଭାବରେ ଜୀବନ ନିର୍ବାହ କରୁଥିଲେ।
ସେହି ଦେଶର ରାଜା ବଡ଼ ଧର୍ମାତ୍ମା ଥିଲେ। ବ୍ରାହ୍ମଣୀ କେତେଥର ନିଜ ପତିଙ୍କୁ ରାଜାଙ୍କ ସହିତ ଦେଖାକରି ଆସିବା ପାଇଁ କହୁଥାଏ, କିନ୍ତୁ ସେଠାକୁ ଯିବାକୁ ବ୍ରାହ୍ମଣଙ୍କର ମନ ନ ଥାଏ। ଦିନେ ବ୍ରାହ୍ମଣୀ କହିଲା—“ମୁଁ ତୁମକୁ ମାଗିବା ପାଇଁ ଯାଅ ବୋଲି କହୁନି । ତୁମେ କିଛି ନ ମାଗିଲ ନାହିଁ, ଖାଲି ଥରେ ଦେଖା କରି ଆସ ।’
ବେଶୀ ବାଧ୍ୟ କରିବାରୁ ତାଙ୍କର ମନ ରଖିବା ପାଇଁ ବ୍ରାହ୍ମଣ ରାଜାଙ୍କ ପାଖକୁ ଗଲେ । ରାଜା ତାଙ୍କୁ ବଡ଼ ତ୍ୟାଗୀ ଗୃହସ୍ଥ ବ୍ରାହ୍ମଣ ଜାଣି ଖୁବ୍ ଆଦର-ସତ୍କାର କଲେ ଏବଂ ଆଉ ଦିନେ ଆସିବା ପାଇଁ ଅନୁରୋଧ କଲେ।
ରାଜା କହିଲେ–“ଏବେ ତ ଆପଣ ନିଜ ଇଚ୍ଛାରେ ଆସିଛନ୍ତି, ମୋ କଥା ରଖି, ମୋ ଉପରେ କୃପା କରି ଆଉ ଦିନେ ଆସନ୍ତୁ।’’ ରାଜା ଏପରି କହି ତାଙ୍କର ପୂଜା କଲେ ଏବଂ ଆନନ୍ଦର ସହିତ ବିଦା କରାଇଲେ।
ଘରେ ପହଞ୍ଚିବାରୁ ବ୍ରାହ୍ମଣୀ ପଚାରିଲେ — ରାଜା କ’ଣ ଦେଲେ ? ବ୍ରାହ୍ମଣ କହିଲେ— ‘‘ଦେବେ କ’ଣ ? ସେ ଆଉ ଦିନେ ଯିବା ପାଇଁ କହିଛନ୍ତି ।’’
ବ୍ରାହ୍ମଣୀ ଭାବିଲେ, ଏଥର ନିଶ୍ଚୟ କିଛି ମାଲ୍ ମିଳିବ । ରାଜା ନିମନ୍ତ୍ରଣ ଦେଇଛନ୍ତି ମାନେ ଅବଶ୍ୟ କିଛି ଦେବେ ।
ଦିନେ ରାତିରେ ରାଜା ଛଦ୍ମବେଶ ଧରି, ଗରିବ ଲୋକଙ୍କ ଭଳି ଛିଣ୍ଡା ଲୁଗା ପିନ୍ଧି ବୁଲିଲେ ଥଣ୍ଡା ଦିନ । ଜଣେ କମାର ଗୋଟେ ଲୁହାର କଡ଼େଇ ତିଆରି କରୁଥିଲା। ଲୁହା ଗରମ କରି ସାରିଲା ପରେ ତାହାକୁ ଲେହିରେ ରଖି ବାଡ଼େଇବା ପାଇଁ ତା’ର ଜଣେ ଲୋକ ଦରକାର ହେଉଥିଲା। ରାଜା ସେହି କାମ କରିବାକୁ ପ୍ରସ୍ତୁତ ହୋଇଗଲେ। ଘଣ୍ଟାକୁ ଦି’ ପଇସା ମୂଲ ବୋଲି କମାର କହିଲା। ରାଜା ଅତି ଉତ୍ସାହ ଓ ତତ୍ପରତାର ସହ ଦୁଇ ଘଣ୍ଟା କାମ କଲେ । ରାଜାଙ୍କ ହାତରେ ବିଣ୍ଡି ହୋଇଗଲା, ଝାଳ ବାହାରିଲା, ହାଡ଼ଭଙ୍ଗା ପରିଶ୍ରମ। କମାର ଶେଷକୁ ଚାରି ପଇସା ଦେଲା। ରାଜା ସେହି ଚାରି ପଇସା ଧରି ଘରକୁ ଆସିଲେ ଓ ହାତରେ ବ୍ୟାଣ୍ଡେଜ କଲେ । ଧୀରେ ଧୀରେ ହାତ ଘାଆ ଭଲ ହୋଇଗଲା ।
ଦିନେ ବ୍ରାହ୍ମଣୀ କହିବାରୁ ବ୍ରାହ୍ମଣ ପୁଣି ଥରେ ରାଜାଙ୍କ ପାଖକୁ ଆସିଲେ । ରାଜା ଅତି ଆଦର କରି ଆସନ ଦେଲେ, ପୂଜା କଲେ ଏବଂ ସେହି ଚାରି ପଇସା ତାଙ୍କୁ ଭେଟି ଦେଲେ ।
ବ୍ରାହ୍ମଣ ବଡ଼ ସନ୍ତୋଷୀ ଥିଲେ । ସେ ସେହି ଚାରି ପଇସା ଧରି ଘରେ ପହଞ୍ଚିଲେ । ବ୍ରାହ୍ମଣୀ ଭାବୁଥିଲେ ଯେ, ରାଜା ଆଜି ଯଥେଷ୍ଟ ଧନ ଦେବେ । ସେ ଚାରିଟା ପଇସାକୁ ଦେଖି ରାଗିଯାଇ କହିଲେ – ‘‘ରାଜା କ’ଣଟା ଦେଲା ଆଉ ତୁମେ କ’ଣଟା ଆଣିଲା । ତୁମ ଭଳି ପଣ୍ଡିତଙ୍କୁ ରାଜା ଏଇଆ ଦେଇଛି!” ବ୍ରାହ୍ମଣୀ ସେହି ଚାରିଟା ପଇସା ବାହାରକୁ ଫିଙ୍ଗିଦେଲେ।
ସକାଳୁ ଉଠି ଦେଖିଲା ବେଳକୁ ସେଠାରେ ଗୋଟିଏ ଗଛ ହୋଇ ସେଥିରେ ଚାରୋଟି ସୁନା ମୋହର ଫଳିଛି। ଶୁଦ୍ଧ ଧନ ଏମିତି ହୋଇଯାଏ। ସେହି ସୁନାଟଙ୍କାକୁ ସେମାନେ ପ୍ରତିଦିନ ତୋଳି ନେଉଥିଲେ, ପୁଣି ପରଦିନକୁ ତାହା ଫଳୁଥିଲା। ଥରେ ସେ ଗଛ ମୂଳକୁ ତାଡ଼ି ଦେଖିଲା ବେଳକୁ ମୂଳରେ ସେହି ଚାରୋଟି ପଇସା ମିଳିଲା!
ରାଜା ବ୍ରାହ୍ମଣଙ୍କୁ ଅନ୍ନ ଦେଲେ ନାହିଁ; କାରଣ ରାଜାଙ୍କ ଅନ୍ନ ଅଶୁଦ୍ଧ, ଖରାପ ପଇସାରୁ ଉପାର୍ଜିତ ହୋଇଥାଏ । ମଦ ଆଦି ମାଦକ ଦ୍ରବ୍ୟ ଉପରେ ଲଗାଯାଉଥିବା କର, ଚୋରଙ୍କୁ ଦଣ୍ଡ ଦେଇ ଆଣିଥିବା ଧନ ଅଶୁଦ୍ଧ। ଏପରି ଧନ ଦେଇ ବ୍ରାହ୍ମଣଙ୍କୁ ଭ୍ରଷ୍ଟ କରିବା ଉଚିତ ନୁହେଁ। ତେଣୁ ରାଜା ନିଜ ଶୁଦ୍ଧ ଉପାର୍ଜନର ପଇସା ଦେଲେ।
ଆମେ ମାନେ ମଧ୍ୟ ଧାର୍ମିକ ଅନୁଷ୍ଠାନ ପ୍ରଭୃତିରେ ନିଜର ଶୁଦ୍ଧ ଉପାର୍ଜନର ଧନ ଖର୍ଚ୍ଚ କରିବା ଉଚିତ୍।
ଦିଲୀପ କୁମାର ସାହୁ ,
କନ୍ଧମାଳ