୪. ଦୋଳ ଯାତ୍ରା...
ପ୍ରଶ୍ନ
ଶୁଣ ହେ ଗୋପାଳକୁଳ ଓଗାଳ ମହିମା
ଦୋଳ ଗୋବିନ୍ଦର ଯେତେ ବିଧିମାନ ସିନା ।
ସାତ ବଂଶ ଗୋପାଳ ଯେ ହେଲେ ଏକ ମେଳ
ଦୋଳଯାତ୍ରା କରିବାକୁ କଲେ ଅନୁକୁଳ ।
ମଥୁରା ଗୋପାଳେ ଆସି ଗୋପରେ ମିଳିଲେ
ଗୋପର ଗୋପାଳ ଦେଖି ଓଗାଳ ପୁଚ୍ଛିଲେ ।
ଶୁଣ ତୁମ୍ଭେ ଭାଇମାନେ ପଚାରୁ ଓଗାଳ
କି ରୁପେ ଗୋପରେ ତୁମ୍ଭେ କରୁଅଛ ଦୋଳ ।
କି ରୁପେ ଯେ କୁମ୍ଭ ଗୋଟି କରିବ ବନ୍ଦାଣ
ନବ ତନୁ ଶିକାରେ ସେ ବାଉଂଗୀ ବିଧାନ ।
କେତେ ଫଳ ଆଣି ଭାଇ କୁମ୍ଭରେ ମଣ୍ଡିବ
କେଉଁ ନକ୍ଷତ୍ରକୁ ଧରି ଯାତ୍ରା ଆରମ୍ଭିବ ।
କୁମ୍ଭ ଗୋଟି କେତେବେଳେ ବୁଡାଇବ ଭାଇ
କେଉଁ ଗୋପୀ ଦୁଧ ନେଇ ବନ୍ଦାଇବ ଯାଇ ।
କେତେବେଳେ ବାଡିଧରି କରି ଅନୁକୁଳ
କେତେବେଳେ ଶିଂଘା ନାଦ କରିବ ଗୋଠର ।
କେତେବେଳେ ସୂର୍ଯ୍ଯଂକୁ ହେ ଅର୍ଘ୍ଯ ବନ୍ଦାଇବ
କେତେବେଳେ ଗୋମାତାଂକ ପିତୁଳି ଲେଖିବ ।
କେତେ ଚିନା ଦେଲେଭାଇ ହେବ ଝୁଣ୍ଟିପାଣି
କେତେ ଗୋଟି ଚିନା ହେଲେ କରିବ ମଣ୍ଡଣି ।
କେତେ ଗୋଟି କୁମ୍ଭରେ ହେ ପକାଇବ ଫଳ
କେତେ ଗୋଟି ବୃକ୍ଷଡାଳେ କର ଅନୁକୁଳ ।
ଏତେକ ବିଚାର କରି କହିଦିଅ ବାଛି
କହନ୍ତି ଅଚ୍ଯୁତି ବେଳ ଉଛୁର ହେଉଛି ।
ଉତ୍ତର
ଏହା ଶୁଣି ପୂର୍ଣାନନ୍ଦ ହୋଇଲେ ଆନନ୍ଦ
ଯାହା ପଚାରିଲ ଭାଇ କହିବା ତା ଭେଦ ।
ତୁମ୍ଭ ଆମ୍ଭ ଏକ ସିନା ଭେଦଭାବ ନାହିଁ
ଦୋଳଯାତ୍ରା ବିଧାନକୁ କହିହା ବୁଝାଇ ।
ମଘା ନାମେ ନକ୍ଷତ୍ର ସେ ମୂଳ ଭେଦ ସେହି
ଚଂଦ୍ର କର୍ମ ଘେନି ସିନା ଉପୁଜି ଅଛଇ ।
ପ୍ରଥମେ ସେ କୁମ୍ଭ ଗୋଟି ବେଦପତି ଦେଲେ
ପଂଚକଳାରେ ସେ କୁମ୍ଭକୁ ଭିଆଇଲେ ।
ଚାରିପାଶେ ଚାରିକଳା ମଝିରେ କିଶୋରୀ
ଅଷ୍ଟ ଚଣ୍ଡିକାଇ ତହିଁ ମଧ୍ଯେ ସ୍ଥାପି କରି ।
ପ୍ରଥମରେ ମହାମାୟୀ ନାମରେ ସିନ୍ଦୁର
ଚୁଆ ଚନ୍ଦନ ଲେପିବ କାଳିକା ନାମର ।
ଏମନ୍ତ କରିଣ ଭାଇ କୁମ୍ଭ ଘେନି ଯିବ
ଅଷ୍ଟ ଚଣ୍ଡି ନାମ ଧରି ଜଳ ପୁରାଇବ ।
ଜଳ ପୁରାଇଣ ଆସି ଦେବ ଶିଂଘା ନାଦ
ଝୁଣ୍ଟି ଲିପିବାର ବେଳେ ଭଜିବ ଗୋବିନ୍ଦ ।
ପଂଚ ମୁଖେ ପଂଚ ଫଳ ଶୁଣ ତୁମ୍ଭେ ଭାଇ
ଚୂତ ଫଳ, ଗୁଆ, ପୁଣି ହରିଡା ମିଶାଇ ।
ଅଁଏଳା ଯେ ପଦ୍ମ ଫଳ ଦେବଟି ଗୋଳିଣ
ପଂଚମୁଖେ ପଂଚ ଫଳ ଏହିଟି ପ୍ରମାଣ ।
ଏହିପରି ସର୍ବ ଦ୍ରବ୍ଯ ଠୁଳ ଯେ କରିଣ
ଚତୁର୍ଦଶୀ ଦିବସର ଏମନ୍ତ ଏମନ୍ତ ବିଧାନ ।
ପାହୁଡକୁ ରଖାଇଣ ଗୋଷ୍ଠରେ ବୁଲିବ
ପଂଚ ବର୍ଣ୍ଣ ଡାଳ ନେଇ କୁମ୍ଭପରେ ଦେବ ।
ନବଧାତୁ ମିଶାଇଣ ଦେବ ଝୁଣ୍ଟି ପାଣି
ଗୋଶାଳରେ ପିତୁଳ ଲେଖିବ ଜଣେ ପୁଣି ।
ଗୋମାତାଂକୁ ଶୁଦ୍ଧ ଜଳେ କରାଇବ ସ୍ନାନ
ଦେବ ଧୂପ ଦୀପ ଜାଣ ନଇବେଦ୍ଯମାନ ।
ପୂର୍ଣ୍ଣମୀ ତିଥିରେ ଭାଇ ଦୁଧ ଯେ ବନ୍ଦାଣ
ସର୍ବ ଗୋପ ଗୋପୀ ମିଶି ନାହିଁ ଯେ ବାରଣ ।
ପୂଜାସାରି ବାଡି ଧରି ଅନୁକୁଳ କରି
ଅଚ୍ଯୁତ ବୋଲନ୍ତି ଦୋଷ ନଧର କାହାରି ।।