ଶୁକ କହନ୍ତି ରାୟେ ଶୁଣ

Share it

ଶ୍ରୀମଦ୍ ଭାଗବତ ମହାପୁରାଣର କଥା । ଭଗବାନ୍
ଶ୍ରୀକୃଷ୍ଣ, ଦିନେ ଦ୍ୱାରକାରେ, ରୁକ୍ମିଣୀଙ୍କ ଭବନରେ ରତ୍ନପଲ୍ୟଙ୍କ ଉପରେ ବସି ବିଶ୍ରାମକରୁଥାନ୍ତି । ଏହି ସମୟରେ ସଖୀ ମାନଙ୍କ ସହ ଲକ୍ଷ୍ମୀ ସ୍ୱରୂପା ମାଆ ରୁକ୍ମିଣୀ ହସ୍ତରେ ଅଗୁରୁଚନ୍ଦନ ଧରି ପ୍ରବେଶକଲେ। କୃଷ୍ଣପ୍ରାଣା ରୁକ୍ମିଣୀ, ପଲ୍ୟଙ୍କ ପାଖରେ ବସି ସଲ୍ଲଜ ବଦନରେ ମନ୍ଦମନ୍ଦ ହାସ୍ୟରେ ଭଗବାନଙ୍କୁ ଚାମର ବ୍ୟଜନ କରିବାକୁ ଲାଗିଲେ ।

ଲକ୍ଷ୍ମୀ ନାରାୟଣଙ୍କ ତ ସର୍ବଦା ହସବିନୋଦ ଲାଗି ରହିଥାଏ । ଶ୍ରୀକୃଷ୍ଣ ଟିକିଏ ରହସ୍ୟ କରି କହିଲେ, ହେ ରାଜନନ୍ଦିନୀ ! ତୁମ ସ୍ଵୟମ୍ବର କଥା ମନେଅଛି ତ । ସ୍ଵୟମ୍ବରକୁ କାହିଁ କେତେ ଐଶ୍ୱର୍ଯ୍ୟ ଓ ପ୍ରତାପ ଶାଳୀ ରାଜା ଏବଂ ରାଜପୁତ୍ର ମାନେ ଆସି ଥିଲେ । ସମସ୍ତେ ତୁମକୁ ପାଇବା ପାଇଁ ଆଶା ବାନ୍ଧି ଥିଲେ । ତୁମ ଭାଇ ଓ ପିତା ମାତା ପୁଣି ତୁମକୁ ଶିଶୁପାଳକୁ ଦେବେ ବୋଲି ସ୍ଥିରକରିଥିଲେ । କେଉଁ ଗୁଣରେ ମୁଁ ତାଙ୍କ ସରିହେବି । ତୁମେ ସେମାନଙ୍କୁ ଛାଡ଼ି ମୋତେ ବ୍ରାହ୍ମଣ ହସ୍ତରେ ପତ୍ର ପଠାଇ କି ସୁଖ ପାଇଁ ବରଣ କଲ । ସୁନ୍ଦରୀ !

ତୁମେ ତ ଜାଣିଛ, ମୁଁ ବଳିଷ୍ଠ ରାଜା ମାନଙ୍କ ଭୟରେ ପଳାଇଆସି ସମୁଦ୍ର ଭିତରେ ଘର କରି ରହିଛି । ତାଙ୍କ ସହ ସଦାସର୍ବଦା ମୋ ଶତୃତା ଲାଗି ରହିଛି । ପୂର୍ବେ ଯଯାତିଙ୍କ ଅଭିଶାପ ଫଳରେ ଆମ୍ଭ ଭାଗ୍ୟରେ ରାଜଭୋଗ ନାହିଁ । ସ୍ଵଭାବରେ ମୁଁ ଦୀନହୀନ, ଅକୀଞ୍ଚନ ଓ ଦରିଦ୍ର ପ୍ରିୟ । କେଉଁ ଶିରି ଦେଖି ମୋତେ ତୁମେ ବରଣ କଲ ।

ସ୍ୱଭାବେ ଅକୀଞ୍ଚନ ମୁହିଁ
ଦରିଦ୍ରପ୍ରିୟ ମୁଁ ବୋଲାଇ ।।
ତାହାକୁ ସ୍ବାମୀ ପଣେ ବରି
ସୁଖି ହୋଇବ କେଉଁ ନାରୀ ।।

ଶାସ୍ତ୍ର କହେ, ଧନ ମାନରେ ତୁଲ୍ୟକୁଳ ଦେଖି ବର ବାଛିବା ଉଚିତ । ତୁମେ ଜାଣିଶୁଣି ମୋପରି ଜଣେ ଦରିଦ୍ରକୁ କାହିଁକି ନିର୍ବାଚନ କଲ । ଏବେ ବି ବେଳ ଅଛି, ତୁମେ କୌଣସି ଉଚ୍ଚ କୂଳରେ ତୁମ ଅନୁରୂପ ବର ବାଛି ବିବାହକରି ତୁମ ନାରୀଜନ୍ମ ସୁଖି କର । କେବଳ ଶିଶୁପାଳ, ଦନ୍ତ୍ୟବକ୍ର, ଆଦି ଦୁଷ୍ଟ ମାନଙ୍କ ଗର୍ବ ନାଶିବା ନିମନ୍ତେ ମୁଁ ତୁମକୁ ହରିଆଣିଲି ସିନା ମୋର କିନ୍ତୁ ଦାରା ତନୟ ଆଦିରେ କୌଣସି ସ୍ପୃହା ନାହିଁ । ଆତ୍ମ ସୁଖରେ ହିଁ ମୁଁ ସୁଖି ।

ପ୍ରାଣପ୍ରିୟ ସ୍ଵାମୀଙ୍କଠାରୁ ଏପରି ନିଷ୍ଠୁରବଚନ ଶୁଣି ଦେବୀ ରୁକ୍ମିଣୀ ଅଧୋବଦନରେ ଅଶ୍ରୁ ଗଡ଼ାଇବାକୁ ଲାଗିଲେ । ଅତି ଦୁଃଖ ଓ ସନ୍ତାପରେ ତାଙ୍କର ବୁଦ୍ଧି ହଜିଗଲା । ସ୍ୱାମୀଠାରୁ ଏପରି ନିଷ୍ଠୁର କଥା କେଉଁ ନାରୀ ସହିବ । ସେ କର୍ତ୍ତିତ ରମ୍ଭାବୃକ୍ଷ ପ୍ରାୟ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଗଲେ ।

ରୁକ୍ମିଣୀ କୃଷ୍ଣଙ୍କୁ ଅତି ଭଲ ପାଉଥିଲେ । ସେ ତାଙ୍କୁ ଏକାନ୍ତ ମୋର ସ୍ବାମୀବୋଲି ଭାବୁଥିଲେ । ଶ୍ରୀକୃଷ୍ଣ କେବଳ ତାଙ୍କ ଗର୍ବ ଭାଙ୍ଗିବା ପାଇଁ ଏପରି ଛଳନା କରିଥିଲେ । ଚତୁର ଶିରୋମଣୀଙ୍କୁ ଚାଟୁ କଥାରେ କିଏ ପାରିବ । ସେ ପଲ୍ୟଙ୍କରୁ ଓହ୍ଲେଇ ପଡ଼ି ତାଙ୍କୁ ତଳୁ ଉଠାଇଆଣିଲେ ଓ ତାଙ୍କ ଆଲୁଳାୟିତ କେଶ ରାଶିକୁ ନିଜ ହାତରେ ଯତ୍ନରେ ବାନ୍ଧିଦେଇ ଚକ୍ଷୁରୁ ଲୁହ ପୋଛି ଦେଲେ । ଆଲିଙ୍ଗନ ପୂର୍ବକ ଭଗବାନ ତାଙ୍କୁ ସାନ୍ତ୍ଵନାଦେଇ କହିଲେ, ବିଦର୍ଭ ନନ୍ଦିନୀ ! ମୁଁ ଜାଣେ ତୁମେ ମୋପ୍ରତି ଏକାନ୍ତ ଅନୁରକ୍ତା । ତୁମଠୁଁ କେବଳ ପ୍ରେମପୁର୍ଣ୍ଣ କଥା ଟିକିଏ ଶୁଣିବା ଉଦ୍ଦେଶ୍ୟ ନେଇ ମୁଁ ଏପରି କହିଥିଲି । ହେ ଭାମିନୀ ! ଏହାହିଁ ତ ସଂସାର ବେଭାର । ନିଜ ପ୍ରିୟତମା ସହ ଟିକିଏ ହାସ୍ୟ ପରିହାସ କରିଦେଲେ ଗୃହ ସ୍ଵାମୀକୁ ବହୁତ ଆନନ୍ଦ ମିଳିଥାଏ । ଏହାହିଁ ତ ଗୃହସ୍ଥ ଧର୍ମ ।

ଯେ ପ୍ରାଣୀ ଥାଇ ଗୃହବାସେ
ପ୍ରିୟା ସଂଯୋଗେ ହାସ୍ୟରସେ ।।
ଦିନ ହରଇ ପ୍ରିୟ ଭାବେ
ବିଷୟସୁଖେ ଏହା ଲଭେ ।।

ଦେବୀ ରୁକ୍ମିଣୀ ପ୍ରଭୁଙ୍କ କଥା ବୁଝିଗଲେ ଓ ପ୍ରଭୁଙ୍କୁ କହିବାରେ ଲାଗିଲେ, ହେ ପ୍ରଭୁ ! ଆପଣ କହୁଛନ୍ତି ‘ମୁଁ ଦରିଦ୍ର ପ୍ରିୟ । ମୁଁ ଦୀନ, ତୁମର ଭାଜନ ନୁହେଁ । ମୁଁ ଡରରେ ଆସି ସମୁଦ୍ର ମଧ୍ୟରେ ଘରକରି ରହୁଛି ।’ ଆପଣଙ୍କ ଅନୁସାରେ ଏସବୁ ଠିକ, କିନ୍ତୁ ମୁଁ ଜାଣେ, ଆପଣ ହେଉଛନ୍ତି ସମସ୍ତ ପ୍ରାଣୀଙ୍କ ଆତ୍ମା । ଆପଣ ଆତ୍ମଜ୍ଞାନ ପ୍ରଦାନକାରୀ, ବିଶ୍ଵାତ୍ମା । ଆପଣ ସମସ୍ତ ଜଗତର ସ୍ବାମୀ । ଏହା ଜାଣି, ମୁଁ ଆପଣଙ୍କୁ ବରଣ କରିଛି । ତେଣୁ, ଏ ବିଦର୍ଭ କୁମାରୀ ଅଦୂରଦର୍ଶିନୀ ନୁହଁ । ଆପଣ ସର୍ଵ ଗୁଣାକାର ଓ ମୋକ୍ଷ ସ୍ଵରୂପୀ ।
ଆପଣ ଲକ୍ଷ୍ମୀଙ୍କ ଆଶ୍ରୟସ୍ଥଳୀ । ଆପଣ ଇହଲୋକ ପର ଲୋକରେ, ମନୁଷ୍ୟର ସକଳ କାମନା ପୂରଣ କରିଥାନ୍ତି । ମୁଁ ଆପଣଙ୍କୁ ଜାଣିଛି ଓ ଅନୁରୂପ କର୍ମ ଅନୁସାରେ ବରଣକରିଛି । ଆପଣଙ୍କ ଚରଣକମଳ ସର୍ବଦା ମୋର ଆଶ୍ରୟ ହେଉ ।

ଶ୍ରୀମଦ୍ ଭାଗବତରେ ଶୁକମୁନି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ଏହି ଦାମ୍ପତ୍ୟକଳହ କଥା ଶେଷକରି ପରୀକ୍ଷିତଙ୍କୁ କହିଲେ, ଭଗବାନ ଶ୍ରୀକୃଷ୍ଣ, ଜଗଦୀଶ୍ୱର ହେଲେ ମଧ୍ୟ ସେ ମନୁଷ୍ୟ ଦେହଧରି ମାନୁଷି ଗୃହସ୍ଥ ଲୀଳା କରି ଲକ୍ଷ୍ମୀସ୍ୱରୂପା ରୁକ୍ମିଣୀଙ୍କ ସହ ଆହାର ବିହାର କରୁ ଥିଲେ । ରୁକ୍ମିଣୀଙ୍କ ସହ ଭଗବାନ୍ ଶ୍ରୀକୃଷ୍ଣଙ୍କ ଏହି ଦାମ୍ପତ୍ୟ କଳହକୁ ବର୍ଣ୍ଣନା କରି ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ :-

ଶୁକ କହନ୍ତି ରାୟେ ଶୁଣ
ଏମନ୍ତ କହି ନାରାୟଣ ।।
ନିଜ ମହିମା ଆତ୍ମରତି
ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି ।।

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights